Unknown

 

 

 

 

 

 

 

 

 

 

 

ରୁପାଚୁଡ଼ୀ

ଚିନ୍ତାମଣି ମହାନ୍ତି

 

ପ୍ରଥମ ପରିଚ୍ଛେଦ

 

‘‘କି ହୋ ଉଠ ହୋ, ବେଳ ଆସି ବୁଡ଼ିବାକୁ ବସିଲାଣି–ତେବେ ବି ନିଦ ଭାଙ୍ଗୁ ନାହିଁ, ଏ କି ଗହନ ନିଦ ଲୋ ମାଆରାଣୀ !’’ ପିଢ଼ାରେ ଶୁଖୁଥିବା କେତେ ଖଣ୍ତ ଲୁଗା ତୋଳୁଁ ତୋଳୁଁ ଉଷା ସୁପ୍ତ ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଉପରୋକ୍ତ ବାକ୍ୟ ପ୍ରୟୋଗ କରୁଥିଲେ । ତାଙ୍କର ଅଧେ ମନ ଲୁଗା ତୋଳାରେ–ଆଉ ଅଧକ ସ୍ୱାମୀଙ୍କ ନିଦ୍ରାଭଙ୍ଗରେ ନିଯୁକ୍ତି ଥିଲା । କିନ୍ତୁ ତାଙ୍କର ଏ ସୁଆଗ-ଶ୍ଳୋକ ସ୍ୱାମୀ ନିତ୍ୟାନନ୍ଦ ଦାସ ଡାକ ନାମ ନିତେଇ ଦାସଙ୍କ କର୍ଣ୍ଣକୁହର ସ୍ପର୍ଶ କରିପାରିଲା ନାହିଁ; ସ୍ୱାମୀଙ୍କ ନାସିକା ଗର୍ଜନରେ ଧକା ଖାଇ ଆକାଶରେ ମିଳେଇ ଗଲା । ସ୍ୱାମୀଙ୍କ କାନକୁ ନ ଗଲା ତ ନାହିଁ, ନିଦ୍ରାଦେବୀଙ୍କ ସିଂହାସନ ତଳେ ପହୁଞ୍ଚି ପାରିଥିଲେ ସେ ଟିକିଏ ଆଡ଼େଇ ହୋଇଯାଇଥାଆନ୍ତେ; ‘‘ଗହନ’’ ଏଡ଼େ ବଡ଼ ବିଶେଷଣଟାଏ ଲାଭ କରି ସେ କଦାଚ ଅକୃତଜ୍ଞ ହୁଅନ୍ତେ ନାହିଁ । ନିଦ୍ରାଦେବୀ ବୋଧହୁଏ ଶଂଖଚିଲ ମୁହଁ ଚାହିଁ ଘରୁ ବାହାରିଥିଲେ; ନଚେତ୍‌ଏଭଳି ଉଚ୍ଚ ସାର୍ଟିଫିକେଟ ତାଙ୍କ ଭାଗ୍ୟରେ ଘଟି ନ ଥାନ୍ତା । ଉଷା ଲୁଗାଗୁଡ଼ିକ ଅଲଗୁଣିରେ ସଜାଡ଼ି ରଖିଲେ । ତହିଁ ପରେ ସ୍ୱାମୀଙ୍କ ପିଠି ପାଖରେ ବସି ତାଙ୍କୁ ହଲାଇ ଦେଇ ଡାକିଲେ,–‘‘ସୁଦୁରୀବାପ ! ସୁଦୁରୀବାପ ! କି ହୋ ଉଠ ହୋ ।’’ କନ୍ୟା ସୁଭଦ୍ରା ଜନ୍ମ ହେଲା ଦିନୁ ଗୃହଣୀ ସ୍ୱାମୀଙ୍କୁ ‘‘ସୁଦୁରୀବାପ’’ ଉପାଧିରେ ଭୁଷିତ କରିଅଛନ୍ତି; ପ୍ରତିଦାନରେ ସେ ସୁଦ୍ଧା ସ୍ୱାମୀଙ୍କଠାରୁ ‘‘ସୁଦୁରୀମା’’ ଉପାଧି ଲାଭ କରିଅଛନ୍ତି । ପ୍ରଣୟିନୀଙ୍କ ସୁଆଗ-ଶୀତଳ ହସ୍ତର ଅମୃତସ୍ପର୍ଶରେ ହେଉ ବା ପ୍ରେମ-ସ୍ନିଗ୍‌ଧ ଆହ୍ୱାନରେ ହେଉ, ଦାସେ ଦେହରୁ ନିଦ ଝାଡ଼ିଝୁଡ଼ି ଦେଇ ଉଠି ବସିଲେ । ନିଦଟା ଯେ ପାକଳ ହୋଇ ନାହିଁ, ତାଙ୍କର ଜବାକୁସୁମଙ୍କାଶ ଅର୍ଦ୍ଧନିମୀଳିତ ନେତ୍ର ସେଥିର ନୀରବ ସାକ୍ଷ୍ୟ ପ୍ରଦାନ କରୁଥିଲା । ସେ ଆଖି ମଳି ମଳି ନିଦ୍ରୋତ୍ଧିତ ପାଣ୍ତୁର ମୁଖରେ ହର୍ଷ-ଉଲ୍ଲାସର ମୃଦୁ-ହାସ୍ୟ ଫୁଟାଇ ସ୍ତ୍ରୀର ବାହୁରେ ଈଷତ୍‌ପ୍ରେମ-ଠେଲା ମାରି କହିଲେ–‘‘ହଠାତ୍‌ କେଡ଼େ ସ୍ୱପ୍ନଟା ଭାଙ୍ଗି ଦେଲ । ଆଃ, ସ୍ୱପ୍ନଟା ଯଦି ସତ ହୋଇଯାଆନ୍ତା, ତେବେ କି ମତା ସୁଦୁରୀମା।’’

 

ଉଷା–ହଁ, ସପନ ସତ ହବ, ତତଲା ପାଣିରେ ଘର ପୋଡ଼ିଯିବ, ଖରାରେ ଖଇ ଉଡା ହେବ, ଆଉ ତୁମେ ବସି ମଜା ଲୁଟିବ ! ସପନରେ କଅଣ ହୋଇଥିଲ–ସ୍ୱର୍ଗର ଇନ୍ଦ୍ର, ନା ମଞ୍ଚର ନରେନ୍ଦ୍ର ?

 

ନିତେଇ–ତା’ କିଛି ବଡ଼ କଥା ନୁହେଁ ।

 

ଉଷା–କିଲୋ ମା, ତା’ଠଉଁ ବି ବଡ଼ ! ଆଚ୍ଛା ତେବେ କି ସପନ କୁହନି ଟିକିଏ ଶୁଣେ; ଆଉ ସୁଖ ସପନରେ ଦିନ କଟିଯାଏ କି ନା, ଥରେ ପରୀକ୍ଷା କରେଁ ।

 

ନିତେଇ କହିଲେ–‘ତେବେ ଶୁଣ କହୁଚି । ଏହି ସ୍ୱପ୍ନ ଦେଖିଥିଲି ଯେ, ବେଳ ରତ ରତ ହେଉଥାଏ, ମୁଁ ଆମ ବାଡ଼ି ପଛ ନଇକୂଳରେ ବୁଲୁଥିଲି । ଅସ୍ତଗାମୀ ସୂର୍ଯ୍ୟର ରକ୍ତବୋଳା ପୀତ କିରଣ ନଈପାଣିରେ ପଡ଼ି ବଡ଼ ସୁନ୍ଦର ଦିଶୁଥାଏ–ସତେ ଯେପରି ବିଶ୍ୱକର୍ମ ଆଉଟା ସୁନା ତଳେ ନାଳ ଚିରି ଢାଳି ଦେଇଛି ! ଦୂରରେ ପର୍ବତଟା ଓଲଟା କୋହି ପରି ଦିଶୁଥାଏ । ବଣିଆର ସ୍ୱଭାବ, ସେ ଆଉଟି ସାରି କୋହଟା ଉଗୁଡ଼େଇ ପକାଏ । କୁଲିମାନେ କାମ ଶେଷରେ ଦଳ ଦଳ ହୋଇ ଘରକୁ ଫେରିଗଲା ପରି ପକ୍ଷୀମାନେ ସେହି କିରଣସାଗର ଗର୍ଭରେ ବୁଡ଼ି ବୁଡ଼ି ଭାସି ଯାଉଥାଆନ୍ତି-। ଗୋଟିଏ ‘‘ଜଳପିଂପି’’ ଚଢ଼େଇ ନଇକୂଳ କୋଚିଲା ଗଛରେ ‘‘ଜଳପିଁପିଁ, ଜଳପିଁପିଁ’’ ଶଦ୍ଦ କରୁଅଛି-। ଆନୁନାସିକ ସ୍ୱରରେ ସେ କାହାକୁ କି ଜଳ ପିଇବାକୁ କହୁଅଛି, ତାହା ସେହି ଏକା ଜାଣେ । ପୂର୍ବଦିଗ ବିରକ୍ତ ବିରସ ମୁଖରେ, ଉଦ୍ୟସବ୍ୟଥିତ ନେତ୍ରରେ ଅସ୍ତଗାମୀ ସୁର୍ଯ୍ୟକୁ ଦେଖୁଅଛି । ଗୋଟାଏ ହୁଗୁଳା ଛିଣ୍ତା ମଲ୍ଳୀମାଳା ବାୟୁରେ ଉଡ଼ିଗଲା ପରି ଧାଡ଼ି ଧାଡ଼ି ହୋଇ ବଗ ଉଡ଼ି ଯାଉଛନ୍ତି । ପବନ ଫୁର୍‌ଫୁର୍‌ହୋଇ ବହୁଛି; ଦୂର ଉପବନର ଶେଫାଳୀ-ସୌରଭ ସେଥିରେ ଭାସି ଆସୁଛି । ନଈ ଆରପାରିରେ ଖଣ୍ତିଆଭୂତ ଚକ୍ରାକାରରେ ବାଲି ଉଡ଼ାଇ ଖେଳୁଛି । ଏହା ସବୁ ଦେଖି ଦେଖି ମୁଁ ନଇକୂଳରେ ବୁଲୁଥାଏ । ବୁଲୁଁ ବୁଲୁଁ ଆସି ଆମ ନାକେଇ ଆମ୍ବଗଛମୂଳରେ ପହୁଞ୍ଚିଲି । ଦେଖିଲି, ତା’ ମୂଳରେ ଯେଉଁ ହୁଙ୍କାଟା ଅଛି, ସେଥିରୁ ଝଡ଼ିପୋକ ବାହାରିଲା ପରି ଭଳ ଭଳ ହୋଇ ଟଙ୍କାଗୁଡ଼ାକ ବାହାରି ପଡ଼ୁଛି । ଦେଖିକରି ତ ମୁଁ ତାଟଙ୍କା ହୋଇଗଲି; ମୋର ମୁଣ୍ତ ଘୁରିଗଲା । ମୁଁ କଅଣ କରିବି, କିଛି ଠିକ୍‌କରିପାରିଲି ନାହିଁ । ଯାହାହେଉ, ଧୀରେ ଧୀରେ ଯାଇ ଦେଖିଲି, ସତକୁ ସତ ଟଙ୍କାଗୁଡାଏ ! ମୋର ଛାତି ଦାଉଁ ଦାଉଁ ହୋଇଉଠିଲା । କାଳେ କେହି ଯେବେ ଆସି ଦେଖେ, ତେବେ ସର୍ବନାଶ ! ସେଆଡ଼କୁ କେହି ନ ଆସିବାଲାଗି କେତେ ଠାକୁରଙ୍କୁ ମୁଣ୍ତ ମାରି ମାନସ କଲି-। ଶେଷରେ ଗାମୁଛାରେ ଦି-ବୁଜଳା ଟଙ୍କା ବାନ୍ଧିଲି; ଆଉ କୁଞ୍ଚକାନି ଫିଟାଇ ବୁଜୁଳାଏ ବାନ୍ଧିଲି । ତେବେ ବି ସରିଲା ନାହିଁ । ତେତିକିବେଳେ ମୋର ତଣ୍ଟିଟା ମୋଟା ହୋଇଗଲା-। ଆଉ ଉପାୟ ନ ଦେଖି କେତେଗୁଡ଼ାଏ ଟଙ୍କା ଥଳିରେ ଚାଉଳ ନାଇଲା ପରି ଗିଳି ପକାଇଲି । ଦେଖୁଁ ଦେଖୁଁ ପେଟଟା ହାତୀପେଟ ପରି ଢୋଲ ହୋଇଗଲା । ଆଉ ଅଳିଚଳି ନ ପାରି ଶୋଇ ରହିଲି । ଘଡ଼ିକ ପରେ ତମେ ଯାଇ ପହୁଞ୍ଚିଲା । ମୋତେ ଦେଖି ତମେ ଛାନିଆ ହୋଇଗଲ-। ମୁଁ କହିଲି, ‘‘ଦେଖୁଛ କଅଣ ସୁଦୂରୀମା, ଚଞ୍ଚଳ ଯାଇ ଆମ ଗୁହାଳକତା ସିଇଡାଟା ଘେନିଆସ, ବୋଝକେତେ ଟଙ୍କା ଘରକୁ ବୋହିନେଇ ଯା, ମୁଁ ଟଙ୍କା ଗିଳି ଅଳିଚଳି ପାରୁନାହିଁ ।’’ ତୁମେ ଧାଇଁ ଯାଇ ସିଇଡା ଆଣି ଟଙ୍କା ବୋହି ନେଇଗଲା, ସବୁ ସରିଲାରୁ ମୋ ପାଖରେ ଆସି ଠିଆ ହେଲ । ମୁଁ ଟିକିଏ କଡ଼ ନେଉଟାଇବାବେଳେ ପେଟ ଫାଟିଯାଏ ଟଙ୍କାଗୁଡାକ ଝମ୍‌ଝମ୍ ହୋଇ ବାହାରି ପଡ଼ିଲା । ସଙ୍ଗେ ସଙ୍ଗେ ମୁଁ ମଧ୍ୟ ମରିଗଲି ।’’ ସୁଦୁରୀମା ମୁଁହଟାକୁ ପେଡ଼ି ପରି କରି କହିଲେ–ଥାଉ ହୋ ଥାଉ, ଏ କି ଅଶୁଭ କଥା ? ଅଲେଇ ବଲେଇ ସବୁ ଧୋଇଯାଇ, ସେ ନିଆଁ ସପନରେ ନିଆଁ ଲାଗୁ, ମୁଁ ଆଉ ଶୁଣିବି ନାହିଁ ।’’ ତହୁଁ ଦାସେ ମୁରୁକି ମୁରୁକି ହସି କହିଲେ–‘‘ଶୁଣତି, ଆଉ ଅଳ୍‌ପ ଅଛି । ସେଇତ କଣ ହେଲା କି, ମୁଁ ତ ମରିଗଲି; ମାତ୍ର ସବୁ ଦେଖୁଥାଏଁ, ଶୁଣୁଥାଏଁ । ମୋ ପେଟରୁ ବାହାରିଥିବା ଟଙ୍କାଯାକ ତମେ ଘରକୁ ନେଇଗଲ । ସବୁ ହାଣ୍ତି, ଆଟିକା, ମାଠିଆରେ ସାଇତି ରଖି ଘରେ କୁଞ୍ଚି ଦେଇ ପୁଣି ମୋ ପାଖକୁ ଆସି ଗୁଣୁ ଗୁଣୁ ହୋଇ ବାହୁନି କାନ୍ଦି ବସିଲ । ଠିକ୍‌ନିଶବଦ ରାତିରେ ହରପାର୍ବତୀ ବାସୁଆବଳଦ ଉପରେ ବସି କଥାବାର୍ତ୍ତା କହି କହି ଆକାଶରେ ଯାଉଥିଲେ । ଆଉ କିଛି କଥା ନୁହେଁ–ତାଙ୍କ କୈଳାସର ଭୁତସାହୀ କଥା । କାଳିଆ ଭୁତକୁ ଭାରି ଜ୍ୱର; ସେ କୁଇନାଇନ୍‌ଖାଇ ଖାଇ ବାଉଳା ହୋଇଗଲାଣି । ଧିନ୍ଦାଭୁତର ମାଇପଟା ଭାରି ଉଲେଇ–ସେ ରାନ୍ଧୁ ରାନ୍ଧୁ ହାଣ୍ତିରେ ଖାଇଦିଏ । ଚିକିଟା ଭୁତଟା ଦାବା ଖେଳରେ ହଳହଡା ସବୁ ବିକି ସାରିଲାଣି । ଗିଧିଆଭୁତର ପୁଅ ଏଥର ଏମ୍‌.ଏ. ପାସ କରି ଉତ୍ତରକୈଳାସ ଜିଲ୍ଲାରେ ମେଜେଷ୍ଟର ହୋଇଅଛି । ଏହିପରି କେତେ କଥା କହି କହି ଯାଉଥିଲେ । ତମ କାନ୍ଦଣା ଶୁଣି ପାର୍ବତୀ କହିଲେ–‘‘ରୁହ ରୁହ ମହେଶ୍ୱର, ଏତେ ରାତିରେ ମଞ୍ଚରେ କିଏ କାନ୍ଦୁଛି, କାହାର କି ଦୁଃଖ ! ଏତେ ଲୋକଙ୍କର କଷ୍ଟ ଫେଡ଼ି ଆସିଲେ, ଏତେ ଚାଲ କିଏ କାନ୍ଦୁଛି ଦେଖିବା ।’’ ଇଶ୍ୱର କହିଲେ–‘‘ତମର ଆଉ କିଛି ନାହିଁ, କିଏ କେଉଁଠି କାନ୍ଦିଲା–କାହାର କି କଷ୍ଟ ହେଲା, ଖାଲି ଏହି ବେଉସା । ମୁଁ ଆଉ ଯାଇପାରିବି ନାହିଁ, ତମେ ଯିବ ତ ଯାଅ । ମାଇପିଲୋକଙ୍କର ଆଉ କିଛି ନାହିଁ–ଖାଲି ପରଘର କଥା ।’’ ପାର୍ବତୀ ଆଉ କିଛି ନ କହି ମୁହଁ କୁଷୁଣ୍ତା କରି ବସିଲେ । ତାଙ୍କ ଆଖିର ଝର ଝର ହୋଇ ଲୁହ ଗଡ଼ିପଡ଼ିଲା । ମହାଦେବ ଲଜ୍ଜାବୋଳା ଅପ୍ରତିଭ ଦୃଷ୍ଟିରେ ପାର୍ବତୀଙ୍କ ମୁହଁକୁ ଚାହିଁ ଧୀରସ୍ୱରରେ କଅଁଳେଇ କହିଲେ–‘‘ରାଣୀମା, ମୁଁ ତମକୁ କିଛି କହିଲି କି ? ନନ୍ଦୀ ଆଜି ଅଞ୍ଜନ ପରି ଚିକ୍‌କଣ କରି ଭାଙ୍ଗ ଘୁଣ୍ଟିଥିଲା, ବିରାଟ ଏପଳି ଧରି ପକେଇଛି ଯେ, ବେଳେ ବେଳେ ମୁଁ ବେହୋଗ ହୋଇଯାଉଛି, ଏପରି କି ମୋ ଭିତରେ ମୁଁ କହିପାରୁ ନାହିଁ । ଯେବେ କିଛି ଅନ୍ୟାୟ କଥା କହିଥାଏ, ତେବେ ତୁମ୍ଭ ଧାଙ୍ଗଡ଼ ଭାଙ୍ଗଡ଼ ସ୍ୱାମୀର ଦୋଷ ଧରିବ ନାହିଁ ।’’ ଏହା କହି ମହାଦେବ ମୌନ ହୋଇ ରହିଲେ । ତାଙ୍କର ବାର୍ଦ୍ଧକ୍ୟ ରେଖାଙ୍କିତ ମୁଖରେ, ଆଉ ବ୍ୟଥାସିକ୍ତ ଦୃଷ୍ଟିରେ ଲଜ୍ଜା ମୁର୍ତ୍ତ ଧରି ଖେଳି ବୁଲିଲା । ପାର୍ବତୀଙ୍କ ରୁଦ୍ଧ ବେଦନା କ୍ରମଶଃ ଫୁଲି ଉଠି ଛାତି ଫଟାଇ ବାହାରି ଆସିବାର ଉପକ୍ରମ ହୋଇଥିଲା । ଅଭିମାନ ହୃଦୟକବାଟ ଭାଙ୍ଗି ବାହାରକୁ ବାହାରି ଆସୁଥିଲା; ମାତ୍ର ସ୍ୱାମୀଙ୍କ କାକୁତି ଶୁଣି ସେ ସବୁ ଭୁଲିଯାଇ ହସି ପକାଇ କହିଲେ–‘‘ବୃଥାରେ କି ତୁମ୍ଭଙ୍କୁ ଲୋକେ ଭୋଳାମହେଷ କହନ୍ତି । ଏହିକ୍ଷଣି ମାଇପିଲୋକଙ୍କର ସ୍ୱଭାବକୁ ନିନ୍ଦା କରୁଥିଲ, ତାହାସବୁ ଭୁଲିଗଲ ?’’ ଶିବ କହିଲେ–‘‘ଏଁ, କିଏ ନିନ୍ଦା କରୁଥିଲା ? ନାରୀଙ୍କ ସ୍ୱଭାବ ବଡ଼ କୋମଳ, ଆଉ ଜଳ ପରି ଶୀତଳ ପୁଣି ତରଳ । ସେମାନଙ୍କର କୋମଳବୃତ୍ତି ସଂସାରକୁ ବଞ୍ଚେଇ ରଖିଛି । ସେମାନଙ୍କର ସ୍ନେହ, ଭକ୍ତି, ଦୟା, ମାୟା ଆଉ ପରୋପକାରିତା ସେମାନଙ୍କ ପ୍ରାଣର ଦୁର୍ଲଭ ଦେବତ୍ୱ; ବିଧାତା ସେମାନଙ୍କର ଦେହ ପାଣିରେ ଗଢ଼ିଅଛି । ଖାଲି ଏତିକି ଯେ, ସେମାନେ ବିଜୁଳି ପରି ନିଜର ରୂପ ଶିଖାରେ ନିଜେ ନ ପୋଡ଼ି ଅପରକୁ ପୋଡ଼ି ମାରନ୍ତି; ମାତ୍ର ସେ କିଛି ନୁହେଁ-। ହଁ, କଣ କହୁଥିଲ–କିଏ କାନ୍ଦୁଛି, ସ୍ୱପ୍ନ ପରି ମୋର ଟିକିଏ ଟିକିଏ ହେତୁ ହେଉଛି । ଆଛା, ଚାଲ ଦେଖିବା–ଆମର ସୃଷ୍ଟି, ଭଲ ମନ୍ଦ ଆମେ ନ ଦେଖିଲେ ଆଉ କିଏ ଦେଖିବ ? ତମର ଏହି ପରୋପକାରିତା ଗୁଣ ହେତୁ ମୁଁ ତମକୁ ଅର୍ଦ୍ଧାଙ୍ଗରେ ମିଶାଇ ରଖିଛି, ଆଉ ଗଙ୍ଗାକୁ ମସ୍ତକରେ ଧରି ବୁଢ଼ାକାଳରେ ହଟହଟା ହେଉଛି । ସେଥିପାଇଁ ଦେବତାମାନେ ପଛରେ ଥଟା କରନ୍ତି–କରନ୍ତୁ, ସେ ପିଲାଗୁଡାକ ନାରୀମାହାତ୍ମ୍ୟ କାହୁଁ ବୁଝିବେ ?’’ ଶିବ ଏହା କହି ପାର୍ବତୀଙ୍କୁ ଘେନି ଆମ ପାଖରେ ଆସି ପହୁଞ୍ଚିଲେ । ତମଠାରୁ ସବୁ ଶୁଣି ମୋ ଉପରେ ଫୁଲପାଣି ଛିଞ୍ଚିଦେଲେ; ସେଇଠୁ ମୁଁ ଧଡ଼ପଡ଼ ହୋଇ ଉଠି ବସିଲି । ଏହି ସମୟରେ ତମ ଡାକ ଶୁଣି ନିଦ ଭାଙ୍ଗିଗଲା ।’’

 

ଉଷା କହିଲେ–‘‘ହଁ, ଆଛା ସପନ ଦେଖିଛ, ଏବେ ମୁହଁ ଧୋଇ ଆସ, ପିଣ୍ତାରେ ପାଣି ଅଛି । ମୁଁ କିଛି ଗଣ୍ତାଏ ଆଣେ, ପାଟିରେ ପକାଇବ ।’’ ଏହା କହି ଊଷା ସ୍ୱାମୀଙ୍କ ପାଖରୁ ଉଠିଗଲେ ଏବଂ ଗୃହାନ୍ତରରୁ ପୋଡ଼ପିଠା ଆଉ ଦୁଧ ଆଣି ସ୍ୱାମୀଙ୍କ ଆଗରେ ଥୋଇ ଖଣ୍ତେ ପଙ୍ଖା ଧରି ମାଛି ତଡ଼ିବାକୁ ଲାଗିଲେ । ଭୋଜନ ଶେଷରେ ଦୁଇଖଣ୍ଡ ପାନ ଆଣି ଦେଲେ । ଦାସେ ଷୋଳବିଶ୍ୱା ଭୋଜନ କରି ପାନ ଖାଇ ଦାଣ୍ତଆଡ଼କୁ ବୁଲିବାକୁ ଗଲେ ।

Image

 

ଦ୍ୱିତୀୟ ପରିଚ୍ଛେଦ

 

ପ୍ରିୟପୁରନିବାସୀ ନିତ୍ୟାନନ୍ଦ ଦାସ ଜଣେ ବଦ୍ଧିଷ୍ଣୁ ଗୃହସ୍ଥ । ସେ ଜାତିରେ ବ୍ରାହ୍ମଣ ବୈଷ୍ଣବ । କଳତ୍ରଗ୍ରହଣ, ଆମିଷରକ୍ଷଣ ପ୍ରଭୃତି ଗୃହସ୍ଥ-ସୁଲଭ ଆଚାରବିଚାରରେ ସେ ରୀତିମତ ସଂସାରୀ ହୋଇ ସୁନ୍ଧା ଅବିକଳ ବୈଷ୍ଣବ । ତାଙ୍କ ନାମର ତିନି ସଂସ୍କରଣ ହୋଇଯାଇଅଛି । ପ୍ରଥମ–ନିତ୍ୟାନନ୍ଦ ଦାସ, ଦ୍ୱିତୀୟ–ନିତେଇ ଦାସ, ତୃତୀୟ–ନିତେଇ ଗୋସାଇଁ । ପ୍ରଥମଟି ପେଡ଼ିବନ୍ଧା ପୋଷାକୀ ନାମ–ଦ୍ୱିତୀୟଟି ଅପ୍ରଚିଳିତ ଏବଂ ତୃତୀୟ ନାମରେ ସେ ସାଧାରଣରେ ପରିଚିତ । ଦାସେ ଯବକ ନୁହନ୍ତି କିମ୍ବା ପ୍ରୌତି ନୁହନ୍ତି–ମଧ୍ୟମ ବୟସ୍କ । ମସ୍ତକ ମୁଣ୍ତିତ; କେବଳ ତରଭୁଜ ଡେମ୍ଫପରି କେରାଏ ଚୈତନ୍ୟ ଚୁରକୀ ମସ୍ତକର କେନ୍ଦ୍ର-ସ୍ଥଳରେ ଫର୍ଫର୍ ହୋଇ ଉଡ଼ୁଥାଏ-। ଏହାହିଁ ତାଙ୍କର ବୈଷ୍ଣବପତାକା । ଯଜ୍ଞଭୂମି ତିଳତଣ୍ତୁଳିତ ହେଲା ପ୍ରାୟ ବିଶାଳ ବକ୍ଷ କୃଷ୍ଣଶୂକ୍ଳ ଲୋମରାଜିରେ ଆବୃତ । ବର୍ଣ୍ଣ ନ ଗୌର, ନ କୃଷ୍ଣ, ନ ଶ୍ୟାମ; ଅର୍ଥାତ୍‌ଏ ତିନିଙ୍କର ମିଶାମିଶି । ଲୋକଟି ବାହାରକୁ ଖୁବ୍‌ ସରଳସୁନ୍ଦର; ମାତ୍ର ଭିତରଟାରେ ଦୁରଭିସନ୍ଧି-ଜୀବାଣୁ ସଲସଲ । ଜାଲ-ଜୁଆଚୋରୀ, ପିସାଦ, ଖଚ, ମିଛ, ଦଗାବାଜୀ, ପରର ଅନିଷ୍ଟଚିନ୍ତା ପ୍ରଭୃତି ଦୁଷ୍ଟା ସରସ୍ୱତୀଙ୍କ ଗନ୍ତାଘରେ ଯେତେ ପ୍ରକାର ଅବିଦ୍ୟା-କୁବିଦ୍ୟା ଅଛି, ସବୁଥିରେ ସେ ଗ୍ରାଜୁଏଟ୍‌। ଏଥିପାଇଁ ଲୋକେ ତାଙ୍କୁ ଢିଙ୍କିବାହନ ୠଷିବିଶେଷଙ୍କ ନାମରେ ଅଭିହିତ କରନ୍ତି । ଲୋକନିନ୍ଦା, ଗାଳିପ୍ରଭୃତି ପାଇଁ ତାଙ୍କର ତିଳେ ମାତ୍ର ଭ୍ରୁକ୍ଷେପ ନାହିଁ; ଯେହେତୁ ନିନ୍ଦା କିମ୍ବା ଗାଳିରେ ତ ଆଉ ଦେହରେ କେଫାଟା ହୋଇଯାଏ ନାହିଁ । ସେ ସବୁ ସଙ୍ଗରେ ତାଙ୍କର ବାଲ୍ୟସ୍ନେହର ଗ୍ରନ୍ଥିବନ୍ଧନ ହୋଇଯାଇଅଛି । ବନ୍ଧୁତାର ସ୍ୱାଭାବିକ ଯୋଗପୁତ୍ର ପରି ସେ ଗ୍ରନ୍ଥବନ୍ଧନ ଶିଥିଳ ବା ଛିନ୍ନ ହେବାର ନୁହେଁ । ହୃଦୟଟି କୁମ୍ଭୀପାକ କୁଣ୍ତତୁଲ୍ୟ ପବିତ୍ର ଏବଂ ନିର୍ମଳ । ପ୍ରତାରଣା ଏକଂ ପ୍ରଗଳଭତାକୁ ବୈଷ୍ଣବଶ ରୋମଣି ଦାସେ ମୁକ୍ତିର ରାଜରଥ୍ୟା ତୁଲ୍ୟ ମଣନ୍ତି । ଜନ୍ତୁ ପରି ସହିଷ୍ଣୁ ହେବା ବୈଷ୍ଣବଧର୍ମର ମୂଳମନ୍ତ୍ର । ଦାସେ ଏ ଉକ୍ତିର ଜୀବନ୍ତ, ଜ୍ୱଳନ୍ତ ଏବଂ ସତ୍ୟଧ୍ରୁବ ଦୃଷ୍ଟାନ୍ତ । ଆଗ୍ନେୟ ଶ୍ଳେଷବାଣୀ ଅଥବା ବିଦ୍ରୁପର ବୈଶାଖ ଝଞ୍ଜାପବନ, କାହିଁରେ ସେ ବିଚଳିତ ହେବାର ପାତ୍ର ନୁହନ୍ତି-। ସକଳ ପ୍ରକାର ଉତ୍ତାପ ତାଙ୍କ ଦେହରେ ସୁସହ । ଦାସଙ୍କର ମହାଜନୀ କାରବାର ଅଛି । ମାଲବନ୍ଧା ରଖି ଟଙ୍କା କରଜ ଦିଅନ୍ତି । ସୁନା ରୂପା ବ୍ୟତୀତ ସେ କଂସା ପିତ୍ତଳ ଛୁଅନ୍ତି ନାହିଁ । ହିସାବପତ୍ର ବିଷୟରେ ସେ ନିତାନ୍ତ ନାବାଳକ ନୁହନ୍ତି; ଏମନ୍ତ କି, ସେ ବିଦ୍ୟାରେ ସ୍ୱୟଂ ଚିତ୍ରଗୁପ୍ତ ସୁଦ୍ଧା ତାଙ୍କଠାରେ ପରାଜୟ ସ୍ୱୀକାର କରିବେ । ଶହେ ଟଙ୍କାର ପଦାର୍ଥ ବନ୍ଧା ରଖି ସେ ବଡ଼ ଜୋର ଚାଳିଶ ଟଙ୍କା ଧାର ଦିଅନ୍ତି । ବ୍ୟବହାରରେ ତାଙ୍କର ମୁହ୍ଳାଡା ନାହିଁ । ମାଆର ପୁଅ ଭାଇ ହେଉ ପଛେ, ମୁଦିଟିଏ ବନ୍ଧାନ ଦେଲେ ତାଙ୍କଠାରୁ ପଇସାଟିଏ ଆଣିବାର ଉପାୟ ନାହିଁ । ସୁଧକୁ ସେ ଦେହର ରକ୍ତଠାରୁ ଅଧିକ ଜ୍ଞାନ କରନ୍ତି; ସୁତରାଂ ମାସିକ ଚକ୍ରବୃଦ୍ଧି କ୍ରମେ କଡା କ୍ରାନ୍ତି ପର୍ଯ୍ୟନ୍ତ ହିସାବ କରି ନିଅନ୍ତି । ଏ ହେତୁ ଦୁଷ୍ଟଲୋକେ ତାଙ୍କୁ ‘‘ଗିଧା’’ ବୋଲି କହନ୍ତି; କିନ୍ତୁ ଅବଶ୍ୟ ପଛରେ–ଆଗରେ କହିବାର କାହାର ସାହସ ଖଟେ ନାହିଁ । ସମୟ ଅସମୟ ତ ସମଙ୍କର ଅଛି ! ରାତିଅଧରେ ଗହଣା ଧରି ତାଙ୍କ ଦ୍ୱାରରେ ଠିଆ ହେଲେ ସେ ଗରଜ ମେଣ୍ଟାଇ ଦେବେ; ସୁତରାଂ ତାଙ୍କୁ ଚଳେଇଲେ କିମ୍ବା ବିରକ୍ତ କଲେ ନିଜର କ୍ଷତି ସିନା ! ବିଶେଷତଃ ଆଡ଼ଦୀର୍ଘ ପାଞ୍ଚକୋଶ ମଧ୍ୟରେ ଦାସଙ୍କ ଭଳି ମହାଜନ ଆଉ କେହି ନାହିଁ । ଲୋକେ କହନ୍ତି, ଯଖ ତାଙ୍କ ଘରେ ଟଙ୍କା ଢାଳିଦେଇ ଯାଇଥିଲା; ମାତ୍ର ଆମ୍ଭେମାନେ ବହୁବର୍ଷବ୍ୟାପୀ ବହୁ ଅନୁସନ୍ଧାନରେ ଅବଗତ ହୋଇଅଛୁଁ ଯେ, ବେପାରରେ ଦାସେ ବଢ଼ିଅଛନ୍ତି । କିନ୍ତୁ ସେ ବେପାର ମୂଳରେ ପାପର ଗୋଟାଏ ଭୀକ୍ଷଣ ଛାୟା ଅଛି ।

 

ନିତେଇ ଗୋସାଇଁଙ୍କ ଘରକୁ ତିନି ପରାଣୀ–ସେ ନିଜେ, ତାଙ୍କର ସ୍ତ୍ରୀ ଏବଂ ଶିଶୁ କନ୍ୟା ସୁଭଦ୍ରା । ଏହା ଛଡା ସଙ୍ଗାତ ପୁଅ ରାମା ତାଙ୍କ ଆଶ୍ରୟରେ ଥାଏ । ରାମାର ପରିଚୟ ପାଠକ ପରେ ଜାଣି ପାରିବେ । କନ୍ୟାଟି ପ୍ରତି ପିତା ମାତାଙ୍କର ଭାରି ସ୍ନେହ । ଅତି ଆଦରରେ ତାହାର ସୁଭଦ୍ରା ନାମକୁ କୋମଳ କରି ‘‘...ସୁଦୁରା’’ ବୋଲି ଡାକନ୍ତି । ନିତେଇ ଗୋସାଇଁ କନ୍ୟାଟିକୁ ଗେହ୍ଲା ବୋଲି ମଧ୍ୟ ଡାକନ୍ତି; ମାତ୍ର କେବେ ହେଲେ ତାହା ଚଣାଗଣ୍ତେ ବା ମିଠାଇଟାଏ କିମ୍ବା ଭଲ ଚିକ ବା ଭଲ ଦରବ ଗୋଟାଏ କିଣି ଦେବାର କେହି ଦେଖି ନାହାନ୍ତି । କେବଳ କଥାରେ ତାକୁ କୁବେର ସଂପତ୍ତି ଦିଅନ୍ତି । ଝିଅଟିର ସବୁ ଅଳି ମା ପାଖରେ । କଥାରେ କହନ୍ତି–‘‘ଝିଅଲାଗି ମା ଚୋରଣୀ ।’’ ସୁତରାଂ ଲୁଚାଇ ଚୋରାଇ କେବେ କେବେ ପଇସାକର ହେଉ ବା ଅଧଲାକର ହେଉ ବୁଟ କିଣି ଉଷା ଝିଅକୁ ଖୁଆନ୍ତି । ଏସବୁ ଅଯଥା ଖର୍ଚ୍ଚକୁ ଗୋସାଇଁ ସୁଖ ପାଆନ୍ତି ନାହିଁ । ପରମିତ ବ୍ୟୟ ତାଙ୍କ ଜୀବନର ସତର୍କ ପ୍ରହରୀ । ତାଙ୍କର ଦକ୍ଷିଣ ହସ୍ତ ଦାନର ସ୍ୱାଦ ଥରେ ସୁଦ୍ଧା ଚାଖି ନାହିଁ; କିନ୍ତୁ ଗ୍ରହଣ ବିଷୟରେ ଅସାଧାରଣ ନିପୁଣ । ଭିଖାରୀକୁ ଭିକ୍ଷାଦାନ ସମାଜରେ ନିଷ୍‌କର୍ମତା ଏବଂ ଆଳସ୍ୟର ମାତ୍ରାବୃଦ୍ଧି ପାପ ବ୍ୟତୀତ ଆଉ କିଛି ନୁହେଁ । ସୁତରାଂ ସେଭଳି ପାପକୁ ସେ ତିଳେ ମାତ୍ର ପ୍ରଶ୍ରୟ ଦିଅନ୍ତି ନାହିଁ । ଗତର ଖଟାଇ ଖାଇବା ସକାଶେ ଈଶ୍ୱର ସମସ୍ତଙ୍କୁ ହାତଗୋଡ଼ ଦେଇଅଛନ୍ତି; ଭିଖାରୀଗୁଡ଼ାକ ତାହା ନ କରି ପରର ଗଳଗ୍ରହ କାହିଁକି ହେବେ ? ଦାସେ ଚାଉଳ, ଲୁଣ, ତେଲ ସବୁ ସିନ୍ଦୁକରେ କୁଞ୍ଚିଦେଇ ରଖି ଥାଆନ୍ତି । ଦୁଇ ଓଳି ରୋଷାଇ ବେଳେ ନିଜେ ବାହାର କରି ଦିଅନ୍ତି । ସ୍ତ୍ରୀ ହାତରେ ଦେଲେ କାଳେ ସେ ଅପବ୍ୟୟ କରି ପକାଇବ, ଏହି ଆଶଙ୍କାରେ ନିଜେ ସାଇତି ସମ୍ଭାଳି ରଖନ୍ତି । ଜଗତରେ କାହାରିକୁ ତାଙ୍କର ବିଶ୍ୱାସ ନାହିଁ; ବୋଧହୁଏ ନିଜକୁ ସୁଦ୍ଧା ନିଜର ବିଶ୍ୱାସ ନାହିଁ । ଏପରି ଅବସ୍ଥାରେ ସ୍ତ୍ରୀକୁ ବିଶ୍ୱାସ କରିବ ନାହିଁ ବୋଲି ଶାସ୍ତ୍ରକାରମାନେ ସୁଦ୍ଧା କଡା ଆଇନ୍‌ବାନ୍ଧିଦେଇ ଅଛନ୍ତି । ହାଣ୍ତିରେ କେତେ ଭାତ ଅଛି, ତାହା ଆଗେ ନ ଅଣ୍ତାଳି ଦାସେ ରାନ୍ଧିବାକୁ ଚାଉଳ ଦିଅନ୍ତି ନାହିଁ । ଦିନେ ରାମା ହାଟରୁ ତିନି ପଇସାର ବାଇଗଣ କିଣି ଆଣିଥିଲା । ଦାସେ ତ ଦେଖି ହତଜ୍ଞାନ ! ତାଙ୍କ ଆଖିରୁ ନିଆଁ ଝୁଲ ଖସିପଡ଼ିଲା । ସେ ମୁଣ୍ତରେ ହାତ ଦେଇ ବସିପଡ଼ି କହିଲେ–‘‘ଆରେ ରାମା, ତୋର ଭଲା ଏ କି ଅକଲ ? ତୁ ତିନି ତିନି ପଇସାର ବାଇଗଣ କିଣି ଆଣିଲୁ ଯେ, ସେଗୁଡ଼ାକ କଅଣ ହେବ କହନି ? ଅଧା ପୋଡ଼ିଜାଳି ଖାଇବ, ଅଧେ ପଚିଗଲେ ଫୋପାଡ଼ି ଦେବ ।’’ ରାମା କହିଲା–‘‘ତିନି ପଇସାର ବାଇଗଣ କେତେ ଯେ, ପୋଡ଼ି ଖାଇବେ, ରାନ୍ଧିବେ, ପୁଣି ଫୋପାଡ଼ି ଦେବେ । ସବୁ ତ ତିନି ପୂଞ୍ଜା, ପୁଞ୍ଜାଏ ପୁଞ୍ଜାଏ ରାନ୍ଧିଦେଲେ ତିନି ଓଳିରେ ଶେଷ; ଆଉ ସେ ଛଅଧ ନଅଧ କୁଆଡ଼ୁ ହେବ ?’’ ଦାସେ ଏହା ଶୁଣି ଟିକିଏ ଅପ୍ରତିଭ ହେଲେ; ମାତ୍ର ଲଜ୍ଜିତ ହେଲେ ନାହିଁ । ଶୁଷ୍‌କହାସ୍ୟରେ କହିଲେ–‘‘ଆରେ ଓଲୁ, ମୁଁ କଅଣ ଖାଇବାକୁ ମନା କଲି ? ମୂଁ କହୁଛି କଅଣ କି, ବାଇଗଣଟା ବଡ଼ ଗରିଷ୍ଠ ପଦାର୍ଥ–କାଛୁ କୁଣ୍ତିଆର ମୂଳ, ସେଥିରୁ ଗୋଟାଏ ରାନ୍ଧିଲେ ଢେର । ଜଣକା ନୁଳେ ନୁଳେ ଖାଅ, ଆଉ କେତେ ଖାଇବ ?’’ ରାମା ଟିକିଏ ରାଗିଉଠି କହିଲେ–‘‘ହଁ, ବାଇଗଣ ଯେ ଖାଉଛନ୍ତି, ସେ କାଛୁ କୁଣ୍ତିଆରେ ଛିଡ଼ି ପଡ଼ୁଛନ୍ତି !’’ ଦାସେ ବିରକ୍ତ ହୋଇ କହିଲେ–‘‘ସମସ୍ତଙ୍କ କଥା କହନା ରାମା, ନିଜ କଥା କହ । କେଉଟାଗୁଡ଼ାକ ଦିନରାତି ପାଣିରେ ପଡ଼ିଛନ୍ତି, ତୁ ସେପରି କଲେ ବଞ୍ଚିପାରିବୁ ? ଆଜିକାଲି ଟୋକାଗୁଡାକ ଭଲ କହିଲେ ମନ୍ଦ ବୁଝନ୍ତି, ଖାଲି ଯୁକ୍ତି ଆଉ ମୁହେଁ ମୁହେଁ ଜବାବ, କଳିକାଳ ପରା-!’’ ଏହା କହି ଦାସେ ରାମାକୁ କିଛି କହିବାକୁ ନ ଦେଇ ଥମ୍‌ଥମ୍‌ହୋଇ ଦାଣ୍ତକୁ ଚାଲିଗଲେ ।

 

ଦାସେ ଜଣେ ନିଃସ୍ୱାର୍ଥ ବ୍ୟକ୍ତି । କିପରି ଘରକ ଭାଙ୍ଗି ଦୁଇ ଘର ହେବ, ମାଲି ମୋକଦ୍ଦମାରେ କିଏ କିପରି ସର୍ବସାନ୍ତ ହୋଇ ତାଙ୍କ ପାଖରୁ କରଜ ନେବାକୁ ଆସିବ, ଗ୍ରାମର ଏହି ହିତଚିନ୍ତାରେ ସେ ସର୍ବଦା ବିବ୍ରତ । ଏହି ଚିନ୍ତାକୁ ସେ ଅନ୍ନପରିପାକର ହଜମୀ ବଟିକାତୁଲ୍ୟ ମଣନ୍ତି-। ତାଙ୍କର ମୁକ୍ତ, ନିରାପଦ, କର୍ମଚଞ୍ଚଳ ଜୀବନ ଦିବାରାତ୍ର ପରଛିଦ୍ରାନ୍ୱେଷଣରେ ନିଯୁକ୍ତି । ଏଭଳି ନିଃସ୍ୱାର୍ଥପରାୟଣ ନ ହେଲେ ସେ ଘରୁ ଖାଇ ପରିଚିନ୍ତା କାହିଁକି ବା କରନ୍ତେ ? ବିଧାତାର ଘଟସୂତ୍ରରୁ ତାଙ୍କ ଉପଯୁକ୍ତ ସ୍ତ୍ରୀରତ୍ନଟିଏ ମଧ୍ୟ ମିଳିଥିଲା । ଦାସେ ଯେପରି କଣ୍ଟକବୃକ୍ଷ, ଉଷା ସେହିପରି କଣ୍ତୁରୀ ଲତା । ତାଙ୍କ ପକ୍ଷରେ ଏ ରୂପ ସଙ୍ଗିନୀ ଲାଭ ବିଧାତାର ଦକ୍ଷିଣ ହସ୍ତର ସର୍ବଶ୍ରେଷ୍ଠ ମଙ୍ଗଳ ମହାଦାନ । ଯେମନ୍ତ କି ପିତ ଗୁଣର ଅଲୌକିକ ଐଶ୍ୱର୍ଯ୍ୟ ପତ୍ନୀ ଶରୀରକୁ ଆଶ୍ରୟ କରି ମୂର୍ତ୍ତିଧାରଣା କରିଥିଲା ! ସେ ମୂର୍ତ୍ତିକୁ ଚାହିଁ ଦେଲେ ଦର୍ଶକର ଲୁବ୍‌ଧ ଦୃଷ୍ଟି ଅନ୍ୟତ୍ର ଲାଖ୍ ନ ରହି ସେ ମହାମୂର୍ତ୍ତିର ପଦପ୍ରାନ୍ତକୁ ଓହ୍ଲାଇ ଆସି ପଳାୟନର ପଥ ଖୋଜି ବୁଲେ । ବୋଧହୁଏ ପାଠକମାନେ ଟିକିଏ ରୂପବର୍ଣ୍ଣନା ପ୍ରତି ଲାଳାୟିତ ହୋଇପାରନ୍ତି । ମାତ୍ର ରୂପବର୍ଣ୍ଣନା କରିବାକୁ ଲେଖକର ସମୟାଭାବ । ତଥାଚ ପାଠକମାନଙ୍କର ମନୋଭଙ୍ଗ ଆଶଙ୍କାରେ ଅତି ସଂକ୍ଷେପରେ ବାଧ୍ୟ ହୋଇ କହିବାକୁ ପଡ଼ୁଅଛି ଯେ–

 

‘‘ମର୍କଟବଦନା ରାମା ସ୍ଥୁଳକଟୀ କ୍ଷୀଣା ଶ୍ୟମା

ଦିଶଇ ଛାମୁରେ ଦନ୍ତ ଯେହ୍ନେ ମନ୍ଦର ।’’

 

ଗର୍ବୋଜ୍ଜ୍ୱଳ ମୁଖର ତୁଳନା ନାହିଁ । ମସ୍ତକରେ ନାରୀ ସୌଭାଗ୍ୟର ସର୍ବଶ୍ରେଷ୍ଠ ଐଶ୍ୱର୍ଯ୍ୟ ସିନ୍ଦୁର ମୁଣ୍ତଳା ରେଳ ଇଞ୍ଜିନର ରକ୍ତଚକ୍ଷୁ ପରି ଧପ୍‌ଧପ୍‌ହୋଇ ଜଳି ଉଠୁଥାଏ । ହସ୍ତରେ ଚାରିଖଣ୍ତ ମଳିନ ଶଙ୍ଖା ବ୍ୟତୀତ ଅନ୍ୟ ଆଭରଣ ନାହିଁ । ଅଳଙ୍କାରଦ୍ୱାରା ସ୍ବଭାବ ସୌନ୍ଦର୍ଯ୍ୟ ଢାଙ୍କିଯିବ ବୋଲି ଯେ ଉଷା ସୁନ୍ଦରୀ ଭୂଷଣହୀନା, ଏପରି କେହି ମନେ କରିବେ ନାହିଁ । ସେଥିର ପ୍ରକୃତ କାରଣ–ଅପବ୍ୟୟ ନିବାରଣ । ଅଳଙ୍କାର ଗଢ଼ାଇଲେ ବଣିଆ ବାଣ ନେବ, ପୁଣି ଅଳଙ୍କାର ଘୋରିଗଲେ ମଧ୍ୟ କ୍ଷତି; ତାହା ଉପରେ ଭାଙ୍ଗିଯିବା, ହଜିଯିବା ଭୟ ମଧ୍ୟ ଅଛି । ଏହିପରି ନାନା କାରଣରୁ ସେ ଭୁଷଣବର୍ଜିତା । ଦାନୀପଣରେ ସ୍ୱାମୀଙ୍କଠାରୁ ଉଷା ଦୁଇପଣ ସରସ । ଅନ୍ୟ କଥା ଥାଉ, କେହି ଯଦି ଦେହର ମଳି ଟିକିଏ ମାଗେ, ତେବେ ତାହା ଦେବକୁ ସେ ପରାଙୁଖ । ଯଥା ଗୁରୁ ଶିଷ୍ୟ; ବରଂ ଶିଷ୍ୟ ବିଦ୍ୟାଗରୀୟସୀ । ସୁତରାଂ ଅଧିକ କହିବାର ଆବଶ୍ୟକତା ନାହିଁ । ବିଶେଷତଃ ବଡ଼ଘରର କଥା ପଦାରେ ପକାଇବାକୁ ଲେଖକ ଏକାନ୍ତ ନାରାଜ ।

 

ଦାସେ ହାଟ ବଜାର ତେତେ କରନ୍ତି ନାହିଁ, କରିବାର ଆବଶ୍ୟକତା ମଧ୍ୟ ନ ଥାଏ । ବାଡ଼ିରେ ଗୋଟାଏ ଅଝାଲ ତେନ୍ତୁଳି ଗଛ ଏବଂ ଆଠ ଦଶଟା ଅମୃତଭଣ୍ଡା ଗଛ ଅଛି । ସବୁଦିନେ ଅମୃତଭଣ୍ତା, ତେନ୍ତୁଳୀ ଆମ୍ବିଳ ହୁଏ; ଯେହେତୁ ତାହା ନିର୍ଦୋଷ ଖାଦ୍ୟ । ତେନ୍ତୁଳୀ ଷଡ଼ରସର ସମବାୟ ଏବଂ ମୁଖରୋଚକ । ଅମୃତଭଣ୍ତା କଥା କହିବା ନିଷ୍ପ୍ରୟୋଜନ । ତାହାର ମୂଳ ତିନି ଅକ୍ଷରରୁ ଗୁଣ ଅନୁମେୟ । ଏହି ଦୁଇ ମହାପଦାର୍ଥର ଗୁଣ ବର୍ଣ୍ଣନାରେ କୌଣସି ପ୍ରାକୃତିକ କବି ଦାସଙ୍କର ସହି ନୁହନ୍ତି । ସବୁ ଦୋଷ କେବଳ ମିଠାର । ଦୁନିଆଯାକର ରୋଗଗୁଡାକ ସେହି ମିଠାରେ ବିଜି ବିଜି ହେଉଥାନ୍ତି । ସେଥିପାଇଁ ଝିଅଟିର ପୋଡ଼ାକପାଳରେ ପୋଡାପିଠା ଛଡା ଆଉ କିଛି ଘଟେ ନାହିଁ । ଦାସଙ୍କର ଚାଷ ନାହିଁ । ଚାଷ କଲେ ତହିଁକି ଷୋଳଖଣ୍ତି ଲୋଡା, ତାହା ଉପରେ ପୁଣି ଜମିଦାରର ଦୌରାତ୍ମ୍ୟ ଅଛି–ସୁତରାଂ ଏତେ ଅଡ଼ୁଆକୁ ନ ଯାଇ ଚାଉଳ କିଣି ଖାଇବା ଭଲ । ଦାସଙ୍କ ଘରେ ଗାଇଟିଏ ସୁଦ୍ଧା ନାହିଁ । ଦୁଧଗୁଡାକ ତାଙ୍କ ବଂଶର କାହାରି ପେଟରେ ଚଳେ ନାହିଁ–ବାଇ ଧରେ । ପୁନେଇ ପର୍ବରେ ପଇସା ଅଧଲାକର କିଣି ଆଣି କାମ ଚଳାଇ ନେବାକୁ ହୁଏ । ଗାଈଟିଏ ରଖିଲେ କେତେ ଖର୍ଚ୍ଚ । ତାହା ପାଇଁ ଘାସ, କୁଟା, କୁଣ୍ତା ଇତ୍ୟାଦି ଲୋଡା । ରଖୁଆଳ କିଛି ମାଗଣା ଗାଇ ରଖିବ ନାହିଁ; ପ୍ରତି ମାସ ବର୍ତ୍ତନ ଦାବା କରିବ । ଏ ତ ହେଲା କଳିକାଳ, ଘରୁ ଖାଇ ବ୍ରାହ୍ମଣ ବୈଷ୍ଣବଙ୍କୁ ସେବା କରି ଅଖଣ୍ତ ପୁଣ୍ୟାର୍ଜନ କରିବାକୁ କାହାରି ଇଚ୍ଛା ନୁହେଁ; ପୁଣି ଛୋଟ ଲୋକଗୁଡାକର ଦିମାକ୍‌ବେଶି ।

 

ଦାସଙ୍କର ପୂର୍ବ ଅବସ୍ଥା ଭଲ ନ ଥିଲା । ଦଲାରୀ ବେଉସାରେ ଅନ୍ନଗଣ୍ତାକ କଷ୍ଟସୃଷ୍ଟେ ଚଳିଯାଏ । ତରକାରୀର ବ୍ୟବସ୍ଥା ପୂର୍ବରୁ କୁହାଯାଇଅଛି । ଏହା ଛଡା ଦଶ ପନ୍ଦର ଟଙ୍କାର ଖଣ୍ତେ ତେଜାରତି ଦୋକାନ ଥିଲା । ସେଥିର ଲାଭରେ ଲୁଣ ତେଲ ବଳେ; ଆଉ ଲୁଗାପଟା ଖଣ୍ତେ ଖଣ୍ତେ କିଣାଯାଏ । କାହାରି ଅବସ୍ଥା ସବୁଦିନେ ସମାନ ରହେ ନାହିଁ; ଦାସଙ୍କ ଅବସ୍ଥାର ମଧ୍ୟ ପରିବର୍ତ୍ତନ ଘଟିଲା । ଅଳ୍‌ପ କାଳ ମଧ୍ୟରେ ସେ ସୌଭାଗ୍ୟଦେବତାର ପ୍ରିୟପୁତ୍ର ହୋଇ ବସିଲେ ।

Image

 

ତୃତୀୟ ପରିଚ୍ଛେଦ

 

‘‘ସଙ୍ଗାତେ ଘରେ ଅଛ ନା, ସଙ୍ଗାତେ, ହେ ସଙ୍ଗାତେ !’’ ଉଷା ଖରପଦକ୍ଷେପରେ ଗୃହାନ୍ତରରୁ ଆସି ସ୍ୱାମୀଙ୍କୁ କହିଲେ–‘‘ତମକୁ ଟାମା ବାପ ଡାକୁଛନ୍ତି ।’’ ଟାମା ଅର୍ଥ ରାମା । ଉଷାଙ୍କ ଶ୍ୱଶୁର ନାମ ରାମ ଦାସ; ସୁତରାଂ ସେ ରାମା ବୋଲି କିପରି କହିବେ ? ପତିକୁଳର ଗୁରୁଜନମାନଙ୍କ ନାମ ବାଆଁରେଇ କହିବା ହିନ୍ଦୁ ନାରୀମାନଙ୍କ ଚିରନ୍ତନୀ ଧାରା । କିନ୍ତୁ ପିତୃକୁଳର ଗୁରୁଜନମାନଙ୍କ ନାମ ଧରିବାରେ ସେରୂପ କିଛି ବାଧ୍ୟବାଧକତା ନାହିଁ; କେବଳ ପତିକୁଳର ଗୁରୁଜନମାନଙ୍କ ନାମ ଉଚ୍ଚାରଣ କରିବା ମହାପାପ ! ଦାସେ ତେତେବେଳେ ଖଣ୍ତେ ଚିରାଲୁଗା ସିଉଁ ଥିଲେ । ଛୁଞ୍ଚିମୁନ ପରି ତାଙ୍କର ମନ ଲୁଗାରେ ଲାଖି ରହିଗଲା । ପତ୍ନୀଙ୍କ କଥା ଶୁଣି ତାଙ୍କର ଦୃଷ୍ଟି ଲୁଗାରୁ ବାହାରି ଆସି ପତ୍ନୀଙ୍କ ମୁଖାରବିନ୍ଦରେ ନିବଦ୍ଧ ରହିଲା । ସେ କିଛିକ୍ଷଣ ଫଲ ଫଲ ହୋଇ ଚାହିଁ ରହି ପଚାରିଲେ–‘‘କିଏ ଡାକୁଛି ?’’ ଉଷା କପଟରୋଷ ପ୍ରକାଶପୂର୍ବକ କଥା ଉପରେ ଟିକିଏ ତୋର ଦେଇ ଈଷତ୍‌ଲଘୁସ୍ୱରରେ କହିଲେ–‘‘ତମରି ସଙ୍ଗାତ ଡାକୁଛନ୍ତି । ସେ ପହଡ଼େ ହେଲା ଦାଣ୍ତରେ ଠିଆ ହୋଇ ପଣେ କିଛି ବୋଡ଼ି ଡାକ ମାରି ହାଲିଆ ହୋଇଗଲେଣି, ତମ ଗଭୀର କାନକୁ କଅଣ ଶୁଭୁ ନାହିଁ ? ଏ କି କାନ ଲୋ ମା, କମାରଶାଳରୁ କାନଟା ପକେଇ ଆଣୁ ନାହଁ ।’’ ଦାସେ ଟିକିଏ ହସି ଦେଇ କହିଲେ–‘‘ହଁ, ତମରି ଜିଭ ପରି କାନଟାକୁ ଶାଣ ଦେଇ ଆଣିଲେ ହୁଅନ୍ତା-।’’

 

ଉଷା–କି,ମୋ ଜିଭଟା କଅଣ ଏଡ଼େ ଧାରୁଆ ?

 

ଦାସେ–ରାମ୍‌ ରାମ୍‌, କିଏ କହିଲା ? ତମ ଜାତିର ଜିଭ ପୁଣି ଧାରୁଆ ହେବ ? ଯେଉଁ ଜିଭ କତିରେ ଓକିଲ ବାରିଷ୍ଟର ହାର ମାନିବେ, ସେ ଜିଭ କି କାହାର ଧାରୁଆ ହୋଇପାରେ ? ସାଙ୍ଗେ ସାଙ୍ଗେ ଧାର ଶୁଝିଦେଇ ପୁଣି କରଜ ଲଦି ଦେବ ।

 

ଉଷା–ତେବେ ମାଇପେ ସବୁ ମହାଜନ, ଆଉ ମିଣିପେ ସବୁ ଖାତକ ?

 

ଦାସେ–ଯୁଗେ ଯୁଗେ, ନା ଆଜି ?

 

ଉଷା–କାହିଁକି ତମେ ଏତେ ଧାରୁଆ ହୁଅ ?

 

ଦାସେ–ଯୁଗ ନ ଗଲାକୁ । ନ ହେଲେ ଉପାସ ରହିବାକୁ ହେବ ଯେ ! ଆଉ ରାନ୍ଧିଦେବ କିଏ ?

 

ଉଷା–ରାନ୍ଧିବା ଛଡା ଆମର ଆଉ କିଛି ଗୁଣ ନାହିଁ ?

 

ଦାସେ–ହଁ, କଳି କରିବା, ଗାଳି ଦେବା, ଘର ଭାଙ୍ଗିବା, ଆଡ଼ରୁଷା ଦେଇ ବସିବା–ଏହିପରି ଢେର ଢେର ମହତ୍‌ଗୁଣ ଅଛି । ତମ ଜାତିଟା ଗୁଣର ଖଣି; ଗୁଣ ନାହିଁ ବୋଲି କିଏ କହିବ-?

 

ଉଷା–ତେବେ ନିଜେ ନିଜେ ରାନ୍ଧି ଖାଅ ନାହିଁ କାହିଁକି ?

 

ଦାସେ–ବିଧାତା ଯୋଗ୍ୟତା ଦେଇଥିଲେ ଆଉ ଏତେ ହଟହଟା କାହିଁକି ହୁଅନ୍ତୁ ?

 

ଉଷା–ହଟାହଟା କଅଣ ?

 

ଦାସେ–ଏଇ ଖାଇବା ପିନ୍ଧିବାକୁ ଦେଇ ମନ ଯୋଗାଇ ସବୁ ଫରମାୟ ଗୋଡ଼ କତିରେ ହାତରେ କରି ସୁଦ୍ଧା ବେଳକେ ରୁଟି ଛକେରା !

 

ଉଷା–ଯାଅ ଯାଅ, ଢେର କହିଲଣି । ଏବେ ସଙ୍ଗାତ କଙ୍କଡା ଗାତକୁ ସଙ୍ଖୋଳିବ ଯାଅ-

 

ଦାସେ ଆଉ କିଛି ନ କହି ଉଠିଗଲେ । ଦାଣ୍ତ କବାଟ ଖୋଲି ଦେଇ ହର୍ଷୋଜ୍ଜ୍ୱଳ ମୁଖରେ କହିଲେ, ‘‘ଏ କିଏ ସଙ୍ଗାତେ, ଘରକୁ ନ ଆସି ଦାଣ୍ତଟାରେ କାହିଁକି ଠିଆ ହୋଇଛ ? ଆସ ଆସ, ମୁଁ ବିଛଣା ଖଣ୍ତେ ଆଣେ ।’’ ଆଗନ୍ତୁକ କହିଲେ–‘‘ନା ନା, ବିଛଣାର ଦରକାର ନାହିଁ, ଭାରି ଜରୁରୀ କାମ ଅଛି । ତମେ ଟିକିଏ ଆମ ଘରଯାଏ ଆସ ।’’

 

ଦାସେ–କାମଟା କଅଣ, ଶୁଣେ ।

 

ଆଗନ୍ତୁକ–ଆମ ଘରକୁ ଗଲେ ନୀରୋଳାରେ କହିବି ।

 

ଦାସେ–ଏଠି ଆଉ କିଏ ଅଛି କି ?

 

ଆଗନ୍ତୁକ–କେହି ନ ଥିଲେ ସଙ୍ଗାତୁଣୀ ତ ଅଛନ୍ତି, ଷଡ଼କାନ ମନ୍ତ୍ରଭେଦ ।

 

ଦାସେ–ମୁଁ ତାଙ୍କୁ ମନା କରିଦେବି, ସେ କାହାରି ପାଖରେ କହିବେ ନାହିଁ ।

 

ଆଗନ୍ତୁକ–ନା, ନା, ସଙ୍ଗାତ, ସେ ଜାତକି ବିଶ୍ୱାସ ନାହିଁ । ସେମାନଙ୍କ ପେଟରେ କଥା ତୀର୍ଣ୍ଣ ହୁଏ ନାହିଁ । ଯାହା ଶୁଣିବେ, ତାହା ଅନ୍ୟକୁ ନ କହିବାଯାଏ କଥାଟା ଶୂଳ ବ୍ୟାଧି ପରି ତାଙ୍କ ପେଟକୁ ବିନ୍ଧେ । ଅନ୍ୟ ପାଖରେ ଓକାଳି ପକାଇଲେ ଯାଇଁ ପେଟ ଥଣ୍ତା ହୁଏ ।

 

ଦାସେ ଆଉ ଅଧିକ କିଛି ନ କହି ଦାଣ୍ତ କବାଟ କିଳିଦେବାପାଇଁ ଝିଅକୁ ଗୋଟାଏ ଡାକଦେଇ ସଙ୍ଗାତଙ୍କ ସଙ୍ଗେ ସଙ୍ଗେ ଚାଲିଲେ । ବାଟରେ ଯାଉଁ ଯାଉଁ ଦୁଇ ସଙ୍ଗାତଙ୍କ ମଧ୍ୟରେ ଅନେକ କଥା ହେଲା; ମାତ୍ର ସେ ସବୁ ଅପ୍ରାସଙ୍ଗିକ, ସୁତରାଂ ଲେଖିବା ନିଷ୍ପ୍ରୟୋଜନ ।

 

ଗାଁ ମୁଣ୍ତରେ ରାଧିକା ଦାସଙ୍କର ଘର । ଦ୍ୱାଦଶ ବର୍ଷୀୟ ପୁତ୍ର ରାମଚନ୍ଦ୍ର ବ୍ୟତୀତ ସଂସାରରେ ତାଙ୍କର ଆଉ କେହି ନାହିଁ । ପିତା ପୁତ୍ରକୁ ରାମା ବୋଲି ଡାକନ୍ତି । ଅତି ସ୍ନେହରେ ପିତାମାତା ସନ୍ତାନର ନାମ କୋମଳ ଏବଂ ମଧୁର କରିବାକୁ ଯାଇ କଠୋର ଏବଂ ତାଚ୍ଛଲ୍ୟରେ ତିକ୍ତ କରିଦିଅନ୍ତି । ଏ ଦେଶୀୟ ପିତାମାତାଙ୍କର ଏହା ଗୋଟାଏ ବିକୃତି ରୁଚି । ସନ୍ତାନକୁ ଚିରକାଳ ଏହି ସ୍ନେହର ଯନ୍ତ୍ରଣା ସହିବାକୁ ହୁଏ । ଏ ଦୋଷ ପିତାମାତାଙ୍କର । ସେମାନେ ସୁନ୍ଦର ପ୍ରତିମା ବଦଳରେ ମାଙ୍କଡ଼ ଗଢ଼ି ବସନ୍ତି । ରାମଚନ୍ଦ୍ର ଶାନ୍ତ ଏବଂ ସୁଶୀଳ ବାଳକ; ସେ ଅପର ପ୍ରାଇମେରୀ ପର୍ଯ୍ୟନ୍ତ ପଢ଼ିଅଛି । ରାଧିକା ଦାସ କେଉଁ ଗଡ଼ଜାତର ଫରେଷ୍ଟ ଇନ୍‌ସପେକ୍ଟର କାର୍ଯ୍ୟରେ ନିଯୁକ୍ତ ଥିଲେ । ମାତ୍ର ଦକ୍ଷିଣ ହସ୍ତର ଅତିରିକ୍ତ ସଂପର୍କ ରଖିବାରୁ ସେହି ପୁଣ୍ୟବଳରେ କର୍ମଚ୍ୟୁତ ହୋଇ କେତେ ବର୍ଷ ହେଲା ଘରେ ବସି ପୂର୍ବସଞ୍ଚିତ ଅର୍ଥର ସଦ୍‌ବ୍ୟବହାର କରୁଅଛନ୍ତି । ଲୋକେ କହନ୍ତି, ସେ ଦଶହଜାର ଟଙ୍କା ପୋତି ରଖିଅଛନ୍ତି । ମାତ୍ର ଆମ୍ଭେମାନେ ଗୁପ୍ତ ଅନୁସନ୍ଧାନଦ୍ୱାରା ଅବଗତ ହୋଇଅଛୁଁ, ମୋଟରେ ସେ ପାଞ୍ଚହଜାର ଉପାର୍ଜନ କରିଥିଲେ । ସେଥିମଧ୍ୟରୁ ଦୁଇହଜାର ଶେଷ ହୋଇଯାଇଅଛି; ଅବଶିଷ୍ଟ ତିନିହଜାର ଶେଷ ହୋଇଯାଇଅଛି; ଅବଶିଷ୍ଟ ତିନି ହଜାର ମାତ୍ର ଭୁର୍ଗଭରେ ନିହିତ ଅଛି । ପୂର୍ବକ୍ତ ନିତେଇ ଦାସ ତାଙ୍କର ସଙ୍ଗାତ । ଉଭୟେ ପରସ୍ପରକୁ ଖୁବ୍‌ ବିଶ୍ୱାସ କରନ୍ତି । ସମଜାତୀୟ ହେତୁ ଖିଆଣ ପିଆଣ ମଧ୍ୟ ଚଳେ । ଅଭାବ ପଡ଼ିଲେ ନିତେଇ ସଙ୍ଗାତଙ୍କ ନିକଟରୁ ଧାର ଊଧାର ଆଣନ୍ତି ଏବଂ ଯଥାସମୟରେ ପରିଶୋଧ କରିଦିଅନ୍ତି । ପରସ୍ପର ମଧ୍ୟରେ ଏପରି ନିବିଡ଼ ସଦ୍‌ଭାବ ଯେ, ଭିତରେ ପାଣି ଗଳେ ନାହିଁ ।

 

ଦୁଇ ସଙ୍ଗାତ ହାତ ଧରାଧରି ହୋଇ ନଈ ବନ୍ଧେ ବନ୍ଧେ ଚାଲିଅଛନ୍ତି । ସୂର୍ଯ୍ୟ କ୍ରମେ କ୍ରମେ ପଶ୍ଚିମ ଆକାଶରେ ଢଳି ପଡ଼ିଲେ । କୁସୁମସୁନ୍ଦରୀ ସୂର୍ଯ୍ୟମୁଖୀ ସୂର୍ଯ୍ୟ ଆଡ଼କୁ ଅନାଇଁ କାତର କରୁଣ ଚକ୍ଷୁରେ ମୌନ ଭାଷାରେ କି ଆବେଦନ ଜଣାଇଲା, ତାହା ସେ ଜାଣେ କିମ୍ବା ଅନ୍ତର୍ଯ୍ୟାମୀ ଜାଣନ୍ତି । ଦେଖୁଁ ଦେଖୁଁ ସେ ମୂର୍ଚ୍ଛିତ ହୋଇପଡ଼ିଲା । ପକ୍ଷୀମାନେ ରାବି ରାବି ତାହାର ମୂର୍ଚ୍ଛାଭଙ୍ଗର ଚେଷ୍ଟା କଲେ; ମାତ୍ର ସେ ନିଦାରୁଣ ମୂର୍ଚ୍ଛା ଆଉ ଭାଙ୍ଗିଲା ନାହିଁ । ଆକାଶରେ ସୌରକର-ରଞ୍ଜିତ ମେଘମାଳା ଦେବବାଳାକୁଳର ସୁବର୍ଣ୍ଣ ପଣତ ପ୍ରାୟ ସୁନ୍ଦର ଦିଶିଲା । ନଦୀର ତରଙ୍ଗଘାତରେ ଅସ୍ତୋନ୍‌ମୁଖ ସୂର୍ଯ୍ୟବିମ୍ବ ଶତଖଣ୍ତ ହୋଇ ଭାଙ୍ଗି ଯାଉଥାଏ ଏବଂ ମୁହୁର୍ମୁହୁ ଯୋଡ଼ି ହୋଇ ଯାଉଥାଏ । ପୁଳିନ ପ୍ରଦେଶର ବାଲୁକାରାଶି ରୌପ୍ୟଚୂର୍ଣ୍ଣ ପରି ଚକଚକ ଦିଶୁଥାଏ । ନଦୀମଧ୍ୟସ୍ଥ ପାଣିବେତ ଉପରେ କଜ୍ଜଳପତ୍ରୀ ଦଂପତି ଦୋଳିଖେଳରେ ନିଯୁକ୍ତ ରହି ସୁଖାନନ୍ଦ ଉପଭୋଗ କରୁଥାନ୍ତି । ଗୃହପ୍ରତ୍ୟାଗତ ଗୋପୁଥର ଦୂରାଗତ ହମ୍ବା ଶଦ୍ଦ ସମୀରଣର ମୃଦୁ ହିଲ୍ଲୋଳରେ ଭାସି ଆସୁଥାଏ ଚକ୍ରବାକୀ ହୃଦୟର ଗଭୀରତମ ପ୍ରଦେଶରୁ ଗୋଟାଏ ଗୋଟାଏ ଦାରୁଣ ବେଦନାଭରା ଦୀର୍ଘ ତପ୍ତ ଶ୍ୱାସ ଉଠିଆସି ବାୟୁରେ ମିଳେଇ ଯାଉଥାଏ । କ୍ରମେ ସୂର୍ଯ୍ୟ ଅଦୃଶ୍ୟ ହେଲେ । ଉତ୍‌କ୍ଷିପ୍ତ କିରଣକାଳ ଆକାଶରେ ମିଶିଗଲା । ଲଜ୍ଜାବିନମ୍ରା ନବବଧୁ ପ୍ରାୟ ସନ୍ଧ୍ୟା ଧୀରେ ଧୀରେ ଅବତୀର୍ଣ୍ଣ ହେଲା । ତାହାର ଝୁଣ୍ଟିଆ ଶଦ୍ଦ ପ୍ରାୟ ଝିଲ୍ଲୀରବ ମୃଦୁ ମୃଦୁ ଶ୍ରୁତିଗୋଚର ହେଲା; ଭାଲଭୂଷା ହୀରକ ଟିକିଲି ତୁଲ୍ୟା ଖଚୁଆ ତାରା ଝଟକି ଉଠିଲା । ଅନ୍ଧାର ମାଡ଼ି ଆସିଲା । ମଶକକୁଳର ମୃଦୃ ବଂଶୀସ୍ୱନରେ ଗୃହପ୍ରାଙ୍ଗଣ ମୁଖରିତ ହେଲା । ଗବାଳୟରୁ ତୀବ୍ର ଧୂମରାଶି ଊତ୍‌ଥିତ ହେଲା । ଏହି ସମୟରେ ଦୁଇ ସଙ୍ଗାତ ଗୃହରେ ଯାଇ ପହୁଞ୍ଚିଲେ ।

 

ରାଧିକା ଦାସଙ୍କର ପ୍ରକୃତ ବୈଷ୍ଣବଲକ୍ଷଣ ଯାହା ଥାଉ, ମାତ୍ର ବାହ୍ୟାଡ଼ମ୍ବର ଯଥେଷ୍ଟ ଥିଲା । ମସ୍ତକରେ ଦୀର୍ଘ ରାମାନନ୍ଦୀ ଚିତା, କଣ୍ଠରେ ଡଗରା ଡ଼ଗରା ତିନିଫେରା ତୁଳସୀ ମାଳ, କନ୍ଧରେ ନାମାବଳୀ–ଏହି ସମସ୍ତ ଦ୍ୱାରା ତାଙ୍କର ବୈଷ୍ଣବତ୍ୱ ଫୁଟି ଉଠୁଥିଲା । ସର୍ବାଙ୍ଗରେ ବିବିଧ ତୀର୍ଥର ଛପା ମୁଦ୍ରିତ ହୋଇ ବୈଷ୍ଣବ ଧର୍ମର ବିଜ୍ଞାପନ ଲଗା ହେଲା ପ୍ରାୟ ଦିଶୁଥାଏ । ହସ୍ତରେ ବିଶାଳ ମାଳଝୁଲୀ ବାଉବାସା ପ୍ରାୟ ଦୋହଲୁଥାଏ । ମାଳଜପାର ସମୟ ଅସମୟ ନାହିଁ; କଥା କହିଲା ବେଳେ, କଳି କଲାବେଳେ, ପୁଅକୁ ଗାଳିଦେଲା ବେଳେ ମାଳଜପା ଅବିରାମ ରାତିରେ ଚାଲିଥାଏ । ଦିନେ ମାଳଝୁଲି ଧରି ମାଛ ମୂଲେଇବା ସମୟରେ ଅମ୍ବୀ କେଉଟୁଣୀ ପଚାରିଲା, ‘‘ସାଆନ୍ତେ, ତମ ହାତରେ ଢିଙ୍କି ପଡ଼ିଛି ନା କଅଣ ? ହାତରେ କନା ଗୁଡ଼ାଇଛ କାହିଁକି ?’’ ଦାସେ ରୋଷ-ଉଷ୍ଣ ସ୍ୱରରେ କହିଲା–‘‘ଦୁର ପାପିଷ୍ଠା ! ମାଳ ଜପୁଛି, ନା ହାତରେ କନା ଗୁଡ଼େଇଛି ।’’ କୈବର୍ତ୍ତ-ସୁନ୍ଦରୀଟି ସାମାନ୍ୟ ବାକ୍ୟନିପୁଣା ନୁହେଁ; ସେ ସୁଦ୍ଧା ଶାଣଦିଆ ତୁଣ୍ତରେ କହିଲା–‘‘କି ସାଆନ୍ତେ, ଚଳୁଛ କାହିଁକି, ମାଛ କିଣୁ କିଣୁ ବି ମାଳ ଜପା, ଏହା ତ ମୁଁ କଉଁଠି ଦେଖି ନାହିଁ ।’’ ଦାସେ ଆଉ କିଛି ନ କହି ପୃଷ୍ଠଭଙ୍ଗ ଦେଲେ ।

 

ଦାସେ ଦାଣ୍ତଦ୍ୱାରରେ ଠିଆ ହୋଇ ଡାକିଲେ–‘‘ରେ ରାମା, ମାଳଝୁଲଟା ନେଇ ଯା, ଆଉ ଖଣ୍ତେ ବିଛଣା ଆଣ ।’’ ରାମା ବିଛଣା ଖଣ୍ତେ ଆଣି ଦାଣ୍ତମେଲାରେ ବିଛାଇ ଦେଇ ପିତାଙ୍କ ହସ୍ତରୁ ମାଳଝୁଲି ନେଇ ରୋଷାଇର ବ୍ୟବସ୍ଥା କରିବା ସକାଶେ ଘର ଭିତରକୁ ଚାଲିଗଲା । ଦୁଇ ସଙ୍ଗାତ ବସି ଅନେକ ବେଳଯାଏ କଥା କୁହାକୁହି ହେଲେ । ସେ ଅନେକ କଥା; ତାହା ସବୁ ଶୁଣିବାକୁ ଶ୍ରୋତାମାନଙ୍କର ଧୈର୍ଯ୍ୟ କୁଳାଇବ ନାହିଁ, ସମ୍ଭବତଃ ସମୟାଭାବ ମଧ୍ୟ ଘଟିବ । ତେବେ ସଂକ୍ଷେପରେ ଏତିକି କହିଲେ ହେବ ଯେ, ଆତ୍ମପ୍ରୌତୀ, ପରଘର ଭଙ୍ଗା, କାହାକୁ କିଏ ବାଉତି ପେଷିଲା, କାହା କାହା ମଧ୍ୟରେ ଆସନ୍ନ ମୋକଦ୍ଦମାର ସମ୍ଭବନା, କିଏ ଅଗାଧୁଆ ପାନ ଖାଇ ଜାତିଧର୍ମ ନଷ୍ଟ କଲା, ଏହିପରି ଦେଶହିତକର ଏବଂ ଜନହିତକର ପ୍ରସଙ୍ଗର ଆଲୋଚନା ହେଲା । ଅନନ୍ତର ନିତେଇ ଦାସ ପଚାରିଲେ–‘‘କଅଣ ଗୁପ୍ତ କଥା କହୁଥିଲ ସଙ୍ଗାତେ, ଭୟ ନା ନିର୍ଭୟ ?’’

 

ରାଧିକା ଦାସ–ନା, ଭୟର କଥା କିଛି ନୂହେଁ, ମୁଁ କାଲି ବୃନ୍ଦାବନ ଯିବି । ପାଞ୍ଚ ବର୍ଷ ହେଲା ତ ଯିବି ଯିବି କହି ଯାଇ ପାରିଲି ନାହିଁ । ମନୁଷ୍ୟ ଜୀବନ ପାଣି ଫୋଟକା ପରି, ଏହି ଅଛି ତ ଏହି ନାହିଁ । ବୟସ ଯେତିକି ଯାଉଛି, ଡରା ତେତିକି ଆକ୍ରମଣ କରୁଛି; ତହିଁ ଊପରେ ପେଟବିନ୍ଧା ବେମାରିଟା ତ ଜୀବନର କଣ୍ଟକ ହୋଇ ରହିଛି । ଭାବିଲି, ଆଉ ଟାଳ ମଟାଳ କରିବା ଭଲ ନୁହେଁ, ଥରେ ଯାଇ ରାଧାକୃଷ୍ଣଙ୍କ ଚରଣ ଦର୍ଶନ କରି ଆସେଁ, ତେଣିକି କପାଳରେ ଯାହା ଥାଉ । କାଲି କୋଳିପଦା ମହନ୍ତ ଗୋସାଇଁ ବୃନ୍ଦାବନ ଯିବେ; ମୁଁ ତାଙ୍କର ସଙ୍ଗରେ ଯିବି । ନ ହେଲେ, ଏପରି ସଙ୍ଗ ଆଉ ପାଇବି ନାହିଁ । ଦୁଇ ମାସ ମଧ୍ୟରେ ଫେରି ଆସିବ ।

 

ନିତେଇ–ଏ ତ ଖୁବ୍‌ଭଲ କଥା ସଙ୍ଗାତ ! କପାଳରେ ନ ଥିଲେ ଏ ରୁପ ସୁଯୋଗ ଘଟେ ନାହିଁ । ମନୁଷ୍ୟଜନ୍ମ ଲାଭ କରି ଚତୁର୍ଥ-କାଳରେ ତୀର୍ଥବ୍ରତ ନ କଲେ ଆଉ କଅଣ କରିବ ? ତମ ସାଙ୍ଗରେ ଯିବାକୁ ମୋର ବି ଭାରି ଇଚ୍ଛା ହେଉଛି; ମାତ୍ର ହେଲେ କଅଣ ହେବ, ତମ ସଙ୍ଗାତୁଣୀଙ୍କ ଦେହ ଭଲ ନାହଁ । ତାଙ୍କୁ କିମିତି ଛାଡ଼ିକରି ଯିବି ? ତମେ ତ ଜାଣ, ସେ ଭାରି ସୁକୁମାରୀ ମଣିଷ, ଟିକିଏ ଅପଚାର କଲେ କିଛି ଗୋଟାଏ ରୋଗ ଧରି ପକାଏ । ତାହା ଉପରେ ପୁଣି ଦୋକାନ ଖଣ୍ତ ଅଛି; ତାକୁ ବା କାହାକୁ ଦେଇ ଯିବି ? ଆଛା ହେଉ, ତମେ ଫେରି ଆସିଲେ ଦୋକାନଟା ତମ ବିନା ଦେଲେ ଆମେ ବି ପ୍ରାଣୀ ଯିବୁଁ ।

 

ରାଧିକା–କିଛି ପରବାଏ ନାହିଁ; ଦୋକାନ ମୁଁ ସମ୍ଭାଳିବି । ଆଉ ଗୋଟେ କଥା ଏହି ଯେ, ଟଙ୍କା ଲୋଟାଟିଏ ଅଛି, ତାହାକୁ ତମ ପାଖରେ ରଖିଯିବି । ପାଞ୍ଚବର୍ଷ ଚାକିରୀ କରି ପାଞ୍ଚହଜାର ଟଙ୍କା ରୋଜଗାର କରିଥିଲି । କେବେ ତ କାହାରିଠାରୁ କଣାକଉଡ଼ି କଡ଼େ ସୁଦ୍ଧା ଲାଞ୍ଚ ନେଇ ନାହିଁ, ତେବେ ପଚିଶ ଶଗଡ଼ କାଠକୁ ପାଞ୍ଚଶଗଡ଼ ବୋଲି ଲେଖିଦେଲେ ଶଗଡ଼ିଆମାନେ ଖୁସିରେ ପାଞ୍ଚ ଟଙ୍କା ଦେଇଯାଆନ୍ତି । ତାହା ତ ଆଉ ଲାଞ୍ଚ ନୁହେଁ–ସେମାନେ ଯାଚି କରି ଦେଇ ଯାଆନ୍ତି । ଲାଞ୍ଚ ଖାଇ ପାପ ସଞ୍ଚୟ କରିବା ମୋ ଜାତକରେ ନାହିଁ । ତେବେ ବି ଶଳା ଚୁଗୁଲିଆଗୁଡ଼ାକ ରଜାଙ୍କ ପାଖରେ ଖଚମିଛ ଫୋଡ଼ିଲେ । ଆଜିକାଲି ଯୁଗରେ ତ ଶାଗଖିଆକୁ ପେଜଖିଆ ଦେଖିପାରେ ନାହିଁ-। ନିହାତି ଦିକ୍‌ଦାର ହୋଇ କାମ ଛାଡ଼ିଦେଇ ଚାଲି ଆସିଲି ।

 

ନିତେଇ–ହେଉ, ସେଥିରେ କଅଣ ଅଛି ? ଚାଣକ୍ୟରେ ଅଛି–ଅସ୍ଥାନରେ ରତ୍ନ ପଡ଼ିଥିଲେ ଉଠାଇ ଆଣିବ । ଲୋକେ ଯାଚି କରି ଦେଲେ ନ ନେବ କାହିଁକି ? ତମେ ତ ଆଉ କାହାରିକି ତଣ୍ତି ବାନ୍ଧି ନେଇ ନାହଁ ଯେ, ଦୋଷ ହେବ । ତାହା ଯେବେ ଲାଞ୍ଚ ନେବା ହେଲା, ତେବେ ସଂସାରରେ ସମସ୍ତେ ଲାଞ୍ଚ ନିଅନ୍ତି । ଆଜିକାଲି ତ କିଏ ଲାଞ୍ଚ ନ ନିଏ ? କାହାରିକୁ ଯଦି କହିବ–ଏ ଶାଗକେରାକ ନେଇ ଯା ନି, ସଙ୍ଗାତ ଘରେ ଦେଇ ଆସିବୁ, ସେ କହିବ ପଇସାଟାଏ ଦେବୁ ନା ? ଏହା କଅଣ ଲାଞ୍ଚ ନୁହେଁ ?

 

ରାଧିକା–ଛାଡ଼ ସେ କଥା । ସେହି ପାଞ୍ଚ ହଜାର ମଧ୍ୟରୁ ଦୁଇ ହଜାର ଖର୍ଚ୍ଚ ହୋଇଗଲାଣି । ଆଉ ତିନି ହଜାର ଅଛି । ତମେ ଏ କଥା ରାମାକୁ କହିବ ନାହିଁ । ଆଜିକାଲିର ପିଲାଙ୍କୁ ବିଶ୍ୱାସ ନାହିଁ । ସେଦିନ ଶୁଣିଲ ପରା, ରଘୁଆ ଭାରିଯା କୁଥଳୀରେ ପଇସାଟାଏ ଲୁଚାଇ ରଖିଥିଲା; ତାହା ପୁଅ କିମିତି ସନ୍ଧାନ କରି କେଉଁ ଛଟ କରେ ତାହା କାଢ଼ି ନେଇ ଯାଇ ବୁଟ କିଣି ଖାଇଦେଲା । ଭିକାରୀ ବିଶ୍ୱାଳ ତା ପୁଅକୁ ବାଇଗଣ ବାଡ଼ି ଜଗିବାକୁ ପଠାଇଥିଲା; ଟୋକାଟା କଅଣ କଲା କି, ଦୁଇପୁଞ୍ଜା ବାଇଗଣ ଦେଇ ଛେନା ଖାଇଲା । ଆମ ରାମା କି ଅଳପ ଛୁଆରିଆ ନୁହେଁ । ଚାଉଳ ଦେଇ ମୂଢ଼ି ଖାଏ, ମୁଁ ଢେର ଥର ଦେଖି କିଛି କହେ ନାହିଁ–ମା-ଛେଉଣ୍ତିଆ ପିଲାଟା, କାଳେ ତା ମନକୁ ବାଧିବ । ତାହାରି ଲାଗି ମୁଁ ସାଇତିଛି; ନ ହେଲେ ମୋର ଟଙ୍କା କଅଣ ହୁଅନ୍ତା ? ତେଣୁ ଫେରି ତାକୁ ହାତଛନ୍ଦା କରି ପକେଇ ଘର ଦୁଇଖଣ୍ତ କରିଦେଲେ ମୁଁ ଖଲାସ । ତେଣିକି ତାହା କର୍ମରେ ଯାହା ଥାଉ । ଆଉ ଗୋଟାଏ ମୋର ସଙ୍କଲପ ଅଛି–ରାମେଶ୍ୱର ମହାଦେବଙ୍କ ମନ୍ଦିର ଆଉ ବେଢ଼ା ତିଆରି କରିଦେବି । ଏତିକି କରିସାରିଲେ ମୁଁ କୌଣସି ତୀର୍ଥରେ ଯାଇ ରହିବି ।

 

ନିତେଇ ଦାସ ଟଙ୍କା କଥା ଶୁଣି ମନେ ମନେ ନିଜର ଅଦୃଷ୍ଟକୁ ଧନ୍ୟବାଦ ଦେଲେ । କିଏ ଯେପରି ଅଲକ୍ଷ୍ୟରେ ଗୋଟାଏ ଶକ୍ତି ଆଣି ତାଙ୍କ ଦେହରେ ପୁରାଇ ଦେଲା । ଶରୀରର ରକ୍ତରେ ଆନନ୍ଦର ବିଜୁଳି ଚରିଗଲା । ଶିରାପ୍ରଶିରା ଅପୂର୍ବ ପୁଲକରେ ଚଞ୍ଚଳ ହୋଇଉଠିଲା । ସେ ଆତ୍ମସମ୍ବରଣ କରି କହିଲେ, ‘‘ନା, ମୁଁ ରାମାକୁ ସେ କଥା କାହିଁକି କହିବି ? ଏକାଳର ପିଲା ଟଙ୍କା ପଇସା ଦେଖିଲେ କି ଥୟ ହୋଇ ରହିବେ ? କିଛି ଭୟ ନାହିଁ ସଙ୍ଗାତ, ତମ ଟଙ୍କା ଶିବ ନିର୍ମାଲ୍ୟପରି ରଖି ଦେଇଥିବି, ତମେ ଆସିଲାକ୍ଷଣି ନେବ । ତମ ଟଙ୍କାରେ ହାତ ଦେଲେ ମୋତେ ମହାପ୍ରସାଦ ଦ୍ରୋହୀ ହେବାକୁ ହେବ ! ଭଗବାନ ସେ ବୁଦ୍ଧି ନ ଦିଅନ୍ତୁ । ଆଜିଯାଏଁ ତ କାହାରି ହଳଦିଆ ପାଣିରେ ଗୋଡ଼ ଧୋଇ ନାହିଁ । ବିଶ୍ୱାସରେ ବିଷ ମିଶାଇଠାରୁ ପାପ ଆଉ କଅଣ ଅଛି ? ସବୁ ପାପକୁ ପାର ଅଛି–ସେ ପାପକୁ ପାର ନାହିଁ ।’’

 

ରାଧିକା–ଆଉ ରାମା ତମକୁ ଲାଗିଲା । ମୁଁ ତାହାର ଦୁଇ ମାସର ଖାଇବା ଖର୍ଚ୍ଚ ଦେଇଯିବି, ସେ ତମରି ଘରେ ରହିବ ।

 

ନିତେଇ–(ଗଭୀର ବିସ୍ମୟରେ) ‘‘ଏ କଅଣ କହୁଛ ସଙ୍ଗାତେ ? ପିଲାଟା କେତେ ଅବା ଭାତ ଖାଇବ ଯେ, ସେଥିଲାଗି ମୁଁ ଖର୍ଚ୍ଚ ନେବି ! ରାମା ତମର ପୁଅ, ମୋର କି କେହି ନୁହେଁ ? ମୋର ହୃଦୟ ଚିରି ସେହି ରକ୍ତରେ ତମର ଗୋଡ଼ ଧୋଇ ଦେଲେ ବି ତମ ଉପକାର ମୁଁ ଶୁଝି ପାରିବି ନାହିଁ । ରାମାମା ମୃତ୍ୟୁ-ଶଯ୍ୟାରେ ତମ ସଙ୍ଗାତୁଣୀଙ୍କୁ ଯାହା କହିଯାଇଥିଲେ, ତାହା କି ମୁଁ ଏଡ଼େ ରାଣ୍ତେ ଭୁଲିଯିବ ? ସେ ଦିନଟା ଆଜିଯାଏଁ ମୋ ହୃଦୟରେ ଗୁନ୍ଥା ହୋଇ ରହିଛି ।’’ ଏହା କହୁଁ କହୁଁ ବ୍ୟାଜଶୋକରେ ତାଙ୍କର କଣ୍ଠସ୍ୱର ଆର୍ଦ୍ର ହୋଇ ଆସିଲା; ଚକ୍ଷୁରୁ ଦୁଇଟୋପା ପ୍ରତାରଣାର ଅଶ୍ର ମଧ୍ୟ ସ୍ରବି ଆସିଲା । ସେ ତାହାକୁ ହାତପିଠିରେ ପୋଛି ପକାଇଲେ । ପ୍ରତାରକର ଅସାଧ୍ୟ କିଛି ନାହିଁ, ଶୂନ୍ୟରେ ତାହାର ନେତ୍ର ଅଶ୍ରୁପୂର୍ଣ୍ଣ ହୋଇଯାଏ । ତାହାର କଥାରେ ଅମୃତ ଏବଂ ହୃଦୟରେ ପ୍ରାଣଘାତୀ ହଳାହଳ ଥାଏ, ସାରସ୍ୱତ ଚକ୍ଷୁ ତାହା ବାରିପାରେ ନାହିଁ ।

 

ଏହିପରି କଥାବାର୍ତ୍ତାରେ ରାତ୍ରିର ପ୍ରଥମ ପ୍ରହରର କଟିଗଲା । ତହୁଁ ଦୁଇ ସଙ୍ଗାତ ଘର ଭିତରକୁ ଯାଇ ଭୋଜନରେ ବସିଲେ । ରାମା ପରିବେଷଣରେ ନିଯୁକ୍ତ ହେଲା । ଭୋଜନାନ୍ତେ ରାମା ଖାଇବାକୁ ଗଲା । ଏହି ଅବସରରେ ରାଧିକା ଦାସ ଟଙ୍କାଲୋଟାଟି ଆଣି ସଙ୍ଗାତଙ୍କ ହାତରେ ଦେଲେ ।

 

ରାଧିକା ଦାସ, ତୁମ୍ଭେ ବଡ଼ ଅପରିଣାମଦର୍ଶୀ ! ନରକର ପୁତିଗନ୍ଧକୁ ସ୍ୱର୍ଗର ପାରିଜାତଗନ୍ଧ ଓ ମଳୟାନିଳ ମଣୁଅଛ; ମାତ୍ର ଏହାର ଫଳ ବଡ଼ ବିଷମୟ ହେବ । ନିଦାଘ-ମଧ୍ୟାହ୍ନର ଖରତସ୍ତ ବାୟୁରେ ଶିମିଳୀ ତୁଳା ପ୍ରାୟ ତୁମ୍ଭର ସବୁ ଆଶା କୁଆଡ଼େ ଉଡ଼ିଯିବ ।

 

ନିତେଇ ଟଙ୍କାଲୋଟା ଘେନି ଘରକୁ ଆସିଲେ । ଅଧିକନ୍ତୁ ରାମାର ଦୁଇ ମାସର ଖାଇବା ଖର୍ଚ୍ଚ ଚଉଦ ଟଙ୍କା ମଧ୍ୟ ଆାଣିଲେ । ଭାଗ୍ୟଦେବ, ତୁମ୍ଭର ଗତି ବଡ଼ ବିଚିତ୍ର ! ତୁମ୍ଭେ କେତେବେଳେ କାହା ପଦାର୍ଥ କାହାକୁ ଆଣିଦିଅ, ତାହା ବୁଝିବା ଅସାଧ୍ୟ । ପ୍ରାୟଶଃ ସମସ୍ତଙ୍କ ଭାଗ୍ୟରେ ଏହିପରି ଗୋଟାଏ ଗୋଟାଏ ଆକସ୍ମିକ ଘଟଣା ଅଲକ୍ଷ୍ୟରେ ଆସି ଜୀବନଟାକୁ ଓଲଟ ପାଲଟ କରିଦିଏ; ନୂତନ ଉଦ୍ଦେଶ୍ୟ ଜୀବନର ଗତିକୁ ନୂତନ ଆଡ଼କୁ ଘେନିଯାଏ ।

Image

 

ଚତୁର୍ଥ ପରିଚ୍ଛେଦ

 

ନିତେଇ ଦାସ ଟଙ୍କାଲୋଟାଟି ଘେନି ଏକମୁହାଁ ହୋଇ ଘରକୁ ଚାଲି ଆସିଲେ । ତାଙ୍କୁ ଆଉ ବାଟ ଅବାଟ ଜଣାଗଲା ନାହିଁ । ଚୋର ପରି ଚାରିଆଡ଼କୁ ଚାହିଁ ଚାହିଁ ଅତି ସାବଧାନରେ ଆସି ଦାଣ୍ଡ କବାଟରେ ଆଘାତ କଲେ । ଉଷା ସେଥିରୁ ସ୍ୱାମୀଙ୍କର ଆଗମନ ସୂଚନା ପାଇ ତରତର ହୋଇ ଆସି କବାଟ ଫିଟାଇ ଦେଲେ । ଦାସେ କବାଟ କିଳି ଦେଇ ଆସିବାକୁ ସ୍ତ୍ରୀକୁ ଆଦେଶ ଦେଇ ଘର ଭିତରକୁ ଚାଲି ଆସିଲେ । ଉଷା ସ୍ୱାମୀଙ୍କ ଆଦେଶ ପାଳନ କରି ପଛେ ପଛେ ଆସି କହିଲେ–‘‘ଆଜି ତ ସଙ୍ଗାତଙ୍କର ଭାରି ସରାଗ !’’

 

ଦାସେ–କେଉଁ ଦିନ ସରାଗ ନ ଥାଏ କି ?

 

ଉଷା–ଏତେ ରାତି ହେଲାଣି; ସେଥିଲାଗି କହୁଥିଲି, ଆଜି ସରାଗଟା ବେଶି । ଏତେ ତଡ଼ାବଡ଼ି କାହିଁକି ଡାକି ନେଇ ଯାଇଥିଲେ ?

 

ଦାସେ–ତମେ ଦୀପ ଆଣ, କହୁଛି ।

 

ଉଷା ରୋଷେଇ ଘରୁ ଦୀପ ଆଣି ଦେଖିଲେ, ସ୍ୱାମୀଙ୍କ ମୁଖ ଗମ୍ଭୀର । ଗୋଟାଏ ଅବ୍ୟକ୍ତ ଆନନ୍ଦର ଜ୍ୟୋତି ମୁଖ ଏବଂ ନେତ୍ରରୁ ଝଡ଼ି ପଡ଼ୁଛି । ଉଷା କିଛି କାରଣ ନିରୂପଣ କରି ନ ପାରି ସ୍ୱାମୀଙ୍କ ମୁଖକୁ ଜିଜ୍ଞାସୁ ଦୃଷ୍ଟିରେ ଅନାଇ ରହିଲେ । ଦାସେ କିଛି ନ କହି ଟଙ୍କାଲୋଟାଟା ଝମ୍‌ଝାମ୍ କରି ଢାଳି ପକେଇଲେ । ଉଷା ଦେଖି ତାଟଙ୍ଗା ହୋଇଗଲେ । ତାଙ୍କ ପ୍ରତିଶିରାରେ କି ଏକ ଅଦ୍ଭୁତପୂର୍ବ ଆନନ୍ଦରୁ ବିଦ୍ୟୁତ୍‌ଧାରା ଚରିଗଲା । ସେ ଆନନ୍ଦ ଚକ୍ଷୁଗୋଲକ ଭେଦ କରି ହୃଦୟ ମଧ୍ୟରେ ପ୍ରବେଶ କଲା । ସେ ଆନନ୍ଦ ଅମୃତଠାରୁ ମଧୁର । ପ୍ରାଚୀକୋଳରେ ପୂର୍ଣ୍ଣଚନ୍ଦ୍ରର ଉଦୟ ଦେଖି କୁମୁଦିନୀ ଯେପରି ଆନନ୍ଦିତ ହୁଏ, ଉଷା ଟଙ୍କା ଦେଖି ସେହିପରି ଆନନ୍ଦିତ ହେଲେ । ତାଙ୍କ ହୃଦୟ ଉଦ୍ୟାନରେ ବସନ୍ତର ଆବିର୍ଭାବ ହେଲା–ଆଶାଲତାରେ କେତେ ରଙ୍ଗର ଫୁଲଫୁଟି ଉଠିଲା-। ସେହି ଟଙ୍କାରେ ସେ ସ୍ତ୍ରୀୟ ଭାବ-ସୌଭାଗ୍ୟର ଶୁଭମୟ ସୁଖଲିପି ପାଠ କଲେ ଏବଂ ଆନନ୍ଦଗଦ୍‌ଗଦ୍‌ ସ୍ୱରରେ କହିଲେ–‘‘କାର୍ତ୍ତିକମାସ ବିଲରୁ କରାଣ୍ଡି ମାଛ ଧରି ଆଣିଲା ପରି ଏ ଟଙ୍କାଗୁଡ଼ାକ କୁଆଡ଼ୁ ଆଣିଲ ? ଦି ସଙ୍ଗାତ କେଉଁଠୁ ଚୋରି କରି ଆଣିଲକି ହୋ ?’’ ଦାସେ କହିଲେ–‘‘ଏ ସଙ୍ଗାତଙ୍କ ଟଙ୍କା । ସେ କାଲି ବୃନ୍ଦାବନ ଯିବେ, ଟଙ୍କା ରଖିବାକୁ ଦେଇଛନ୍ତି । ଦୁଇ ମାସ ପରେ ଆସିଲେ ନେବେ ।’’

 

ଉଷା–ସେ ଆଗେ ବଞ୍ଚି କରି ଆସୁ, ନେବ । ବୁଢ଼ା ଖୁକୁଡ଼ ଏତେ ଟଙ୍କା ରଖିଥିଲା । ଧୂଳିଆଜନ୍ଦାର ଏତେ ଗୁଣ !

 

ଅନନ୍ତର ଉଷା ପଣନ୍ତ କାନି ବେକରେ ପକାଇ ଟଙ୍କା ଗଦାକୁ ବାରମ୍ୱାର ଜୁହାର ହୋଇ କହିଲେ–‘‘ମା ଲକ୍ଷ୍ମୀଠାକୁରାଣି ସୁଦୟା କରି ଆଜି ଗୁରୁବାରରେ ମୋ ଘରକୁ ଆସିଛ, ସବୁଦିନେ ଏଇଠି ଥା, ମା ସାଆନ୍ତାଣି ! ମୁଁ ତମକୁ ଖୁବ୍‌ଭଲ କରି ପୂଜା କରିବି; ତମର ଏ ଦାସୀ ପୋଇଲୀର ମନୋବାଞ୍ଛା ପୂର୍ଣ୍ଣ କର ମା !’’ ଲକ୍ଷ୍ମୀ ଠାକୁରାଣୀଙ୍କୁ ଏହିପରି ବର ମାଗି ସ୍ୱାମୀଙ୍କୁ କହିଲେ–‘‘ଆଉ ଢାଳିଲ କାହିଁକି, ରଖିଦିଅ ।’’

 

ଦାସେ–ସଙ୍ଗାତେ ତିନିହଜାର ବୋଲି କହିଲେ, କାଳେ ଉଣା ଥିବ, ଗଣି ରଖିବା ଭଲ ।

 

ଉଷା–ହଁ, କହନ୍ତି ପରା–ପାଣି ପିଇବ ଛାଣି, ପଇସା ନେବ ଗଣି ।

 

ତହୁଁ ଦାସେ ଗଣି ଦେଖିଲେ–ଟଙ୍କା ଏବଂ ନୋଟ ମିଶି ତିନିହଜାର ଟଙ୍କା ଠିକ୍‌ହେଲା । ସେ ଗଣି ସାରି କହିଲେ–‘‘ଗୋଟାଏ କଥା ଏକା ଅଡ଼ୁଆ । ତାହା କଣ କି, ସଙ୍ଗାତେ ରାମାକୁ ଆମ ଘରେ ଛାଡ଼ି ଯିବାକୁ କହୁଛନ୍ତି । ତାହାର ଦୁଇ ମାସର ଖାଇବା ଖର୍ଚ୍ଚ ଚଉଦ ଟଙ୍କା ଅଲଗା ଦେଇଛନ୍ତି-।’’

 

ଉଷା–ଚଉଦ ଟଙ୍କା ତ ଦେଇଛନ୍ତି; ଆଉ ଅଡ଼ୁଆ କଣ ?

 

ଦାସେ–ଜଣେ ମଣିଷ ପୋଷିବା ଯିମିତି,ଗୋଟେ ହାତୀ ପୋଷିବା ସିମିତି । ଚଉଦଟା ଟଙ୍କା କେତେ ? ବସି ଖାଇଲେ ଗଙ୍ଗାବାଲି ବି ସରିଯିବ ।

 

ଉଷା–ହଁ, ତାକୁ ବସେଇ ଖାଇବାକୁ ଦେବି, ସେ ମୋର ଗୁରୁଗୋସାଇଁ !

 

ଦାସେ–ଆଉ ସେ କଅଣ କରିବ?

 

ଉଷା–କଅଣ କରିବ ? କି, ସେ ଏଡ଼େ ଗେହ୍ଲା କଅଁର ନା ? ତମେ ବଡ଼ ବଜାରରୁ ସଉଦା କିଣି ଦେଲେ ସେ ଦୋକାନକୁ ବହି ଆଣିବ; ଆଉ ତମେ ଖାଇବାକୁ ଆସିଲେ, ସେ ଦୋକାନ ଜଗିବ ।

 

ଦାସେ–ଆହା କି ସୁନ୍ଦର ବୁଦ୍ଧି ! ନ ଜାଣି କହନ୍ତି ମାଇପି ବୁଦ୍ଧି । ଦୋକାନଟି ତ ତାହା ହାତରେ ଦେଲେ ନିହାଲ ! ସବୁ ଖାଇ ଖୋଇ ବସିବ ଯେ ।

 

ଉଷା–କି,ତମେ ତାକୁ କୁଞ୍ଚିକାଠି କାହିଁକି ଦବ କି ?

 

ଦାସେ–କୁଞ୍ଚି ପକାଇ ଆସିଲେ ସେ ଜଗି କେତେ–ନ ଜଗି କେତେ ?

 

ଉଷା–କୁଞ୍ଚି ପକେଇଲେ କଅଣ ହବ, କବାଟଖଣ୍ଡ ତ ଦଦରା । ଡାକୁଣୀଖିଆ ଠାଉରିଆ ଯେବେ ପେଲି ଦେଇ ପଶି ଦୋକାନରେ କଳାକନା ବୁଲେଇ ଦେଇ ଭେକାଳ ବୁଡ଼େଇ ଦେଇ ଚାଲିଯିବ ? ମାଇପି ବୁଦ୍ଧି ଖରାପ,ଆଉ ମିଣିପିବୁଦ୍ଧି ବଡ଼ ଭଲ । ଉଠ, ଉଠ ରାତି ଢେର ହେଲାଣି, ମୁଁ ଭାତ ଆାଣେ ।

 

ଦାସେ–ମୁଁ ଖାଇ ଆସିଛି ।

 

ଉଷା–ଖାଇ ଆସିଛ ? ତେବେ ମୁଁ ଭାତ ପଖାଳିଦିଏଁ । ମାଛତୁଣ ହୋଇଥିଲା କି ?

 

ଦାସେ–ନା, ମାଛ ତୁଣ କାହିଁ, ହୋଇଥିଲା ଏଣୁତେଣୁ କିଛି ।

 

ଉଷା–ସଙ୍ଗାତ ପୋଡ଼ାମୁହାଁ ତ ଆଙ୍ଗୁଳି ଚୁଚୁମି ଭାତ ଖାଇବ, ସେ ପୁଣି ମାଛ କିଣି ଖାଇବ କଉଁଠି ?

 

ଉଷା ସଙ୍ଗାତକୁ ଏହିପରି ମଧୁର ଆଶୀର୍ବାଦୀ ବିଶେଷଣରେ ଅଳଙ୍କୃତ କରି ଭାତ ପଖାଳିବାକୁ ଚାଲିଗଲେ । ସେ ଦିନ ଗୁରୁବାର; ସୁତରାଂ ଉଷା କିଛି ଖାଇଲେ ନାହିଁ ।

 

ତହିଁ ପରଦିନ ରାଧିକା ଦାସ ରାମାକୁ ସଙ୍ଗାତ ଘରେ ଛାଡ଼ି ତୀର୍ଥଯାତ୍ରା କଲେ । ଉଷା ରାମାକୁ ଖୁବ କପଟ ସମାଦରରେ ଗ୍ରହଣ କଲେ । କହିଲେ, ‘‘ଆରେ ବାପ, ଆ, ଏ ତ ତୋହରି ଘର । କହନ୍ତି ପରା–‘ମା ପାଳେ ନା ମାଉସୀ ପାଳେ ।’ ମୁଁ କେତେ ଛଟପଟ ହୁଏଁ, ମା-ଛେଉଣ୍ଡଟି କିମିତି ଅଛି ଥରେ ଦେଖନ୍ତି । ତୁ ପୋଡ଼ାମୁହାଁ ପୁଅ ତ କେବେ ଏଣିକି ମୁହଁ କରୁ ନାହିଁ । ତୋ ମା ମରିବାବେଳେ କହିଥିଲା–‘ନାନି, ତୁ ରାମାକୁ ଦେଖିବୁ ।’ ହାୟ ! ସେ କଥା କି ମୁଁ ପାସୋରିଯିବ ?’’ ଏହା କହି ଦୁଇ ହାତପିଠିରେ ଲୁହ ପୋଛି ପକାଇଲେ; ମାତ୍ର ପ୍ରକୃତରେ କାନ୍ଦିଥିଲେ କି ନା, ତାହା ଦେବଧର୍ମକୁ ଗୋଚର । କାନ୍ଦି ନାହାନ୍ତି ବୋଲି କହିଲେ କେହି ବିଶ୍ୱାସ କରିବେ ନାହିଁ; କିନ୍ତୁ ଅବିଶ୍ୱାସ କରିବାର କାରଣ ମଧ୍ୟ ନାହିଁ । ରାମା ପିତୃବନ୍ଧୁ ଘରେ ରହିଲା । ଦାସ ଦଂପତିଙ୍କୁ ସେ ମଉସା ମାଉସୀ ବୋଲି ଡାକେ । ଉଷା ତାକୁ ଟାମା ବୋଲି ଡାକନ୍ତି; ଦାସେ ସବୁବେଳେ ବାପରେ ଧନରେ କହନ୍ତି । ରାମା ପାଇଁ ସକାଳ ସଞ୍ଜ ଦୁଇବେଳା ଜଳଖିଆ ସକାଶେ ଅଧପଇସାର ମୁଢ଼ି ଖଞ୍ଜି ଦିଆଗଲା । ରାମା ଜଗନ୍ନାଥ ମହାପ୍ରଭୁଙ୍କ ପରି ମାଉସୀ ବାଡ଼ିରେ ଆପାତ ସୁଖରେ ରହିଲା । ତାହାର ସ୍ୱାସ୍ଥ୍ୟରକ୍ଷା ବିଷୟରେ ମଉସା ମାଉସୀ ଭାରି ସାବଧାନ । କାଳେ ସେ ଗଣ୍ଡାଏ ଭାତ ଅଧିକ ଖାଇ ଦେଇ ଅଜୀର୍ଣ୍ଣକୁ ଆମନ୍ତ୍ରଣ କରି ବସେ, ସେଥିପାଇଁ ଦାସଦଂପତି ଅତିରିକ୍ତ ସତର୍କତା ଅବଲମ୍ୱନ କରନ୍ତି । ରୋଗ ହେଲେ ଆଉ ଯାହା ହେଉ; ମାତ୍ର ଡ଼ାକ୍ତରକୁ ପଇସା ଗଣିବାକୁ ହେବ, ତାହା ଏକାନ୍ତ ଅସହ୍ୟ । ଦେଶରୁ ଅର୍ଥ ଟାଣିବାକୁ ହେଲେ ଡ଼ାକ୍ତର କିମ୍ୱା ଓକୀଲ, ମୋକ୍ତାର ବ୍ୟବସାୟ କରିବା ଆବଶ୍ୟକ । ସେମାନଙ୍କ ପରି ନିଷ୍ଠୁର ଭାବରେ ଅର୍ଥଶୋଷଣ ଅନ୍ୟ କେହି କରି ପାରିବେ ନାହିଁ । ସେମାନେ ବ୍ୟବସାୟରେ ଯେପରି ସ୍ୱାଧୀନ, ଅନ୍ୟର ଅବସ୍ଥା ନ ବୁଝି ସଦୟଭାବରେ ଅର୍ଥଶୋଷଣ କରିବାରେ ତତୋଽଧିକ ସ୍ୱାଧୀନତମ; ଆଉ ପରକୁ ଲାଞ୍ଛିତ, ଅପଦସ୍ଥ କରିବା ଯାହାର ପୁଣ୍ୟମୟ ସାଧୁ ସଙ୍କଳ୍ପ, ତାହାର ସମ୍ୱାଦପତ୍ରର ସଂପାଦକ ହେବା ଉଚିତ-। ହାତରେ କାଗଜ ଖଣ୍ଡେ ଥିଲେ ମୁରବିପଣ ଦେଖାଇବାର ସମଧିକ ସୁବିଧା ହୁଏ । ପ୍ରତିଶୋଧଗ୍ରହଣ ବିଷୟରେ ସେରୂପ ଅମୋଘ ବ୍ରହ୍ମାସ୍ତ୍ର ଆଉ ଭୂମଣ୍ଡଳରେ ନାହିଁ । ତିରସ୍କାର, ବିଦ୍ରୂପ, ଲାଞ୍ଛନା, ଗଞ୍ଜନାପୂର୍ଣ୍ଣ ଗୋଟାଏ ଗୋଟାଏ ଅଗ୍ନିଗର୍ଭ ପ୍ରବନ୍ଧ ଲେଖି ତଳେ ଶ୍ରୀଟାଏ କାଟିଦେଲେ କିମ୍ୱା ‘କ’, ‘ନ’ ପ୍ରଭୃତି ଏକାକ୍ଷରୀ ନାମଟାଏ ଥୋଇଦେଲେ ଯଥେଷ୍ଟ । ସମ୍ୱାଦପତ୍ର ପରିଚାଳନା ଦେଶହିତର ଗୋଟିଏ ସୁନ୍ଦର ବ୍ୟବସାୟ । ଯେ ଦେଶ, ଜାତି, ସମାଜ, ଶିକ୍ଷକମାନଙ୍କ ମତର ବିରୋଧୀ ହେଲା ବା ବିରୋଧୀ ହେବାର କଳ୍‌ପନା କଲା କିମ୍ୱା ଜନ୍ମାନ୍ତରେ କରିପାରେ ବୋଲି ବିବେଚିତ ହେଲା, ସେହି ଉନ୍ମାଦଗ୍ରସ୍ତ ବା ନିର୍ବୋଧ ମସ୍ତତକରେ ବଜ୍ରପାତ ନ ହେବ କାହିଁକି-? ସଂପାଦକମାନଙ୍କ ମଧ୍ୟରେ ଯେଉଁମାନେ ହୁଣ୍ଡା, ସେହିମାନେ ସିନା ସତ୍ୟ, ନ୍ୟାୟ, ଧର୍ମକୁ ଭାର କରି ବସନ୍ତି । ସେଥିର ଫଳସ୍ୱରୂପ ସେମାନେ ଅନ୍ନବସ୍ତ୍ର ବ୍ୟତୀତ ଆଉସବୁ ବିଷୟରେ ସୁଖୀ; ସେମାନେ ନିତାନ୍ତ ଅବିଚକ୍ଷଣ ଓ ଅଧୁରନ୍ଧର । ସ୍ୱାର୍ଥଜ୍ଞାନ ସେମାନଙ୍କର ନାସ୍ତି । ମାନବହୃଦୟକୁ ତ କେଉଁକାଳେ ବିଶ୍ୱାସ ନାହିଁ । ପ୍ରକୃତିଦେବୀଙ୍କର ଜଗନ୍ମୋହିନୀ ଶୋଭା ପରି ସେ କ୍ଷଣ କ୍ଷଣକେ ଅଭିନବ ରୂପଧାରଣ କରେ । ଯେଉଁମାନଙ୍କର ଏଭଳି ପରିବର୍ତ୍ତନ ଘଟେ, ସେମାନଙ୍କୁ ପ୍ରକୃତ ହୃଦୟୀ ନ କହି ଆଉ କଅଣ କୁହାଯିବ? ପ୍ରତ୍ୟୁତ ଯେଉଁମାନଙ୍କ ହୃଦୟର ପରିବର୍ତ୍ତନ ନାହିଁ, ସେମାନେ ବାସ୍ତବରେ ହୃଦୟର ପରିବର୍ତ୍ତନ ନାହିଁ, ସେମାନେ ବାସ୍ତବରେ ହୃଦୟହୀନ କିମ୍ୱା ବଦ୍ଧ ଜଳାଶୟ ପରି ଦୂଷିତହୃଦୟ; ନଚେତ୍‌ ଟିକିଏ ସଦୟ ଭାବରେ କହିଲେ ଦୁର୍ବଳହୃଦୟ ।

 

ଖଣ୍ଡେ ଲୁଗା କିଣିବା ସକାଶେ ରାମା ପିତାଙ୍କଠାରୁ ଟଙ୍କାଟିଏ ନେଇ ରଖିଥିଲା । ଦିନେ ସେହି ଟଙ୍କାଟି ମଉସାଙ୍କ ହାତରେ ଦେଇ କହିଲା–‘‘ମୋ ପାଇଁ ଖଣ୍ଡିଏ ଚାଳିଶ ଇଞ୍ଚିଆ ଲୁଗା ଆଣିବ ।’’ ମଉସା ମନେ ମନେ ଭାବିଲେ–‘‘ଟୋକାଟା ଭାରି ଉଜୁଡ଼ା । ଆଠ ଅଣାର ଖଣ୍ଡେ ଗାମୁଛା କିଣିଲେ ଆଠ ଅଣା ବଳିବ, ସେଥିରେ ତାହାର ଦୁଇ ମାସର ମୁଢ଼ି ଖର୍ଚ୍ଚ ଚଳିଯିବ; ମୁଁ ବି ଗୋଟାଏ ଅକାରଣ ତଣ୍ଡରୁ ତ୍ରାହି ପାଇବି ।’’ ଏହା ଭାବି କହିଲେ–‘‘ଏଡ଼େ ଓସାରିଆ ଲୁଗାଟାଏ କଅଣ ହେବ, ଛନ୍ଦିହୋଇ କଚାଡ଼ି ପଡ଼ିବୁ, ଗୋଡ଼ାହାତ ଭାଙ୍ଗିଯିବ । ଖଣ୍ଡେ ଛଅହାତି ମୋଟା ଗାମୁଛା କିଣିଦିଏଁ, ଭଲ ହେବ । ଗାମୁଛା ଖୁବ୍‌ବଇଁତିରି ଯାଏ, ସେଥିଲାଗି ମୁଁ ପରା ସବୁବେଳେ ଗାମୁଛା ପିନ୍ଧେଁ । ବଡ଼ ଲୁଗା ପିନ୍ଧିଲେ ଦେହରୁ ଝାଳ ବହିବ, ଦେହଟା ବି ଗନ୍ଧେଇବ ।’’ ରାମା ତ ମଉସାଙ୍କ ସୌଖୀନପଣ ଜାଣେ; ସୂତରାଂ ସେ ଦ୍ୱିରୁକ୍ତି କଲା ନାହଁ । ତହୁଁ ମଉସାଙ୍କ ପ୍ରସ୍ତାବ କାର୍ଯ୍ୟରେ ପରିଣତ ହେଲା । ଦାସେ ବଜାରରୁ ସଉଦା କିଣି ଦିଅନ୍ତି, ରାମା ତାହା ଦୋକାନକୁ ବହି ଆଣେ । ଦାସେ ଖାଇବାକୁ ଆସିଲେ ସେ ଦୋକାନ ଜଗେ; ବେଳେ ବେଳେ ଦାସଙ୍କ ଶିଶୁକନ୍ୟା ସୁଦୁରୀକୁ କାଖେଇ ବୁଲାଏ । ଏତେ ସୁଖରେ ଥାଇ ସୁଦ୍ଧା ସେ ମୃତ ମାତାକୁ ସ୍ମରଣ କରି ସମୟ ସମୟରେ କାନ୍ଦେ । ସେହି ସୁପ୍ତ ସ୍ମୃତି ପୁଣି କାହିଁକି ଚେଇଁ ଉଠେ ନିର୍ବାଣୋନ୍ମୁଖ ଅନଳ ପୁଣି କାହିଁକି ଜଳି ଉଠେ, ତାହା କିଏ କହିବ ? ତେବେ ଏତିକି କୁହାଯାଇପାରେ ଯେ, ଯେଉଁ ଦୁଃଖ ହୃଦୟରେ ଦାଗ ରଖିଯାଏ, ତାହା ପାସୋରି ହୁଏ ନାହିଁ । ଯେଉଁ ମାତା ଶୋକ-ତାପ-ଦଗ୍‌ଧ ଜଗତରେ ବିଧାତାର ଆଶୀର୍ବାଦ, ତାହାର ଅମର ସ୍ମୃତି କିଏ ଭୁଲିପାରେ ?

 

ସମୟ କାହାରିକୁ ଅପେକ୍ଷା କରି ବସି ରହେ ନାହିଁ କିମ୍ୱା ତାହାର ସ୍ୱଭାବ ଗତି ଦ୍ରୁତ ହୁଏ ନାହିଁ । କଳଘଡ଼ି ପରି ସେ ସର୍ବଦା ସମାନ ଭାବରେ ଚାଲିଥାଏ । ଦେଖୁଁ ଦେଖୁଁ ମାସେ କାଳ ଅତୀତ ହୋଇଗଲା । ଦିନେ ସେ ଗ୍ରାମକୁ ପୋଷ୍ଟ ପିଅନ ଆସିଲା । ଆଠ ଦିନରେ ଥରେ ତାହାର ଆସିବାର ପାଳି; ମାତ୍ର ସେ ସବୁ ପାଳି ଆସେ ନାହିଁ । ହାଟଦିନ ଗାଁ ଲୋକଙ୍କ ଦ୍ୱାରା ଚିଠିପତ୍ର ପଠାଇଦିଏ । ଯେବେ ମନିଅର୍ଡର ଥାଏ, ତେବେ ଆସେ । ବେରିଂ ଚିଠି ସୁଦ୍ଧା ହାଟୁଆଙ୍କ ହାତରେ ପଠାଇଦେଇ ହାତରୁ ପଇସା ପୋଷ୍ଟ ଅଫିସରେ ଦାଖଲ କରିଦିଏ । ଯେଉଁଦିନ ଗାଁକୁ ଆସେ, ସେ ଦିନ ଆଦାୟ କରି ନିଏ । ସମସ୍ତେ ତ ଚିହ୍ନାଲୋକ, ଫାଙ୍କିଦେବ ଅବା କିଏ ? ବିଶେଷତଃ ଯାହାର ବେରିଂ ଚିଠି ଆସେ, ତାହାର ମନିଅର୍ଡର ବି ଆସେ । ମନିଅର୍ଡ଼ର ଟଙ୍କା ପିଅନ ଆଣି ଦିଏ । ତେତେବେଳେ ଯାହାଠାରେ ବେରିଂ ଚିଠି ମାସୁଲ ବାକି ଥାଏ, ତାହା କାଟିନିଏ । ବିଦ୍ୟୁତ୍‌ଦେଖିଲେ ଯେପରି ବର୍ଷା ହେବାର ଜଣାଯାଏ, ପିଅନକୁ ଦେଖିଲେ ସେହିପରି ଗ୍ରାମରେ କାହାରି ମନିଅର୍ଡ଼ର ଆସୁଥିବାର ଜଣାଯାଏ । ‘‘ପିଅନ ଆସିଛି, ପିଅନ ଆସିଛି’’ ବୋଲି ଗ୍ରାମଯାକ ଚହଳ ପଡ଼ିଗଲା । କେହି ଚିଠି ଆସିଛି କି ନାହିଁ ବୁଝିବାକୁ ଧାଇଁଲା–କେହି ବା କାହାର ଟଙ୍କା ଆସିଛି ଜାଣିବାକୁ ଆସିଲା । ଏହିପରି ଦଳେ ଲୋକ ତାହାକୁ ଘେରି ଚାଲିଲେ । ସେ କ୍ଷୁଦ୍ରବାହିନୀଦ୍ୱାରା ପରିବେଷ୍ଟିତ ହୋଇ ସେନାପତି ପରି ଗ୍ରାମ ମଧ୍ୟରେ ଅଗ୍ରସର ହେଲା । ପିଅନର ପରିଧେୟ ଖଣ୍ଡିଏ ଥାନକଟା ଲୁଗା, ଦେହରେ ଗୋଟାଏ ଡୋରିଆ କୋଟ, ତାହା ଉପରେ ଖଣ୍ଡେ ଲାଲ ଲୁଗା ଦୁଇ ପରସ୍ତ ହୋଇ କାନ୍ଧରେ ପଡ଼ିଅଛି । ବୋଧହୁଏ ସେ ଖଣ୍ଡିକ ପଗଡ଼ି ବସ୍ତ୍ର । କୌଣସି ପାପରୁ ତାହାର ଅଧୋଗତି ଘଟିଅଛି । ସେ ଶିରୋଭ୍ରଷ୍ଟ ହୋଇ କାନ୍ଧରେ ଆସି ଶରଣ ପଶିଅଛି । ଡାହାଣ କାନ୍ଧରେ ଗୋଟାଏ ଚମଡ଼ା ବ୍ୟାଗ୍‌ଏବଂ ହାତରେ ତାଡ଼ାଏ ଚିଠି ଧରିଅଛି । ପିଅନ ଆସି ଜଣକ ପିଣ୍ଡାରେ ବସିଲା । ସେ ଘରବାଲୀର ନାମ ପାଣୁଆ ମା । ତାହାର ପୁଅ କଲିକତାରୁ ପାଞ୍ଚ ଟଙ୍କା ମନିଅର୍ଡର କରି ପଠାଇଅଛି । ସେ ଆଙ୍ଗୁଳିଟିପ ଦେଇ ଟଙ୍କା ଗଣି ନେଲା ଏବଂ ଚାରୋଟି ପଇସା ଥୋଇ ଦେଇ କହିଲା–‘‘ନିଅ ବାପ, ତମ ପୁଅ ପାନ ଖାଇବ ।’’ ପିଅନ ଟିକିଏ ମୁରୁକି ହସି କହିଲା–‘ନା, ମୁଁ ପଇସା ନେବି ନାହିଁ, ତୁ ରଖ ।’

 

ପାଣୁଆ ମା–ଅଳ୍ପ ହେଲା ବୋଲି ନେଉ ନାହଁ ? ମୁଁ ଗରିବ ଲୋକ, ବେଶି କାହୁଁ ଦେଇ ପାରିବି, ନିଅ ବାପ, ମୋ ରାଣତି ।

 

ପିଅନ–‘ନା ଲୋ ମାଉସି, ମୁଁ କାହାରିଠାରୁ ପଇସା ନିଏ ନାହିଁ, ତୁ ଗରିବ ଲୋକ, ନେଇଯା ।’

 

ପାଣୁଆ ମା–‘ତମ ଆଗରୁ ଯେ ଆସୁଥିଲା, ସେ ତ ନ ନେଲେ ଟଙ୍କା ଦିଏ ନାହିଁ, ଆଉ ତମେ ନବ ନାହିଁ କାହିଁକି ?’’

 

ପିଅନ–‘ସେ ନେଉ ପଛେ, ମୁଁ ସରକାରରୁ ଦରମା ନେଉଛି, ଆଉ ଲାଞ୍ଚ ନେଇ କାହିଁକି ପାପ ମୁଣ୍ଡେଇବି ?’

 

ପାଣୁଆ ମା ପଇସା ଉଠାଇ ନେଇ କହିଲା–‘ହଁ ବାପ, ତମେ ସତ୍‌ ଲୋକ, ଗରିବଙ୍କ ତଣ୍ଟି ଚିପି କାହିଁକି ନେବ? ମୁଁ ଅଲାଗୀଟା ଜାଣେ ନାହିଁ ବୋଲି ଯାଚୁଥିଲି, ମୋର ଦୋଷ ଧରିବ ନାହିଁ । ତମ ପୁଅର କୋଟି ପରମାୟୁ ହେଉ । ତେବେ ଏହି ପଇସାକ ନେଇ ଖଣ୍ଡେ ‘‘ପୁଷ୍ଟକାଗଜ’’ ଦିଅ ।’

 

ପିଅନ–‘ପୋଷ୍ଟ କାର୍ଡର ଦାମ୍‌ ପଇସେ ନୁହେଁ–ଦି ପଇସା ।’

 

ପାଣୁଆ ମା–‘କି, ମୁଁ ଗୁଦସ୍ତା ଏଇଦିନେ ପଇସାକୁ କିଣିଥିଲି, ଆଜି ପୁଣି ଦିପଇସା ହୋଇଗଲା !’

 

ପିଅନ–‘ଗୁଦସ୍ତା ତୋର ଯେତେ ବଅସ ଥିଲା, ଏ ବର୍ଷ ତେତିକି ଅଛି ନା ବଢ଼ିଚି ? ଆଗରୁ ପୋଷ୍ଟକାର୍ଡ ପଇସେ ଥିଲା, ଏଣିକି ବଢ଼ି ଯାଇଛି ।’

 

ପାଣୁଆ ମା -ହଉ, ତେବେ ଦେଢ଼ପଇସା ନେଇ ଖଣ୍ଡେ ଦିଅ । ସବୁଥିରେ ତ ନିଆଁ ଲାଗିଲା, ଆଉ ସେ କାହିଁକି ବାକୀ ଥାଆନ୍ତା ।

 

ପିଅନ–ଶୁଖୁଆ ମାଛ ପରି ତ ମୂଲଉଛୁ ଲୋ ମାଉସି ! ମୋ କଥା ସତ କି ମିଛ, ତୁ ଆଉ କାହାକୁ ପଚାରି ବୁଝ ।

 

ପାଣୁଆ ମା–ନା ବାପ, ଆଉ କାହାକୁ ପଚାରିଯିବି କାହିଁକି ? ହେଇଥିବ, ତମେ କଣ ମିଛ କହନ୍ତ ନା !

 

ପାଣୁଆ ମା ଦୁଇପଇସା ଦେଇ ପୋଷ୍ଟକାର୍ଡ ଖଣ୍ଡିଏ ନେଇ ଚାଲିଗଲା । ଏହି ସମୟରେ ନାଟୁ ବାରିକ ଆସି ପହଞ୍ଚିବାରୁ ପିଅନ କହିଲା–‘‘କି ବାରିକ ପୁଅ, ମାସେ ହେଲା ତ ଚିଠି ଦେଇ ପଠାଇଥିଲି, ଆଜିଯାଏ ପଇସାର ଦେଖା ନାହିଁ । ଆଚ୍ଛା ହେଉ, ଏଥର ଚିଠି ଆସିଲେ ମାସେ ରଖି ତେବେ ଯାଇ ଦେବି ।’’ ନାଟୁ ନେହୁରା ହୋଇ କହିଲା–‘‘ନା ବାବୁ, ତମକୁ ଜୁହାର ହଉଚି, ତମେ ଆସିଥିଲେ ପଇସା ନେଇଯାଇଥାଆନ୍ତ, କାହିଁ ମାସେ ହେଲା ତ ଆସି ନାହଁ । ନରି ପୁହାଣ ଯେଉଁ ଦିନ ଚିଠି ଆଣି ଦେଲା, ମୁଁ ସେହିଦିନ ଦିଅଣ ପଇସା ଠାକୁର ଅହ୍ମଣିଆଁ ପରି ଘୁଡ଼ିଆରେ ବାନ୍ଧି ରଖି ଦେଇଥିଲି; ଆଜି ତମ ଆସିବା ଶୁଣି ଘେନି କରି ଧାଇଁଚି । ଏହି ନିଅ ତମ ପଇସା ।’’ ନାଟୁ ଦୁଲଅଣିଟିଏ ପିଅନ ହାତରେ ଦେଲା । ପିଅନ ତାହା ନେଇ ବ୍ୟାଗ୍‌ରେ ପକାଇ ଦେଲା । ଅନନ୍ତର ପିଅନ ପଚାରିଲା–‘‘ବାରିକ ପୁଅ, ତମ ଗାଁରେ ରାମଚନ୍ଦ୍ର ଦାସ କିଏ ?’’

 

ନାଟୁ–ରାମଚନ୍ଦ୍ର ଦାସ ? ଏ ଗାଁରେ ଆଉ ରାମଚନ୍ଦ୍ର ଦାସ କିଏ ? ଆଉ କଉଁ ଗାଁ ହୋଇଥିବ ପରା ?

 

ପିଅନ–ନା, ଆଉ କଉଁ ଗାଁ ନୁହେଁ, ପ୍ରିୟପୁର ଗ୍ରାମ–ମଣ୍ଡାସାହି ପୋଷ୍ଟ ବୋଲି ସାଫ୍‌ ଲେଖାଅଛି । ଚିଠିଖଣ୍ଡ ବୃନ୍ଦାବନରୁ ଆସିଛି ।

 

ନାଟୁ–ହଁ, ହଁ, ଏବେ ବୁଝିଲି । ରାଧିକା ଦାସ ପୁଅ ରାମା ହୋଇଥିବ । ତାହାରି ବାପ ତ ବୃନ୍ଦାବନ ଯାଇଛି; ସେହି ଦେଇଥିବ । ରାମା ନିତେଇ ଦାସ ଘରେ ଅଛି; ତାଙ୍କ ଦୋକାନକୁ ଗଲେ ରାମାକୁ ଦେଖିବ ।

 

ତହୁଁ ପିଅନ ବ୍ୟାଗ୍‌କାନ୍ଧରେ ପକାଇ କଲମଟା କାନରେ ଖୋସିଦେଇ ନିତେଇ ଦାସଙ୍କ ଦୋକାନ ଆଡ଼କୁ ଗଲା । ସେ ଦିନ ଦାସଙ୍କର ଦୋକାନ ବନ୍ଦ; ସେ ରାମାକୁ ସଙ୍ଗରେ ଘେନି ଅନ୍ୟ ଗ୍ରାମକୁ ମହୋତ୍ସବ ନିମନ୍ତ୍ରଣରେ ଯାଇଥିଲେ । ଦୋକାନରେ କୁଞ୍ଚି ପଡ଼ିଥିବାର ଦେଖି ପିଅନ ଚିଠି ଖଣ୍ଡିକ କବାଟ ଫାଙ୍କରେ ଘର ଭିତରକୁ ପକାଇ ଦେଇ ଚାଲିଗଲା ।

Image

 

Unknown

ପଞ୍ଚମ ପରିଚ୍ଛେଦ

 

ରାତି ପାହି ଆସିଲା । ସପ୍ତର୍ଷିମଣ୍ଡଳୀ ଦେବକାସାର ମାନସସରୋବରରୁ ଯଜ୍ଞପୂତ ହସ୍ତରେ ସୁବର୍ଣ୍ଣ କମଳ ତୋଳି ନେଇ ବ୍ରହ୍ମପୂଜା ସମାଧାନପୂର୍ବକ ତପସ୍ୟାର୍ଥେ କେଉଁ ଅଜ୍ଞାତ ତପୋବନ ଉଦ୍ଦେଶ୍ୟରେ ଯାତ୍ରା କଲେ । ସେମାନଙ୍କ ପୂଜା ପୁଷ୍ପ ପ୍ରାଚୀମୂଳରେ ଉଷାର ମୁକୁଟମଣି ପ୍ରାୟ ପ୍ରତିଭାତ ହେଲା । ରାତ୍ରିର ପଣତଖଚିତ ଶତଶତ ମଣିମୁକ୍ତାପ୍ରାୟ ତାରକାରାଜି କେଉଁଆଡ଼େ ଝଡ଼ିପଡ଼ିଲେ । ଦେବ କରୁଣା ସମୀରଣରୂପ ଧରି ଶୀତଳ ଆଶୀର୍ବାଦ ବିତରଣରେ ସହସ୍ରହସ୍ତ ହୋଇ ସର୍ବତ୍ର ବିଚରଣ କଲା । ଧରଣୀ-ବଦନରେ କୋଟି ଲାବଣ୍ୟଶ୍ରୀ ଫୁଟି ଉଠିଲା । ନବରାଜରୂପେ ନବ ଦିନମଣି ସପ୍ତାଶ୍ୱଯୋଜିତ ରଥରେ ବସି ଦିଗ୍‌ବିଜୟାର୍ଥେ ବହିର୍ଗତ ହେଲେ । ବିହଗ ବିଶ୍ୱବଛଳରେ ତାଙ୍କର ବିଜୟବାଦ୍ୟ ଏକତାନ ସ୍ୱରରେ ବାଜି ଉଠିଲା । ସୁଖମୟ ପୁଣ୍ୟପ୍ରଭାତ ଦିବସର ହିରଣ୍ମୟ ଦୀପ୍ତିରେ ବୁଡ଼ିଗଲା ।

 

ନିତେଇ ସକାଳୁ ଉଠି ଦାନ୍ତପତ୍ର ଘଷି ଦୋକାନକୁ ଗଲେ । ଦ୍ୱାର ଖୋଲିବା ମାତ୍ରେ ଚିଠିଖଣ୍ଡକ ତାଙ୍କ ଦୃଷ୍ଟିରେ ପଡ଼ିଲା । ସେ ତାହା ଉଠାଇ ନେଇ ପାଠ କରିବାକୁ ଲାଗିଲେ । ଚିଠିଖଣ୍ଡ କୁଳିପଦା ମହନ୍ତଙ୍କ ଦ୍ୱାରା ରାମା ନାମରେ ଲିଖିତ । ସେଥିରେ ଅନ୍ୟ କିଛି ନାହିଁ; କେବଳ ଏତିକି ଲେଖାଅଛି ଯେ–‘‘ରାମ, ବଡ଼ ଦୁଃଖର କଥା–ଏହି ମାସ ତେର ଦିନ ମଙ୍ଗଳବାର ସକାଳେ ତୋର ପିତା ପେଟବିନ୍ଧା ରୋଗରେ ବୃନ୍ଦାବନ ଧାମରେ ଦେହତ୍ୟାଗ କଲେ । ତୋର ଜାଣିବା କାରଣ ଲେଖିଲୁଁ; ତୁ ବିଧିମତ ଅଶୌଚ ଧାରଣ କରିବୁ ।’’ ଦାସେ ଚିଠିଖଣ୍ଡ ଥରେ ପଢ଼ିଲେ–ଦୁଇ ଥର ପଢ଼ିଲେ–ତିନି ଥର ପଢ଼ିଲେ–ପୁଣି ଆଉ ଥରେ ପଢ଼ିଲେ । ଏହିପରି ଯେତେ ଥର ପଢ଼ିଲେ, ପ୍ରତିଥର ତାଙ୍କ ମୁଖମଣ୍ଡଳରୁ ହର୍ଷର ଦୀପ୍ତି ଝଡ଼ି ପଡ଼ୁଥାଏ । ଶେଷରେ ଦୋକାନ ବନ୍ଦ କରି ସେ ଏହି ଶୁଭସମ୍ୱାଦ ପ୍ରଣୟିନୀଙ୍କ କର୍ଣ୍ଣଗୋଚର କରିବା ସକାଶେ ଗୃହାଭିମୁଖରେ ଧାବିତ ହେଲେ । ଗୃହରେ ପହୁଞ୍ଚି ଦେଖିଲେ, ଉଷା ସୁନ୍ଦରୀ ବାସନମଜାରେ ନିଯୁକ୍ତ ଅଛନ୍ତି । ଦାସେ ପଚାରିଲେ–‘ରାମା କାହିଁ ?’ ଉଷା ପଛକୁ ଫେରି ଅନାଇ କହିଲେ–‘ସେ ମୁଢ଼ି ପାଇଁ ଗୁଡ଼ିଆଘରକୁ ଯାଇଛି । କି, କାହିଁକି ?’ ଦାସେ ପତ୍ନୀଙ୍କ ପାଖରେ ବସି ପଡ଼ି ଚାରିଆଡ଼କୁ ଚାହିଁ ଦେଇ ମୃଦୁସ୍ୱରରେ କହିଲେ–‘ଶୁଣିଲଣି ଗୋଟାଏ କଥା ?’

 

ଉଷା–କି କଥା ?

 

ଦାସେ–ସଙ୍ଗାତଙ୍କର କାଳ ହୋଇଗଲା ।

 

ଉଷା–ସତେ ?

 

ଦାସେ–ଏହି ପରା, ମହନ୍ତ ଚିଠି ଲେଖିଛନ୍ତି ବୃନ୍ଦାବନରୁ ।

 

ଏହା କହି ଚିଠିଖଣ୍ଡ ଆମୂଳଚୂଳ ପଢ଼ିଗଲେ । ଉଷା ଦୁଇ ତିନି ଥର ‘‘ଚୁ ଚୁ” କରି ବାହାରେ ଟିକିଏ ବିଷାଦ ପ୍ରକାଶପୂର୍ବକ କହିଲେ–ମୁଁ କହୁଥିଲି ପରା, ଏ ବୁଢ଼ାକାଳରେ କି ଆଉ ବୁଲାଚଲା ଦେହରେ ସହିବ ?’’

 

ଦାସେ–ତମ କାଳତୁଣ୍ଡରୁ ଯାହା ବାହାରିଥିଲା, ସେହି କଥା ଘଟିଲା ।

 

ଉଷା–ମୁଁ କଅଣ କାଳତୁଣ୍ଡୀ ? ଆଚ୍ଛା ହଉ, କାଳତୁଣ୍ଡୀ କଥା ପଛକୁ ବୁଝିବ ।

 

ଏହା କହି ସ୍ୱାମୀଙ୍କ ମୁଖକୁ ଚାହିଁ ଟିକିଏ ହସି ଦେଲେ । ଦାସଙ୍କ ମୁହଁରୁ ସୁଦ୍ଧା ଟିକିଏ ଚୋରା ହସ ବାହାରି ପଡ଼ିଲା । ଏହି ସମୟରେ ରାମା ଆସି ପହୁଞ୍ଚିବାରୁ ଉଭୟେ ମୁଖ ଗମ୍ଭୀର କରି ବସି ରହିଲେ । କିଛିକ୍ଷଣ ନୀରବରେ ଅତିବାହିତ ହେଲା । ପରେ ଉଷା ପଁ କରି ଗୋଟାଏ କପଟ ଦୀର୍ଘଶ୍ୱାସ ତ୍ୟାଗ କରି କହିଲେ–‘‘ସେ ପୁଣ୍ୟବନ୍ତ, ତୀର୍ଥରେ ତାଙ୍କର ମରିବାର ଯୋଗ ଥିଲା-। ଆଉ କାହାର କଅଣ ଯିବ–ପିଲାଟା ମଝି ଦରିଆରେ ଭାସିଲା ।’’ ରାମା କିଛି ବୁଝି ନ ପାରି ପଚାରିଲା,–‘‘ମାଉସି ! କିଏ ମଲା ?’’ ଦାସେ ଚିଠିଖଣ୍ଡିକ ତାହା ପାଖକୁ ପକାଇ ଦେଇ କହିଲେ–‘‘ନେ ରେ ବାପ ପଢ଼ ।’’ ରାମ ଚିଠି ପଢ଼ିସାରି ଧଡ଼ କରି ବସିପଡ଼ିଲା । ଅଣ୍ଟିରେ ଥିବା ମୁଢ଼ି ବୁଣି ହୋଇ ପଡ଼ିଲା । ତାହା ମୁଣ୍ଡରେ ଆକାଶ ଭାଙ୍ଗି ପଡ଼ିଲା । ଶୋକର ଶତଦୃଶ୍ଚିକଦଂଶନରେ ହୃଦୟ ଜଳିଗଲା । ପୁତ୍ର ପକ୍ଷରେ ପିତୃଶୋକଠାରୁ ବଳି ଭୀଷଣ ଶୋକ ଆଉ କଅଣ ଅଛି ? ତାହାର ଦେହ ଘନ ଘନ ଶୀତେଇ ଉଠିଲା–ଆଖି ଆଗରୁ ଦିବସର ଆଲୁଅ କିଏ ଲିଭାଇ ଦେଲା । ସେ କାନ୍ଦିବାକୁ ଇଚ୍ଛା କଲା; ମାତ୍ର କାନ୍ଦି ପାରିଲା ନାହିଁ । ଯେପରି ତାହାର ଚକ୍ଷୁରୁ କିଏ ଲୋତକ ହରି ନେଇଗଲା । ଗ୍ରୀଷ୍ମ ନଦୀସ୍ରୋତ ପ୍ରାୟ ଶୋକର ତୀବ୍ରଉତ୍ତାପରେ ଅଶ୍ରୁଝର ଶୁଷ୍‌କ ହୋଇଗଲା । ଯେ ସଂସାରରେ ନିଃସଙ୍ଗ, ନିଃସହାୟ । ଯାହାର ଦୁଃଖରେ ଆହା ବୋଲିବାକୁ କେହି ନାହିଁ, ଯାହାକୁ ସମସ୍ତେ ଛାଡ଼ି ଚାଲିଗଲେ, ତାହାକୁ ଅଶ୍ରୁ ବା ଛାଡ଼ି ନ ଯିବ କାହିଁକି? ଆକସ୍ମିକ ଆଘାତର ବେଗ ସହ୍ୟ କରିବା ବୟସ୍କ ଲୋକ ପକ୍ଷରେ ବଡ଼ କଠିନ; କୋମଳପ୍ରାଣ ବାଳକର ତ କଥାହିଁ ନାହିଁ । ଅବ୍ୟକ୍ତ ଯାତନାରେ ତାହାର ଛାତି ଫାଟିଗଲା, ତାହାର ମୃତ ପିତା ଛାୟାମୂର୍ତ୍ତି ଧରି ଦୃଷ୍ଟି ସମକ୍ଷରେ ଘୁରି ବୁଲିଲା । କେଉଁଠୁ ଏ ଦାରୁଣ ଶୋକ ଆସି ତାହାର ଜୀବନର ଗତିକୁ ଓଲଟପାଲଟ କରିଦେଲା । ସଂସାରରେ ତାହାର ଅବଲମ୍ୱନ କଣ ଅଛି-? ନୀରବରୋଦନରେ ସେ ନିଜର ବକ୍ଷ ନିଜେ ବିଦାରି ପକାଇଲା । ଚନ୍ଦ୍ରକୁ ମେଘ ଢାଙ୍କିଲାପ୍ରାୟ ଶୋକର ଗଭୀର କାଳିମା ତାହାର ବାଳ ଲାବଣ୍ୟଶ୍ରୀ ବୁଡ଼ାଇ ଦେଲା । ସେ ଗୋଟାଏ ଦୀର୍ଘଶ୍ୱାସ ତ୍ୟାଗ କଲା । ସେ ତପ୍ତଶ୍ୱାସରେ ଯେଉଁ ଅସହ୍ୟ ବିଜଡ଼ିତ ଥିଲା,ତାହା କିଏ ଜାଣିବ ? ବାଳକର କୋମଳ ପ୍ରାଣ ଆଉ କେତେ ସହିବ ? ଦେଖୁ ଦେଖୁ ସେ ମୂର୍ଚ୍ଛିତ ହୋଇ ତଳେ ଢଳି ପଡ଼ିଲା । ହାୟ, ଗ୍ରୀଷ୍ମର ଅନଳଶ୍ୱାସରେ ପୁଷ୍ପ ପ୍ରାୟ ଶୋକର ତପ୍ତଶ୍ୱାସରେ ବାଳକଟି ଝାଉଁଳି ପଡ଼ିଲା ।

 

ଦାସେ ରାମାକୁ ଉଠାଇ ବସାଇଲେ । ଉଷା ପାଣି ଆଣି ତାହା ମୁହଁକୁ ଛାଟିଲେ । ରାମା କେତେ କ୍ଷଣ ପରେ ଆଖି ମେଲି ଚାହିଁଲା; କିନ୍ତୁ ମୂର୍ଚ୍ଛା ତାହା ପକ୍ଷରେ ଭଲ ଥିଲା । ମୂର୍ଚ୍ଛାପରି ଦୁଃଖୀର ଦୁଃଖହର ଔଷଧ ଆଉ କିଛି ନାହିଁ । ମାତୃକୋଳରେ ପୀଡ଼ିତ ଶିଶୁ ପୀଡ଼ା ଭୁଲିଲା ପ୍ରାୟ ମୂର୍ଚ୍ଛା–କୋଳରେ ଦୁଃଖୀ ସମସ୍ତ ଦୁଃଖଯନ୍ତ୍ରଣା ଭୁଲିଯାଏ। ମୁର୍ଚ୍ଛାର ସ୍ପର୍ଶରେ କଅଣ ଅଛି କେଜାଣି, ସେଥିରେ ଦୁଃଖୀ ଯେପରି ଶାନ୍ତିଲାଭ କରେ, ବୋଧହୁଏ ସ୍ୱର୍ଗରେ ସେପରି ଶାନ୍ତିଲାଭର ସ୍ଥାନ ନାହିଁ-। ମୂର୍ଚ୍ଛାଭଙ୍ଗ ସଙ୍ଗେ ସଙ୍ଗେ ରାମାର ସୁପ୍ତଶୋକ ଚେଇଁ ଉଠିଲା । ବନ୍ଧ ଭାଙ୍ଗିଗଲେ ରୁଦ୍ଧ ଜଳସ୍ରୋତ ଯେପରି ପ୍ରବଳ ବେଗରେ ବହି ଆସେ, ତାହାର ନୟନରୁ ଅଶ୍ରୁଧାରା ସେପରି ଅସମ୍ଭାଳବେଗରେ ବହି ଆସିଲା । ସେ ଘଡ଼ିଏ ଯାଏ ଧକେଇ ହୋଇ ଖୁବ୍‌ କାନ୍ଦିଲା–କାନ୍ଦିକାନ୍ଦି ନିସ୍ତେଜ ହୋଇପଡ଼ିଲା-। ଶୋକର ପ୍ରଥମ ବେଗ ଟିକିଏ ଊଣା ହୋଇ ଆସିଲା; କିନ୍ତୁ ସଂପୂର୍ଣ୍ଣ ତିରୋହିତ ହେଲା ନାହିଁ । ଦମକା ତୋଫାନ ପରି ରହି ରହି ଥରେ ଥରେ ପ୍ରବଳ ହୋଇ ଉଠୁଥାଏ-। ଯେପରି ତାହା କଲିଜାରେ କିଏ ମୁହୁର୍ମୁହୁ ପ୍ରତପ୍ତ ଲୌହର ଚେଙ୍କା ଲଗାଇ ଦେଉଅଛି । ଉଷା ପ୍ରବୋଧ ଦେଇ କହିଲେ–‘‘ଆଉ କାନ୍ଦିଲେ କଅଣ ହେବ ରେ ବାପ, କାହାର ବାପ ମା ସବୁଦିନନେ ବଞ୍ଚି ରହିଲେଣି, ନା ରହିବେ । ମୁଣ୍ଡ କୋଡ଼ି ହୋଇ ଫଟାଇ ଦେଲେ କି ମଲା ମଣିଷ ବଞ୍ଚି ମଶାଣିପଦାରୁ ଉଠିଆସିବ ନାହିଁ । ତୁ ତ ବାର ତେର ବର୍ଷର ହେଲୁଣି, ମୁଣ୍ଡକୁ ହାତ ପାଇ ଆସିଲାଣି, ତୋର ପେଟ କଅଣ ଅପେକ୍ଷା ରହିବ ? ତୁ ହେମତ ଧର । ଆଉ ଇମିତି ହେଲେ କଅଣ ହେବ ?’’ ଦାରୁଣଶୋକ କିଏ ପ୍ରବୋଧ ମାନିବ? ଉତ୍‌କୂଳ ବନ୍ୟାସ୍ରୋତ କି ବାଲି ବନ୍ଧରେ ସମ୍ଭାଳି ହେବ ? ଶ୍ଳୋକର ଶାନ୍ତି ସାନ୍ତ୍ୱନାରେ ନୁହେଁ–ଅଶ୍ରୁରେ । ଦୁଃଖୀ ପକ୍ଷରେ ଅଶ୍ରୁ ବିଧାତାର ଦୟାର ଦାନ । ଅଶ୍ରୁ ଦୁଃଖ ଦେବାପାଇଁ ମସେ ନାହିଁ–ଦୁଃଖ ହରିବା ପାଇଁ ଆସେ । ଅଶ୍ରୁରେ ଯାତନା ଧୋଇ ଯାଏ । ଅଶ୍ରୁ ନ ଥିଲେ ଶୋକ ଦୁଃଖର ଅସହ୍ୟ ଗୁରୁଭାରରେ ମାନବ ହୃଦୟ ଖଣ୍ଡ ଖଣ୍ଡ ହୋଇ ଫାଟିଯାନ୍ତା-। ଅଶ୍ରୁପରି ବିପଦ୍‌ବନ୍ଧୁ ଜଗତରେ ଆଉ କେହି ନାହିଁ । ରୋଗରେ, ଶୋକରେ, ବିପଦରେ ସେ ବଳେ ବଳେ ଆସି ସାନ୍ତ୍ୱନା ଦିଏ । ସେ ମାନବର ମହାହିତୈଷୀ; ତାହାର ଋଣ ମାନବ ବହୁ ଜନ୍ମରେ ପରିଷୋଧ କରିପାରିବ ନାହିଁ । ଅଶ୍ରୁ ଦେବତା । ସଦ୍ୟ–ପିତୃହୀନ ବାଳକ ରାମା ବିସ୍ତର କାନ୍ଦିଲ; ସେଥିରେ ତାହାର ଦୁର୍ବହ ହୃଦୟଭରା କ୍ରମଶଃ ଲଘୁ ହୋଇ ଆସିଲା । ମନ୍ତ୍ରଦ୍ୱାରା ସର୍ପବିଷ ଓହ୍ଲାଇ ଗଲା ପରି କ୍ରନ୍ଦନଦ୍ୱାରା ତାହାର ଶୋକ ଧୀରେ ଧୀରେ ଓହ୍ଲାଇ ଆସିଲା । ପ୍ରଥମ ଦିନର ଶୋକ ଦ୍ୱିତୀୟ ଦିନକୁ ତେତେ ରହିଲା ନାହିଁ; ତୃତୀୟ ଦିନ ଆହୁରି ଊଣା ହୋଇ ଆସିଲା । ମାନବ ସ୍ୱଭାବ ଏହିପରି; ସେଥିରେ ଶୋକ ସ୍ଥାୟୀ ହୋଇ ରହି ପାରେ ନାହିଁ । ମାନବ ଯଥାସମୟରେ ଶୋକଜଗତରୁ ବାସ୍ତବଜଗତକୁ ଫେରି ଆସେ । ବାତ୍ୟା–ଭୀଷଣ ଅମାନିଶାର ଅବସାନରେ ଯେପରି ପ୍ରାଚୀଦିଗରେ ଉଷାର ପଙ୍କଜ ପାଟଳମୂର୍ତ୍ତି ଫୁଟି ଉଠେ, ସେହିପରି ମାନବର ଶୋକାନ୍ଧକାର ହୃଦୟରେ ଆଶାର ଆଲୋକ ଫୁଟି ଉଠେ । ଶୋକ ଦୁଃଖର ଆତିଶଯ୍ୟରେ ମାନବ ଆତ୍ମହତ୍ୟା କରିବାକୁ ବସେ; ମାତ୍ର ପାରେ ନାହିଁ । ସଂସାରରେ କେହି ସହଜରେ ମରିବାକୁ ଇଚ୍ଛା କରେ ନାହିଁ–ଅତି ବଡ଼ ଦୁଃଖୀ ସୁଦ୍ଧା ନୁହେ । ସଂସାରର ଆକର୍ଷଣ ତାହାକୁ ଟାଣି ଧରେ । ଯାହାର କିଛି ମାତ୍ର ଅବଲମ୍ବନ ନାହିଁ–ସଂସାର ଯାହା ପକ୍ଷରେ ଅଗ୍ନିମୟୀ ମରୁଭୁମି ତୁଲ୍ୟ, ସେ ସୁଦ୍ଧା ମରିବାକୁ ଇଚ୍ଛା କରେ ନାହିଁ । ଯମ ଯାହାର କଣ୍ଠ ପର୍ଯ୍ୟନ୍ତ ଗ୍ରାସ କରି ପକାଏ, ସେହି ପରଲୋକର ଯାତ୍ରୀ ସୁଦ୍ଧା ମରିବାକୁ ମନ ବଳାଏ ନାହିଁ । ଯଦି କେହି ମରିବାକୁ ଇଚ୍ଛା କରେ, ତେବେ ତାହା ରୋଗ, ଶୋକ ଦାରିଦ୍ର୍ୟ ବା ଅଭିମାନର କ୍ଷଣିକ ଉତ୍ତେଜନା ମାତ୍ର । ଆଶା ତାହାର ହାତ ଧରି ମରଣପଥରୁ ଟାଣିଆଣେ । ଲୋକେ ଯେଉଁ ମାଟିରେ ପଡ଼ନ୍ତି, ସେହି ମାଟି ଧରି ଉଠନ୍ତି । ଆଶା କହେ–‘‘ଫେରିଆ, ଫେରିଆ, ଦୁର୍ଲଭ ମାନବ ଜନ୍ମ ହରାଇ ବ ସନା । ଆଜି ଦୁଃଖ ସହିଲେ କାଲି ସୁଖ ପାଇବୁ ।’’ ଆଶା ସିନା ମାନବ ଜୀବନର ଭାର ବହନ କରେ । ଜୀବନ ଯେଡ଼େ ଦୁଃଖମୟ ହେଉ ପଛେ ତାହା କେହି ଦୁର୍ବହ ମଣେ ନାହିଁ ।

 

ରାମାର ପିତୃଶ୍ରାଦ୍ଧ ହୋଇଗଲାଣି । ଗ୍ରାମବାସୀ ଏବଂ ମଉସାଙ୍କ ସାହାଯ୍ୟରେ କାମଟା ଊଣା ଅଧିକରେ ଚଳିଗଲା । ରାମା ମନରେ ଯଥେଷ୍ଟ ସାନ୍ତ୍ୱନା ମଧ୍ୟ ଆସିଲାଣି । ତାହା ଦୃଷ୍ଟିପଥରେ ଅତୀତର ଯବନିକା ଟଣାହୋଇ ଯାଇଅଛି । ବର୍ତ୍ତମାନ ସେ ଆଉ ଶୋକପିତୁଳା ନୁହେଁ–ତାହା ମୁଖମଣ୍ଡଳରୁ ଶୋକର ଛାୟା ଅପସୃତ ହୋଇ ପୁର୍ବପରି ହର୍ଷର ରେଖାପାତ ହେଲାଣି-। ଜଗତରେ ସମସ୍ତଙ୍କର ଏହିପରି ହୋଇଥାଏ । ଶୋକର ବିସ୍ତୃତି ଆସେ । ଶୋକର ବିସ୍ତୃତି ନ ଥିଲେ ମାନବସୃଷ୍ଟି କେଉଁ କାଳରୁ ଲୋପ ପାଇ ସାରନ୍ତାଣି ଯେଉଁ ପ୍ରକୃତି ଶୋକ ଆଣିଦିଏ, ବିସ୍ତୃତି ସୁଦ୍ଧା ସେହି ଆଣି ଦିଏ । ‘‘ମୁତ୍ୟୁକୋଳରେ ଜୀବନ ଏବଂ ଜୀବନ ବକ୍ଷରେ ମୁତ୍ୟୁର ଛାୟା’’ ଏହା ଜାଣି ସୁଦ୍ଧା ଲୋକେ ସ୍ୱଜନବିଯୋଗରେ ଶୋକ କରନ୍ତି; ମାତ୍ର ସେ ଶୋକ କ୍ଷଣିକ । ପାଣିରେ ଲୁଣ ପରି ଅନ୍ତ୍ୟେଷ୍ଟି ପରେ ତାହା ମିଳେଇଯାଏ । ମନୁଷ୍ୟ ଜାତି ବଡ଼ ଅକୃତଜ୍ଞ; ତାହାର ଶ୍ରଦ୍ଧା ଭକ୍ତି ସୃତିପୂଜା ପ୍ରଭୃତି ପାଣିରେ ଗାର । ସେ ମୂର୍ତ୍ତି ସଙ୍ଗେ ସଙ୍ଗେ ସ୍ମୃତିକୁ ବିସର୍ଜନ ଦିଏ । ଜୀବିତକାଳରେ ଯେ ପ୍ରାଣର ପ୍ରାଣ ଥାଏ, ମୃତ୍ୟୁ ପରେ ସେ ପରଠାରୁ ପର ହୁଏ । ଏତିରେ ପୁଣି ସଂସାରରେ ମାୟାମମତା ପ୍ରବଳ । ଯେଉଁ ମାୟାମମତା ଲାଳସା–ମିଶ୍ରିତ, ତାହା ଅସ୍ଥାୟୀ ଏବଂ ବ୍ୟର୍ଥ। ଲାଳସା, ସ୍ନେହ ଏବଂ ପ୍ରେମକୁ ଅପବିତ୍ର କରେ ।

 

ଶୋକ ମନୁଷ୍ୟକୁ ଦଗ୍‌ଧ କରିବାକୁ ଆସେ ନାହିଁ–ଶିକ୍ଷା ଦେବାକୁ ଆସେ । ଶୋକ ପରି ଶିକ୍ଷକ ଆଉ ନାହିଁ। ଶୋକ ଉଦ୍ଧତକୁ ଶାନ୍ତ କରେ–କ୍ରୋଧୀକୁ ଶୀତଳ କରେ–ଅସଂଯତକୁ ସଂଜତ କରେ ଅଳ, ସବୁ କର୍ମୀ କରେ ଏବଂ ପରମୁଖାପେକ୍ଷୀକୁ ସ୍ୱାବଲମ୍ବୀ କରେ । ସ୍ଥୂଳତଃ ଶୋକ ମାନବ ପ୍ରକୃତିକୁ ଭାଙ୍ଗି ଦେଇ ନୂତନ ପ୍ରକାରରେ ଗଢ଼ି ଦିଏ, ଚରିତ୍ରକୁ ନିର୍ଦ୍ଦୋଷତା ଆଡ଼କୁ ଘେନିଯାଏ । ସେହି ଶୋକ ରାମାକୁ ସ୍ୱାବଲମ୍ବନ ଏବଂ ସାହସର ଦୀକ୍ଷା ଦେଇ ଯାଇଅଛି । ବର୍ତ୍ତମାନ ତାହାର ସ୍ଫୂର୍ତ୍ତି ଦେଖିଲେ ଏହା ସହଜରେ ପ୍ରତୀୟମାନ ହୁଏ । ରାମାର କାର୍ଯ୍ୟର ମଧ୍ୟ ଯଥେଷ୍ଟ ଉନ୍ନତି ଘଟିଅଛି, ଅର୍ଥାତ୍‌ ସେହି ବିଷୟରେ ସେ କ୍ଳାସ ପ୍ରମୋସନ ପାଇଅଛି । ବର୍ତ୍ତମାନ ସଉଦା ବହିବା, ଦୋକାନ ଜଗିବା ଏବଂ ଝିଅ କାଖେଇବାରେ ତାହାର କର୍ତ୍ତବ୍ୟ ସୀମାବଦ୍ଧ ନୁହେଁ । ଚାଉଳ ଧୋଇ ଆଣିବା, ପୋଖରୀରୁ ପାଣି ବହି ଆଣିବା ପ୍ରଭୃତି କେତେକ ନୁତନ କାର୍ଯ୍ୟର ଭାରବହନରେ ତାହାର କର୍ତ୍ତବ୍ୟର ସୀମା ବିସ୍ତାର ବିସ୍ତୃତ ହୋଇଅଛି । ତାହାର ହସ୍ତାକ୍ଷରଗୁଡ଼ିକ ମୁକ୍ତା ପରି ଗୋଲ ଏବଂ ସୁନ୍ଦର । ପ୍ରତ୍ୟହ ସନ୍ଧ୍ୟାବେଳେ ଦାସେ ତାହାଦ୍ୱାରା ଦୋକାନରେ କାଳିସଉଦାର ଫର୍ଦ୍ଦ ଲେଖାଇ ରଖନ୍ତି । ମଉସା ପୁତୁରା ମଧ୍ୟରେ ଅନେକ କଥା ହୁଏ । ତାହା ଅନ୍ୟ କିଛି ନୁହେଁ–କେବଳ ପରନିନ୍ଦା, ପରକୁତ୍ସା ଇତ୍ୟାଦି ସତ୍‌ ପ୍ରସଙ୍ଗ । ରାମାକୁ ତାହା ଭଲ ନ ଲାଗିଲେ ସୁଦ୍ଧା ସେ ଶୁଣିବାକୁ ବାଧ୍ୟ । ସମୟ ସମୟରେ ମଉସା ସଦୁପଦେଶ ଦିଅନ୍ତି । ପ୍ରତିବେଶୀ ପତ୍ରରେ ଏହା ଦିଅ, ତାହା ଦିଅ ବୋଲି କହି କୌଶଳରେ ନିଜର ଉଦ୍ଦେଶ୍ୟ ସିଦ୍ଧ କଲା ପରି କହନ୍ତି–‘‘ରାମା, ଆମ ଗାଁ ଟୋକାଗୁଡ଼ାକ ବେଶି ଖାଇ ଅଳସୁଆ ଆଉ ରୋଗା ହୋଇ ଯାଉଛନ୍ତି । ଅଧୁକଗୁଡ଼ାଏ ଖାଇବା ଭଲ ନୁହେଁସେଥିରେ ଦେହ ମାଟି ହୋଇଯାଏ ସିନା ! ଯେଉଁମାନେ ବହୁତ ଗିଳନ୍ତି, ସେମାନେ ଚଞ୍ଚଳ ମରିଯାନ୍ତି । ମୋ ଖାଇବା ତ ତୁ ରୋଜ ଦେଖୁଛୁ; ଚାଉଳ ତିନି ମୁଠାର ଭାତ ହେଲେ ମୋର ଢେର ।’’ ରାମା ମନେ ମନେ କହେ–‘‘ହଁ, ତମେ ଅଳ୍‌ପ ଅଧାରୀ; ତମ ଭାତ ଥାଳିକି ତ ବିରାଡ଼ି ଡେଇଁ ପାରିବ ନାହିଁ ।’’ କିନ୍ତୁ ପ୍ରକାଶ୍ୟରେ କିଛି କହେ ନାହିଁ । ମଉସାଙ୍କ ଲଙ୍ଗିତ ଯେ, ରାମାକୁ ଅଳ୍‌ପ ଖାଇବା ପାଇଁ ପ୍ରବର୍ତ୍ତନା, ତାହା ସେ ବୁଝିପାରେ । ପାନ ଖାଇଲେ ଦାନ୍ତ ପଡ଼ିଯାଏ, ତେଲ ଲଗାଇ ଗାଧୋଇଲେ ଲୁଗାରେ ତେଲଚିଟା ଲାଗି ଗନ୍ଧାଏ ଏବଂ ଲୁଗା ମଇଳା ହୋଇ ଅଳ୍‌ପଦିନରେ ଚିରିଯାଏ । ପିଠା, ମିଠା ବା ମାଛ ବଡ଼ ଗରିଷ୍ଠ ପଦାର୍ଥ; କେବଳ ପାଣି ନିର୍ଦ୍ଦୋଷ । ତାହା ଯେତେ ପିଇବ, ତେତେ ଉପକାର; ଯେହେତୁ ତାହା ଅକୀଣା ପଦାର୍ଥ । ଏହିପରି ଅନେକ ମୂଲ୍ୟବାନ୍‌ ଉପଦେଶଦ୍ୱାରା ମଉସା ଅନୁଗ୍ରହ କରି ପ୍ରତ୍ୟହ ରାମାର କର୍ଣ୍ଣ ପବିତ୍ର କରନ୍ତି ।

 

ଦିନେ କଥାପ୍ରସଙ୍ଗରେ ଉଷା ସ୍ୱାମୀଙ୍କୁ ପଚାରିଲେ–‘‘ସଙ୍ଗାତ ଯେ ତମ ଘରେ ଟଙ୍କା ରଖି ଯାଇଛନ୍ତି, ଏ କଥା ତମେ ରାମାକୁ କହିଛି କି ?’’ ଦାସେ କହିଲେ–‘‘ନା, ତାକୁ କହିବାକୁ ତା ବାପ ମନା କରି ଯାଇଛି । କହିଥିଲା–ଏତେ ଟଙ୍କା ଅଛି ବୋଲି ଜାଣିଲେ ଖେପତ ! ଟୋକାଟାର ମନ ମୋଟା ହୋଇଯିବ । କି, ତମେ କାହିଁକି ଏହ ପଚାରୁଛ ?’’ ଉଷା କହିଲେ–‘‘ରାମା ଜାଣିଲେ ମାଗିବ ନାହିଁ କି ? ଗାଁରେ ରାଣ୍ଡେ ପୋଡ଼ାମୁହାଁମାନେ ତାକୁ କେତେ ବୁଦ୍ଧି ଦେବେ ।’’ ଦାସେ ସ୍ତ୍ରୀର ମନ ବଡ଼ିବାପାଇଁ କହିଲେ–‘‘ତାହାର ମାଲ ସେ ନେବ ନାହିଁ ? ପର ମାଲ ନେଲେ ଯେ ଅଧର୍ମ ହେବ ।’’ ଉଷା ସ୍ୱାମୀଙ୍କ ଉପରେ ଟିକିଏ ବିରକ୍ତ ହୋଇ କହିଲେ–‘‘କି, ତମେ ତାହା ଘରୁ ଚୋରି କରି ଆଣିଛି କି ଅଧର୍ମ ହେବ ?’’ ଦାସେ ସ୍ତ୍ରୀର ମନ ବୁଝିଲେ ଏବଂ ମନେ ମନେ କହିଲେ–‘‘ପ୍ରକୃତ ସହଧର୍ମିଣୀ’’ ଅନ୍ତରର ଟିକିଏ ଗମ୍ଭୀର ହୋଇ କହିଲେ ‘‘ତାହାର ବିତ କୋଡ଼ିହଣା ମାଲ ନୁହେଁ, ଚୋରିମାଲ ସିନା ।’’ କେହି କୌଣସି ଅନ୍ୟାୟ କାର୍ଯ୍ୟ କରି ବସିଲେ ସେ ଦୋଷ କଟାଇବାକୁ ଯୁକ୍ତିର ଅଭାବ ହୁଏ ନାହିଁ ତାହା ବ୍ୟର୍ଥ ଯୁକ୍ତି ହେଉ ବା ମନକୁ ଆଖି ଠାରିବା ହେଉ; ସେହି ଯୁକ୍ତିନ ଥିଲେ ମନୁଷ୍ୟ ଅନୁତାପରେ ଜଳିପୋଡ଼ି ମରନ୍ତା ।

 

ଉଷା–ଏଁ, ସେ ପରା ଚାକିରୀ କରିଥିଲା ?

 

ଦାସେ–ଚାକିରୀ କରି କେତେ ଦରମା ପାଉଥିଲା ଯେ, ନିଜେ ଚଳି–ଘର ଚଳାଇ ଆହୁରି ଏତେ ଟଙ୍କା ଜମା କରି ରଖିଥିଲା ! କୋଡ଼ିଏ ଶଗଡ଼ କାଠ ଦେଇ ଦଶ ଶଗଡ଼ ବୋଲି ଲେଖିଦିଏ; ଆଉ ଦଶ ଶଗଡ଼ର ଦାମ ନିଜେ ନିଏ । ଏହା ଚୋରି ନୁହେଁ ଆଉ କଅଣ ? ଲାଞ୍ଚ ଖାଇବା ଆଉ ଚୋରି କରିବା ଏକ କଥା । ମୁନିବର ଦାନା ଖାଇ ତାହାର କ୍ଷତି କରିବା ନିମତ୍କହାରାମୀ ନୁହେଁ କି ?

 

ଉଷା–ତେବେ ଅଧର୍ମ ହେବ ବୋଲି କାହିଁକି କହୁଥିଲା ? ଏ କାଳରେ ଧର୍ମ ଅଧର୍ମ କିଏ ମାନୁଛି ? ପର ଧନ ଘରେ ନ ପଶିଲେ କେହି ବଡ଼ ହୁଏ ନାହିଁ । ତମେ ସେ ଉଜୁଡ଼ା ବୁଦ୍ଧି ଛାଡ଼ି ସେହି ଟଙ୍କାରେ ବେପାର କର । ବିରି ଯେପରି ଶସ୍ତା ହୋଇଛି, କିଣି ରଖିଦେଲେ ପଛକୁ ଖୁବ୍‌ ଲାଭ ହେବ ।

 

ଦାସେ–ହଁ, ତାହା ଜାଣି ହେଲା; ଆଉ ରାମା କଥା କଅଣ କରାଯିବ ?

 

ଉଷା–ରାମା ଯିମିତି ଅଛି ସିମିତି ରହିବ, ଆଉ କଅଣ ? ବେପାର କଲେ ତ ଜଣେ ମଣିଷ ଦରକାର, ସେ ପୁଣି ପଇସା ନେବ । ରାମା ତ ଆଉ ପଇସା ନେବ ନାହିଁ–ମୁଠେ ଭାତ ଖାଇବ ସିନା । ସେହି କାମ ସେ କରୁ। ଆଉ ଗୋଟାଏ କଥା–ଘର କରି କେତେବେଳେ କଅଣ ଆପଦ-ବିପଦ ଘଟିବ, ଜଣେ ମଣିଷ ପାଖରେ ଥିଲେ କି ଭଲ ନୁହେଁ ?

 

ଦାସେ–ସେ ମୁଣ୍ଡ ମାଣ୍ଡି ରହିଲେ ସିନା !

 

ଉଷା–ନ ରହି ଆଉ କଉଁ ଗାତକୁ ଯିବ ? ମାକୁ ଖାଇଲା–ବାପକୁ ବି ତ ଖାଇଲା, ଆଉ କିଏ ଆଶ୍ରା ଭରସା ଅଛି ଯେ, କଉଁଠିକି ଯିବ ? ଯେବେ ଦୁଧ ଭାତରେ ତାହାର ଗଳା କୁଣ୍ଡେଇ ହେବ, ତେବେ ଗଲେ ଯିବ । ତେତେବେଳର କଥା ଦେଖାଯିବ । ଧାନ ଥିଲେ ତମ ଧାନ ଘର ଅଛିଆ ରହିବ, ନା ଚନ୍ଦେଇପାଣି ବିନା ଲୁଣ ଅମର ରହିବ ? ଭାତ ଥିଲେ କେତେ ଭାତୁଆ ଆସି ମିଳିବେ । ଏହି କଥାକୁ–‘‘ଏତେ ଡର ପଡ଼ିଛି, ନା ତେର ହାତ ଲମ୍ବ ଘର ପଡ଼ିଛି ।’’ ଆମ ଘରଠୁଁ ଆଉ କଉଁଠି ବେଶି ସୁଖ ପାଇବ ଯେ, ଯିବ ।

 

ଦାସେ–ହଁ, ସୁଦୁରା ମା, ତମେ ଯାହା କହିଲ ତାହା ଠିକ୍‌ । ଗଲେ ସେ ତା କପାଳ ଘେନି ଯିବ, ଆମର କଅଣ ନେଇଯିବ ? କଥାରେ କହନ୍ତି ପରା–‘‘ଯେଣେ ଯା, କପାଳ ଘେନି ବୁଲୁଥା ।’’ ବେଳେ ବେଳେ ତମେ ଯେଉଁ କଥା କୁହ, ତାହା ବେଦର ଗାର । ତମ ବୁଦ୍ଧି ଆଗର ମରଦଙ୍କ ବୁଦ୍ଧି ବି ସରି ନୁହେଁ ।

 

ଉଷା–ମିଣିପେ ପାଠ ପଢ଼ିଲେ ବୋଲି ତାଙ୍କର କଅଣ ବେଶୀ ବୁଦ୍ଧି ! ଉଷା ବୈଷ୍ଣବାଣୀ ସାମାନ୍ୟ ନୁହେଁ–ସାତଟା ମରଦର କାନ କାଟି ଛାଡ଼ି ଦେବ ।

 

ଦାସେ–ହଁ, ତାହା ତମେ କରିପାର; ସେକଥା କିଛି ବିଚିତ୍ର ନୁହେଁ । ସାତଟା କାହିଁକି, ସାତ ଗଣ୍ଡା ମରଦଙ୍କୁ ବି ପାଠ ପଢ଼େଇ ଛାଡ଼ି ଦେବ । ତମ ଜାତିଟା ଏକା ସେହିପରି ! ଘୋଡ଼ା ଚଢ଼ି ଜାଣୁଥିଲେ ତ ଯାଇ ଯୁଦ୍ଧ କରନ୍ତ; ଭାଗ୍ୟେ ସେ ବିଦ୍ୟାଟା ହାସଲ କରି ପାରି ନାହିଁ ।

 

ଉଷା–କି, ଏତେ ଗରଜ ପଡ଼ିଛି, ଘୋଡ଼ା ଚଢ଼ିବୁଁ କାହିଁକି ? ଖାଲିକି ତ କେହି ନାହିଁ । ତମେ କଟାରୀରେ ଯାହା କରି ନ ପାରିବ, ଆମେ କଟାକ୍ଷରେ ତାହା କରିଦେବୁଁ ।

 

ଦାସେ–ନ ଜାଣି ତମକୁ ବିଧାତା ସେ ବ୍ରହ୍ମାଣ୍ଡ ଦେଇଛି କି ? ମଣିଷ କି ଛାର, ସେ ଅସ୍ତ୍ରରେ ତମେ ଭୂତପ୍ରେତକୁ ବି ବଶ କରିପାର । ଢେର ବେଳ ହେଲାଣି; ଏବେ ଟିକିଏ ତେଲ ଦିଅ–ଗାଧୋଇ ଯାଏଁ ।

 

ଉଷା ତେଲଘଡ଼ି ଆଣି ସ୍ୱାମୀଙ୍କୁ ଦେଲେ । ଦାସେ ତେଲ ଲଗାଇ ଗାଧୋଇବାକୁ ଗଲେ-। ଉଷା କି କାର୍ଯ୍ୟ କରିବା ସକାଶେ ଗୃହାନ୍ତରକୁ ଗମନ କଲେ ।

Image

 

ଷଷ୍ଠ ପରିଚ୍ଛେଦ

 

ସ୍ତ୍ରୀଙ୍କର ପରାମର୍ଶାନୁସାରେ ଦାସେ ପାଞ୍ଚଶ ଟଙ୍କାର ବିରି କିଣିଲେ । ସେ ବର୍ଷ ବଙ୍ଗଦେଶରେ ବିରି ଫସଲ ଭଲ ହୋଇ ନ ଥିବାରୁ ମାରୁଆଡ଼ି ମହାଜନମାନେ ମୋଫସଲରୁ ବିରି କିଣି କଲିକତା ପଠାଇଲେ । ଦୁଇ ମାସ ପରେ ବିରି ଅତ୍ୟନ୍ତ ମହଙ୍ଗା ହୋଇଗଲା । ସେହି ସୁଯୋଗରେ ଦାସଙ୍କର ସଞ୍ଚିତ ବିରି ହଜାରେ ଟଙ୍କା ମୂଲ୍ୟରେ ବିକ୍ରୀତ ହୋଇଗଲା । ଏହି ଅପ୍ରତ୍ୟାଶିତ ଲାଭରେ ଦାସଙ୍କ ଛାତି କୁଣ୍ଢେ ମୋଟ ହୋଇଗଲା । ଉଷାସୁନ୍ଦରୀଙ୍କ ଗୋଡ଼ ତଳେ ପଡ଼ିଲା ନାହିଁ । ସେ ସ୍ୱାମୀଙ୍କୁ କହିଲେ–‘‘ଦେଖିଲେ, ମୋର ବୁଦ୍ଧିର ଜୋର ? ଏକାଥରକେ ପାଞ୍ଚଶ ଟଙ୍କା ଲାଭ । ତମ ଲେଖାରେ ମାଇପିଲୋକଗୁଡ଼ାକ କିଛି ନୁହନ୍ତି–ସେଗୁଡ଼ାକ ଖାଲି ଖାଇଭାଲୁ । ଏବେ ଜାଣେ ଯେ, ପାଠ ପଢ଼ି ନ ଥିଲେ ବି ମାଇପିଲୋକଙ୍କର ବୁଦ୍ଧି ଅଛି ।’’ ଦାସେ କହିଲେ–‘‘ତମର ବୁଦ୍ଧି ଥାଉ ପଛେ; ମାତ୍ର ତମରି ବୁଦ୍ଧିରେ ପରା ଜଗନ୍ନାଥ ମହାପ୍ରଭୁ ଖଣ୍ଡିଆ ।’’ ଉଷା କହିଲେ–‘‘ତମେ ଯେତେ ଠିକିଲେ ବି ମୁହଁଟାଣ ଛାଡ଼ି ନାହିଁ, ଏହା ତମ ପୁରୁଷ ଜାତିର ଲକ୍ଷଣ-।’’ ଉଭୟଙ୍କ ମଧ୍ୟରେ ଏହିପରି ଯୁକ୍ତିତର୍କ ପ୍ରଦର୍ଶନଦ୍ୱାରା ଗୋଟାଏ ମଧୁର ଦାଂପତ୍ୟ କଳହ ହୋଇଗଲା । ଦାସେ ମୁହଁରେ ଯାହା କହନ୍ତୁ; ମାତ୍ର ମନେ ମନେ ସ୍ତ୍ରୀ ବୁଦ୍ଧିର ପ୍ରଶଂସା ନ କରି ରହି ପାରିଲେ ନାହିଁ । ତହିଁ ପରବର୍ଷ ଦାସେ ବିରି ଚାଷୀମାନଙ୍କୁ ଆଗତୁରା କିଛି ଟଙ୍କା ଦେଇ ଅମଳ ବେଳେ ସୁଧର ସୁଧ କୃଷି ବିରି ଆଦାୟ କଲେ । ସେଥର ସୁଦ୍ଧା ତାଙ୍କର ଅଳ୍ପ ଲାଭ ହେଲା ନାହିଁ । ବ୍ୟବସାୟରେ ସେ କ୍ରମଶଃ ବଢ଼ିବାକୁ ଲାଗିଲେ । ଅନେକ ସମୟରେ ହ୍ରାସବୃଦ୍ଧିର ଗୋଟାଏ ଏକଚାଟିଆ କ୍ରମ ଦେଖାଯାଏ । ବଢ଼ିବାବେଳେ ସଂପତ୍ତି ବଢ଼ୁଥାଏ; ମାତ୍ର ଛିଡ଼ିବାକୁ ଆରମ୍ଭ କଲେ ଛିଡ଼ିବା ଅନୁବାର୍ଯ୍ୟ ହୁଏ । ଚନ୍ଦ୍ର ଶୁକ୍ଲପକ୍ଷରେ କ୍ରମଶଃ ବଢ଼ୁଥାଏ; ମାତ୍ର ବୃଦ୍ଧିର ଶେଷସୀମା ଛୁଇଁଲେ ସେହିଠାରୁ କ୍ଷୟ ହୋଇଆସେ । କ୍ଷୟ ଶେଷସୀମାରେ ପହୁଞ୍ଚିଲେ ପୁଣି ବୃଦ୍ଧି ଆରମ୍ଭ ହୁଏ, ଏହା ପ୍ରାକୃତିକ ନିୟମ । ଗ୍ରୀଷ୍ମତାପ–ତପ୍ତ ଜୀର୍ଣ୍ଣପତ୍ର ଶଷ୍‌କ ଶାଖାତରୁ, ବର୍ଷୀର ପ୍ରଥମ ବାରିସେକରେ ନବଶାଖା ପଲ୍ଲବରେ ମଣ୍ଡିତ ହେଲା ପ୍ରାୟ ଦାସଙ୍କର ଦାରିଦ୍ର୍ୟ ଶୁଷ୍‌କ ଭାଗ୍ୟ–ତରୁ କ୍ରମେ ସରସ ସଫଳ ହେବାର ଦେଖି ଗ୍ରାମବାସୀମାନେ ପରସ୍ପର ଆଖି ଠରାଠରି ହେବାକୁ ଲାଗିଲେ । ପ୍ରଥମରେ ଫୁସ୍‌ଫାସ୍‌, ତହିଁପରେ ପ୍ରକାଶ୍ୟ ରଟନା ଆରମ୍ଭ ହେଲା । କେହି କହିଲା–‘ଏ ରାଧିକା ଦାସଙ୍କ ଟଙ୍କାର ମହିମା । କେହି ବା କହିଲା–‘ନା, ନିତେଇ ଦାସଙ୍କୁ କେଉଁଠୁ ପୋତାଧନ ମିଳିଗଲା-।’ ଏ ବିଷୟ ଘେନି ନାନା ଯୁକ୍ତିତର୍କ ପ୍ରଦର୍ଶିତ ହେଲା । ରଙ୍କ ମଳିକ କହିଲା–‘ଦୁଇ ସଙ୍ଗାତଙ୍କର ତ ଅଭେଦ ପ୍ରୀତି ଥିଲା; ତୀର୍ଥଯାତ୍ରା ସମୟରେ ରାଧିକା ଦାସ ସଙ୍ଗୀତଙ୍କ କତିରେ ରଖିଯାଇଥିବ ।’ ନିଧି ରାଉତ କହିଲା–‘ରାଧିକା ଦାସ କି ସଂସାରରେ କାହାରିକୁ ବିଶ୍ୱାସ କରିବାର ପାତ୍ର–ସଙ୍ଗାତ ହେଉ ବା ଗୁରୁଗୋସେଇଁ ହେଉ ତାହା ପାଖରେ କିଛି ଟଙ୍କା ଥିଲା ସତ; ସେ ତାହା ସାଙ୍ଗରେ ନେଇଯାଇଥିବ ।’ ସଦେଇ ଲେଙ୍କା ଘର ନିତେଇ ଦାସଙ୍କ ଘରକୁ ଲାଗିଛି; ମଧ୍ୟରେ ପାଚେରୀ କାନ୍ଥର ବ୍ୟବଧାନ । ଲେଙ୍କାପୁଅ ସ୍ୱକର୍ଣ୍ଣ–ଶ୍ରୁତ, ସ୍ୱନେତ୍ର-ଦୃଷ୍ଟ ପ୍ରମାଣ ଦେଖାଇ କହିଲା, ‘‘ନା ରେ, ଅସଲ କଥା ତମେ କେହି ଜାଣ ନାହିଁ–ଯଖ ତା ଘରେ ଟଙ୍କା ଢାଳି ଦେଇ ଯାଇଛି । ଗଲା ବର୍ଷେ ମୋତେ ଭାରି କର ହୋଇଥିଲା–ଯେତେ ଊଷୁଦ ଖାଇଲି, କିଛି ହେଲା ନାହିଁ । ଦିନେ ହାଟରୁ ‘‘କୁଇଲି ଉଷୁଧ’’ [ କୁଇନାଇନ୍‌] ଚାରି ପଇସାର ଆଣି ଖାଇଦେଲି । ସେଦିନ ରାତିରେ ଆଉ ନିଦ ହେଲା ନାହିଁ । କଣ୍ଟା ଛାଟ ପିଟିଲା ପରି ବିଛଣାରେ ପଡ଼ି ଛଟପଟ ହେଉଥାଏ । ଠିକ୍‌ରାତି ଅଧବେଳେ ନିତେଇ ଦାସ ଦାଣ୍ଡମେଲାରେ ଫଡ୍‌ଫାଡ୍‌ ଶବ୍ଦ ଶୁଭିଲା । କୁକୁଡ଼ାକୁ କାଟି ଦେଲେ ଫଡ୍‌ଫଡ୍‌ଶବ୍ଦ ଶୁଭେ, ଠିକ୍‌ ସେହିପରି । ତାହା ସାଙ୍ଗେ ସାଙ୍ଗେ ଝଣଝାଣ୍‌ଶବ୍ଦ ବି ହେଉଥାଏ । ମୁଁ କହିଲି, ଟଙ୍କାପରି ଝଣଝାଣ୍‌ କଅଣ ଶୁଭୁଛି ? ପାଚୋରୀ ଉପରୁ ମୁଣ୍ଡ ଟେକି ଦେଖିଲି, ଶାଗୁଣା ପରି ଗୋଟାଏ ପକ୍ଷୀ ଡେଣା ଝାଡ଼ି ଦେଉଛି; ଆଉ ତା’ ଦେହରୁ ଟଙ୍କାଗୁଡ଼ାକ ଝମ୍‌ ଝମ୍‌ ହୋଇ ଝଡ଼ି ପଡ଼ୁଛି । ଉଃ, କହିଲାବେଳକୁ ଦେହ ଶୀତେଇ ଉଠୁଛି । ବରକୋଳି ଗଛ ହଲେଇ ଦେଲେ କୋଳିଗୁଡ଼ାକ ଯେମିତି ଝଡ଼ି ପଡ଼େ, ସିମିତି ଟଙ୍କା ଝଡ଼ୁଛି । ନିତେଇ ଦାସ ଆଉ ତାହା ଭାର୍ଯ୍ୟା ଦୁଇଟା ସିଇଡ଼ାରେ ସେ ଟଙ୍କାଗୁଡ଼ାକ ବୋହି ନେଇ ଘର ମଝିରେ କୁଢ଼େଇ ଦେଇ ଆସୁଛନ୍ତି–ଏହା ମୁଁ ନିଜେ ଦେଖିଛି–ଶୁଣିବା କଥା ନୁହେଁ ।’’ ଏ କଥାକୁ କେହି ବିଶ୍ୱାସ କଲା, କେହି ବା ମନେ କଲା–ମାହାଳିଆ ଗାଲୁଆ କଥା ।

 

ମୋଫସଲ ଗାଁରେ ସନ୍ଧ୍ୟା ସମୟରେ ଜଣ ଜଣକ ପିଣ୍ଡାରେ ଦଶ ପାଞ୍ଚ ଜଣ ବସି ସନ୍ଧ୍ୟାସମିତି କରନ୍ତି । ଏହା ସବୁ ଗାଁରେ ହୁଏ । ସମିତିରେ ଆଉ ଯାହା ହେଉ; ମାତ୍ର ପର ଛିଦ୍ର ଆଲୋଚନା ଅଧିକ ହୁଏ ।

 

ଦିନେ ସେହିପରି ଗୋଟିଏ ସମିତିରେ ଦାସଙ୍କର ଆକସ୍ମିକ ଉନ୍ନତିର କଥା ପଡ଼ିଲା । ପଛରେ ସମସ୍ତେ କୁହାକୁହି ହୁଅନ୍ତି; ମାତ୍ର ଦାସଙ୍କୁ ପଚାରିବାକୁ କାହାରି ଗାହା ଖଟେ ନାହିଁ । ଆଉ ପଚାରିବାର ବା ଅଧିକାର କାହାର ଅଛି ? ସେଦିନ ସନ୍ଧ୍ୟାସମିତିର କେତେ ଜଣ ସଭ୍ୟ ରାମାକୁ ଗୋପନରେ ଡାକି ଆଣି ପଚାରିଲେ–‘‘ହଇ ରେ ରାମା, ତୋ ବାପ ଯେ ଏତେ ଟଙ୍କା ରଖିଥିଲା, ତାହା କଅଣ ହେଲା ?’’ ରାମା କହିଲା–‘‘ବାବା ଟଙ୍କା ରଖିବା କଥା ମୁଁ ଜାଣେ ନାହିଁ । ତିନି ବର୍ଷ ହେଲା ସେ ଚାକିରୀ ଛାଡ଼ି ଘରେ ବସିଥିଲେ । ଯାହା ରଖିଥିବେ, ତାହା ଖର୍ଚ୍ଚ ହୋଇଯାଇଥିବ ।’’ ତହୁଁ କେହି କେହି ମୁରୁକି ହସି କହିଲେ–‘‘ନା ରେ, ତୁ ହୁଣ୍ଡାଟା କଣ ଜାଣୁ ? ତୋ ବାପ ତେର ଟଙ୍କା ରଖିଥିଲା । ତାହା ସବୁ ନିତେଇ ଦାସ ହାତରେ ପଡ଼ିଛି । ଦେଖୁ ନାହୁଁ–ତାହାର ତ କିଛି ଥିଲା ନାହିଁ, ସେ ହଜାର ହଜାର ଟଙ୍କାର କାରବାର କୁଆଡ଼ୁ କରୁଛି ? ଯା ହେଉ, ତୁ ତାକୁ ପଚାର ।’’ ରାମା ମଙ୍ଗିଲା ନାହିଁ; ଅଧିକନ୍ତୁ କହିଲା–‘‘ମିଛଟାରେ ମଉସାଙ୍କ ମନରେ କାହିଁକି କଷ୍ଟ ଦେବି ? ସେ କହିବେ–ମୋର ଖାଇ ପିଇ ମୋତେ କଳଙ୍କ ଦେଲା ! ମୋ କପାଳରେ ସୁଖ ଥିଲେ ମୋତେ ମିଳିବ; ତୁଚ୍ଛାରେ କଳି କରି ବେମାନ ହେବି କାହିଁକି ?’’ ଏହା ଶୁଣି ରାମାକୁ ଆଉ କେହି କିଛି କହିଲେ ନାହିଁ ।

 

ବ୍ୟବସାୟରେ ଦାସଙ୍କର ବିଲକ୍ଷଣ ଉନ୍ନତି ହେଉଅଛି । ତିନି ବର୍ଷ ମଧ୍ୟରେ ମୂଳଧନ ଚତୁର୍ଗୁଣ ହୋଇ ପଡ଼ିଲାଣି । ବ୍ୟବସାୟ ଏବଂ ମହାଜନୀ ଉଭୟ ଆଡ଼ୁ ଲାଭ ହେଉଅଛି । ମହାଜନୀ କାରବାରରେ ଟିପ-ତମପୁକ ନାହିଁ–ସୁନାରୂପାର ଅଳଙ୍କାର ବନ୍ଧା ରଖି ମୂଲ୍ୟର ଅଧେ ଟଙ୍କା କରଜ ଦିଅନ୍ତି । ଟଙ୍କାର ମାସିକ ସୁଧ ଦୁଇ କରଜ ଦିଅନ୍ତି । ଟଙ୍କାର ମାସିକ ସୁଧ ଦୁଇ ପଇସା । କାହାରି ଅତି ଅସମୟ ପଡ଼ିଲେ ସୁଧର ମାତ୍ରା ଅଧିକ ହୁଏ । ବଉଳପୁର ସାମନ୍ତରାୟ ଘର ବସି ଆସିଲାଣି; ଆଉ ପୂର୍ବପରି ‘‘ଘୋ-ଘୋ’’ ନାହିଁ । ଭାଇମାନେ ଭିନେ ବାହାର ହୋଇ ଛିନ୍‌ଛତର ହୋଇ ଗଲେଣି । ଲାଟବନ୍ଦୀ ଖଜଣ କେହି ଦେଲେ ନାହିଁ ନ ଦେଲେ ସଂପତ୍ତି ନିଲାମ ହେବ, ଏହି ଭୟରେ ବୁଢ଼ା ସାମନ୍ତରାୟ ଅସ୍ଥିର ହୋଇ ଉଠିଲେ ଏବଂ ସ୍ୱହସ୍ତରୁ ରାଜସ୍ୱ ଦେଇ ସଂପର୍ତ୍ତି ରକ୍ଷା କରିବାକୁ ଅଭିଳାଷୀ ହେଲେ । କିନ୍ତୁ ହସ୍ତରେ କିଛି ନାହିଁ । ଅଗତ୍ୟା ତାଙ୍କୁ ଗହଣା ବନ୍ଧା ଦେବାକୁ ହେଲା । ସେ ଦେଢ଼ଶ ଟଙ୍କାର ଗୋଟାଏ ସୁନାମାଳ ଦାସଙ୍କ ପାଖରେ ବନ୍ଧା ରଖି ପଞ୍ଚସ୍ତରି ଟଙ୍କା କରଜ ନେଲେ; ଚାରି ପାଞ୍ଚ ଦିନ ପରେ ଟଙ୍କା ଦେଇ ଗହଣା ମୁକୁଳେଇ ନେବେ । ଟଙ୍କା ମୁଣ୍ଡରେ ପଇସା ଏ ଲେଖାଏଁ ସୁଧ ଧାର୍ଯ୍ୟ ହେଲା । ଦାସେ ପ୍ରଥମରେ ଟଙ୍କା ଦେବାକୁ ମନା କରିଥିଲେ; ମାତ୍ର ସୁଧର ମାତ୍ରା ବେଶି ହେବାର ଦେଖି ବିଶେଷତଃ ପରୋପକାର କାମନାରେ ଶେଷରେ ସ୍ୱୀକୃତ ହେଲେ । ସୁନାମାଳାର ଓଜନ ସାଚ ଭରି ହେଲା । ଦାସେ ମାଳ ଗ୍ରନ୍ଥ ସୂତା ଭରିଏ କାଟି ଦେଇ ଛ ଭରି ଧରିଲେ । ଭରି ପଚିଶ ଟଙ୍କା ଧରିଲେ ମାଳଟିର ମୂଲ୍ୟ ଦେଢ଼ଶ ଟଙ୍କା ହେବ । ସୁତରାଂ ଦାସଙ୍କର ଅଚ୍ଛେଦ୍ୟ ଅକାଟ୍ୟ ଆଇନ ଅନୁସାରେ ପଞ୍ଚସ୍ତରି ଟଙ୍କା ଦେବାର ଧାର୍ଯ୍ୟ ହେଲା । ସେ ରାମାକୁ ଲେଖିବାକୁ କହିଲେ । ସ୍ୱୟଂ ଦାସେ ବ୍ୟାସଦେବଙ୍କ ଆସନ ଅଧିକାର କଲେ; ଆଉ ରାମା ଗଣେଶ ହୋଇ ଲେଖିବାକୁ ବସିଲା । ଅତଃପର ମାଳ ମହାଭାରତ ଲେଖା ଆରମ୍ଭ ହେଲା । ଦାସେ ଯାହା କହିଲେ ରାମା ତାହା ଲେଖିଲା । ଲେଖା ଶେଷରେ ରାମା ପଢ଼ି ଶୁଣାଇ ଦେଲା । ସେଥିରେ ଏହିପରି ଲେଖା ହେଲା–‘‘ଗୁନ୍ଥ ସୂତା ସହିତ ଗୋଟାଏ ସୁନା କଣ୍ଠିମାଳର ଓଜନ ସାତ ଭରି । ତାହା ପାଞ୍ଚଖିଆ ଲାଲ ସୂତାରେ ଗୁନ୍ଥା । ସେଥିରେ ବାର ଗଣ୍ଡା କଣ୍ଠି ଅଛି; ଗୁନ୍ଥା ପୁରୁଣା । ମାଳର ଲମ୍ବ ଏକ ହାତ ଦଶ ଆଙ୍ଗୁଳି, ମଝିରେ ଗୁନ୍ଥା ଅଳ୍ପ ଛିଡ଼ିଯାଇଅଛି-। ନଗଦ ନେବାର ପଞ୍ଚସ୍ତରି ଟଙ୍କା, ଦିନକୁ ଟଙ୍କା ପ୍ରତି ସୁଧ ଏକ ପଇସା । ସନ ୧୨୯୧ ସାଲ ମେଷ ମାସ ୧୩ ଦିନ ବେଳ ଛ ଘଡ଼ି ସରିକି ।’’ ସାଆନ୍ତରା ସମଦୀ ଘରକୁ ଟଙ୍କା ପାଇଁ ଲୋକ ପଠାଇଥିଲେ । ସେଠାରୁ ଟଙ୍କା ଆସିବାକୁ ବିଳମ୍ବ ହେବ । ଏଣେ କାଲି ଲାଟବନ୍ଦୀ ତାରିଖ, ଆଜି ଟଙ୍କା ଦାଖଲ ନ କଲେ ସଂପର୍ତ୍ତି ନିଲାମ ହେବ । ସୁତରା ବାଧ୍ୟ ହୋଇ ସାଆନ୍ତରାଙ୍କୁ ମୂଳ ବନ୍ଧା ଦେଇ ଟଙ୍କା କରଜ କରିବାକୁ ହେଲା ।

 

ଚାରି ଦିନ ପରେ ସାଆନ୍ତରାଙ୍କ ସମଦୀ ଘରୁ ଟଙ୍କା ଆସି ପହୁଞ୍ଚିଲା । ତହୁଁ ସାଆନ୍ତରା ଗୁମାସ୍ତା ହାତରେ ଟଙ୍କା ଦେଇ ମାଳ ମୁକୁଳାଇବାକୁ ପଠାଇଲେ । ଗୁମାସ୍ତା ସାଧୁ ମହାପାତ୍ର ଦାସଙ୍କ ପାଖରେ ଟଙ୍କା ଗଣିଦେଲେ । ପାଞ୍ଚ ଦିନର ସୁଧ ପାଞ୍ଚଟଙ୍କା ଢେର ଅଣା ତିନିପଇସା ହେଲା; ମାତ୍ର ଗୁମାସ୍ତା ପାଞ୍ଚଟଙ୍କା ତେରଅଣା ଦେଲେ । ଏକାବେଳକେ ତିନିପଇସା ଊଣା ଦେଖି ଦାସଙ୍କର ହଲକ ଉଡ଼ିଗଲା । ସେ ଗୁମାସ୍ତା । ହାତ ଧରି କାନ୍ଦି ପକାଇ କହିଲେ–ଦେଖୁଛ ତ ଭାଇ, ମୋର ଜମିଦାରୀ ଅଛି ନା ମୌରସୀ ଅଛି; ନା ଚାକିରୀ ଅଛି, ନା ଚାଷ ଅଛି । ସୁଧଗଣ୍ଡାକ କେବଳ ମୋର ଭରସା । ସେଥିରୁ କାଟି ପକାଇଲେ ମୁଁ କଅଣ କରିବି ? ଗୁରୁବାର ଏକାଦଶୀ ନ ମାନି ରାତି ଅଧରେ ଟଙ୍କା ବାହାର କରି ଦେଇ ତମର ମହତ ରଖିଦେଲି, ସେଥିରେ ତମେ ଇମିତି ଅନ୍ୟାୟ କଲେ ମୋର ଚାରା କଅଣ ?’’ ଗୁମାସ୍ତା ଦାସଙ୍କର ବିକଳ ଦେଖି ଦୁଇଟି ପଇସା ଅଣ୍ଟିରୁ ବାହାର କରି ଦେଲେ । ଦାସେ କିଛିକ୍ଷଣ ଗୁମାସ୍ତାଙ୍କ ମୁହଁକୁ ଦୀନ ନେତ୍ରରେ ଅନାଇ ରହି କହିଲେ–‘‘ତେବେ ବି ଗୋଟାଏ ପଇସା କାଟିଲ ?’’ ଗୁମାସ୍ତା କହିଲେ–‘‘ଆଉ ପଇସା ନାହିଁ, ମୁଁ କାଲି ଦେଇପଠାଇବି-।’’ ଦାସେ ଟିକିଏ ମୁରୁକି ହସି ଧୀରେ ସ୍ୱରରେ କହିଲେ–‘‘ତେବେ କାଲି ସକାଳେ ରାମାକୁ ପଠାଇଦେବି ।’’ ଗୁମାସ୍ତା ବିରକ୍ତ ହୋଇ କହିଲେ–‘‘ଗୋଟାଏ ପଇସା ଲାଗି ଏତେ ଅବିଶ୍ୱାସ କି ହେ, କାହିଁକି କାହାକୁ ପଠାଇବ; ମୁଁ ଏହିକ୍ଷଣି ଯାଇ ପଠାଇ ଦେଉଛି ।’’ ଗୁମାସ୍ତାଙ୍କର ବିରକ୍ତି ଦେଖି ଦାସେ ଆଉ କିଛି କହିଲେ ନାହିଁ; ଘରକୁ ଯାଇ ମାଳଟି ସିନ୍ଦୁକରୁ ବାହାର କରି ଆଣି ତାଙ୍କ ହାତରେ ଦେଲେ । ଗୁମାସ୍ତା ଚାଲିଗଲା ପରେ ଦାସେ ଘରକୁ ଯାଇ କହିଲେ–‘‘ରାମା, ଦେଖିଲୁ କଳିଯୁଗର ବେଭାର, ଆଉ କି ସତେ ସେ ପଲସାଟା ଦେବ–କହିଲେ ଆହୁରି କୋପ ।’’ ରାମା କହିଲା–‘‘ପାଞ୍ଚ ଦିନରେ ପାଞ୍ଚ ଟଙ୍କା ତେରଅଣା ଦିପଇସା ସୁଧ ହେଲା; ଆଉ ପଇସାଟେ ନ ଦେଲା ତ ନାହିଁ ।’’ ଦାସେ କହିଲେ–‘‘ହଁ ରେ, ପଇସାଟି ତ ତୋ ଆଖିକି ମାଟିଗୋଡ଼ି ପରି ଦିଶୁଛି ! ରାତି ଅଧରେ ଟଙ୍କା ଦେଇ ନ ଥିଲେ ଯେ ସଂପତ୍ତି ନିଲାମ ହୋଇଯାଆନ୍ତା, ତାହା କିଏ ବୁଝିଛି ।’’ ଦାସଙ୍କ କଥା ଶେଷ ନ ହେଉଣୁ ଉଷା ଝଙ୍କାର ଦେଇ କହିଲେ–’’ତାହାର ତ ମଝିରେ ପୁଟୁଛି, ସେନ କହିବ କାହିଁକି ? ତାହାର କଅଣ ଯାଉଛି କି, ବାଇ ଚଡ଼େଇର କଣ ଯାଏ, ନା, ବା କଲେ ବସା ଦୋହଲୁ ଥାଏ ! ପଇସାଟେ ଗଲେ ଯେ ଦିହରୁ ରକ୍ତ ଝଲକେ ଯାଉଚି , ତା’ କିଏ ବୁଝୁଚି ? ପର କୋଡ଼ିହଣା ତ ବାଆ ପରି ଲାଗୁଚି ।’’ ରାମା ଆଉ କିଛି କହିଲା ନାହିଁ । କେବଳ ସେହି ପଦକ କହିଥିଲା ବୋଲି ନୀରବରେ ନିଜକୁ ଧିକ୍‌କାର ଦେଇ କାନ୍ଦୁଣ ମାନ୍ଦୁଣ ହୋଇ ଦାଣ୍ଡକୁ ବାହାରି ଗଲା ।

 

ତିନି ବର୍ଷ ଯାଏ ଦାସଙ୍କର ଖୁବ୍‌ ଲାଭ ହେଲା; ମାତ୍ର ଚତୁର୍ଥ ବର୍ଷ ସେପରି ହେଲା ନାହିଁ-। ସେ ବର୍ଷ ଛଅଶ ଟଙ୍କାର ମୁଗ କିଣି ମହରଗବେଳେ ବିକିବେ ବୋଲି ରଖି ଦେଇଥିଲେ । ମନୁଷ୍ୟର ଆଶା ଏକଆଡ଼େ ଯାଏ; ମାତ୍ର ବିଧିନିର୍ବନ୍ଧ ଅନ୍ୟ ଆଡ଼େ ଯାଏ । ଛ ମାସ ପରେ କୀଟ ଲାଗି ମୁଗ ସବୁ ନଷ୍ଟ କରିଦେଲେ । ଶସ୍ୟ ସବୁ ଯାଇ ଖାଲି ଚୋପା ରହିଲା । ଗୋରୁକୁ ଖୁଆଇବା ସକାଶେ ମହଣ ଚାରିଅଣା ହିସାବରେ ଲୋକେ ଚାହା କିଣିନେଲେ । କ୍ଷତି କେବଳ ଏତିକି ନୁହେଁ; ଦାସେ ଚାରିଶ ଟଙ୍କାର ରାଶି କିଣି ରଖିଥିଲେ; କିନ୍ତୁ ସେ ବର୍ଷ ରାଶି ଫସଲ ଅଧିକ ହେବାରୁ ଦର ବୃଦ୍ଧି ନ ହୋଇ କ୍ରମଶଃ ହ୍ରାସ ହେବାକୁ ଲାଗିଲା । ସୁତରାଂ ଦାସଙ୍କର ସଞ୍ଚିତ ରାଶି ଅର୍ଦ୍ଧମୂଲ୍ୟରେ ବିକ୍ରୀତ ହେଲା । ଦୁଇଥରରେ ତାଙ୍କର ପ୍ରାୟ ହଜାରେ ଟଙ୍କା କ୍ଷତି ହେଲା । ଦାସଦଂପତି ମୁଣ୍ଡରେ ହାତ ଦେଇ ଦେଇ କାନ୍ଦିଲେ; ଦୁଇ ତିନି ଦିନଯାଏଁ ତାଙ୍କ ଘରେ ଅରାନ୍ଧ ଅବାତ ହେଲା । ଉଷା ସ୍ୱାମୀଙ୍କୁ କହିଲେ–‘‘ତମେ ସେ ମଡ଼ାମରା ପୋଡ଼ା ବେପାର ଆଉ କର ନାହିଁ । ବେପାର ବାଘ ଆଧାର, ମିଳିଲା, ତ ଚାରିପଇସା ମିଳିଲା, ନ ହେଲେ ନାହିଁ । ତମେ ବି ଏତେ ଲଟପଟ ହୋଇପାରିବ ନାହିଁ । ମହାଜନୀ ସର୍ବଗୁଣେ ଭଲ । ପୁରା ରଖି ଅଧା ଦେବ; ସେଥିରେ ନୋ ନାହିଁ କି ଧୋ ନାହିଁ । ବେପାର ବନ୍ଦ କରି ଏଣିକି ମହାଜନୀ ଭଲ କରି ଚଳାଅ ।’’ ଦାସେ କହିଲେ–‘‘ହଁ ସୁଦୁରୀ ମା, ତମେ ଯା’ କହିଲ ସତ । ମହାଜନୀରେ ଧୋଇ ନାହିଁ କି ମରୂଡ଼ି ନାହିଁ; ଏଣିକି ସେହି ମହାଜନୀ କରିବା ଭଲ । ଦଶ ଟଙ୍କା ଦେଲେ କୋଡ଼ିଏ ଟଙ୍କାର ଦେଲେ କୋଡ଼ିଏ ଟଙ୍କାର ମାଲ ଘରେ ରହିବ । କେହି ବନ୍ଧାମାଲ ମୁକୁଳେଇ ନ ପାରିଲେ ଆମ ଟଙ୍କା ତ କୁଆଡ଼େ ଯିବ ନାହିଁ; ବରଞ୍ଚ ଦ୍ୱିଗୁଣ ହୋଇ ରହିବ ।’’ ସେହିଦିନୁ ଦାସେ ବେପାର ଛାଡ଼ି ମହାଜନୀ କରୁଅଛନ୍ତି । ରାମାର ଟଙ୍କା ପ୍ରସାଦରୁ ସେ ଏବେ ବଡ଼ ମହାଜନ ।

Image

 

ସପ୍ତମ ପରିଚ୍ଛେଦ

 

ନିତେଇ ଦାସଙ୍କର ମହାଜନୀ କାରବାର ସୁନ୍ଦରରୂପେ ଚଳୁଅଛି । ଦାସେ ଆଉ କୁଆଡ଼େ ଅଧିକ ଯିବା ଆସିବା କରନ୍ତି ନାହିଁ; ବଗ ମାଛକୁ ଧ୍ୟାନ କରି ବସିଲା ପରି ଦାଣ୍ଡପିଣ୍ଡାରେ ଖାତକମାନଙ୍କ ଆଗମନ ପ୍ରତୀକ୍ଷାରେ ବସିଥାଆନ୍ତି । କେହି କରଜ ନେବାକୁ ଆସେ, କେହି ଋଣ ପରିଶୋଧ କରିବାକୁ ଆସେ, କେହି ବା ସୁଧ ଦେବାକୁ ଆସେ । ଦାସେ ବ୍ୟବହାରେ ଲାଗିଥାନ୍ତି । ରାମା ପାଖରେ ବସି ଲେଖାଲେଖିରେ ନିଯୁକ୍ତି ଥାଏ । ବେପାର ବନ୍ଦ ହେବାରୁ ରାମା ଏଣିକି ଅନ୍ୟ କାର୍ଯ୍ୟ କରେ । ଦୁଇ ବଖତ ରନ୍ଧନର ଭାର ତାହା ଉପରେ ନ୍ୟସ୍ତ ଅଛି । ତାହା ପ୍ରତି ମାଉସୀଙ୍କର ‘‘ବାପରେ, ଧନରେ’’ ସମ୍ୱୋଧନ ଆଉ ନାହିଁ । କୁତି, ଡାକୁଣିଖିଆ, ଅଳ୍‌ପାଇଷ ପ୍ରଭୃତି ଉଚ୍ଚ ଉପାଧିମାନ ମହଦାଶ୍ରୟଜ୍ଞାନରେ ତାହାକୁ ଆଲିଙ୍ଗନ କରିଅଛନ୍ତି । ମଉସା ମାଉସୀ ତାହାକୁ କଥା କହିଲାବେଳେ କିପରି ଗୋଟାଏ ଖିନଖିନିଆ ଭାବ ପ୍ରକାଶ କରନ୍ତି; ରାମା ସେଥିର କିଛି ଉପଯୁକ୍ତ କାରଣ ଖୋଜି ପାଏ ନାହିଁ । ସବୁବେଳେ ମୁହଁକୁ କୁଷୁଣ୍ଡା କରି ଥାଏ । ଦିନେ ସେ କେଉଁଠୁ ଖଣ୍ଡେ ପାନ ଖାଇ ଆସିଥିଲା । ମାଉସୀ ତାହା ଦେଖି କ୍ରୋଧରେ ଜଳି ଉଠି କହିଲେ–‘‘କିରେ, ତୁ ଏଡ଼େ ରସିକ ନା ? ପାନ କେଉଁଠୁ ଆଣି ଖାଇଲୁ ? ‘ଭେଡ଼ା ରସିକ, କଖାରୁ ଫୁଲକୁ ପାରଡ଼ା ପୋକ’ ବୋଲି ଯାହା କହନ୍ତି, ତାହା ସତ ! ହାଟ ସଉଦାରୁ ରେସା କାଟି ପାନଖିଆ ହଉଚି ।’’ ରାମା କହିଲା–‘‘କେତେ ହାଟ ଖର୍ଚ୍ଚ ହୁଏ ଯେ, ସେଥିରୁ ପୁଣି ମୁଁ ରେସା କାଟି ପାନ ଖାଏଁ ।’’ ଉଷା କହିଲେ–‘‘ମୋ ଘରଠଉଁ ଆଉ କାହାର ବେଶି କର୍ଚ୍ଚ ହୁଏ ରେ ନିମକ୍ହାରାମ ? ଆଠୁଆରିକି ଆଠୁଆରି ପାଳି ଦିନ ଯେ ତୁ ଚାରି ପଇସା ନେଇ ହାଟକୁ ଯାଉ, କି ସଉଦା ଆଣୁ ? ଶୁକୁଟା ବାଇଗଣ ଦି ପୁଞ୍ଜା, ସାଉଣ୍ଟା ପୋଇନାଡ଼ୀ ଚାରିଖଣ୍ଡ, ଆଉ କେବେ ଘୁଷୁରା ଲେଣ୍ଡି ପରି ସାରୁ ଦିଟା–ଏତିକି ନା, ଆଉ କିଛି ? କହିଲେ ପୁଣି ଚଳ ମାଡ଼ୁଛି ... ସୁନା ଦିହକୁ ବାଧି ଯାଉଛି ।’’ ରାମାର କଣ୍ଠ ଆର୍ଦ୍ର ହୋଇ ଆସିଲା । ସେ କାନ୍ଦ କାନ୍ଦ ସ୍ୱରରେ କହିଲା–‘‘ଏତେ ଅବିଶ୍ୱାସ ଯଦି ତେବେ ମୋତେ ହାଟକୁ କାହିଁକି ପଠାଅ ?’’ ଉଷ୍ଣାଙ୍କୁ ଆଉ ସମ୍ଭାଳେ କିଏ ! ସହସା ଯେପରି ଆଗ୍ନେୟଗିରିର ବୁଦ୍ଧମୁଖ ମୁକୁଳା ହୋଇଗଲା ! ସେ ଗର୍ଜି ଉଠି କହିଲେ–‘‘କି ରେ ବଅଁଶଖାଇ ରାଣ୍ଡ ଆଣ୍ଠୁକୁଣା ପୁଅ, ତୋ ମଗଜକୁ ପିତ୍ତ ଉଠିଲାଣି କି ? ତୁ ମୁହଁରେ ଜବାବ ଦେଉଚୁ ? କୁକୁରକୁ ମୁହଁ ଦେଲେ ସେ ମୁଣ୍ଡରେ ଚଢ଼େ । ବେମାନ୍‌, ଅସତ୍‌, ଗୋଖୁର ସାପକୁ ଦୁଧ ଦେଇ ପୋଷିଲେ, ସେ ନ କାମୁଡ଼ିବ କାହିଁକି ?’’ ରାମା ମାଉସୀଙ୍କର ଉଗ୍ରଚଣ୍ଡା ମୂର୍ତ୍ତି ଦେଖି ଆଉ ସେଠାରେ ନ ରହି ଦାଣ୍ଡକୁ ପଳାଇଗଲା । ତାହାର ହୃଦୟା ଘୃଣା, ବିସ୍ମୟ ଏବଂ ଅନୃଶୋଚନାରେ ଦଗଧ ହୋଇଗଲା । ସେ ନିର୍ଜନରେ ବସି କିଛିକ୍ଷଣ ଅଶ୍ରୁ ବିସର୍ଜନ କରି ଏବଂ ଦୁରୁଦୃଷ୍ଟକୁ ତୀବ ଅଧିକାର କରି ଶାନ୍ତିଲାଭ କଲା । ଉଷା ଏହିପରି ତାକୁ ଯେତେବେଳେ କଟୁ ତିରସ୍କାରରେ ବଦ୍ଧ କରନ୍ତି, ତେତେବେଳେ ସେ ନିର୍ଜନ ସ୍ଥାନକୁ ଯାଇ ସର୍ବସନ୍ତାପହର ଅଶ୍ରୁର ଶରଣାପନ୍ନ ହୁଏ । ଅଶ୍ରୁ ତାହାକୁ ପ୍ରବୋଧ ଦେଇ ପୁଣି ସଂସାରକୁ ଫେରାଇ ଦିଏ । ଅଶ୍ରୁ ପରି ଦୁଃଖୀର ସମ୍ବଳ, ଯନ୍ତ୍ରଣାର ଔଷଧ ଆଉ କଅଣ ଅଛି ?

 

ରାମା ସମୟ ସମୟରେ ବସି ଅନେକ କଥା ଭାବେ । ଭବିଷ୍ୟତ୍‌ ରାଜ୍ୟରେ ପଶି ନିଜ ଜୀବନର ଅବଲମ୍ବନ ପଥ ଖୋଜି ବୁଲେ । ଆଶା ତାହା ସଙ୍ଗରେ ଆସି ହଟ ଲଗାଏ । କେତେବେଳେ ତାହା ଆଗରେ ଠିଆ ହୋଇ ହସି ଉଠେ; ପୁଣି କ୍ଷଣକେ ଅନ୍ଧକାରସମୁଦ୍ରରେ ବୁଡ଼ିଯାଏ । ତେତେବେଳେ ସେ ଆଶି ଆଗରେ ଘୋର–ଘୋରତର ଅନ୍ଧକାର ଦେଖେ । ସେ ଯେଉଁ ଆକାଶକୁସୁମ ଆକାଶରେ ଫୁଟାଇ ଥାଏ, ତାହା ଆକାଶରେ ଶୁଖିଯାଇ ଝଡ଼ିପଡ଼େ । ସେ କେତେବେଳେ ଭାବେ–‘‘ବିରାଟ ବିଶାଳ ପ୍ରକୃତି ରାଜ୍ୟରେ କ୍ଷୁଦ୍ରାଦପି ଅତି କ୍ଷୁଦ୍ର କୀଟପତଙ୍ଗ ପାଇଁ ସ୍ଥାନ ଅଛି; କେବଳ ମୋ ପାଇଁ କି ଟିକିଏ ସୁଦ୍ଧା ସ୍ଥାନ ନାହିଁ ? ମୁଁ କଣ ଅନ୍ୟ କେଉଁ ସୃଷ୍ଟିରୁ ନିର୍ବାସିତ ହୋଇ ଆସିଛି ! ସଂସାରରେ ଯେ ନିତାନ୍ତ ଅକ୍ଷମ, ଜରା-ବ୍ୟାଧି–ଦାରିଦ୍ର୍ୟରେ ଯେ ନିସାତ-ନିଷ୍ପନ୍ଦ, ସେ ସୁଦ୍ଧା ଉପବାସ ରହୁ ନାହିଁ ! ପାଠ ପଢ଼ି ମୁଁ କଅଣ ପେଟ ଚାଖଣ୍ଡକ ସମ୍ଭାଳି ପାରିବି ନାହିଁ ? କେଉଁଠି ଖଣ୍ଡେ ପାଠଶାଳା କରି ରହିଲେ ବି ଚଳିବ । ସେଥିରେ କିଛି କିଛି ସଞ୍ଚୟ କରି ପାରିବି । ଶଏ ଦୁଇଶ ହାତରେ ହେଲେ ଖଣ୍ଡେ ଦୋକାନ କରିବି । ତେଣିକି ଆୟ କ୍ରମେ ବୃଦ୍ଧି ଲାଭ କରିବି । ଜମି ବାଡ଼ି କିଣିବାର ସୁବିଧା ହେବ । ହଳ ବଳଦ ରଖି ଚାଷ କରାଇବି, ବେପାର ବି ଚଳୁଥିବ । ତାହା ହେଲେ ଅନ୍ୟ ଲୋକ ଆସି ମୋତେ ଆଦୃର୍ଯ୍ୟା ହେବ–ମୋତେ କାହାରି ଦ୍ୱାରସ୍ଥ ହେବାକୁ ପଡ଼ିବ ନାହିଁ ।’’ କେତେବେଳେ ଏ ଚିନ୍ତାସ୍ରୋତ ବଦଳି ଯାଇ ଅନ୍ୟ ଆଡ଼କୁ ଗତି କରେ । ସେ ଭାବେ–‘‘ମୋର କିଏ ଅଛି ଯେ, ମୋପାଇଁ ଚେଷ୍ଟା କରି ପାଠଶାଳା ଖଣ୍ଡେ କରାଇଦେବ । ମୁଁ ତ ଆଉ ପେରିବାଲାଙ୍କ ପରି ଗ୍ରାମ ଗ୍ରାମ ବୁଲି ‘କିଏ ମୋତେ ମାଷ୍ଟର ରଖିବ ହୋ–କିଏ ମୋତେ ମାଷ୍ଟର ରଖିବ ହୋ, କିମ୍ବା ଚାଏ ମାଷ୍ଟର–ଚାଏ ମାଷ୍ଟର’ କହି ନିଜକୁ ବିକ୍ରୟ କରିପାରିବି ନାହିଁ । ସେ ଯେ ବଡ଼ ଲଜ୍ଜାର କଥା ! ଯାଉ, ସେ ସବୁ କଳ୍ପନାରେ କି ଫଳ ? ଯେଉଁ ପରି ଅଛି–ସେହିପରି ଥାଏ । ମଉସା ମାଉସୀଙ୍କ ଗାଳିଗଞ୍ଜନା ତ ମୋ ଦେହରେ ସହିଗଲାଣି । ଏତେ ଦିନଯାଏଁ ତାଙ୍କର ଦାନା ଖାଇ ଆସିଲି; ଅକୃତଜ୍ଞ ହୋଇ କାହିଁକି ପାପରେ ବୁଡ଼ିବି ? ତେବେ ସେ ଯଦି ସ୍ୱଇଚ୍ଛାରେ ମୋତେ ଘରୁ ବାହାରି ଯିବାକୁ କହନ୍ତି, ସେ ଅଲଗା କଥା । ତେତେବେଳେ ଯାହା କର୍ତ୍ତବ୍ୟ, ତାହା କରାଯିବ । ଆଗରୁ ସେ ଭାବନା କାହିଁକି ?’’ ରାମା ଏହିପରି କେବେ ଆଲୁଅ, କେବେ ଅନ୍ଧାର ଦେଖେ ।

 

ପ୍ରିୟପୁର ଗ୍ରାମର କେତେ ଜଣ ଯୁବକ ନିଷ୍କର୍ମ ହୋଇ ଘରେ ବସିଅଛନ୍ତି । ସେମାନଙ୍କ ବିଦ୍ୟାର ସୀମା ମାଟ୍ରିକ୍ୟୁଲେସନ ଗଣ୍ଡି ମଧ୍ୟରେ ଆବଦ୍ଧ । ଅକସ୍ମାତ୍‌ସେମାନଙ୍କର ଆଶାର ସୁପ୍ତ-ତାର ନବୀନ ଝଙ୍କାରରେ ବାଜି ଉଠିଲା–ଯେପରି କି ଗୋଟାଏ ମହତ୍‌ ସଙ୍କେତ ସ୍ୱର୍ଗର ଉର୍ଦ୍ଧ୍ୱତମ ପ୍ରଦେଶରୁ ଓହ୍ଲାଇ ଆସି ସେମାନଙ୍କ ପ୍ରାଣକୁ ସ୍ପର୍ଶ କଲା । ସେମାନେ ଦେଶୋନ୍ମତି ସାଧନ ମାନସରେ ଅତିଷ୍ଠ ଅଥୟ ହୋଇ ପଡ଼ିଲେ । ସେମାନଙ୍କଦ୍ୱାରା ଦେଶୋନ୍ମାତିର ସୁଦୂର ସମ୍ଭାବନା ଅଛି କି ନାହିଁ, ତାହା ମା ସରସ୍ୱତୀଙ୍କୁ ଗୋଚର; ମାତ୍ର ସେମାନେ ଦେଶୋଦ୍ଧାର ବ୍ରତ ଧାରଣ କରି ଉନ୍ନତିରାଜ୍ୟର ନିଃସ୍ୱାର୍ଥ ସନ୍ନ୍ୟାସୀ ହୋଇ ଉଠିଲା । ସେମାନେ ଗୋଟାଏ ସଭା କରି ଦେଶକୁ ସପ୍ତସ୍ୱର୍ଗର ଉର୍ଦ୍ଧ୍ୱକୁ ଉଠାଇବାର ବ୍ୟବସ୍ଥା ଧାର୍ଯ୍ୟ କଲେ । ଅନେକ ବକ୍ତୁତା, ଅନେକ ବାଦାନୁବାଦ ପରେ ସାର ହେଲା–ଗ୍ରାମରେ ଗୋଟାଏ ପାଠାଗାର ଏବଂ ଗୋଟାଏ ନୈଶ ବିଦ୍ୟାଳୟର ପ୍ରତିଷ୍ଠା କରି ଆପାତତଃ ଗ୍ରାମକୁ ଅଧାସ୍ୱର୍ଗକୁ ଟେକି ଦେବେ । ସବୁ କାର୍ଯ୍ୟ ଅର୍ଥସାପେକ୍ଷ; ଟଙ୍କା ସର୍ବାର୍ଥ ସାଧିକା’’ ବୋଲି ସଂସ୍କୃତଜ୍ଞ ପଣ୍ଡିତମାନେ ପ୍ରବଚନ ବାନ୍ଧି ଦେଇଛନ୍ତି । ମୂର୍ଖ ମୁଷୁଣ୍ଡା ଲୋକେ କହନ୍ତି–‘‘ଆଲୋ ମଉସା, ଜଡ଼ ପଇସା ।’’ ଉକ୍ତ ଦୁଇଟି ଅନୁଷ୍ଠାନ ସକାଶେ ସଭ୍ୟମାନେ ଗୋଟାଏ ଚାନ୍ଦାଖାତା ବାହାର କରି ବକ୍ତୃତା ଦେଇ ବୁଲିଲେ । ମରହଟିଆ ମୂର୍ଖ ଲୋକେ ନୈଶ ବିଦ୍ୟାଳୟର ଅର୍ଥ ବୁଝି ପାରିଲେ ନାହିଁ । ବିଶୁ ପଣ୍ଡିତେ ଜଣେ ନକଲିଆ ଲୋକ । ସେ ଶବ୍ଦ ସାଧି କହିଲେ ନିଶ ଶବ୍ଦର ଉତ୍ତର ସମ୍ବନ୍ଧାର୍ଥରେ ଅ ପ୍ରତ୍ୟୟ କଲେ ନୈଶ ଶବ୍ଦ ନିଷ୍ପନ୍ନ ହେଲା । ନୈଶ ଶବ୍ଦର ଅର୍ଥ ନିଶ ସମ୍ବନ୍ଧୀୟ ଅର୍ଥାତ୍‌ ଯାହାର ନିଶ ଉଠିଅଛି । ଅତଃ ନିଶୁଆ ବା ନିଶି ଉଠିଥିବା ଅ-ବାଳକମାନେ ଯେଉଁଠାରେ ପଢ଼ନ୍ତି, ତାହା ନୈଶ ବିଦ୍ୟାଳୟ । ସଭ୍ୟମାନେ ବାଦ୍ୟ ବଜାଇ, ଜାତୀୟ ଗୀତ ଗାଇ ଚାନ୍ଦା ଆଦାୟ କରିବାକୁ ବାହାରିଲେ । ଗ୍ରାମର ପିଲା ଏବଂ ଦର୍ଶକମାନେ ସଭ୍ରମାନଙ୍କର ଦଳ ସୃଷ୍ଟି କଲେ । ଆନନ୍ଦ ଧ୍ୱନିରେ ଗ୍ରାମ ଉଚ୍ଛୁଳି ଉଠିଲା–ଯେପରି ଗୋଟାଏ ସଜୀବ ଆନନ୍ଦରାଜ୍ୟ ଚାଲି ଯାଉଅଛି । ନିତେଇ ଦାସ ଗ୍ରାମର ବଡ଼ ମହାଜନ । ଅଧିକା ଚାନ୍ଦା ପାଇବା ଆଶାରେ ଦେଶହତୈଷିଦଳ ସର୍ବାଗ୍ରେ ଯାଇ ତାଙ୍କରି ଦ୍ୱାରରେ ଉପସ୍ଥିତ ହେଲେ । ଦେଖୁଁ ଦେଖୁଁ ଚାରିଆଡ଼ୁ ଲୋକେ ଆସି ରୁଣ୍ଡ ହେଲେ । ଦାସଙ୍କ ଦ୍ୱାରା ମଗରେ ଗୋଟାଏ ବିରାଟ ସଭା ମଧ୍ୟରୁ ଜଣେ ଜଳଦିଗମ୍ଭୀର ସ୍ୱରରେ ବକ୍ତୁତା ଆରମ୍ଭ କଲେ । ନୂଆଶିଖାଳି ପହଁରିବା ସମୟରେ ହାତଗୋଡ଼ ପିଟି ହେଲା ପରି ସେ ନୃତ୍ୟଭଙ୍ଗୀରେ ହାତମୁହଁ ହଲାଇବାକୁ ଲାଗିଲେ । ବେଳେ ବେଳେ ଗଳା ଖଙ୍କାର ଦେଇ ବକ୍ତୁତାର ପଥ ସାପ୍‌ କରି ଦେଉଥାଆନ୍ତି । ବକ୍ତୃତା ଏହିପରି ହେଲା–

 

‘‘ଭାଇମାନେ,

 

ବର୍ତ୍ତମାନ ଯେଉଁ ଆଡ଼କୁ ଚାହଁ, ଦେଖିବ–ନଈବଢ଼ି ପରି ଉନ୍ନତିର ସୁଅ ମାଡ଼ି ଯାଉଅଛି-। ଧନରେ, ମାନରେ, ଶିକ୍ଷାସଭ୍ୟତାରେ ଭାରତର ଅନ୍ୟାନ୍ୟ ଜାତି ଆମ୍ଭ ଓଡ଼ିଆ ଜାତିର ବହୁ ଊର୍ଦ୍ଧ୍ୱରେ ଅବସ୍ଥିତ । କେବଳ ଆମ୍ଭ ମାତୃଭୂମି ଉତ୍କଳ ସବୁ ବିଷୟରେ ପାଶ୍ଚାତ୍‌ପଦ । ଏ ଦୋଷ କାହାରି ନୁହେଁ–ଆମ୍ଭମାନଙ୍କର । ଯେଉଁ ଦେଶ ଦେବଭୂମି ନାମରେ ପୁରାଣେତିହାସରେ ଆଖ୍ୟାତ, ଯେଉଁ ଦେଶର ପୁଣ୍ୟପୁତ ଗିରି, ନଦୀ, ମଧ୍ୟାତ୍ମିକ ସଂପଦର ଆଗାର, ଯାହାର ଜୀର୍ଣ୍ଣଶୀର୍ଣ୍ଣ ଭଗ୍ଣମନ୍ଦିର ପ୍ରାଚୀନ ଇତିହାସର ସୁବର୍ଣ୍ଣ ସମାଧି, ଯାହାର ବନପ୍ରକୃତି ସୌନ୍ଦର୍ଯ୍ୟର ନିର୍ଦ୍ଦୋଷ ଆଦର୍ଶ, ଯାହାର ବନପ୍ରକୃତି ସୌନ୍ଦର୍ଯ୍ୟର ନିର୍ଦ୍ଦୋଷ ଆଦର୍ଶ, ଯାହାର ସାହିତ୍ୟ, ଜ୍ୟୋତିଷ, ଆୟୁର୍ବେଦ ପ୍ରଭୃତି ଜ୍ଞାନଗରିମାର ଉତ୍ତୁଙ୍ଗ ହିମାଳୟ, ଯାହାର ଶାସ୍ତ୍ରପୁରାଣ ଅନ୍ୟ ଦେଶର ଆଦର୍ଶ, ଯାହାର କଳାଶିଲପ ପୃଥିବୀରେ ଆତୁଳନୀୟ, ହାୟ, ସେହି କୋଟିତୀର୍ଥମୟୀ, ବିଶ୍ୱନମସ୍ୟା, ଦେବସ୍ତୁତା ଉତ୍କଳର କି ମର୍ମନ୍ତୁଦ ଦୁର୍ଦ୍ଦଶା ! କୋଟିସୁତ କୋଳରେ ଧରି ସେ ଆଜି ନିରାଶ୍ରୟା ପରି ଦୀନା, ହୀନା, ଲଞ୍ଛିତା ଏବଂ ଅବଜ୍ଞାତା ! ଏହା କି ସାମାନ୍ୟ ପରିତାପର କଥା ! ଉତ୍କଳ ଆମ୍ଭର ମା, ଆମ୍ଭ ପିତା ପିତାମହଙ୍କର ମା, ଆମ୍ଭ ମାତା ମାତାମହୀଙ୍କର ମା, ଆମ୍ଭ ବଂଶର ଆଦିମାତା । ଏପରି ସର୍ବଗୁଣବତୀ, ଅନ୍ନପୂର୍ଣ୍ଣା ମା ବିଶ୍ୱମଣ୍ଡଳରେ ଆଉ କାହାର ଅଛି ? ଉତ୍କଳ ଆମ୍ଭ ପ୍ରାଣର ପ୍ରାଣ, ଆତ୍ମାର ଆତ୍ମା, ହୃଦୟର ଦେବତା, ଦେହର ଶକ୍ତି, ନୟନର ଜ୍ୟୋତି, ରୋଗର ଔଷଧ, ଭୋଗର ସ୍ୱର୍ଗ, ଇହକାଳର ସର୍ବସ୍ୱ ଏବଂ ପରକାଳର ମୁକ୍ତି । ତାହାର ଗୋଟିଏ ରେଣୁ କୋଟିଏ ସ୍ୱର୍ଣ୍ଣମୁଦ୍ରାର ଅଧିକ । ଉତ୍କଳ ଆମ୍ଭର ଜନଭୂମି; ଜନଭୂମି ସ୍ୱର୍ଗଠାରୁ ବଳି ଗରାୟସୀ । ଉତ୍କଳର ଜଳ-ବାୟୁ-ମୃତ୍ତିକାରେ ଆମ୍ଭର ଶରୀର ଗଠିତ ହୋଇଅଛି ଏବଂ ପରିତୁଷ୍ଟ ହେଉଅଛି । ଆମ୍ଭର ରକ୍ତ, ମାଂସ, ଅସ୍ଥି ଏବଂ ଚର୍ମ ଉତ୍କଳର ରସରେ ନିର୍ମିତ । ସେ ନିଜର ତନୁ କ୍ଷୟ କରି ଆମ୍ଭମାନଙ୍କୁ ବଢ଼ାଉଅଛି, ଜୀବତାବସ୍ଥାରେ କୋଳରେ ଧାରଣ କରି ଖାଦ୍ୟପେୟ ଦାନରେ ପରିତୁଷ୍ଟ କରୁଅଛି ଏବଂ ମୃତ୍ୟୁ ପରେ ମଧ୍ୟ କୋଳରେ ଧରି ଅନନ୍ତ ଅମୃତରାଜ୍ୟକୁ ଘେନିଯିବ । ଏ ଶରୀର ତାହାରି ଦେହରୁ ଉତ୍ପନ୍ନ ଏବଂ ଶେଷରେ ତାହାରି ଦେହରେ ଲୀନ ହେବ । ଦୋଷ ଦେଖିଲେ ମା ବିରକ୍ତ ହୁଏ; ମାତ୍ର ସହସ୍ର ଦୋଷରେ ଦେଶମାତା ବିରକ୍ତ ବା କୂଦ୍ଧ ହୁଏ ନାହିଁ । ସେ ଚିରସ୍ନେହମୟୀ, ସର୍ବସଂହା । ହାୟ, ଆମ୍ଭେ ଏରୂପ ଅସୀମ କରୁଣାମୟୀ ମାକୁ ଚିହ୍ନି ପାରିଲେ ନାହିଁ । ଆମ୍ଭ ଭଳି ଅକୃତଜ୍ଞ ଅଭାଜନ ଆଉ କିଏ ଜଗତରେ ଅଛି ? ଭାଇମାନେ, ମୋହ-ମୁଦ୍ରିତ ନେତ୍ର ଉନ୍ମୀଳନ କର-ମାତୃଦ୍ରୋହ ପାପର ପ୍ରାୟଶ୍ଚିତ୍ତ କର । ସକାଳୁ ଉଠି ଉତ୍କଳକୁ ସ୍ମରଣ କର–ଉତ୍କଳକୁ ଆତ୍ମାରେ ମିଶାଇ ନିଅ–ପ୍ରାଣରେ ଗୁନ୍ଥି ନିଅ ଏବଂ ଦେହର ବୋଳି ନିଅ । ମା ମା ବୋଲି ସାଶ୍ରୁନେତ୍ରରେ, ଉଚ୍ଚ ଆତୁରକଣ୍ଠରେ ମହ୍ୱାନପୁର୍ବକ ମାତୃପାଦପଦ୍ମରେ ଶ୍ରଦ୍ଧା-ଭକ୍ତି ପ୍ରୀତି–ପୁଷ୍ପାଞ୍ଜଳି ଢାଳି ଦିଅ । ଯାହାର ଅତୀତ ଅଛି, ତାହାର ଭବିଷ୍ୟତ୍‌ ଅଛି, ଏହା ସୁକଠୋର ଛଙ୍କା ସତ୍ୟ ବାଣୀ । ଉତ୍କଳର ଅତୀତ ସମୁଜ୍ଜ୍ୱଳ ଥିଲା; ସୁତରାଂ ଭବିଷ୍ୟତ ସମୁଜ୍ଜ୍ୱଳତର ହେବ । ଅତୀତର ସେହି ପରମ ଗୌରବମୟୀ ପବିତ୍ର ଉଜ୍ଜ୍ୱଳ ସ୍ୱର୍ଣ୍ଣବେଦୀ ଉପରେ ଆମ୍ଭମାନଙ୍କର କଲ୍ୟାଣକର ଭବିଷ୍ୟତ୍‌ ଗଠିତ ହେବ । ଅତି ପୁଣ୍ୟଫଳରେ–ଅତି ତପସ୍ୟାବଳରେ–ଅତି ସୌଭାଗ୍ୟରେ ଏ ଦେଶରେ ଜନ୍ମଲାଭ କରାଯାଏ । ଏ ଦେଶରେ ସବୁ ମହତ୍‌ । ଏ ଦେଶରେ ନଦୀର ନାମ ମହାନଦୀ, ପର୍ବତର ନାମ–ମହେଦ୍ର, ସମୁଦ୍ରର ନାମ ମହାନଦୀ, ପର୍ବତର ନାମ–ମହେନ୍ଦ୍ର, ସମୁଦ୍ରର ନାମ–ମହୋଦଧି ଏବଂ ଅଧିଷ୍ଠିତ ଦେବତାଙ୍କର ନାମ–ମହାବାହୁ ଜଗନ୍ନାଥ । ଆକୁମାରୀ ହିମାଳୟ ସମୁସ୍ଥାନର ଲୋକେ ଆସି ଏ ଦେଶର ପୁଣ୍ୟରେଣୁ ମସ୍ତକରେ ଧାରଣପୂର୍ବକ ଜୀବନ ଏବଂ ଜନ୍ମସାର୍ଥକ ମଣନ୍ତି । ସେହି ହେତୁ ଏ ଦେଶର ଗୌରବିତ ନାମ–ମର୍ତ୍ତ୍ୟବୈକୁଣ୍ଠ । ଏଭଳି ମହିମିତ ଦେଶ ମର୍ତ୍ତ୍ୟମଣ୍ଡଳରେ ନାହିଁ–ନ ଥିଲା–ନ ହେବ । ଭାରତ ପାରିଜାତ, ଉତ୍କଳ ତାହାର ସୁଗନ୍ଧ; ଭାରତ ଚନ୍ଦ୍ର, ଉତ୍କଳ ତାହାର ଜ୍ୟୋସ୍ନା; ଭାରତ ସ୍ୱର୍ଗ, ଉତ୍କଳ ଅମୃତ; ଭାରତ ତପୋବନ, ଉତ୍କଳ ଯଜ୍ଞବେଦୀ; ଭାରତ ସିଂହାସନ, ଉତ୍କଳ ସେଥିରେ ଅଧିଷ୍ଠିତ ଦେବତା; ଏମନ୍ତ କି ଭାରତ କଳେବର, ଉତ୍କଳ ଆତ୍ମା । ଏଭଳି ଦେଶରେ ଜନ୍ମଲାଭ କରି–ଏଭଳି ଉଚ୍ଚ ଅଧିକାର ପାଇ ସୁଦ୍ଧା ଆମ୍ଭେମାନେ ନଗଣ୍ୟ ! ସଭ୍ୟ ଶିକ୍ଷିତ ଜାତି ତାଲିକାରେ ଆମ୍ଭମାନଙ୍କ ନାମରେ ଗାର ସୁଦ୍ଧା ପଡ଼ୁ ନାହିଁ । ଏ ଦୁଃଖ ମଲେ ବି ପାସୋରି ହେବ ନାହିଁ ।

 

‘‘ଶିକ୍ଷା ଉନ୍ନତିର ଜୀବନ । ଆମ୍ଭମାନଙ୍କର ଶିକ୍ଷା ବିକାଶିତ ହୋଇ । କୃତଘ୍ନ ବ୍ୟକ୍ତି ସୌହାର୍ଦ୍ୟ ତ୍ୟାଗ କଲା ପ୍ରାୟ ଆମ୍ଭେମାନେ ପ୍ରାୟଶଃ ତାହାକୁ ବିପ୍ରିୟ ମଣି ପରିତ୍ୟାଗ କରିଅଛୁଁ । ଏହା ଆମ୍ଭମାନଙ୍କର ଅଦୃଷ୍ଟର ଦୋଷ ନୁହେଁ–ଆଳସ୍ୟ ଏବଂ ଅପରିଣାମଦର୍ଶିତାର ଫଳ । କୃଷି, ଶିଳ୍‌ପ, ବାଣିଜ୍ୟ, ସାହିତ୍ୟ, ବିଜ୍ଞାନ ପ୍ରଭୃତି ସମସ୍ତ ଶିକ୍ଷାର ଅନ୍ତର୍ଗତ । ଆମ୍ଭେମାନେ ଶିକ୍ଷିତ ହେଲେ ଦେବ କରୁଣାମୂର୍ତ୍ତି ଧରି ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ । ଆମ୍ଭମାନଙ୍କର ଏହି ପ୍ରିୟପୁର ଗ୍ରାମରେ ଗୋଟିଏ ଅପର ପ୍ରାଇମେରୀ ସ୍କୁଲ ଛଡ଼ା ଶିକ୍ଷାର ଅନ୍ୟ କିଛି ବ୍ୟବସ୍ଥା ନାହିଁ । ବିଶେଷତଃ ଶ୍ରମଜୀବୀ ବୟସ୍କମାନଙ୍କ ସକାଶେ ଶିକ୍ଷାର ସୁବିଧା କିଛି ନାହିଁ । ସେହି ଅଭାବ କିଞ୍ଚିତ୍‌ ପୂରଣ କରିବା ଲାଗି ଆମ୍ଭେମାନେ ଗୋଟିଏ ନୈଶ ବିଦ୍ୟାଳୟ ଏବଂ ଗୋଟିଏ ପାଠାଗାର ସ୍ଥାପନର ମାନସ କରିଅଛୁଁ । ଏଥିପାଇଁ ଆମ୍ଭେମାନେ ସାଧାରଣଙ୍କର ସହାୟତା ପ୍ରାର୍ଥନା କରୁଅଛୁ । ନିତ୍ୟାନନ୍ଦ ଦାସଆମ୍ଭ ଗ୍ରାମର ପ୍ରଧାନ ମହାଜନ । ଏ କାର୍ଯ୍ୟରେ ପ୍ରଥମ ସହାୟ ହେବ ସକାଶେ ଆମ୍ଭେମାନେ ତାଙ୍କୁ ସାଦର ଆହ୍ୱାନ କରୁଅଛୁଁ ଏବଂ ପ୍ରଥମରେ ତାଙ୍କର ଦ୍ୱାରସ୍ଥ ହୋଇଅଛୁଁ ।’’ ବକ୍ତା ଏତିକି କହି ନୀରବ ହେଲେ । ସଭ୍ୟମାନେ କରତାଳି ଧ୍ୱନି କଲେ । ତାଙ୍କ ଦେଖାଦେଖି ଉପସ୍ଥିତ ଦର୍ଶକବୃନ୍ଦ ଘନ ଘନ କରତାଳି ବଜାଇଲେ । ସେ ଧ୍ୱନିରେ ଗଗନପବନ ତରଙ୍ଗିତ ହୋଇଉଠିଲା । ଦାସେ ଦାଣ୍ଡ ପିଣ୍ଡାରେ ବସିଥିଲେ । ରାମା ପାଖରେ ବସି ମଉସାଙ୍କ ଶ୍ରୀମୁଖ–ଉଚ୍ଚାରିତ ବାଣୀ ମହାଜନୀ ଖାତାରେ ଲେଖୁଥିଲା । ଦାସେ ଏତେବେଳଯାଏଁ ମୌନବ୍ରତୀ ହୋଇ ବକ୍ତୃତା ଶୁଣୁଥିଲେ-। ବକ୍ତୃତା ଶେଷ ହେଲାରୁ ବକ୍ତାଙ୍କୁ ପଚାରିଲେ–‘‘ମୋତେ କଅଣ କରିବାକୁ କହୁଛ ?’’

 

ବକ୍ତା–ନୈଶ ବିଦ୍ୟାଳୟ ପାଇଁ ଆପଣ କିଛି ଚାନ୍ଦା ଦେଉନ୍ତୁ ।

 

ଦାସେ–ମୁଲିଆ ପାଠ ପଢ଼ି କଅର କରିବେ ? ଉକୀଲ ହେବେ ନା ଦୁପଟୀ ହେବେ ?

 

ବକ୍ତା–ଖାଲି ଓକୀଲ, ଦୁପଟୀ ହେବା ଲାଗି କଅଣ ପାଠ ପଢ଼ନ୍ତି ? ପଢ଼ିବାର କି ଆଉ କିଛି ଉଦ୍ଦେଶ୍ୟ ନାହିଁ ? ପାଠ ପଢ଼ିଲେ ମୂଲିଆମାନଙ୍କର ଖୁବ୍‌ ଉପକାର ହେବ । ଧର୍ମଶାସ୍ତ୍ର ପଢ଼ିବେ, ଧର୍ମକୁ ଚିହ୍ନିବେ । ଶାସ୍ତ୍ର ପୁରାଣ ପଢ଼ିଲେ ସେମାନଙ୍କର ମନ ଖୁସି ହେବ, ପରିଶ୍ରମ ହରିଯିବ । ଜମିଦାରକୁ ଖଜଣା ଦେଇ ଯାଉଚି ନେଲେ ତାହା ଠିକ୍‌ ଅଛି କି ନାହିଁ, ଜାଣିପାରିବେ ।

ଦାସେ–ହଁ, ଆଛା ଭଲ କଥା, ତେବେ ଯେମାନେ ପଢ଼ିବେ, ସେମାନେ ଅବଧାନକୁ ଦରମା ଦାଇ ରଖିବେ । ମୁଁ ତ ଆଉ ପାଠ ପଢ଼ିବାକୁ ଯିବି ନାହିଁ ତେବେ ଚାନ୍ଦା କାହିଁକି ଦେବି ? ମୋର କି ଉପକାର ହେବ ?

 

ବକ୍ତା–ଦେଶର ଉପକାର ହେଲେ ଆପଣଙ୍କର କି ଉପକାର ହେଲା ନାହିଁ ?

 

ଦାସେ–ହଁ, ଦେଶଲୋକେ ଖାଇଲେ ମୋ ପେଟ ପୁରିଯିବ !

 

ବକ୍ତା–ଆପଣ ଯାହା ଦେବେ ଦେଉନ୍ତୁ, ଆଉ ଏତେ ତର୍କ କରୁଛନ୍ତି କାହିଁକି ?

 

ଦାସେ–ମୁଁ କଅଣ ଦେଇ ପାରିବି ? ମୋର କଣ ଅଛି–ଚାଷ, ନା ଚାକିରି, ନା ବେପାର, ନା ଜମିଦାରୀ ? ତେବେ ତୁମେମାନେ ଯେତେବେଳେ ଆସିଛି, ଚାରି ପଇସା ଦେଉଛି ନେଇଯାଅ-

ବକ୍ତା–ଆମେ କଅଣ ଭିକ ମାଗିବାକୁ ଆସିଛୁଁ ଯେ, ଚାରିଟା ପଇସା ଦେଉଛନ୍ତି ।

 

ଦାସେ–ନା, ତମେ ଜମିଦାରୀରୁ ମାଲଗୁଜାରୀ ଅସୁଲ କରିବାକୁ ଆସିଛ ! ଯାଉ, ଏତେ କଥାରେ କଅଣ ଅଛି, ପାଞ୍ଚଟି ପଇସା ନେଇକରି ଯାଅ । ଲେଖ ରେ ରାମା–ଆଜି ତାରିଖରେ ଧର୍ମର୍ଥରେ ଦେବାର ପାଞ୍ଚ ପଇସା ।

 

ବକ୍ତା–ଏତେ ଥଟା କାହିଁକି ? କିଛି ନ ଦେଲେ ବି ଆମେ ଚାଲିଯିବୁଁ । ଆମେ ତ କିଛି ତଣ୍ଡକାର ନୋହୁଁ । ଆପଣଙ୍କ ପାଞ୍ଚପଇସା ରଖିଥାଉନ୍ତୁ ।

 

ଦାସେ–ତେବେ ତମ ଖୁସି ବାବା, ପାଞ୍ଚପଇସା ନ ନେଲେ ଯାଅ ।

 

ଦାସଙ୍କର ଏ ଶେଷ କଥା ଶୁଣି ଦେଶହିତୈଷିଦଳ ନୀରବରେ ପ୍ରସ୍ଥାନ କଲେ ଏବଂ ଦାସେ ମଧ୍ୟ ଗୋଟାଏ ଦୁର୍ଗହ କବଳରୁ ରକ୍ଷା ପାଲ ନିଃଶ୍ୱାସ ଛାଡ଼ି ବଞ୍ଚିଲେ ।

Image

 

ଅଷ୍ଟମ ପରିଚ୍ଛେଦ

 

ସବୁ ଦିନ କାହାର ସମାନ ଯାଏ ନାହିଁ । ମନୁଷ୍ୟ ଜୀବନରେ ନାନା ଆପଦ ଅଛି; ରୋଗ ସେଥି ମଧ୍ୟରେ ପ୍ରଧାନ । ଶରୀରର ବ୍ୟାଧିମନ୍ଦିର ବୋଲି ମହାବାକ୍ୟ ଅଛି । ଛାଗକୁ ବାଘ ଛକିଲା ପ୍ରାୟ ରୋଗମାନେ ମାନବ ଜୀବନକୁ ଚାରିଆଡ଼ୁ ଛକି ବସିଅଛନ୍ତି; ଟିକିଏ ସୁବିଧା ପାଇବା ମାତ୍ରେ ଆକ୍ରମଣ କରନ୍ତି । ନିତେଇ ଦାସଙ୍କୁ ଗତ କେତେ ଦିନ ହେଲା ସନ୍ଧ୍ୟା ସମୟରେ ଅଳ୍‌ପ ଅଳ୍‌ପ ଜ୍ୱର ହେଉଥିଲା । ତାହା ପ୍ରତି ସେ ତେତେ ଲକ୍ଷ୍ୟ ରଖି ନ ଥିଲେ । ଜ୍ୱର କ୍ରମଶଃ ପ୍ରବଳ ହୋଇ ଉଠିଲା । ଦିନରେ ବା ରାତିରେ କେତେବେଳେ ହେଲେ ଜ୍ୱର ଓହ୍ଲାଇଲା ନାହିଁ । ଦାସେ ନିତାନ୍ତ ଦୁର୍ବଳ ହୋଇ ଶଯ୍ୟାଶ୍ରୟୀ ହେଲେ । ଉଷାଙ୍କର ଉତ୍କଣ୍ଠା ବୃଦ୍ଧି ହେବାକୁ ଲାଗିଲା । ସେ ରାମାଦ୍ୱାରା ଶଙ୍କରନାଥ ବୈଦ୍ୟକୁ ଡକାଇ ପଠାଇଲେ ଭିକ ମାଗେ ଏବଂ ବୈଦ୍ୟବୃତ୍ତି କରେ । ଗୋଟାଏ ବିଶାଳ ଔଷଧ ବଟୁଆ ତାହାର କାଖତଳେ ଝୁଲୁଥାଏ । ସେ ପ୍ରତ୍ୟହ ତାଳଭୂଳ ଢେଙ୍କିରେ କୁଟି ଚାଲୁଣୀରେ ଚଲାଇ ଔଷଧ ପ୍ରସ୍ତୁତ କରେ । ତାହାର ତିନି ପୁରୁଷରେ କେହି ପାଠଶାଳା ମାଡ଼ି ନ ଥିଲେ ସୁଦ୍ଧା ସେ ସ୍ଥଳବିଶେଷରେ ତୁଣ୍ଡେ ତୁଣ୍ଡେ ସଂସ୍କୃତ ଶ୍ଳୋକ ରଚନା କରି ଆବୃତ୍ତି କରେ । ଏହା ତାହାର ଅସାଧାରଣ ପ୍ରତିଭାର ଫଳ । କବିରାଜ ଯଥାସମୟରେ ଆସି ପହୁଞ୍ଚିଲା । ଉଷା ସ୍ୱାମୀଙ୍କ ପାଖରେ ବସି ତାଙ୍କ ମୁଣ୍ଡରେ ହାତ ବୁଲାଇ ଦେଉଥିଲେ । ବୈଦ୍ୟକୁ ଦେଖି ଟିକିଏ ଦୁରକୁ ଘୁଞ୍ଚି ବସିଲେ । ବୈଦ୍ୟ ପଚାରିଲା–‘‘ମହାଜନଙ୍କୁ କେବେ ଜ୍ୱର ହେଲା ? ମୁଁ ତ ଶୁଣିକରି ଧାଇଁଛି ତ ମା କହିଲା,–‘ଗାଧୋଇ ଆସିଛ ଗଣ୍ଡେ କିଛି ପାଟିରେ ପକେଇ ଦେଇ ଯା ।’ ମୁଁ କହିଲି–‘ନା, ମହାଜନଙ୍କୁ ଜର, ରାତି ଅଧରେ ତାଙ୍କ ଦ୍ୱାରରେ ଠିଆ ହେଲେ ସେ ମହତ ବଞ୍ଚେଇ ଦିଅନ୍ତ; ଆଉ କେହି ହୋଇଛି ନା ଘଡ଼ିଏ ଟାଳି ଦେବି ।’ କାହିଁ, ହାତ ଦେଖାଇଲ ।’’ ଦାସେ ଦୁଇ ତିନି ଥର ‘ଉହୁ’ କରି ଡାହାଣ ହାତଟି ବଢ଼ାଇ ଦେଲେ । ବୈଦ୍ୟ ନାଡ଼ୀ ଦେଖି କହିଲେ–‘‘ବାତ, ପିତ୍ତ, ଶ୍ଳେଷ ସାଙ୍ଗରେ ଆମ୍ବ ଦୋଷ ମିଶିଗଲା; ମୋତେ ଟିକିଏ ଆଗରୁ ଖବର ଦେଲ ନାହିଁ ! ଆଚ୍ଛା, କିଛି ଭୟ ନାହି, ମୁଁ ଔଷଧ ଦେଇ ଯାଉଛି । ପାଠ କହିଛି ପରା–

 

‘‘କର୍କଟୋ ମର୍କଟୋ ପିତ୍ତ ଶୁଣୀଚୂର୍ଣ୍ଣେନ

 

ଗୋଳୟେତ୍‌ ।

 

ବଟିକା ହରଡ଼ ମାତ୍ରେଣ ତ୍ରିଭି ଦୋଷ ବିନଶ୍ୟତି ।’’

 

ଏହା କହି ବଟୁଆରୁ କିଞ୍ଚିତ୍‌ ଚୁର୍ଣ୍ଣ ବାହାର କରି ଉଷାଙ୍କ ହାତରେ ଦେଇ କହିଲା, ‘‘ମହୁରେ ଗୋଳି ଏ ଔଷଧ ତିନି ପାନ ଖୁଆଇବ ।’’ ଉଷା ପଚାରିଲେ–‘‘ସେହି ଯେ କଟକଟ ମଟମଟ ଉଷୃଦ କହିଲ, ଏ ସେହି ଉଷୁଦ ନା ?’’ ବୈଦ୍ୟ ହସି ହସି କହିଲା–‘‘କଟକଟ ମଟମଟ ନୁହେଁ–କର୍କଟ ଯେ କଙ୍କଡ଼ା, ମର୍କଟ ଯେ ମାଙ୍କଡ଼, ତାହାରି ପିତ୍ତ ଏ ଔଷଧରେ ପଡ଼ିଛି ।’’

 

ଉଷା–ଏଁ, କଙ୍କଡ଼ା ଜାଣି ଗଡ଼ିଆରୁ ଦିଟା ଅଣ୍ଡାଳି ଆଣି ଚିପି ଦେଇ ପିତ୍ତ କାଢ଼ିଲି, ଆଉ ମାଙ୍କଡ଼ ପିତ୍ତ କିମିତି କାଢ଼ିଲ ? ମାଙ୍କଡ଼ଟାକୁ ପିଟି ମାରି ପକାଇଲ ନା କଅଣ ?

 

ବୈଦ୍ୟ–ନ ମାରିଲେ ହବ କିମିତି ? ବୈଦ୍ୟ ହବା କଅଣ ଥଟା ତାମସା କଥା ! ଏତେ ବୈଦ୍ୟ ତ ଅଛନ୍ତି, ବଟୁଆ ଝୁଲେଇ ଚାଲିଛନ୍ତି, ଆଛା ଭଲା ପଚାରନି ଯାଇ–ଏ ଔଷଧର ନାଁ କେହି ଜାଣନ୍ତି ନା ? ଖାଲି ଭଣ୍ଡଗୁଡ଼ାକ, ବୈଦ୍ୟ ନା ଯମଦୂତ । ଆସୁନି ଭଲା ଶଙ୍କରା ଯୋଗୀ ଆଗରେ କିଏ କଥା କହିବ । ଏଡ଼େ ବାପର ପୁଅ କିଏ ଅଛି ଦେଖିବା ! ଏଗୁଡ଼ାକ ତିନି ଜନ୍ମିଯାଏଁ ମୋ ପାଖରୁ ପାଠ ପଢ଼ିଲେ ସରିବ ନାହିଁ । ସେ ଦିନ କଅଣ ହେଲା, ଶୁଣିବ ? ଆମେ ତ ଯୋଗୀ, ସନ୍ନ୍ୟାସୀ ଜାତି, ଭିକ ମାଗିବା ଆମର ଧର୍ମ । ଯେତେ ସଂପତ୍ତି ଥାଉ ପଛକେ ଭିକ ନ ମାଗିଲେ ଆମର ଅଧର୍ମ ହେବ । ସେଦିନ ଆର ସାହିକି ଭିକ୍ଷା କରିବାକୁ ଯାଇଥିଲି । ମକଦମ ଘରେ ପହୁଞ୍ଚି କେନ୍ଦରା ବଜାଇ ପଦେ ଗୀତ ଗାଇଲାକ୍ଷଣି ବୁଢ଼ୀ ସାଆନ୍ତାଣୀ ଭିକ ଆଣି ଦିଅନ୍ତି । ସେଦିନ ଘଡ଼ିଏଯାଏଁ କେହି ଶୁଣିଲେ ନାହିଁ । ଘର ଭିତରେ ଗୋଳମାଳ ଶୁଭୁଥାଏ । ମକଦମଙ୍କ ସାନପୁଅଟି ଦାଣ୍ଡରେ ଖେଳୁଥିଲା । ତାକୁ ପଚାରିଲି । ସେ କହିଲା–‘‘ବାବୁଙ୍କୁ ଜର, ଚାରି ପାଞ୍ଚ ଜଣ ବଇଦ ତାଙ୍କ ପାଖରେ ବସିଚନ୍ତି ।’’ ଏହା ଶୁଣି ମୁଁ ଭିତରକୁ ଯାଇ ଦେଖିଲି, ମକଦମ ଖଟରେ ଶୋଇଛନ୍ତି । ଚେତନା ତେତେ ନାହିଁ, କି ଆଖିବି ଫିଟୁ ନାହିଁ । ବୈଦ୍ୟମାନେ କି ଔଷଧ ଦେବେ ବୋଲି ବଡ଼ ଭାବନାରେ ପଡ଼ିଛନ୍ତି । ମୋତେ ଦେଖି ଜଣେ କହିଲା–‘ହେଇଟି ଶଙ୍କରନାଥ ବି ଆସିଲାଣି ।’ ଆଉ ଜଣେ କହିଲା, ‘ଶଙ୍କରନାଥ ଆମରି ପରି ଜଣେ ନା ଆଉ ବ୍ରହ୍ମା ବିଷ୍ଣୁ ?’ ଏ କଥାଟା ମୋତେ ବଡ଼ ବାଧିଲା । ମୁଁ କିଛି ନ କହି ବଟୁଆରୁ ବଡ଼ିଟିଏ ବାହାର କରି ସେଥିରୁ ଫାଳେ ଖାଇବାକୁ ଦେଲି । ସେ ବଡ଼ ପେଟରେ ପଡ଼ିଲାକ୍ଷଣି ମକଦମ ଡାହାଣ ଆଖି ମେଲି ଚାହିଁଲେ; ଆଉ ତାଙ୍କ ଡାହାଣ ପଖଟାଯାକ ଶୀତଳ ହୋଇ ଆସିଲା । ତହୁଁ ମୁଁ ବୈଦ୍ୟମାନଙ୍କୁ କହିଲି–‘‘ମୁଁ ଫାଳେ ଜ୍ୱର ଛଡ଼ାଇ ଦେଲି, ତୁମ୍ଭେମାନେ ମିଶି ଆରଫାଳକ ଛଡ଼ାଇ ଦିଅ ।’’ ଏହା ଶୁଣି ସମସ୍ତଙ୍କ ମୁହଁ କଳା ପଡ଼ିଗଲା; ପାଟିରୁ ‘‘ଉଁ କି ଚୁଁ’’ କଥା ବାହାରିଲା ନାହିଁ ! ସେଇଠୁଁ ମୁଁ ଆର ବଡ଼ି ଫାଳକ ଦେଲି । ମକଦମ ତାହା ଖାଇ ଧଡ଼କରି ଉଠି ବସିଲେ; ଆଉ ମୋତେ ଟାଣି ନେଇ ପାଖରେ ବସାଇ କହିଲେ–‘‘ଶଙ୍କର, ତୁ ଆଜି ମୋତେ ବଞ୍ଚେଇ ଦେଲୁ–ତୁ କଅଣ ନେବୁ କହ । ତୁ ଯାହା କହିବୁ, ମୁଁ ତାହା ଦେବି ।’’ ମୁଁ କହିଲି–‘‘ଅବଧାନ ତମ ଘର ଭିକମୁଠାକ ତ ମୋର ଆଶ୍ରା; ଆଉ କହିବି ପୁଣି କଅଣ ?’’ ମକଦମ ମୋତେ ଲୁଗା ଯୋଡ଼େ ଆଉ ପାଞ୍ଚଟଙ୍କା ଦେଇ ବିଦା କରିଦେଲେ । ଏହା ଦେଖି ବୈଦ୍ୟଗୁଡ଼ାକ କିଏ କୁଆଡ଼େ ପଳାଇଲେ ତାହାର ପତ୍ତା ମିଳିଲା ନାହିଁ । ରୋଗ ଚିହ୍ନିଲେ ହେବ, ନ ଖାଲି ବୈଦ୍ୟ ହୋଇ କଅଣ ହେବ ? ଏହି ଯେ ମହାଜନଙ୍କର ଜର, ତାହାର ଲକ୍ଷଣ କେହି କହି ପାରିବେ? ଜରରେ ତାଙ୍କର ଗୋଡ଼ହାତ ଘୁଳେଇ ହେଉଥିବ–ମୁଣ୍ଡ ବିନ୍ଧୁଥିବ–ଆଖି ଫାଟି ପଡ଼ୁଥିବ–ନାକ ଧକ୍‌ଧକ୍‌ ହେଉଥିବ–ପେଟ ଟାଣୁଥିବ, ଆଉ ମନ ଛଟ ଛଟ ହେଉଥିବ ।’’ ବୈଦ୍ୟର କଥା ନ ସରୁଣୁ ଦାସେ କହିଲେ–‘‘ହଁ ରେ ଶଙ୍କୁରୁ, ତୁ ଯାହା କହିଲୁ, ତାହା ଠିକ୍‌ । ତୋତେ ମୁଁ ଖୁସି କରି ଦେବି, ତୁ ମୋତେ ଭଲ କରି ଦେ ।’’ ଏହା ଶୁଣି ବୈଦ୍ୟ ମନେ ମନେ କହିଲା–‘‘ଆଉ ଅଧିକ କିଛି ନ ଦିଅ ପଛକେ ଆଠଦିନ ତଳେ ଚଂପାକଢ଼ୀମାଳ ବନ୍ଧା ଦେଇ ଯେଉଁ ତିନି ଟଙ୍କା ନେଇଛି, ତେତିକ ଛାଡ଼ିଦେଲେ ମୋର ଆନନ୍ଦ । ଆଉ ତମେ କିଛିଦିନ ବିଛଣାରେ ପଡ଼ି ନ ରହିଲେ କି ସହଜରେ ତମଠାରୁ ପଇସା ବାହାରିବ ! ମୋ ହାତରେ କିଛିଦିନ ଆଗେ ତବ୍ଦ ହୁଅ–ମୁଁ ବି ସେହିପରି ଔଷଧ ଦେଇଛି ।’’ ଅନନ୍ତରର ପ୍ରକାଶରେ କହିଲା–‘‘ତମ କଥାରେ ମୋର ହେଳା ଅଛି ନା ? ଦୁଇଟା ଦିନ ମଧ୍ୟରେ ଯେବେ ଜ୍ୱର ଛଡ଼ାଇ ନ ଦେବି, ମୋ ନା ଶଙ୍କରନାଥ ନୁହେଁ ।’’ ଏହା କିହି ବୈଦ୍ୟ ବିଦାୟ ନେଲା ।

 

ବୈଦ୍ୟର ଅମୃତହସ୍ତା ଗୁଣରୁ ହେଉ ବା ଔଷଧ ଗୁଣରୁ ହେଉ, ଜର ଆଉ ଦାସଙ୍କୁ ଛାଡ଼ି ଅନ୍ୟତ୍ର ଯିବାକୁ ଇଚ୍ଛା କଲା ନାହିଁ । ସମୟ ସମୟରେ ଦାସଙ୍କର ମୂର୍ଚ୍ଛା ହେବାର ଉପକ୍ରମ ହେଲା । ଉଷା ଅତି କାତର ହୋଇ ପଡ଼ିଲେ । ବାତ୍ୟା-ବିକ୍ଷୁବ୍‌ଧ ସମୁଦ୍ର ପ୍ରାୟ ତାଙ୍କର ହୃଦୟ ଘନ ଘନ ଅଲୋଡ଼ିତ ହୋଇ ଉଠିଲା । ପ୍ରତିବେଶୀମାନେ ଡାକ୍ତର ଡାକିବାକୁ ଉପଦେଶ ଦେଲେ । ଉଷା ରାମାକୁ ଆଠଅଣା ପଇସା ଦେଇ ଡାକ୍ତର ପାଖକୁ ପଠାଇଲେ । ରାମା ଯାଇ ଡାକ୍ତରଙ୍କୁ ରୋଗର ବିବରଣ ଏବଂ ରୋଗୀର ଅବସ୍ଥା ଜଣାଇଲା । ମାତ୍ର ଡାକ୍ତର କହିଲା–‘‘ଟଙ୍କାଏ ଭିଜିଟ୍‌ନ ଦେଲେ ମୁଁ ଯାଇ ପରିବି ନାହିଁ; ଆଠଅଣା ପଇସାପାଇଁ ଦେଢ଼କୋଶ ବାଟ ମୋର କିଏ ଯିବ ?’’ ତହୁଁ ରାମା ଫେରି ଆସି ମାଉସୀଙ୍କୁ କହିଲା, ‘‘ଡାକ୍ତର ଆସିଲା ନାହିଁ; ସେ କହିଲା–ଟଙ୍କାଏ ନ ନେଲେ ଏତେ ବାଟ ଆସିପାରିବ ନାହିଁ ।’’ ଉଷା କିଛିକ୍ଷଣ ରାମା ମୁହଁକୁ ଉଦାସନେତ୍ରରେ ଅନାଇ କହିଲେ–‘‘ଏତେ ବାଟ କେତେ ରେ ? ବାଟ ଚାରିପାହୁଲ ଆସିବାକୁ କଅଣ ତାର ଗତର ଛିଡ଼ି ପଡ଼ିବ, ନା ରାଧା ଦିହକୁ ବାଧିଯିବି ? ତେବେ ତୁ ଆଉ ଆଠଅଣା ନାଇ ଯା । ଆଉ ଗୋଟେ କଥା କରିବୁ–ଚାରିଅଣା ପଇସା କୁଞ୍ଚକାନିରେ ବାନ୍ଧି ନାହି ମୁଣ୍ଡରେ ଖୋସି ଦେଇ ଥା । ଆଗେ ବାରଅଣା ଦେବୁ, ସେଥିରେ ଯେବେ ସେ ଡ଼ାକୁଣୀଖିଆ ନ ମଙ୍ଗେ; ତେବେ ଆଉ ଚାରିଅଣା ଦେଇ ଡ଼ାକି ଆଣିବୁ । ତା’ ଘରକୁ କଅଣ ରୋଗ ବୈରାଗ ଯାଏ ନାହିଁ–ସେ କଅଣ ସବୁଦିନେ ଲୁହାରେ ମୁଣ୍ଡ ବାନ୍ଧି ରହିଥିବ ? ଅନ୍ୟାୟ କରି ଅଳ୍‌ପାଇଷ କେତେଦିନ ବଞ୍ଚିବ ? ଅସତ୍‌ ଧନ ଅଗ୍ନି ଖାଇଯିବ !’ ରାମା କହିଲା ‘‘ଏ ତ ଆଚ୍ଛା ବୁଦ୍ଧି, ଚାରିଅଣା ଲୁଚାଇ ରଖି ପଛରେ ଦେଲେ ସେ କହିବ, ମଝିରୁ ଚାରିଅଣା ମାରି ନେବାପାଇଁ ତୁ ଏ ଚାତୁରୀ ଖେଳୁଥିଲୁ । ସେତେବେଳେ ଦୋଷ ମୋର ହେବ । ସେ ତ ଏ ଗାଁରେ ଯାହା ଘରକୁ ଆସିଲେ ଟଙ୍କାଏ ନିଏ; ଆଉ ତମଠୁଁ ବାରଅଣା ନେବ ?’’ ଉଷା ଈଷତ୍‌ ରୁଷ୍ଟ ସ୍ୱରରେ କହିଲେ–‘‘ସେ ତାହା କାହିଁକି କହିବ ? ତୁ ଆଗେ ବାରଅଣା ଦେଇ ଦେଖିବୁ, ସେ ଯେବେ ନ ଆସେ, ତେବେ ଆଉ ଚାରିଅଣା ଦେଇ କହିବୁ ଉଷୁଦଖର୍ଚ୍ଚ ଲାଗି ଏହି ଚାରିଅଣା ଅଲଗା ଦେଇଛନ୍ତି-। ନିର୍ବୁଦ୍ଧିଆଟା, ତୋର ଦୋଷ କାହିଁକି ହେବ ?’’ ରାମା ମନେ ମନେ ମାଉସୀଙ୍କ ବୁଦ୍ଧିର ପ୍ରଶଂସା କରି ପୁନଶ୍ଚ ଡ଼ାକ୍ତର ଡାକିବାକୁ ଗଲା । ମାତ୍ର ମାଉସୀଙ୍କ କହିଲା ପରି ଏତେ ଛନ୍ଦ ପିକର ନ କରି ଡାକ୍ତର ଆଗରେ ଟଙ୍କାଟି ଥୋଇ ଦେଲା । ଏଥର ଡାକ୍ତର ଆଉ ମନା ନ କରି ରାମା ସଙ୍ଗରେ ଆସିଲା ।

 

ଡାକ୍ତର ପହିଲି ସାହୁ ଜାତିରେ ତେଲୀ । ବୟସ ପ୍ରାୟ ପଚିଶ କି ଛବିଶ ହେବ । ସେ କଂପାଉଣ୍ଡରୀ ପାସ୍‌କରି ଔଷଧପତ୍ର କୀଣି ଆଣି ଘରେ ରହି ବ୍ୟବସାୟ କରେ । ତାହାର ସ୍ୱଭାବ ଟିକିଏ ଅତିରଞନପଟୁ । ମୁଣ୍ଡବ୍ୟଥା ପାଖରୁ ପେଟଟଣାଯାଏ ସେ ସବୁ ରୋଗରେ ହାର୍ଟଫେଲ୍ ହେବାର ସ୍ୱପ୍ନ ଦେଖେ । ରୋଗୀ ଦେଖିବାକୁ ଆସିଲେ ଅତି ସାବଧାନ ହୋଇ ଆସେ–ଦେହରେ ତିନି ଚାରିଟା କୋଟ୍‌ ଘୋଡ଼ି ହୋଇ ମୁଣ୍ଡରେ ଟୋପି ଦେଇ ଏବଂ ଗୋଡ଼ରେ ଜୂତା ମୋଜା ପିନ୍ଧି ରୋଗୀ ପାଖକୁ ଆସେ । କେବଳ ଏତିକି ନୁହେଁ, ଲୁଗାରେ ଅତର ଏବଂ ଏସେନ୍‌ସ ଛିଞ୍ଚା ହୋଇଥାଏ । ଏତେ ସାବଧାନତା ସତ୍ତ୍ୱେ କାଳେ ରୋଗିଦେହର ବିଷାକ୍ତ ବାଷ୍ପ ଅନ୍ୟ ବାଟ ନ ପାଇ ଆଖିବାଟେ ତାହା ଦେହ ଭିତରକୁ ଚାଲିଯାଏ, ସେଥିପାଇଁ ସେ ଯୋଡ଼ାଏ ମୋଟା ଚଷମାରେ ଚକ୍ଷୁ ଆବୃତ କରିଥାଏ । ଡାକ୍ତର ଆସି ଦାସଙ୍କର ନାଡ଼ୀ ପରୀକ୍ଷା କରି ଦଣ୍ଡେଯାଏ ସ୍ତବ୍‌ଧ ହୋଇ ଠିଆ ହେଲା । ତହିଁପରେ ପଚାରିଲା–‘‘ଆଉ କେହି ଔଷଧ ଦେଇଥିଲା କି ?’’ ରାମା କହିଲା–‘‘ଶଙ୍କରନାଥ କି ଚୂର୍ଣ୍ଣ ଦେଇଥିଲା ।’’ ଡାକ୍ତର ବିକୃତ ମୁଖଭଙ୍ଗୀ କରି କହିଲା–‘‘ସେହି ତ ରୋଗ ବିଗାଡ଼ି ଦେଇ ଯାଇଛି, ସେ ମୂର୍ଖଟା କଅଣ ଜାଣେ ? ଆଛା, ଚଞ୍ଚଳ ଜଣେ ଭଣ୍ଡାରୀକି ଡାକିଆଣ; ରୋଗୀର ମୁଣ୍ଡ କ୍ଷୌର କରି ପାଣି ଢାଳିବାକୁ ହେବ ।’’ ଉଷା କହିଲେ–‘‘ତରୁଆ ମଳୁ; ମୁଣ୍ତରେ ପାଣି ଢାଳିବ, ସନ୍ସିପତ ହୋଇଯିବ ନାହିଁ କି ?’’ ଡାକ୍ତର କହିଲା–‘‘ତାହା ନ କଲେ ହାର୍ଟଫେଲ ହୋଇଯିବ ।’’ ଏହା କହି ଜ୍ୱରର ମାପକାଠି ଥାର୍ମୋମିଟାର ଯନ୍ତ୍ର ପକେଟରୁ ବାହାର କରି ତାହା କାଖସନ୍ଧିରେ ଯାକିବାକୁ ରୋଗୀକୁ କହିଲା । ଡାକ୍ତର ପ୍ରଥମ ଥର ନ ଆସି ଆଠ ଅଣା ସ୍ଥଳରେ ଟଙ୍କାଏ ନେବାରୁ ଏକେ ତ ତାହା ପ୍ରତି କ୍ରୋଧରେ ଉଷାଙ୍କର ହାଡ଼ ଜଳିଯାଉଥିଲା; ତାହା ଉପରେ ଜ୍ୱରକାଠି ଦେଖି ଗର୍ଜି ଉଠି ସେ କହିଲେ–‘‘ଏକି ନବରଙ୍ଗ, ପଇସା ଖାଇବାର ଖେଳ ନା କଅଣ ? ଜରୁଆ ମଳୁ, ମୁଣ୍ତରେ ପାଣି ଢାଳିବ, କାଠିରେ ଜର ମାପିବ, ଏହି ଡାକ୍ତର ନା ଆଉ କିଛି-? ଏଥିଲାଗି ପୁଣି ରୋଗୀ ନ ଦେଖୁଣୁଁ ଆଗତୁରା ଟଙ୍କେ । ନା, ନା, ସେଖଣ୍ତ କି ହାଡ଼, ନା କାଠି, ତାଙ୍କ ଦେହରେ ଲଗାଅ ନାହିଁ, କି ମୁଣ୍ତରେ ପାଣିଫାଣି ଢାଳ ନାହିଁ ।” ଡାକ୍ତର କହିଲା–‘‘ତାହା ନ କଲେ ହାର୍ଟଫେଲ ହେବ ଯେ ।’’ ଉଷା କହିଲେ–‘‘କଅଣ ହାଟଫଳ ହେବ ? ଜର ତ ହେଇଚି; ଆଉ ହାଟଫଳ ଗୋଟେ ପୁଣି କଅଣ ?’’ ଡାକ୍ତର ଟିକିଏ ମୁରୁକି ହସି ରାମାକୁ ଅନାଇ କହିଲା–‘‘ସ୍ତ୍ରୀଲୋକ କି ନା, ବୁଝିପାରୁ ନାହାନ୍ତି ।’’ ପରେ ଉଷାଙ୍କୁ ଲକ୍ଷ୍ୟ କରି କହିଲା, ‘‘ହାର୍ଟଫେଲ୍‌କଅଣ କି, ଦମ୍‌ବନ୍ଦ ହୋଇଯିବ । ଆଉ ଏ ଯନ୍ତ୍ରକୁ ଛୁଇଁଲେ ବି କିଛି ଦୋଷ ନାହିଁ । ଦେହରେ କେତେ ତାପ ଅଛି, ତାହା ଏଥିରେ ଜଣାଯାଏ । ଏହା କାଚର ନଳ-ହାଡ଼ ନୁହେଁ, କି କାଠ ନୁହେଁ । ଏହି ଦେଖ, ପାରା ଏହି ଯନ୍ତ୍ରର ଏହିଠାରେ ଥିଲା; ଏବେ ଏତେ ଉପରକୁ ଉଠିଗଲା ।’’ ଅନନ୍ତର ଯନ୍ତ୍ରଟି ଉଷାଙ୍କ ପାଖକୁ ନେଇଯାଇ କହିଲା–‘‘ପାରା ଏହିଠାରୁ ଏତେ ଛାଡ଼ିଗଲା, ଏହି ଦାଗଠାରୁ ଏହି ଦାଗଯାଏଁ ଯେତେ, ଦେହରେ ତେତେ ତାପ ଅଛି ।’’ ଉଷା କହିଲେ–‘‘ତପ କଅଣ ଏତେ ବହଳରେ ଦିହ ଉପରେ ବସିଯାଇଛି, ନା ତମେ ମାପି ପକେଇଲ ? ମୁଁ ସେ ଯନ୍ତ୍ରଫନ୍ତ୍ର ଜାଣେ ନାହିଁ । ବଇଦ ସିନା ନାଡ଼ୀ ଦେଖି ଛୁତ ଦେଖି ଉଷୁଦ ଦିଅନ୍ତି; ଆଉ ପଦିକାରେ ଜମି ମାସିଲା ପରି କାଠିରେ କିଏ ଜର ମାପେ ? ତମେ ନାଡ଼ୀ ଦେଖି ଉଷୁଦ ଦବ ତ ଦିଅ, ନ ହେଲେ ଚାଲିଯାଅ, ଟଙ୍କାଟା ପଛକେ ଖାଇଲ ତ ଖାଇଲ । ଧର୍ମ ଥିଲେ ବୁଝାମଣା କରିବ ।’’ ଡାକ୍ତର ଉଷାଙ୍କର ଢ଼ଙ୍ଗଢ଼ାଙ୍ଗ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହୋଇ ମନେ ମନେ କହିଲା–‘‘ମୁଁ ଢେର ମାଇକିଣା ଦେଖିଛି; ମାତ୍ର ଏଭଳି ମାଇକିଣା ଦେଶ ଦୁନିଆରେ ଦେଖି ନାହିଁ । ଏ ମାଇକିଣାଟା ତ ମର୍ଦ୍ଦଙ୍କର ବାପ; ଏହାର ଆଖି କାନ କଥା କହୁଛି ।’’ ଡାକ୍ତର ଛ ପୁଡ଼ିଆ ଔଷଧ ପକେଟରୁ ବାହାର କରି ରାମ ହାତରେ ଦେଇ କହିଲା–‘‘ଏହାକୁ ଥରକେ ଗୋଟାଏ ଲେଖାଏଁ ଥଣ୍ତା ପାଣିରେ ଦିନରେ ତିନି ଥର କରି ଖୁଆଇବ ।’’ ଏହା କହି ପ୍ରସ୍ଥାନ କଲା ।

 

ଡାକ୍ତରୀ ଔଷଧରେ କିଛି ଫଳ ହେଲା ନାହିଁ । ଆଉ ଔଷଧ ବା କଅଣ କରିବ ? ଔଷଧ ସିନା ପ୍ରାକୃତିକ କ୍ରିୟାର ସାହାଯ୍ୟ କରେ । ରୋଗ ଅସାବଧାନତାର ଶାସ୍ତି । ସେହି ଶାସ୍ତି ଭୋଗ ପରେ ପ୍ରକୃତି ଆପେ ଆପେ ରୋଗ ଭଲ କରିଦିଏ । ଯେଉଁ ପ୍ରକୃତି ଭାଙ୍ଗେ, ସେହି ପୁଣି ଗଢ଼ିବିଏ; ସେହି ରୋଗ ଆଣିଦିଏ–ଯଥା–ସମୟରେ ସେହି ଭଲ କରିଦିଏ । ଔଷଧ ଊପଲକ୍ଷ୍ୟ ମାତ୍ର । ପ୍ରକୃତିଠାରୁ ବଳି ବୈଦ୍ୟ ନାହିଁ; ସାବଧାନତା ପରି ଔଷଧ ନାହିଁ । ସ୍ଥାନୀୟ ଅପରପ୍ରାଇମେରୀ ସ୍କୁଲର ଶିକ୍ଷକଙ୍କ ନାମରେ ଖଣ୍ତେ କି ଓଡ଼ିଆ ଖବରକାଗଜ ଆସେ । ରାମା ଥରେ ସେହି କାଗଜରେ ଜ୍ୱରର କେତେଗୁଡ଼ିଏ ମୁଷ୍ଟିଯୋଗ ପଡ଼ିଥିଲା । ତାହା ସାଧାରଣ ଜ୍ୱରର ଔଷଧ ନୁହେଁ–ପାଳିଜ୍ୱରର ତୁଟୁକା । ଦାସଙ୍କର ଜ୍ୱର କିଛିଦିନ ପରେ ପାଳିଜ୍ୱରରେ ପରିଣତ ହେଲା-। ରାମା ସେହି ମୁଷ୍ଟିଯୋଗ ପ୍ରୟୋଗ କଲା । ତାହା ଅନ୍ୟ କିଛି ନୁହେଁ–ଗୋଟିଏ ଉଦ୍‌ରିଦର ମୂଳ । ଜ୍ୱର ପାଳିଦିନ ସେହି ମୂଳ ଆଣି ତାହାକୁ ସାତଖିଅ ଲାଲସୁତାରେ ବାନ୍ଧି କଟିଦେଶରେ ବାନ୍ଧିବାକୁ ହୁଏ । ସେହି ଔଷଧ ଗୁଣରେ ହେଉ ବା ଦାସଙ୍କ ସୌଭାଗ୍ୟର ଆଶୀର୍ବାଦ ଫଳରେ ହେଉ, ତୁଟୁକା ପ୍ରୟୋଗ ପରେ ଦାସଙ୍କୁ ଆଉ ଜ୍ୱର ହେଲା ନାହିଁ । କଥାରେ କହନ୍ତି–ଦାରୁ ଲାଗେ ନାହିଁ, ଦୁବ ଲାଗେ । ଅନେକ ସ୍ଥଳରେ ଦେଖାଯାଏ–ବଡ଼ ବଡ଼ ଔଷଧ ଯେଉଠାରେ ପରାସ୍ତ ହୁଏ, ସାମାନ୍ୟ ତୁଟୁକାରେ ସେ ରୋଗ ଭଲ ହୋଇଯାଏ । ଦ୍ରବ୍ୟଗୁଣର ମାହାତ୍ମ୍ୟ ଅସାଧାରଣ । ଯାହାକୁ ହେୟ ଜ୍ଞାନ କରାଯାଏ, ସମୟରେ ତାହା କୋଟିଏ ଟଙ୍କାର ଉପକାରରେ ଆସେ । ଦାସଙ୍କର ଶରୀରରେ କ୍ରମଶଃ ନବବଳର ସଞ୍ଚାର ହେଲା । ଗ୍ରୀଷ୍ମତାପଦଗ୍‌ଧ ନିଷ୍ପତ୍ର ତରୁ ନବବର୍ଷାର ଅମୃତ ଜଳ ପାନ କରି ପୁଷ୍ପପଲ୍ଲବରେ ଶୋଇତ ହେଲା ପ୍ରାୟ ଛ ମାସ ମଧ୍ୟରେ ଦାସଙ୍କର ନଷ୍ଟ ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ଫେରି ଆସିଲା । ଏହି ଉପକାର ହେତୁ କିଛି ଦିନଯାଏ ରାମାର କିଞ୍ଚିତ୍‌ଭାଗ୍ୟୋଦୟ ହୋଇଥିଲା । ମାଉସୀଙ୍କର ପୂର୍ବ ପ୍ରଦତ୍ତ ବିଶେଷଣ ତାହା ପ୍ରତି ପ୍ରଯୁକ୍ତ ହେଲା ନାହିଁ । ମାତ୍ର ସେ ଭାବ ଅଧିକ ଦିନ ସ୍ଥାୟୀ ହେଲା ନାହିଁ । ପାପିହୃଦୟର କ୍ଷଣିକ ଧର୍ମଭାବ ପରି ଉଦୟର ପର ମୁହୁର୍ତ୍ତରେ ତାହା ବିଲୟ ଭଜିଲା । ପୂର୍ବ ପରି ମାଉସୀ ସେହି ପ୍ରିୟ ବିଶେଷଣ–ଗୁଡ଼ିକ ପୁନଶ୍ଚ ରାମା ପ୍ରତି ପ୍ରୟୋଗ କଲେ । ଏ ସଂସାର ଏହିପରି, ଏଠାରେ ଉପକାରର ପ୍ରତ୍ୟୁପକାର ସୁଲଭ ନୁହେଁ; ଲାଞ୍ଚନା ହିଁ ସୁଲଭ । ଯେଉଁ ପାଷଣ୍ତ ଉପକାର ଗ୍ରହଣ କରି ଶିଶୁପରି ମୂହୂର୍ତ୍ତକେ ଭୁଲିଯାଏ, ସେ ଉନ୍ମାଦ-ଗ୍ରସ୍ତ କିମ୍ବା ହୃଦୟ ବୋଲିବା ପଦାର୍ଥ ତାହା ଶରୀରରେ ନାହିଁ । ସେ ପଶୁଠାରୁ ଅଧମ ଏବଂ ଅମେଧ୍ୟଠାରୁ କୋଟି ଗୁଣ ଘୃଣ୍ୟ । ତାହାର ନାମୋକାରଣ ପାପତନକ-

Image

 

ନବମ ପରିଚ୍ଛେଦ

 

ସୁଭଦ୍ରା ରାମାକୁ ରାମାଭାଇ ବୋଲି ଡାକେ ଏବଂ ଆନ୍ତରିକ ଭଲ ପାଏ । ସେ ରାମାର କାଖରେ ବଢ଼ିଅଛି । ସୁଭଦ୍ରା ବର୍ତ୍ତମାନ ଶିଶୁ ନୁହେଁ–ସେ ବଢ଼ିଗଲାଣି । ଯେ ତାହାର ବାଲ୍ୟକାଳର ବାହନ ଏବଂ କ୍ରୀଡ଼ାର ସଙ୍ଗୀ, ତାକୁ ସେ ଭଲ ନ ପାଇବ ବା କିପରି ? ଜନନୀ ଯେତେବେଳେ ରାମାକୁ କଠୋର ଉଷ୍ମ ଉର୍ସ୍ଥନାରେ ଅଭ୍ୟର୍ଥନା କରନ୍ତି; ସୁଭଦ୍ରା ତେତେବେଳେ ମୁହଁଟି ଶୁଖାଇଦିଏ ଏବଂ ମନେ ମନେ ଜନନୀଙ୍କ ପ୍ରତି ବିରକ୍ତ ହୁଏ । ଦିନେ ଦାସଦଂପତି ଘରେ ବସି ଖୋସଗଲପରେ ନିଯୁକ୍ତ ଥିଲେ । କନ୍ୟା ସୁଭଦ୍ରା ପାଖରେ ବସିଥିଲା । ସେ ମାକୁ କହିଲା–‘‘ମା, ତୁ ରାମାଭାଇକି ଏତେ ଗାଳି ଦଉ କାହିଁକି ? ମୁଁ ଢେର ଥର ଦେଖିଛି–ତୁ ଗାଳିଦେଲେ, ସେ ବାଡ଼ିଆଡ଼େ ଯାଇ କାନ୍ଦେ ।’’ ଉଷା କନ୍ୟାର ଏ ଅପ୍ରତ୍ୟାଶିତ କଥା ଶୁଣି ଈଷତ୍‌କ୍ରୁଦ୍ଧ ସ୍ୱରରେ କହିଲେ–‘‘ହଁ ଲୋ ଗେହ୍ଲେଇ–ରୁଲେଇଟା, କେତେ ବନେଇ ଚୁନେଇ କଥା କହୁଚୁ । ମୁଁ ତାକୁ ଇମିତି ଚେଙ୍କେ ଦାଗେଁଯେ, ସେ ବାଡ଼ିଆଡ଼କୁ ଯାଇ ଆଖିରୁ ଲେମ୍ବୁରସ ଗଡ଼େଇ ପକାଏ ।’’ ଆଉ କେହି ଏପରି କଥା କହିଥିଲେ, ଉଷା ତାହାର ମହତ ସାରି ଦେଇଥାଆନ୍ତେ; ମାତ୍ର ଆଉ କେହି କହି ନାହିଁ–କନ୍ୟା କହିଛି । ସ୍ନେହର ଯନ୍ତ୍ରଣା ତ ସହିବାକୁ ହୁଏ; ସୁତରାଂ ଅଧିକ କିଛି ନ କହି ଏତିକି ମାତ୍ର କହି ମୁହଁ ଭାରି କରି ତୁନୀ ହେଲେ । କନ୍ୟାଟି ମଧ୍ୟ ଛାଡ଼ିବାର ପାତ୍ରୀ ନୁହେଁ–ସେ ଉତ୍ତରାଧିକାରିଣୀ–ସୁତ୍ରରେ ଜନନୀର ଗୁଣ ପ୍ରାପ୍ତ ହୋଇଅଛି । ସେ ପୁନଶ୍ଚ କହିଲା–‘‘ତୁ ତାକୁ କାହିଁକି ଗାଳି ଦଉ ? ସେ ତ ଆମ ଘରେ ଏତେ କାମ କଲେ; ଗାଳିଦେଲେ ତାକୁ ବାଧିବ ନାହିଁ ?’’ ମାତ ଝଙ୍କାର ଦେଇ କହିଲେ–‘‘ ତୋହରି ପରି ରାଜଜେମାଦେଈକି ଫୁଲପାଣି ଯିମିତି ବାଧେ, ସିମିତି ତାକୁ ବାଧି ଯାଉଛି । ତାକୁ ନ ବାଧୁ ପଛକେ ତୋତେ ଆଗେ ବାଧି ଯାଉଥିବ । କଥା କହିବାର ସାଠଣା ଦେଖ-।’’ ମାତା ପୁତ୍ରୀର କଥୋପକଥନ ଶୁଣି ଦାସେ ହୋ ହୋ କରି ହସିଉଠି କହିଲେ–‘‘ଝିଅ ଯାହା କହିଲା ସତ, ତମେ ତାକୁ ଗାଳିଦିଅ ନାହିଁ ନା ? ପର ପୁଅକୁ ସବୁବେଳେ ଉଠୁଣୁ ବସୁଣୁ ଏପରି ଗାଳିଦେବା ଭଲ ନୁହେଁ ।’’ ଉଷା କ୍ରୋଧମିଶା ବିଦ୍ରୁପ ସ୍ୱରରେ କହିଲେ–‘‘ନା, ଏଣିକି ଆଉ ଗାଳି ଦେବି ନାହିଁ–ଦୁବ ବରକୋଳି ପତ୍ର ଦେଇ ପୂଜା କରିବି ! ହାତ ଯୋଡ଼ି କହିବି, ଠାକୁରେ, ଆସ–ଇଷ୍ଟଦେବତା, ଗୁରୁ ଗୋସାଇଁ, ଆସ, ତମକୁ ପିଢ଼ାପାଣି ଦେଇ ଫୁଲଚନ୍ଦନରେ ପୂଜା କରିବି-। ମୁଁ ସିନା ଗାଳିଦିଏଁ, ତମେ ଏବେ ମୁଣ୍ତେଇ କରି ବସ । ରାମା ଉପରେ ତ କାହିଁକି ଭାରି ମୁଆଁସ ଦେଖୁଚି । ଜର ଭଲ କରି ଦେଲା ବୋଲି କି ?’’ ଏହା କହି କାହାଣେ ଛଟା ଢଗ ଉକାଳି ପକାଇଲେ । ସ୍ତ୍ରୀମାନେ ସ୍ୱଭାବତଃ ପଦ୍ୟପ୍ରବଣ ଜୀବ; ସେମାନେ ଯୋଗୀ ଭିକାରୀ ଗୀତ ଶୁଣିବାକୁ ଭଲ ପାଆନ୍ତି ଏବଂ କଥା କଥାକେ ଛଟା ଢଗ ମେଲି ପଦ୍ୟପ୍ରିୟତାର ପରିଚୟ ଦିଅନ୍ତି । ବିଧାତା ସେମାନଙ୍କୁ ପଦ୍ୟ ଉପାଦାନରେ ସୃଷ୍ଟି କରିଅଛନ୍ତି । ସେମାନେ କବିତାର ସଜୀବ ସଚଳ ପ୍ରତିମା । ପହଳୀ ଯୋଟାରେ କବି, ମହାକବି, ଅତିକବି ସୁଦ୍ଧା ତାଙ୍କୁ ସରି ନୁହନ୍ତି । ଗଛ, ପତ୍ର, କାନ୍ଥ, ବାଡ଼ ସମସ୍ତଙ୍କୁ ଲକ୍ଷ୍ୟ କରି ସେମାନେ ତୁଣ୍ତେ ତୁଣ୍ତେ ପଦ୍ୟ ରଚନା କରିଯାଆନ୍ତି । ସେମାନଙ୍କ ପରି ଆଶୁକବି ମହୀମଣ୍ତଳରେ ବିରଳ । କବିତା କଳାରେ ନିପୁଣ ହେତୁ ସେମାନଙ୍କର କଳାବତୀ ଆଖ୍ୟା ସାର୍ଥକ ହୋଇଅଛି । ଉପମା, ଉତ୍‌ପ୍ରେକ୍ଷା ତ ସେମାନଙ୍କର ଜିହ୍ୱାଗ୍ରରେ; ସେମାନଙ୍କର କ୍ରନ୍ଦନ ସୁଦ୍ଧା କବିତା । ଶ୍ୱଶୁରାଳୟକୁ ଯିବାବେଳେ ସେମାନଙ୍କର କବିତାଶକ୍ତି ଶତଗୁଣିତ ହୋଇଉଠେ । ରୁପକଥାରେ ତ ସେମାନେ ରୂପବତୀ । ସନ୍ଧ୍ୟା ବେଳେ ଠାକୁରମାଙ୍କ ମୁଖକମଳ–ନିଃସୁତ ରୂପକଥା ଶୁଣିବାର ସୌଭାଗ୍ୟ ଯେଉଁ ମାନଙ୍କ ଜୀବନରେ ଘଟିଅଛି, ସେହିମାନେ ଏ ଉକ୍ତିର ଜୀବନ୍ତ ସାକ୍ଷୀ । ଦାସେ ସ୍ତ୍ରୀଙ୍କ ବିଦ୍ରୁପ ବାଣୀରେ କିଞ୍ଚିତ୍‌ଅପ୍ରତିଭ ହୋଇ କହିଲେ–‘‘ରାମା ଜ୍ୱର ଭଲ କରୁ ବା ନ କରୁ, ସମସ୍ତେ ତାହାରି ତୁଟୁକାରେ ଜ୍ୱର ଭଲ ହେଲା ବୋଲି କହୁଛନ୍ତି ।’’ କ୍ରୁଦ୍ଧା ତଂପୁଣୀ ପରି ଉଷା ଫଁ କରି ଗୋଟିଏ ନିଃଶ୍ୱାସ ପକାଇ ଉଦାର ଗମ୍ଭୀର ସ୍ୱରରେ କହିଲେ–‘‘ହଁ, ରାମା ତୁଟୁକାରେ ଜର ଭଲ ହୋଇଗଲା । ପଇସା କଉଡ଼ି ତ ମାଟି ଗୋଡ଼ି ପରି ମୁଠା ମୁଠା କରି ବୁଣିଲି–ବେଦବଇଦ ବି ଛାଡ଼ି ଅଲଗା ହେଲେ, ବୁଢ଼ୀ ଡାକ୍ତର ତ ଏକା ଟଙ୍କେ ନେଲା, ପୋଡ଼ାମୁହାଁ ଶଙ୍କରା ଯୋଗୀ ଦୁଇ ଥରରେ ଛ ପଇସା ଲେଖାଏଁ ତିନିଅଣା ନେଲା, କାହାରି ଉଷୁଦରେ ତ କିଛି ହେଲା ନାହିଁ, ଆଉ ରାମା ଭଲ କରିଦେଲା । ‘ଠେକି ପତାରେ ବେକାରେ–ତୁ କଉଁ ମଣଷରେ ଲେଖାରେ ।’’ ଭଲ କଲେ ଠାକୁରେ ଭଲ କରି ଦେଲେ; ଆଉ କିଏ ଭଲ କରିବ ? ମୁଁ ନ ଖାଇ ନ ପିଇ କାନ୍ଦି କାଟି ଯେତେ ଠାକୁରଙ୍କୁ ଡାକିଚି, ମୁଁ ଜାଣେ କି ମୋର ମନ ଜାଣେ । ଯେତେ ଦିନଯାଏଁ ତମେ ଜରରେ ପଡ଼ିଲ, ତେତେ ଦିନଯାଏଁ ମୋ ପେଟକୁ ଦାନା ଯାଇ ନାହିଁ, କି ଆଖିକି ନିଦ ଆସି ନାହିଁ । କାନ୍ଦି କାନ୍ଦି ଆଖି ଦି’ଟା ତ ଗେଣ୍ତା ପରି ଫୁଲିଗଲା । ଠାକୁରେ ମୋ ଗୁହାରି ଶୁଣିଲେ । ଦେବତା ରଣରୁ ଆଜିଯାଏଁ ବି ମୁଁ ପାର ହୋଇ ନାହିଁ । ପୀରଙ୍କୁ ପଇସାକର ସିରିଣୀ ମନାସିଚି, ତ୍ରିନାଥମେଳା ସହିଚି, ଗାମଦେବତୀଙ୍କି ଛେନାପଣା ଯାଚିଛି । କିମିତି ତାହା ସବୁ ଦେବି, ମୋତେ ବୁଦ୍ଧି ଦିଶୁ ନାହିଁ । ମନ ଯାହା ହେଉଚି, ତାହା ଯେ ଦିନରାତି କରୁଚି, ସେ ଜାଣେ । ଆଉ କିଏ ଜାଣିବ ? କାନ୍ଦି କାନ୍ଦି ପୋଡ଼ା ଆଖିକି ବି ଭଲ ଦିଶୁ ନାହିଁ । ଯା’ ହେଉ, ତମେ ଭଲ ହେଲ, ଏହାମୋର ବଡ଼ାବଡ଼ିଙ୍କ ରାମ୍ୟ । ମୋତେ ଦିଅଣା ପଇସା ଦିଅ, ମୁଁ ଏ ଦେବଋଣରୁ ପାର ହୁଏଁ; ତେବେ ଯାଇ ମୁଁ ଗଙ୍ଗାରେ ସାତ ସିନାନ କଲା ପରି ମଣିବି ।’’

 

ଏହି ସମୟରେ ଦାଣ୍ତରେ କିଏ ଡାକିଲା–‘‘ଦାସ ପୁଅ, ଏ ଆଡ଼କୁ ଆସିବ ନା !’’ ‘‘ହଁ ଯାଉଛି’’ ବୋଲି କହି ଦାସେ ତରଭର ହୋଇ ଉଠି ଆସିଲେ । ଦାଣ୍ତ କବାଟ ଖୋଲି ଆଗନ୍ତୁକ ଉପରେ ଦୃଷ୍ଟି ପଡ଼ିବା ମାତ୍ରେ ସହାସ୍ୟ ବଦନରେ କହିଲେ–‘‘କିଏ ହରି ବାବୁ, କି ବାପା, ଏତେବେଳେ କୁଆଡ଼େ ?’’ ଆଗନ୍ତୁକ ଯୁବକ କହିଲା, ‘‘ତମରି ପାଖକୁ ଆସିଛି ।’’

 

ଦାସେ–କି, କଥା କଅଣ ?

 

ଆଗନ୍ତୁକ–କଥା କଅଣ କି, ତଳ କୋଟରେ ତ ମୋର ଡ଼ିଗ୍ରୀ ହୋଇଥିଲା; ମାତ୍ର ଜଜ୍‌କୋଟରେ ସେ ରାୟ ଫେରିଗଲା । ତେବେ ମୋତେ ହାଇକୋଟ କରିବାକୁ ହେବ । ଓକିଲ ପାଖକୁ ଯାଇଥିଲି; ଏହି ବାଟେ ଆଗେ ତମ୍ଭ କତିକି ଆସିଲି–ଘରକୁ ବି ଯାଇ ନାହିଁ ?

 

ଦାସେ–ଓକିଲ କଅଣ କହିଲା ? ରାୟ ନକଲ ତାକୁ ଦେଇଥିଲ ନା ?

 

ଆଗନ୍ତୁକ–ମୁଁ ଯାଇ ପହଞ୍ଚିଲା ବେଳେ ଓକିଲ ଖଣ୍ତେ କି ଆଇନ ବହି ପଢ଼ୁଥିଲା । ମୋ ଆଗରୁ ପାଞ୍ଚ ଛ ଜଣ ଯାଇ, କେହି ବସିଥିଲା, କେହି ବା ଠିଆ ହୋଇଥିଲା । ମୁଁ ସେମାନଙ୍କ ପାଖରେ ଯାଇ ଛିଡ଼ା ହେଲି । ଓକିଲ ମୋତେ ଟିକିଏ ଅନାଇ ଦେଇ ଆଉ କିଛି କହିଲା ନାହିଁ–ପୂର୍ବ ପରି ବହି ପଢ଼ି ବସିଲା । କିଛିକ୍ଷଣ ପରେ ଜଣେ ମୌତିଲ ତିନୋଟି ଟଙ୍କା ଅଣ୍ଟାରୁ କାଢ଼ି ତାହା ପାଖରେ ରଖିଦେଲା । ଓକିଲ ବହି ବନ୍ଦ କରି ତାହା ସାଙ୍ଗରେ କଥାବର୍ତ୍ତା କଲା–ମୋକଦମାର ହାଲ ବୁଝିଲା । ଓକିଲ ମୋତେ କଥା ନ କହିବାର କାରଣ ବୁଝି ପାରିଲି; ସବୁ ତ ପଇସାର ଖେଳ-। ଯାହାହେଉ, ମୁଁ ବି ତିନି ଟଙ୍କା ଥୋଇଦେଲି । ତେତେବେଳେ ବେଞ୍ଚ ଉପରେ ବସିବାକୁ କହି ରାୟ ନକଲ ପଢ଼ିଲା । ପଢ଼ି ସାରି ନଥିଟା ଫୋପାଡ଼ି ଦେଇ କହଲା–‘‘ତଳ କୋଟର ଓକିଲ ଏ ମୋକଦ୍ଦମାଟା ମାଟି କରି ଦେଇଛି ! ଭଲ ଭଲ ନଜିର ଥିଲା, ତାକୁ ସେ ଧରି ପାରି ନାହିଁ । ତମେ କାହାକୁ ଓକିଲ ଦେଇଥିଲ ?’’ ମୁଁ କହିଲି–‘‘ସପନି ବାବୁ ମୋର ଓକିଲ ହୋଇଥିଲେ ।’’ ସେଇଠୁ ଠୋ ଠୋ କରି ହସି ଉଠି କହିଲା–‘‘ସପନିକି ଓକିଲ କରିଥିଲ ? ତାହାର ଆଇନ୍‌ବହି ଅଛି ନା ? ଯେତେବେଳେ ଯେଉଁ ବହି ଦରକାର ହୁଏ, ମୋଠାରୁ ମାଗି ନେଇଯାଏ । ହାକିମ ସଙ୍ଗରେ ତ ତାର ଦେଢ଼ଶୁର ଭାଇବହୁ ସମ୍ବନ୍ଧ–କେହି କାହାର ମୁହଁ ଦେଖନ୍ତି ନାହିଁ । ଯେ ଚିହ୍ମଟ୍‌ଲେଖିବା ଲୋକ, ସେ କି ଓକାଲାତି କରିବ ? ଆଜିକାଲି କେତେ ନୂଆ ନୂଆ ଆଇନ ବାହାରୁଛି, ତାହା ସବୁ ଆଣି ପଢ଼ିଲେ ସିନା ହେବ । ଏହି ଦେଖ ମାସକ ମଧ୍ୟରେ ମୁଁ ତିନି ଆଲମାରୀ ନୂଆ ଆଇନ ବହି ଆଣି ରଖିଛି । ଏତେ ଓକିଲ ତ ଅଛନ୍ତି, ଯାଅ ନି ଭଲା କାହା ପାଖରେ ଖଣ୍ତେ ପାଇବ କି ? ସେମାନେ ସବୁ ଏହି ବହିର ନାଁ ଆଗେ ଜାଣନ୍ତି ନା ? ଆଇନ କାନୁନରେ ମୁଁ ପୋକ; ଏ କାଲିକା ଅଣ୍ତା ଟୋକଗୁଡ଼ାକ ମୋ ଆଖିରେ ଦିକଡ଼ାର ନୁହନ୍ତି । କାଲିର ଗୋଟାଏ ମକଦମାର ହାଲ ଶୁଣିବ-? ସପନିର ମାଉସୀପୁଅ ଭାଇ ରଘୁ ମୁଦାଲା ପକ୍ଷରେ ଥିଲା, ମୁଁ ମୁଦେଇ ପକ୍ଷରେ ଥିଲି । ମୁଦାଲାର ସାକ୍ଷୀ କହିଲା–‘‘ମୁଦାଲା ମୁଦେଇକି ମାରି ନାହିଁ–ଗାଳି ଦେଇଛି ।’’ ଏହା କହି ଥରିଲା । ମୁଁ ଜାଣି ନେଲି, ସାକ୍ଷୀ ଭୟରେ ଥରିଲାଣି । ଜେରାରେ ସେ ସହଜରେ ପଡ଼ିଯାଇ ସତ କଥା ପ୍ରକାଶ କରିବ । ତହୁଁ ମୁଁ ତାକୁ ଧମକ ଦେଇ କହିଲି–‘ଦେଖ୍‌, ଏ ଧର୍ମଦ୍ୱାର, ଏଠି ମିଛ କହିଲେ ଜେଲ ଖଟିବୁ । ଆଛା, ତୋ ଓକିଲ କି ତୋତେ ଏହିପରି କହିବାକୁ ଶିଖାଇଥିଲା ? ସାକ୍ଷୀର ତୁଣ୍ତ ଆଫା ଆଫା ମାରିଗଲା । ସେ ହାତ ଯୋଡ଼ି କହି ପକାଇଲା–‘ ହଁ ହଜୁର, ଓକିଲବାବୁ ସେଇଆ କହି ଦେଇଥିଲେ ।’ ମୁଁ କହିଲି–‘ତେବେ ସତ କଥା କଅଣ କହ ? ସାକ୍ଷୀ କହିଲା–‘ସତ କଥା ଏହି ଯେ, ମୁଦାଲା ମୁଦେଇ ଗାଲକୁ ଦି ଚାପଡ଼ ମାରିଛି ।’ ସେଇଠୁଁ ମୁଁ ହାକିମଙ୍କୁ କହିଲି–‘ହଜୁର, ଓକିଲ ମିଥ୍ୟା ଶିକ୍ଷା ଦେଇଥିବାର ସାକ୍ଷୀ ସ୍ୱୀକାର କରୁଛି; ଅତଏବ ଓକିଲର ସନନ୍ଦ ରଦ୍‌କରାଯାଉ ।’ ହାକିମ କହିଲେ–‘ତୁମ୍ଭେ ଦଫା ଦେଇ ଲେଖି ଆଣ ।’ ମୁଁ ସିରସ୍ତକୁ ଆସି ଲେଖିବାକୁ ବସିଛି, ଓକିଲବାବୁ ଆସି ହାତଗୋଡ଼ ଧରି ଜୁହାର ନେହୁରା ହେଲେ । ମୁଁ ଆଉ ବିକଳ ସହ ପାରିଲି ନାହିଁ; ହାକିମଙ୍କୁ ଯାଇ କହିଲି–‘ହଜୁର, ଓକିଲ ନୂଆ ଲୋକ, ତାହାର ଏ ପ୍ରଥମ ଦୋଷ କ୍ଷମା ଦିଆଯାଉ ।’ ହାକିମ ତାକୁ ସାମଧାନ କରାଇ ଦେଇ ଖଲାସ ଦେଲେ । ଏହିପରି କେତେ କଥା ବକିଗଲା । ଓକିଲ ମୋକଦ୍ଦମା ବିଗାଡ଼ି ଦେଇଥିବା କଥା ଶୁଣିଲା ବେଲୁ ମୋର ତ ବ୍ରହ୍ମତାଳୁରେ ବିଚ୍ଛା କାମୁଡ଼ିଲାଣି; ତାହା କଥା ଶୁଣୁଛି କିଏ ? ବ୍ୟବସାୟୀମାନେ ତ ଆପଣା ପ୍ରୌତୀ ଦେଖାଇବା ଲାଗି ସମବ୍ୟବସାୟୀର ନିନ୍ଦା କରନ୍ତି । ସେ ଯାହା ହେଉ, ମୁଁ ପଚାରିଲି–‘‘ସତେ କଅଣ ମୋକଦ୍ଦମା ଚଳିବ ନାହିଁ ନା ବାବୁ ?’’ ସେ କହିଲା–‘‘ବଡ଼ କଷ୍ଟରେ ଚଳିବ । ଆଛା, ତମେ ପଞ୍ଚଶ ଟଙ୍କା ଦେବ ନା ? ତାହାହେଲେ ଶେଉଳ ମାଛକୁ ପୋହଳରେ ମାଡ଼ି ବସି ପୋଖରୀଡ଼ିରେ ଆଣି କଚାଡ଼ି ଦେଲା ପରି ମୋକଦ୍ଦମାଟା ତମରି ପାଖରେ ଆଣି କଚାଡ଼ି ଦେବି । ମୋର ଅସାଧ୍ୟ କିଛି ନାହିଁ; ମୁଁ କଳାକୁ ଧଳା ଏବଂ ଧଳାକୁ କଳା କରିପାରେ ।’’ ମୁଁ କହିଲି–‘‘ଅବଧାନ, ମୁଁ ଗରିବ ଲୋକ, ଋଣରେ ବୁଡ଼ି ମଲିଣି; ଏତେ ଦେଇ ପାରିବି ନାହିଁ–ଶଏଟି ଟଙ୍କା ଦେବି ।’’ ସେଉଠୁ ମୁହଁଟାକୁ ଖଟା ଖାଇଲା ପରି କରି କହିଲା–‘ତେବେ ଗଛମୂଳରେ ଯାଇ ଖୋଜ; ଶଏ ଟଙ୍କାରେ ପଚାଶଟା ଗଛମୂଳିଆ ଓକିଲ ମିଳିବେ ।’’ ମୁଁ ଆଉ କଅଣ କରିବି ଢେର କୁହାବୋଲା କରିବାରୁ ଦି’ଶ ଟଙ୍କାରେ ମଙ୍ଗିଲା ।

 

ଦାସେ–ବାବୁ, ମାମଲା, ନୁହେଁ ଯେ–ମାମଲା ! ମା ମରିଗଲେ ଯେପରି ଦଶ ଖଣ୍ତି ଲୋଡ଼ା ହୁଏ, ଆଉ ଦଶ ଆଡ଼େ ଖର୍ଚ୍ଚ ଲାଗେ, ମାମଲାରେ ସେହିପରି । ପାଣି ପରି ଟଙ୍କା ଖର୍ଚ୍ଚ ନ କଲେ ମାମଲା ଜିଣି ହୁଏ ନାହିଁ । ମାମଲା ଜାଣିବା କାଠିକର ପାଠ । ବାରଲୋକଙ୍କୁ ବଶ କରିବ–ବାରଲୋକଙ୍କ ଗୋଡ଼ ଧରିବ, ତେବେ ଯାଇ ହେବ । ମାନ ଧରି ବସିଲେ କିମ୍ବା ପଇସା ଖର୍ଚ୍ଚକୁ ଡରିଲେ ମାମଲାମୋକଦମାରେ ପଶିବା ଉଚିତ ନୁହେଁ । ପଇସା ଖର୍ଚ୍ଚ ହେଉ ପଛେ, ବିକ୍ଷୟ ରକ୍ଷା କରିବ । ବିଷୟ ଗଲେ ମହତ ଯିବ । କହନ୍ତି ପରା–‘‘ସବୁ ଯାଉ ମହତ ଥାଉ, ମହତ ଗଲେ ନ ମିଳେ ଆଉ ।’’ ତମେ ହେଲ ଖାନ୍‌ଦାନ୍‌ବୁନିୟାଦ; ମହତକୁ ଜଗିବା ତମର ଦରକାର । ତମର ପଇସା ବଡ଼ ନୁହେଁ–ମାନମହତ୍ତ୍ୱ ବଡ଼ । ପଇସା ଖର୍ଚ୍ଚ ହେଉ, ବିଷୟ ରକ୍ଷା ହେଲେ ସେହି ବିଷୟରୁ ଖର୍ଚ୍ଚର ସହସ୍ରଗୁଣ ପଇସା ମିଳିବ । ପୋଖରୀଟା ଯଦି ତମର ହୁଏ, ବର୍ଷାରେ ସେଥିରୁ ଶଏ ଟଙ୍କାର ମାଛ ବିକ୍ରି ହେଲେ ଦଶ ବର୍ଷରେ ହଜାରେ ଟଙ୍କା ହେବ । ଅଥଚ ପୋଖରୀଟା ସୁରୁକ୍ଷାନୁକ୍ରମେ ତମର ରହିବ । ଏତେବେଳେ ଆଉ ପଇସାକୁ ଡର ନାହିଁ ବାବାଜି, ଶ୍ମଶାନରେ ପ୍ରସବ କରି ଡାଆଣୀକି ଡରିଲେ ଚଳିବ ନାହିଁ ।

 

ଆଗନ୍ତୁକ–ନା, ଦାସପୁଅ, ପଇସା ଖର୍ଚ୍ଚକୁ ମୁଁ ଡରୁ ନାହିଁ । ଏ ମୋକଦମାରେ ଖଇ ପରି ଟଙ୍କା ବିଞ୍ଚୁଛି; ମୁଁ ଡାଙ୍ଗରା ହୋଇ ସାରିଲିଣି । ମୁଁ କଟିଯିବା ଲୋକ ସିନା–ହଟିଯିବା ଲୋକ ନୁହେଁ ।

 

ଦାସେ–ତାହା କଅଣ ମୁଁ ଜାଣେ ନାହିଁ ? ତମ ପରି ଲୋକ ଦେଶ ଦୁନିଆରେ ଆଉ ଜଣେ ଅଛି ନା ହେବ ! ଆଛା, ଓକିଲ କାହାକୁ କଲ ?

 

ଆଗନ୍ତୁକ–ସମସ୍ତେ କହିଲେ ଦୀନୁ ବାବୁ ଖୁବ ଟାଣୁଆ ଓକିଲ; ମୁଁ ସେଇଆକୁ ଓକିଲ କରିଛି ।

 

ଦାସେ–ଭଲ କାମ କରିଛି ବାପ ! ଓଃ, କେତେ ଛନ୍ଦ ଫିକର ସେ ଜାଣେ । ହାକିମ ଆଗରେ ସୁଆଲ କଲାବେଳେ ତାହା ପାଟିରେ ତ ବାଟୁଳି ବାଜେ ନାହିଁ ତେବେ ଜାଣ ଯେ, ମୋକଦମାଟା ତମ ମୁଠାଭିତରେ ରହିଲାଣି । ଦୀନୁ ବାବୁ ଯେତେବେଳେ ଆଇନ ବହିଗୁଡ଼ାକ ହାକିମ ଆଗରେ ଧୁମ୍‌ଧାମ୍‌କରି କଚାଡ଼େ, ତେତେବେଳେ ହାକିମ ତ ତାଟଙ୍କା ହୋଇଯାଏ । ମୁଁ କେତେ ଥର ଆଖିରେ ଦେଖିଛି ପରା ! କି ତେଜ ରେ ବାବା, ଯିମିତି ଗୋଟିଏ ମହାବଳ ବାଘ ତ ।

 

କିନ୍ତୁ ଆମ୍ଭେମାନେ ହଇପ୍‌କରି କହି ପାରୁଁ, ଓକିଲର ବକ୍ତୃତା ଶୁଣିବା ଦୂରେ ଥାଉ ଦାସଙ୍କର ଊର୍ଦ୍ଧ୍ୱ ତିନି ପୁରୁଷରେ ହାକିମଙ୍କ ମିସଇ କେହି ଦେଖି ନାହିଁ ।

 

ଆଗନ୍ତୁକ–ତମକୁ ଏକା ଶଏ ଟଙ୍କା ଚଳାଇବାକୁ ହେବ ଦାସପୁଅ । ମୁଁ କାଲି ଓକିଲକୁ ଦେବି ବୋଲି କହି ଆସିଛି । ହାତଉଧାରି ଦେବାକୁ ମୁଁ କହୁ ନାହିଁ; ମୋର ଘରତଳି ବନ୍ଧା ରଖି ଟଙ୍କା ଦେବ ।

 

ଦାସେ–ଛି ଛି, ଏ କଅଣ କହୁଛ ବାବାଜି ! ତମଠଉଁ ଘରତଳି ବନ୍ଧା ରଖି ଟଙ୍କା ଦେବି । ଏ କଥା କହିବାକୁ ତମ ଜିଭ ନଉଟିଲା ନା ? ତମ ବାପଙ୍କ ସଙ୍ଗରେ ମୋର ଭାବ, ତାହା ତମେ କଅଣ ଜାଣିବ ! ତମେ ତ ତେତେବେଳେ ପିଲା । ସେ ପୁଣ୍ୟାତ୍ମା ସ୍ୱର୍ଗରେ ଅଛନ୍ତି, ମୁଁ ନରକରେ ଘାଣ୍ଟି ହେଉଛି । ପୁରୁଷୋତ୍ତମ ପଟନାୟକ, ନାଁ ଶୁଣିଲେ ଗର୍ଭଣୀ ଗାଈ ବାଟ ଛାଡ଼ି ଅଲଗା ହୋଇଯାଉଥିଲା । ହାୟ ହାୟ, କି ମଣିଷ ଚାଲିଗଲା ରେ ! ଟଙ୍କା ମେ ହାତରେ ଥିଲେ ତମକୁ କହିବାକୁ ହୁଅନ୍ତା କାହିଁକି ? କଣ କି ବାବାଜି, ଟଙ୍କା ସବୁ ମୋଫସଲରେ ପଡ଼ି ରହିଲା । ଜାଣ ତ–ଏ କାଳେରେ ଦେବା ମରିବାକୁ କେହି ସୁଖ ପାଏ ନାହିଁ । ଶଏ ଟଙ୍କା ହାତରେ ଥିଲା, କାଲି ରାତିରେ ଜଣେ ଆସି ଜୁହାର ନିକୁଟି ହୋଇ ନେଇଗଲା । କିଛି ମାଲ ଯଦି ଆଣନ୍ତି, ତେବେ ଆଉ କାହାରି ପାଖରେ ଦେଖନ୍ତି ।

 

ଆଗନ୍ତୁକ–ମାଲ ଆଉ କାହିଁ ? ଅଳଙ୍କାର ଯାହା ଥିଲା, ତାହା ତ ଆଗରୁ ସବୁ ବିକି ଭାଙ୍ଗି ମୋକଦମାରେ ଲଗାଇ ସାରିଛି ।

 

ଦାସେ–ଦେଖ, ଯଦି ଆଉ କିଛି ଥାଏ । ନ ହେଲେ ତ ମୋତେ ଆଉ କିଛି ବାଟ ଦିଶୁ ନାହିଁ । ଆଛା, ପଟନାୟକ ଝିଅଙ୍କୁ ଯାଇ ପଚାରି ବୁଝନିଭଙ୍ଗା ତୁଟା ରୁପା ଗହଣା ଯଦି ତାଙ୍କ ପାଖରେ କିଛି ଥାଏ । ଏ ଯୁଗରେ ତ କାହାଭଳି ବିଶ୍ୱାସ ନାହିଁ, ଘରତଳି ବନ୍ଧା ଦେବା ମୋ ବିଚାରରେ ଭଲ ନୁହେଁ ।

 

ଆଗନ୍ତୁକ–ହେଉ, ତେବେ ପଚାରି ବୁଝି କାଲି କହିବି ।

 

ଏହା କହି ଆଗନ୍ତୁକ ଚାଲିଗଲେ; ଦାସେ ମଧ୍ୟ କାର୍ଯ୍ୟନ୍ତରରେ ନିଯୁକ୍ତ ହେଲେ ।

Image

 

ଦଶମ ପରିଚ୍ଛେଦ

 

ହରି ପଟ୍ଟନାୟକ ଜଣେ ଲାଖରାଜଦାର । ତାଙ୍କର ବିଷୟ ସଂପତ୍ତି ଚଳନପୋଯୋଗୀ ଥିଲା; ମାତ୍ର ଭାଗ୍ୟ ଧ୍ୱଂସପଟୁ ଆଳସ୍ୟ, ବିଳାସ ତାଙ୍କର ଭାଗ୍ୟଲିପି ଅଧେ ଲିଭାଇ ଦେଇ ଅଧେ ଅସ୍ପଷ୍ଟ କରିଦେଲାଣି । ସେ ଟିକିଏ ମୃଦୃ ଏବଂ ହୁଗୁଳା; ଅର୍ଥାତ୍‌ମଉଜୀ ଧରଣର ଲୋକ । ଅତି ରୋଗାକାଙ୍‌କ୍ଷା ପତନର କାରଣ, ତାହା ହିଁ ତାହାଙ୍କ ଭାଗ୍ୟରେ ଘଟିଥିଲା । କର୍ପୁର ଯାଇ କନା ଅଛି; ତଥାପି ପୁରୁଣାଘର ବୋଲି ତାଙ୍କ ପ୍ରତି ଗ୍ରାମବାସୀ ମାନଙ୍କର ଖାତର ଗୌରବ ଅଛି । ଗ୍ରାମରେ ସେ ହରିବାବୁ ନାମରେ ପରିଚିତ । ସେ, ତାଙ୍କର ସ୍ତ୍ରୀ ଏବଂ ଏକମାତ୍ର ପୁଅ–ଘରକୁ ଏହି ତିନି ପ୍ରାଣୀ । ପୁତ୍ର ଶ୍ରୀକାନ୍ତ ପଞ୍ଚଦଶ ଅତିକ୍ରମ କରି ଷୋଡ଼ଶ ବର୍ଷରେ ଉପନୀତ ହୋଇଅଛି । ସେ କଟକରେ ଏଣ୍ଟ୍ରାନ୍ସ ପଢ଼ଅଛି । ଘରୁ କିଛି ସାହାଯ୍ୟ ପାଏ ନାହିଁ । କଟକରେ ଦୁଇଟି ପିଲାର ଗୃହଶିକ୍ଷକ, ହୋଇ ନିଜର ବ୍ୟୟ ଚଳାଇନିଏ । ପିଲାଟି ଶାନ୍ତ, ସୁଶୀଳ, ମେଧାବୀ ଏବଂ ଅଧ୍ୟୟନପ୍ରିୟ । ତାହାର ସ୍ମୃତିଶକ୍ତିର ଅସାଧାରଣ ବିକାଶ ଦେଖି ତାହାର ଭବିଷ୍ୟତ୍‌ଉଜ୍ଜ୍ୱଳ ବୋଲି ଶିକ୍ଷକମାନେ କଳ୍ପନା କରନ୍ତି । ସେ ଏ ବର୍ଷ ଏଣ୍ଟ୍ରାନ୍‌ସ ପରୀକ୍ଷା ଦେବ ।

 

ହରିବାବୁଙ୍କ ପିତାମହ ଲକ୍ଷ୍ମଣ ପଟନାୟକ ଗ୍ରାମର ମଧ୍ୟବିତ୍ତ ଗୃହସ୍ଥ ହୃଷୀ ପଣ୍ତାଙ୍କ ପାଖରେ ନିଜର ଗୋଟାଏ ପୁଷ୍ପରିଣୀ ବନ୍ଧା ରଖିଥିଲେ; ମାତ୍ର ମୁକୁଳାଇ ପାରି ନାହାନ୍ତି । ପୁଷ୍କରିଣୀର ପୁନରୁଦ୍ଧାର ତାଙ୍କ ପୁତ୍ରଙ୍କ ଜୀବନରେ ମଧ୍ୟ ଘଟି ନାହିଁ । ପୋଖରୀଟି ବର୍ତ୍ତମାନ ହୃଷୀ ପଣ୍ତାଙ୍କ ପୁତ୍ର ମଧୁ ପଣ୍ତାଙ୍କ ଦଖଲରେ ଅଛି । ସେଥିରୁ ପ୍ରତିବର୍ଷ ପ୍ରାୟ ଶତାଧିକ ଟଙ୍କାର ମାଛ ବିକ୍ରି, ହୁଏ । ଏ ବର୍ଷ ଏତେ ଅଧିକ ମାଛ ଥିଲେ ଯେ, ମାଛ ବିକ୍ରିରୁ ମଧୁଙ୍କର ତିନିଶ ଟଙ୍କା ଆୟ ହୋଇଥିଲା । ସେ ଯତ୍‌ସାମାନ୍ୟ ଘରେ ଖାଇବା ସକାଶେ ରଖି ଆଉ ସମସ୍ତ ବିକ୍ରି କରି ଦିଅନ୍ତି । ଭୋଜନ ଏବଂ ବିକ୍ରୟ ମଧ୍ୟରେ ବିତରଣର ମଥା ରୁଞ୍ଜିବାକୁ ସ୍ଥାନ ଥାଏ ନାହିଁ । ଗ୍ରାମବାସୀଙ୍କ ମଧ୍ୟରୁ କେହି କେହି ମଧୁଙ୍କୁ କହିଲେ–‘‘ପୋଖରୀରୁ ମାଛ ଧରାଗଲେ ପଟନାୟକଘର ଗାଁରେ ବାଣ୍ଟୁଥିଲେ; ମାତ୍ର ତମେ ନେଲା ଦିନୁ ଆଉ ସେ ଧାରା ନାହିଁ । ଗାଁ ମଝିରେ ପୋଖରୀ, ସମସ୍ତେ ଆଶା କରିଛନ୍ତି; ତମେ ଅଧେ ବିକ୍ରି କରି ଅଧେ ସମସ୍ତଙ୍କୁ ବାଣ୍ଟିଦିଅ ।’’ ମଧୁ ଏ ଅନ୍ୟାୟ ପ୍ରସ୍ତାବରେ ସମ୍ମତ ନ ହୋଇ କହିଲେ, ‘‘ବାପ ଆମର ଆଞ୍ଜୁଳାଏ ଟଙ୍କା ଦେଇ ପୋଖରୀ କରିଥିଲେ, ମୁଁ ମାଛ ନ ବାଣ୍ଟି ଆଉ କଅଣ କରିବି ? ଟଙ୍କାଗୁଡ଼ାକ ରଖିବାକୁ ଜାଗା ମିଳୁ ନ ଥିଲା ପରା ! ଗାଁରେ ଯାହାର ଯାହା ହୁଏ, ମୋତେ ଆଣି ଦେଇ ଯାଆନ୍ତି ! ଅଧେ କାହିଁକି, ସବୁ ବାଣ୍ଟିଦେବି । ତାହାହେଲେ ପୋଖରୀରୁ ମୋର ଆଉ ଆୟ କଅଣ ହେଲା ? ପୋଖରୀଟା ପୋତି ଦେଇ ଧାନ କି ଅନ୍ୟ ଫସଲ କଲେ ମୋର କେତେ ଲାଭ ହୁଅନ୍ତା ? ପୃଥ୍ୱୀଦେବୀଙ୍କ ଦେହରେ ଆଙ୍ଗୁଳିଏ ସ୍ଥାନ ଖାଲି ରଖିଲେ ତାଙ୍କ ପ୍ରତି ଘୋର ଅବମାନନା କରାହେବ । ମାଟିରେ ରତ୍ନ ମିଶିକରି ଅଛି, ତାହା ବାଛି ନେବାକୁ ହେବ । ମାଟିରୁ ଫସଲ ଉତ୍ତାରି ସେହି ଫସଲ ବିକିଲେ ଯେଉଁ ଟଙ୍କା ମିଳେ, ସେହି ଟଙ୍କା ମାଟି ଭିତରେ ଥିଲା । ଯେଉଁ ଭୂମିରୁ ଯେତେ ଆଦାୟ ହୋଇପାରିବ, ତାହା କରିବ ।’’ ପଣ୍ତା ମଧ୍ୟ ଚାଷ କରନ୍ତି; ମାତ୍ର ତାହା ପୃଥ୍ୱୀଦେବୀଙ୍କ ଅବମାନନା ଆଶଙ୍କାରେ ନୁହେଁ–ନିଜର ଆବଶ୍ୟକ ସକାଶେ । ପ୍ରସ୍ତାବକମାନେ ପଣ୍ତାଙ୍କର ଏ ସୂକ୍ଷ୍ମତମ ଗବେଷଣାର ମର୍ମ ନ ବୁଝି ତାଙ୍କ ପ୍ରତି ଗୋଟାଏ ବିଦ୍ୱେକ୍ଷ ଭାବ ପୋଷଣ କଲେ । ସେମାନେ ଯାଇ ହରିବାବୁଙ୍କୁ କହିଲେ–‘‘ପୋଖରୀଟା ପାଇଁ କିଛି ଚେଷ୍ଟା କରୁ ନାହିଁ କାହିଁକି ? ମଧୁ ପଣ୍ତାର ଛୁଆପିଲା ମାଛ ଖାଉଥିବେ; ଆଉ ତମ ଛୁଆପିଲା ଚାହିଁ ବସିଥିବେ–ଏହା କଅଣ ଭଲ କଥା ? ସେ ଯେତେ ଟଙ୍କାକୁ ବନ୍ଧା ରଖିଥିଲା, ତାହାର ଶଏ ଗୁଣ ମାଛ ବିକ୍ରିରୁ ଆଦାୟ କରି ନେଇ ସାରିଲାଣି । ପୋଖରୀ ଦାବୀରେ ତମେ ମୋକଦମା କର; ଆମ୍ଭେମାନେ ସାକ୍ଷୀ ହେବୁଁ । ତମର ପୋଖରୀ ବୋଲି ବା କିଏ ନ ଜାଣେ ? ପିଲାଠାରୁ ବୁଢ଼ାଯାଏ ସମସ୍ତେ କହୁଛନ୍ତି–ପଟନାୟକଘର ପୋଖରୀ । ତମ ପକ୍ଷରୁ ଆମ୍ଭେମାନେ ଯାଇ ତାକୁ କହିବୁଁ; ସେ ଛାଡ଼ିଦେଲା ତ ଭଲ, ନ ହେଲେ ତମେ ମୋକଦମା କର ।’’ ପ୍ରସ୍ତାବକମାନଙ୍କ ମଧ୍ୟରେ ନିତେଇ ଦାସ ଅଗ୍ରଣୀ । ହରିବାକୁ କହିଲେ–‘‘ଆଚ୍ଛା ହେଉ, ତୁମ୍ଭେମାନେ ଆଗେ ଯାଇ ପଚାର, ପରେ ଯାହା ହେବ କରାଯିବ ।’’ ଅଯାଚିତ ଭାବରେ ସହାୟତା ମିଳିଲେ ନଷ୍ଟସଂପତ୍ତି ଉଦ୍ଧାର କରିବାକୁ କାହାର ବା ଇଚ୍ଛା ନ ହୁଏ ? ପ୍ରସ୍ତାବକମାନେ ଆଶାନୁରୂପେ ଉତ୍ତର ପାଇ ମଧୁ ପଣ୍ତାଙ୍କୁ ଯାଇ କହିଲେ–‘‘ହରିବାବୁ ଆମ୍ଭମାନଙ୍କଦ୍ୱାରା କହି ପଠାଇଲେ, ତମେ ତାଙ୍କ ପୋଖରୀଟା ଏବେ ଛାଡ଼ିଦିଅ ।’’ ପଣ୍ତା ମୂଳ କାରଣଟା ବୁଝିପାରି କହିଲେ–‘‘ମୂଳ ପଚାଶ ଟଙ୍କା, ଆଉ ଚାଳିଶ ବର୍ଷର ସୁଧ ହିସାବ କରି ଦେଇ ପକାଇଲେ ପୋଖରୀ ଛାଡ଼ିଦେବାରେ ମୋର ଆପତ୍ତି ନାହିଁ । ଟଙ୍କାରେ ମାସକୁ ଦୁଇ ପଇସା ସୁଧ ଧରିଲେ ସୁଦ୍ଧା ମୋର ମୂଳ କଳନ୍ତର ମିଶି ଛଅଶ କି ସାତଶ ଟଙ୍କା ହେବ ।’’

 

ପ୍ରସ୍ତାବକ–ତାହା ହୋଇପାରେ; ମାତ୍ର ପ୍ରତିବର୍ଷର ମାଛ ବିକ୍ରି ହରେଦରେ ଶଏ ଟଙ୍କା ହେଲେ ଚାଳିଶ ବର୍ଷରେ ତୁମ୍ଭ ଚାରି ହଜାର ଟଙ୍କା ନେଇ ସାରିଲାଣି । ତାହା ଯଦି ହରିବାକୁ ଦାବୀ କରନ୍ତି ?

 

ମଧୁ–ହେଉ, ସେ ଦାବୀ କରି କେଉଁ ବାଗେ ନେବେ, ନେଉନ୍ତୁ ।

 

ପ୍ରସ୍ତାବକ–କେଉଁ ବାଗେ କଣ, ମୋକଦମା କରିବେ ।

 

ମଧୁ–ଉତ୍ତମ କଥା, ମୋକଦମା କରନ୍ତି–ମୁଁ ସୋରିଷ ଖୋଳି ପଶିବ ନାହିଁ ।

 

‘‘ଆଛା, ତେବେ ଦେଖାଯିବ’’ ବୋଲି କହି ପ୍ରସ୍ତାବକମାନେ ଫେରି ଆସି ହରିବାବୁଙ୍କୁ ସାଳଙ୍କାରରେ ଫୁଲାଇ ଫେଣାଇ ସବୁ କଥା ଜଣାଇଲେ । ତହୁଁ ମୁନସଫ୍‌କୋର୍ଟରେ ଦଖଲ ଉଚ୍ଛେଦ ମୋକଦମା ଦାଏର ହେଲା ଏବଂ ଯଥାସମୟରେ ହରିବାବୁଙ୍କର ଜୟ ହେଲା । ଗ୍ରାମବାସୀଏ ହାତତାଳି ଦେଇ ଆନନ୍ଦ ପ୍ରକାଶ କଲେ । ଅନନ୍ତର ମଧୁ ଜଜ୍‌କୋର୍ଟରେ ଅପିଲ କରି ଡ଼ିଗ୍ରୀ ପାଇଲେ । ମୋକଦମାର ଗତି କ୍ରମେ ଊର୍ଦ୍ଧ୍ୱକୁ ଉଠିଲା । ହରିବାବୁ ହାଇକୋଟ କରିବେ ବୋଲି ଟଙ୍କା କରଜ ପାଇଁ ନିତେଇ ଦାସଙ୍କ ନିକଟକୁ ଆସିଥିଲେ । ଉଭୟଙ୍କ ମଧ୍ୟରେ ଯେଉଁ କଥୋପକଥନ ହେଲା, ତାହା ପାଠକମାନେ ପୂର୍ବରୁ ଜାଣିଅଛନ୍ତି ।

 

ହରିବାବୁ ଘରେ ପହଞ୍ଚିଲେ । ତାଙ୍କର ମୁଖ ଚିନ୍ତାଚ୍ଛାୟାଚ୍ଛନ୍ମ । ପତ୍ନୀ ଅନ୍ନପୂର୍ଣ୍ଣା ତାଙ୍କର ଏ ଭାବ ଲକ୍ଷ୍ୟ କଲେ; ମାତ୍ର ଅଗାଧୁଆ ଅଖିଆ ରଞ୍ଜାଳିଆ ବେଳରେ ପ୍ରଶ୍ନ କରିବା ଅନୁଚିତ ମଣି ନୀରବରେ ସ୍ୱାମୀଙ୍କ ପରିଚର୍ଯ୍ୟାରେ ନିଯୁକ୍ତ ହେଲେ । ଅନ୍ନପୂର୍ଣ୍ଣା ଯେପରି ଗୃହକାର୍ଯ୍ୟପ୍ରବୀଣା, ସେହିପରି ପତିଭକ୍ତି ପରାୟଣା । ସ୍ୱାମୀଙ୍କ ପଦୋଦକ ସେବନ ନ କରି ସେ ଜଳ ସୁଦ୍ଧା ଗ୍ରହଣ କରନ୍ତି ନାହିଁ । ଆଧୁନିକ ପାଠେଇ ବହୁମାନଙ୍କର ସ୍ୱାମୀଙ୍କ ଉପରେ କର୍ତ୍ତୃତ୍ୱ ସ୍ଥାପନକୁ ସେ ଅନ୍ତରର ସହିତ ଘୃଣା କରନ୍ତି । ସ୍ୱାମୀଙ୍କୁ ନ ପଚାରି ସେ କୌଣସି କାର୍ଯ୍ୟ କରନ୍ତି ନାହିଁ । ଥରେ ହରିବାବୁ କହିଥିଲେ–‘‘ତମେ ଏ ଘରର ଘରଣୀ, ଯାହା ଭଲ ବୁଝିବ ତାହା କରିବ; ସବୁବେଳେ ମୋତେ ପଚାରି କାର୍ଯ୍ୟ କରିବା ଉଚିତ ନୁହେଁ ।’’ ଅନ୍ନପୂର୍ଣ୍ଣା କହିଲେ, ‘‘ପ୍ରଭୁ, ଉଚିତ ଅନୁଚିତ ଜାଣେ ନାହିଁ, ମୁଁ ଅଜ୍ଞାନା ଅବଳା; କେବଳ ମାତାଙ୍କର ଉପଦେଶରୁ ଏତିକି ଜାଣିଛି ଯେ–ସ୍ୱାମୀ ଦେବତା, ଦେବତାଙ୍କ ଆଦେଶ ନ ନେଇ ନିଜ ଲଚ୍ଛାରେ କିଛି କରିବା ଦେବପୂଜନୀର କାର୍ଯ୍ୟ ନୁହେଁ । ମୁଁ ଏ ଘରର ଗୃହିଣୀ ନୁହେଁ–ଦାସୀ ମାତ୍ର । ମୋର ଦାସୀ ଉପାଧି ଗୃହିଣୀ ଉପାଧିଠାରୁ କୋଟିଗୁଣେ ଗୌରବାବହ ।’’ ଧନ୍ୟ ଅନ୍ନପୂର୍ଣ୍ଣା, ତୁମ୍ଭେ ଗୃହିଣୀ ନୁହଁ–ଗୃହର ଦେବୀ । ତୁମ୍ଭ ପରି ସହଧର୍ମଣୀ ଭାଗ୍ୟରେ ମିଳନ୍ତି । ତୁମ୍ଭେ ଅନ୍ନପୂର୍ଣ୍ଣାରୁପରେ ଏ ଘରେ ଅଛ ବୋଲି ଏତେ ପତନ ସତ୍ତ୍ୱେ ଆଜି ସୁଦ୍ଧା ଏ ଘର ଅନ୍ନଶୁନ୍ୟ ହୋଇ ନାହିଁ ।

 

ଅନ୍ନପୂର୍ଣ୍ଣା ଲୋଟା, ଗାମୁଛା ଏବଂ ତେଲଗାଡ଼ି ଆଣି ପିଣ୍ତାରେ ରଖିଦେଲେ । ହରିବାବୁ ତେଲ ଲଗାଇ ଗାଧୋଇବାକୁ ଗଲେ । ସେ ଗାଧୋଇ ଆସି ପୂଜା କରିବେ, ଏହି ଅବସରେ ଅନ୍ନପୂର୍ଣ୍ଣାଙ୍କୁ ଅନ୍ନବ୍ୟଞ୍ଜନ ରନ୍ଧନ କରିବାକୁ ହେବ । ସେ ପୋଥିଗାଦି ଘରେ ମୁଠାଏ ପାଣି ଛିଞ୍ଚିଦେଇ କମ୍ବଳ ଖଣ୍ତେ ଚାରି ଚଉତା କରି ବିଛାଇ ଦେଲେ ଏବଂ ବ୍ୟାସାସନ ସହିତ କୋଥଳି ଆଣି ତାହା ଉପରେ ରଖିଦେଇ ହାଣ୍ତିଶାଳକୁ ଗଲେ । ଦିପଖା ଚୁଲୀ ଲଗାଇଦେଇ ଭାତଡ଼ାଲି ବସାଇ ଦେଲେ । ଭାତଡ଼ାଲି ହୋଇ ସାରିଲା ବେଳକୁ ପରିବା କଟା, ବେସର ବଟା ହୋଇଯାଇଥିଲା । ତାହା ପରେ ସନ୍ତୁଳା ହୋଇଥିବା ମାଛ, ବଡ଼ି, ବାଇଗଣ ପଡ଼ି ତୁଣ ହେଲା । କାଲି ରାତିରୁ ଆମ୍ବିଳା ତୁଣ ରନ୍ଧା ହୋଇ ଅଛି; ସୃତରାଂ ଆଛ କିଛି ରାନ୍ଧିବାର ଆବଶ୍ୟକତା ହେଲା ନାହିଁ । ସ୍ୱାମୀ ସ୍ଣାନ କରି ଆସିଲେ । ଅନ୍ନପୂର୍ଣ୍ଣା ମଠା ଲୁଗାଟା ତାଙ୍କ ହାତକୁ ବଢ଼ାଇଦେଲେ । ସ୍ୱାମୀ ଲୁଗା ପାଲଟି ସାରିଲା ପରେ ତାଙ୍କ ପଲଟା ଲୁଗା ନେଇ ଶୁଖାଇ ଦେଲେ ଏବଂ ସ୍ୱାମୀଙ୍କ ଗୋଡ଼ ଧୋଇ ଦେଇ ପଣତ କାନିରେ ପୋଛି ଦେଲେ । ହରିବାବୁ ପୂଜା ସାରି ଭୋଜନରେ ବସିଲେ । ଅନ୍ନପୂର୍ଣ୍ଣା ପଂଖା ଧରି ବିଞ୍ଚି ଦେଉଁ ଦେଉଁ ‘‘ଏହା ଖାଅ, ତାହା ଖାଅ’’ ବୋଲି ଅନୁରୋଧ କରିବାକୁ ଲାଗିଲେ । କିନ୍ତୁ ହରିବାକୁ ସେଦିନ ଖୁବ୍‌ଉଣା ଖାଇଲେ । ତାଙ୍କର ତେଲଲୁଗାଠାରୁ ଖାଇବା ପର୍ଯ୍ୟନ୍ତ ଅନ୍ୟମନସ୍କ ଭାବ ଅନ୍ନପୂର୍ଣ୍ଣାଙ୍କର ଦୃଷ୍ଟି ଏଡ଼ି ପାରି ନ ଥିଲା । ସେ ଖାଇ ସାରି ହାତ ଧୋଇ ଖଟ ଉପରେ ବସିଲେ । ଅନ୍ନପୂର୍ଣ୍ଣା ତାଙ୍କୁ ପାନ ଦେଇ ସାରି ପଚାରିଲେ–‘‘ଆଜି ତମ ମୁହଁ ଇମିତି କାହିଁକି ଦିଶୁଚି ?’’

 

ହରିବାକୁ–କିମିତି ଦେଖୁଛି ?

 

ଅନ୍ନପୂର୍ଣ୍ଣା–ଯିମିତି କି ଗୋଟିଏ ଚିନ୍ତା ତମକୁ ଘାରି ପକେଇଚି ।

 

ହରିବାବୁ–ଆଉ କିଛି ନୁହେଁ, ସେହି ମୋକଦମା କଥା ଭାବୁଥିଲି ।

 

ଅନ୍ନପୂର୍ଣ୍ଣା–ଅପିଲ୍‌କରିବ ପରା ?

 

ହରିବାବୁ–ହଁ, ଅସିଲ କରିବି ଯେ, ତାହା ତ ଆଉ ଖାଲି ହାତରେ ହେବ ନାହିଁ ।

 

ଅନ୍ନପୂର୍ଣ୍ଣା–କଉଁଠୁ ହେଲେ ଦିଟଙ୍କା ଉଧାର ଆଣ ।

 

ହରିବାବୁ ମୁହଁରେ ଟିକିଏ ଶୁଷ୍‌କ ହାସ୍ୟ ଫୁଟାଇ କହିଲେ,–‘‘ତୁମେ କି ପିଲା ମଣଷ ଶ୍ରୀକାନ୍ତବଉ, ଦିଟଙ୍କାରେ ଅପିଲ୍‌ହେବ ! ସମୁଦ୍ରକୁ ଶଙ୍ଖେ ପାଣି, ଉଟ ମୁହଁକୁ ଜୀରା ! ଏକା ଓକିଲ ତ ଦୁଇଶ ଟଙ୍କା ନେବ । ଆଜି ଯାଇ କଥା କରି ଆସିଲି । ସେ କାଲି ଶଏ ଟଙ୍କା ନେବ; ମୋକଦମା ଶେଷରେ ଆଉ ଶଏ ଟଙ୍କା ନେବ ବୋଲି ଜବାବ ହେଲା । ନିତେଇ ଦାସ ପାଖକୁ କରଜ ଆଣିବାକୁ ଯାଇଥିଲି । ତାହା ପାଖରେ ଟଙ୍କା ନାହିଁ । ସେ କହିଲା, ‘କିଛି ମାଲ ଆଣିଲେ ମୁଁ ଆଉ ଜାଗାରୁ କରିଦେବି । ଆଛା ଶ୍ରାକାନ୍ତବଉ, ଆମ ଘରେ ଭଙ୍ଗା ସୁନା ଗହଣା କିଛି ଅଛି କି ?’’ ଅନ୍ନପୂର୍ଣ୍ଣା କହିଲେ–‘‘ତିନି ଚାରି ଟଙ୍କାର ସୁନା ରୁପା ଅଛି, ତେତକ ଅବା କଅଣ ହେବ ? ଥାଇ ଥାଇକି ଅଛି ସେହି ରୁପାଚୁଡ଼ୀ ହଳକ, ସେ ତ ଲକ୍ଷ୍ମୀଚୁଡ଼ୀ–ତାକୁ ଦେବି ନାହିଁ । ମୋ ଶାଶୁ ମୋତେ କହିଯାଇଛନ୍ତି–ଯେତେ ଦୁଃଖ ହେଉ, ଖାଇବାକୁ ପଛେ ନ ମିଳୁ, ଏ ଚୁଡ଼ୀକି ବିକିବୁ ନାହିଁ କି ବନ୍ଧା ପକେଇବୁ ନାହିଁ । ଶାଶୁଙ୍କ ଆଜ୍ଞା ତ ମୁଁ କେବେ ଏଡ଼ି ପାରିବି ନାହିଁ ।’’ ହରିବାବୁ କହିଲେ–‘‘ଶାଶୁଙ୍କ–ଆଜ୍ଞା ଲଙ୍ଘନ କରିବାକୁ କିଏ କହୁଛି ? ଆଉ ତମେ ସେ ପାତ୍ରୀ ନୁହଁ । ତେବେ ବିକିବ ନାହିଁ ସିନା, ବନ୍ଧା ଦେବାକୁ ଦୋଷ କଅଣ ? ଆପଦ ବେଳେ କି ଗରଜ ବେଳେ କାମରେ ଆସିବ ବୋଲି ସିନା ପଦାର୍ଥ କରାଯାଇଥାଏ । ଆଉ ତ କିଛି ନାହିଁ, ଅଛି କେବଳ ଘରତଳିଖଣ୍ତ ।’’ ସ୍ୱାମୀଙ୍କ କଥା ଶେଷ ନ ହେଉଣୁ ଅନ୍ନପୂର୍ଣ୍ଣା ଚମକି ଉଠି କହିଲେ–‘‘ନା ନା, ଚୁଡ଼ୀ ପଛେ ବନ୍ଧା ଦିଅ; ଘରତଳି ଦିଅ ନାହିଁ । ଭଗବାନ୍‌ଛୁଆଖଣ୍ତ ଦେଇଛନ୍ତି, ସେ ପୁଣି ମୁଣ୍ତ ଗୁଞ୍ଜିବ କଉଁଠି ? ମୋର ସତ ମାଲ ହୋଇଥିଲେ ମୋର ଚୁଡ଼ୀ ମୋ ଘରକୁ ଆସିବ । ତମେ କିଛି ଚିନ୍ତା କର ନାହିଁ, ଚୁଡ଼ୀ ବନ୍ଧା ଦେଇ ଟଙ୍କା ଆଣ ।’’

 

 

ତହିଁ ପର ଦିନ ଅନ୍ନପୂର୍ଣ୍ଣା ସିନ୍ଦୁକରୁ ଚୁଡ଼ୀ ବାହାର କରି ସ୍ୱାମୀଙ୍କୁ ଦେଲେ । ତାଙ୍କ ଆଖିରୁ ଦୁଇ ଟୋପା ଲୁହ ଗଡ଼ି ପଡ଼ିଲା । କାଳେ ତାହା ସ୍ୱାମୀଙ୍କ ଦୃଷ୍ଟିରେ ପଡ଼ିଯିବ, ଏହି ଭୟରେ ସେ ମୁହଁକୁ ପଛକୁ ଫେରାଇ ନେଇ ଅତି ସାବଧାନରେ ଲୋତକରେଖା ଲୁଗାକାନିରେ ଲିଭାଇ ଦେଲେ । ହରି ବାବୁ ଚୁଡ଼ୀ ନେଇ ପ୍ରସ୍ଥାନ କଲେ । ଅନ୍ନପୂର୍ଣ୍ଣାଙ୍କ ପଣ–ଗୋସାଇଁ ଶଶୁର ଟଙ୍କାରେ ଟଙ୍କାଏ ବାଣ ଦେଇ ଉକ୍ତ ଚୁଡ଼ୀ କଲିକତାରୁ ପ୍ରସ୍ତୁତ କରାଇ ଆଣିଥିଲେ । ଚୁଡ଼ୀ ଡାଇମନ୍‌କଟା; ଗଢ଼ଣ ଏବଂ କାରୁକାର୍ଯ୍ୟ ଅତି ଚମତ୍କାର । ବିବିଧ ବର୍ଣ୍ଣର ମୂଲ୍ୟବାନ୍‌ପଥର ଯୋଗେ ଗୁଡ଼ୀର ସୌନ୍ଦର୍ଯ୍ୟ ଶତଗୁଣ ବଢ଼ିଅଛି । ଘରର ଗୃହଣୀ ଗୁରୁବାର-ଓଷାବିନ ସେହି ଚୁଡ଼ୀ ପିନ୍ଧି ଧାନ ସେର ପୂଜା କରନ୍ତି; ସେହି ହେତୁରୁ ତାହାର ନାମ ଲକ୍ଷ୍ମୀଚୁଡ଼ୀ ହୋଇଅଛି । ଅନ୍ନପୂର୍ଣ୍ଣାଙ୍କ ପଣଗୋସାଇଁ ଶାଶୁଙ୍କ ଅମଳରୁ ତାଙ୍କ ଘରେ କ୍ରମାନ୍ୱୟରେ ଏହି ଧାରା ଚଳି ଆସୁଅଛି ।

 

ହରିବାବୁ ଦାସଙ୍କ ହାତକୁ ଚୁଡ଼ୀ ବଢ଼ାଇ ଦେଇ କହିଲେ–‘‘ଆଉ କିଛି ନାହିଁ, ଏ ଲକ୍ଷ୍ମୀଚୁଡ଼ୀ ହଳକ ଥିଲା । ଶ୍ରୀକାନ୍ତ ବଉ ଦେଉ ନ ଥିଲେ, ଅନେକ କୁହାବୋଲା କରି ଆଣିଲି ।’’ ଦାସେ ଅନେକ ଥର ଲେଉଟାଇ ପାଲଟାଇ ଦେଖିଲେ । ଦୃଷ୍ଟ ପ୍ରଲୋଭନ ଅଲକ୍ଷ୍ୟରେ ଅନାହୃତ ଭାବରେ କାହୁଁ ଆସି ତାଙ୍କର ହୃଦୟ ଆକ୍ରମଣ କଲା । ସେ ମନେ ମନେ ଭାବିଲେ–‘‘ଏଥିରେ ଲାଗିଥିବା ପଥରର ମୂଲ୍ୟ ଦୁଇଶ ଟଙ୍କାରୁ ଉଣା ହେବ ନାହିଁ । ତାହା ଉପରେ ରୁପାର ମୁଲ୍ୟ ଅଛି । ଏ ଚୁଡ଼ୀ ବନ୍ଧା ରଖି ଶଏ ଟଙ୍କା ଦେଲେ କିଛି କ୍ଷତି ନାହିଁ । ବର୍ତ୍ତମାନ ଟଙ୍କା ଦେଲେ ହରିବାବୁ ମୋର ଛଅଟା ଜାଣିପକାଇବେ; ଯେ ହେତୁ ଅନ୍ୟ କେଉଁଠାରୁ ଆଣି ଦେବି ବୋଲି ତାଙ୍କୁ ମୁଁ ଆଗରୁ କହିଥିଲି । ବର୍ତ୍ତମାନ କୌଣସି କୌଶଳରେ ତାଙ୍କ ଘରକୁ ପଠାଇ ଦେବା ଉଚିତ ।’’ ଯେ କୁଟବୁଦ୍ଧିରେ ପ୍ରବୀଣ, କୁଟକପଟର ସୁକ୍ଷ୍ମସୂତ୍ରଗୁଡ଼ାକ ତାହା ଆଖି ଆଗରେ ଖେଳିବୁଲେ । ସୁତରାଂ ତାକୁ ଅଧିକକ୍ଷଣ ଭାବିବାକୁ ହୁଏ ନାହିଁ । ଦାସେ ହରି ବାବୁଙ୍କ କହିଲେ–‘‘ତମେ ଘରକୁ ଯାଅ; ମୁ ବେଳ ଓଳିକଠେଇଁ ଟଙ୍କା ନେଇ ଦେଇ ଆସିବ । ଜଣକୁ କହିଥିଲି, ସେ ଦେବାକୁ ରାଜି ହୋଇଛି । ଚାରିଟା ଖାଇଦେଇ ମୁଁ ଏହିଲାଗେ ତାହା ପାଖକୁ ଯିବି । ତମ କଥାରେ କି ମୋର ହେଳା ଅଛି ବାବୁ ? ତମକୁ କହିଦେଇ ମୁଁ ମୋର ଚେଷ୍ଟାରେ ଲାଗିଛି । କାଳି ତମେ ଗଲା ପରେ ମୁଁ ଢେର ହାଇପିସାଇସି ହେଲି । କହିଲି–‘‘ବାବୁ ମନରେ କଅଣ ଭାବିବେ, ସେ ତ ଦିନେ କହନ୍ତି ନାହିଁ । ଦଇବେ ଆଜି କହିବାକୁ ମୋ ହାତରେ ଟଙ୍କା ନାହିଁ । ହେଉ, ସେଥିରେ କଅଣ ଅଛି, ଗରଜ ମେଣ୍ଟିଗଲେ ହେଲା ।’’ ହରିବାବୁ ଆଉ କିଛି ବାକ୍ୟବ୍ୟୟ ନ କରି ଚାଲିଗଲେ । ଦାସେ ଘର ଭିତରକୁ ଯାଇ ଉଷାଙ୍କୁ ଚୁଡ଼ୀ ଦେଖାଇଲେ । ଉଷା କହିଲେ–‘‘ଜିନିଷ ପରି ଜିନିଷ ଗୋଟାଏ ଏକା, ଘର କରି ଇମିତି ପଦାର୍ଥ ରଖିଲେ ସିନା ସୁନ୍ଦର, ଖାଲି ଟଙ୍କା ରଖି କଅଣ ହେବ ? ଚୁଡ଼ୀ ହଳକ ଦେଖିଲା ବେଳୁ ଲୋଭ ହଉଚି ।’’ ଦାସେ ଶୁଷ୍‌କମୁଖରେ କହିଲେ–‘‘ଲୋଭ ହେଲେ କଅଣ ହେବ, ଯାହାର ଚିତ ସେ ତ ନେଇଯିବ ।’’

 

ଉଷା–ଟଙ୍କା ଆଗେ ଦଉ ! ଇମିତି କେତେ ମାଲ ତ ବନ୍ଧାଛନ୍ଦା ପକାଇ ମୁକୁଳେଇ ପାରିଲା ନାହିଁ–ସବୁ ପର ଖାଇଲେ, ଆଉ ଏ ଚୁଡ଼ୀ ମୁକୁଳେଇ ନେଇଯିବ ?

 

ଦାସେ–ଯେବେ ଟଙ୍କା ଦିଏ ?

 

ଉଷା–ଦେଲେ ? ତମେ ଯାହା କହିଚ ମୁଁ ଶୁଣିନାହିଁ କି ? ଆଉ କଉଁଠୁ ଟଙ୍କା ଆଣି ଦବ ବୋଲି କହିଛ ପରା ? ଯେବେ ଟଙ୍କା ଆଣିବ, ତେବେ ତମେ କହିବ–ଯା’ ଘରେ ବନ୍ଧା ରଖିଥିଲି, ତା’ ଚୋର ନେଇଗଲା ।

 

ଦାସେ–ଓଃ, କେତେ ଛନ୍ଦ ଫିକର ତମକୁ ଜଣା, ଧନ୍ୟ ତୁମର ବୁଦ୍ଧି !

 

ଉଷା–ସେ କଥା ପଛକୁ କହିବ, ଆଗେ ଚୁଡ଼ୀ ସିନ୍ଦୁକରେ ରଖିଦେଇ ତାହାକୁ ଟଙ୍କା ଦେଇ ଆସ ।

 

ପତ୍ନୀଙ୍କ ଆଜ୍ଞା ଶିରୋଧାର୍ଯ୍ୟ କରି ଦାସେ ଚୁଡ଼ୀ ନେଇ ସିନ୍ଦୁକରେ ରଖିଦେଲେ ଏବଂ ଟଙ୍କା ବାହାର କରି ହରିବାବୁଙ୍କ ଘରକୁ ଗଲେ । ହରିବାବୁ ଚାତକ ପରି ଚାହିଁ ବସିଥିଲେ । ଦାସେ ତାଙ୍କ ହାତରେ ଟଙ୍କା ଗଣିଦେଇ କହିଲେ–‘‘ବଡ଼ କଷ୍ଟରେ ମିଳିଲା ବାବୁ । ଆଗେ କହିଲା, ଟଙ୍କାରେ ଅଣେ ସୁଧ ନ ହେଲେ ଦେବ ନାହିଁ । ଅନେକ ବୁଝାଇ ଶୁଝାଇ କୁହାବୋଲା କରି ଦୁଇ ପଇସା ସୁଧାରେ କଥା କରି ଆଣିଲି; ତେବେ ସୁଦ୍ଧା କହିଛି–ଦୁଇମାସ ମଧ୍ୟରେ ନ ନେଲେ ଚାରିପଇସା ସୁଧରୁ ଉଣା ହେବ ନାହିଁ । ସମାନସ୍କନ୍ଧ ଲୋକ ହେଲେ ସିନା କଥା କହିବ; ଆଉ ବହୁ ଭୁଆସୁଣୀଙ୍କ କଅଣ କହିବ ? ଏ ତ ପୁଣି ହେଲା ଲୁଚାଚୋରା ବେଭାର ।’’ ହରିବାବୁ କହିଲେ–‘‘ଯାହା ହେଉ, ତମ ଉପକାର ମୁଁ ଶୁଝି ପାରିବି ନାହିଁ ।’’ ଦାସେ ତାଙ୍କୁ ଅଧିକ କହିବାକୁ ନ ଦେଇ କହିଲେ–‘‘ଏ କି କଥା କହୁଛ ବାବୁ, ସମୟ ଅସମୟ ସମସ୍ତଙ୍କର ଅଛି, ମୋର ଅସମୟ ପଡ଼ିଲେ ତମେ କଅଣ ସାହାଯ୍ୟ କରିବ ନାହିଁ ? ଆଉ ଗୋଟାଏ କଥା କଅଣ କି ବାବୁ, ମୁଁ କାହାରି ବିକଳ ସହି ପାରିବା ଲୋକ ନୁହେଁ, ମୋ କୋଷ୍ଠୀରେ ତାହା ନାହିଁ । ବଖତ ବେଳେ ଯେ କାହାର ଉପକାର ନ କରେ, ସେ କି ମନୁଷ୍ୟ ? ପାଖରେ ନ ଥିଲେ ମୁଁ କରଜ କରି ଆଣିଦିଏ; ମାତ୍ର କାହାକୁ ମନା କରେ ନାହିଁ । ତମେ ତ ସବୁ ଜାଣ, ଆଉ ଅଧିକ ବା କଅଣ କହିବି ?’’ ଏହା କହି ଦାସେ ବିଦାୟ ନେଲେ ଏବଂ ହରିବାବୁ ଟଙ୍କା ଘେନି ଓକିଲ ପାଖରୁ ଗଲେ ।

Image

 

Unknown

ଏକାଦଶ ପରିଚ୍ଛେଦ

 

ପ୍ରିୟପୁର ଗ୍ରାମରେ ଗୋଟିଏ ଅପର ପ୍ରାଇମେରୀ ସ୍କୁଲ ଅଛି, ପାଠକମାନେ ଏହା ପୂର୍ବରୁ ଜାଣିଅଛନ୍ତି । ସରବରାକାର ବଂଶୀଧର ସେନାପତି ସେହି ସ୍କୁଲର ସଂପାଦକ । ସରବରାକାରୀରୁ ତାଙ୍କର ବାର୍ଷିକ ସହସ୍ରାଧିକ ଟଙ୍କା ଆଦାୟ ହୁଏ । ତାହା ଛଡ଼ା ଆଠହଳ ବଳଦର ଚାଷ ଅଛି; ସୁତରାଂ ଅବସ୍ଥା ଖୁବ୍‌ସ୍ୱଚ୍ଛଳ । ତାଙ୍କ ଦାଣ୍ତ ଆଗରେ ଅଲଗା ଗୋଟାଏ ବଙ୍ଗଳା ଅଛି । ସେହି ବଙ୍ଗଳାରେ ସ୍କୁଲ ହୁଏ । ସେନାପତିଙ୍କର ଦୁଇଟି ପୁଅ ସ୍କୁଲରେ ପଢ଼ନ୍ତି । ସ୍କୁଲଦ୍ୱାରର ସମ୍ମୁଖସ୍ଥ ସ୍ୱୀୟ ପ୍ରଶସ୍ତ ପିଣ୍ତାରେ ଖଣ୍ତେ କମ୍ବଳ ବିଛାଇ ସେନାପତି ତାହା ଉପରେ ସିରସ୍ତା ବାଢ଼ି ସିହା, ଉଆରିକା ଏବଂ ଚେକ୍‌ପାଉତି ଖାତା ସଙ୍ଗରେ ଯୁଦ୍ଧରେ ପ୍ରବୃତ୍ତ ଥାଆନ୍ତି । ମଧ୍ୟେ ମଧ୍ୟେ ହଳିଆମାନଙ୍କୁ କାର୍ଯ୍ୟର ବରାତ୍‌କରନ୍ତି, ହାରି ଫେରାଦି ବୁଝନ୍ତି; ସର୍ବୋପରି ସ୍କୁଲର କାର୍ଯ୍ୟପ୍ରତି ଦୃଷ୍ଟି ରଖିଥାଆନ୍ତି । ଏକ ସଙ୍ଗରେ ଅନେକ କାର୍ଯ୍ୟ କରିବାକୁ ଲୋକେ କହନ୍ତି–ସେନାପତି ଅଷ୍ଟାବଧାନୀ ନୁହନ୍ତି–ବହୁ ଅବଧାନୀ । ଯେଉଁ ପିଲାମାନେ ପତା କରି ନ ଥାନ୍ତି, ମାଷ୍ଟର୍‌ସେମାନଙ୍କୁ ଠିଆ କରାଇ ଦିଅନ୍ତି । ତାହା ଦେଖି ସେନାପତି ହସି ହସି କହନ୍ତି–‘‘ମାଷ୍ଟର ବାବୁ, ଏଟା ଦଣ୍ତ ନା ଦୟା । ବସି ବସି ଗୋଡ଼ ଲାଗିଯାଉଥିବ, ଟିକିଏ ଠିଆ ହେବା ଭଲ, ଏ ଯେ ଶାପରେ ବର । କିଏ ପତା କରି ନାହିଁ–ଗୋପୀ ବେହେରା ପୁଅ ନା ? ହଁ, ସେ ଚେଙ୍ଗଜଳକା ଭାରି ସଇତାନ୍‌। ଆରଟା କିଏ ? ପଞ୍ଜୁଆ କି ? ସେ ବି ବଦମାସଙ୍କର ଓସ୍ତାଦ୍‌। ସେ ମେଣ୍ଢାବାଳିଆଟା ତ ଚାଲନ୍ତା ଶଗଡ଼ରେ ହାତ ଦେବା ଲୋକ ! ପକାଅ ସେ ଦିଟାକୁ ଧାନକୁଟା ହେଟା ଗୁଡ଼ି ।’’ ଏରେ ମନେ ମନେ ଭାବୁଥାନ୍ତି–ଆହା, ଛୁଆଟାମାନେ କେତେବେଳୁ ଠିଆ ହେଲେଣି–ଗୋଡ଼ ଫାଟି ପଡ଼ୁଥିବ । ପୁଣି ଦଣ୍ତକ ପରେ କହନ୍ତି–‘‘ମାଷ୍ଟରପୁଅ, ଆଛା ଏଥରକ ସେମାନଙ୍କଠାରୁ ଜାମିନ୍‌ମୁଚାଲିକା ନେଇ ବସିବାକୁ କୁହ; ଆଉ ଦିନେ ପଢ଼ା ନ କଲେ ପିଣିପିଣିଆ ବାଉଁଶଡ଼ାଙ୍ଗରେ ଡାଙ୍ଗେଇ ଦେଇଯିବ ।’’ ବାଳକମାନଙ୍କ ପ୍ରତି ସେ ସର୍ବଦା ଏହିପରି ସଦୟ ଶାସନ ପ୍ରୟୋଗ କରନ୍ତି । ସେନାପତି ମାଷ୍ଟରଙ୍କର ପିତୃବୟସୀ-। କେବେ ତାଙ୍କୁ ମାଷ୍ଟରବାବୁ, କେବେ ବା ମାଷ୍ଟରପୁଅ ବୋଲି ସ୍ନେହ ସମ୍ଭୋଧନ କରନ୍ତି । ଦିନେ ମାଷ୍ଟର ଜଣେ ଛାତ୍ର ପ୍ରତି ବିରକ୍ତ ହୋଇ କହିଲେ–‘‘ତୁ ରାମାୟଣଟା ଯାକ ପଢ଼ି ଶେଷ କଲୁ, ଆଉ ରାବଣ କେଉଁ ସ୍ଥାନରୁ ସୀତାଙ୍କୁ ଘେନିଗଲା, ଏତକ ମନେ ରଖି ପାରିଲୁ ନାହିଁ-?’’ ଏହା ଶୁଣି ସେନାପତି ପିଲାଟିକୁ ଡାକି କହିଲେ–‘‘କି ରେ, ପଞ୍ଚବଟୀ ବନସ୍ତରୁ ପରା ? ରାବଣେଶ୍ୱର ଯେତେବେଳେ ସୀତ୍ୟାଙ୍କୁ ହରଣ କରି ନେଲା, ପକ୍ଷୀଚଟା ଖଣ୍ତେ ଯୁଧ୍ୟ କଲା । ହାୟ ରେ, ହାୟ ରେ, କି ହକିୟତ୍‌ସେ ! ତାହା ଶୁଣିଲେ କି ଆଖିରେ ଲୁହ ରହିବ ?’’ ପିଲାମାନେ ସେନାପତିଙ୍କ କଥା ଶୁଣି ହସି ଉଠିଲେ । ହାସ୍ୟର କାରଣ ସେ ମାଷ୍ଟରଙ୍କୁ ପଚାରନ୍ତେ ମାଷ୍ଟର ସଲ୍ଲଜ ହାସ୍ୟରେ କହିଲେ–‘‘ଆପଣ ରାବଣକୁ ରାବଣେଶ୍ୱର, ସୀତାଙ୍କୁ ସୀତ୍ୟା ଆଉ ଯୁଦ୍ଧକୁ ଯୁଧ୍ୟ ବୋଲି ଅଶୁଦ୍ଧ କରି କହିବାରୁ ପିଲା ମାନେ ହସୁଛନ୍ତି ।’’ ତହୁଁ ସେନାପତି କହିଲେ–‘‘ହଁ ହୋ, ଆମେ ମରହଟୀ ଲୋକ, ଅଶୃଧ୍ୟ ସଂଶୁଧ୍ୟ ଆମର କିଏ ଏତେ ବିଚାରୁଛି ? ସୀତା ଯେ–ସୀତ୍ୟା ସେ–ସୀତାୟା ବି ସେ–ସବୁ ଏକାକଥା । ଆଚ୍ଛା, ମାଷ୍ଟରପୁଅ, ଏବେ କେଉଁଠି ଯୁଧ୍ୟ ଲାଗିଛି ନା ?’’ ମାଷ୍ଟର କହିଲେ–‘‘ନା, ଜର୍ମନୀ ହାରିଗଲା, ଆମ ଚକ୍ରବର୍ତ୍ତୀ ଜିଣିଲେ; ଆଉ ଯୁଧ୍ୟଖବର କିଛି ଶୁଣାଯାଉ ନାହିଁ ।’’ ସେନାପତି କହିଲେ–‘‘ସେଥର ଯେତେବେଳେ ବିଲେଇତୀ ରଜା ସାଙ୍ଗରେ ଭାରତେସୁଇଁ ଘର ଯୁଦ୍ଧ ଲାଗିଥିଲା, ତେତେବେଳେ ମୁଁ କଲିକତାରୁ ଗଙ୍ଗାସ୍ନାନ କରିବାକୁ ଯାଇଥିଲି-। ଦିନେ ହୁଡ଼କ ଉଠିଲା–କୁଂପାନୀ ସମସ୍ତଙ୍କୁ ଯୁଧ୍ୟକୁ ନେଇଯିବ । ସେଇଠୁ ଛାଟିପିଟ ହୋଇ କିଏ କେଉଁ ବାଟେ ପଳାଇ ଆସିଲା ଯେ, ଆଉ କାହାରି ଧୂଳି ଦିଶିଲା ନାହିଁ । ଢେର ବେଳ ହେଲାଣି ମାଷ୍ଟରପୁଅ, ଏଇ ଚାରିଟା ହିସାବ ପଚାରି ପିଲାଙ୍କୁ ଛାଡ଼ିଦିଅ ।’’ ସଂପାଦକଙ୍କ ଆଦେଶାନୁସାରେ ମାଷ୍ଟର ମାନସାଙ୍କ ଚର୍ଚାରେ ମନୋନିବେଶ କଲେ । ସେ ଜଣେ ପିଲାକୁ ପଚାରିଲେ–‘‘ମାସକୁ ତିନି ଟଙ୍କା ହେଲେ ଦଶ ଦିନକୁ କେବେ ହେବ ?’’ ସେନାପତି ଏହା ଶୁଣି ତାଟଙ୍କା ହୋଇ କହିଲେ–‘‘ଏଡ଼େ କଷ୍ଟ ହିସାବ କଅଣ ପିଲାମାନେ କହିପାରିବେ ? ତିନି ଟଙ୍କାକୁ ମାସକ ତିରିଶ ଦିନରେ ହରି ତାକୁ ପୁଣି ଦଶଦିନକୁ ମାଗି ଦଶରେ ଗୁଣିବ; ଏଡ଼େ ହିସାବଟେ ପିଲାଏ ତୁଣ୍ତେ ତୁଣ୍ତେ କିମିତି କହିବେ ?’’ ମାଷ୍ଟର କହିଲେ–‘‘ତାହାର ସହଜ ସୁତ୍ର ଅଛି, ମାସକ ତିନି ଦଶ ଦିନ, ତିନି ଦଶକୁ ତିନି ଟଙ୍କା ହେଲେ ଦଶ ଦିନକୁ ଟଙ୍କାଏ ପଡ଼ିଲା ।’’ ସେନାପତି ଖୁସି ହୋଇ କହିଲେ–‘‘ଠିକ୍‌ଠିକ୍‌, ଏଡ଼େ ସହଜ ସୁତ୍ର ଅଛି ? କହନ୍ତି ସିନା, ସର୍କାରା ପାଠ ଏକା ଏକା ଅସଲ ପାଠ ।’’

 

ରାମା ସମୟ ସମୟରେ ଯାଇ ସେହି ସ୍କୁଲରେ ବସେ । କେବେ ପିଲାମାନଙ୍କୁ ପାଠ କହିଦିଏ, ମାନସାଙ୍କ ପଚାରେ, ସାନ ପିଲାଙ୍କର ହସ୍ତାକ୍ଷର ସଂଶୋଧନ କରିଦିଏ । ଏହିପରି ମାଷ୍ଟରଙ୍କର ଅନେକ ସହାୟତା କରେ । ମାଷ୍ଟର ମଧ୍ୟ ତାକୁ ଆନ୍ତରିକ ଭଲ ପାଆନ୍ତି । ସେଦିନ ମାଷ୍ଟରଙ୍କ ପାଖରୁ ସେ ଖଣ୍ତେ ପାନ ଖାଇ ଯାଇଥିବାରୁ ମାଉସୀଙ୍କଠାରୁ ଯେଉଁ ଗାଳି ପୁରସ୍କାର ପାଇଥିଲା, ପାଠକ ତାହା ଜାଣିଅଛନ୍ତି । ଉଷା ତାକୁ ସ୍କୁଲକୁ ଯିବାକୁ ମନା କରନ୍ତି; ମାତ୍ର ସେ ତାହା ଶୁଣେ ନାହିଁ । ଏ ହେତୁ ରାମା, ମାଷ୍ଟର ଏବଂ ସ୍କୁଲ ଉଷାଙ୍କର ଚକ୍ଷୁଶୁଳ । ରାମର ବିଦ୍ୟାନୁରାଗ ଏବଂ ସାଧୁ ବ୍ୟବହାର ଦେଖି ସେନାପତି ତାକୁ ଆନ୍ତରିକ ସ୍ନେହ କରନ୍ତି । ତାଙ୍କ ପିଲା ଦୁଇଟିକୁ ପାଠ କହିଦିଏ ବୋଲି ତାଙ୍କ ଗୃହଣୀ ହରିପ୍ରିୟା ମଧ୍ୟ ରାମା ପ୍ରତି ସୁପ୍ରସନ୍ନା । ହରିପ୍ରିୟା ସମୟ ସମୟରେ ରାମାକୁ ଡାକି ନେଇ ଆଦର କରି ଜଳଖିଆ ଦିଅନ୍ତି–ଖିଆପିଆ ବେଳ ହୋଇଥିଲେ ଭାତ ଦିଅନ୍ତି । ପାଖରେ ବସାଇ ଦୁଃଖ କଷ୍ଟର କଥା, ମାଉସୀଘରର କଥା, ମାଉସୀଙ୍କ ବ୍ୟବହାର, ଏସବୁ ଶୁଣି ଅନୁକଂପାର ଦୀର୍ଘଶ୍ୱାସ ତ୍ୟାଗ କରି କହନ୍ତି–‘‘ହାୟ, ଯାହା କହନ୍ତି–‘‘ପର ଘର ଥାଇ ପର ପରାଣୀ, ଭୋକିଲା ଶୋଷିଲା ଦୁଇ ନ ଜାଣି ।’ ରାମ, ତୁ ମୋତେ ପରି ଭାବିବୁ ନାହିଁ; ମୋ ରାଣଟି, ଭୋକ କଲେ ମୋ କତିକି ଚାଲି ଆସି ଗୁଣ୍ତାଏ ଖାଇଦେଇ ଯିବୁ । ମୋର ଚେମା, ଶୁକୁଟା, ଦିହେଁ ଯେମିତି; ତୁ ବି ସିମିତି ।’’ ଚେମା, ଶୁକୁଟା, ହରିପ୍ରିୟାଙ୍କର ଦୁଇଟି ପୁତ୍ରର ନାମ । ତାଙ୍କର ଅନେକ ପିଲା ମରି ମରି ଶେଷକୁ ଏହି ଦୁଇଟି ଅଛନ୍ତି । ପିଲା ଦୁଇଟି ସୁଶ୍ରୀ ଏବଂ ସକଳ; ସେମାନଙ୍କର ଚେମା, ଶୁକୁଟା ନାମ କେହି ଅନୁମୋଦନ କରିବେ ନାହିଁ । କିନ୍ତୁ ମାତୃହୃଦୟ ସର୍ବଦା ଆଶଙ୍କା–ପ୍ରବଣ, କଦର୍ଯ୍ୟ ନାମ ଶୁଣିଲେ ଯମ ଘୃଣା କରି ପାଖ ପଶିବ ନାହିଁ, ଏହି ଧାରଣାରେ ଏରୁପ ନାମ ରଖାଯାଇଅଛି । ସୁତରାଂ ସ୍ୱାସ୍ଥ୍ୟସଂପଦର ପୂର୍ଣ୍ଣ ଅଧିକାରୀ ହୋଇ ସୁଦ୍ଧା ପିଲା ଦୁଇଟି ଚେମା, ଶୁକୁଟା ଅପବାଦ ବୃଥାରେ ବହିଅଛନ୍ତି ଏବଂ ଆଜୀବନ ବହିଥିବେ । ହରିପ୍ରିୟାଙ୍କ ଅସରନ୍ତି ସ୍ନେହଧାରାରେ ଅଭିଷିକ୍ତ ହୋଇ ରାମା ସ୍ୱୀୟ ଭବିଷ୍ୟତ୍‌ସମ୍ବନ୍ଧରେ ଆଶ୍ୱସ୍ତ ହେଲା । ଚରିତ୍ରବଳ ଦ୍ୱାରା ବାଲ୍ୟ ଜୀବନରେ ଏହିପରି ଉଜ୍ଜ୍ୱଳ ଅମଳିନ ରେଖାପାତ ହୁଏ । ସ୍ନେହର ଅବସାନ ନାହିଁ; ତାହାର କ୍ରମବୃଦ୍ଧି ସମସ୍ତଙ୍କର କାମନୀୟ । ଏହି ଅଯାଚିତ ସ୍ନେହକୁ ଦୃଢ଼ କରିବା ସକାଶେ ରାମା ହରିପ୍ରିୟାଙ୍କ ସହିତ ଗୋଟାଏ ସଂପର୍କ ସ୍ଥାପନର ଇଚ୍ଛା କଲା । ଦିନେ ମୂର୍ତ୍ତିଏ ମହାପ୍ରସାଦ ଆଣି ହରିପ୍ରିୟାଙ୍କ ହାତରେ ଗୁଞ୍ଜି ଦେଇ କହିଲା–‘‘ତୁମେ ମୋର ଧରମ ଭଉଣୀ ।’’ ଏହା କହି ତାଙ୍କ ଗୋଡ଼ପାଖରେ ଗୋଟିଏ ଦଣ୍ତବତ କଲା । ହରିପ୍ରିୟା ତାହା ମସ୍ତକରେ ସ୍ନେହର ସ୍ନିଗ୍‌ଧଶୀତଳ ହସ୍ତ ବୁଲାଇ ଦେଇ କହିଲେ, ‘‘ହଁ ରେ, ମୁଁ ତୋର ଭଉଣୀ, ଆଜି ନୁହେଁ, ଆଗରୁ ହୋଇସାରିଛି । ମୁଁ ଯେବେ ନୂଆଭୁଆସୁଣୀ ହୋଇ ଏ ଘରକୁ ଆସିଲି, ତେତେବେଳୁ ମୋର ଶାଶୁ ନଣନ୍ଦ, କି ଯାଆ ଯଉଳା କେହି ନାହାନ୍ତି । ତୋ ମା ସାଙ୍ଗରେ ଧରମ ମା ବସିଲି, ସେ ମୋତେ ଗାଧୋଇବାକୁ ନେଇଯାଏ, ଖୁଆଏ, ପିଆଏ ବୋଧ ଶୋଧ କରେ । ସେ ମୋତେ ଝିଅଠାରୁ ଅଧିକ ସ୍ନେହ କରୁଥିଲା । ହାୟ, ମୋର ସେ ଦେବାତୁଲ୍ୟ ଦୟାବତୀ ମା ଆଜି ସ୍ୱର୍ଗରେ ।’’ ଏହା କହୁଁ କହୁଁ ତାଙ୍କର ନେତ୍ର ଅଶ୍ରୁସିକ୍ତ ହୋଇ ଆସିଲା । ସେ ରାମାକୁ ପାଖକୁ ଟାଣି ନେଇ ସ୍ପେହାର୍ଦ୍ର କଣ୍ଠରେ କହିଲେ–‘‘ତୁ ମୋର ସାନଭାଇ, ମୋ ପାଖରେ ଲାଜ କରିବୁ ନାହିଁ ଯେତେବେଳେ ତୋର ଯାହା ଦରକାର, ମୋତେ କହିବୁ ।’’ ରାମା ଏ କଥା ଶୁଣି ସ୍ତମ୍ଭିତ ହୋଇଗଲା ଏବଂ ଭାବିଲା–‘‘ଏ ସାମାଦ୍ୟ ମାନବୀ ନୁହେଁ, ମାନବୀ-ହୃଦୟ କି ଏଡ଼େ ପ୍ରଶସ୍ତ ହୋଇପାରେ ! ଏ ମୋର ମାତୃଦେବୀଙ୍କର କରୁଣା, ମୋତେ ଆଶ୍ରୟ ଦେବା ପାଇଁ ମୂର୍ତ୍ତିମତୀ ହୋଇ ସ୍ୱର୍ଗରୁ ଓହ୍ଲାଇ ଆସିଅଛି-। ଏହାର ବଚନରେ କି କେବଳ ଅମୃତ ଅଛି–ହୃଦୟରେ କି ସ୍ନେହ, ଅନୁକଂପା ଭିନ୍ନ ଆଉ କିଛି ନାହିଁ-! ଦୟାଦେବୀ କି ଅଶ୍ରୁ ରୂପରେ ଏହାର ନେତ୍ରରେ ଆଶ୍ରୟ ନେଇଅଛନ୍ତି ? ଏ ଦେବୀ ନୁହେଁ–ଦେବୀର ଅରାଧ୍ୟା ମହାଦେବୀ ।’’ ଏହା ଭାବି ମାଉସୀ ଏବଂ ହରିପ୍ରିୟାଙ୍କର ତୁଳନା କଲା–‘‘ଗୋଟିଏ ଆଷାଢ଼ୀ ଅମାବାସ୍ୟାର ଘନଘଟା–ଚ୍ଛନ୍ମ ନିଶୀଥିନୀ, ଅପରଟି ବାସନ୍ତୀପୂର୍ଣ୍ଣିମାର ବିଶଦ ଜ୍ୟୋସ୍ନାମୟୀ ଯାମିନୀ; ଗୋଟିଏ ବିକ୍ଷଲତା, ଅପରଟି ଅମୃତ-ବଲ୍ଳରା; ଗୋଟିଏ ଉଗ୍ରା ମୁଖରା ଚଣ୍ତାଲୁଣୀ, ଅପରଟି ଶାନ୍ତା ସୁଶୀଳା ସୁପବିତ୍ରା ବ୍ରାହ୍ମଣୀ; ଗୋଟିଏ ତପ୍ତ ବାଲୁକାମୟ ମରୁଭୁମି, ଅପରଟି ସ୍ୱଚ୍ଛଶୀତଳତୋୟା ତରଙ୍ଗିଣୀ; ଗୋଟିଏ ନରକର ଦୁର୍ଗନ୍ଧ ପଙ୍କ, ଅପରଟି ସ୍ୱର୍ଗର ସୌରଭମୟ ଶତଦଳ; ଗୋଟିଏ ଉଚ୍ଛିଷ୍ଟ ଜଳ, ଅପରଟି ତୀର୍ଥବାରି ।’’ ରାମାର ଆଶ୍ରୟରଜ୍ଜୁ ଏକଆଡ଼ୁ ଯେତେ ଫିଟିଯାଉଥିଲା, ଅନ୍ୟ ଆଡ଼େ ତେତେ ଗୁଡ଼ାଇ ହୋଇଯାଉଥିଲା । ଏକ ବୃକ୍ଷର ଲତା ଯାଇ ଅନ୍ୟ ବୃକ୍ଷରେ ମାଡ଼ିଲେ ପ୍ରଥମ ବୃକ୍ଷ ପ୍ରତି ସେ ଆଉ ପୂର୍ବ ପରି ନିର୍ଭର କରେ ନାହିଁ; ରାମା ସେହିପରି ହରିପ୍ରିୟାଙ୍କୁ ପାଇ ମାଉସୀଙ୍କ ପ୍ରତି କ୍ରମଶଃ ମମତାହୀନ ହେବାକୁ ଲାଗିଲା । ସେ ହରିପ୍ରିୟାଙ୍କୁ ନାନୀ ବୋଲି ଡାକେ; ଚେମା, ଶକୁଟା ତାହାକୁ ମାମୁ ବୋଲି ଡାକନ୍ତି । ରାମା ଏଣିକି ଅଧିକାଂଶ ସମୟ ସେନାପତିଙ୍କ ଘର ପାଖରେ କଟାଏ । ବାଳକ ସ୍ନେହର ବଶ; ସେ ଯାହାଠାରୁ ସ୍ନେହ ପାଏ, ତାହାକୁ ଆତ୍ମୀୟ କରିନିଏ । ଦିନେ ହରିପ୍ରିୟା କହିଲେ, ‘‘ରାମ, ତୁ ମୋତେ ଆଉ ତମେ ନ କହି ତୁ ବୋଲି କହିବୁ ।’’ ରାମା ଟିକିଏ କୁଣ୍ଠିତ ହୋଇ କହିଲା–‘‘ତୁ ବୋଲି କହିବାକୁ ମୋର ତୁଣ୍ତ ଲେଉଟିବ ନାହିଁ ।’’ ହରିପ୍ରିୟା କହିଲେ–‘‘ନା, ମୋ ରାଣଟି, ତୁ ବୋଲି କହିବୁ ।’’ ସେହି ଦିନଠାରୁ ରାମା ତାଙ୍କୁ ଆଉ ତମେ ନ କହି ତୁ ବୋଲି କହେ ।

 

ଶରତ୍‌କାଳ ପରେ ହେମନ୍ତ ହିମକିରୀଟ ମସ୍ତକରେ ଧରି ବିଜେ ହେଲା । ବାତ୍ୟାବିକ୍ଷବ୍‌ଧ ସାଗର-ଗର୍ଭରେ ତରଣୀ ଇତସ୍ତତଃ ଧାବିତ ହେଲା ପ୍ରାୟ ନୀଳ ପ୍ରଶାନ୍ତ ଅନନ୍ତ ଅମ୍ବର ପ୍ରଦେଶରେ ବର୍ଷଣକ୍ଷାନ୍ତ ଘନଯୁଥ ଘୁରି ବୁଲିଲେ । ସୂର୍ଯ୍ୟ ବଡ଼ ବିମର୍ଷ । ତାଙ୍କର ମର୍ତ୍ତ୍ୟବାନ୍ଧବୀ ସରୋବରଜେମା କମଳିନୀ ମର୍ତ୍ତ୍ୟରୁ ବିଦାୟ ନେଇଅଛି । ସେ ଏଡ଼େ ବଡ଼ ଶୋକ ସହିବେ କିପରି ? ବଡ଼ଲୋକ ପ୍ରକାଶ୍ୟ ଭାବରେ କାନ୍ଦିଲେ ସମସ୍ତେ ତାଙ୍କୁ ଧୈର୍ଯ୍ୟହୀନ କହିବେ। ସୁତରାଂ ରଜନୀରେ କେଉଁ ଅଜ୍ଞାତ ଶୂନ୍ୟରେ ଲୁଚି ରହି ଶିଶିରଚ୍ଛଳରେ ଅଶ୍ରୁ ବର୍ଷଣ କଲେ । ପ୍ରେମିକର ସେହି ପୁଣ୍ୟାଶ୍ର, ପ୍ରେମିକାର ସମାଧିରେ ପୃଷ୍ଠବୃଷ୍ଟି ତୁଲ୍ୟ । ଲାଳସାବିହୀନ ପ୍ରେମ ବଡ଼ ପବିତ୍ର । ଧାନ୍ୟସୁସ୍ପର ମଧୁର ସୌରଭରେ ଚତୁର୍ଦ୍ଦିଗ ଆମୋଦିତ ହେଲା । ଧାନ୍ୟକ୍ଷେତ୍ରର ସ୍ଥାନେ ସ୍ଥାନେ ପକ୍ୱ ଆଶୁଧାନ୍ୟର କିଆରୀ ପ୍ରକୃତି ତାପସୀର ବସ୍ତ୍ରରେ ତାଳି ପଡ଼ିଲାପ୍ରାୟ ଦୁରରୁ ଦେଖାଗଲା । ଶତବର୍ଗ ଫୁଲ ଉଦ୍ୟାନରେ ଶତସ୍ୱର୍ଗର ସୁଷମାବିଭବ ଅଜାଡ଼ିଦେଲା । ଶତବର୍ଗ ଗଛଗୁଡ଼ିକ ଛତ୍ରଧର, ତାହାର ଫୁଲ ହେମନ୍ତର ହେମକାନ୍ତ ରାଜଚ୍ଛତ୍ର । ନଦୀର ଦୁଇକୂଳରେ ସୋରିଷ ଫୁଲ ଫୁଟି ହଳଦିଆ ଲୁଗା ଶୁଖା ହେଲା ପ୍ରାୟ ଦିଶିଲା । ନଦୀ ମୃଦୁ ହୁଳହୁଳୀ ଦେଇ ଚାଲିଲା । ଦୁଇ କୂଳରେ ପକ୍ଷୀମାନଙ୍କର ନହବତ ବସିଲା। ଏତେ ହଳଦିଆ ଲୁଗା–ଏକେ ଆୟୋଜନ କେଉଁ ଭାଗ୍ୟଧରର ବିବାହ ସକାଶେ, କିଏ କହିବ ? କାର୍ତ୍ତିକବ୍ରତୀଏ ରାତ୍ରି ଥାଉଁ ଥାଉଁ ସ୍ନାନ କଲେ । ସେମାନଙ୍କର ଶଙ୍ଖ ହୁଳହୁଳୀ ଶବ୍ଦ ଉଛୁଳି ପଡ଼ିଲା । ଦେବାଳୟରେ ମଙ୍ଗଳାଳତିର ଘଣ୍ଟା, ଘଡ଼ି, ଝାଞ୍ଜ, କର୍ତ୍ତାଳ, ମୃଦଙ୍ଗର ମଙ୍ଗଳ ମଧୁର ସ୍ୱର କର୍ଣ୍ଣରେ ଅମୃତ ବୃଷ୍ଟି କଲା । ଆନନ୍ଦ ଏବଂ ପବିତ୍ରତା ଚାରିଆଡ଼େ ଖେଳି ବୁଲିଲା । କାର୍ତ୍ତିକପୁର୍ଣ୍ଣିମାରେ ବ୍ରତ ଉଦ୍‌ଯାପିତ ହେଲା । ସେଦିନ ପ୍ରାତଃକାଳରେ ନଦୀବକ୍ଷ ଅସଂଖ୍ୟ କଦଳୀପଟନିର୍ମିତ ରଥରେ ଅପୂର୍ବଶ୍ରୀ ଧାରଣ କଲା । କେତେ ରଥ ଅନେକ ଦୂରଯାଏ ଭାସିଗଲା–କିଏ ଖଣ୍ତେ ଦୂରରେ ଅଟକିଲା, କେହି ବା ଆଦୌ ଚାଲିଲା ନାହିଁ । ତଦ୍ଦ୍ୱାରା ପୂର୍ଣ୍ଣପୁଣ୍ୟ, ଖଣ୍ତପୁଣ୍ୟ ଏବଂ ଅପୁଣ୍ୟ ସୁଚିତ ହେଲା । ରଥସ୍ଥ ଦୀପାବଳୀ ନଦୀର ସ୍ୱର୍ଣ୍ଣଫେନପୁଞ୍ଜ ପ୍ରାୟ ସୁନ୍ଦର ଦିଶିଲା । ରାତ୍ରିରେ ମଧୁର ମଧୁର ଶୀତ ବୋଧ ହେଲା । ହେମନ୍ତ କାଳ ବଡ଼ ସୁନ୍ଦର, ମଧୁର, ପବିତ୍ର ଏବଂ ଶାନ୍ତିପ୍ରଦ । କିନ୍ତୁ ଜ୍ୱରର ପ୍ରକୋପ ସର୍ବତ୍ର ଦେଖାଯାଏ । ସେ ଜ୍ୱରକୁ କାର୍ତ୍ତିକ-ନିଗିଡ଼ାଜ୍ୱର କହନ୍ତି । ସେ ବର୍ଷ ହରିପ୍ରିୟାଙ୍କୁ ଜ୍ୱର ହେଲା । ପ୍ରଥମତଃ ସେ ଜ୍ୱରକୁ ହେୟ ଜ୍ଞାନ କଲେ; ମାତ୍ର କିଛିଦିନ ପରେ ଜ୍ୱର ଭୀଷଣ ହୋଇଉଠିଲା । ପ୍ରଳାପ, ମୂର୍ଚ୍ଛା ପ୍ରଭୃତି ଲକ୍ଷଣ ମଧ୍ୟ ଦେଖାଗଲା । ସେନାପତିଙ୍କ ପରିବାର ଆଶଙ୍କାରେ ଅଧୀର ହୋଇ ଉଠିଲେ । ସବୁଠାରୁ ଅଧିକ ଅଧୀର ହେଲା ରାମା । ସେ କେତେ ଦେବତାଙ୍କର ଚରଣୋଦକ, ଚନ୍ଦନତୁଳସୀ ଏବଂ ପ୍ରସାଦୀପୁଲ ଆଣି ନାନୀଙ୍କର ଦୈବୀ ଚିକିତ୍ସା କଲା–କେତେ ଦେବତାଙ୍କୁ ଡାକିଲା–କେତେ ଦେବତାଙ୍କୁ ଭୋଗ ମାନସ କଲା; ମାତ୍ର କାହିଁରେ ଜ୍ୱର ଊଣା ହେଲା ନାହିଁ । ସେନାପତି ବୈଦ୍ୟ ଡାକି ଔଷଧର ବ୍ୟବସ୍ଥା କଲେ । ରାମା ନ ଖାଇ ନ ଶୋଇ ପ୍ରାଣପଣରେ ଚିକିତ୍ସା କଲା । ଜଗି ବସି ଯଥାସମୟରେ ଔଷଧ ଖୁଆଏ, ସ୍ୱହସ୍ତରେ ପଥ୍ୟ ପ୍ରସ୍ତୃତ କରିଦିଏ । ରୋଗିଣୀ ପଥ୍ୟ ନ ଖାଇଲେ ରାମା କାନ୍ଦିପକାଏ ଏବଂ କହେ–‘‘ମୋ ରାଣଟି ନାନି, ତୁ ଖା; ନ ଖାଇଲେ ମୁଁ ତୋରି ଗୋଡ଼ତଳେ ମୁଣ୍ତ ପିଟି ଦେବି ।’’ ହରିପ୍ରିୟା ରୋଗି–ସୁଲଭ ଟିକିଏ ଫିକା ହସ ହସି କହନ୍ତି–‘‘ଆଛା, ତେବେ ଅଳ୍‌ପ ଦେ ।’’ ରାମାମୁଖରେ ହାସ୍ୟରେଖା କ୍ରନ୍ଦନ ମଧ୍ୟରେ ଫୁଟି ଉଠେ । ସେ କେଉଁ ଠାରୁ ଡାଳିମ୍ବ, କେଉଁ ଠାରୁ ସିଦୁଡ଼ି, କେଉଁଠାରୁ କମଳା ସଂଗ୍ରହ କରି ଆଣି କହେ–‘‘ନାନି, ଏ ସବୁ ଜରୁଆ ପାଟିକି ଭଲ ଲାଗେ ।’’ ଏ କଥା ମଧ୍ୟରେ କି ଅଗାଧ ସ୍ନେହ–କି ପ୍ରାଣର ମମତା ପ୍ରଚ୍ଛନ୍ନ ଥାଏ, ତାହା ହରିପ୍ରିୟା ବୁଝନ୍ତି । ଲୀଳାୟିତ ଆନନ୍ଦରେ ତାଙ୍କ ରୋଗର୍ଶର୍ଣ୍ଣ ହୃଦୟ ଫୁଲିଉଠେ । ସେ ହସି ହସି କହନ୍ତି–‘‘ରାମ, ଆର ଜନ୍ମରେ ତୁ ମୋର ପୁଅ ଥିଲୁ-।’’ ଔଷଧଠାରୁ ସେବାର ମୂଲ୍ୟ ଅଧିକ । ରାମାର ସେବାଶୁଶ୍ରୁଷାଗୁଣରେ ହରିପ୍ରିୟା ଧୀରେ ଧୀରେ ଆରୋଗ୍ୟ ଆଡ଼କୁ ଅଗ୍ରସର ହେଲେ । କ୍ରମଶଃ ତାଙ୍କ ଶରୀରରେ ବଳ ସଞ୍ଚିତ ହୋଇଆସିଲା । ସେ ରୋଗଶଯ୍ୟା ଛାଡ଼ି ଅଳ୍‌ପ ଅଳ୍‌ପ ଚଲାବୁଲା କଲେ । କେତେ ଦିନ ପରେ ତାଙ୍କର ନଷ୍ଟସ୍ୱାସ୍ଥ୍ୟ ବାରପଣ ଫେରି ଆସିଲା । ରାମାର ସୁପରିଚର୍ଯ୍ୟାର ପ୍ରଶଂସା ତାଙ୍କ ମୁହଁରେ ସର୍ବଦା ଲାଗି ରହିଲା-। ସେ କହିଲେ–‘‘ରାମ, ତୁ ମୋତେ ଯମମୁହଁରୁ ଛଡ଼ାଇ ଆଣିଲୁ; ତୋର ଏ ଉପକାର ମୁଁ ଶୁଝି ପାରିବି ନାହିଁ । ରାମା ଲଜ୍ଜିତ ହୋଇ କୃତ୍ରିମ କୋପ ପ୍ରକାଶପୂର୍ବକ କହିଲା–‘‘ଯା, ସେପରି କଥା କହିଲେ ମୁଁ ଆଉ ତୋ ଘରକୁ ଆସିବି ନାହିଁ । ଭାରି କାମଟେ କରି ପକାଇଲି ଯେ, ସେଥିଲାଗି ହରଘଡ଼ି ସେହି କଥା ତୋର ଭଜନମାଳ ହୋଇଛି ।’’

 

ହରିପ୍ରିୟାଙ୍କରଜ୍ୱର ଛାଡ଼ିଗଲା; ମାତ୍ର ଦୁର୍ବଳତା ଯାଇ ନାହିଁ । ଅଳଙ୍କାରବିରଳ ଶୀର୍ଣ୍ଣଶରୀରରୁ ଗୋଟାଏ ସ୍ନିଗଧ ସରଳ ସୌନ୍ଦର୍ଯ୍ୟ ଫୁଟି ବାହାରୁଅଛି । ସ୍ୱଭାବ ସୁନ୍ଦର ରୁପକୁ ଅଳଙ୍କାରରେ ଭାରାକାନ୍ତ କଲେ ତାହାର ସୌନ୍ଦର୍ଯ୍ୟ ନଷ୍ଟ ହୁଏ । ହରିପ୍ରିୟା ପିଣ୍ତାରେ ଖୁଣ୍ଟକୁ ଆଉଜି ଗୋଡ଼ ଲମ୍ବାଇ ବସିଅଛନ୍ତି–କମଳ-କୋଳରେ ସୌରଭ ପ୍ରାୟ କୋଳରେ ଗୋଟିଏ ଶିଶୁ । ଏହି ସମୟରେ ରାମା ଗୋଟିଏ ସୁପୁଷ୍ଟ ସୁପକ୍ୱ ସପୁରିପଣସ ହାତରେ ଧରି ଉପସ୍ଥିତ ହେଲା । ଶିଶୁଟି ସୁନ୍ଦର ମୁଖରେ କୋଟି ଲାବଣ୍ୟର ହାସ ଖେଳାଇ କହିଲା–‘‘ଏ, ମାମ୍‌!’’ ରାମା ଫଳଟି ତାହା ପାଖରେ ଥୋଇଦେଲା । ଶିଶୁ ଫଳଟି ଧରି ଗୋଟାଯାକ ଗିଳିଦେବାକୁ ସମୁଦ୍ୟତ ହେଲା; ମାତ୍ର ବହୁ ଉଦ୍ୟମ ବିଫଳ ହେବାରୁ ଶେଷରେ ଗୋଡ଼ରେ ଫଳଟି ଗଡ଼ାଇ ଦେଇ କହିଲା–‘‘ଦାଃ । ଅନନ୍ତର ଠିଆ ହୋଇ ଜନନୀର ବାମକର୍ଣ୍ଣଟି ଭୋଜନ କରିବାକୁ ଚେଷ୍ଟା କଲା । ଜନନୀ ଟାଣି ଆଣି କୋଳରେ ବସାଇଲେ । ଶିଶୁର ଲୀଳା ଦର୍ଶନରେ ହରିପ୍ରିୟା ଏବଂ ରାମା ଉଭୟେ ନିବିଷ୍ଟମନା ଥିବାରୁ ଏ ପର୍ଯ୍ୟନ୍ତ କେହି କାହାକୁ କିଛି କହି ନ ଥିଲେ । ଏବେ ହରିପ୍ରିୟା କଥା କହିଲେ । ସେ ରାମା କୁ ଅନାଇ ପଚାରିଲେ–‘‘ଏ ସପୁରିପଣସଟି କେଉଁଠୁ ଆଣିଲୁ ?’’ ରାମା କହିଲା–‘‘ଜଣକର କଲିକତାକୁ ଖଣ୍ତେ ଭାଷା ଲେଖି ଦେଇ ଆସିଲି, ସେ ଯାଚିକରି ଦେଲା । ନାନି, ତୁ ଏଥିରୁ ତାରି ଖଣ୍ତ ଖାଇଲେ ତୋର ଜର ଅରୁଚି ଛାଡ଼ିଯିବ; ମୁଁ କାଟି ଆଣେ ?’’ ନାନୀ ଟିକିଏ ହସି ଦେଇ ରାମା ସିଠିରେ ବାତ୍ସଲ୍ୟହସ୍ତ ବୁଲାଉଁ ବୁଲାଉଁ କହିଲେ–‘‘ନା ରେ, ମୋର ଅରୁଚି ଛାଡ଼ିଗଲାଣି ।’’ ରାମା ବାଳକୋଚିତ ଅଜଟିଆ ସ୍ୱରରେ କହିଲା–‘‘ହଁ, ଛାଡ଼ିଗଲାଣି ! ତୁ କିଛି ଖାଉ ନାହୁଁ–ବଞ୍ଚିବୁ କିମିତି ? ନା, ତୁ କହ, ମୁଁ କାଟି ଆଣେ ।’’ ରାମାର ଏହି ଆତ୍ମୀୟତାରେ ମୁଗ୍‌ଧ ହୋଇ ହରିପ୍ରିୟା କହିଲେ–‘‘ନା ରେ ରାମ, ତୋ ନାନୀ ମରିବ ନାହିଁ–ତୁ ଭାବନା କର ନା ।’’ ଏହି ସମୟରେ ଶିଶୁଟି ତାହାର କ୍ଷୁଦ୍ର କୋମଳ ସୁନ୍ଦର ହାତ ଦୁଇଟି ରାମ ଆଡ଼କୁ ବଢ଼ାଇ ଦେଇ କହିଲା–‘‘ଦେ, କାମ୍‌ ।’’ ଶିଶୁଟି ହରିପ୍ରିୟାଙ୍କର କନ୍ୟା ଉମା । ରାମା କହିଲା–‘‘ହେଇ ଉମା କହିଲାଣି ଖାଇବ ।’’ ଏତିକି ମାତ୍ର କହି ଆଉ ନାନୀଙ୍କ ସମ୍ମତିର ଅପେକ୍ଷା ନ ରଖି ପଣସ କାଟିବାକୁ ଚାଲିଗଲା । କେତେ କ୍ଷଣପରେ ଗୋଟାଏ ପଥର ଥାଳୀରେ ଖଣ୍ତୀକୃତ ସପୁରୀ ଥାଳୀଏ ଘେନି ଫେରି ଆସିଲା । ହରିପ୍ରିୟା କହିଲେ–‘‘ସେ ଘର ସିନ୍ଦୁକ ଉପରେ ରଖି କିଛି ଢାଙ୍କ ଦେଇଥା, ସେ ଆସିଲେ ତାଙ୍କୁ ଦବୁ, ପିଲାଙ୍କୁ ଦବୁ, ତୁ ଖାଇବୁ, ଆଉ ମୋତେ ଦିଖଣ୍ତ ଦବୁ ।’’ ରାମ ଆଦେଶ ପାଳନ କଲା । ହରିପ୍ରିୟା ଦଣ୍ତେଯାଏଁ ତାହା ମୁହଁକୁ ଚାହିଁ ରହି ପଚାରିଲେ–‘‘ତୋ ମୁହଁ ଶୁଖିଲା ଦିଶୁଛି କାହିଁକି ରେ ରାମ, ଖାଇ ନାହୁଁ କି ?’’ ରାମା ତଳକୁ ଚାହିଁ କହିଲା–‘‘ହଁ, ଖାଇଛି ।’’ ନାନୀ କହିଲେ–‘‘ତୋ ମନ ଖୁସି ନାହିଁ କାହିଁକି–କେହି ଗାଳି ଦେଇଚି କି ରେ ?’’ ରାମ ମୁହଁ ଥମ୍‌ଥମ୍‌କରି କହିଲା–‘‘ଗାଳି ମୋର କେତେବେଳେ ଛାଡ଼ କି !’’ ଏହି ସମୟରେ କାହାର ଦମ୍‌ଦମ୍‌ପଦଶବ୍ଦ ଶୁଭିଲା । ଭାଇ ଭଉଣୀ ଦୁହେଁ ଦ୍ୱାରଆଡ଼କୁ ଉତ୍ସୁକଦୃଷ୍ଟିରେ ଚାହିଁ ରହିଲେ । କ୍ଷଣକ ପରେ ଉଷାଙ୍କର ମୂର୍ତ୍ତି ଦେଖାଗଲା । ରାମର ମୁହଁ କଳା ପଡ଼ିଗଲା । ଉଷା କ୍ରୁଦ୍ଧା ତଂସୃଣୀ ପ୍ରାୟ ଫଁ ଫଁ ହୋଇ ବ୍ୟର୍ଥରାଗରେ ଫୁଲି ଉଠି କହିଲେ–‘‘ତମର ଭଲା ଏ କି ବିଚାର ଚେମାମା ? ସବୁବେଳେ ଯେ ଟାମା ତମ ଘରେ ଆସି ବସୁଚି, ତମେ କେବେ ହେଲେ ବି ତାକୁ ଦାଣ୍ଟୁ ନାହିଁ ?’’ ଏ କଥା ଶୁଣି ହରିପ୍ରିୟାଙ୍କର ଗୋଡ଼ଠାରୁ ମୁଣ୍ତ ଯାଏଁ କ୍ରୋଧାଗ୍ନି ଚରିଗଲା । ସେ ଆତ୍ମସମ୍ବରଣ କରି କହିଲେ–‘‘କି ଅନ୍ୟାୟ କାମଟା ସେ କରି ପକାଇଲା ଯେ, ମୁଁ ତାକୁ ଦାଣ୍ଟିବି ? ପିଲା ଲୋକ, ଟିକିଏ ଖେଳିଲା ବୁଲିଲା; କଅଣ ହେଲା ?’’

 

ଉଷା–ତେବେ ତମେ ତା’ ମୁହଁ ବଢ଼ଉଚ ।

 

ହରିପ୍ରିୟା–ବେଶ୍‌କଲି, ମୁହଁ ବଢ଼େଇଲି । ତା ମୁହିଁ ବଢ଼ି ନାହିଁ ଯେ, ତମେ ତାକୁ ସବୁବେଳେ ଗାଳି ଦେଇ ଦେଇ ତମରି ମୁହଁ ବଢ଼ିଯାଇଚି ।

 

ଉଷା–ମୋ ଗାଳିଟା ତମକୁ ଏତେ ବାଧେ କାହିଁକି ?

 

ହରିପ୍ରିୟା–ମୁଁ ପିଲାଛୁଆର ମା, ମୋତେ ବାଧିବ ନାହିଁ ? ସେ ମୋର ଧର୍ମର ଭାଇ; ମୋତେ ବାଧିବ ନାହିଁ ଆଉ କାହାକୁ ବାଧିବ ? ମା’ ବାପଛେଉଣ୍ତିଆ ପିଲାଟାକୁ ତମେ କାହିଁକି ସବୁବେଳେ ଗାଳି ଦେବ, ତା ପ୍ରାଣକୁ କଅଣ ବାଧିବ ନାହିଁ ?

 

ଉଷା–ମୋ ଘରେ ରହିଚି; ଭଲ ମନ୍ଦରେ ମୁଁ ପଦେ କହିବି ନାହିଁ ?

 

ହରିପ୍ରିୟା–ସେ କଅଣ ତମର କିଣା ଚାକର ହୋଇ ତମ ଘରେ ରହିଚି ? ତାହାର ସବୁ ଖାଇଲ, ଆଉରି ତା ଉପରେ ଗାଳି ?

 

ଉଷା ଅଧେ କ୍ରୃଦ୍ଧ ଅଧେ ଭୀତ ହୋଇ କହିଲେ, ‘‘ଆମେ ତାର କଅଣ ଖାଇବୁଁ ?’’ ହରିପ୍ରିୟା ଟିକିଏ ଉତ୍ତେଜିତ ହୋଇ କହିଲେ–‘‘କଅଣ ଖାଇଲ କେହି ଜାଣେ ନାହିଁ–‘ହାତୀ ମଲା କୁଲା ଢାଙ୍କୁଣୀ ପଡ଼ିଛି ।’ ତା‘ ବାପର ଟଙ୍କା ନ ପାଇଥିଲେ କଉଁଠି ଉଛୁଣିକା ବଡ଼ ମହାଜନ ବୋଲାଉଥାଆନ୍ତ ?’’ ଉଷା ଏ କଥା ଶୁଣି ଏକାବେଳକେ ଶୀତଳ ହୋଇ ପଡ଼ି ହରିପ୍ରିୟାଙ୍କ ବାକ୍ୟବାଣ ସହଜରେ ହଜମ କରିଦେଲେ । ଟଙ୍କା କଥା କାଳେ ଅଧିକ ପ୍ରକାଶ ହୋଇପଡ଼େ, ଏହି ଆଶଙ୍କାରେ ‘‘ହଁ, ସେ ଭାରି ଟଙ୍କାଟିଆ’’–କେବଳ ଏତିକି କହ ଫେରିଗଲେ । ନଚେତ୍‌ସେ ଯୁଦ୍ଧରେ ପୃଷ୍ଠଭଙ୍ଗ ଦେବାର ପାତ୍ରୀ ନୁହନ୍ତି । ଏହି ବାଦାନୁବାଦ ମଧ୍ୟରେ ରାମ କେତେବେଳେ କେଉଁବାଟେ ଯାଇ ମଉସା ଘର ପିଣ୍ତାରେ ବସିଲାଣି । ଆଜି ତାହାର ଆଉ ନିସ୍ତାର ନାହିଁ । ଅତଃପର କି ଶାସ୍ତି ତାହା ଭାଗ୍ୟରେ ଅଛି, ତାହାହିଁ ଭାବୁଅଛି । ଅନୁତାପ ଏବଂ ଆତ୍ମଗ୍ଳାନି ଦୁଷ୍ଟ କୀଟ ପରି ତାହା ହୃଦୟକୁ କୋରି ପକାଉଅଛି । ସେ କାହିଁକି ନାନୀ ଘରକୁ ଗଲା, ନ ଯାଇଥିଲେ ତ ଆଉ ଏତେ ଭାବିବାକୁ ହୁଅନ୍ତା ନାହିଁ । ଏହିପରି ନାନା କଥା ଭାବି ସେ ଆସନ୍ନ ବିପଦ ପ୍ରତୀକ୍ଷାରେ ଭୀତଚିତ୍ତରେ ମୁହଁ ଶୁଖାଇ ବସିଅଛି । ଏହି ସମୟରେ ସୁଭଦ୍ରା ଆସି କହିଲା,–‘‘ତୁ କୁଆଡ଼େ ଯାଇଥିଲୁ ରାମା ଭାଇ ? ମା ତୋତେ କେତେ ଗାଳିଦେଇ ଖୋଜିବାକୁ ଯାଇଛି । ତୁ ଆମର ଏତେ କାମ କରୁଛୁ, ତେବେ ବି ନିଆଁ ମାଟ, ତୋତେ ଦେଖିପାରୁ ନାହିଁ ।’’ ରାମା ତାହା ମୁହଁକୁ ଅନାଇ ଟିକିଏ ହସି ଦେଇ ତାହା ମୁଣ୍ତରେ ଗୋଟାଏ କ୍ଷୁଦ୍ର ସ୍ନେହଚାପଡ଼ା ମାରି କହିଲା–‘‘ଦୂର ବାୟାଣି, ତାହା କହନ୍ତି ନାହିଁ । ସୁଭଦ୍ରା ସହାନୁଭୁତିବେଳା ଅଭିମାନ ସ୍ୱରରେ କହିଲା–‘‘ହଁ, କହନ୍ତି ନାହିଁ, ତୁ ଯେ କାନ୍ଦୁ ! ମିଛ ନୁହେଁ ରାମା ଭାଇ, ମା ଯେତେବେଳେ ତୋତେ ଗାଳିଦିଏ, ମୋତେ ଭାରି ବିକଳ ଲାଗେ–ମୁଁ ତୋ କାନ୍ଦଣା ସହିପାରେ ନାହିଁ, ମୋତେ ବଡ଼ ବାଧେ ।’’ ଏହିପରି ନାନା କଥା କହି ସହାନୁଭୁତିରେ ରାମାକୁ ଆଚ୍ଛନ୍ନ କରି ପକାଇଲା । ରାମା ଗୋଟାଏ ଦୀର୍ଘଶ୍ୱାସ ଛାଡ଼ି ମନେ ମନେ କହିଲା–‘‘ ହାୟ, ଏ ବାଳିକାଟି ଗୋବର ଗଦାର ପଦ୍ମଫୁଲ ।’’ ଏହି ସମୟରେ ଉଷା ରାଗରେ ଗରଗର ହୋଇ କାହା ଉଦ୍ଦେଶ୍ୟରେ ବିବିଧ ଅଖାଦ୍ୟ ଅପେୟର ବ୍ୟବସ୍ଥା କରି କରି ଘର ପାଖରେ ଆସି ଉପସ୍ଥିତ ହେଲେ । ରାମାକୁ ଦେଖି କିଛି କହିଲେ ନାହିଁ–କେବଳ ବିଷବୋଳା ଅନଳନେତ୍ରରେ କେତେ ଥର ଚାହିଁ ଚାହିଁ ଘରଭିତରକୁ ଚାଲିଗଲେ ।

Image

 

ଦ୍ୱାଦଶ ପରିଚ୍ଛେଦ

 

ଉଷା ହରିପ୍ରିୟାଙ୍କ ସଙ୍ଗରେ କଳହ କରି ଆସିବାବେଳେ ତାଙ୍କର ସ୍ୱାମୀ ଘରେ ନ ଥିଲେ-। ସ୍ୱାମୀ ତାଙ୍କର ଯନ୍ତ୍ର୍ରଣାୟିତ କ୍ଷତର ଶୀତଳ ଅମୃତ ପ୍ରଲେପ, ଦୈନ୍ୟର ଭିକ୍ଷା, ନୈରାଶ୍ୟର ଧୈର୍ଯ୍ୟ ଏବଂ ମତର ସମର୍ଥକ । ତାଙ୍କ ପାଖରେ ହରିପ୍ରିୟାଙ୍କର କଟୁ ଭର୍ତ୍ସନା କଥା ନ କହିଲେ ତାଙ୍କର ମାନସିକ କ୍ଳେଶ ଦୂର ହେବ ନାହିଁ–ପୁୟପୂର୍ଣ୍ଣ ଘା ପରି ହୃଦୟ ପିଣିପିଣି ହେଉଥିବ । କଥାଗୁଡ଼ାକ ତାଙ୍କ ପେଟରେ ଜୀର୍ଣ୍ଣ ନ ହୋଇ କଳକଳ ବଳବଳ ହେଉଥାଏ ଅଧୀର ରୋଗୀ ଚିକିତ୍ସକକୁ ଚାହିଁ ବସିଲା ପରି ସେ ବ୍ୟାକୁଳ ଉତ୍କଣ୍ଠାସହକାରେ ସ୍ୱାମୀଙ୍କ ଆଗମନ ପ୍ରତୀକ୍ଷାରେ ନିର୍ନିମେଷ ନେତ୍ରରେ ଚାହିଁ ବସିଥାନ୍ତି । ମନେ ମନେ ନାନାକଥା ଭାବୁଥାନ୍ତି । ହଟିଆଣୀସ୍ମୃତି ମଧ୍ୟେ ମଧ୍ୟେ ହରିପ୍ରିୟାଙ୍କ ଭର୍ତ୍ସନାର ତୀବ୍ର ତପ୍ତ ବାସ୍ପ ଆଣି ତାଙ୍କ ହୃଦୟରେ ପ୍ରବେଶ କରାଇ ଦେଉଥାଏ-। ସେହି ଅସହ୍ୟ ଅନଳ ବାସ୍ପରେ ତାଙ୍କର ଅନ୍ତରାତ୍ମା ହାଉ ହାଉ ହୋଇ ଜଳିଉଠୁଥାଏ । ମାତ୍ର ଏ ଦାରୁଣ ଅବସ୍ଥା ତାଙ୍କୁ ଅଧିକ କ୍ଷଣ ସହିବାକୁ ହେଲା ନାହିଁ । ଘଡ଼ିକ ପରେ ନିତେଇ ଦାସ ଆସି ଘରେ ପହଞ୍ଚିଲେ । ଶ୍ରାବଣର ପୂର୍ଣ୍ଣଗର୍ଭା କାଦମ୍ବିନୀ ଅସମ୍ଭାଳ ଜଳରାଶି ଢାଳି ଦେଲା ପରି ଉଷା ଏକନିଃଶ୍ୱାସରେ କଳହର ବିବରଣ ଉଦ୍ଧାର କରି ପକାଇଲେ । ହରିପ୍ରିୟା ଯାହା ଯାହା କହିଥିଲେ, ତାହାକୁ ଫେଣାଇ, ଫୁଲାଇ, ଆଉ କେତେ ଆକାଶ-ତୋଳା ନିର୍ମଳ ମିଥ୍ୟା ତହିଁରେ ମିଶାଇ ସ୍ୱାମୀଙ୍କୁ ଉପହାର ଦେଲେ । ଉଷା ଠାକୁରାଣୀ କଥାକୁ ଯେପରି ପୃଥୁଳ କରିପାରନ୍ତି, କୌଣସି ଦକ୍ଷ ବୈୟାକରଣିକ ପ୍ରତିପଦରେ ବିଶେଷଣ ଏବଂ ଅଳଙ୍କାର ପ୍ରୟୋଗଦ୍ୱାରା ବାକ୍ୟକୁ ସେପରି ପୃଥୁଳ କରି ପାରିବେ ନାହିଁ । କଥାକୁ ସପ୍ତରଙ୍ଗରେ ରଞ୍ଜିତ କରିବା ଉଷାଙ୍କର ଗୋଟାଏ ଅଲୌକିକ ଶକ୍ତି । ବହୁ ଅନୁଶୀଳନଦ୍ୱାରା ସେ ଏହି ଶକ୍ତି ବୃଦ୍ଧି କରିଅଛନ୍ତି । ଦାସେ ମନୋଯୋଗପୂର୍ବକ ସବୁ କଥା ଶୁଣି ସହଧର୍ମିଣୀଙ୍କୁ କହିଲେ–‘‘ତମେ ସେଠିକି କଳି କରିବାକୁ କାହିଁକି ଗଲ ?’’ ଉଷା କହିଲେ–‘‘ମୁଁ ସେହି ଚୁଲିପଶା ଟାମାକୁ ଖୋଜିବାକୁ ଯାଇଥିଲି । ମୁଁ କହିଲି–ଚେମାମା, ତମେ ସୁଦ୍ଧା ଟୋକାଟାକୁ ଟିକିଏ ଦାଣ୍ଟ ନାହିଁ ? ଏତକ କହିଚି, ଆଉ ଯାଏଁ କୁଆଡ଼େ ! ତାହା ମନକୁ ଯାହା ଆସିଲା, ତାହା କହିଗଲା । ରୋଗରେ ଶୁଖି ଶୁଖି ଗୋଟାଏ ପେତୁଣୀ ପରି ଦିଶୁଚି, ତେବେ ବି କି ଦିମକି ଲୋ ମା-। ବଡ଼ଲୋକର ମାଇପ ବୋଲି ଏତେ ଫୁଲାଣ, ନା କଅଣ-? ବଡ଼ ଲୋକ ହେଲେ ତୋ ଘରକୁ, ତୋ ବଡ଼ଲୋକିକୁ କିଏ ଧୋଇ ପିଇବ, ନା ଘୋରି ପିଇବ ଲୋ ରାଣ୍ତ ଆଣ୍ତୁକୁଡ଼ୀ ପୁତଖାଈ ନିଅଂଶୀ ? ମୋତେ ଫେର୍‌କହୁଚି–ତାହାରି ଟଙ୍କାରେ ତ ତମେ ମହାଜନ ବୋଲଉଚ, ନ ହେଲେ ଲେଙ୍ଗୁଟିଆ ବଷ୍ଟିମ ଜାତି, ଭିକ ମାଗୁ ମାଗୁ ଦିନ ସରୁ ନ ଥାନ୍ତା ! ଏ କଥା ଶୁଣି ତ ମୋତେ ଭେଳକା ମାରି ନେଇଗଲା । କାଳେ କେହି ଶୁଣିବ, ଏହି ଭୟରେ ମୁଁ ଆଉ ପାଟି ଫିଟାଇ ନାହିଁ । ‘ସେ ଭାରି ଟଙ୍କାଟିଆଟା–ଖାଲି ଏତକ କହି ଦେଇ ଏକମୁହାଁ ହୋଇ ପଳାଇ ଆସିଲି । ମୁଁ ଜାଣେ ପରା–ଏ ଗାଁବାଲା ଡାକୁଣୀଖିଆମାନେ ଟାମାକୁ ଟେଇ ଦେଉଛନ୍ତି । ମୁଁ ଖୁଆଇ ପିଆଇ ବଢ଼ାଇଲି, ଏବେ ମୁଣ୍ତକୁ ହାତ ପାଇଲା ଯେ, ରଇଜଳା ପର ଶିଖାରେ ପଡ଼ି ମୋତେ ମାନିବ ନାହିଁ ।’’ ଦାସେ କହିଲେ–‘‘ ମୋର ତ ସେହି ଡର, କାଳେ ରାମା ପର ବୁଦ୍ଧିରେ ପଡ଼ି ଟଙ୍କା ଦାବୀ କରି ବସିବ । ପାଇବ ତ ତ୍ରିଫଳା ! ଏ ନିତେଲ ଦାସ ସାତଘାଟର ପାଣୀ ପେଇଦେବା ଲୋକ । ଆଉ କେହି ନୁହେଁ ଯେ, ଛାନିଆ ହୋଇଯିବ ! ତେବେ ଗୋଟାଏ ଗୋଳମାଳ ହେବା ଭଲ ନୁହେଁ । ସେ ପାପ ମୋ ଘରୁ ଗଲେ ମଙ୍ଗଳ; ମାତ୍ର ବାହାର କରିଦେଲେ ଗୋଟାଏ କଳଙ୍କ ହେବ । ସେ ଯେପରି ଆପେ ଆପେ ଯାଏ, ତମେ ସେହି ବାଟ କର, ସୁଦୁରା ମା-!’’ ସୁଦୁରୀ ମା କହିଲେ–‘‘ସେ ବାଗ ମୋତେ ଆସେ, ସବୁ ଖଞ୍ଜ ମୋତେ ଜଣା, ଖାଲି ଝିଅଟାର ବାହାଘର ହୋଇଗଲେ ମୋର ମନ୍ତ୍ର ମୁଁ ପ୍ରୟୋଗ କରିବି । ଟାମା ଥିଲେ ସେତେବେଳେ ଅନେକ କାମ କରିବ । ଝିଅ ଘିଅ, ତାକୁ ସବୁଦିନେ କିଏ ରଖି ପାରିବ ? ଦେଖୁ ଦେଖୁ ତାହାର ବି ତ ଆସି ଏଗାର ବର୍ଷ ପୁରିଗଲା, ଏବେ ତମେ ପାତ୍ର ଖୋଜ ।’’

 

ଦାସେ–ପାତ୍ର ତ ଠିକ୍‌ହୋଇଛି–ସେହି ବଳଗାଁ ଅଧିକାରୀଙ୍କ ପୁଅ । ପିଲାଟି ରୁପବାନ୍‌, ଗୁଣବାନ୍‌ବିଷୟ ସମ୍ପତ୍ତି ଗୋଟାଏ ଜମିଦାର ପରି । ସେଠାରେ କଲେ ଆମକୁ ବି ଗହଣା ଲାଗିବ ନାହିଁ–ସେ ସବୁ ଗହଣା ଆଣି ତାଙ୍କ ବହୁକୁ ପିନ୍ଧାଇ ନେଇଯିବ ବୋଲି କହିଛନ୍ତି ।

 

ଉଷା–ଛି, ଛି, ବାପ ହୋଇ ତମେ ଏ କଥା କହୁଚ ନା ? ସାତଟା ନାହିଁ କି ପାଞ୍ଚଟା ନାହିଁ, ଧାଇଁ ଧାଇଁ ଝିଅ ବୋଲି ଖଣ୍ତେ, ତାକୁ ପାଞ୍ଚ ଖଣ୍ତ ଗହଣା ବି ଦେବ ନାହିଁ ! ସେ ତ ବଡ଼ ଲୋକ, ତାଙ୍କ ବହୂକୁ ସେ ସୁନାରୁପାରେ ଛାଇଦେଇ ପାରନ୍ତି; ତେବେ ତମକୁ ଲୋକେ କଅଣ କହିବେ ? ଆଉ ଝିଅଟିକି ବି କାଳକାଳକୁ ଗୋଟାଏ ଖୁଣ୍ଟା ରହିବ । ତମେ କିଛି ନ ଦିଅ ପଛକେ, ମୁଁ ସେହି ଚୁଡ଼ୀ ଦିପଟ ମୋ ଝିଅକୁ ଦେବି ।

 

ଦାସେ–କି ଚୁଡ଼ୀ ?

 

ଉଷା–ସେହି ହରି ବାବୁଘର ଚୁଡ଼ୀ, ସେ ମୋ ଝିଅଲାଖି ଚୁଡ଼ୀ ଏକା ।

 

ଦାସେ–ଏଁ, ସେ ଦୁଇଶ ଟଙ୍କାର ମାଲ, ଏଡ଼େ ଦାମୀ ଜିନିଷଟା ଦେବ ନା ?

 

ଉଷା–ହେଲେ ଦିଶ ଟଙ୍କା; ପୁଅ ହୋଇଥିଲେ ସବୁ ଖାଆନ୍ତା, ଝିଅ ହେଲା ବୋଲି କଅଣ ତାହାର ଦୋଷ ହେଲା ?

 

ଦାସେ–ସବୁ ତ ତାହାର, ଆମର ଆଉ କିଏ ଅଛି ଯେ ନେବ ?

 

ଉଷା–ସବୁ ତାହାର ବୋଲି ସେ ଖଣ୍ତେ ଚିରା ଲୁଗା ପିନ୍ଧି ଶଶୁର ଘରକୁ ଯାଉ ? ଝିଅ ଜନ୍ମ କରିଚୁ ତମ ମନଟା କି ଟିକିଏ ବଥଉ ନାହିଁ ! ମୁଁ କାହାରି କଥା ଶୁଣିବି ନାହିଁ, ମୋ ଝିଅକୁ ଚୁଡ଼ୀ ଦେବି–ଦେବି–ଦେବି, ଏହା ମୋର ସତ୍ୟ । ଆଉ ବାହାଘର ଯେପରି ଏହି ଆସନ୍ତା ବୈଶାଖରେ ହୁଏ, ତାହା କର ।

ଦାସେ–ହଁ, ବୈଶାଖରେ ନିଶ୍ଚୟ ହେବ । ମୁଁ ତାଙ୍କୁ କହିଛି, ସେ ଖଣ୍ତିଏ ପାଲିଙ୍କି ଆଉ ଦଶ ପନ୍ଦର ଜଣ ଭିତରେ ବରଯାତ୍ରୀ ଆଣିବେ । ଏକା ପାଲିଙ୍କିରେ ବର କନ୍ୟା ବସିବା ତ ଆମ ଜାତିରେ ଚଳେ; ଆଉ ବାଜାଦାର, ନିଶାଣଦାର ପ୍ରଭୃତି ଗୁଡ଼ାଏ ଲୋକଙ୍କୁ ଖୁଆଇବା କି ଲାଭ ?

ଉଷା–ହାୟ, ମୋର ପୋଡ଼ା କପାଳ ! ବାହାଘର, ବାଜା ବାଜିବ ନାହିଁ । ଆଉ କଣ ବର କୁଲା ପିଟି ପିଟି ଆସିବ ?

ଦାସେ–ଅଃ, ବାଜା ବାଜିବ ନାହିଁ ବୋଲି ମୁଁ କହୁଛି ନା ? ତେବେ ବେଶିଗୁଡ଼ାଏ କିଆଁ, ଦିଜଣ ଢୋଲିଆ, ଜଣେ ମହୁରିଆ ହେଲେ ଢେର । ସେ ସିନା ବଡ଼ ଲୋକ, ଆମେ ତା ସାଙ୍ଗରେ ପଟ ଦେଇ ପାରିବା ନା, ଆମ ଶକ୍ତିକି ଚାହିଁ ତ ଆମେ ଖର୍ଚ୍ଚ କରିବା, ଆଉ ତୁଚ୍ଛାଟାରେ ପାଣ ହାଡ଼ି ପୋଷିବାରେ ବା ଫଳ କଅଣ ?

ଉଷା–ଦଶ ଜଣ ବରଯାତ୍ରୀ ଆସିବେ ପରା ? ଛି ଛି, ତମେ ନିଜର ମହତ୍ତ୍ୱ ନିଜେ ଖାଇ ଆସିଲ । ସେମାନେ ତମ ଓଜନ କଳି ନେଲେ । ତମକୁ ଭଲ କରି ପଟାଏ ଚିତା କାଟିବେ ବୋଲି ଦଶଜଣ ଆଣିବାକୁ କହିଥିବେ । ଗୋଟିଏ ବୋଲି ପୁଅ, ପୁଣି ବଡ଼ଲୋକ, ସେ ପାଣ କଣ୍ତରାଠାରୁ ହୀନ ହୋଇ ଦଶ ଜଣ ବରଯାତ୍ରୀ ଘେନି ଆସିବ, ଏ କଥା ତମ ମନକୁ ଆସିଲା ? ଯେତେ ବରଯାତ୍ରୀ ଆସିବେ, ତମେ ତ ଆଉ କାହାରିକୁ କିଛି ବିଦାକୀ ଦେବ ନାହିଁ–ମୁଠେ ଖାଇବାକୁ ଦେବ-। ମୁଁ ଜାଣେ ସେ ଶଏ ଲୋକ ଆଣିବ, ଆଉ ଆମ ଗାଁର ବି ଶଏ ଲୋକ ହେବେ । ଏହି ଦୁଇଶ ଲୋକର ଖାଇବା ସରଞ୍ଜାମ ଦରକାର । ତାହା ବି କିଣିବାକୁ ହେବ ନାହିଁ–ଘରୁ ବାହାର କରି କାମ ଚଳାଇବ । ସେ ସବୁ ଭାର ମୋର, ତମେ କିଛି ଚିନ୍ତା କର ନାହିଁ ।

ଦାସେ ବୁଝିଲେ–ଝିଅ ବିବାହରେ ଉଷା ଟିକିଏ ଆଡ଼ମ୍ବର କରିବେ । ପ୍ରତିବାଦର ଫଳ ଲାଞ୍ଛନା, ଗଞ୍ଜନା ଭିନ୍ନ ଆଉ କିଛି ନୁହେଁ । ସୁତରାଂ ନୀରବରେ ସମ୍ମତି ଜ୍ଞାପନ କଲେ ।

ମାସ ପରେ ମାସ ଗତ ହେଲା । ବୈଶାଖ ପନ୍ଦର ଦିନକୁ ବିବାହ ଲଗ୍ନ ସ୍ଥିର ହେଲା । ଦେଖୁଁ ଦେଖୁଁ ସେହି ଦିନଟି ଆସି ଉପସ୍ଥିତ ହେଲା । ବର ସୁଆରୀ, ଘୋଡ଼ା, ବାଣ, ଫୁଲଝାଡ଼ ଏବଂ ବିବିଧ ବାଦ୍ୟ ବାଦନ ପ୍ରଭତି ସମାରୋହ ସହ ଆସି ଉପସ୍ଥିତ ହେଲା । ସଙ୍ଗରେ ଶତାଧିକ ବରଯାତ୍ରୀ । ଦାସେ ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ ଏବଂ ପତ୍ନୀଙ୍କ ଅନୁମାନଙ୍କୁ ଧନ୍ୟବାଦ ନ ଦେଇ ରହି ପାରିଲେ ନାହିଁ । ମନେ ମନେ କହିଲେ–‘‘ବଡ଼ଲୋକଗୁଡ଼ାଙ୍କର ସ୍ୱଭାବ ବଡ଼ ହୀନ। କଥାରେ ଯାହା କହନ୍ତି, କାର୍ଯ୍ୟରେ ତାହାର ଠିକ୍‌ଓଲଟା । ଲୋକଙ୍କୁ ଅପଦସ୍ଥ କରି ପାରିଲେ ସେମାନେ ମୁଣ୍ତରେ ପାଟଶାଢ଼ୀ ବାନ୍ଧନ୍ତି । ଦାସେ ଜାମାତାଙ୍କୁ ବରଣ କରି ବେଦୀ ଉପରେ ନେଇ ବସାଇଲେ । କନ୍ୟା ଶ୍ୱଶୁରଘର ଅଳଙ୍କାରରେ ମଣ୍ତିତ ହୋଇ ବରର ବାମପାର୍ଶ୍ୱରେ ଉପବେଶନ କଲା । ପୁରୋହିତ ‘ରାମସ୍ୟ ସୀତା, ରାବଣସ୍ୟ ମନ୍ଦୋଦରୀ’ ମନ୍ତ୍ରପତି ବରକନ୍ୟାର ହସ୍ତଗ୍ରନ୍ଥି ବନ୍ଧନ କଲେ-। ଶଙ୍ଖ, ହୁଳହୁଳି ଏବଂ ବାଦ୍ୟରବରେ ଦାସଙ୍କର ଗୃହ, ଦାଣ୍ତ ଉଛୁଳିଲା । ତେଣେ ଭିତରପୁରରେ ରନ୍ଧନର ଆୟୋଜନ ଲାଗିଲା । ଗ୍ରାମର କେତେ ଜଣ ସ୍ତ୍ରୀଲୋକ ଆସି ଯୋଗ ଦେଲେ । କିଏ ପରିବା ଯୋଗାଡ଼ିଲା, କିଏ ଚାଉଳ ଧୋଇବାରେ ଲାଗିଲା, କିଏ ପାଣି ଆଣିଲା ଏବଂ କିଏ ରାନ୍ଧି ବସିଲା । କାମକାର୍ଯ୍ୟବେଳେ ଡାକ ବା ନ ଡାକ, ପ୍ରତିବେଶୀମାନେ ଆପେ ଆପେ ଆସି କାମ ତୁଲାଇ ଦିଅନ୍ତି–ଏ ସୁଧାରା ପଲ୍ଲୀ ସମାଜରେ ଅଛି । ଏହିପରି ସହାନୁଭୂତି ପଲ୍ଲୀସମାଜର ପ୍ରାଣ ଏବଂ ବିଶେଷତ୍ୱ । ମନୁଷ୍ୟର ସଙ୍ଘବଦ୍ଧ ହୋଇ ରହିବାର ଉପକାରିତା ଏହିଠାରେ । ଏହିପରି ପ୍ରୀତି ସୌହାର୍ଦ୍ୟ ଅଛି ବୋଲି ପଲ୍ଲୀସମାଜ ସଭ୍ୟ–ଶିକ୍ଷିତ ନାଗରିକ ସମାଜର ଶୀର୍ଷସ୍ଥାନରେ ଅବସ୍ଥିତ । ପଲ୍ଲୀ-ପ୍ରାଣ ଯେପରି ଏକସୁତ୍ରରେ ଗୁନ୍ଥା, ନାଗରିକ ପ୍ରାଣ ସେପରି ନୁହେଁ । ତାହା ଶିଥିଳ ଏବଂ ଖାପଛଡ଼ା । ସହରବାସୀ ତାହାର ପ୍ରତିବେଶୀକୁ ଚିହ୍ନେ ନାହିଁ; ମାତ୍ର ସମଗ୍ର ପଲ୍ଲୀର ରାଶିନକ୍ଷତ୍ର ପ୍ରତ୍ୟେକ ପଲ୍ଲୀବାସୀ ଅବଗତ । ଦେଖା ହେଲେ ‘‘ଭଲ ଅଛନ୍ତି ତ’’ ଏହି ସଂକ୍ଷିପ୍ତ ଷଡ଼ାକ୍ଷରୀ ବାକ୍ୟ ସହରବାସୀଙ୍କର ପରିଚୟ; ମାତ୍ର ପଲ୍ଲୀବାସୀର ପରିଚୟ ଭିନ୍ନ ପ୍ରକାର । ସହରବାସୀର ପରିଚୟ ବାକ୍ୟରେ ଏବଂ ପଲ୍ଲୀବାସୀର ପରିଚୟ ପ୍ରାଣରେ ।

ବରଯାତ୍ରୀମାନଙ୍କର ଖିଆପିଆ ଲାଗିଲା । ରାମା ଏବଂ କେତେ ଜଣ ଗ୍ରାମବାସୀ ପରିବେଷଣରେ ନିଯୁକ୍ତ ହେଲେ । କେତେ ଦିନ ହେଲା ରାମାର ପ୍ରଶଂସା ମାଉସୀଙ୍କ ମୁହଁରେ ଧରୁ ନାହିଁ । କେତେବେଳେ କହନ୍ତି–‘‘ଟାମା ମୋର ଏକା ମାଧିଆ ବତିଶ ପଳ ।’’ କେବେ କହନ୍ତି–‘‘ଟାମା ପରି ପୁଅଟେ ଆଉ ଅଛି ନା, ସେ ପୁଅଟେ ନୁହେଁ ଯେ, ସୁନା ମୁଣ୍ତେ । କାମ କରିବାକୁ ଗୋଟେ ବୀରବର ।’’ ରାମା ମାଉସୀଙ୍କର ଏ ଉଡ଼ାଟିଆ ପ୍ରଶଂସାର ଅର୍ଥ ବୁଝେ ଏବଂ ମୃଦୁ ମୃଦୁ ହସେ । ଅପରଠାରୁ କାମ କରାଇ ନେବା ବିଷୟରେ ଉଷା ଖୁବ୍‌ପ୍ରବୀଣା । ଗାଁ ମାଲକିଣାମାନେ କହନ୍ତି–‘‘ଦାସଘର ବହୁ କଥା ଦିପଦରେ ଯେଉଁ କାମ କରାଇ ଦିଅନ୍ତି, ଆଉ କେହି ପାଞ୍ଚ ଟଙ୍କା ଖର୍ଚ୍ଚ କରି ତାହା କରାଇ ପାରିବ ନାହିଁ ।’’ ଉଷାଙ୍କର ଏ ପ୍ରତିଷ୍ଠା ଅର୍ଥହୀନ ନୁହେଁ । ବାସ୍ତବରେ ଜଣଜଣଙ୍କ କଥାରେ କି ମୋହମାଦକତା ଥାଏ, ସେଥିରେ ସମସ୍ତେ ମୋହିତ ହୁଅନ୍ତି । ଏ ମୋହନମନ୍ତ୍ର ସମସ୍ତେ ଜାଣନ୍ତି ନାହିଁ–ଯେଉଁ ମାନେ ଉଷାଙ୍କ ପରି ଚତୁରା, ସେହିମାନେ କେବଳ ଜାଣନ୍ତି । ବିବେକବାଣୀ ପରି ସେମାନଙ୍କ କଥା ଏଡ଼ି ହୁଏ ନାହିଁ ।

ବରକନ୍ୟା ବେଦୀରୁ ଉଠି ଜୁଆଖେଳ ପରେ ‘ଶୀତଳତୁଣ୍ତୀ’ କରିବାକୁ ବସିଲେ; ମାତ୍ର ବର ‘ଶୀତଳତୁଣ୍ତୀ’ ନ କରି ରୁଷି ବସିଲା । ଏହି ସମୟରେ ଜାମାତାକୁ କିଛି ଦେବାକୁ ହୁଏ, ଏହା ଦାସେ ଜାଣନ୍ତି ଏବଂ ସେଥିର ବ୍ୟବସ୍ଥା ମଧ୍ୟ ଆଗରୁ କରି ରଖିଅଛନ୍ତି । ତିନିବର୍ଷ ତଳେ ଦାସେ ଗୋଟାଏ ସୁନାମୁଦି ବନ୍ଧା ରଖିଥିଲେ । ଚକ୍ରବୃଦ୍ଧି ସୁଧ ଦେବାକୁ ଅକ୍ଷମ ହୋଇ ଦ୍ରବ୍ୟସ୍ୱାମୀ ଆଉ ତାହା ମୁକୁଳାଇ ପାରି ନାହିଁ । ସୁତରାଂ ନ୍ୟାୟତଃ ଏବଂ ଧର୍ମତଃ ଦାସେ ସେଥିର ସଂପୂର୍ଣ୍ଣ ଅଧିକାରୀ-। ମୁଦିର ବର୍ଣ୍ଣରୁ ସେ ସୁନା, କି ରୂପା କିମ୍ବା ରୂପା ସୁନା ମିଶାମିଶି, କିଛି ଜଣାଯାଏ ନାହିଁ; କିନ୍ତୁ ଉଷା ସେହି ମୁଦି ଦେଖି କହିଥିଲେ ‘‘ଏ ନଇ ସୁନା’’ ଅର୍ଥାତ୍‌ସଇ ସୁନା । ଦାସେ ସେହି ମୁଦିଟି ଜାମାତାକୁ ଦେବେ ବୋଲି ସ୍ଥିର କରି ସେଥିରେ ପୁଟ ବସାଇେବା ସକାଶେ ତାହାକୁ ସାତ ଦିନ ହେଲା ହଳଦୀରେ ପୋତି ରଖିଥିଲେ । ସେହି ମୁଦିଟି ୟର୍ଜୟ ଅଭିମାନୀ ନବଜାମାତାର ଅଙ୍ଗୁଳିରେ ପିନ୍ଧାଇ ଦେଇ କହିଲେ–‘‘ବାବା, ଶୀତଳତୁଣ୍ତୀ କର । ଘର ତମର, ଦୁଆର ତମର, ସବୁ ତମର; ତମେ ଘରର ପୁଅ ଆଉ ରୁଷୁଛ କାହାକୁ ? ତମର ତ ନେବାବେଳ ଲାଗି ଆସୁଛି, କାଲି ଛାଡ଼ି ପଅରିଦିନ ଗୋଡ଼ଦେଖାକୁ ଆସିବ, ପୁଣି ପୁନେଇଖିଆ ଅଛି, ମୋ ରାଣତି ବାବା, ଆଉ ରୁଷ ନାହିଁ-।’’ ଶଶୁରଙ୍କର ଏହି ଭବିଷ୍ୟତ୍‌ ଆଶାବାଣୀ ଉପରେ ବିଶ୍ୱାସ କରି ଜାମାତା ଶୀତଳତୁଣ୍ତୀ କଲେ । ତହିଁପରେ ଅନ୍ୟ କେତେକ ସ୍ତ୍ରୀଆଚାର ସମାଧାନାନ୍ତେ ବିବାହ ଶେଷ ହେଲା । ସନ୍ଧ୍ୟାସମୟରେ ବରକନ୍ୟା ବିଦାୟ ହେଲେ । କନ୍ୟା ଶଶୁରଘରର ଅଳଙ୍କାରମାନ ପିନ୍ଧିଅଛି । ସେଠାରୁ ଏତେ ଅଳଙ୍କାର ଆସିଥିଲା ଯେ, ଦେହରେ ସ୍ଥାନାଭାବ ହେତୁ କେତେ ବଳି ପଡ଼ିଲା । ଦାସେ ପିଠଉ ଗାର ଯେଉଁ କେତେଖଣ୍ତ ଶୀର୍ଣ୍ଣ ଅଳଙ୍କାର କରିଥିଲେ, ତାହା ସୁଦ୍ଧା ରହିଗଲା । କିନ୍ତୁ ସେ ସମସ୍ତ କନ୍ୟାର ପେଡ଼ୀରେ ଦିଆଗଲା । ବିଦାୟ ସମୟରେ ଉଷା କନ୍ୟା ହସ୍ତରୁ ଶଶୁରଘର ଚୁଡ଼ୀ ଓହ୍ଲାଇ ପୂର୍ବୋକ୍ତ ହରିବାବୁଘର ରୂପାଚୁଡ଼ୀ ପିନ୍ଧାଇ ଦେଲେ । ତହିଁ ପରେ ନାନା ଛନ୍ଦରେ ନାନା ସ୍ୱରରେ ବାହୁନି କାନ୍ଦି ଜାମାତା ହସ୍ତରେ କନ୍ୟାକୁ ସଅଁପି ଦେଲେ ଏବଂ ହାତ ଓଠ ଧରି ଅଲେଳ କନ୍ୟାର ଦଶ ଦୋଷ କ୍ଷମା କରିବା ସକାଶେ ବାରମ୍ବାର ଅନୁରୋଧ କଲେ । ସନ୍ଧ୍ୟାପରେ ବରକନ୍ୟା ବିଦାୟ ହୋଇଗଲେ । କନ୍ୟା ପକ୍ଷରୁ ରାମା ବାହୁଡ଼ା ବରକନ୍ୟା ଛାଡ଼ିବାକୁ ଗଲା । ଦାସେ ଝିଅକୁ ଯୌତୁକ ମଧ୍ୟ ଦେଇଥିଲେ। ଯୌତୁକରେ ହାଣ୍ତିଫୁଟା ଜୀରାମରିଚଠାରୁ ଝୁଂପା, ମାଳ, କାଠକୁଣ୍ଢେଇ ଏବଂ କାଠପାନିଆ ଯାଏ ହରେକ ପଦାର୍ଥ ଥିଲା । ଗ୍ରନ୍ଥବାହୁଲ୍ୟ ଭୟରେ ତାହା ସବୁ ଲିଖିତ ହେଲା ନାହିଁ-

ନଈବଢ଼ି ପରି ମୋକଦଦ୍ଦମା କେତେବେଳେ କେଉଁ କୂଳ ଖାଏ, ତାହା ଆଗରୁ ଜଣା ହୁଏ ନାହିଁ । ପୋଖରୀ ମୋକଦମା ହାଇକୋର୍ଟରେ ହରିବାବୁଙ୍କ ପକ୍ଷରେ ନିଷ୍ପତ୍ତି ହେଲା । ଅଧିକନ୍ତୁ ହରିବାବୁ ଖେସାରତ୍‌ସ୍ୱରୁପ ତିନିଶ ଟଙ୍କା ପାଇଲେ । ଗ୍ରାମବାସୀମାନେ ଆନନ୍ଦରେ ଉନ୍ମତ୍ତ ହୋଇ ବିଜୟଉତ୍ସବ ସକାଶେ ହରିବାବୁଙ୍କୁ ଧରି ବସିଲେ । ହରିବାବୁ ସେମାନଙ୍କୁ ଶଏ ଟଙ୍କା ଦେଲେ । ଗ୍ରାମବାସୀମାନେ ସେହି ଟଙ୍କାରେ ନାନାପ୍ରକାର ଉତ୍ସବ କଲେ । ପୋଖରୀ ଆଡ଼ିରେ ସାତ ଦିନ ଯାଏଁ ଯାହା ଏବଂ ବାଦୀପାଲା ଲାଗିଲା; ପୋଖରୀରୁ ମାଛ ଧରାଯାଇ ଭୋଜି ହେଲା; ଗ୍ରାମର ଆବାଳବୃଦ୍ଧ ସମସ୍ତେ ଭୋଜି ଖାଇ ହରିବାବୁଙ୍କର ଜୟଜୟକାର ଉଚ୍ଚାରଣ କଲେ । କେବଳ ପ୍ରତିବାଦୀ ହୃଷୀ ପଣ୍ତାର କେହି ଭୋଜିକୁ ଆସିଲେ ନାହିଁ । ଗ୍ରାମବାସୀମାନେ ପ୍ରତିଶୋଧ ଗ୍ରହଣ କରି ବିପୁଳ ଆନନ୍ଦ ଉପଭୋଗ କଲେ । ମୋକଦ୍ଦମାରେ ଉଭୟ ପକ୍ଷର ଯାହା ଖର୍ଚ୍ଚ ହେଲା, ସେଥିରେ ସେହିପରି କୋଡ଼ିଏଟି ପୋଖରୀ କିଣା ହୋଇପାରିଥାଆନ୍ତା । ହରିବାବୁ ମୋକଦ୍ଦମାରେ ପ୍ରାୟ ସର୍ବସ୍ୱାନ୍ତ ହେଲେ ।

Image

 

ତ୍ରୟୋଦଶ ପରିଚ୍ଛେଦ

 

ନିତେଇ ଦାସଙ୍କ କନ୍ୟାର ବିବାହ ହୋଇଗଲା । ହରିବାବୁଙ୍କର ମୋକଦ୍ଦମାରେ ଜୟ ହେଲା । ଆମୋଦ ଆହ୍ଲାଦରେ କିଛି ଦିନ ଅତିବାହିତ ହେଲା । ହରିବାବୁ ଖର୍ଚ୍ଚସ୍ୱରୂପ ଯେଉଁ ତିନିଶ ଟଙ୍କା ପାଇଥିଲେ ସେଥିରୁ ଶଏ ଟଙ୍କା ବିଜୟୋତ୍ସବ ସକାଶେ ଦେଇଥିଲେ । ଅବଶିଷ୍ଟ ଦୁଇଶ ମଧ୍ୟରୁ କେତେ ଟଙ୍କା ଖର୍ଚ୍ଚରେ ଉଡ଼ିଗଲାଣି । ତାଙ୍କର ପୂର୍ବପୁରୁଷମାନେ ସାହାଖର୍ଚ୍ଚୀ ଥିଲେ । ହରିବାବୁ ସୁଦ୍ଧା ସେମାନଙ୍କର ସେହି ପ୍ରତିଷ୍ଠା ରକ୍ଷା କରି ‘‘ବଂଶଭୂଷଣ’’, ‘‘ଯୋଗ୍ୟପୁତ୍ର’’ ଆଖ୍ୟାର ଅଧିକାରୀ ହୋଇଛନ୍ତି । ପୂର୍ବପୁରୁଷମାନେ ବିପୁଳ ଉପାର୍ଜନକ୍ଷମ ଥିଲେ; ସେମାନଙ୍କ ଅମଳରେ ଦୋଳଯାତ୍ରାରେ ତିନି ମହଣ ଅବିର ଖର୍ଚ୍ଚ ହେଉଥିଲା । ବର୍ତ୍ତମାନ ଶୂନ୍ୟହସ୍ତ ହୋଇ ସୁଦ୍ଧା ହରିବାବୁ ସେହି ଧାରା ପାଳନ କରି ଆସୁଅଛନ୍ତି । ପୂର୍ବେ ବହୁକୁଟୁମ୍ବ ଥିଲେ ଦଶହରାକୁ ପାଞ୍ଚହାଣ୍ତି ମଣ୍ତାପିଠା ହେଉଥିଲା । ବର୍ତ୍ତମାନ କୁଟୁମ୍ବ ବିରଳ; ତଥାପି ସେହି ପାଞ୍ଚହାଣ୍ତିରୁ ଉଣା ହୁଏ ନାହିଁ । ଋଣ କରି ବଂଶୀୟ ପ୍ରତିଷ୍ଠା ରକ୍ଷା କରାଯାଏ । ସେ ଋଣ ପରିଶୋଧ ବେଳକୁ ଭୂସଂପତ୍ତି ବିକ୍ରୟ ଅନିବାର୍ଯ୍ୟ ହୋଇଉଠେ । ଏହିପରି ଅନ୍ଧ ଅଭିମାନ ଏବଂ ଅଦୂରଦର୍ଶିତା ହେତୁ ସେ ବିପୁଳ ସଂପତ୍ତି ହରାଇ ବସିଅଛନ୍ତି । ତଥାପି ତାଙ୍କର ଦୋଷ ନୁହେଁ, ଦୋଷ ସଂସାରର । ସଂସାର-ସାଗରରେ ସଂପତ୍ତିର ଜୁଆରଭଟା ଚିରକାଳ ଲାଗିଅଛି । ସେ ଛିଡ଼ିବାପାଇଁ ବଢ଼େ । ଯେଉଁମାନେ କଥାକେ କଥାକେ ମାନହାନିର ବ୍ୟର୍ଥ ସ୍ୱପ୍ନ ଦେଖନ୍ତି, ସେମାନେ ମାନର ଅର୍ଥ ଜାଣନ୍ତି ନାହିଁ । ମାନର ଅର୍ଥ ବଡ଼ଲୋକି ବା ଆଭିଜାତ୍ୟ ପ୍ରଦର୍ଶନ ନୁହେଁ–ନିଜସ୍ୱ ଅର୍ଥାତ୍‌ମନୁଷ୍ୟତ୍ୱ ରକ୍ଷା । ପତ୍ନୀ ଅନ୍ନପୂର୍ଣ୍ଣାଙ୍କ ତାଡ଼ନାରେ ହରିବାବୁ ରୂପାଚୂଡ଼ୀର ସୁଧ ହିସାବ କରିବା ସକାଶେ ଦାସଙ୍କ ଘରକୁ ଆସିଲେ । ଦାସେ ତାଙ୍କୁ ଆଦରରେ ଗ୍ରହଣ କରି ବସିଥିବା ନଡ଼ିଆ ଚଟାଇର ବଳକା ସ୍ଥାନରେ ବସାଇ ହସି ହସି କହିଲେ–‘‘କି ବାବୁ, ମୋ କଥା ହେଲା ନା ? ମୁଁ କହିଥିଲି ପରା ହାଇକୋଟରେ ମୋକଦମା ନିଶ୍ଚେ ଓଲଟି ଯିବ । ଡିଗ୍ରୀ ତ ହେଲା, ଏବେ ମିଠେଇଖିଆ ଆଣ । କାହିଁକି ବା ଜୟ ନ ହେବ, ତମ ଗୋସବାପ ଆଉ ବାପ ତ କାହାରି ହଳଦିଆ ପାଣିରେ ଗୋଡ଼ ଧୋଇବା ଲୋକ ଥିଲେ ନାହିଁ; ତମେ ବି ତ ସୁନାମୁଣ୍ତେ, ତମର ସତ୍‌ସଂପତ୍ତି କୁଆଡ଼େ ଯିବ ? ହେଲେ, ହୃଷୀ ପଣ୍ତା ପୁଅ ମଧୁଆର ଦର୍ପରୁର୍ଣ୍ଣ ହୋଇଗଲା । ଭୋଜି ଦିନ ଆଉ ସେ ଘରୁ ବାହାରିଛି କି ? ଜୋକ ମୁହିଁରେ ଲୁଣ ଦେଲା ପରି ମୋଡ଼ି ହୋଇ ଘର କୋଣରେ ଲୁଚି ରହିଲା । ତମେ ଏକା ଖୁବ୍‌ପଟେ ଦେଇଚ ବାବୁ ।’’ ହରିବାବୁ ଦାସଙ୍କ ପ୍ରଶଂସାରେ ଫୁଲି ଉଠି କହିଲେ–‘‘ଋଣରେ ଏକା ବୁଡ଼ିଗଲି ଦାସପୁଅ; ତେର ଟଙ୍କା ଖର୍ଚ୍ଚ ହେଲା ।’’

 

ଦାସେ–ଟଙ୍କା ଖର୍ଚ୍ଚ ନ ହେଲେ କେଉଁ କାର୍ଯ୍ୟ ହୋଇପାରିବ ବାବୁ ? ନଷ୍ଟ ସଂପତ୍ତି ଉଦ୍ଧାର କରିବା କି ସାମାନ୍ୟ କଥା ? ସେଥିରେ ଖର୍ଚ୍ଚ ନ କଲେ ଚଳିବ କିପରି ? ଆଉ ଖର୍ଚ୍ଚ କଥା ବାବୁ କୁହ ନାହିଁ । ଏହି ଯେ ବିଭାଘରଟା କଲି, ହିସାବ କଲେ ହଜାରେ ଟଙ୍କା ଖର୍ଚ୍ଚରୁ କଡ଼େ କଉଡ଼ି ଊଣା ହେବ ନାହିଁ । ଏହା ଛଡ଼ା ତା’ମା ଆହୁରି ସୁନାହାର ସୁନା ବାଜୁ ହେରିକା କଣ ଦେଇଛନ୍ତି ବୋଲି ଶୁଣୁଛି । କଥାରେ କହନ୍ତି ପରଝିଅ ଲାଗି ମା’ ଚୋରଣୀ !

 

ହରି–ଯା’ହେଉ ବିଭାଘରଟି ସୁରଖୁରୁରେ ହୋଇଗଲା–ବଡ଼ ଆନନ୍ଦର କଥା ।

 

ଦାସେ–ହଁ ବାପ, ତମ ଦୟାରୁ କିଛି ବିଘ୍ନ ଘଟି ନାହିଁ ।

 

ହରି–ରାମ ରାମ, ମୁଁ ତ କିଛି କରି ନାହିଁ ।

 

ଦାସେ–ଏଁ, କିଛି କରି ନାହିଁ, ପାଞ୍ଚ ଜଣ ମିଶି କାମଟି ତୁଲାଇ ଦେଲ–ସେହି ଢେର । କଥ ପଦକ ଛଡ଼ା ମୁଁ ଆଉ କିଛି ଖୋଜେ ନାହିଁ ବାପ !

 

ହରିବାବୁ ଯହିଁ ଲାଗି ଆସଛନ୍ତି, ସେ କଥା କିଛି ହୋଇ ନାହିଁ; ସୁତରାଂ ଦାସଙ୍କର ଏସବୁ ବାଜେ କଥା ତାଙ୍କୁ ଭଲ ଲାଗୁ ନାହିଁ । କେବଳ ବକ୍ତାର ଆଗ୍ରହାବି ଶଯ୍ୟାରେ ଶ୍ରୋତାକୁ ବାଧ୍ୟ୍ୟ ହେବାକୁ ପଡ଼ୁଅଛି । ଏହା ଚକ୍ଷୁଲଜ୍ଜାର ବଳାତ୍କାର ଯନ୍ତ୍ରଣା । ଯାହା ହେଉ, ଦାସଙ୍କ କଥା ଶେଷରେ ହରିବାବୁ କହିଲେ–‘‘ଚୁଡ଼ୀର ସୁଧ କେତେ ହେବ, ମୁଁ ବୁଝିବାକୁ ଆସିଥିଲି । ଅସଲ, ସୁଧ ଯାହା ହେବ, ତାହା ଦେଇ ଚୁଡ଼ୀହଳକ ମୁକୁଳାଇ ନେବି ।’’

 

ଦାସେ–ହେଉ, ମୁ୍ଁ ପଚାରି ବୁଝି ତମକୁ କହିବି । ବୋଧ ହୁଏ ବର୍ଷେ ହେବ ପରା ? ଦେବାବେଳେ ତ କହିଥିଲା–ଦୁଇମାସ ମଧ୍ୟରେ ନ ନେଲେ ଅଣାକିଆ ସୁଧରୁ ଊଣା କରିବି ନାହିଁ । ଝୁଣ୍ଟିପତି ଆଙ୍ଗୁଳିଟା ବଥା କରୁଥିବାରୁ ମୁଁ ଢେର ଦିନୁ ସେ ସାହିକୁ ଯାଇ ନାହିଁ । ବଥା ଛାଡ଼ିଗଲେ ସାତ ଆଠ ଦିନ ପରେ ଯାଇ ବୁଝି ଆସିବି ।

 

ହରି–ସୁଧ ଟିକିଏ ଊଣା ହେଲା ପରି କରିବ ।

 

ଦାସେ–ସେ କଥା କଅଣ ମୋତେ କହିବାକୁ ହେବ ? ମୋ ପାରୁପର୍ଯନ୍ତ ଯାହା ହେବ, ମୁଁ ତାହା କରିବି । ତମେ ତ ମୋର ଆପଣାର ଲୋକ, ତମ କାମରେ କି ମୋର କପଟ ଅଛି ?

 

ଏହା କହି ହରିବାବୁଙ୍କୁ ବିଦାୟ କରିଦେଲେ ।

 

ଆଠ ଦିନ ଗଲା, ପନ୍ଦର ଦିନ ଗଲା, ମାସେ ଗଲା; ତଥାଚ ଦାସଙ୍କର ସାକ୍ଷାତ ନାହିଁ । ହରିବାବୁ ବି ହେଳାରେ ତାଙ୍କ ଘରକୁ ଆସି ପଚାରି ପାରି ନାହାନ୍ତି । ଦିନେ ଅକସ୍ମାତ ଉଭୟଙ୍କର ସାକ୍ଷାତ୍ ହୋଇଯିବାରୁ ନ ପଚାରୁଣୁ ଦାସେ ଆଗରୁ କହି ପକାଇଲେ–‘‘ମୁଁ ତୁମରି ପାଖକୁ ଯାଉଥିଲି ବାବାଜି । ଯାହା ପାଖରେ ଚୁଡ଼ୀ ବନ୍ଧା ଅଛି, ସେ ତାହା ବାପ ଘରକୁ ଯାଇଛି । ମାଇକିନା ବେଭାର ପରା, ବୁଝିଲ ନା ବାବୁ ? ତମ ମାଉସୀ ସିନା ଟଙ୍କା ଆଣି ଆଣିଦେଇଥିଲେ । ହେଉ, ସେ ବାପଘରୁ ଆସିଲେ ଟଙ୍କା ଦେଇ ଚୁଡ଼ୀ ମୁକୁଳାଇ ଆଣିବା ।’’ ଏହା ପରେ ଆହୁରି ଦୁଇ ମାସ ଅତୀତ ହେଲା । ଦିନେ ହରିବାବୁ ଦାସଙ୍କ ଘରକୁ ଆସି ବୁଝିଗଲେ–ଚୁଡ଼ୀ ବନ୍ଧା ରଖିଥିବା ସ୍ତ୍ରୀ ବ୍ୟକ୍ତି ବାପଘରଠାରେ ଶକ୍ତ ପୀଡ଼ିତ ଅଛି । ସେ ଭଲ ହୋଇ ଫେରି ଆସିବାଯାଏଁ ଅପେକ୍ଷା କରିବାକୁ ହେବ । ତାହା ପରେ ହରିବାବୁ ଆଉ ଯେତେ ଥର ଦାସଙ୍କ ଘରକୁ ଆସିଅଛନ୍ତି, ପ୍ରତିଥର ତାଙ୍କର ଦେଖା ନ ପାଇ ଫେରି ଯାଇଅଛନ୍ତି । କେବେ ଦାସେ ଘରେ ନ ଥିବାରୁ ଦେଖା ହୁଏ ନାହିଁ; କେବେ ବା ଘରେ ଥାଇ ଦେଖା ଦିଅନ୍ତି ନାହିଁ–ଘରେ ନାହାନ୍ତି ବୋଲି ଉଷା ହରି ବାବୁଙ୍କୁ ଫେରାଇ ଦିଅନ୍ତି । ଏହିପରି ଟାଳଟୁଳରେ ବର୍ଷେ କାଳ କଟିଗଲା । ହରିବାବୁଙ୍କ ମନରେ ସନ୍ଦେହ ଘନୀଭୂତ ହୋଇ ଉଠିଲା । ଦେବପୀଠରେ ରୋଗୀ ଧାରଣା ଦେଲା ପ୍ରାୟ ସେ ଦାସଙ୍କ ଦାଣ୍ଡଦ୍ୱାରରେ ଜଗି ବସିଲେ-। ଉଷା କହିଲେ–‘‘ସେ ଘରେ ନାହାନ୍ତି; ଶଙ୍କରପୁର ଯାଇଅଛନ୍ତି । ଆସିଲେ ତମ ଘରକୁ ପଠାଇ ଦେବି; ନ ହେଲେ କାହାରିକୁ ପଠାଇ ତମକୁ ଡାକି ଆଣିବି । ତମେ ଘରକୁ ଯାଅ । ସେ ରାତିରେ ଆସିବେ କି ପହାନ୍ତିରେ ଆସିବେ; ତମେ କେତେବେଳଯାଏଁ ବସି ରହିବ ?’’ ହରିବାବୁ କୌଣସି କଥା ନ ମାନି କହିଲେ–‘‘ସେ ଯେତେବେଳେ ଆସନ୍ତୁ, ମୁଁ ସେତେବେଳେଯାଏଁ ବସି ରହିଥିବି । ଦାସେ ଘରଭିତରେ ଥାଇ ଉଷାଙ୍କଦ୍ୱାରା ଉପରୋକ୍ତମତେ କହି ପଠାଇଥିଲେ; ମାତ୍ର ହରିବାବୁଙ୍କ ଦୃଢ଼ତା ଶୁଣି କିଂକର୍ତ୍ତବ୍ୟବିମୁଢ଼ ହେଲେ । ଘରୁ ନ ବାହାରିଲେ ଅନ୍ୟ ଶିକାର ଆସି ଫେରିଯାଇପାରେ; ଏଣେ ଘରେ ନ ଥିବା କଥା ହରିବାବୁଙ୍କୁ କୁହାଯାଇଅଛି, ଅକସ୍ମାତ୍ ଘରୁ ବାହାରିଲେ ସେ ଅବା କଅଣ ମନରେ କରିବେ । କିଛି ଗୋଟାଏ ବିଶ୍ୱାସଯୋଗ୍ୟ କାରଣ ଦେଖାଇବା ଦରକାର । ଏହିପରି କେତେ କଥା ଭାବିବାକୁ ଲାଗିଲେ । ମାତ୍ର ମିଥ୍ୟାର ଆଶ୍ରୟ ନେଲେ କାରଣର ଅଭାବ ହୁଏ ନାହିଁ । ଶେଷରେ ଦାସେ ତାହା ହିଁ କଲେ । ସେ ନିଦ୍ରାରୁ ଉଠି ଆସିଲା ପରି ଆଖି ମଳି ମଳି ଆସି କହିଲେ–‘‘କଣ ବାବୁ, କେତେବେଳୁ ଆସିଲେଣି ? ତମ ମାଉସୀ ମୋତେ କେତେ ବେଜାର ହେଲେଣି । କହିଲେ–‘ତମେ କୁମ୍ଭକର୍ଣ୍ଣ ପରି ଘରେ ଶୋଇଛ, ମୁଁ ନ ଜାଣି ପଟ୍ଟନାୟକ ପୁଅଙ୍କୁ କହିଦେଲି–ସେ ଶଙ୍କରପୁର ଯାଇଛନ୍ତି, ସେ କଅଣ ମନରେ କରିବେ ?’ ଶଙ୍କରପୁର ଯିବାଲାଗି ମୁଁ ଘରୁ ଲୁଗାପଟା ପିନ୍ଧି ବାହାରି ଆସି ଦେଖିଲି ଯେ, ଖରା ଭାରି ଟାଣ ହୋଇଛି । ମୋର ଆଉ ବହକ ଖଟିଲା ନାହିଁ; ଫେରି ଆସି ଘରେ ଶୋଇଲି । ତମ ମାଉସୀ ତାହା ଜାଣନ୍ତି ନାହିଁ । ଖରା ମଉଳିଲେ ମୁଁ ଆଜି ତମ ଘରକୁ ଯାଇଥାନ୍ତି ।” ହରିବାବୁ କହିଲେ–‘‘ଯିବାର ଆଉ ଦରକାର ନାହିଁ; ସେ ଚୁଡ଼ୀ ଦେବ କି ନାହିଁ, କଅଣ ବୁଝିଲ ? ବୁଝିବ ବୋଲି ତ ବର୍ଷେ ହେଲା କହୁଛ, ଏ ବର୍ଷର ସୁଧ ମୋତେ କଣ ବୃଥା ଦେବାକୁ ହେବ ? ତମ ଉଦ୍ଦେଶ୍ୟ କଅଣ ମୁ୍ଁ କିଛି ବୁଝି ପାରୁ ନାହିଁ ।’’

 

ଦାସେ–ନା ବାବୁ, ଉଦ୍ଦେଶ୍ୟ କିଛି ନୁହେଁ; ଆଉ ସେ ତମ ଚୁଡ଼ୀ ନ ଦିଅନ୍ତା ବା କାହିଁକି ? ସେପରି ଅସତ୍ ଲୋକ ସେ ନୁହେଁ । ସେ ତମ ମାଉସୀଙ୍କର ସହୀ; ଦୁହିଁଙ୍କର ଖୁବ୍ ବିଶ୍ୱାସୀ କାରବାର ଚଳେ । ବାପଘର ପାଖରେ ସେ ଅନେକ ଦିନ ବେମାର ପଡ଼ିଲା ବା ମଲା, ସେଥିରେ କିଛି ଯାଏ ଆସେ ନାହିଁ; ମାଲଟା ମୁକୁଳାଇ ଆଣିଲେ ଆମର ପାଇଟି ଶେଷ । ସେଦିନ ତାହା କଥା ଣୁଣି ମୋତେ ମୁର୍ଚ୍ଛା ମାରି ନେଇଗଲା । ତମ ରାଣ ବାବୁ; ତମ ଦେହ ଛୁଇଁ କହୁଛି; ସେହି ଦିନୁ ମୋତେ ରାତିରେ ନିଦ ହେଉ ନାହିଁ । ମନ ଯାହା ହେଉଛି, ତାହା ମୁଁ ଜାଣେ । ସେଥିଲାଗି ମୁଁ ପର ବଲେଇକି ଯାଏ ନାହିଁ । ପାଖରେ ଟଙ୍କା ଥିଲେ ଯେ ମାଗେ, ତାକୁ ଦିଏ, ନ ଥିଲେ ମନା କରିଦିଏ । ତମେ ମୋତେ କଅଣ ଜ୍ଞାନ କରିବ, ଏହି ଲଜ୍ଜାରେ ମୁଁ ମରିଯାଉଛି ବାବାଜି ।

 

ହରି–କଥା କଅଣ କୁହ ।

 

ଦାସେ–କଣ କହିବି ବାବୁ, ତୁଣ୍ଡ ଫିଟୁ ନାହିଁ । ସେ କହୁଛି–ତମ ଚୁଡ଼ୀ ତାହା ଗହଣା ବାକ୍ସରେ ରଖି ବାପଘରକୁ ନେଇ ଯାଇଥିଲା, ସେଠାରୁ ବାକ୍ସଟି ଚୋର ନେଇଗଲା । ବାକ୍ସ ଚୋରିଯିବା ସତ ବୋଲି ସେ ଗାଁଲୋକେ ସୁଦ୍ଧା କହୁଅଛନ୍ତି । ଆଉ ସେ ବି ମିଛ କହିବା ଲୋକ ନୁହେଁ । ସେଦିନ ମୋତେ ଦେଖିଲା–କ୍ଷଣି କାନ୍ଦି ପକାଇ କହିଲା–‘ଦୁଇ ବର୍ଷର ସୁଧ ଦେଢ଼ ଶହ ଟଙ୍କା; ଆଉ ଅସଲ ଶଏ ଟଙ୍କା–ଏପରି ଅଢ଼େଇଶ ଟଙ୍କା ମୋର ପାଣିରେ ପଡ଼ିଲା । ଡାକୁଣିଖିଆ ଚୋର ମୋ ମୁଣ୍ଡରେ କଳାକନା ବୁଲେଇ ଦେଲା ।

 

ଏ କଥା ଣୁଣି ହରିବାବୁଙ୍କ ମୁଣ୍ଡରେ ବଜ୍ର ଖସି ପଡ଼ିଲା । ତାଙ୍କର କଣ୍ଠସ୍ୱର ଘୃଣା । ବିସ୍ମୟ, ଅନୁଶୋଚନା, ତୀବ୍ରତା ଏବଂ କଠୋରତାରେ ତିକ୍ତ ହୋଇଉଠିଲା । ସେ ରୂଢ଼ସ୍ୱରରେ କହିଲେ–‘‘ମିଥ୍ୟା କଥା, ଏହା ମୋର ଆଦୌ ବିଶ୍ୱାସ ହେଉ ନାହିଁ । ବୋଧହୁଏ ଏଥିରେ କିଛି ଚକ୍ରାନ୍ତ ଅଛି।’’ ଦାସେ ତତୋଧିକ ରୂଢ଼ସ୍ୱରରେ କହିଲେ–‘‘ମୁଁ କଅଣ ଚକ୍ରାନ୍ତ କଲି ?’’ ହରିବାବୁ କହିଲେ–‘‘ତାହା ବିଚିତ୍ର ନୁହେଁ ! ମାଲ ଘରେ ରଖି ତମେ ମୋ ସଙ୍ଗରେ ଚାଲାକି ଖେଳୁଛ ? ସେ ବାଲିଙ୍ଗି ରଖିଦେଇ ମୋ ଲକ୍ଷ୍ମୀଚୁଡ଼ୀ ଆଣି ଦିଅ, ମୁଁ ତମର ସୁଧ ଅସଲ ହିସାବ କରି ଦେବ, କଡ଼େ କଉଡ଼ି ସୁଦ୍ଧା କାଟିବି ନାହିଁ ।’’ ଦାସଙ୍କ ଅପାଦମସ୍ତକ କ୍ରୋଧରେ ଥରି ଉଠିଲା । ସେ ଗର୍ଜି ଉଠି କହିଲେ–‘‘ଏ କଳିକାଳର ଧର୍ମ–ଯାହାର ଉପକାର କରିବ, ସେ ଦୁର୍ନାମ ଦେବ । ମୋର ବୁଦ୍ଧିରେ ମାମଲା ଜିଣି ବିଷୟ ପାଇଲ; ମୁଁ ପରଘରୁ ଟଙ୍କା ଆଣି ଦେଇ ଶେଷରେ ହେଲି ଚୋର । ଆଚ୍ଛା ଯାଅ, ମୋର କଅଣ କରିବ କର, ମୁଁ ତମର ମାଲ ରଖି ନାହିଁ କି ଦେଖି ନାହିଁ । ଚୋର ଉପରେ ମୋର ବଳ କଅଣ ଅଛି ? ତମ ଘରୁ ଚୋର ନେଇଯାଇଥିଲେ ତମେ କଅଣ କରନ୍ତ ?’’

 

ହରିବାବୁ–ବଡ଼କୁହାପଣ ଘରେ ବାନ୍ଧି ରଖ; ଭଲ ଗତି ଅଛି ତ ମୋର ମାଲ ଆଣି ଦିଅ-

 

ଦାସେ–ନ ଦେଲେ ତମେ ମୋର କଅଣ କରି ପାରିବ ?

 

ହରି–ମୁଁ କିଛି କରି ନ ପାରେ ପଛକେ; ମାତ୍ର ଧର୍ମ ଚାରି ଯୁଗରେ ଅଛି, ସେହି ତମକୁ ଦଣ୍ଡିବ । ଚୋରଙ୍କର ସର୍ଦ୍ଦାର ତମେ ।

 

ହରିବାବୁ ଏହା କହି ଦାଣ୍ଡରୁ ମୁଠେ ଧୂଳି ଉଡ଼ାଇ ଦେଇ ଅଶ୍ରୁସିକ୍ତ ନେତ୍ରରେ କହିଲେ, ‘‘ମୋର ମାଲ ଯେ ରଖିଥିବ, ସେ ଏହି ଧୂଳି ପରି ଉଡ଼ିଯିବ ।’’

 

ଦାସେ–ଓଃ; ଦୁର୍ବାସା ଋଷିଙ୍କ ଅଭିଶାପ; କଅଣ କରିବି ! ସୋରିଷ ଖୋଳି ପଶିବି ପରା-!

 

ହରିବାବୁ ଆଉ କିଛି ନ କହି ଉଠି ଚାଲିଗଲେ । ଦାସେ ମଧ୍ୟ୍ୟ ଘରଭିତରକୁ ଗଲେ । ଉଷା ହସି ହସି ଆସି ସ୍ୱାମୀଙ୍କୁ କହିଲେ–‘‘ଖୁବ୍ କହିଚ, ମୋ ମନକୁ ବେଶ୍ ଆସିଲା । ପତ୍ରଚିରା କରଣ ଟୋକାର ମଗଜ ବଢ଼ିଗଲାଣି ।’’ ରାମା ଏତେବେଳେଯାଏ ନୀରବ ହୋଇ ବସିଥିଲା । ମାଉସୀଙ୍କ କଥା ଣୁଣି ବିଜାତୀୟ ଘୃଣା ସହକାରେ କହିଲା–‘‘ତାହାର ବନ୍ଧାଚୁଡ଼ୀ ଝୁଅକୁ ଦେଇ କାହିଁକି ଏତେ ପର୍ବ ଲଗାଇଛ ?’’ ରାମା ଏତିକି କହି ଆଉ ଯାଏ କୁଆଡ଼େ ! ବିବାହ ପରେ ତ ତାହା କୋଷ୍ଠୀର ଗ୍ରହଗୁଡ଼ାକ ଅବଳ ହୋଇ ଆସିଥିଲେ; ଏବେ ପୁଣି ଗନିସପ୍ତା ଘୋଟିଲା । ଉଷା ଗର୍ଜି ଉଠି କହିଲେ–‘‘ସତିଆଟା ସତ କଥା କହି ପକାଇଲା । ସେ ଆମ ଘରେ ଚୁଡ଼ୀ ବନ୍ଧା ପକାଇବା ତୁ ଜାଣୁ ନା ? ମୋ ବାପଘର ଚୁଡ଼ୀ ମୁଁ ଝିଅକୁ ଦେଇଛି; କାହା ବାପ ଗୋସବାପର ମଲ ଦେଇ ନାହିଁ । କରଣ ଘର କଳା କଟକଟ ଅଲକ୍ଷଣ ଚୁଡ଼ୀ ନାଇବାକୁ ମୋ ଝିଅ ଝୁରୁଥିଲା ! ନ ଜାଣି ତୁ କାହିଁକି କଥା କହୁରେ–ବେମାନ୍ କୁକୁର ! ଯାହାର ଖାଇବୁ, ତାହାରି ଗୋଡ଼କୁ କଣ୍ଟା ଦେବୁ-।’’ ରାମା ଆଉ କିଛି ନ କହି ଅନ୍ୟତ୍ର ଚାଳିଗଲା ।

 

ହରିବାବୁ ଘରେ ପହଞ୍ଚି ପତ୍ନୀ ଅନ୍ନପୂର୍ଣ୍ଣାଙ୍କୁ ସବୁ କଥା କହିଲେ । ଅନ୍ନପୂର୍ଣ୍ଣାଙ୍କର ମୁଣ୍ଡରେ ଆକାଶ ଭାଙ୍ଗି ପଡ଼ିଲା । ସେ ବସିପଡ଼ି କହିଲେ–‘‘ହାୟ, ମୋର ଲକ୍ଷ୍ମୀଚୁଡ଼ୀ ଗଲା ? ଏତେ ଦିନଯାଏ ଲକ୍ଷ୍ମୀଠାକୁରାଣୀ ମୋ ଘରେ ଥିଲେ, ଏବେ ଚାଲିଗଲେ । ଶ୍ରୀବତ୍ସ ରାଜାଙ୍କୁ ତ ବିପଦ ଗ୍ରାସିଥିଲା, ପୋଡ଼ାମାଛ ଧୋଉଁ ଧୋଉଁ ପହଁରି ଚାଲିଗଲା–ଆମେ ଅବା କେଉଁ ଛାର । ଯାହା ହେବାର ହେଲା, ତମେ ଆଉ ସେଥିଲାଗି ଦୁଃଖ କର ନାହିଁ । କପାଳରେ ଯାହା ଥିବ ହେବ, କପାଳ ଏକା ମୂଳ । ଏତେ ବିଷୟ ସଂପତ୍ତି ଗଲା, ଦେହ ସହିଲା; ଆଉ ଚୁଡ଼ୀ ଦିଖଣ୍ଡରେ କଅଣ ଅଛି ?’’ ଏହି ସମୟରେ ଦାଣ୍ଡରେ ଡାକପିଅନ ଡାକିଲା । ହରିବାବୁ ଉଠିଯାଇ ଖଣ୍ଡେ ଚିଠି ଘେନି ଆସିଲେ । ଚିଠି ଖୋଲି ପଢ଼ୁ ପଢ଼ୁ ତାଙ୍କ ମୁଖ ଅପୂର୍ବ ଆନନ୍ଦରେ ଉଦ୍ଦୀପ୍ତ ହୋଇ ଉଠିଲା । ସେ ମୁଖରେ ହାସ୍ୟରେଖା ଫୁଟାଇ ପତ୍ନୀଙ୍କୁ କହିଲେ–‘‘ଶ୍ରୀକାନ୍ତ ଚିଠି ଲେଖିଛି, ସେ ଏଫ୍.ଏ, ପାସ୍ କରି ବୃତ୍ତି ପାଇଛି ।’’ ଅନ୍ନପୂର୍ଣ୍ଣାଙ୍କର ମାତୃହୃଦୟ ଆନନ୍ଦରେ ନାଚି ଉଠିଲା । ସେ କହିଲେ–‘‘ଏବେ ଆମର ଦୁଃଖ ଗଲା, ମା ମଙ୍ଗଳା ମୋ ଶ୍ରୀକାନ୍ତକୁ ଘଣ୍ଟ ଘୋଡ଼ାଇ ରଖିଥିଲେ ଆମର ଯେଉଁ ଘରକୁ ସେହି ଘର ପୁଣି ହେବ । ବିପଦବେଳେ ଶୁଭ–ସମ୍ବାଦ ଫେରିବାର ଲକ୍ଷଣ । ମା ଲକ୍ଷ୍ମୀଠାକୁରାଣୀ ଫେର୍ ଅନ୍ୟ ରୂପରେ ଆସିବେ । ମା ମୋର ଚଞ୍ଚଳା, ସେ ଏକ ଜାଗାରେ ରହନ୍ତି ନାହିଁ, ତାଙ୍କର ଯିବା ଆସିବା ଲାଗିଥାଏ । ମା ମୋର ଭକ୍ତି ପରୀକ୍ଷା କରୁଛନ୍ତି ।’’ ଯେଉଁଠାରେ ଦୁଃଖର ଅନ୍ଧକାର ଘୋଟିଥିଲା, ସେଠାରେ ଆନନ୍ଦର ଆଲୋକ–ଲହରୀ ଖେଳି ଉଠିଲା । ପଙ୍କ ମଧ୍ୟ୍ୟରେ ପ୍ରଚ୍ଛନ୍ନରେ ପଦ୍ମ ଥିଲା ପରି ଦୁଃଖ ମଧ୍ୟ୍ୟରେ ଆନନ୍ଦ ଥାଏ ।

Image

 

ଚତୁର୍ଦ୍ଦଶ ପରିଚ୍ଛେଦ

 

ରାମାକୁ ଜ୍ୱର; ଦୁଇ ଦିନ ହେଲାଣି ତାହା ପେଟକୁ ଗୋଟାଏ ଦାନା କି ଟୋପାଏ ପାଣି ଯାଇ ନାହିଁ । ଦୁଇ ଦିନ ଜ୍ୱରରେ ଟୋକାଟା ଝଡ଼ିଗଲାଣି । ସେ କୁଞ୍ଚକାନି ଘୋଡ଼ି ଯାକିଯୁକି ହୋଇ ଦାଣ୍ଡପିଣ୍ଡାରେ ଶୋଇଅଛି । ଭିତରୁ ମାଉସୀ ଡାକିଲେ–‘‘ଟାମା ରେ ଟାମା’’ । ରାମା ଅତି କଷ୍ଟରେ ଉଠି କହିଲା–‘‘ହଁ, ଯାଉଛି ।’’ ଏ କଥା ମାଉସୀଙ୍କ କାନକୁ ଶୁଭିଲା କି ନାହିଁ, ତାହା ଅନ୍ତର୍ଯ୍ୟାମୀଙ୍କୁ ଗୋଚର; ମାତ୍ର ସେ ନ ଶୁଣିଲା ପରି ପୁନଶ୍ଚ ଡାକିଲେ–‘‘ରେ ଟାମା, କି ରେ କାନରେ ନିଆଁ ଲାଗିଛି କି ? ପାଞ୍ଚକାହାଣ ଡାକ ଉଡ଼ିଗଲାଣି, ମୁହଁରୁ ପଦେ ଭାଷା ବାହାରୁ ନାହିଁ ।’’ ରାମା କହିଲା–‘‘ମୁଁ ତ ଜବାବ ଦେଇ ଆସୁଛି, ଆଉ ନ ଶୁଣିଲି କିମିତି ? ଜମାରୁ ତ ତିନିଥର ଡାକିଲୁ, ପାଞ୍ଚକାହାଣ ବୋଲି କିମିତି କହୁଛୁ ? ଆସିବାଯାଏଁ ହେଉ ନାହିଁ ନା କଅଣ ?’’ ଉଷା ଧମକ ଦେଇ କହିଲେ–‘‘କି ରେ, ତୁ ତ ଭାରି ବଢ଼ି ବଢ଼ି କଥା କହୁଛୁ ? ଯା, ଏହି ଗଗରା ନେଇ ପୋଖରୀରୁ ଗଗରେ ପାଣି ଆଣ ।’’ ରାମା କହିଲା–‘‘ଜରରେ ମୋ ଦେହ ଥରୁଛି, ମୁଁ ଯାଇ ପାରିବି ନାହିଁ । ଉଷା କହିଲେ–‘‘କଅଣ କହିଲୁ–ଯାଇ ପାରିବୁ ନାହିଁ ? ଆଉ ଖାଇ ପାରିବୁ ନା ? ତୋ ଚୌଦପୁରୁଷର ମୁଁ କିଛି ଖାଇଚି କି ରେ–ରାନ୍ଧି ବାଢ଼ି ପରଶିବି, ତୁ ଗିଳିବୁ ? ଖାଇବାବେଳକୁ ଫାଲୁଆ ଗୁଣ୍ଡା ବଲି ଗେଫି ଦେବ, ଆଉ କାମଟାଏ କରିବାବେଳକୁ ଗତର ଛିଡ଼ି ପଡ଼ୁଛି ।’’ ରାମା ଟିକିଏ ବିରକ୍ତ ହୋଇ କହିଲା–‘‘ତୁ ସବୁବେଳେ ମୋ ଚୌଦପୁରୁଷ ନାଁ ଧରିବୁ ନାହିଁ ।’’ ଉଷା ରେଳ ଇଞ୍ଜିନ ପରି ରକ୍ତନେତ୍ର ଧପ୍ ଧପ୍ କରି କହିଲେ–‘‘ଚୌଦପୁରୁଷ ନାଁ ଧରିବି ନାହିଁ ତୋତେ ଡରିବି ! କି ରେ ତୁ ତ ଭାରି ହୁମ୍ ହୁମ୍ ହେଉଚୁ, ମାରିବୁ କି ରେ ।’’ ଅଇଁଠାଚଟା କୁକୁରର ଚାତର ଦେଖ ।’’ ଜ୍ୱରରେ ରାମାର ଦେହ ଜଳୁଛି, ପେଟ ଜଳୁଛି, ପୁଣି ମନ ଜଳୁଛି; ଏହି ତ୍ରିତାପ ଉପରେ ସେ ଆଉ ମାଉସୀଙ୍କର ଭତ୍ସନା-ଉତ୍ତାପ ସହି ପାରିଲା ନାହିଁ । ସେ ଏହାଠାରୁ ବଳି ଅନେକ କଟୁକଥା ସହ୍ୟ କରିଅଛି, ସହ୍ୟ କରି କରି ତାହାର ଦେହ ପଥର ହୋଇ ଯାଇଅଛି; ତଥାପି ସେ ଆଜି ସହି ପାରିଲା ନାହିଁ । ସହିବାର ତ ସୁଦ୍ଧା ଗୋଟାଏ ସୀମା ଅଛି; ତାହାର ରକ୍ତମାଂସର ଶରୀର ଆଉ କେତେ ସହିବ ? ସେ ଆଖିରେ ଲୁହ ଢଳ ଢଳ କରି କହିଲା–‘‘ଯା, ମୁଁ ଆଉ ତୋ ଘରେ ରହିବି ନାହିଁ; ତୁ ଯାହା କହିବାର କହୁଥା ପଛକେ, ମୁଁ ଚାଲିଯାଉଛି ।’’ ଉଷା କହିଲେ–‘‘ଗଲେ କୋଉ ଗାତକୁ ଯିବୁ ଯା ରେ ଚୁଲିପଶା, ମୁଁ ତୋ ପଛରେ ଗୋଡ଼ାଇଯିବି କି ?’’ କେବଳ ଏତିକି ନୁହେଁ–ଆହୁରି କେତେ ଉଗ୍ର ଭର୍ତ୍ସନା ମଧ୍ୟ୍ୟ କଲେ ଏବଂ ରାମାର ଚୌଦପୁରୁଷ ଉଦ୍ଦେଶ୍ୟରେ ଅକଥ୍ୟ ଅମେଧ୍ୟ୍ୟ ପଦାର୍ଥ ବିଶେଷରେ ଶ୍ରାଦ୍ଧ ବାଢ଼ିଲେ । ତାହା ସବୁ ପାଠକମାନଙ୍କୁ ଶୁଣାଇବା ଶିଷ୍ଟାଚାର-ବିରୁଦ୍ଧ; ସୁତରାଂ ଲିଖିତ ହେଲା ନାହିଁ । ସେଥିରେ ବକ୍ତାର ତୁଣ୍ଡ, ଶ୍ରୋତାର କର୍ଣ୍ଣ ଏବଂ ପବିତ୍ର ଲେଖନୀ-ମୁଖ କଳୁଷିତ ହେବ । ରାମା ଶୁଣି ନ ଶୁଣିଲା ପରି କିଛି ନ କହି ଘରୁ ବାହାରି ଗଲା । ବୈଶାଖ ମାସ, ମଧ୍ୟ୍ୟାହ୍ନ ସମୟ, ଭୀଷଣ ରୌଦ୍ରରୁପ ଅଗ୍ନିଚୁର୍ଣ୍ଣରେ ଚୌଦିଗ ସମାଚ୍ଛନ୍ନ । ଗ୍ରାମ ନିସ୍ତବ୍ଧ, ପଥ ନିର୍ଜନ, ପଶୁପକ୍ଷୀର ଶବ୍ଦ ସୁଦ୍ଧା ଶୁଣାଯାଉ ନାହିଁ । ରାମା ସେହି ନିର୍ଜନ ପଥରେ ଚାଲିଲା । ଖରାରେ ମୁଣ୍ଡ ଫାଟି ଯାଉଅଛି, ତପ୍ତଧୂଳିରେ ଗୋଡ଼ ଜଳି ଯାଉଛି, ଖରୋଷ୍ଣ ପବନରେ ଶରୀରରେ ତପ୍ତ ଲୌହଶଳାକା ବିଦ୍ଧ ହେଲା ପ୍ରାୟ ଯନ୍ତ୍ରଣା ଅନୁଭୂତ ହେଉଅଛି; କିନ୍ତୁ କାହିଁରେ ରାମାର ଭ୍ରୂକ୍ଷେପ ନାହିଁ । ସେ ନିର୍ଲକ୍ଷ୍ୟ ଭାବରେ ଚାଲିଅଛି । ନିୟତି ତାହାକୁ କେଉଁଆଡ଼କୁ ଘେନି ଯାଉଅଛି, ତାହାର ଏ ଯାତ୍ରାର ଶେଷ କେଉଁଠାରେ, ସେ କିଛି ଭାବିବାକୁ ନାହିଁ, ଯନ୍ତ୍ରଚାଳିତ ପ୍ରାୟ କେବଳ ଚାଲିଅଛି । କେଉଁଠାକୁ ଯାଉଅଛି, ତାହା ସେ ନିଜେ ଜାଣେ ନାହିଁ । କିଛି କ୍ଷଣ ପରେ ଗ୍ରାମର ଉପକଣ୍ଠବର୍ତ୍ତୀ ପୁଷ୍କରିଣୀ କୁଳରେ ଗୋଟାଏ ବଟବୃକ୍ଷର ଛାୟାରେ ଯାଇ ବସିଲା । ଚାରିଆଡ଼ ନିସ୍ତବ୍ଧ, ପ୍ରଖର ରୌଦ୍ରରେ ସମ୍ମୁଖବର୍ତ୍ତୀ ନୀଳ ବିଶାଳ ପ୍ରାନ୍ତର ନାନାବର୍ଣ୍ଣ ଧାରଣ କରୁଥାଏ । ସୂର୍ଯ୍ୟ ସେହି ପ୍ରାନ୍ତରରେ ଅମିତ ଉତ୍ତାପ ଢାଳି ଦେଉଥାଆନ୍ତି । ଗୋଟିଏ ସିନ୍ଦୁରମୁଣ୍ଡୀ ପକ୍ଷୀ ଘନ ପତ୍ରାନ୍ତରାଳରେ ଦେହ ଲୁଚାଇ ‘‘ଖଟରେ ଶୋ, ଖଟରେ ଶୋ’’ ଶବ୍ଦରେ ଦିଗନ୍ତ ମୁଖରିତ କରୁଅଛି । କ୍ଷୁଦ୍ର ପକ୍ଷୀଟି କାହାକୁ ଖଟରେ ଶୋଇବାପାଇଁ ଅଳି କରୁଅଛି, ତାହା ସେହି ଜାଣେ । ବିଶାଳ ପ୍ରାନ୍ତର-ବକ୍ଷରେ ବିରାଟ ମରୀଚିକା କୃଷ୍ଣବେଣୀ ବିସ୍ତାରପୂର୍ବକ ନାଚି ନାଚି ଚାଲି ଯାଉଥାଏ । ମର୍ମପୀଡ଼ିତର ଖରୋଷ୍ଣ ଶ୍ୱାସ ଆଶାକୁ ଝଡ଼ାଇ ଦେଲା ପ୍ରାୟ ନିବାଘ ପବନ ଗଛର ପତ୍ର ଝଡ଼ାଇ ଦେଇ ବହି ଯାଉଥାଏ । ପୁଷ୍କରିଣୀରେ ବିଶ୍ୱପିତାଙ୍କର ମଧୁର, ଶୀତଳ, ତରଳ କୃପା ବାରିରାଶିଚୂପରେ ସଞ୍ଚିତ । ନୀଳ ଜଳଦର୍ପଣରେ ତୀରସ୍ଥ ବୃକ୍ଷରାଜି ସୁନ୍ଦର ମୁଖଚ୍ଛାୟା ଅବଲୋକନ କରି ନିଜର ସୌନ୍ଦର୍ଯ୍ୟରେ ନିଜେ ମୁଗ୍ଧ ହେଉଥାଆନ୍ତି । ପୁଷ୍କରିଣୀଟି ବିବିଧ ଜଳପୁଷ୍ପରେ ଅଳଙ୍କୃତ । ଯେମନ୍ତ କି ସୌନ୍ଦର୍ଯ୍ୟର ବହୁ ଉପାଦାନ ତାହା ବକ୍ଷରେ ଇତସ୍ତତଃ ରହିଅଛି । ଜଳଚର ପକ୍ଷୀବୃନ୍ଦ ମୁଣ୍ଡ ଉପରେ ରାବି ରାବି ବକ୍ରାକାରରେ ଉଡ଼ି ବୁଲୁଥାନ୍ତି । ଆକାଶରେ କେତେ ଖଣ୍ଡ କ୍ଷୁଦ୍ର ମେଘ ପବନ ସଙ୍ଗରେ ଗୁଡ଼ା-ବାଗୁଡ଼ି ଖେଳି ବୁଲୁଥାଆନ୍ତି । ଖଣ୍ଡେ ଘୂର୍ଣୀବାୟୁ ଅକସ୍ମାତ୍ ଆବିର୍ଭୁତ ହୋଇ ଗଛ ପତ୍ର ହଲାଇ ଛିନ୍ନପତ୍ର ଏବଂ ବକ୍ରଶାଖାରେ ତାହାର କ୍ରୀଡ଼ାର ଚିହ୍ନ ରଖି ଚୋର ପରି ଅନ୍ତର୍ହିତ ହୋଇଗଲା । ଭବପାରାବାର ଭୀଷଣ ଭଉଁରୀରେ ଜୀବକୂଳ ଘୁରି ବୁଲିଲା ପ୍ରାୟ ଶୁଷ୍କ ପତ୍ରରାଶି ଆକାଶରେ ଘୁରି ବୁଲିଲେ । ଚାରିଆଡ଼େ ଏତେ ସୌନ୍ଦର୍ଯ୍ୟ, ଲାବଣ୍ୟମୟୀ ପ୍ରକୃତିର ଏତେ କ୍ରୀଡ଼ା; କିନ୍ତୁ ରାମା ଦୃଷ୍ଟି ସେଥିପ୍ରତି ଲେଶ ମାତ୍ର ନାହିଁ । ସେ ନିଜର ଦୁରଦୃଷ୍ଟିସହ କଳହରେ ନିଯୁକ୍ତ । ଦୁଃଖୀର ହୃଦୟ ସୌନ୍ଦର୍ଯ୍ୟପିପାସୁ ନୁହେଁ–କୋଟି ସୌନ୍ଦର୍ଯ୍ୟ ତାହା ଚକ୍ଷୁରେ ତୁଚ୍ଛ । ସେ ତାହାର ଦୁଃଖଦୁର୍ଭାବନାରେ ସର୍ବଦା ତନ୍ମୟ । ସୌନ୍ଦର୍ଯ୍ୟ ସମ୍ପଦ ତାହା ନିକଟରେ ବିଡ଼ମ୍ବନା ମାତ୍ର । ଦୁଃଖୀର ଜୀବନ ଚିର ନିରାନନ୍ଦ ଏବଂ ସର୍ବଦା ହାହାକାରମୟ ।

 

ମାଉସୀଙ୍କ ଦୁର୍ବାକ୍ୟ ଉଷାକାଳ ପ୍ରାୟ ରାମାବ୍ଦ ହୃଦୟକୁ ଭିତରେ ଭିତରେ ଦଗ୍ଧ କରୁଅଛି-। ସେ ମନେ ମନେ ଭାବୁଅଛି, କର୍ମହୀନ-ଆନନ୍ଦବିକାଶଶୂନ୍ୟ ଜୀବନ କେବଳ ଶରୀରର ବିଫଳଭାର ମାତ୍ର । ନିଃସଙ୍ଗ ଜୀବନ ମରୁଭୂମି ତୁଲ୍ୟ ନୀରସ ଏବଂ ନୈରାଶ୍ୟମୟ । ହୃଦୟର ଶୂନ୍ୟତାକୁ ଘେନି କାଳଯାପନ କରିବା ଦୁର୍ବହ ଯନ୍ତ୍ରଣା ଭିନ୍ନ ଅନ୍ୟ କିଛି ନୁହେଁ । ବିଧାତା କି ମାନବକୁ ଯନ୍ତ୍ରଣାର ଅନଳକୁଣ୍ଡରେ ଦଗ୍ଧ କରିବାପାଇଁ ଅସହାୟ କରି ଜନ୍ମ ଦିଅନ୍ତି ? କେହି କେହି ଏହାକୁ କର୍ମଫଳ ବୋଲି କହନ୍ତି । କିନ୍ତୁ ଯାହାର କର୍ମ ନାହିଁ, ତାହାର କର୍ମଫଳ ଭୋଗ ବିଷମ ସମସ୍ୟା ନୁହେଁ କି ? ଏହା ଶିରୋନାସ୍ତି ଶିରୋବ୍ୟଥା ପରି କଥା ସିନା । ମୁଁ ବାଳକ, କର୍ମଜୀବନର ବହୁଦୂରରେ ଅବସ୍ଥିତ; ମୋର ପୁଣି କର୍ମଫଳ ? ଏହା ଆଶ୍ଚର୍ଯ୍ୟରୁ ଆଶ୍ଚର୍ଯ୍ୟତର ନୁହେଁ କି ? ତେବେ କି ଲୋକେ ଇହଜନ୍ମର ସୁଖଦୁଃଖକୁ ପରଜନ୍ମର କର୍ମଫଳ ବୋଲି ନିର୍ଦ୍ଦେଶ କରନ୍ତି ? ପୂର୍ବଜନ୍ମ ସତ୍ୟ କି ମାନବର କଳ୍ପନା, ତାହା ବୁଝିବା ତ ମୋ ଭଳି କ୍ଷୁଦ୍ରପ୍ରାଣ ଅଜ୍ଞାନ ବାଳକ ପକ୍ଷରେ ଅସମ୍ଭବ । ଏହିପରି ଭାବୁଁ ଭାବୁଁ ମଧ୍ୟ୍ୟରେ ମଧ୍ୟ୍ୟରେ ମାଉସୀଙ୍କ ଦୁର୍ବାକ୍ୟର ସ୍ମୃତି ଉପସ୍ଥିତ ହୋଇ ତାହାର ଚିନ୍ତାସୂତ୍ର ଛଡ଼ାଇ ଦେଇଥାଏ । ସେହି ଭାବରେ କିଛି ସମୟ ଅତିବାହିତ ହେଲା । ଦୂରରେ ଗୋଟିଏ ସ୍ତ୍ରୀମୂର୍ତ୍ତି ଦେଖି ହଠାତ୍ ତାହାର ଦୃଷ୍ଟିପଥରୁ ଚିନ୍ତାର ଯବନିକା ଅପସୃତ ହୋଇଗଲା । ପିତ୍ତଳକଳସୀ କାଖିଲେ ଘେନି ଜଣେ ସ୍ତ୍ରୀ ପୋଖରୀ ଆଡ଼କୁ ଆସୁଅଛି । କଳସୀରେ ଖରା ପଡ଼ି ଜ୍ୟୋତି ବାହାରୁଅଛି । ସେହି ଜ୍ୟୋତିରେ ତାହାର ମୁଖମଣ୍ଡଳ ଉଦ୍ଭାସିତ । ଯେପରି କି ଦେବୀ-ପ୍ରତିମା ମୁଖରୁ ପ୍ରଭା ନିର୍ଗତ ହେଉଅଛି । ସେ ଦେଖୁଁ ଦେଖୁ ଆସି ରାମା ପାଖରେ ଉପସ୍ଥିତ ହୋଇ ନାନା କଥା କହି ସ୍ନେହର ଉଚ୍ଛ୍ୱାସରେ ତାହାକୁ ଆଚ୍ଛନ୍ନ କରି ପକାଇଲା । ଅଦୃଷ୍ଟର କି ଅଦ୍ଭୁତ ପରିବର୍ତ୍ତନ ! କେଉଁଠାରୁ ଏ ସ୍ନେହମୟୀ ଆସି ତାହାର ଅନ୍ଧକାରମୟ ଶୂନ୍ୟ ହୃଦୟକୁ ସ୍ନେହର ଜ୍ୟୋସ୍ନାରେ ପୂର୍ଣ୍ଣ କରିଦେଲା ? ପାଠକ ଚିହ୍ନିଲେ କି ଏ ରମଣୀରତ୍ନ କିଏ ? ଏ ସେହି ବଂଶୀଧର ସେନାପତିଙ୍କ ସହଧର୍ମିଣୀ ହରିପ୍ରିୟା-ରାମାର ଧର୍ମଭଉଣୀ । ରାମା ତାଙ୍କୁ ଦେଖି ବିସ୍ମିତ ହୋଇ ପଚାରିଲା,‘ କି ନାନି, ତୁ ଏ ଖରାରେ କାହିଁକି ଆସିଲୁ ?’ ହରିପ୍ରିୟା କହିଲେ–‘‘ଗାଧୋଇ ଆସିବାବେଳେ ଦେଖିଥିଲି, ବୁଦ୍ଧିଆ ପାଣ ପୁଅଟି ଭାରି କାନ୍ଦୁଥିଲା । ସେ କାଲି ରାତିରୁ ଭାତ ଖାଇ ନାହିଁ । ଆହା, ମାଛେଉଣ୍ଡ ପିଲାଟି’’–ଏତିକି କହି କାନ୍ଦି ପକାଇଲେ । ଲୁଗା କାନିରେ ଲୁହ ପୋଛୁ ପୋଛୁ କହିଲେ–‘‘ମନଟା ଘାଣ୍ଟି ଚକଟି ହେଲା ରେ ରାମ, ସେହି ପିଲାଟିପାଇଁ । ଏହି ପିତ୍ତଳ ମାଠିଆରେ ଭାତ ଆଣିଥିଲି । ତାକୁ ଦେଇ ମାଠିଆଟା ଧୋଇ ନେବାକୁ ଆସିଛି । ଦି ଦିନ ହେଲା ତୋର କାହିଁକି ଦେଖା ନାହିଁ ?’’ ରାମା କହିଲା–‘‘ମୋତେ ଜର ।’’ ‘‘ଏଁ, ଜରରେ ଏଠି ଆସି ବସିଚୁ-। କି ଆମ ଘରକୁ ଗଲୁ ନାହିଁ ? ଦେହ ତ କଣ୍ଟା ପରି ହୋଇ କଳା ପଡ଼ିଗଲାଣି–ଆଖି କାନ ଭିତରକୁ ପଶିଗଲାଣି; ତୁ କେତେ ଦିନ ହେଲା ଖାଇ ନାହୁଁ ରେ ? ମାଉସୀ କିଛି କହିଚି କି ? ହରିପ୍ରିୟା ଏହା କହି ରାମାର ଦେହରେ ମୁଣ୍ଡରେ ସ୍ନେହର ହାତ ବୁଲାଇ ଦେଲେ । ରାମା ଅଶ୍ରୁ-ସତଳ ନେତ୍ରରେ କେବଳ ଏତିକି କହିଲ,–‘‘ମୁଁ ତାହା ଘରୁ ବାହାରି ଆସିଲି–ଆଉ ଯିବି ନାହିଁ ।’’ ହରିପ୍ରିୟା ବୁଝିଲେ ଘଟଣା ଗୁରୁତର ହୋଇଅଛି; କିନ୍ତୁ ତେତେବେଳେ ଆଉ କିଛି ପଚାରିବା ଉଚିତ୍ ନୁହେଁ ଭାବି କହିଲେ–‘‘ଆଛା କଲୁ ବାହାରି ଆସିଲୁ, ଚାଲ ମୋ ଘରକୁ । ସେ ଆଉ ମାଉସୀ ଘର ନୁହେଁ–ତୋର ନାନୀଘର । ଆଜିଠଉଁ ତୁ ମୋର ବଡ଼ପୁଅ ।’’ ଏହା କହି ରାମାର ହାତ ଧରି ଉଠାଇ ନେଇଗଲେ । ମାଠିଆଟା ପୋଖରୀରେ ଧୋଇ ନେଇ ରାମାକୁ ଆଗରେ ଚଲାଇ ନିଜେ ପଛେ ପଛେ ଚାଲିଲେ । ଘରେ ପହଞ୍ଚି ରାମାକୁ ପୁଷ୍ଟିକର ଲଘୁପଥ୍ୟ ଖାଇବାକୁ ଦେଇ ପରିଷ୍କୃତ ବିଛଣାରେ ଶୁଆଇଲେ । ଘୋଡ଼ିବାପାଇଁ ପେଡ଼ୀରୁ ଖଣ୍ଡେ ବାରହାତୀ ଦଟା ବାହାର କରିଦେଲେ । ସନ୍ଧ୍ୟା ସମୟରେ ବୈଦ୍ୟ ଡକାଇ ଦେଖାଇଲେ । ବୈଦ୍ୟ ପ୍ରତ୍ୟହ ଆସି ଔଷଧ ଦେଲା । ହରିପ୍ରିୟା ରୋଗୀର ଶୁଶ୍ରୁଷାଭାର ଗ୍ରହଣ କଲେ । ଉପଯୁକ୍ତ ଔଷଧ, ପଥ୍ୟ ଏବଂ ପରିଚର୍ଯ୍ୟାରେ ରାମା ସାତ ଆଠ ଦିନ ମଧ୍ୟ୍ୟରେ ଜ୍ୱରମୁକ୍ତ ହେଲା ।

 

ଦିନେ ହରିପ୍ରିୟା ସ୍ୱାମୀଙ୍କ ଗୋଡ଼ ଘଷୁ ଘଷୁ ମିନତି ସ୍ୱରରେ କହିଲେ–‘‘ମୁଁ ଗୋଟେ କଥା କହିବି, ତମେ ରଖିବ ନା ?’’ ସ୍ୱାମୀ କହିଲେ–‘‘ମୁଁ ତମର କେଉଁ କଥା ନ ରଖି ଏଡ଼ିଦିଏ ?’’ ହରିପ୍ରିୟା ଲଜ୍ଜିତ ହୋଇ କହିଲେ–‘‘ତାହା ମୁଁ କହୁଚି ନା ? ଏବେ ମୋ କଥାଟା ଶୁଣ–ରାମାକୁ ତମ ଘରେ ରଖ । ସେ ନିତେଇ ଦାସ ଘରୁ ବାହାରି ଆସିଛି, ଆଉ ସେଠିକି ଯିବ ନାହିଁ । ପିଲାଟା କେତେ ଗାଳିଗଞ୍ଜନା ସହିବ ? ତାହା ଉପରେ ପୁଣି ପେଟକଷ୍ଟ ! ଅନାଥ ପିଲାଟିର କଷ୍ଟ ଦେଖି ମୋତେ କାନ୍ଦ ମାଡ଼େ ।’’ ଏହା ଶୁଣି ବଂଶୀଧର ସେନାପତି କହିଲେ–‘‘ଏ ତ ଅତି ଭଲକଥା, ପିଲାଟି ଖୁବ୍ ଚମ୍ଭାଚତୁର, ପାଞ୍ଚଅକ୍ଷର ବି ପଢ଼ିଛି, ଆମ ଘରେ ରହୁ । ପିଲା ଦୁହିଁଙ୍କୁ ରାତିରେ ପଢ଼ାଇବ, ଦିନରେ ଯାଉତିପତ୍ର ଲେଖିବ । ମୋର କି ଜଣେ ଗୁମସ୍ତା ଦରକାର ଥିଲା; ରାମା ସେ କାମ ବେଶ୍ କରି ପାରିବ । ଗୁମସ୍ତା ଜଣେ ରହିଲେ ମାସକୁ ସାତ ଟଙ୍କା ଦରମା ନିଅନ୍ତା; ରାମ ଆମ ଘରେ ଖାଇବ, ଆଉ ପାଞ୍ଚ ଟଙ୍କା ଦରମା ନେବ ।’’ ଏହି ପ୍ରସ୍ତାବ ପରେ ଉପଯୁକ୍ତ ସର୍ତ୍ତରେ ରାମା ସେନାପତିଙ୍କ ଘରେ ରହିଲା । ତାହାର ଦୁଃଖ-ଦିନ ଶେଷ ହୋଇ ସୁଖ-ଦିନ ଆରମ୍ଭ ହେଲା ।

 

ରାମା ଦାସଙ୍କ ଗୃହତ୍ୟାଗ କଲାବେଳେ ଦାସେ ଥିଲେ ନାହିଁ; ପରେ ଆସି ସ୍ତ୍ରୀଙ୍କଠାରୁ ଶୁଣିଲେ । ମାତ୍ର ଦୁଃଖିତ ହେଲେ ନାହିଁ । ମଳୁ ଯାହା ଖୋଜୁଥାଏ, ବୈଦ୍ୟ ଯଦି ତାହାହିଁ ବ୍ୟବସ୍ଥା କରେ, ତେବେ ତାହା ତ ଆନନ୍ଦର କଥା, ସେଥିରେ ଦୁଃଖିତ ହେବାର ବା କାରଣ କଅଣ ଅଛି ? ଦାସେ କହିଲେ–‘‘ଗଲା, ପାପ ଗଲା; ସେ ଆପେ ଆପେ ଯାଇଛି, ଏହା ଖୁବ୍ ଭଲ କଥା–ଅତି ସୌଭାଗ୍ୟର କଥା । ଆମେ କାଢ଼ି ଦେଇଥିଲେ ଗାଁ ଲୋକେ ଗୋଟାଏ ଦୁର୍ଚ୍ଛନା ଦିଅନ୍ତେ । କୁଆଡ଼େ ଗଲା, କିଛି ଜାଣ କି ?’’ ଉଷା କହିଲେ–‘‘ସେନାପତି ଘରୁଟା ଉଛୁଣି ବାସୁଛି ପରା; ସେଇଠିକି ଯାଇଥିବ ଆଉ କେଉଁ ଚୁଲୀକି ଯିବ ? ସେନାପତି ମାଇପ ଧର୍ମ ଭଉଣୀ ହୋଇଛି । ସେ ମୋଠୁଁ ବେଶି ମଣ୍ଡିବ–ନିଘା କରିବ । ଯାଉ ପଛକେ–ଅଢ଼େଇ ଦିନ । ଦେଖିବ–ବୁଲାକୁକୁର ବାରଘର ଅଇଣ୍ଠାପତ୍ର ଚାଟି ଚାଟି ଫେର୍‌ଆସିବ। ବାର ବର୍ଷର ଉଷୁନା ଧାନ ଢିଙ୍କିଶାଳକୁ ନ ଆସି ଆଉ କୁଆଡ଼େ ଯିବ ?’’ ଦାସେ କହିଲେ–‘‘ଖବରଦାର, ଫେର୍ ଆସିଲେ ସେ ବେମାନକୁ କଥା ସୁଦ୍ଧା କହିବ ନାହିଁ ।’’ ଉଷା ମୁହଁଟାକୁ ମୋଡ଼ି ଦେଇ ବ୍ୟଙ୍ଗସ୍ୱରରେ କହିଲେ–‘‘ହଁ, ସେ ମୋତେ ଗୟାରେ ପିଣ୍ଡ ଦେବ ପରା, କଥା କହିବି, ନା ମୁଣ୍ଡୀ ଛାଞ୍ଚୁଣୀରେ ପିଟିବି ! ସେ ବାହାରିଗଲା–ଏହା ଆମ ବଡ଼ାବଡ଼ିର ଭାଗ୍ୟ । ଏଇଥିରେ ପୁଣି ରାଣ୍ଡ ଆଣ୍ଠୁକୁଡ଼ୀଏ କହନ୍ତି–‘ଟୋକାଟାକୁ କେତେ ଦିନ ରାତି ଗଞ୍ଜୁଛି ।’ କି ଲୋ ଘରଭାଙ୍ଗୀ ନିର୍ମୂଳୀ ବଅଁଶଖାଈଏ, ଟୋକାଟାର ଗୁଣ ତ କେହି ବୁଝିବ ନାହିଁ; ସବୁବେଳେ ମୋହରି ନାଁରେ ଦୁର୍ଚ୍ଛନା ଦେଇ ବୁଲୁଥିବ ! ମୁଁ ତବ ପୁଅଘରତାର କିଛି ଖାଇଛି, ନା ତମ ମୁହଁରେ ନିଆଁଲେଣ୍ଡୁଆ ଜାଳିଛି ।’’ ଏତିକି ମାତ୍ର କହି ଉଷା କି କାର୍ଯ୍ୟ କରିବାକୁ ଅନ୍ୟତ୍ର ଚାଲିଗଲେ । ଦାସେ ସ୍ତ୍ରୀଙ୍କର ଯଥେଷ୍ଟ ପ୍ରଶଂସା କରି ମନେ ମନେ କହିଲେ–‘‘ଧନ୍ୟ ଉଷା, ଧନ୍ୟ ତମର ଉପସ୍ଥିତ ବୁଦ୍ଧି ! ତମ ବୁଦ୍ଧି ଆଗରେ ସାତଟା ହାକିମର ବୁଦ୍ଧି ହାର ମାନିବ । ତମ ପରି ବୁଦ୍ଧିମତୀ ସ୍ତ୍ରୀ ପାଇ ମୁଁ ଭାଗ୍ୟବାନ । ଯେ ଖଞ୍ଜରେ ତମେ ରାମାକୁ ବାହାର କଲ, ସେ ଖଞ୍ଜ ଆଉ କେହି ଜାଣିବ ନାହିଁ, କି ସେ ବୁଦ୍ଧି ଆଉ କାହା ମୁଣ୍ଡରେ କଞ୍ଚେଇବ ନାହିଁ । ତମ ପରି ସ୍ତ୍ରୀରତ୍ନ ମୋତେ ଜନ୍ମେ ଜନ୍ମେ ମିଳୁଥାଉ । ତମେ ମୋର ଉପଯୁକ୍ତ ସ୍ତ୍ରୀ; ମାତ୍ର ମୁଁ ତୁମ୍ଭର ଉପଯୁକ୍ତ ସ୍ୱାମୀ ନୁହେଁ । ଆର ଜନ୍ମରେ ଯଦି ତମେ ସ୍ୱାମୀ ହୁଅନ୍ତ, ଆଉ ମୁଁ ତମର ସ୍ତ୍ରୀ ହୋଇ ଚରଣସେବାର ସୌଭାଗ୍ୟ ଲାଭ କରନ୍ତି, ତେବେ ଷୋଳବିଶ୍ୱା ରାଜଯୋଟକ ହୁଅନ୍ତା ।’’

 

ରାମା ବାହାରିଲା; ଦାସଦମ୍ପତି ତାହାର ଖୋରାକୀ ପୋଷାକୀ ଯୋଗାଇବାରୁ ନିସ୍ତାର ପାଇଲେ । ରାମା ସୁଦ୍ଧା ମାଉସୀଙ୍କ ଆଶୀର୍ବାଦ ଜଞ୍ଜାଳରୁ ରକ୍ଷା ପାଇ ତ୍ରାହି ମଧୁସୁଦନ ସରଣପୂର୍ବକ ଗଙ୍ଗାରେ ସାତ ସ୍ନାନ କଲା । ଏଥିରେ ଉଭୟ ପକ୍ଷର ଅନାବିଳ ମଙ୍ଗଳ । ଏରୂପ ଆକାଂକ୍ଷିତ ମଙ୍ଗଳ ବହୁ ଭାଗ୍ୟରେ ଏବଂ ବହୁ ତପସ୍ୟାରେ ଉପଲବଧି ହୁଏ । ହେଲେ ଉଷାଙ୍କୁ ବଡ଼ ହରବରରେ ପଡ଼ିବାକୁ ହେଲା । ପାଣି ଆଣିବା, ଚାଉଳ ଧୋଇବା, ଭାତ ରାନ୍ଧିବା ପ୍ରକୃତି କାର୍ଯ୍ୟରୁ ସେ ନିସ୍ତାର ପାଇଥିଲେ । ରାମା ଅଭାବରେ ସେହି ସମସ୍ତ ଭାର ତାଙ୍କୁ ପୁନଶ୍ଚ ମୁଣ୍ଡାଇବାକୁ ହେଲା । ଦିନେ ମୁହଁସଞ୍ଜବେଳେ ସେ ପୋଖରୀକୁ ଚାଉଳ ଧୋଇବାକୁ ଗଲେ । ଚାଉଳ ଧୋଇ ସାରି ଆଡ଼ି ଉପରେ ଚାଉଳଧୁଆ ରଖି ଦେଇ ଲୁଗା ପଖାଳିବାକୁ ଗଲେ । ସେ ଯେଉଁଠାରେ ଚାଉଳଧୁଆ ରଖିଲେ, ତତପୂର୍ବରୁ ନାଥିଆମା ପାଲୁଣୀ ଚାଉଳ ଧୋଇ ତାହାର ଖଣ୍ଡେ ଛଡ଼ାରେ ରଖିଥିଲା । ସେଦିନ ନାଥିଆ ଘରେ ପଖାର ବାସାଇବାକୁ କିଛି ଥିଲା ନାହିଁ; ସେ ପୋଖରୀରେ ଗେଣ୍ଡା ଅଣ୍ଡାଳୁ ଥିଲା । ସେଥିରୁ ଚାରିଟା ହେଲେ ତାହାର ତରକାରୀ ବଳିଯିବ । ଉଷା ଲୁଗା ଧୋଇସାରି ଭୁଲରେ ନାଥିଆମାର ଚାଉଳ ଧୁଆଟି ଘେନି ଚାଲି ଆସିଲେ । ସନ୍ଧ୍ୟାର ଅନ୍ଧକାରରେ ଏରୂପ ଭ୍ରମ ଘଟିବା ବିଚିତ୍ର ନୁହେଁ । ନାଥିଆମା ଉଷାଙ୍କ ଚାଉଳ ଧୁଆଟି ନେଇ ଘରକୁ ଗଲା । ସେଦିନ ଚାଉଳ ଧୁଆ ବଦଳ କେହି ଜାଣିପାରିଲେ ନାହିଁ । ତହିଁ ପରଦିନ ସକାଳେ ନାଥିଆମା ଚାଉଳଧୁଆ ଘେନି ଦାସଙ୍କ ଘରକୁ ଆସି ଉଷାଙ୍କୁ କହିଲା–‘‘ସାଆନ୍ତାଆଣୀଏ, କାଲି ସଞ୍ଜବେଳେ ଚାଉଳଧୁଆଟା ବଦଳ ହୋଇ ଯାଇଥିଲା । ମୁଁ ତମ ଚାଉଳଧୁଆଟା ଆଣିଛି; ତାକୁ ରଖି ମୋ ଚାଉଳଧୁଆଟା ଦିଅ । ଆଜି ସକାଳେ ଦେଖିଲି ଯେ, ଏଟା ମୋ ଚାଉଳଧୁଆ ନୁହେଁ; ଏଟା ପୁରୁଣା, ମୋର ନୂଆ । ମୁଁ କହିଲି, ପୋଖରୀ ତୁଠକୁ ଆଉ ତ କେହି ଆସି ନାହାନ୍ତି; ଏକା ସାଆନ୍ତାଣୀଏ ଆସିଥିଲେ । ସେ ବହକରେ ମୋ ଚାଉଳଧୁଆଟା ନେଇ ଯାଇଥିବେ, ଏହା କହି ତମ ଚାଉଳଧୁଆ ଘେନି ଧାଇଁ ଆସିଲି । ‘‘ଉଷା ନିଜର ଚାଉଳଧୁଆ ଚିହ୍ନି ଜିଭ କାମୁଡ଼ି ପକାଇ ତାଟକା ହୋଇଗଲେ; ତାଙ୍କ ଛାତି ଦାଉଁ ଦାଉଁ ହୋଇ ଉଠିଲା । ସେ ମନେ ମନେ ଭାବିଲେ–‘‘ତେବେ କଣ କାଲି ରାତିରେ ମୁଁ ପାଣିଚାଉଳ ରାନ୍ଧିଥିଲି । ଏ ତ ବଡ଼ ବିଷମ କଥା । କେହି ଯେବେ ଏହା ଶୁଣେ, ତେବେ କଅଣ ହେବ ? କିନ୍ତୁ ପ୍ରତ୍ୟୁତ୍ପନ୍ନମତି ବଳରେ ସେଥିରେ ପ୍ରତିକାରର ଉପାୟ ସ୍ଥିର କରିନେବାକୁ ତାଙ୍କର ବିଳମ୍ବ ହେଲା ନାହିଁ । ସେ ନାଥିଆମାକୁ ଅନେକ ନେହୁରା ହୋଇ କହିଲେ–‘‘ନାଥିଆମା, ମୁଁ ତୋତେ ଚାରିଅଣା ପଇସା ଦେଉଛି, ତୋ ପୁଅ ରାଣ ତି; ତୁ ଏ କଥା କାହାରିକୁ କହିବୁ ନାହିଁ । ଅଜାଣତରେ ତ ହୋଇଗଲା, ଆଉ କଅଣ କରିବି ?’’ ନାଥିଆମା କହିଲା–‘‘ଏ, କଅଣ କହୁଚ ସାଆନ୍ତାଣୀଏ, ଆଖି ଛୁଉଁଛି, ମୁଁ କାହାକୁ କହିଲେ ମୋ ଜିଭ ଛିଡ଼ି ପଡ଼ିବ । ମୁଁ ଆଉ କାହା ପରି ଖଚେଇ ଓଲଗାଲୀ ନୁହେଁ ଗୋ ମା’ ରାଣୀ ! ଛି, ଛି, ଠାକୁରେ ମୋତେ ସେ ବୁଦ୍ଧି ଦେଇନାହାନ୍ତି । ସେ ଦିନ ଶିବ ପ୍ରଧାନ ବିଲରୁ ରଥିଆ ଧାନ ଚୋରି କରି ନେବାବେଳେ ମୁଁ ଯାଇ ହାବୁଡ଼ିଗଲି । ରଥିଆ ଗୋଡ଼ହାତ ଧରି କହିଲା–‘ମାଉସୀ, କାହାରି କତିରେ କହିବୁ ନାହିଁ ।’ ମୁଁ ଆଜିଯାଏଁ ସେ କଥା କାହାରିକି କହିଚି ନା ? ସବୁ କଥାକୁ ପାର ଅଛି, ଖଚମିଛକୁ ପାର ନାହିଁ । ପାଲୁଣୀ ହେଲି ବୋଲି ମୁଁ କଅଣ ଏ କଥା ଜାଣେ ନାହିଁ ? ତମେ ରାଣ ପକେଇ କହିଲ; ମୁଁ ପୁଣିପରା କାହାକୁ କହିଦେବି ? ଆଉ ଦିନେ ତମ ମୁହଁକୁ ଚାହିଁ ପାରିବି ନା ? ଗୋଟିଏ କଥା କହିବି ସାଆନ୍ତାଣୀଏ, ପେଟେ ଭୋକ, ମୁହେଁ ଲାଜ କାହିଁକି ? ମୁଁ ପଇସା ନେବି ନାହିଁ–ମୋର ଯେଉଁ ଗୁଣାଖଣ୍ଡକ ଛ ଅଣାକୁ ବନ୍ଧା ଦେଇଥିଲି, ମୋର ସେହି ଗୁଣାଖଣ୍ଡକ ଦିଅ ।’’ ଉଷା ଦ୍ୱିରୁକ୍ତି ନ କରି ଘରୁ ଗୁଣାଖଣ୍ଡକ ଆଣି ନାଥିଆମାକୁ ଦେଲେ ଏବଂ ତାହାର ଚାଉଳଧୁଆଟି ମଧ୍ୟ୍ୟ ଦେଲେ । ନାଥିଆମା ଅତି ଆନନ୍ଦରେ ଉଷାଙ୍କୁ ଜୁହାର ହୋଇ ଚାଲିଗଲା । ବାଟରେ ଯାଉଁ ଯାଉଁ ତାହାର ସହୀ ବାୟାଣୀକୁ ଦେଖି କହିଲା–‘‘ସହି, ଏ ଗୁଣାଖଣ୍ଡ ମୋ ନାକରେ ପିନ୍ଧାଇ ଦେବତି ।’’ ବାୟାଣୀ ଗୁଣା ପିନ୍ଧାଇ ଦେଇ ପଚାରିଲା–‘‘ଆଜି ଗୁଣା ମୁକୁଳାଇ ଆଣିଲ କି ? ସୁଧ କେତେ ନେଲା ?’’ ନାଥିଆମା ଏଣିକି ତେଣିକି ଅନାଇଁ ଦେଇ ବାୟାଣୀ କାନ ପାଖରେ ଖୁବ୍ ତୁନୀ ତୁନୀ ଭାବରେ ଆମୁଳ ବର୍ଣ୍ଣନା କରିଗଲା । ବାୟାଣୀ ବସିପଡ଼ି ଗାଲରେ ହାତ ଦେଇ କହିଲା–‘‘ସତ ନା ସହି, ବୈଷମ ହୋଇ ପାଣଚାଉଳ ରାନ୍ଧି ଖାଇଲା ! ତାଙ୍କ ଜାତିରେ ତ ବଟା ଲାଗିବ ?’’ ନାଥିଆମା କହିଲା–‘‘କିଏ କାହିଁକି ଜାଣିବ ଯେ ବଟା ଲାଗିବ । ମୋ ରାଣ ତ ସହି, ଏ କଥା କାହାରିକି କହିବ ନାହିଁ, ସୁକୁରୀମା ମୋତେ ତୋର ରାଣ ପକାଇ କହିଚି ।’’ ବାୟାଣୀ କହିଲା, ‘‘ମୋର କି ଗରଳ ପଡ଼ିଛି, ମୁଁ କହିବି ? ଯାର ପାପ ତାର, ମୋର କଅଣ ଗଲା ?’’ ଅନନ୍ତର ଦୁଇ ସହୀ ଦୁଇ ଆଡ଼କୁ ଚାଲିଗଲେ ।

 

କଥା ଲୁଚି ରହେ ନାହିଁ, ସମୟରେ ଫୁଟି ବାହାରେ । କିଛି ଦିନ ପରେ ଏକଥା ପୂର୍ବୋକ୍ତ ପାଠାଗାରର ସଭ୍ୟମାନଙ୍କର କର୍ଣ୍ଣଗୋଚର ହେଲା । ଦାସେ ସେମାନଙ୍କୁ ଚାନ୍ଦା ନ ଦେଇ ଥଟା ବିଦ୍ରୁପ କରିଥିଲେ, ଏହା ପାଠକମାନଙ୍କର ସ୍ମରଣ ଥିବ । ଏତେଦିନ ପରେ ସେମାନଙ୍କୁ ପ୍ରତିଶୋଧର ସୁବର୍ଣ୍ଣସୁଯୋଗ ମିଳିଲା । ସେମାନେ ଗ୍ରାମରେ କହି ବୁଲିଲେ । ଫଳରେ ଦାସଙ୍କୁ ଧୋବା, ଭଣ୍ଡାରୀ ମନା ହେଲା–ସେ ଏକଘରିଆ ହୋଇ ରହି ପ୍ରମାଦ ଗଣିଲେ । ଦାସେ ପୂର୍ବରୁ ସ୍ତ୍ରୀଙ୍କଠାରୁ ଘଟଣା ଶୁଣିଥିଲେ । ଏଡ଼େ ବଡ଼ କଥାଟା ଛଅଣା ପଇସାରେ ଉଡ଼ାଇ ଦେଇଥିବାରୁ ସ୍ତ୍ରୀଙ୍କ ବୁଦ୍ଧିର ପ୍ରଶଂସା ମଧ୍ୟ୍ୟ କରିଥିଲେ । ଆତ୍ମଶୁଦ୍ଧି ସକାଶେ ସ୍ତ୍ରୀପୁରୁଷ ଉଭୟେ ଗଙ୍ଗୋଦକ ପାନ କରିଥିଲେ । ଅଜ୍ଞାତପାପର ଏହା ସଙ୍ଗୋପନ ପ୍ରାୟଶ୍ଚିତ । ଏତେ କରି ସୁଦ୍ଧା କିଛି ହେଲା ନାହିଁ–କଥାଟା ଫୁଟିଉଠି ପ୍ରକାଶ ପାଇଲା । ମାତ୍ର ଦାସେ ହଟିବାର ପାତ୍ର ନୁହନ୍ତି, କଥାଟାକୁ ଉଡ଼ାଇ ଦେବା ସକାଶେ ସେ ଯଥେଷ୍ଟ ଚେଷ୍ଟା କରିଥିଲେ; କିନ୍ତୁ କୃତକାର୍ଯ୍ୟ ହୋଇ ପାରିଲେ ନାହିଁ । ସେ ପ୍ରଥମରେ କହିଲେ–‘ନାଥିଆମାର କଥା ସମ୍ପୂର୍ଣ୍ଣ ମିଥ୍ୟା । ବିନା ସୁଧରେ ତାହାର ଗୁଣାଖଣ୍ଡନ ନ ଦେବାରୁ ସେ ଏହି ମିଥ୍ୟାପବାଦର ଆଶ୍ରୟ ନେଇଅଛି । ଏହିପରି କରିବା ପାଇଁ ସେ ଦାସଙ୍କୁ ଧମକାଇ ଯାଇଥିଲା ।’ ଦ୍ୱିତୀୟରେ କହିଲେ–‘ପାଠାଗାରର ମେମ୍ବରମାକଙ୍କୁ ଚାନ୍ଦା ନ ଦେବାରୁ ସେମାନେ ନାଥିଆମାଦ୍ୱାରା ଏହି କାଣ୍ଡ ଭିଆଇ ଅଛନ୍ତି ।’ ଏହିପରି ନାନା କାରଣ ଦେଖାଇ ସେ ନିଜର ନିର୍ଦ୍ଦୋଷତା ସପ୍ରମାଣ କରିବାପାଇଁ ପ୍ରୟୋଗ କରିଥିଲେ । ଦୋଷୀ ଦୋଷମୁକ୍ତ ହେବାପାଇଁ ଯେତେ ଚେଷ୍ଟା କରୁ ପଛେ, ଧର୍ମର ଜୟ ସୁନିଶ୍ଚିତ । ନାଥିଆମା ମହାପ୍ରସାଦ ଧରି ସତ୍ୟ କଥା କହିଗଲା । ଧର୍ମ ଭୟ ତାହାର ଅଛି, ସୁତରାଂ ଛଅଣା ପଇସାପାଇଁ ସେ କାହିଁକି ମିଥ୍ୟା କହି ନରକଗାମୀ ହେବ ? ବିଶେଷତଃ ମିଥ୍ୟା କହି ଧର୍ମକୁ ଲଙ୍ଘିଲେ ସେ ଜାତିରେ ଅଟକ ହେବ । ଜାତି ଆଗରେ ହାତୀ ଯାଇ ପାରେ ନାହିଁ–ପାଲୁଣୀମୁଣ୍ଡ ନାଥିଆମା ଅବା କେଉଁ ଛାର ? ମିଥ୍ୟାଜାଲ ବୁଣି ପାପଗୋପନର ଚେଷ୍ଟା କରିଥିବା ହେତୁ ସମସ୍ତେ ଦାସଙ୍କୁ ଛି-ଛାକର କଲେ । ଶେଷରେ ଦାସେ କିଂକର୍ତ୍ତବ୍ୟବିମୂଢ଼ ହୋଇ ପ୍ରାୟଶ୍ଚିତ୍ତର ବିଧାନ ଆଣିବା ସକାଶେ ବ୍ରାହ୍ମଣ-ଶାସନକୁ ଗଲେ । ବିଧାନଦାତା ତର୍କଶାର୍ଦ୍ଦୁଳ ମହାଶୟ ଏଡ଼େ ବଡ଼ ପାପର ପ୍ରାୟଶ୍ଚିତ୍ତ ବିଧାନ ଏକାକୀ ଦେବାକୁ ଭୀତ ଏବଂ ଅସ୍ୱୀକୃତ ହୋଇ କହିଲେ–ପାଞ୍ଚ ଶାସନଯାକର ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରି ସଭା ନ କଲେ ସେ ବିଧାନ ଦେଇ ପାରିବେ ନାହିଁ । ତହୁଁ ଦାସେ ଅଗତ୍ୟା ପାଞ୍ଚ ଶାସନକୁ ନିମନ୍ତ୍ରଣ କରିବାକୁ ଗଲେ; ମାତ୍ର ଉପଯୁକ୍ତ ଶାସନମର୍ଯ୍ୟାଦା ନ ପାଇଲେ ବ୍ରାହ୍ମଣମାନେ ଆସିବେ ନାହିଁ ବୋଲି କହିଲେ । ଦାସଙ୍କ ପକ୍ଷରେ ଏହା ଗଣ୍ଡଗୋଳରେ ବିସ୍ପୋଟକ ତୁଲ୍ୟ ହେଲା । ଯାହା ହେଉ, ସେ କାନ୍ଦିକୁନ୍ଥାଇ ପ୍ରତି ବ୍ରାହ୍ମଣ-ଶାସନକୁ ଦଶଟଙ୍କା ଲେଖାଏଁ ପ୍ରଣାମୀ ଦେଲେ । ବ୍ରାହ୍ମଣମାନେ ସଭା କରି ବିଧାନ ଦେବାର ସ୍ଥିର ହେଲା ।

 

ମିଥ୍ୟା ଆବରଣରେ ସତ୍ୟକୁ ଘୋଡ଼ାଇ ରଖି ହୁଏ ନାହିଁ । ଅଗ୍ନି ଉପରେ ପର୍ବତ ପ୍ରମାଣ କୁଟାପତ୍ର ଢାଙ୍କିଲେ ସୁଦ୍ଧା ଅଗ୍ନି ଲୁଚି ରହେ ନାହିଁ; କୁଟାପତ୍ରସବୁ ପୋଡ଼ି ଦେଇ ସେ ଆତ୍ମପ୍ରକାଶ କରେ । ଚିରା ଲୁଗାରେ ତାଳି ପକାଇଲେ ତାହା ନିଶ୍ଚୟ ଫୁଟି ଦିଶିବ । ସତ୍ୟର ତେଜ ବନ୍ୟାକାଳୀନ ନଦୀସ୍ରୋତ ପରି ପ୍ରଖର; ସହସ୍ର ବାଲିବନ୍ଧ ତାହାର ଗତି ପ୍ରତିହତ କରିପାରେ ନାହିଁ-। ଦାସେ ସତ୍ୟ ଗୋପନ କରିବାକୁ ଏତେ ଚେଷ୍ଟା କଲେ; ମାତ୍ର କାହିଁରେ କିଛି ହେଲା ନାହିଁ । କୃତକର୍ମର ଅବଶ୍ୟମ୍ଭାବୀ ଫଳ ତାଙ୍କୁ ଭୋଗ କରିବାକୁ ହେଲା । କୃତକର୍ମର ଫଳ ନିୟତି ପରି ଅବ୍ୟର୍ଥ, ନିୟତିର ଗତି ରୁଦ୍ଧ କରିବାକୁ ସ୍ୱୟଂ ବିଧାତା ପୁରୁଷ ସୁଦ୍ଧା ଅକ୍ଷମ । ତେବେ ମିଥ୍ୟା ବା ପାପର ଫଳ ହଠାତ୍ ଫଳେ ନାହିଁ । ନୌକା ବୋଝାଇ ହେଉଁ ହେଉଁ ବୁଡ଼େ ନାହିଁ–ବୋଝାଇ ଅତିରିକ୍ତ ହେଲେ ବୁଡ଼ିଯାଏ ।

Image

 

ପଞ୍ଚଦଶ ପରିଚ୍ଛେଦ

 

ଯଥାସମୟରେ ଗ୍ରାମର ଉପକଣ୍ଠସ୍ଥ ବିସ୍ତୃତ ଆମ୍ରୋଦ୍ୟାନରେ ବିରାଟ ସଭା ବସିଲା । ପାଞ୍ଚ ଶାସନର ପଣ୍ଡିତ ଅପଣ୍ଡିତ ବ୍ରାହ୍ମଣମାନେ ଆସି ଆସନ ଗ୍ରହଣ କଲେ । ଅସଂଖ୍ୟ ଦର୍ଶକ ଜନତାକୁ ପୃଥଳିତ କଲେ । ବିଜନ ଉଦ୍ୟାନ ଜନାରଣ୍ୟରେ ପରିଣତ ହେଲା । ଦାସେ ଗଳବସ୍ତ୍ର ହୋଇ ହାତ ଯୋଡ଼ି ଏକପାଖରେ ଠିଆ ହେଲେ । ସଭାର କାର୍ଯ୍ୟ ଆରମ୍ଭ ହେଲା । ଆଜି ସୁଦର୍ଶନ ଶର୍ମା ସଭାରେ ଉପସ୍ଥିତ ଅଛନ୍ତି । ସେଥିପାଇଁ ସଭାର କାର୍ଯ୍ୟ ସତର୍କତାର ସହିତ ପରିଚାଳିତ ହେଉଅଛି । ସୁଦର୍ଶନ ଶର୍ମା ଜଣେ ପ୍ରତିଭାଶାଳୀ ସୁପଣ୍ଡିତ, ସ୍ପଷ୍ଟବାଦୀ ଏବଂ ବିଦ୍ୱାନ ହେତୁ ସମସ୍ତେ ତାହାଙ୍କୁ ଭୟଭକ୍ତି କରନ୍ତି । ଏଡ଼େ ବଡ଼ ପଣ୍ଡିତ; ମାତ୍ର ଉପାଧିଶୂନ୍ୟ । କାହିଁକି କେଜାଣି ସେ ଉପାଧିକୁ ଭଲ ପାଆନ୍ତି ନାହିଁ । ପ୍ରତ୍ୟୁତ ଉପାଧିକୁ ଉନ୍ନତିର ବ୍ୟାଧି ବୋଲି କହନ୍ତି । ଯେଉଁମାନେ ଉପାଧିକୁ ସ୍ୱର୍ଗଦ୍ୱାରର ଶିଢ଼ୀ ବୋଲି ଜ୍ଞାନ କରନ୍ତି, ସେମାନେ ଅବଶ୍ୟ ଏକଥାକୁ ସୁଖ ମଣିବେ ନାହିଁ-। ଯେଉଁ ଉପାଧି ଲାଗି କେଡ଼େ କେଡ଼େ ଲୋକ ଲାଳାୟିତ, ଯାହାପାଇଁ ଜଗତର କେତେ ଧନ, କେତେ ସ୍ତୁତି ବ୍ୟୟିତ ହେଉଅଛି, ସେହି ଚାତ୍କଚକ୍ୟଶାଳୀ ମହାର୍ହ ସୁବର୍ଣ୍ଣମୁକୁଟକୁ ସୁଦର୍ଶନ ରଙ୍ଗତା-ଟୋପର କହନ୍ତି । ଏହା ତାଙ୍କର ରୁଚିବୈଷମ୍ୟ ଛଡ଼ା ଅନ୍ୟ କିଛି ନୁହେଁ । ମାତ୍ର ସେଥିପାଇଁ ତାଙ୍କୁ ଦୋଷୀ କରିବା ଅନ୍ୟାୟ ଏବଂ ଅର୍ବାଚନୀୟତାର ପରିଚାୟକ–ଯେହେତୁ ‘‘ଭିନ୍ନରୁଚିର୍ହିଲୋକ’’ ବୋଲି ଋଷିବାକ୍ୟ ଅଛି । ସଂସାରରେ ଏପରି ଅନେକ ଲୋକ ଅଛନ୍ତି–ଇଚ୍ଛା କଲେ ସେମାନେ ଉପାଧି ଭଣ୍ଡାର ଲୁଣ୍ଠନ କରି ପାରନ୍ତେ; ମାତ୍ର ଆଜୀବନ ନିରୂପାଧିକ ।

 

ସଭାପକ୍ଷରୁ ଗୋଟିଏ ସତ କମେଟି ସ୍ଥାପିତ ହେଲା । ତର୍କଶାର୍ଦ୍ଦୁଳ, ବେଦାନ୍ତବାଗୀଶ, ନ୍ୟାୟପଞ୍ଚାନନ ଏବଂ ଶାସ୍ତ୍ରରତ୍ନାକର, ଏହି ଚାରିଜଣ ସେଥିରେ ମେମ୍ବର ହେଲେ ଏବଂ ବିଦ୍ୟାଭାସ୍କର ପ୍ରେସିଡ଼େଣ୍ଟ ବା ଚେୟାରମେନ୍ ହେଲେ । ଦାସଙ୍କ ବିଚାର ଭାର ସେହି ସବ୍-କମେଟି ଉପରେ ନ୍ୟସ୍ତ ହେଲା । କମେଟି ବିଚାର ଆରମ୍ଭ କଲେ । ତର୍କଶାର୍ଦ୍ଦୁଳ କହିଲେ–‘‘ପାଣ ପାପିଷ୍ଠ ବୋଲି କଥାରେ କହନ୍ତି । ପାଣ ହାଡ଼ି ପ୍ରକୃତି ଅସ୍ପର୍ଶ୍ୟ, ଅଧମ ଜାତିଗୁଡ଼ାକ ଚଣ୍ଡାଳଶ୍ରେଣୀର ଅନ୍ତର୍ଗତ । ପାଣଚାଉଳ ରାନ୍ଧି ଖାଇବା ଆଉ ପାଣଘରୁ ଖାଇବା ଏକ କଥା ।’’ ତର୍କଶାର୍ଦ୍ଦୁଳ ଏତିକି ମାତ୍ର କହିଛନ୍ତି, ବେଦାନ୍ତବାଗୀଶ ଆଉ ତାଙ୍କୁ କହିବାକୁ ଅବସର ନ ଦେଇ ହଠାତ୍ କହି ଉଠିଲେ–‘‘ଅରୁଆଚାଉଳ ହୋଇଥିଲେ ଦୋଷ କିଞ୍ଚିତ୍ ଊଣା ହୋଇପାରନ୍ତା; ମାତ୍ର ସେ ଉଷୁନା ଚାଉଳ ।’’ ନ୍ୟାୟପଞ୍ଚାନନ କହିଲେ–‘‘ସେ ଚାଉଳ ପୁଣି ଶୁଖିଲା ନୁହେଁ–ଓଦା; ପାଲୁଣୀ ତାକୁ ଧୋଇଥିଲା ।’’ ଦୁଇଜଣ ପ୍ରଧାନ ପଣ୍ଡିତଙ୍କୁ ନିଜର ମତ ସମର୍ଥନ କରିବାର ଦେଖି ତର୍କଶାର୍ଦ୍ଦୁଳ ଗଣଜୟୀ ବୀର ପରି ଦର୍ପରେ ଫୁଲିଉଠି ଅଧିକତର ଉତ୍ସାହିତ ହୋଇ କହିଲେ–‘‘ମୁଁ ସେଥିଲାଗି କହୁଛି–ଦାସଙ୍କ ପ୍ରତି ଚଣ୍ଡାଳାନ୍ନ ଭୋଜନର ଦୋଷ ଲେଖିଲା ।’’ ଶାସ୍ତ୍ରରତ୍ନାକର ଦାସଙ୍କର ଜଣେ ଖାତକ, ସମୟ ସମୟରେ ଦାସେ ଅନୁଗ୍ରହ କରି ମାଲ ବନ୍ଧା ରଖି ତାଙ୍କର ଗରବ ବଢ଼ାଇ ଦିଅନ୍ତି–ଅବଶ୍ୟ ଅସଲ ସୁଧ ବୁଝିନେବାବେଳେ କଡ଼ାଏ କ୍ରାନ୍ତେ ଛାଡ଼ନ୍ତି ନାହିଁ । ତଥାଚ ଆବଶ୍ୟକ ବେଳେ ବ୍ରାହ୍ମଣର ମହତ୍ତ୍ୱ ରଖିଦେବା ସାମାନ୍ୟ ଅନୁଗ୍ରହର କଥା ନୁହେଁ । ଅନୁଗ୍ରହହେତୁ ଦାସଙ୍କ ପକ୍ଷରେ ଓକୀଲାତୀ କରିବା ଶାସ୍ତ୍ରରତ୍ନାକରଙ୍କର ଏକାନ୍ତ କର୍ତ୍ତବ୍ୟ । ସେ କହିଲେ–‘‘କିନ୍ତୁ ସେ ଦୋଷ ଜ୍ଞାନକୃତ ନୁହେଁ ।’’ ଏହାଶୁଣି ପ୍ରେସିଡ଼େଣ୍ଟ ବିଦ୍ୟାଭାସ୍କର ମଧ୍ୟ୍ୟାହ୍ନଭାସ୍କର ପ୍ରାୟ ପ୍ରଚଣ୍ଡ ତେଜରେ କହିଲେ–‘‘ହଇହେ, ଜ୍ଞାନକୃତ ହେଉ ବା ଅଜ୍ଞାନକୃତ ହେଉ ଚଣ୍ଡାଳାନ୍ନ ଭୋଜନ ମହାପାପ । ପାଠ କହିଛି ପରା ‘ଅଜ୍ଞାନେ ବା ସଜ୍ଞାନେ ବା’ ତେଣିକି କଅଣ ମନରେ ପଡ଼ୁନାହିଁ । ମନୁ କି ପରାଶର କି ଯାଜ୍ଞବଳ୍କ୍ୟ କାହିଁରେ ଏ ବାକ୍ୟ ଅଛି, ଆମ ରାଧୁଥିଲେ କହିଦିଅନ୍ତା । ଓଃ, ଶ୍ଳୋକଟା ଅଗ ଜିଭରେ ଅଟକିଛି, ଆସୁଛି, ପୁଣି ଅଳ୍ପକେ ଫେରିଯାଉଛି । ତର୍କଶାର୍ଦ୍ଦୁଳେ, ଏଣିକି ଏହିପରି ହେଲା । ବଳ, ବିକ୍ରମ, ମେଧା ସବୁ ଜରା–ରାକ୍ଷସୀ ଶୋଷି ନେଲା । ଇନ୍ଦ୍ରିୟସବୁ ଅବଶ ହୋଇ ପଡ଼ିଲା–ମସ୍ତିଷ୍କ ଦୁର୍ବଳ ହୋଇଆସିଲା–ଗଲା ସବୁ ଆଉ କଅଣ । ହାୟ ରେ, ସେକାଳ ଆଉ ଏକାଳ ! ଦିନରେ ମୁଁ ପଚୀଶ ଶ୍ଳୋକ ମୁଖସ୍ଥ କରୁଥିଲି । ସେ ଶକ୍ତି କୁଆଡ଼େ ଉଡ଼ିଗଲା । ଯାହାକୁ ଶତ ସହସ୍ରବାର ଆବୃତ୍ତି କରିଥିଲି, ତାହାର ମୂଳ ଏବେ ପଇଟିବାକୁ ନାହିଁ, କି ମୂଳ ପଇଟିଲେ ଶେଷପଇଟୁ ନାହିଁ ।’ ବିଚାର ସଭାରେ ବିଦ୍ୟାଭାସ୍କରଙ୍କର ଏରୁପ ଆତ୍ମଶ୍ଳାଘା କାହାରି କାହାରିକୁ ଭଲ ଲାଗିଲା ନାହିଁ । ସେମାନେ ମୁଖ ଏବଂ ନେତ୍ରଭଙ୍ଗୀରେ ବିରକ୍ତି ପ୍ରକାଶ କଲେ । ଏପରି ଦୁଷ୍ଟ ଲୋକ ସୁଦ୍ଧା ଅନେକ ଅଛନ୍ତି, କେହି ଚିତ୍ତିବିନୋଦନ ସକାଶେ ଟିକିଏ ଆତ୍ମସ୍ତୁତି କଲେ ତାହା ସେମାନଙ୍କର ସହ୍ୟ ହୁଏ ନାହିଁ । ବିଦ୍ୟାଭାସ୍କରେ ତ କାହାରି କିଛି ଅନିଷ୍ଟ କରି ନାହାନ୍ତି–ଆତ୍ମପ୍ରଶଂସା ଗାଇଅଛନ୍ତି ମାତ୍ର । ତାହା ତ ଆଉ କାହାର ପୈତୃକ ସମ୍ପତ୍ତି ନୁହେଁ । ତଥାଚ ଯଦି କାହାରି ଦେହରେ ତାହା ନ ଚଳିଲା, ତେବେ ସେ କୋଟିମୁଖ ହୋଇ ଆତ୍ମସ୍ତୁତି କରୁ; ବିଦ୍ୟାଭାସ୍କରେ ତ ତାକୁ ନେହୁରା ହୋଇ ମନା କରୁ ନାହାନ୍ତି । ଯାହାହେଉ ବିଦ୍ୟାଭାସ୍କରେ ସେମାନଙ୍କର ମନୋଗତ ଭାବ ବୁଝିପାରି କଥାଟା ଭିନ୍ନ ଆଡ଼କୁ ଫେରାଇ ନେଇ କହିଲେ–‘‘ଯାଉ ସେ କଥା, ‘ଗତସ୍ୟ ଶୋଚନା ନାସ୍ତି ।’ କେହି କେହି ମନରେ କରିବେ, ସଭାରେ ବସି ନିଜର କୃତିତ୍ୱ ବାଢ଼ିବାକୁ ଲାଗିଲେ–କେହି ବା କହିବେ ଓଃ, ପଚାଶ ଶ୍ଳୋକ କେତେ, ଆମେ ଶଏ ଶ୍ଳୋକ ଦିନରେ କଣ୍ଠସ୍ଥ କରିଦେବୁଁ । ଟୋକାଗୁଡ଼ାକ–ବୟସ କେତେ, ଜ୍ଞାନ କେତେ, ଆଉ ଅନୁଭବ ଅବା କେତେ । ଖାଲି ଆମେ ବଡ଼ ! ବଡ଼ ହୁଅ, ତାଳଗଛ ପରି ବଡ଼ ହୁଅ ! କିଏ ମନା କରୁଛି, ନା ଈର୍ଷା କରୁଛି ? କିନ୍ତୁ ଆମଠାରୁ ତମର କେତେ ଶିଖିବାକୁ ଅଛି, ତାହା ଜାଣ ନାହିଁ । ହଁ, କହୁଥିଲି, ଦାସଙ୍କ ସମ୍ବନ୍ଧରେ ମୋର ମତ ଏହି ଯେ, ତାଙ୍କର ଦୋଷ ଗୁରୁତର, ସେହି ଅନୁସାରେ ସେ ପ୍ରାୟଶ୍ଚିତ୍ତ କରନ୍ତୁ । ପ୍ରାୟଶ୍ଚିତ୍ତରେ ଅଠର କାହାଣ କଉଡ଼ି ଦାନ କରିବାକୁ ହେବ । ସ୍ତ୍ରୀ ପୁରୁଷ ଦୁହେଁ ତ୍ରିରାତ୍ର ନିର୍ଜଳା ଉପବାସ କରିବେ । ଶେଷ ଦିନ ଗଣ୍ଡୁଷେ ଘୃତପାନ କରିବେ । ଷୋଡ଼ଶଦାନ, ବ୍ରାହ୍ମଣଭୋଜନ, ଜ୍ଞାତି ପ୍ରତିବେଶୀ ଭୋଜନ, ଏ ସବୁ କାର୍ଯ୍ୟ ହେବ । ପ୍ରତି ବ୍ରାହ୍ମଣ-ଶାସନକୁ ଶଏ ଶଏ ଟଙ୍କା, ସ୍ଥାନୀୟ ଦଧିବାମନ ଠାକୁରଙ୍କୁ ଶଏ ଟଙ୍କା, ଆଉ ପାଠାଗାରକୁ ପଚାଶ ଟଙ୍କା ଦେବାକୁ ହେବ । ଏହା ଛଡ଼ା ସହସ୍ରାଭିଷେକ, ସହସ୍ରନାମ ଜପ, ଚଣ୍ଡୀପାଠ ଆଦି ଧର୍ମକାର୍ଯ୍ୟ କରାଯିବ । ଏହା ହିଁ ଶାସ୍ତ୍ରର ନିୟମ ।’’

 

ସୁଦର୍ଶନ ଶର୍ମା ଏତେବେଳଯାଏଁ ନୀରବ ଥିଲେ । ପ୍ରାୟଶ୍ଚିତ୍ତର ବ୍ୟବସ୍ଥା ଶୁଣି ଦଣ୍ଡାୟମାନ ହୋଇ କହିଲେ–‘‘କେବଳ ଶାସ୍ତ୍ରର ବିଧାନ ଧରି ବସିଲେ ଚଳିବ ନାହିଁ । ବିଚାର ସମୟରେ ନ୍ୟାୟର ମାନଦଣ୍ଡରେ ବିଚାରକୁ ମାପି ମାନବୋଚିତ ଦୟା ଦାକ୍ଷିଣ୍ୟ ପ୍ରଦର୍ଶନ ବିଚାରକର ଧର୍ମ । ବିଚାର ନିଃସ୍ୱାର୍ଥ ନ ହେଲେ ତାହା ମଳିନ ଏବଂ ପଙ୍କିଳ ହୁଏ; ଅର୍ଥାତ୍ ବିଚାରରେ ସ୍ୱାର୍ଥର ଆବର୍ଜନା ପ୍ରବେଶ କଲେ ବିଚାର ପଣ୍ଡ ହୁଏ । ଦାସଙ୍କ ସ୍ତ୍ରୀ ପାଣଚାଉଳ କାହିଁକି ଆଣିଲେ, ପ୍ରଥମରେ ତାହା ବିଚାର କରିବା ଆବଶ୍ୟକ । ଚାଉଳ ପାଞ୍ଚସେର ବା ଦଶସେର ନୂହେଁ, ଅଥବା ଅତର ପରି ତାହା ବାସୁ ନଥିଲା । ତେବେ ସେଥିପ୍ରତି ଲୋଭ କାହିଁକି ହେବ ? ଶାସ୍ତ୍ରରତ୍ନାକର ଅଜ୍ଞାନକୃତ ଦୋଷ ବୋଲି ଯାହା କହିଥିଲେ ତାହା ଯଥାର୍ଥ । ବାସ୍ତବରେ ସନ୍ଧ୍ୟା ଅନ୍ଧକାରରେ ଭୁଲ ଘଟିଅଛି । ତେବେ ଦୋଷ ଗୋପନ କରିବା ଅବଶ୍ୟ ଅନ୍ୟାୟ । ଦାସେ ଜାଣି ପାରିଲାକ୍ଷଣି ବିଚାରପ୍ରାର୍ଥ ହୋଇଥିଲେ ସହଜ ବ୍ୟବସ୍ଥା ପାଇଁ ଥାଆନ୍ତେ । ସେ ତାହା ନ କରି ଉତ୍କୋଚ ଦେଇ ଦୋଷ ଲୁଚାଇ ରଖିବାର ଚେଷ୍ଟା କରିଥିଲେ । ପାପ ଗୋପନ କରିବା ମହାପାପ । ସେଥିପାଇଁ ଦାସେ ଦଣ୍ଡାର୍ହ । ମନୁଷ୍ୟ ମନୁଷ୍ୟର ଅସ୍ପର୍ଶ୍ୟ ନୁହେଁ, ପାଣ ହାଡ଼ି ପ୍ରଭୃତି ଘୃଣିତ କାର୍ଯ୍ୟ କରିବାରୁ ଅସ୍ପର୍ଶ୍ୟ । ନତୁବା ସେମାନେ ଭିନ୍ନ ବିଧାତାର ସୃଷ୍ଟ ନୁହନ୍ତି । ସେମାନେ ଘୃଣିତ ବ୍ୟବହାର ତ୍ୟାଗ କଲେ ସମାଜ ସେମାନଙ୍କୁ କଦାଚ ତୁଚ୍ଛ ନେତ୍ରରେ ଦେଖିବ ନାହିଁ । ସେମାନେ ଅବଧି କଦାଚାର ଛାଡ଼ିପାରି ନାହାନ୍ତି । ସୁତରାଂ ଅସ୍ପର୍ଶ୍ୟ ହୋଇ ରହିଅଛନ୍ତି । ‘‘ଅଜ୍ଞାନେ ବା ସଜ୍ଞାନେ ବା’’ ଏ ବାକ୍ୟର କିଛି ଅର୍ଥ ନାହିଁ । ଏରୂପ ବାକ୍ୟ ଯଦି କୌଣସି ଶାସ୍ତ୍ରରେ ଥାଏ, ତେବେ ତାହା ପ୍ରକ୍ଷିପ୍ତ କିମ୍ୱା କୌଣସି ସ୍ୱାର୍ଥସର୍ବସ୍ୱର କପୋଳକଳ୍ପିତ ଉକ୍ତି । ଅରୁଆ କିମ୍ୱା ଶୁଖିଲା ଚାଉଳର ଅଳ୍ପ ଦୋଷ, ଆଉ ଉଷୁନା କିମ୍ୱା ଓଦା ଚାଉଳର ଅଧିକ ଦୋଷ–ଏହା ସୁଦ୍ଧା ହାସ୍ୟକର କଥା । ଦାସେ ଦୋଷ କରିଅୁଛନ୍ତି; ସୁତରାଂ ପ୍ରାୟଶ୍ଚିତ୍ତଦଣ୍ତ ଭୋଗ କରିବେ । ଅବସ୍ଥାଦୃଷ୍ଟିରେ ଦଣ୍ତର ବ୍ୟବସ୍ଥା ହୁଏ । ଜଣେ ଭିକ୍ଷୁକ ଏହି ପାପ ବା ଦୋଷ କରିଥିଲେ ତାହା ପ୍ରତି କିରୁପ ଦଣ୍ତବିଧାନ ହୁଅନ୍ତା ? ପ୍ରାୟଶ୍ଚିତ୍ତ କରିବା ଲଜ୍ଜା ବା ଅପମାନର କଥା ନୁହେଁ । ପ୍ରାୟଶ୍ଚିତ୍ତ ହିନ୍ଦୁର ନିତ୍ୟକର୍ମ । ପ୍ରାୟଶ୍ଚିତ୍ତର ଅର୍ଥ-ଦାନ । ଗୃହସ୍ଥ ଭିକାରୀକୁ ଭିକ ଦିଏ । ତାହା ତାହାର ପ୍ରାୟଶ୍ଚିତ୍ତ । ପାପର ଶ୍ରେଷ୍ଠ ପ୍ରାୟଶ୍ଚିତ୍ତ ଅନୁତାପ । ସେହି ଅନୁତାପକୁ ସ୍ଥାୟୀ କରିବା ସକାଶେ ଦାନ ବା ବ୍ୟୟ କରାଯାଏ । ନଚେତ୍‌ମନୁଷ୍ୟ ଭୁଲିଯାଇ ପୁଣି ପାପରେ ଲିପ୍ତ ହେବ, ଆଉ ପ୍ରାୟଶ୍ଚିତ୍ତର ଗୁରୁତ୍ୱ ରହିବ ନାହିଁ । ଦଣ୍ତ ହେହକୁ ନ କାଟିଲେ ମନରେ ରହେ ନାହିଁ । ଅର୍ଥଦଣ୍ତ ଦେହକୁ ଲାଗେ; ସୁତରାଂ ମନରେ ରହେ । ଅଳ୍ପ ଅର୍ଥଦଣ୍ତ ଧନୀମାନଙ୍କୁ କାଟେ ନାହିଁ । ଦାସେ ଧନୀ-ଅତଃ ଦଣ୍ତର ମାତ୍ରା ଅଧିକ ନ ହେଲେ ତାଙ୍କୁ ବାଧିବ ନାହିଁ । ତାଙ୍କ ପ୍ରତି ଯାହା ଅର୍ଥଦଣ୍ତର ବ୍ୟବସ୍ଥା ହେବ, ସେହି ଅର୍ଥ କୌଣସି ସତ୍‌କାର୍ଯ୍ୟ ବା ସାଧାରଣହିତକର କାର୍ଯ୍ୟରେ ଲାଗିବା ଉଚିତ । ବ୍ୟବସ୍ଥା ବିକି ଖାଇବା ବ୍ରାହ୍ମଣର ଧର୍ମ ନୁହେଁ । ଶାସନକୁ ଯେଉଁ ଅର୍ଥ ଦାନ କରାଯିବ, ସେହି ଅର୍ଥ ଶାସନର କୌଣସି ହିତାନୁଷ୍ଠାନରେ ବ୍ୟୟିତ ହେବା ବାଞ୍ଚ୍ଥନୀୟ ।

 

ଘୃତ ପାନ କରି ଉପବାସ ରହିଲେ ଦେହ ଶୁଦ୍ଧ ହେବ ନାହିଁ । ଯେଉଁ ଶରୀର ମଳ-ମୁତ୍ରରେ ପୂର୍ଣ୍ଣ, ସେ ଶୁଦ୍ଧ ହେବ କିପରି ? ପକ୍ଷାନ୍ତରେ ମଳମୁତ୍ର ଅଭାବରେ ଶରୀର ରହିବ ନାହିଁ । ଯାହାର ମନ ପବିତ୍ର, ସେ ଚିରପବିତ୍ର । ପାପୀର ମନ ଅନୁତାପରେ ପବିତ୍ର ହୁଏ । ମନ ତା କାମନାରେ ସତତ କଳୁଷିତ । ପୁଣି କାମନା ବ୍ୟତୀତ ମନର ଅସ୍ତିତ୍ୱ ନାହିଁ । ଜ୍ଞାନୀମାନେ କହନ୍ତି–କର୍ମ କାମନା କରିବ; ମାତ୍ର ଫଳ କାମନା କରିବ ନାହିଁ । ଏହା ଜ୍ଞାନୀଙ୍କର କଥା; ମାତ୍ର ଅଜ୍ଞାନ ପକ୍ଷରେ ଅଡ଼ୁଆ ମହାଭାରତ । ଫଳ ପାଇଁ ସିନା କର୍ମ । ଫଳ-କାମନା ଛାଡ଼ି କାହିଁକି କିଏ କର୍ମ କରିବ ? କ୍ଷୂପ୍ତିପା-ସାମୟ ଶରୀର ଧରି ଫଳ କାମନା ନ କରିବ ବା କିପରି ? ଏ ସବୁ ବଡ଼ ଗଭୀର କଥା-ଉଚ୍ଚକଥା । ଅନେକ ସାର୍ବଭୌମ ପଣ୍ତିତ ସୁଦ୍ଧା ଏ କଥା ମୀମାଂସା କରିବାକୁ ଯାଇ ଛନ୍ଦି ହୁଅନ୍ତି । ସେ ଯାହାହେଉ, ମୋର ମତ ଏହି ଯେ, ସସ୍ତ୍ରୀକ ଦାସେ ତିଳସୁବର୍ଣ୍ଣ ପ୍ରାୟଶ୍ଚିତ୍ତ କରନ୍ତୁ ଏବଂ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରି ଆସନ୍ତୁ । ଏହା ଶାସ୍ତ୍ରୀୟ ଦଣ୍ତ । ସାମାଜିକ ଦଣ୍ତ ଏହି ଯେ, ବ୍ରାହ୍ମଣଭୋଜନ, ଜ୍ଞାତିପ୍ରତିବେଶୀ ଭୋଜନ କରାଇ ପାଞ୍ଚ ଶାସନକୁ ଶଏଟଙ୍କା ଦେବେ । ସେହି ଟଙ୍କାରେ ପାଞ୍ଚ ଶାସନର କେନ୍ଦ୍ରସ୍ଥଳରେ ଗୋଟିଏ ଟୋଲ ସ୍ଥାପିତ ହେବ । ସେଥିରେ ଶାସନର ବ୍ରାହ୍ମଣ .ପିଲାମାନେ ଶିକ୍ଷାଲାଭ କରିବେ । ଏହା ଛଡ଼ା ଦଧିବାମନ-ମନ୍ଦିର ସଂସ୍ଥାର ସକାସେ ଶଏଟଙ୍କା ଆଉ ପାଠାଗାର ସକାସେ ପଚାଶ ଟଙ୍କା ଦେବାକୁ ହେବ ।’’ ଶର୍ମାଙ୍କର ଏ ବ୍ୟବସ୍ଥା ଶୁଣି ଅନେକେ ଆଖି ଠରାଠରି ହେଲେ । ଯେଉଁମାନେ ପଣେ ଅର୍ଜନ ଆଶାରେ ଆସିଥିଲେ, ସେମାନଙ୍କର ମୁହଁ ଶୁଖିଗଲା । କେହି କେହି କୁହାକୁହି ହେଲେ–‘‘ଭସ୍ମା ସମସ୍ତଙ୍କ ଭେକାଳ ବୁଡ଼ାଇଲା । ଅଳ୍ପାୟୁଷ ଯେଉଁ ଠିକି ଗଲା, ସେଠି ଏହିପରି କଲା । ବ୍ରାହ୍ମଣ ହୋଇ ସ୍ୱଜାତିର ଦାନା ବୁଡ଼ାଇଲା । ଏଥିରେ କି ତାର ମଙ୍ଗଳ ହେବ ? ବ୍ରହ୍ମ ନିଃଶ୍ୱାସରେ ନିରଂଶିଆ ଠକ୍‌ପରି ଗଡ଼ି ପଡ଼ିବ ।’’ ପଛରେ ଏହିପରି ଅଭିଶାପ ଦେଲେ; ମାତ୍ର ସମ୍ମୁଖକୁ ଆସି ଯୁକ୍ତି କରିବାକୁ କେହି ସାହାସୀ ହେଲେ ନାହିଁ । କେତେଜଣ ପେଟରେ ଭୋକ ରଖି ମୁହଁରେ ସନ୍ତୋଷ ପ୍ରକାଶପୂର୍ବକ କହିଲେ–‘‘ଏ ଅତି ଉତ୍ତମ ବ୍ୟବସ୍ଥା । ଶାସନମାନଙ୍କରୁ ବିଦ୍ୟା ବୁଡ଼ିବାକୁ ବସିଲାଣି । ଟୋଲ ହେଲେ ପିଲାମାନେ ପଢ଼ି ମନୁଷ୍ୟ ହେବେ । ଶଏ ଟଙ୍କାରେ ଦୁଃଖେକଷ୍ଟେ ବର୍ଷେ ଯାଏଁ ଟୋଲ ଚଳିଗଲେ ତେଣିକି ସରକାରୀ ସାହାଯ୍ୟ ମିଳି ପାରିବ । ତାହାହେଲେ ଟୋଲଟି ସ୍ଥାୟୀ ହୋଇ ରହିବ । ଏ ଗୋଟାଏ କେତେ ମହତ୍‌କାର୍ଯ୍ୟ । ଏହା ନ କରି ଶଏଟଙ୍କାକୁ ପାଞ୍ଚଶଭାର ବ୍ରାହ୍ମଣ ବାଣ୍ଟି ନେଲେ ଘରପିଛା ତିନିଅଣା ପଡ଼ନ୍ତା । ତିନିଅଣା ପଇସାରେ କାହାର ବା ଯୁଗ କଟିଯିବ ? ଧର୍ମକୁ ଆଶ୍ରା କରି କାଳଯାପନ କରିବ ସିନା; ଧର୍ମକୁ ବିକି ଭାଙ୍ଗି ଖାଇବା ତ ବ୍ରାହ୍ମଣର କର୍ମ ନୁହେଁ । ତାହା ବ୍ରାହ୍ମଣର ଅକର୍ମ । ଏହି ଅକର୍ମ ହେତୁ ବ୍ରାହ୍ମଣ–ପ୍ରାଧାନ୍ୟ କ୍ରମରେ ଲୋପ ପାଇ ଆସୁଅଛି ।’ ଫଳତଃ ଶର୍ମାଙ୍କ ବ୍ୟବସ୍ଥା ସର୍ବସମ୍ମତିକ୍ରମେ ଧାର୍ଯ୍ୟ ହେଲା । ଅନନ୍ତର ‘‘ହରିବୋଲ’’ ଶବ୍ଦ ସହ ସଭା ଭଙ୍ଗ ହେଲା ।

 

ପ୍ରଥମ ପ୍ରାୟଶ୍ଚିତ୍ତ ବ୍ୟବସ୍ଥା ଶୁଣି ଦାସଙ୍କୁ ମୂର୍ଚ୍ଛା ମାରିନେବାର ଉପକ୍ରମ ହୋଇଥିଲା; କିନ୍ତୁ ଦ୍ୱିତୀୟ ବ୍ୟବସ୍ଥା କିଞ୍ଚିତ୍‌ଆଶ୍ୱାସନା ପ୍ରଦାନ କଲା । ଉଷା ଫି କରି ଗୋଟାଏ ନିଃଶ୍ୱାସ ଛାଡ଼ି ସ୍ତବ୍‌ଧ ହୋଇ ରହିଲେ । କିଛିକ୍ଷଣ ପରେ ଉଦାସ, ଗମ୍ୱୀର, ଶୋକାର୍ତ୍ତ ସ୍ୱରରେ କହିଲେ–‘‘ରାଶି ଅବଳ ନ ହେଲେ କି ଏଡ଼େ ଅପଦ ଘଟିବ ?’’ ଉଷା ଏଣିକି ମନ୍ଦ ଘଟଣାଗୁଡ଼ାକୁ ଗ୍ରହଦୋଷ ଆଡ଼କୁ ଠେଲି ଦିଅନ୍ତି । ଶାଗ କାଟୁ କାଟୁ ଅସାବଧାନତାବଶତଃ ହାତ କଟିଗଲା–ତାହା ଗ୍ରହ-ଦୋଷ । ଗୋରୁ ଚାଳ ଓଲାରି ଖାଇଲା–ସେ ସୁଦ୍ଧା ଗ୍ରହଦୋଷ । ଉଷାଙ୍କ ବିଚାରରେ ଆତ୍ମଦୋଷ ବୋଲି କୌଣସି ପଦାର୍ଥ ଜଗତରେ ନାହିଁ । ଥିଲେ ଅନ୍ୟର ଥିବ; ମାତ୍ର ତାଙ୍କର ନାହିଁ । ସବୁ ଦୋଷ ସେହି ଗ୍ରହ-ଗୁଡ଼ାକର। ସେମାନଙ୍କର ଅଦୃଷ୍ଟ ବଡ଼ ମନ୍ଦ । ବୋଧହୁଏ ସେମାନଙ୍କର ସୁଦ୍ଧା ଗ୍ରହଦୋଷ ପଡ଼ିଅଛି । ଯଥା–ସମୟରେ ଯଥାରୀତି ପ୍ରାୟଶ୍ଚିତ୍ତାଦି ହୋଇଗଲା । ଏଣିକି ପୁରୀ ଯିବାଲାଗି ଭାଲୁଣି ପଡ଼ିଲା । ଘରେ କାହାକୁ ରଖି ଯିବେ, କିଛି ସ୍ଥିର ହୋଇ ପାରିଲା ନାହିଁ । ଉଷା ଜଣକୁ ମନୋନୀତ କଲେ ଦାସଙ୍କ ମନକୁ ଆସେ ନାହିଁ । ସେହିପରି ଦାସଙ୍କ ବଛା ଲୋକ ଉଷାଙ୍କର ପସନ୍ଦ ହୁଏ ନାହିଁ । ଏହି ମତିବିରୋଧ ମଧ୍ୟକୁ ଯେତେ ଲୋକ ଆସିଲେ ସମସ୍ତ ବେପସନ୍ଦ ହୋଇଗଲେ । ଉଷା ଯାହାର ନାମ କହନ୍ତି; ଦାସେ କହନ୍ତି–‘‘ଛି, ସେଟା କଟା ଚୋର ।’’ ଦାସେ ଯାହାର ନାମ କହନ୍ତି, ଉଷା କହନ୍ତି–‘‘ଏଁ, ସେ ଗୋଖୁର ସାପ । ତାକୁ ପୁଣି ବିଶ୍ୱାସ ଅଛି ?’’ ବେପସନ୍ଦ ଲୋକଯାକ ପ୍ରତ୍ୟେକେ ଏହିପରି ଗୋଟାଏ ଗୋଟାଏ ଦୁର୍ଚ୍ଛନା ପୁରସ୍କାର ଲାଭ କରନ୍ତି । ଅନୁପସ୍ଥିତ କାଳରେ ଘରେ ଚୋରି ହୋଇ ପାରେ, ଘର ପୋଡ଼ି ଯାଇପାରେ ଅଥବା ଯେ ଘର ଜଗିଥିବ ସେ ଚିତା କାଟି ପାରେ । ଏହି ସବୁ ଆଶଙ୍କା ଦାସଙ୍କୁ ଘେରି ପକାଇଲା । ସେ ଏତେଦିନେ ରାମାର ଅଭାବ ଅନୁଭବ କରି କହିଲେ–‘‘ରାମା ଥିଲେ ଆଉଁ କିଛି ଚିନ୍ତା ଥାଆନ୍ତା ନାହିଁ ।’’ ଉଷା ଅବଜ୍ଞାର ଲଘୁହାସ୍ୟ ଅଧରରେ ଖେଳାଇ କହିଲେ–‘‘ଆହା କି ସାଧୂପୁରୁଷ ! ସେ ଡାକୁଣୀଖିଆକୁ ଘର ଜଗାଇ ଚୋର ହାତରେ ପରା କୁଞ୍ଚିକାଠି ଦେଇ ଯାଆନ୍ତି ? ସେ ଅଳ୍ପାଇଷର ନାଁ ଧର ନାହିଁ !’’ ଦାସଦମ୍ପତି ଅନନ୍ୟୋପାୟ ହୋଇ ପରିଶେଷରେ ଝିଅର ଶଶୁର ସେହି ବେଲଗାଁ ଅଧିକାରାଙ୍କୁ ଘର ଜଗାଇ ପୁରୀ ଯାତ୍ରା କଲେ । ରେଲ ସୁବିଧା ହେତୁ ଦିନକ ମଧ୍ୟରେ ପୁରୀରେ ପହଞ୍ଚିଲେ । ସେହି ଦିନ ରାତିରେ ଦାସେ ସ୍ୱପ୍ନ ଦେଖିଲେ–ଘରେ ଚୋର ପଶି ସବୁ ବହି ନେଲ ଯାଉଅଛନ୍ତି । ସେ ସ୍ତ୍ରୀଙ୍କୁ ଡାକିବାକୁ ଚେଷ୍ଟା କରୁଅଛନ୍ତି; ମାତ୍ର ଭୟରେ ତୁଣ୍ତ ଖିନି ମାରି ଯାଉଛି । ଦାସେ ହଠାତ୍‌ବିଳବିଳାଇ ଉଠିଲେ–‘‘ସୁ ସୁ ସୁ ଦୁରୀମା ଚ ଚ ଚ ।’’ ଅର୍ଥାତ୍‌ସୁଦୁରୀମା, ଚୋର , ଚୋର, ଚୋର । ହଠାତ୍‌ଦାସଙ୍କର ନିଦ ଭାଙ୍ଗିଗଲା, ଦେହ ଶୀତରେ ପଡ଼ିଲା, ମନ ଭାରି ଘାଣ୍ଟି ଗୋଳେଇ ହେଲା । ସେ ସ୍ତ୍ରୀଙ୍କୁ ଉଠାଇ ସ୍ୱପ୍ନକଥା କହିଲେ । ଉଷା ଶୁଣି ଆଶଙ୍କାରେ ଅସ୍ଥିର ହୋଇ ପଡ଼ିଲେ ଏବଂ କହିଲେ–‘‘ତୀର୍ଥସ୍ନାନ, ଠାକୁରଦର୍ଶନ ତ ସରିଯାଇଛି, ମୋ ମନ ବଡ଼ ଉଚ୍ଛନ୍ନ ହେଲାଣି, ଚାଲ ଏହି ରାତିଗାଡ଼ିରେ ବାହାରିଯିବା ।’’ ଦାସେ ମଧ୍ୟ ସେହି କଥା ଭାବିଥିଲେ । ସୂତରାଂ ସହଜରେ ସମ୍ମତ ହୋଇ ଆଉ କାଳବିଳମ୍ୱ ନ କରି ସେହି ରାତିରେ ପୁରୀରୁ ବାହାରି ଆସିଲେ । ଘରେ ପହଞ୍ଚି ଦେଖିଲେ, ତାଙ୍କ ସ୍ୱପ୍ନର ଗୋଟିଏ ବର୍ଣ୍ଣ ସୁଦ୍ଧା ସତ୍ୟ ନୁହେଁ । ତହୁଁ ତାଙ୍କର ଛାତିଦୁଲକା ବନ୍ଦ ହୋଇଗଲା; ସେ ଦୀର୍ଘଶ୍ୱାସ ଛାଡ଼ି ଆଶ୍ୱସ୍ତି ଲାଭ କଲେ । ବାଟରେ ଆସୁଁ ଆସୁଁ କେତେ ଦେବତାଙ୍କୁ ଡାକିଥିଲେ; ମାତ୍ର ଘରେ ପହୁଞ୍ଚି ଆଉ କାହାକୁ ଡାକିବା ଉଚିତ ମନେ କରି ନାହାନ୍ତି । ଦାସଙ୍କର ଦେବଭକ୍ତି ଏବଂ କୃତଜ୍ଞତା ସବୁଦିନେ ଏହିପରି । ଏକା ଏହି ଦାସେ ନୁହନ୍ତି–ଏହିଭଳି ସଂସାରରେ ଯଥେଷ୍ଟ ସୁଲଭ । ବିପଦବେଳେ ସେମାନେ କେତେ ଦେବଦେବୀଙ୍କୁ ଡାକନ୍ତି ଏବଂ ଉତ୍କୋଚର ପ୍ରଲୋଭନ ଦେଖାନ୍ତି; ମାତ୍ର ବିପଦ ମେଣ୍ଟିଗଲେ ଆଉ କିଛି ମନରେ ଥାଏ ନାହିଁ । ସେମାନେ କୁକୁଡ଼ା ପରି ବଡ଼ ଚତୁର ଜୀବ; ଦେବତାଙ୍କୁ ସୁଦ୍ଧ ବୃଦ୍ଧାଙ୍ଗୁଳି ପ୍ରଦର୍ଶନ କରିପାରନ୍ତି । କୁକୁଡ଼ା-ସକାଳୁ ଉଠି କହେ, ‘‘ରଖ ମା ମଙ୍ଗଳା ରଖ’’; ପୁଣି ସନ୍ଧ୍ୟା ସମୟରେ ନିରାପଦ ସ୍ଥାନରେ ରହି କହେ–‘‘ଠକ୍‌ମା ମଙ୍ଗଳା ଠକ୍‌।’’ ସେ ଯାହା ହେଉ, ଦାସେ ପୁରୀ ଯାଇ ଗୋଟାଏ ସତ୍‌କାର୍ଯ୍ୟ କରିଆସିଥିଲେ। ଜଗନ୍ନାଥଙ୍କୁ ଦଶ ଟଙ୍କା ବାର୍ଷିକ ବୃତ୍ତ ଦେବେ ବୋଲି ଗରୁଡ଼ ସ୍ତମ୍ଭରେ ମୁଣ୍ତ ମାରି କହିଆସିଥିଲେ; ମାତ୍ର ଜଗନ୍ନାଥଙ୍କ ଭାଗ୍ୟରେ ସେହି ବୃତ୍ତଲାଭ ଥରକରୁ ଅଧିକ ଘଟି ନାହିଁ । ଦାସେ ପ୍ରଥମ ବର୍ଷ ଦଶ ଟଙ୍କା ପଠାଇଥିଲେ; କିନ୍ତୁ ଦ୍ୱିତୀୟ ବର୍ଷ ତାଙ୍କର ଇନ୍‌କମ୍‌ଟାକ୍‌ସ ଦଶ ଟଙ୍କା ବଢ଼ିଯିବାରୁ ଜଗନ୍ନାଥଙ୍କ ବୃତ୍ତଛେଦ କରାଯାଇ ସେହି କ୍ଷତି ପୁରଣ କରିବାକୁ ହେଲା । ଏଥିରେ ଦାସଙ୍କର କିଛି ଦୋଷ ନାହିଁ–ଏହା ଜଗତର ଭାଗ୍ୟବିଧାତା ଜଗନ୍ନାଥଙ୍କର ଦୁର୍ଭାଗ୍ୟର ଦୋଷ ! ଜଗନ୍ନାଥେ ଇନ୍‌କମ୍‌ଟାକ୍‌ସ ଡେପୁଟିଙ୍କୁ ଟେକ୍‌ସ ବୃଦ୍ଧିର ବୃଦ୍ଧି ନ ଦେଇଥିଲେ ସେ ଯାବତନ୍ଦ୍ରାର୍କେ ପୁତ୍ରପୌତ୍ରାବିକ୍ରମେ ଦାସଙ୍କ ବୃତ୍ତିର ଅଧିକାରୀ ହୋଇପାରିଥାଆନ୍ତେ ।

Image

 

ଷୋଡ଼ଶ ପରିଚ୍ଛେଦ

 

ପ୍ରାୟଶ୍ଚିତ୍ତରେ ଦାସଙ୍କର ପାଞ୍ଚ ଶତ ଟଙ୍କା ବ୍ୟୟିତ ହେଲା; କିନ୍ତୁ ଦାସେ ହଜାରେ ବୋଲି କହି ବୁଲିଲେ । ତାଙ୍କର ଏ ବିପଦରେ ଅନେକ ଲୋକ ଦୁଃଖିତ ହେଲେ ନାହିଁ । ଜଣଙ୍କର ଦୁଃଖରେ ଆଉ ଜଣେ ସୁଖୀ, ଏହା ମାନବପ୍ରକୃତିରେ ମହତ୍‌ଦୋଷ । କେତେ ଦିନଯାଏଁ ଦାସଙ୍କ ପ୍ରକୃତିରେ ସମାଲୋଚନା ଯଥାତଥା ହେବାକୁ ଲାଗିଲା । ବନ୍ଧୁକର ଶବ୍ଦ ମୃହୂର୍ତ୍ତକ ମଧ୍ୟରେ ମିଳାଇଯାଏ; ମାତ୍ର ଧୁଆଁ କିଛିକ୍ଷଣ ରହି ଘୁରିବୁଲେ । ମଙ୍ଗଳା ମା କହିଲା–‘‘ମୋହରି ନିଃଶ୍ୱାସ ପଡ଼ିଲା । ମୋର ଫିରିଫିରା ଦିଖଣ୍ତ ଘରେ ରଖି କହିଲା–‘ନା, ମୋ ଘରେ ନାହିଁ, ଥିଲେ ତ ଖାତାରେ ଲେଖା ହୋଇଥାଆନ୍ତି । ତୁ କେବେ କାହାର କରି ନେଇ ଫିସାଦ କାଢ଼ୁଛୁ ।’ ଏହା କହି ମୋ ଉପରେ ଆହୁରି ତେରିମେରି ହେଲା । ଯେତେ କହିଲି, ଠୁଳେ ମାନିଲା ନାହିଁ । କଅଣ କରିବି, କାନ ମୁଣ୍ତ ଆଉଁଷି ହୋଇ ଆସିଲି ।’’ ଚେମୀ ଗଉଡ଼ୁଣୀ କହିଲା–‘‘ମୋତେ କଅଣ କହୁଛୁ ଲୋ ଭଉଣି, ମୁଁ ପରା ଅଙ୍ଗେ ନିଭେଇଚି ! ଏଡ଼େ ଏଡ଼େ ରୂପା ଚକି ଦିଖଣ୍ତ ଦେଇ ତିନି ଥରରେ ତିନି ଆଞ୍ଜୁଳା ପଇସା ନେଲାଣି, ତେବେ ବି କହୁଛି–‘ହେଲା ନାହିଁ ।’ ନେଉ ଆଉ କେତେ ନେବ; ଦେବଧର୍ମ ଅଛି, ସେହି ଏକା ବୁଝାମଣା କରିବ ।’’ ଉଦିଆ ପୋଖରୀରୁ ଓଦା ସତ ସତ ହୋଇ ଉଠିଆସି କହିଲା–‘‘ହଁ ଲୋ ଚେମୀ ନାନି, ଦେବଧର୍ମ ବୁଝାମଣା କରିସାରିଲାଣି । ଏଥର ଖୁବ୍‌ଗୁଡ଼ାଏ ବାହାରିଲା ଯେ ! ଯେତିକି କରିବୁ ଛନ୍ଦମନ୍ଦ୍‌, ତେତିକି ନେବ ଗୋପାଳଚନ୍ଦ୍‌। ପାଞ୍ଚ ଶାସନରେ ତ ପାଞ୍ଚପୁଡ଼ି ଢାଳିଦେଇଛି, ନ ହେଲେ କଅଣ ଜାତି ହୋଇପାରିଥାନ୍ତା ?’’ କିନ୍ତୁ ପାଠକ ପୂର୍ବରୁ ଜାଣିଅଛନ୍ତି ଯେ, ଦାସେ ପାଞ୍ଚ ଶାସନକୁ ପାଞ୍ଚକୋଡ଼ି ମାତ୍ର ପ୍ରଣାମୀ ଦେଇଅଛନ୍ତି । ଉଦିଆ ମୁଖରେ ସେହି ପାଞ୍ଚକୋଡ଼ି ପାଞ୍ଚପୁଡ଼ି ହୋଇଅଛି–ଦାସଙ୍କ ଚକ୍ରବୃଦ୍ଧି ସୁଧକୁ ସୁଦ୍ଧା ଅତିକ୍ରମ କରିଗଲା ! ପୁନଶ୍ଚ ଉଦିଆ କହିଲା–‘‘ଶୁଣ୍ ଚେମୀ ନାନି, ମୋ କାଖରେ ଗଙ୍ଗାକଳସୀ ଅଛି, ମୁଁ ଓଦାଲୁଗା ପିନ୍ଧିଛି, ତୁ ବଡ଼ ଭଉଣୀ ପରି, ମଙ୍ଗଳା ମା ମାଉସୀ ମା ପରି, ଦିଆଖି ଛୁଉଁଛି, ମୁଁ ତମ କତିରେ ମିଛ କହୁ ନାହିଁ ! ଆମେ ତାହାର ଉଚ୍ଚାରିବା କଥାକୁ ହାତ ପାତିଥାଉଁ । ସେ କଅଣ କଲା ଶୁଣିବୁ ? ରୂପା ମୁଦି ବନ୍ଧା ଦେଇ ଚାରିଅଣ, ନେଇଥିଲି । କଅଣ କରିବି ଲୋ ଭଉଣି, ଯୁଆଡ଼ୁ ଯେତେ ଆଣିଲେ ତ ମଡ଼ାମରା ପେଟ ଚାଖଣ୍ଡକୁ ଅଣ୍ଟିଲା ନାହିଁ । ରହୁଁ ରହୁଁ ଛଅ ମାସ ହୋଇଗଲା-। ତା ବାପ ଦିନେ ପଇସା ନେଇ ଛଅ ମାସ ହୋଇଗଲା ! ତା ବାପ ଦିନେ ପଇସା ନେଇ ମୁଦିଟା ମୁକୁଳାଇବାକୁ ଗଲା । ମୂଳ ଚାରିଅଣା ନେଲା, ସୁଧ ଅଣେ ନେଇ ଆହୁରି ଦିପଇସା ନେଲା; ତେବେ ଯାଇ ମୁଦି ଦେଲା ! ଗରିବଙ୍କ ତଣ୍ଟି ଚିପି ଟଙ୍କାରେ ଅଣାଏ ସୁଧ ନେଲେ ତାହା କି ଧର୍ମ ସହିବ ? ଆଉ ଗୋଟାଏ କଥା ଶୁଣିବୁ ? ଆମ ଡୋମା ବାହାଘର ବେଳେ ବାରଣ୍ଡା ଦିଟା ଟଙ୍କା ନେଇଥିଲା । କଅଣ କହିବି ଲୋ ନାନି, ତୁ ପରତେ ଯିବୁ ନାହିଁ–ଆର ମାସରେ କଲିକତାରୁ ଆସି ପରା ଅଧସେରେ ଟଙ୍କା ନେଇ ତାଳିଦେଇ ଆସିଲା । ସେହି ଯେ କି ୠଷି ନା ମୁନି ସମୁଦ୍ର ଶୋଷିଥିଲା, ନିତେଇ ଦାସ ତାହାରି ପରି ସମୁଦ୍ର ଶୋଷିବା ଲୋକ ।’’ ଏହିପରି ଅନେକ ଲୋକ ଅନେକ କଥା କହନ୍ତି; ମାତ୍ର ଦାସେ ସେ କଥାରେ କର୍ଣ୍ଣଦାନ କରନ୍ତି ନାହିଁ । ସେ କହନ୍ତି ‘‘ନିନ୍ଦା ପ୍ରଶଂସା ପନ୍ଦର ଦିନ ।’’ ଏହା ଯଥାର୍ଥ କଥା । କୁକାର୍ଯ୍ୟ ସୁକାର୍ଯ୍ୟର ନିନ୍ଦା ପ୍ରଶଂସା ପ୍ରଥମରେ କିଛି ଦିନ ଯାଏଁ ଲୋକେ ଗାଇବୁଲନ୍ତି; ମାତ୍ର ତେଣିକି ତାହା ମିଳାଇଯାଏ । ସେଥିରେ କାହାର ବା ଭାତଲୁଗା ହେବ ଯେ, ସବୁଦିନେ ସେହି କଥା କିଏ ଘେନି ବସିଥିବ ?

 

ରାମା ବାହାରିଗଲା ଦିନଠାରୁ ପ୍ରାୟ ପ୍ରତିରାତିରେ ଦାସେ କୁସ୍ୱପ୍ନ ଦେଖୁଅଛନ୍ତି । ସିଂହ ବ୍ୟାଘ୍ରଦ୍ୱାରା କେବେ ଆକ୍ରାନ୍ତ ହେଉଅଛନ୍ତି; କେବେ ବା ରାମାର ମୃତ ପିତା ରାଧିକା ଦାସଦ୍ୱାରା ସ୍ତହୃତ ହେଉଅଛନ୍ତି । ଏହିପରି ନାନା ସ୍ୱପ୍ନ ଦେଖନ୍ତି । ଥରେ ସ୍ୱପ୍ନ ଦେଖିଲେ–ଗୋଟାଏ ବିରାଟ ବିକଟାକାର ଅଦୃଷ୍ଟଅଶ୍ରୁତପୂର୍ବ ଜୀବ ମାନବଭାଷାରେ ‘‘ରେ ରେ ରେ ରେ’’ କହି ହସ୍ତସୃଷ୍ଟି ଉତ୍ତୋଳନପୂର୍ବକ ଦାସଙ୍କ ଆଡ଼କୁ ଧାଇଁ ଆସିଲା । ଦାସେ ଭୟରେ ହାଉଳି ଖାଇ ଉଠି ବସି ଥରିବାକୁ ଲାଗିଲେ; ଆଉ ଥରେ ସ୍ୱପ୍ନ ଦେଖିଲେ–ରାଧିକା ଦାସ ତାଙ୍କୁ ଅନର୍ଗଳ ପ୍ରହାର କରୁଅଛି । ସେ ଭୟବିହ୍ୱଳ କଣ୍ଠରେ ‘‘ମରିଗଲି ମରିଗଲି ସଙ୍ଗାତେ, ଆଉ ମାର ନାହିଁ–ତମକୁ ଜୁହାର ହେଉଛି’’ ବୋଲି କହି ନିଦ୍ରାରୁ ଉଠି ବସି ମୁର୍ଚ୍ଛିତ ହେଲେ । ସ୍ୱାମୀଙ୍କ ବ୍ୟାକୁଳ ବାଣୀରେ ଉଷାଙ୍କର ନିଦ ଭାଙ୍ଗିଗଲା । ସେ ଦାସଙ୍କ ମୁଖରେ ଜଳସେଚନପୂର୍ବକ ତାଙ୍କୁ ସଚେତ କରାଇଲେ । ସ୍ୱାମୀଙ୍କ ମୁଖରୁ ସ୍ୱପ୍ନବୃତ୍ତାନ୍ତ ଶୁଣି ଉଷାଙ୍କ ମନରେ ସୁଦ୍ଧା ଭୟ ଜାତ ହେଲା । ପୁନଶ୍ଚ ଆଉ ଥରେ ସ୍ୱପ୍ନ ଦେଖିଲେ–ଗୋଟାଏ ବୃହତ୍‌ମର୍କଟ ଦାନ୍ତ ରଗଡ଼ି ଧାଇଁ ଆସି ତାଙ୍କ ମୁଣ୍ଡ ଉପରକୁ ଖପ୍‌କରି କୁଦା ମାରି ମୁଣ୍ଡଟା ଲହୁଲୁହାଣ କରିଦେଲା । ପ୍ରଥମଥଃ ଦାସେ ଏସବୁ କୁସ୍ୱପ୍ନକୁ ଖାତର କଲେ ନାହିଁ; ମାତ୍ର ସ୍ୱପ୍ନ କ୍ରମଶଃ ଭୀଷଣରୁ ଭୀଷଣତର, ଭୀଷଣତମ ହେବାରୁ ଭୟରେ କାତର ହୋଇପଡ଼ିଲେ-। ସ୍ୱପ୍ନ ସତ୍ୟ କି ମିଥ୍ୟା, ଅନେକ ଜାଣିବା ଲୋକଙ୍କୁ ପଚାରିଲେ । କେହି କହିଲା–ନିପଟ ମିଛ; କେହି କହିଲା, ସତ ନୁହେଁ କି ମିଛ ନୁହେଁ । କେହି ବା କହିଲା–କେତେ ସ୍ୱପ୍ନ ମିଛ ହୁଏ, ପୁଣି କେତେ ସତ ବି ହୁଏ । ସ୍ୱପ୍ନ ସତମିଛ ମିଶାମିଶି–ଅଧେ ସତ, ଅଧେ ମିଛ ! ଦାସେ ସ୍ୱପ୍ନକଥା ଉଷାଙ୍କ ବ୍ୟତୀତ ଅନ୍ୟ କାହାରିକୁ କହନ୍ତି ନାହିଁ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି କାଳେ ସ୍ୱପ୍ନକଥା ମଧ୍ୟରୁ ଆଉ କିଛି ବାହାରିପଡ଼େ, ସ୍ୱପ୍ନ–ଗୋପନର ଏହା ହିଁ କାରଣ । ଏହି ଅମଙ୍ଗଳ ସ୍ୱପ୍ନର ଫଳ କଅଣ ହେବ, ଦାସେ ଏହି ଭାବନାରେ ସର୍ବଦା ଶଙ୍କିତ ରହିଲେ ।

 

ପାଠକ, ଏବେ ବିଲଗାଁ ଅଧିକାରୀ ଘର ହାଲଚାଲ ଟିକିଏ ବୁଝିବେ ଚାଲନ୍ତୁ । ପଦନ ଅଧିକାରୀ ଜଣେ କ୍ଷୁଦ୍ର ଜମିଦାର । ତାଙ୍କର ଦୁଇଖଣ୍ଡ ଗାଁ ଅଛି । ସେଥିରୁ ବାର୍ଷିକ କର ସହସ୍ରାଧିକ ଟଙ୍କା ଆଦାୟ ହୁଏ । ଏହା ଛଡ଼ା ସାତ ହଳ ବଳଦର ଚାଷ । ଜଣେ ଗୁମାସ୍ତା ଅଛି; ସେ ବିଷୟ ସମ୍ପତ୍ତି ତତ୍ତ୍ୱାବଧାନ କରେ । ଅଧିକାରୀଙ୍କ କନିଷ୍ଠ ଭ୍ରାତା ନିରାପତ୍ୟ; ଅଧିକାରୀଙ୍କର ଏକମାତ୍ର ପୁତ୍ର ବୀରଭଦ୍ର ସମ୍ପତ୍ତିର ଭାବୀ ଉତ୍ତରାଧିକାରୀ । ଏହି ବୀରଭଦ୍ର ସୁଭଦ୍ରାର ସ୍ୱାମୀ । ଅଧିକାରୀଙ୍କ ଘରେ ଦାସ ସାସୀ ଅଛନ୍ତି; ମାଉସୀ, ପିଉସୀ, ମଉଳାପୁଅ ଭାଇ ପ୍ରଭୃତିର ସୁଦ୍ଧା ଅଭାବ ନାହିଁ । ସେଥିମଧ୍ୟରେ କେହି ଆତ୍ମୀୟ ଏବଂ କେହି ବା ସମ୍ପର୍କୀୟ । ଯେଉଁଠାରେ ପାଣି ଥାଏ, ସେଠାରେ ନାନା ଜଳଚର ଆଶ୍ରୟ ନିଅନ୍ତି । ଜମିଦାର ଘର ବୋଲି କେତେ ଦୂର ଏବଂ ନିକଟ ସମ୍ପର୍କୀୟ ଅନାଥ-ଅନାଥା ଆସି ଆଶ୍ରୟ ନେଇଅଛନ୍ତି । ଅଧିକାରୀଙ୍କର ପାଞ୍ଚପୁର ଘର; ସବୁ ଘର ମାଟୁ । ବେଢ଼ିଆ ଖୁଣ୍ଟ ବଡ଼ଲୋକ ଘରର ପରିଚାୟକ । ଦାଣ୍ଡ ଆଗରେ ଫଳବୃକ୍ଷର ବିସ୍ତୃତ ଉଦ୍ୟାନ । ସେଥିରେ ଆମ୍ବ, ପଣସ, ତାଳ, ନଡ଼ିଆ, ତେନ୍ତୁଳି, କରମଙ୍ଗା, ବରକୋଳି, କେଉଠ, ଟଭା, କମଳା, ସାଲମା, ଜାମ, ଅଉ, ସଜିନା, କରଞ୍ଜ, ଗୁଆ, ଲଙ୍କାଆମ୍ବ ପ୍ରଭୃତି ଗୃହସ୍ଥର ଆବଶ୍ୟକୀୟ ସକଳ ପ୍ରକାର ବୃକ୍ଷ ଅଛି । ଘର ପଛପଟକୁ ବିସ୍ତୀର୍ଣ୍ଣ ଶାକଶବଜିର କ୍ଷେତ୍ର । ବାଡ଼ିରେ ଗୋଟାଏ ପୋଖରୀ ଅଛି; ସେଥିରେ ଭଲ ଭଲ ମାଛ ଜିଆ ହୋଇ ଅଛି । ପୋଖରୀ ଆଡ଼ି ଉପରେ ପ୍ରକାଣ୍ଡ କଦଳୀ ତୋଟା; ସେଥିରେ ଯେତେବେଳେ ଖୋଜ, ଦଶ ପନ୍ଦର କାନ୍ଦି କଦଳୀ ଥାଏ । ପରିବାର ପାଳନର ଉପଯୋଗୀ ସମସ୍ତ ପଦାର୍ଥ ଅଧିକାରୀ କୃଷିରୁ ଉତ୍ପାଦନ କରନ୍ତି; କେବଳ ଲୁଣ, ପାନ ପ୍ରଭୃତି ସାମାନ୍ୟ କେତେଟା ପଦାର୍ଥ କିଣିବାକୁ ହୁଏ । ବାଡ଼ିରେ କପା ଚାଷ ହୁଏ; ସେଥିରେ ବର୍ଷକର ଲୁଗା ଚଳିଯାଏ । ଘରେ ଗାଈ ଥିବାରୁ ଦୁଧ, ଦହି ଘିଅ ସୁଲଭ । ସ୍ଥୂଳରେ କହିବାକୁ ଗଲେ ଅଧିକାରୀଙ୍କର ଗାର୍ହସ୍ଥ୍ୟ ଅଭାବ କିଛି ନାହିଁ । ସୁତରାଂ ସୁଖ ସ୍ୱାଚ୍ଛନ୍ଦ୍ୟରେ ସେ କାଳଯାପନ କରନ୍ତି । ସୁଭଦ୍ରା ଏକମାତ୍ର ବଧୁ ହେତୁ ଶ୍ୱଶୁରଙ୍କର ସ୍ନେହପୁତ୍ତଳୀ; ଶାଶୁଙ୍କର ଜୀବନଧନ ! ସୁଭଦ୍ରା ସୁଦ୍ଧା ଉଭୟଙ୍କୁ ପିତୃମାତୃ ତୁଲ୍ୟ ଭକ୍ତି କରେ । ଶାଶୁ ଶ୍ୱଶୂର ଦୁହେଁ ଗେହ୍ଲା ବହୁଟିକୁ ବସୁମତୀରେ ହାତ ମରାଇ ଦିଅନ୍ତି ନାହିଁ । କିନ୍ତୁ ସୁଭଦ୍ରାର ଇଚ୍ଛା ଅନ୍ୟ ପ୍ରକାର, ସେ ସ୍ୱହସ୍ତେ ରାନ୍ଧି ପରିବାରବର୍ଗଙ୍କୁ ଖୁଆଇପାରିଲେ ଅସୀମ ତୃପ୍ତି ଏବଂ ପ୍ରୀତି ଅନୁଭବ କରେ । ସୁଭଦ୍ରା ପ୍ରଥମେ ପ୍ରଥମେ ଶାଶୁ ଶ୍ୱଶୂରଙ୍କୁ ଲାଜ କରୁଥିଲା; କିନ୍ତୁ ସେଥିରେ ସେମାନେ ଦୁଃଖିତ ହେବାରୁ ଆଉ ଲାଜ କରେ ନାହିଁ । ସେ ଶାଶୁକୁ ମା ଏବଂ ଶ୍ୱଶୁରକୁ ବାବା ବୋଲି ଡାକେ । ସେମାନେ ସୁଦ୍ଧା ତାକୁ କନ୍ୟାଧିକ ସ୍ନେହାଦର କରନ୍ତି । ସୁଭଦ୍ରା ବାଳିକା କନ୍ୟା ପରି ସେମାନଙ୍କ ନିକଟରେ ନାନାପ୍ରକାର ଅଳି ଅଜଟ କରେ । ଶାଶୁ ଶ୍ୱଶୁର ସେଥିରେ ଅପାର ଆନନ୍ଦ ଉପଭୋଗ କରନ୍ତି । ଶ୍ୱଶୁର ରାନ୍ଧିବାକୁ ନିଷେଧ କରି କହନ୍ତି–‘‘ମୋ ରାଣ ତି ମା, ତୁ କେବେ ଚୁଲି କତିକୁ ଯିବୁ ନାହିଁ ।’’ ସୁଭଦ୍ରା କହେ–‘‘ହଁ ବାବା, ମୁଁ ତମ କଥା ମାନିବି; ଆଉ ମୁଁ ପିଠା କରିବି, ତମେ ଏକା ଖାଇବ । ମନା କଲେ ମୁଁ ଭାତ ଖାଇବି ନାହିଁ, କାନ୍ଦିବି ।’’ ଶ୍ୱଶୁର ହସି ହସି ସ୍ନେହମିଶା ମଧୁର କ୍ରାଧରେ କହନ୍ତି–‘‘କର ବାୟାଣୀ, ଯାହା ତୋର ଇଚ୍ଛା, ମୁଁ ଆଉ ତୋତେ ପାରିବି ନାହିଁ ।’’ ରାତିରେ ଶୋଇବାବେଳେ ସୁଭଦ୍ରା ଶାଶୁଙ୍କ ଗୋଡ଼ ଘଷି ଦେବାକୁ ଯାଏ; ମାତ୍ର ନିଷେଧ କଲେ ସୁଖ ଗମ୍ଭୀର କରି ରୂଷି ବସେ–ଆଖିରେ ଲୁହ ଢଳ ଢଳ କରେ ! ଶାଶୁ ତାକୁ ପାଖକୁ ଟାଣି ନେଇ କେତେ ଆଦର କରନ୍ତି । ସୁଭଦ୍ରା ଶାଶୁଙ୍କ କୋଳରେ ମୁହଁ ଲୁଚାଇ କହେ–‘‘ମା, ତମ ଗୋଡ଼ତଳେ ପଡ଼ୁଛି, ମୋତେ ଗୋଡ଼ ଘଷିବାକୁ ମନା କରିବ ନାହିଁ ।’’ ଶାଶୁ କହନ୍ତି–‘‘କି ଜଞ୍ଜାଳୀ ହେଲୁ ତୁ ମା, ଆଛା ଟିକିଏ ଦେ ।’’ ସୁଭଦ୍ରାର ଆନନ୍ଦ ଆଉ କହିଲେ ନ ସରେ; ସେ ହସି ହସି ଦ୍ୱିଗୁଣ ଆଗ୍ରହରେ ଶାଶୁଙ୍କ ପଦସେବାରେ ଲାଗିଯାଏ । ଯେଉଁ ଘରେ ଏଭଳି ଶାଶୁ, ଶ୍ୱଶୁର ଏବଂ ଏଭଳି ବଧୁ ଥାଆନ୍ତି, ସେ ବାସ୍ତବରେ ସୁଖର ସ୍ୱର୍ଣ୍ଣସ୍ୱର୍ଗ; ଅନାବିଳ ଅମୃତଧାରା ସେହି ଘରେ ଚିର ପ୍ରବାହିତ ହୁଏ । ଆଉ ଯେଉଁ ଘରେ ଶାଶୁ ବହୁର ବିରୋଧ, ସେ ଘରେ ନରକର କୀଟ ସଲ ସଲ ! ଯେଉଁ ଘରେ ସ୍ନେହପୀତରେ ପ୍ରତିଦାନ ନାହିଁ–ଶ୍ରଦ୍ଧାଭକ୍ତିର ମୂଲ୍ୟ ନାହିଁ, କେବଳ ଦ୍ୱେଷ, କଳହ ଏବଂ ପରଶ୍ରୀକାତରତା ଅଷ୍ଟପ୍ରହର ଆତ୍ମପ୍ରକାଶ କରେ, ସେ ଘର ଭୀଷଣ ଶ୍ମଶାନ ଛଡ଼ା ଅନ୍ୟ କିଛି ନୁହେଁ । ସେ ଘରେ ସୁଖ ନାହିଁ–ଶାନ୍ତି ନାହିଁ, ଅଛି କେବଳ ଦୁଃଖ-ଦାବାନଲର ଅସହ୍ୟ ଉତ୍ତାପ ଏବଂ ଯନ୍ତ୍ରଣାର ପ୍ରାଣଘାତୀ ହଳାହଳ ! ସେ ରୂପ ଘରେ ବାସ କରିବା ଅପେକ୍ଷା ହିଂସ୍ରଜନ୍ତୁସଙ୍କୁଳ ଅରଣ୍ୟରେ ବାସ କରିବା କୋଟି ଗୁଣରେ ଶ୍ରେୟ ।

 

ସୁଭଦ୍ରା ସ୍ୱହସ୍ତରେ ଚାଉଳ ବାଟି ପିଠା ପୋଡ଼େ । ସେହି ପିଠା, ଦୁଧ ଏବଂ ଗୁଡ଼ ଶ୍ୱଶୁରଙ୍କୁ ଜଳଖିଆ ଦିଏ । ଶ୍ୱଶୁରଙ୍କ ଭୁକ୍ତାବଶେଷକୁ ଦେବପ୍ରସାଦ ମଣି ଆନନ୍ଦରେ ଭୋଜନ କରେ-। କୁଣ୍ଢାଇ ଖେଳ ସୁଭଦ୍ରାର ଅତି ପ୍ରିୟ । ଦୁଇଟି କୁଣ୍ଢାଇକୁ ବର କନ୍ୟା ବେଶରେ ସଜ୍ଜିତ କରି ବିବାହ ଦିଏ–ହୁଳାହୁଳି ଦେଇ ଶଙ୍ଖ ବଜାଏ । ସେ ତାହାର କନ୍ୟାର ବିବାହ । କନ୍ୟା ବିବାହ ଉପଲକ୍ଷରେ ଦିନେ ଦିନେ ଶାଶୁ ଶ୍ୱଶୁରଙ୍କୁ ନିମନ୍ତ୍ରଣ କରେ । ଶ୍ୱଶୁରଙ୍କୁ କହେ–‘‘ବାବା, ଆଜି ମୋ ଝିଅର ବାହାଘର, ତମେ ଦେଖିବ ଆସ ।’’ ବିବାହ ସ୍ଥଳରେ ଶାଶୁ ଶ୍ୱଶୁର ଉପସ୍ଥିତ ହୋଇ ସରଳା ବାଳିକା-ବଧୂର କୌତୁକକ୍ରୀଡ଼ା ଦେଖି ମହୀରେ ଥାଇ ସ୍ୱର୍ଗସୁଖ ଉପଭୋଗ କରନ୍ତି । ଦିନେ ଅଧିକାରୀ କହିଲେ–‘‘ମା, ଏହି ମାଟି କୁଣ୍ଢେଇଟାକୁ ଜୁଇଁ ନ କରି ମୋତେ କଲେ କି ଚଳିବ ନାହିଁ-?’’ ସୁଭଦ୍ରା କହିଲେ–‘‘ନା ବାବା, ଏ ପେଚାମୁହୀଁଟା ମାଆଙ୍କର ସଉତୁଣୀ ହେବ–ତାଙ୍କୁ ଗଞ୍ଜିବ ?’’ ଅନନ୍ତର କନ୍ୟା ଗାଲରେ ଖୁନ୍ଦାଏ ବସିଗଲା । ସୁଭଦ୍ରାର କଥା ଶୁଣି ବୃଦ୍ଧ ଅଧିକାରୀ–ଦମ୍ପତି ନ ହସି ରହିପାରିଲେ ନାହିଁ । ସୁଭଦ୍ରାର ଏଭଳି ଆଚରଣ ଦେଖି କେହି କେହି ତାହାକୁ ପ୍ରଗଲ୍‌ଭା ମନେ କରିପାରନ୍ତି; ମାତ୍ର ଏହା ତାହାର ଅଲାଜୁକପଣ ବା ବେହିଆମି ନୁହେଁ । ବାଳିକା ହୃଦୟର ସରଳ, ସୁନ୍ଦର, ନିର୍ମୟଭାବ ଏବଂ ପବିତ୍ର ପ୍ରେମ ତାହାର କାର୍ଯ୍ୟରୁ ଫୁଟି ବାହାରୁଅଛି । ସେ ଦେବଦୁର୍ଲଭ ପ୍ରେମର ପୂଣ୍ୟାଦର୍ଶନ ମର୍ତ୍ତ୍ୟରେ ଦେଖାଉଅଛି । ଏହି ଅନାବିଳ ପ୍ରେମଦ୍ୱାରା ପର ଆପଣାର ହୁଏ । ଏଭଳି ପ୍ରେମ ଲାଭ କରି କେହି ଅନାତ୍ମୀୟ ରହିପାରେ ନାହିଁ । ଏହି ପ୍ରେମ ଯେ ଲାଭ କରେ, ସେ ସୌଭାଗ୍ୟବାନ୍ ଏବଂ ସୁଖୀ । ଯେଉଁ ଗୃହରେ ଏହି ପ୍ରେମରେ ଅଭିନୟ ହୁଏ, ସେ ଘର ଚିର ମହୋତ୍ସବମୟ; ସେ ଘର ପବିତ୍ର–ସେ ଘରର ମାଟି ପବିତ୍ର, ସେ ଘରର ବାୟୁ ପବିତ୍ର ! ବଧୂମାନଙ୍କୁ ଜାଡ଼ୀ ହାଉଡ଼ୀ କରି ରଖିବା ସୁଖ, କି ଏହିପରି ପ୍ରେମର ପ୍ରତିମା ଗଢ଼ିବା ସୁଖ, ଭ୍ୱକ୍ତଭୋଗୀ ଭିନ୍ନ ସେ ସୁଖର ଆସ୍ୱାଦନ ଅନ୍ୟ କେହି ବୁଝିବାକୁ ଅକ୍ଷମ ।

 

ସୁଭଦ୍ରା କେବଳ ଶାଶୁଶ୍ୱଶୁରଙ୍କର ସ୍ନେହପାତ୍ରୀ ନୁହେଁ–ତାହାର ବ୍ୟବହାର ତାହାକୁ ସମସ୍ତଙ୍କର ଆଦରର ପାତ୍ରୀ କରିଅଛି । ଦାସଦାସୀମାନେ ତାକୁ ‘‘ମା ଲକ୍ଷ୍ମୀ’’ ବୋଲି କହନ୍ତି । ସେମାନଙ୍କୁ ସୁଭଦ୍ରା ଇତର ଚକ୍ଷୁରେ ଦେଖେ ନାହିଁ । ଆଦରଦ୍ୱାରା ଆଦର କିଣା ହୁଏ । ଯେ ଅନ୍ୟକୁ ଆଦର କରେ, ସେ ଅନ୍ୟଠାରୁ ଆଦର ପାଏ । ସଦ୍‌ବ୍ୟବହାରରେ ଜଗତ ବଶୀଭୂତ ହୁଏ । ସଦ୍‌ବ୍ୟବହାରରେ ଶତ୍ରୁ ସୁଦ୍ଧା ମିତ୍ର ହୁଏ । ଯେ ସମସ୍ତଙ୍କୁ ଆତ୍ମୀୟ କରିପାରେ, ଜଗତରେ ସେହି ଏକା ଅଜାତଶତ୍ରୁ । ସୁଭଦ୍ରା ନିଜ ଗୁଣରେ ସ୍ୱାମୀସୋହାଗିନୀ ହୋଇଅଛି । ସ୍ଥୂଳତଃ ସୁଖ ତାହାକୁ ଚାରି ଆଡ଼ୁ ବେଷ୍ଟନ କରି ରଖିଅଛି ।

 

କାଲି ପ୍ରଥମାଷ୍ଟମୀ; ବଡ଼ ପୁଅ ବା ବଡ଼ ଝିଅର ପଢ଼ୁଆଁ ହେବାର ଦିନ । ନ ଥିଲା ଘରର ବଡ଼ ପୁଅ ବା ବଡ଼ ଝିଅ ନୂଆ ଲୁଗା ପିନ୍ଧନ୍ତି; ମାତ୍ର ଥିଲା ଘରର ସାନ ବଡ଼ ସମସ୍ତେ ନୂଆ ଲୁଗା ପିନ୍ଧନ୍ତି । ଗ୍ରାମରେ କର୍ମଚାଞ୍ଚଲ୍ୟର ସ୍ରୋତ ବହିଯାଉଅଛି । ସ୍ତ୍ରୀଲୋକମାନଙ୍କ ବ୍ୟସ୍ତତା ଅଧିକ–କିଏ ହଳଦିବଟାରେ ଲାଗିଅଛି, କିଏ ଲୁଗା ହଳଦାଇ ଶୁଖାଉଅଛି, କିଏ ହଳଦିଆ ଲୁଗା କୁଞ୍ଚାଉଅଛି, କିଏ ବା ଝିଅଘରକୁ ଭାର ଦେବା ସକାଶେ ପିଠଉ ପାଣିରେ ହାଣ୍ଡି ଢଳାଉଅଛି, କାହା ଘରେ ପିଠା ହେବାପାଇଁ ବୀରିବଟା, କାହା ଘରେ ଚୂନାକୁଟା, କାହା ଘରେ ନଡ଼ିଆକୋରା ଲାଗିଅଛି । ଉତ୍ସବଠାରୁ ଉତ୍ସବ ପୂର୍ବଦିନରେ ଆନନ୍ଦ ଅଧିକ । ରାତି ପାହିଲେ ସମସ୍ତଙ୍କ ଘରେ ପିଠାପଣା ହେବ; ସମସ୍ତଙ୍କର ମନ ସୁଖ-ସାଗରରେ ଭାସୁଅଛି । ପିଲାମାନଙ୍କର ତ ଆନନ୍ଦର ସୀମା ନାହିଁ । ସେମାନେ ମନଫୁଲଣା ଗୀତ ଗାଇ ଖେଳାବୁଲା କରୁଅଛନ୍ତି । ସେମାନେ ସ୍ୱଭାବତଃ ଉଦରସର୍ବସ୍ୱ, କାଲି ଉଦରପୂଜାର ଭୂରି ବ୍ୟବସ୍ଥା ସ୍ମରଣ କରି ଅପୂର୍ବ ଆନନ୍ଦରେ ପ୍ରମତ୍ତ । ଅଧିକାରୀଙ୍କ ଘରେ ବିପୁଳ ଆୟୋଜନ ଲାଗିଅଛି । ଜମିଦାର ଘର, କେତେ ଦୁଃଖୀ, ରଙ୍କୀ, କ୍ଷିରୀ ପିଠା, ଘାଣ୍ଟିଆ ମାଗିବାକୁ ଆସିବେ । ସେଥିପାଇଁ ଆଜିଠାରୁ ପିଠା ତିଆରି ଆରମ୍ଭ ହେଲାଣି । ସୁଭଦ୍ରା ତାହାର ପୁତ୍ତଳୀ ପୁତ୍ରକନ୍ୟାମାନଙ୍କ ସକାଶେ ନୂଆଲୁଗା, ନୂଆଝୁମ୍ପା, ନୂଆମାଳ, ନୂଆହାତଫୁଲୀ ପ୍ରଭୃତି ସଂଗ୍ରହ କରି ରଖୁଅଛି । ମା ନ ହେଉଣୁ ତାହାର ମାତୃତ୍ୱ ବିକଶିତ ହୋଇଉଠିଅଛି । ନାରୀଜୀବନର ଏହା ସ୍ୱାଭାବିକ ଧର୍ମ, ଅଥବା ପୂର୍ବଜନ୍ମର ସଂସ୍କାର । ସୁଭଦ୍ରାର ପୁତ୍ରକନ୍ୟାମାନେ କାଲି ପଢ଼ୁଆଁ ହେବେ; ସୁତରାଂ ତାହାର ମାତୃହୃଦୟରେ ହର୍ଷ ଉଛୁଳି ଉଠୁ ଅଛି । ସେ ଅଳଙ୍କାର ପେଡ଼ୀ ଫିଟାଇ ମନୋମତ ଅଳଙ୍କାରମାନ ବାହାର କଲା । ତାହା ପରିଷ୍‌କୃତ କରି କାଲି ପିନ୍ଧିବ । ସୁନା ଅଳଙ୍କାରକୁ ବଟାହଳଦିରେ ପୋତି ରଖିଲା ଏବଂ ରୂପା ଅଳଙ୍କାରମାନ ଗୋଟାଏ ହାଣ୍ଡି–ମଧ୍ୟରେ କ୍ଷାରଜଳରେ ତିନ୍ତାଇଦେଲା । ଉଭୟ ଅଳଙ୍କାର ପାତ୍ର ଖଟତଳେ ନେଇ ରଖିଦେଲା । ରାତିଯାକ ବତୁରିଥିଲେ ଅଳଙ୍କାର ଦେହରୁ ସହଜରେ ମଳି ଛାଡ଼ିଯିବ; ସୁତରାଂ ତାକୁ ଆଉ ଅଧିକ ପରିଶ୍ରମ କରିବାକୁ ହେବ ନାହିଁ ।

Image

 

Unknown

ସପ୍ତଦଶ ପରିଚ୍ଛେଦ

 

‘‘ଭିକ୍ଷ୍ୟା ଦିଲା ଦେ ରାମ୍‌ ।’’ ବେଳ ବୁଡ଼ିବାକୁ ବସିଲାଣି, ସୂର୍ଯ୍ୟଦେବ ଫଗୁଖେଳ ଖେଳି ଖେଳି କ୍ରମଶଃ ଦିଗ୍‌ମଣ୍ଡଳ ଉହାଡ଼ରେ ଲୁଚି ଯାଉଅଛନ୍ତି, ଏହି ସମୟରେ ଦାଣ୍ଡଦ୍ୱାରରୁ ଭିଖାରୀର ଶବ୍ଦ ଶୁଭିଲା–‘‘ଓଃ ଭାୟା, ମୁଷ୍ଟିଭର ଭିକ୍ ମିଲ ଯାୟ ।’’ ଅଧିକାରୀଙ୍କ ଗୃହିଣୀ ଘରଭିତରୁ ଭିଖାରୀର ଡାକ ଶୁଣି ଭିକ୍ଷାଞ୍ଜଳି ଧରି ବାହାରି ଆସିଲେ । ସୁଭଦ୍ରା ତାଙ୍କ ପଛେ ପଛେ ଆସିଲା । ଶାଶୁ ଭିକ ଦେଇସାରି ପଛକୁ ଅନାଇ ଦେଖିଲେ, ତାଙ୍କର ଦୟାସୁନ୍ଦରମୁଖୀ, ସହାସବଦନା ବଧୂ ଦଣ୍ଡାୟମାନ । ଅଧିକାରୀ ଗୃହିଣୀ ସ୍ନେହାର୍ଦ୍ରସ୍ୱରରେ ପଚାରିଲେ–‘‘ତୋର ଗହଣା ଶୀତଳେଇ ରଖିଛୁ କି ମା ?’’ ସୁଭଦ୍ରା କହିଲା–‘‘ନା ମା, କ୍ଷାରପାଣିରେ ବତୁରେଇ ଦେଇଛି, କାଲି ସକାଳେ ସଫା କରି ପିନ୍ଧିବି ।’’ ‘‘ଆଚ୍ଛା କଲୁ ମା,’’ ଶାଶୁ ଏହା କହି ପୁନଶ୍ଚ ପଚାରିଲେ–‘‘କାହିଁରେ ବତୁରେଇ କଉଁଠି ରଖିଲୁ? ସୁଭଦ୍ରା କହିଲା–‘‘ଗୋଟାଏ ହାଣ୍ଡିରେ ବତୁରେଇ ବାପାଙ୍କ ଖଟତଳେ ରଖି ଦେଇଛି-।’’ ଭିଖାରୀ ଭିକ ନେଇ ସାରି ସୁଦ୍ଧା କାହିଁକି କେଜାଣି ମନୋଯୋଗପୂର୍ବକ ଶାଶୁବୋହୂଙ୍କ କଥା ଶୁଣୁଥିଲା । ଅଧିକାରୀଙ୍କ ସ୍ତ୍ରୀ ବଧୂକୁ ଘେନି ଘର ଭିତରକୁ ଚାଲିଗଲେ; ଭିକ୍ଷୁକ ମଧ୍ୟ ପ୍ରସ୍ଥାନ କଲା । ଭିକ୍ଷୁକ ଜଣେ ଜଟାଧାରୀ ବାବାଜି; ବିଶାଳ ଜଟା କୁଣ୍ଡଳୀକୃତ ହୋଇ ତାହା ମୁଣ୍ଡରେ ଗୋଟାଏ ବୋଝ ବସିଲା ପରି ଦିଶୁଥାଏ । ପରିଧେୟ କୌପୀନ, ତହିଁ ଉପରେ ଖଣ୍ଡିଏ ବହିର୍ବାସ ଅଛି । ଘନ ଲମ୍ବ କୃଷ୍ଣ ଶ୍ମଶ୍ରୁ, ଆବକ୍ଷ ଲମ୍ବମାନ, କାନ୍ଧରେ ଭିକ୍ଷାଝୁଲି ଏବଂ ହାତରେ ଗୋଟାଏ ଲୁହା ଚିମୁଟା । ବର୍ଣ୍ଣ ଶ୍ୟାମ, ତହିଁ ଉପରେ ବହଳଭାବରେ ଭସ୍ମ ବିଲିପ୍ତ । ତାକୁ ଦେଖିଲେ ଛଦ୍ମ ବେଶୀ ପରି ବୋଧହୁଏ ।

 

ସେ ସମୟରେ ଚୋରଗୋଳ ଶୁଣାଯାଉଥାଏ । ଆଜି ଏ ଗ୍ରାମରେ ଚୋରି ହେଲା, କାଲି ସେ ଗ୍ରାମରେ ହେଲା, ଏହିପରି ଭୀତଜନକ ସମ୍ବାଦ ପ୍ରତ୍ୟହ ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ଆସିବାକୁ ଲାଗିଲା । ଗୃହସ୍ଥମାନେ ଭୟରେ ଥରହର କମ୍ପିଲେ । ଧନୀମାନଙ୍କର ଭାବନା କହିଲେ ସରିଲା ନାହିଁ । ଚିନ୍ତାର ହିମାଳୟ ପର୍ବତ ସେମାନଙ୍କ ମୁଣ୍ଡରେ ସବୁବେଳେ ଲଦି ହୋଇ ରହିଲା । ରାତ୍ରୀରେ ନିଦ୍ରା ହେଲା ନାହିଁ । ଚୋରିକଥା ଶୁଣିଲା ମାତ୍ରେ ଦେହ ଶୀତେଇ ଉଠିଲା, ରୋମ ଟାଙ୍କୁରି ଉଠିଲା । କିନ୍ତୁ ଦରିଦ୍ରର ଚିନ୍ତା, ଭାବନା କିଛି ନାହିଁ । ତାହାର କଅଣ ଅଛି ଯେ, ଚୋର ନେବ ? ଦୈନ୍ୟ ଧନରେ ସେ ସିନା କୁବେର; ମାତ୍ର ଯାଚିଦେଲେ ସୁଦ୍ଧା ଚୋର ସେ ଧନ ନେବ ନାହିଁ । ତେବେ ସୁଖୀ କିଏ–ଧନୀ, ନା ଦରିଦ୍ର ? ଜଞ୍ଜାଳ ଯଦି ସୁଖ ନାମରେ ଅଭିହିତ ହୁଏ, ତେବେ ଧନୀ ସେ ସୁଖ ଘେନି ଥାଉ; ମାତ୍ର ଦରିଦ୍ରର ସେ ସୁଖକୁ କୋଟିଏ ଜୁହାର ! ତାହାର ଦୁର୍ବଳ ଶରୀରର ଦୁର୍ବଳ ଶକ୍ତି ସେ ସୁଖର ଗୁରୁଭାର ବହିପାରିବ ନାହିଁ । ଚୋରି ନିବାରଣର ଉପାୟ ନିର୍ଦ୍ଧାରଣ ସକାଶେ ପ୍ରତି ଗ୍ରାମରେ ବିଚାର ଲାଗିଲା । କେହି କହିଲା–‘‘ଭଗବାନ ଯାହା କରିବେ, ମନୁଷ୍ୟର ଚାରା କଅଣ ଅଛି ?’’ କେହି ବା ପ୍ରତିବାଦ କରି କହିଲା–‘‘ଏଭଳି କଥାର କିଛି ମୂଲ୍ୟ ନାହିଁ; ଏହା କ୍ଳୀବ କାପୁରୁଷର ଉକ୍ତି । ଭଗବାନ କଅଣ ଆସି ଚୋର ଜଗିବେ ? ଦେବତାବିଶ୍ୱାସ ଅବଶ୍ୟ କର୍ତ୍ତବ୍ୟ; ମାତ୍ର ଦେବତାଙ୍କ ପ୍ରତି ଏକାନ୍ତ ନିର୍ଭରଶୀଳ ହେବା ଉଚ୍ଚିତ ନୁହେଁ । ସେଥିରେ ଦେବଦତ୍ତ ପୌରୁଷର ଅବମାନନା ହୁଏ, ସୁତରାଂ ଦେବତାଙ୍କର ଅବମାନନା ହୁଏ । ଆତ୍ମରକ୍ଷା ସକାଶେ ଈଶ୍ୱର ମନୁଷ୍ୟକୁ ନିର୍ଭର କରିବାକୁ ହେବ; ନଚେତ୍ ହାତଗୋଡ଼ ଯୋଡ଼ି ବସି ସବୁକାର୍ଯ୍ୟରେ ଈଶ୍ୱର ଈଶ୍ୱର ବୋଲି ଆର୍ତ୍ତ କରୁଣସ୍ୱରରେ ଚିତ୍କାର କଲେ କିଛି ହେବ ନାହିଁ ।’’ ଏହିପରି କେତେ ବାଦପ୍ରତିବାଦ ଲାଗିଲା । ଶେଷରେ ସ୍ଥିର ହେଲା–ସମସ୍ତେ ଯଥାସାଧ୍ୟ ସାବଧାନ ରହିବେ; ଗ୍ରାମର ଗଳିମାନ ରାତ୍ରିରେ ଆଲୋକିତ ହେବାର ବ୍ୟବସ୍ଥା କରାଯିବ । ପ୍ରତ୍ୟେକ ପରିବାର ପାଳି କରି ରାତ୍ରି ଜାଗରଣପୂର୍ବକ ନିଜ ନିଜ ଘର ଜଗିବେ ଏବଂ ଯୁବକ ଦଳ ରାତ୍ରିଯାକ ଗ୍ରାମରେ ବୁଲି ପହରା ଦେବେ । ଏହି ବ୍ୟବସ୍ଥାମତେ କାର୍ଯ୍ୟ ସାଧନ ହେଲା; ମାତ୍ର ଚୋରର ଉପଦ୍ରବ କ୍ରମଶଃ ବଢ଼ିବାକୁ ଲାଗିଲା । ସେ ଚୋର ବଡ଼ ଅଦ୍ଭୁତ ଧରଣର । ରାତ୍ରିରେ ସ୍ତ୍ରୀଲୋକମାନେ ଶୋଇଥିବାବେଳେ ତୋର ଆସି ହାତ, ଗୋଡ଼, ନାକ, କାନ, କଟି, କଣ୍ଠର ଅଳଙ୍କାର ବାହାର କରି ନେଇଯାଏ; ଅଥଚ ସୁପ୍ତ ବ୍ୟକ୍ତି କିଛିମାତ୍ର ଜାଣିପାରେ ନାହିଁ । ସକାଳୁ ଉଠି ଦେଖିଲାବେଳକୁ ଦେହ ଖାଲି ! ମନ୍ତ୍ରଶକ୍ତିରେ କାର୍ଯ୍ୟ କଲା ଭଳି ଚୋର ଆସି ଚୋରି କରି ନେଇଯାଏ । ଚୋରକୁ ଧରିବା ଦୂରେ ଥାଉ, ତାହାକୁ କେହି ଦେଖି ସୁଦ୍ଧା ପାରନ୍ତି ନାହିଁ । ଚୋର ଖୁବ୍ ଉଚ୍ଚମନା; ଇତର ପଦାର୍ଥ ସେ ଛୁଏଁ ନାହିଁ । ସୁନାରୂପା ଅଳଙ୍କାର ଏବଂ ଟଙ୍କା ପଇସା ଛଡ଼ା ପିତ୍ତଳ, କଂସା ବା ଲୁଗାପଟା ଚୋରି କରିବା ତାହାର କୋଷ୍ଠିରେ ନାହିଁ ।

 

ନିବିଡ଼ ଅରଣ୍ୟ; ତରୁଲତାମାନ ଏରୂପ ନୀରନ୍ଧ୍ର ମସାବିଷ୍ଟ ଯେ, ସୌରକରଲେଖା ତାହା ଭେଦ କରି ଭିତରେ ପଶିପାରେ ନାହିଁ । ସେଠାରେ ରଜନୀରାଣୀ ଅଖଣ୍ଡ ରାଜତ୍ୱ କରନ୍ତି । କବିଭାଷାରେ କହିଲେ–ସର୍ବତ୍ର ଅବ୍ୟାହତଗତି ସ୍ୱୟଂ ଯମରାଜା ସୁଦ୍ଧା ସେ ବନରେ ପଶିବାକୁ ଭୀତ ହେବେ । ନିର୍ଜନ ନିସ୍ତବ୍‌ଧ ସ୍ଥଳ; ମାତ୍ର ନୀରବ ନୁହେଁ । ପକ୍ଷିଗଣର କଳକାକଳି ସେ ଅରଣ୍ୟକୁ ଭାଷା ଦାନ କରିଅଛି । ତାହାର ବକ୍ଷ ହିଂସ୍ରଜନ୍ତୁର ରୁଦ୍ର ହୁଙ୍କାରରେ ସତତ ବିଦୀର୍ଣ୍ଣ । ଯେତେ ଭୀଷଣ ସ୍ଥାନ ହେଲେ ସୁଦ୍ଧା କଳ୍ପନାର ଗତି ନିରଙ୍କୁଶା । ଭୟ ଜାହାର ଗତି ପ୍ରତିହତି କରି ପାରେ ନାହିଁ; ଭୟର ସେ କ୍ଷମତା ଆଦୌ ନାହିଁ । କଳ୍ପନା ସେ ଅରଣ୍ୟ ମଧ୍ୟରେ ପଶି ଦେଖିଲା, ଏକ ସ୍ଥାନରେ ଗୋଟାଏ ଗୁପ୍ତ ସୁଡ଼ଙ୍ଗପଥ ମାଟିତଳକୁ ଯାଇଅଛି । ତାହା ଆରବ୍ୟୋପନ୍ୟାସ ଲିଖିତ ‘ଅଲିବାବା’ ଗଳ୍ପର ସେହି ‘‘ସିସେମ୍‌ଦ୍ୱାର ଖୋଲ’’ ସୁଡ଼ଙ୍ଗର ଅନରୂପ । ଉପରୁ ତାହାର ଚିହ୍ନବର୍ଣ୍ଣ ବାରି ହୁଏ ନାହିଁ । ସୁଡ଼ଙ୍ଗରେ କିଛି ଦୂର ଗଲେ ଆଉ ଗୋଟାଏ ଦ୍ୱାର ପଡ଼େ; ତେଣିକି ଦୁଇ ପରସ୍ତ ଘର । ତାହା ସ୍ୱପ୍ନପୁର କି ମାୟାପୁର କିମ୍ବା ବାସୁକିର ଭୟଙ୍କର ପାତାଳପୁର, ଜାଣି ହୁଏ ନାହିଁ । ପ୍ରଥମ ପରସ୍ତରେ ଦୁଇଗୋଟି ଘର ଗୋଟିଏ ଅସ୍ତ୍ରାଗାର ଏବଂ ଅପରଟି ମନ୍ତଣାଗାର । ଅସ୍ତ୍ରାଗାରରେ ଧନୁ, ତୀର ବର୍ଚ୍ଛା, ଖଣ୍ଡା, ଟାଙ୍ଗୀ ପ୍ରଭୃତି ପ୍ରାଚୀନ ଅସ୍ତ୍ର ବ୍ୟତୀତ ଆଧୁନିକ ଆଗ୍ନେୟାସ୍ତ୍ର ଥିଲା ନାହିଁ । ବୋଧହୁଏ ହିଂସ୍ରଜନ୍ତୁର ଉପଦ୍ରବ ନିବାରଣ ସକାଶେ ଏହି ଅସ୍ତ୍ରସମୂହର ପ୍ରୟୋଜନ ହୁଏ । ଦ୍ୱିତୀୟ ପରସ୍ତରେ ଧନାଗାର, ଶୟନଗୃହ ଏବଂ ରନ୍ଧନଶାଳା । ମନ୍ତ୍ରଣାଗାରରେ ତିନି ଜଣ ଲୋକ ବସିଅଛନ୍ତି । ଲଣ୍ଠନ ଆଲୋକରେ ଗୃହ ଆଲୋକିତ । ଉପରୁ ବଂଶୀଶବ୍ଦ ଶୁଭିଲା-। ତତ୍‌କ୍ଷଣାତ୍ ଉପବିଷ୍ଟ ତିନି ଜଣ ମଧ୍ୟରୁ ଜଣେ ଉଠିଯାଇ କିଛିକ୍ଷଣ ପରେ ଆଉ ଜଣେ ଲୋକକୁ ସଙ୍ଗରେ ଘେନି ଆସିଲା । ତାହାର ରୂପବେଶ ଠିକ୍ ପୂର୍ବୋକ୍ତ ଭିଖାରୀ ବୈଷ୍ଣବ ପରି । ପାଠକ, ଚିହ୍ନି ପାରିଲେ କି ? ଅଧିକାରୀଙ୍କ ଘର ପାଖରେ ଯେଉଁ ଭିଖାରୀକୁ ଦେଖିଥିଲେ, ଏ ସେହି-। ଉପବିଷ୍ଟ ଲୋକ ମଧ୍ୟରୁ ଜଣେ ପଚାରିଲା–‘‘କି ବାଉରି, ଖବର କଅଣ ? ଆଉ ତ କେହି କିଛି ଶିକାର ପାଇ ନାହାନ୍ତି; ତୁ କିଛି ପାଇଛୁ କି, କହ ।’’ ବାଉରି କହିଲା–‘‘ପାଇଛି ସର୍ଦ୍ଦାର !’’ ତହୁଁ ସମସ୍ତଙ୍କ ମୁଖ ପ୍ରସନ୍ନ ହୋଇଉଠିଲା; ସମସ୍ତେ ଜିଜ୍ଞାସୁ ଦୃଷ୍ଟିରେ ବାଉରି ମୁହଁକୁ ଅନାଇ ରହିଲେ । ବାଉରି କହିଲା–‘‘ମୁଁ ଭିକ ମାଗି ମାଗି ଯାଇ ବିଲଗାଁ ଅଧିକାରୀ ଘରେ ପହଞ୍ଚିଲି । ଅଧିକାରିଣୀ ଭିକ ଆଣି ଦେଲା । ତାହା ପଛେ ପଛେ ତା ବୋହୂ ଆସିଲା । ଶାଶୁ ତାକୁ ପଚାରିଲା–‘ଗହଣା ଓହ୍ଲାଇ ରଖିଛ କି ?’ ବୋହୂ କହିଲା–‘ହାଣ୍ଡି ଭିତରେ କ୍ଷାରପାଣିରେ ତିନ୍ତାଇ ବାବାଙ୍କ ଘର ଖଟତଳେ ରଖିଦେଇଛି ।’ ମୁଁ ଏତିକି ତଥ୍ୟ ଆଣିଛି ସର୍ଦ୍ଦାର ! ଆଉ କେତେ ଜଣକୁ ଉଷ୍ମଦ ଦେଇଥିଲି, କେତେ ଜଣଙ୍କର ହାତ ଦେଖି ଫଳ କହିଥିଲି । ସେଥିରୁ ଛଅଟା ନା ସାତଟା ପଇସା ମିଳିଥିଲା, ତାହା ଜଳପାନରେ ଯାଇଛି ।’’ ସର୍ଦ୍ଦାର ହର୍ଷଉତ୍ସାହମିଶା ସ୍ୱରରେ କହିଲା–‘‘ସାବାସ୍ ବାଉରି, ଜିତ୍‌ରହୋ, ବାହାଦୂର ଏକା ତୁ ଖୁବ୍ ସନ୍ଧାନ ଆଣିଛୁ । ଆଜି ଯାହା ମିଳିବ, ସେଥିରୁ ତୋର ଭାଗ ତୋତେ ଦିଆଯାଇ ଅଧିକା ପାଞ୍ଚଟଙ୍କା ଦିଆଯିବ । କାଲି ପଢ଼ୁଆଁ ଅଷ୍ଟମୀ, ଗହଣା ସଫା କରିବାପାଇଁ ବତୁରେଇ ଥିବ । ଅଧିକାରୀର ଶୋଇବା ଘର ଖଟତଳେ ଗହଣା ହାଣ୍ଡି ଅଛି ପରା ? ଆଚ୍ଛା ହେଉ, ସେ କାମ ତମେ କେହି କରିପାରିବ ନାହିଁ–ମୋତେ ଯିବାକୁ ହେବ । ବଡ଼ଘରର ବଡ଼ କଟକଣା, ସେଠୁ ମାଲ ଆଣିବା ଆଉ କାହା ପକ୍ଷରେ ସହଜ ନୁହେଁ–ତାହା କାଠିକର ପାଠ ! ଜମିଦାର ବୋହୂର ଗହଣା, ତାହା ହଜାରେ ଟଙ୍କାରୁ ବେଶି ହେବ । ଆଜି କପାଳରେ ଭଲ ଯୋଗ ଅଛି । ବାଉରି ସମସ୍ତଙ୍କର ଭାବୀ ଅଦୃଷ୍ଟର ଶୁଭ ସମ୍ବାଦ ଆଣି ଦେବାରୁ ସମସ୍ତେ ତାକୁ ପ୍ରଶଂସା କଲେ । କେହି କେହି ତାହା ସଙ୍ଗରେ କୌତୁକ ଲଗାଇଲେ–କେହି ଜଟା ଟାଣି ନେଲା, କେହି ଦାଢ଼ି ଝିଙ୍କି ଖସାଇ ପକାଇଲା । ଏହିପରି ବହୁବିଧ ଆମୋଦ ପ୍ରମୋଦ ଚାଲିବାକୁ ଲାଗିଲା ।

 

ସର୍ଦ୍ଦାର ଭୀଷଣା ମାଝି ସାର୍ଥକନାମା ପୁରୁଷ । ଆକୃତି ପ୍ରକାଣ୍ଡ; ଶରୀରରେ ଅତିମାନୁଷୀ ବଳ । ବାଡ଼ିଖେଳରେ ଅଦ୍ୱିତୀୟ । ଦୁଇ ହାତରେ ଦୁଇଖଣ୍ଡ ବାଡ଼ି ବୁଲାଉଥିବା ବେଳେ ଚାରି ଜଣ ଲୋକ ଚାରି ପାଖରୁ ବାଟୁଳି ବିନ୍ଧିଲେ ଗୋଟାଏ ସୁଦ୍ଧା ତାହା ଦେହରେ ବାଜେ ନାହିଁ । ଖଣ୍ଡେ ବାଡ଼ିରେ ସେ ଶହେ ଜଣ ବଳବାନ୍ ଲୋକଙ୍କୁ ଅକ୍ଳେଶରେ ପରାସ୍ତ କରିପାରେ । ମନୁଷ୍ୟଟି ଏପରି ପୃଥୁଳ ଯେ, ତାକୁ ଭାଙ୍ଗିଲେ ପାଞ୍ଚ ଜଣ ଗଢ଼ା ଯାଇପାରେ । ଗୋଡ଼ ହାତ ଲୌହଦଣ୍ଡ ପରି ଶକ୍ତ । ଦେଢ଼ ସେର ଚାଉଳ ଭାତ ଏବଂ ତଦୁପଯୋଗୀ ତରକାରୀ ତାହାର ଲଘୁ ଆହାରକୁ ନିଅଣ୍ଟ । ଗୋଟାଏ ବଡ଼ ବୁଦା ବା ଖାସୀ ନ ହେଲେ ସେ ମାଂସ ଖାଇବାକୁ ମଙ୍ଗେ ନାହିଁ । ଚୋରି ବିଦ୍ୟାରେ ତାହା ପରି ଅଦ୍ଭୁତ ପାରଦର୍ଶୀ ଦେଶରେ ଆଉ କେହି ଥିଲେ ନାହିଁ । ସେଥିରେ ଯଦି ପ୍ରାଇଜ୍ ଥାଆନ୍ତା, ତେବେ ସେ ସର୍ବୋଚ୍ଚ ‘‘ନୋବଲ’’ ପ୍ରାଇଜର ଅପ୍ରତିଦ୍ୱନ୍ଦୀ ଅଧିକାରୀ ହୁଅନ୍ତା । ଖଣ୍ଡେ ସ୍ଥୂଳ ଲମ୍ବ ବାଂଶଖଣ୍ଡ ସାହାଯ୍ୟରେ ସେ ଅବଲୀଳାକ୍ରମେ ଉଚ୍ଚ ପ୍ରାଚୀର ଲଙ୍ଘନ କରିପାରେ । ତାହା ସମ୍ବନ୍ଧରେ ଅତି ଅଦ୍ଭୁତ କିମ୍ବଦନ୍ତୀ ଜନମୁଖରେ ଶୁଣାଯାଏ । ନିମ୍ନରେ ଗୋଟିଏ ମାତ୍ର ଲିଖିତ ହେଲା-

 

ଭୀଷଣାର କିଛି ଚାଷ ଜମି ଥିଲା । ଧାନ ବର୍ଷକ ଚଳିଯାଏ । ଲୁଗାପଟା ଏବଂ ବାଜେ ଖର୍ଚ୍ଚଟା ସେ ଚୌର୍ଯ୍ୟରୂପ ସଦ୍‌ବୃତ୍ତିରୁ ସଂଗ୍ରହ କରେ । ସେ ଜଣେ ସ୍ୱନାମଧନ୍ୟ ଦସ୍ୟୁ ବୋଲି ସେ ଅଞ୍ଚଳରେ ପ୍ରସିନ୍ଧ । ଦୁଇ ଜଣ ମନୁଷ୍ୟକୁ କାଖରେ ଯାକି ଦ୍ରୁତଗାମୀ ଅଶ୍ୱଗତିରେ ସେ ଦୁଇ ତିନି କ୍ରୋଶ ପର୍ଯ୍ୟନ୍ତ ଦୌଡ଼ିପାରେ । ବାଘ ଭାଲୁକୁ ତାହାର ଭୟ ନାହିଁ । ଥରେ ଗୋଟାଏ ବୃହତ୍ ମହାବଳ ବ୍ୟାଘ୍ର ଗ୍ରାମର ଗୋଟାଏ ଗୁହାଳରେ ପଶିଥିଲା । ଗ୍ରାମର ଲୋକମାନେ ଠେଙ୍ଗା ବାଡ଼ି ଧରି ବାଘକୁ ଆକ୍ରମଣ କଲେ; କିନ୍ତୁ ବିଶାଳ ବନରାଜ୍ୟରେ ରାଜା, ଉଗ୍ର ପଶୁକ୍ଷତ୍ରିୟ ମହାବଳ କି ଠେଙ୍ଗାବାଡ଼ିକୁ ଖାତର କରିବ ? ସେ ଗୁହାଳରୁ ବାହାରି ଆସିଲାବେଳେ କିଏ କେଉଁ ଆଡ଼େ କଣ୍ଟା ଖୁଞ୍ଚ ମାଡ଼ି ପଳାଇ ଯାଇ ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନ କଲେ । କେବଳ ଭୀଷଣା ବ୍ୟାଘ୍ରର ସମ୍ମୁଖରେ କିଛି ଦୂରରେ ଠିଆ ହୋଇ ରହିଲା । ବ୍ୟାଘ୍ର ତାହା ଉପରକୁ ହମ୍ପା ମାରିଲାକ୍ଷଣି ସେ ବାମହସ୍ତରେ ବାଘ ତଣ୍ଟିକୁ ଏରୂପ ଦୃଢ଼ ମୁଷ୍ଟିରେ ଚିପି ଧରିଲା ଯେ, ବାଘ ତତ୍‌କ୍ଷଣାତ୍ ଶ୍ୱାସରୁଦ୍ଧ ହୋଇ ବ୍ୟାଘ୍ରଲୀଳା ସମ୍ବରଣ କଲା । ପୂର୍ବରେ ବୋଲାଯାଇଅଛି–ଭୀଷଣା ଅଦ୍ଭୁତ ଚୋର । କେତେବେଳେ କେଉଁ ବାଟେ ଆସି କେଉଁ ଛଟକରେ ଚୋରି କରି ଚାଲିଯାଏ, ତାହା କେହି ଜାଣିପାରନ୍ତି ନାହିଁ । ଅନେକେ କହନ୍ତି–ସେ ଚୋରି ବିଦ୍ୟାର ମନ୍ତ୍ର ଜାଣେ । ଦିନେ ସେ ଖଜଣା ଦେବାକୁ ଜମିଦାର ଘରକୁ ଯାଇଥିଲା, ସେଠାରେ ରାତି ହୋଇଗଲା । ଜମିଦାର ସର୍ବଦା ତାହା ସଙ୍ଗରେ ଥଟ୍ଟାଟାପରା ଲଗାନ୍ତି–ତାହାକୁ ‘‘କୀର୍ତ୍ତିଭୂଷଣ’’ ବୋଲି ଡାକନ୍ତି । ଜମିଦାର କହିଲେ–‘‘କୀର୍ତ୍ତିଭୂଷଣ, ଆମ ଘରେ କେବେ ହାତ ବୁଲାଇବୁ ନାହିଁଟି ।’’ ଅବଶ୍ୟ ସେ ହସି ହସି ପରିହାସରେ ଏହା କହିଥିଲେ । ଭୀଷଣ ଜିହ୍ୱାଦଂଶନପୂର୍ବକ ଅତୀବ ଦୀନ ସ୍ୱରରେ କହିଲା–‘‘ରାମ୍ ରାମ୍, ତମ ଜାଗାରେ ଘର କରି ତମରି ଜମିରେ ଚାଷ କରି ଖାଉଛି, ତମ ପାଖରେ ଦ୍ରୋହୀ ହେଲେ ମୋତେ ଧର୍ମ ଦଣ୍ଡିବ ନାହିଁ କି ସାଆନ୍ତେ ? ତାହା ହେବାର ଥିଲେ କି ଏତେ ଦିନଯାଏ ହୋଇ ନ ଥାନ୍ତା ? ହାତ ବୁଲାଇଲେ ତମେ ଆଗେ ଜାଣିପାରିବ ନା ?’’ ଜମିଦାର କହିଲେ–‘‘ନା ରେ, ମୁଁ ଗେହ୍ଲାରେ କହୁଥିଲି । ଆଚ୍ଛା, ଚୋରି କରିବାର ମନ୍ତ୍ର କଅଣ ସତରେ ଅଛି ?’’

 

ଭୀଷଣା–ହଁ, ମନ୍ତ୍ର ନାହିଁ କଅଣ, ମଞ୍ଜି ନ ହେଲେ ଗଛ କିମିତି ହେବ ?

 

ଜମିଦାର–କି ମନ୍ତ୍ର କହନି ଶୁଣିବା ।

 

ଭୀଷଣା–ଶୁଣିବ କଅଣ ସାଆନ୍ତେ, ପରଖି ଦାଖିବ ତ ଦେଖ ।

 

ଜମିଦାର–କିମିତି ପରଖିବି ?

 

ଭୀଷଣା–ତମେ କବାଟ କିଳିଦେଇ ଘରକୁ ଯାଅ । କିଛି ଭୟ ନାହିଁ ଯେ, ମନ୍ତ୍ରର ଗୁଣ ଦେଖିବ–ଏକା ମାଣେ ଜମି ମୋତେ ବକ୍‌ସିଷ୍ ଦେବ ।

 

ଅନନ୍ତର ଜମିଦାର କୌତୂହଳପରବଶ ହୋଇ ସେଠାରୁ ଉଠିଗଲେ । ପ୍ରଥମରେ ଦାଣ୍ଡ କବାଟ କିଳିଲେ, ଦ୍ୱିତୀୟରେ ମଝି କବାଟ କିଳିଲେ, ତହିଁ ପରେ ଅମାର ପରସ୍ତର କବାଟ କିଳି ଘର ଭିତରକୁ ଗଲେ; ମାତ୍ର ଦୀପାଲୋକରେ କାହାର ଛାୟାପାତ ଦେଖି ଚମକି ପଡ଼ି ଫେରି ଚାହିଁ ଦେଇ ଦେଖିଲେ, ଭୀଷଣା ତାଙ୍କର ପୃଷ୍ଠଭାଗରେ ସହାସ୍ୟ ବଦନରେ ଦଣ୍ଡାୟମାନ । ଜମିଦାର ଏ ଅଲୌକିକ ବ୍ୟାପାର ଦେଖି ତାଟଙ୍କା ହୋଇ କହିଲେ–‘‘ମୁଁ ତ ତିନି କବାଟ କିଳି କିଳି ଆସିଲି, ତୁ ମୋ ପଛେ ପଛେ କିପରି ଆସିଲୁ ?’’ ଭୀଷଣା କହିଲା–‘‘ମୁଁ ଶିକୁଳି ଫିଟାଇ ଫିଟାଇ ଆସିଲି । ଶିକୁଳି ଫିଟାଇବା କିଛି ଭିଡ଼ କାମ ନୁହେଁ–କବାଟରେ ହାତ ଦେଲାକ୍ଷଣି ଫିଟିଯାଏ । ମନ୍ତ୍ର ଅଛି କି ନାହିଁ, ଏବେ ବୁଝିଲ ତ ସାଆନ୍ତେ ?’’ ଜମିଦାର ଯାଇ ଦେଖିଲେ ପ୍ରକୃତରେ ତିନିଦ୍ୱାରଯାକ ମୁକୁଳା-। ଭୀଷଣା ସମ୍ବନ୍ଧରେ ଏହିପରି ଅନେକ କିମ୍ବଦନ୍ତୀ ଶୁଣାଯାଏ ।

 

ଥରେ ପ୍ରବଳ ଦୁର୍ଭିକ୍ଷ ହେଲା । ସେହି ଦୁର୍ଭିକ୍ଷ ତିନି ବର୍ଷ ପର୍ଯ୍ୟନ୍ତ ବ୍ୟାପି ରହିଲା । ଥିଲା ଲୋକଙ୍କୁ ଅଧିକ ବାଧିଲା ନାହିଁ; ମାତ୍ର ନ ଥିଲା ଲୋକେ ଘରେ ଯାହା ଥିଲା, ସବୁ ବିକି ଭାଙ୍ଗି ଖାଇ ଶେଷକୁ ଗଡ଼ିସଡ଼ି ମଲେ । ଏହା ତ ସଂସାରର ରୀତି, ଆପେ ଥିଲେ ବାପର ନାମ, ପ୍ରତି ବେଶୀ ମଲା କେତେ, ଗଲା କେତେ, କିଏ ପଚାରେ ? ଯାହା ହେଉ, ଭୀଷଣା ଏ ଭୀଷଣ ଦୁର୍ଭିକ୍ଷରେ ବଡ଼ କଷ୍ଟ ପାଇଲା । ବିଲରେ ଧାନ ହେଲା ନାହିଁ–ମୁଲ ମଜୁରୀ ମିଳିଲା ନାହିଁ–ସର୍ବୋପରି ଚୋରିର ଅଭାବ । ସମସ୍ତେ ତ ସର୍ବସ୍ୱାନ୍ତ ! କାହା ଘରେ କଅଣ ଅଛି ଯେ, ସେ ଚୋରି କରି ଆଣି ଉଦର–ଦେବତାକୁ ନୈବେଦ୍ୟ ଦେବ ? କଦାଚିତ୍ କେଉଁଠାରୁ କିଛି ଅଳଙ୍କାର ମିଳିଲେ, ତାହା ନେବ ବା କିଏ ? ଭରିଏ ସୁନା ବଦଳରେ ଗୁଡ଼ିଏ ଧାନ ମିଳୁ ନାହିଁ । ଖାଇବାକୁ ନ ପାଇ ଭୀଷଣାର ସ୍ତ୍ରୀ ମରିଗଲା । ସେଥିରେ ଭୀଷଣାର ଅଣୁମାତ୍ର ଶୋକ ନାହିଁ । ଶୋକ ହେବ ବା କିପରି ? ସେତ ଏ କାନ୍ତାର କାଳରେ ଭୀଷଣାକୁ ଭାରମୁକ୍ତ କରିଦେଇ ଗଲା । ଭୀଷଣାର ଆଉ କେହି ନାହିଁ, ସେ ଏବେ ସଂସାର-ମରୁପଥରେ ସାହାସୋଦରଶୂନ୍ୟ ଏକୁଟିଆ ନିରାଶ ପାନ୍ଥ । ଖାଦ୍ୟାଭାବରେ ପ୍ରାଣ କିପରି କଲବଲ ହୁଏ, ତାହା ସେ ଭୁକ୍ତଭୋଗୀ ହୋଇ ବୁଝିଲା । ଧନିଲୋକମାନଙ୍କ ଉପରେ ତାହାର ଭାରି କ୍ରୋଧ ଏବଂ ବିଜାତୀୟ ଘୃଣା ଜାତ ହେଲା । ସେ ଭାବିଲା–ଧନୀଗୁଡ଼ାକ ବଡ଼ ନିର୍ମମ । ସେମାନେ ଧନ ସଞ୍ଜୟ କରି ରଖିବେ; ଗରୀବ ମାନେ ମୁଠାଏ ଖାଇବାକୁ ନ ପାଇ ମରିବେ, ଏହା କେଉଁ ନ୍ୟାୟର କଥା ? ଆଉ ଧନରେ ବା ଧନୀର କି ଅଧିକାର ? ଧନ ତ କାହାର ନୁହେଁ–ତାହା ମାଟିର । ଧନ ମାଟିରୁ ଜନ୍ମେ ପୁଣି ସେହି ମାଟିରେ ମିଶେ । ଧନୀ ଅଧିକ ପରିଶ୍ରମ କରି ସଞ୍ଜୟ କରେ, ସେ ପ୍ରୟୋଜନରୁ ଅଧିକ ଉପାର୍ଜନ କାହିଁକି କରେ ? ଯଦି କରେ, ତେବେ ସେ ଅଭାବଗ୍ରସ୍ତକୁ ନ ଦେଇ କାହିଁକି ସଞ୍ଚୟ କରେ ? କି ଖାଇବାକୁ ନ ପାଇ ମରୁଥିବ, ଆଉ ଜଣେ ଖାଉ ଖାଉ ତାହା ଦେଖୁଥିବ, ଏହା କି ଧର୍ମ ?’’ ଏହିପରି କେତେ କଥା ଭାବି ସେ ପ୍ରତିଜ୍ଞା କଲା–ଦୁର୍ଭିକ୍ଷ ପାହିଲେ ସେ ଦରିଦ୍ରପୋଷଣବ୍ରତ ଧାରଣା କରିବ । ଯାହା ଉପର୍ଜନ କରିବ, ତାହା ଦରିଦ୍ରନାରାୟଣଙ୍କ ସେବାରେ ଉତ୍ସର୍ଗ କରିବ । ଧନ୍ୟ ଈଶ୍ୱର ! ତୁମ୍ଭେ କେତେବେଳେ କାହା ମନରେ କି ଭାବ ଆନୟନ କର, ତାହା ତୁମ୍ଭଙ୍କୁ ହିଁ ଗୋଚର । ଦୟାମାୟାପରିଶୂନ୍ୟ ଦୁବୃର୍ତ୍ତ ଖଣ୍ଟ ହୃଦୟ ସୁଦ୍ଧା ଘଟଣାବିଶେଷରେ ଦୟାପ୍ରବଣ ହୁଏ । ଭୀଷଣା ପ୍ରତିଜ୍ଞା କଲା; ମାତ୍ର କି ଉପାୟରେ ତାହା ପାଳନ କରିବ ଭାବିବାକୁ ଲାଗିଲା । ପ୍ରତିଜ୍ଞା କରିବା ଯେପରି ସହଜ, ତାହା ପାଳନ କରିବେ ସେପରି ସହଜ ନୁହେଁ । ପ୍ରତିଜ୍ଞା ପାଳନ ସମସ୍ତଙ୍କଦ୍ୱାରା ହୁଏ ନାହିଁ । ଯାହାର ହୃଦୟ, ମନ ଦୃଢ଼, ସେ ପ୍ରତିଜ୍ଞା ପାଳନ କରେ । ଯେ ମୂଢ଼ ସେ ପ୍ରତିଜ୍ଞା ପାଳନ କରେ–ଯେ ଏ ଦୁହିଙ୍କର ମଧ୍ୟବର୍ତ୍ତୀ, ସେ ପାରେ ନାହିଁ । ଭୀଷଣା ଭାବି ଚିନ୍ତି ସ୍ଥିର କଲା–ସବୁଠାରୁ ସହଜ ଉପାୟ ଚୋରି । ସେ ସୁଦ୍ଧା ତାହାର ପ୍ରିୟ ଅଭ୍ୟସ୍ତ ବିଦ୍ୟା; ସୁତରାଂ ତାହାରି ସାହାଯ୍ୟରେ ପ୍ରତିଜ୍ଞାକୃତ ବ୍ରତ ପାଳନ କରିବ । ପର ଦ୍ରବ୍ୟ ଅପହରଣ ଅସତ୍ କାର୍ଯ୍ୟ ବୋଲି ପ୍ରଥମତଃ ତାହାର ବିବେକ ତାକୁ ଭୟ ଦେଖାଇଥିଲା; ମାତ୍ର ସେ ଭାବିଲା–ସମସ୍ତେ କି କେବଳ ସତ୍ ଉପାୟରେ ଧନ ସଞ୍ଚୟ କରନ୍ତି ? ଅସତ୍ କି ଟିକିଏ ସୁଦ୍ଧା ନାହିଁ ? ଅସତ୍ ନ ପଶିଲେ ତ ଧନ ବଢ଼େ ନାହିଁ, ଏହା ଅନେକତ୍ର ଦେଖାଯାଏ । ତେବେ ଅସତ୍ ଉପାୟରେ ସଞ୍ଚିତ ଧନ ନେଇ ସତ୍କାର୍ଯ୍ୟରେ ବ୍ୟୟ କଲେ ଦୋଷ କଅଣ ? ସେପରି ଦାନରେ ପୂଣ୍ୟ ନ ହେଲେ ସୁଦ୍ଧା ପାପ ନାହିଁ । ମୁଁ କିଛି ମୋ ପାଇଁ ଚୋରି କରିବି ନାହିଁ–କରିବି ଅକ୍ଷମ ଦରିଦ୍ରର ପ୍ରାଣରକ୍ଷା ପାଇଁ । କାହାରି ସର୍ବସ୍ୱତ ଲୁଣ୍ଠନ କରିବି ନାହିଁ–ସଞ୍ଚୟର କିୟଦଂଶ ମାତ୍ର ଗ୍ରହଣ କରିବି । ସେଥିରେ କାହାର କି କଷ୍ଟ ହେବ ? ହେଲେ ସୁଦ୍ଧା ଦରିଦ୍ରର ପ୍ରାଣବିୟୋଗ କଷ୍ଟ ତୁଳନାରେ ତାହା କିଛି ହିଁ ନୁହେଁ । ଦରିଦ୍ରସେବାରେ ଲାଗିଲେ ଅସତ୍ ଧନର ଅପବିତ୍ରତା କଟିଯିବ । କାହାରି ଉପାର୍ଜନ ଖାଣ୍ଟି ସତ୍ ନୁହେଁ । କୃଷକ ମାଟିଗୁଡ଼ମିଶା ଧାନ ଚାଉଳ ପ୍ରଭୃତି ବିକେ, ବ୍ୟବସାୟୀ କେଉଁଠାରେ ଟଙ୍କାରେ ଅଣାଏ, କେଉଁଠାରେ ଦୁଇ ଅଣା, କେଉଁ ଠାରେ ବା ଚାରି ଅଣା କିମ୍ବା ତଦୁର୍ଦ୍ଧ୍ୱ ଲାଭ ନିଏ, ମହାଜନ ଚକ୍ରବୃଦ୍ଧି ହିସାବରେ ସୁଧର ସୁଧ ତସ୍ୟ ସୁଧ ଗ୍ରହଣ କରେ, ବୈଦ୍ୟ ସାମାନ୍ୟ ଅନାୟାସଲବ୍‌ଧ ମୂଳ ଚେର ଦେଇ ଶତ ଶତ ଟଙ୍କା ଔଷଧ ଖର୍ଚ୍ଚା ଭିଡ଼େ, ଅମଲାମାନେ ଦରମା ନେଇ ଉପରି ପାନଖର୍ଚ୍ଚା ନିଅନ୍ତି–ଏ ସବୁ କି ଅସତ୍ ଉପାର୍ଜନ ନୁହେଁ ?

 

ତିନି ବର୍ଷ ପରେ ଦୁର୍ଭିକ୍ଷ ଅନ୍ତର୍ହିତ ହେଲା । ସୁବୃଷ୍ଟିଦ୍ୱାରା ଶସ୍ୟକ୍ଷେତ୍ରମାନ ଶସ୍ୟସମ୍ଭାରରେ ପୂର୍ଣ୍ଣ ହେଲା । ଲୋକଙ୍କର ଦୁର୍ଦ୍ଦଶା ଘୁଞ୍ଚିଗଲା । ଭୀଷଣା ତାହାର ପ୍ରତିଜ୍ଞାପାଳନରେ ମନୋନିବେଶ କଲା । ସେ ଉପରୋକ୍ତ ଅରଣ୍ୟରେ ଗୁପ୍ତ ପ୍ରସ୍ତୁତ କରି ରହିଲା । ଅନେକ ଶିଷ୍ୟ ମଧ୍ୟ ଆସି ମିଳିଲେ । ସେମାନେ ଛଦ୍ମବେଶରେ ଗ୍ରାମ ଗ୍ରାମେ ବୁଲି ଚୋରି କରନ୍ତି । ସେମାନଙ୍କର ଯାହା ଅସାଧ୍ୟ, ତାହା ସ୍ୱୟଂ ଭୀଷଣା ସାଧନ କରେ । ସମସ୍ତେ ତାହାକୁ ସର୍ଦ୍ଦାର ବୋଲି ଡାକନ୍ତି । ଅପହୃତ ଅର୍ଥରାଶି କାଶୀ, ବୃନ୍ଦାବନ, ଶ୍ରୀକ୍ଷେତ୍ର ପ୍ରଭୃତି ତୀର୍ଥ ସ୍ଥାନରେ ଦରିଦ୍ର, ରୋଗୀ ଓ ଅକ୍ଷମମାନଙ୍କ ସେବାରେ ବ୍ୟୟିତ ହୁଏ ।

Image

 

ଅଷ୍ଟାଦଶ ପରିଚ୍ଛେଦ

 

ଭୀଷଣ ଯଥାସମୟରେ ଅଧିକାରୀଙ୍କ ଘରେ ପ୍ରବେଶ କରି ରୂପାଗହଣା ହାଣ୍ଡିଟି ଅପହରଣ କଲା । ହଳଦି ତାଟିଆ ଭିତରେ ସୁନାଗହଣା ଥିଲା, ତାହାକୁ ନେଇ ପାରିନାହିଁ । ସେଥି ପ୍ରତି ତାହାର ଦୃଷ୍ଟି ପଡ଼ି ନାହିଁ କିମ୍ବା ନେବାକୁ ଅବସର ପାଇ ନାହିଁ । ସକାଳୁ ଉଠି ସୁଭଦ୍ରା ଦେଖିଲା, ଗହଣାହାଣ୍ଡି ନାହିଁ । ଭୟ-ବିସ୍ମୟରେ ତାହାର ଅନ୍ତ ହାଲୁ ହାଲୁ ହେଲା–ନେତ୍ରଦ୍ୱୟ ଅଶ୍ରୁରେ ଆର୍ଦ୍ର ହୋଇ ଆସିଲା । ସେ ଧାଇଁ ଯାଇ ଶାଶୁଙ୍କୁ ଏ ସମ୍ବାଦ ଜଣାଇଲା । ଶାଶୁ ଆସି ଦେଖିଲେ ବୋହୂ କଥା ଯଥାର୍ଥ । ସଙ୍ଗେ ସଙ୍ଗେ ଶିମିଳୀତୂଳାରେ ନିଆଁ ଚରିଲା ପରି ଚୋରି କଥା ଅଧିକାରୀଙ୍କ ଗୃହରେ, ପ୍ରତିବେଶୀ ଗୃହରେ, ତଦନନ୍ତର ଗ୍ରାମରେ ବିକ୍ଷିପ୍ତ ହୋଇ ପଡ଼ିଲା । ଅଧିକାରୀ ଆଶ୍ଚର୍ଯ୍ୟାନ୍ୱିତ ହେଲେ; ଭାବିଲେ ଏ କି ଅଦ୍ଭୁତ ଚୋର ! ସୁନା ଗହଣା ହଜାର ଟଙ୍କାର ହେବ, ତାକୁ ଛାଡ଼ି ରୂପାଗହଣାକୁ ଲୋଭ କଲା ! ରୂପାଗହଣା ତିନିଶ ଟଙ୍କାରୁ ବେଶି ହେବ ନାହିଁ । ଏପରି ଦୟାଳୁ ଚୋର କାହୁଁ ଆସିଲା ! ଚୋର ହୋଇ ଅଳ୍ପରେ ସନ୍ତୁଷ୍ଟ–ଏ ତ ବଡ଼ ମଜା ଚୋର ! ବୋଧ ହୁଏ, ସେ ଚୋର ନୁହେଁ–ସଞ୍ଜମୀ ସାଧୁ ସନ୍ନ୍ୟାସୀ, ବହୁତ ରଖି ଅଳ୍ପ ମାତ୍ର ନେଇ ଯାଇଅଛି । ଏପରି ଚୋର ହାତରେ ଭଣ୍ଡାରର ଚାବି ସଆଁପିଦେବା ଉଚିତ । ଚୋରର ଆସିବା ଯିବାର କିଛି ଚିହ୍ନ ନାହିଁ, ଚୋର କବାଟ ଟେକି ଘରେ ପଶି ଯିବାବେଳେ କବାଟ ବସାଇ ଦେଇଯାଇଅଛି । ଅଧିକାରୀଙ୍କ ଗୃହର ଆଶ୍ରିତ ଅଥବା ଦାସଦାସୀ ମଧ୍ୟରୁ କେହି ଏ କୀର୍ତ୍ତି ରଖିଥିବାର କାହାରି ଧାରଣା ହେଲା । ସେମାନେ ମଧ୍ୟ ଶଙ୍କିତ ହେଲେ । କେହି କାନ୍ଦି ପକାଇଲା, କେହି ଆଖି ଛୁଇଁ ନୟମ କଲା, କେହି ବା ଅଭିମାନ ପ୍ରକାଶ କଲା; ମାତ୍ର ଅଧିକାରୀ କାହାରିକୁ କିଛି କହିଲେ ନାହିଁ । ସେ ଧର୍ମଭୀରୁ, ଅଦୃଷ୍ଟବାଦୀ; ସୁତରାଂ ଚୋରି ଅପରାଧଟା ଅଦୃଷ୍ଟ ଉପରେ ଆରୋପ କରି କହିଲେ–‘‘ସବୁ ଅଦୃଷ୍ଟ କରେ, ଅଦୃଷ୍ଟ ଛଡ଼ା କର୍ତ୍ତା କେହି ନାହିଁ ।’’ ପୁତ୍ରବଧୂକୁ ପ୍ରବୋଧ ଦେଇ କହିଲେ–‘‘ମା, ତୁ ମନରେ କିଛି ଦୁଃଖ କର ନା, ମୁଁ ପନ୍ଦର ଦିନ ଭିତରେ ତୋର ଗହଣାସବୁ ଗଢ଼ାଇ ଦେବି ।’’ ତାଙ୍କ ଗୃହିଣୀ କହିଲେ–‘‘ମୋର ଭାଗ୍ୟ ଯେ ସୁନା ଚୋରି ଯାଇ ନାହିଁ–ରୂପା ଯାଇଛି, ତାହା ଭଲ ହୋଇଛି । କହନ୍ତି ପରା–‘ସୁନା ଶୂନ୍ କରେ, ରୂପା ରୂପ୍ କରେ । ସୁନା ଚୋରିଗଲେ ଘର ଶୂନ୍ ହୁଏ ଆଉ ରୂପା ଚୋରି ଗଲେ ଘରର ରୂପ ବାହାରେ–ଶ୍ରୀ ବଢ଼େ । ଦୁଃଖ ଏତିକି ଯେ ବୋହୂ ବାପଘରୁ ଯେଉଁ ସୁନ୍ଦର ଚୁଡ଼ୀ ଦିପଟ ଆଣିଥିଲା, ସେ ଗଲା । ନେଉ ଯେ ନେଲା, ମୋ ପୁଅବୋହୂଙ୍କର ଅଲେଇ ବଲେଇ ଝାଡ଼ିଝାଡ଼ି ନେଉ ।’’ ଅଧିକାରୀ କହିଲେ–‘‘ଓଃ, ଏହି କଥାକୁ ଦୁଃଖ ! ମୁଁ ଆର ମାସରେ କଲିକତାରୁ ତାହାଠାରୁ ସୁନ୍ଦର–ତାହାଠାରୁ ଦାମିକା, ଚୁଡ଼ୀ ଆଣି ଦେବି । ଏ କି ଚୁଡ଼ୀ ! ମୁଁ ଯାହାକୁ ଆଣିବି, ଦେଖିବ–ସେ ଏହାର କାନ କାଟିଦେବ ।’’ ଗୃହିଣୀ କହିଲେ–‘‘ତମେ ଗହଣା ଗଢ଼ାଇଦେବାଯାଏଁ ବହୂ ମୋ ଗହଣା ପିନ୍ଧିଥାଉ ।’’ ଏହା କହି ନିଜ ଦେହରୁ ଗହଣା ଖୋଲି ସୁଭଦ୍ରାକୁ ପିନ୍ଧାଇ ଦେଲେ ।

 

ସୁନାରି ଅଗାଧୁ ପୁଷ୍ଟି ଭୀଷଣାର ବାଲ୍ୟକାଳର କ୍ରୀଡ଼ାସଙ୍ଗୀ । ତୁଳସୀପତ୍ରରେ ଦୁହେଁ ସଙ୍ଗାତ ବସିଥିଲେ । ସେହି ବାଲ୍ୟପ୍ରଣୟ ଯୌବନରେ ଅଧିକତର ପ୍ରସାର ଲାଭ କରିଅଛି । ଦୁଇ ସଙ୍ଗାତ ମଧ୍ୟରେ ଅଖଣ୍ଡ ବିଶ୍ୱାସ । ଭୀଷଣା ଯେଉଁ ଅଳଙ୍କାରମାନ ଚୋରି କରି ଆଣେ, ଅଗାଧୁ ତାହାକୁ ଆଉଟି ମୁଣ୍ଡା କରିଦିଏ । ସେଥିରୁ ଚାରି ପଣ ଅଗାଧୁ ନିଏ, ଅବଶିଷ୍ଟ ବାର ପଣ ଭୀଷଣା ନିଏ । ସେମାନଙ୍କ ମଧ୍ୟରେ ଏହିପରି ଚୁକ୍ତି ହୋଇଅଛି । ଭୀଷଣା ସୁଭଦ୍ରାର ଗହଣା ନେଇ ଅଗାଧୁ ଘରଠାରେ ଉପସ୍ଥିତ ହେଲା । ଅଗାଧୁ ଚୁଡ଼ୀ ବ୍ୟତୀତ ଆଉ ସମସ୍ତ ତରଳାଇବାକୁ ଲାଗିଲା । ଭୀଷଣା ସହି ହସି ପଚାରିଲା–‘‘ସଙ୍ଗାତେ, ଆଜି ଉପୁରି ଲାଭ କେତେ ହେଲା ?’’ ଅଗାଧୁ କହିଲା–‘‘ନା ଭାଇ, ମୁଁ ସିମିତି ଚୋର ପାଇଟି କରେ ନାହିଁ । ତମେ ସଙ୍ଗାତ ମହାପ୍ରସାଦ ଦ୍ୱାର, ତମ ରାଣ ସଙ୍ଗାତେ, ମିଛ କହୁ ନାହିଁ, ଲକ୍ଷ୍ମୀଦୋକାନ ଘେନି ନିଆଁ ପାଖରେ ବସିଛି, ଅବିଶ୍ୱାସ କାମକୁ ମୋର ପ୍ରାଣଭୟ । କହି ପୁଚ୍ଛି ଚାରି ପଇସା ଅଧିକ ବାଣ ନେବି ପଛକେ, ସୁନା ରୂପା ଧାନେ ଲୁଚାଇବି ନାହିଁ । ତାହା ମହାପାପ ! ଜାଣୁ ଜାଣୁ ଅସତ୍ କାମ କାହିଁକି କରିବି ? ଅନ୍ୟାନ୍ୟ ବଣିଆମାନେ କରୁ ନାହାନ୍ତି କି, ମୋର ସେ କଥାକୁ ଜୁହାର । ଭାଇଗା ବଣିଆ କଥା ଶୁଣିବ ? ସେ କାହାର କାମ ସାରି ଦୋକାନ ଘେନି ଆସୁଥିଲା । ବଳିଆ ମା ରାଢ଼ିଆଣୀ କହିଲା–ରେ ଭାଇଗ, ମୋ କାନରୁ ନୋଳି ଦି ପଟ କାଢ଼ିଦେନି ବାପ ! ଭାଇଗ ତା କାନର ନୋଳି ଦେଖି ସାରି କହିଲା–ଚିମୁଟା ମୋ ପାଖରେ ନାହିଁ, ଉପରଓଳି ଆଣି କାଢ଼ି ଦେଉଯିବି । ଘରକୁ ଆସି ସେହିପରି ହଳେ ନୋଳି ପିତ୍ତଳରେ ତିଆରି କରି ବଳିଆ ମା ଘରକୁ ଗଲା । ତାହା କାନରୁ ନୋଳି କାଢ଼ି ପାଟିରେ ଯାକିଦେଲା, ଆଉ, ପିତ୍ତଳ ନୋଳି ତାକୁ ଦେଇ ଆସିଲା । ବଳିଆମା ନୋଳି ବିକିବ ବୋଲି ଯାହାକୁ ଦେଖାଇଲା, ସେ କହିଲା ପିତ୍ତଳ । ତହୁଁ ସେ ଆସି ଭାଇଗା ସାଙ୍ଗରେ କଳି କଲା; ମାତ୍ର ଭାଇଗା ଠୁଳେ ମାନିଲା ନାହିଁ । ଦିନେ ସେ ବଳିଆ ଘର ଦାଣ୍ଡ ବାଟେ ଯାଉଥିଲା, ବଳିଆ ଧରି ଗୋଟାକେତେ ଢ଼ିପାଳି ଚଢ଼ାଇବାରୁ ନୋଳି ଦାମ୍ ଦଶ ଟଙ୍କା ଦେଇ କର୍ତ୍ତା ଉଦ୍ଧାର ପାଇ ଆସିଲା । ତାହା କଥା ଶୁଣିଲେ କାନରେ ହାତ ଦେବ । ଜୁହିର ତଳି ଦୁଇ ପରସ୍ତ କରି ମଝିରେ ଫାଙ୍କ ରଖିଥିବ । ସୁନା କି ରୂପା ଆଉଟିଲାବେଳେ ସେ ଫାଙ୍କରେ କେତେ ଗଳିଯିବ, ତାହା କିଏ କିପରି ଜାଣିବ ? ପୁଣି ସାନ ଜୁହିରେ ବେଶି ରୂପା ପକାଇ ଆଉଟିବ । ସେ ରୂପା ଉତୁରିପଡ଼ି ନିଆଁ ଉହ୍ଲେଇରେ ଅଙ୍ଗାର ତଳକୁ ଗଳିଯାଏ, ସେ ତାହାର ଲାଭ । ଆଉଟା ସୁନା ବା ରୂପାକୁ ଜୋରରେ ଫୁଙ୍କିଲେ ସେଥିରୁ କେତେ ଖସିପଡ଼ି ପାଉଁଶ ତଳକୁ ଚାଲିଯାଏ; ଏ ବାଗରେ ବି ସେ ଚୋରି କରି ନିଏ । ରୂପା ଆଉଟିବାବେଳେ କଳା ରୂପା ପାଟି ଭିତରେ ରଖିଥାଏ; ଫୁଙ୍କୁ ଫୁଙ୍କୁ ନଳ ଭିତରେ ତାହାକୁ ଜୁହିରେ ଗଳାଇପକାଇ କହେ, ଏ ରୂପାଗୁଡ଼ାକ କଳା । ନ ଜାଣିଲା ଲୋକ ଏ କଥା ବୁଝି ନ ପାରି ଅଳ୍ପ ଦାମରେ ବିକି ଦେଇଯାଏ । ଏକା ଭାଇଗା ନୁହେଁ ଯେ, ସବୁ ବଣିଆ ଏହିପରି ଚୋରି କରନ୍ତି । କାହିଁକି କେଜାଣି ସଙ୍ଗାତେ, ମୁଁ ଏକା ସେ ଠକ ବିଦ୍ୟାର ପାଖ ପଶେ ନାହିଁ ।

 

ଆଉଟା ଶେଷରେ ରୂପା ଓଜନ କରାଗଲା । ତାହା ଦୁଇଶ ଟଙ୍କାର ହେଲା । ଅଗାଧୁ ପୁଷ୍ଟିର ଅଂଶ ପଚାଶ ଟଙ୍କା ଏବଂ ଭୀଷଣାର ଅଂଶ ଦେଢ଼ଶ ଟଙ୍କା । ଅଗାଧୁ ସେହି ଦେଢ଼ଶ ଟଙ୍କା ଦେଇ କହିଲା–‘‘ଏ ଚୁଡ଼ୀ ନ ତରଳାଇ ବିକ୍ରି କଲେ ଅଧିକ ଟଙ୍କା ହେବ । ମୁଁ ଏହାକୁ ଟାଙ୍ଗଣାରେ ସଫା କରି ବିକ୍ରୟ କରିବି । ତୁମ୍ଭର ଅଂଶ ଯାହା ହେବ, ତାହା ତୁମ୍ଭକୁ ଦେବି ।’’ ଭୀଷଣା ସଙ୍ଗାତ କଥାରେ ସମ୍ମତ ହୋଇ ଚାଲିଗଲା । ଅଗାଧୁ ଚୁଡ଼ୀକୁ ଭଲରୂପେ ଦେଖିଲା ଏବଂ ତାହାର ଗଠନର ଚମତ୍କାରିତାରେ ମୁଗ୍‌ଧ ହେଲା । ସେ ଭାବିଲା, ‘‘ଏ କାମରେ ଟଙ୍କାକୁ ଟଙ୍କେ ବାଣ ମିଳିବ । ଏହା ଅଢ଼ାଇଶ ଟଙ୍କାରୁ ଉଣା ହେବ ନାହିଁ; ମାତ୍ର ସଙ୍ଗାତକୁ ଦୁଇଶ ଟଙ୍କା ବୋଲି କହିବି । ସେ ବାଗରୁ ପଚାଶ ଟଙ୍କା ମିଳିବ, ତାହାଛଡ଼ା ମୋର ଭାଗ ବି ପଚାଶ ଟଙ୍କା ପାଇବି ।’’ ଅନନ୍ତର ସେ ଚୁଡ଼ୀକୁ ପରିଷ୍କୃତ କରି ଘରେ ରଖିଦେଲା । ଅଗାଧୁ ସ୍ତ୍ରୀ ସୁଶୀଳା ସେ ଚୁଡ଼ୀର କାରୁକଳା ଦେଖି ଭାବିଲା–‘‘ସ୍ତ୍ରୀ ଜନ୍ମ ଲଭି ଏପରି ଗୋଟାଏ ଅଳଙ୍କାର ପିନ୍ଧି ନ ପାରିଲେ ଜନ୍ମ ବୃଥା । ଗହଣା ପିନ୍ଧି ମନର ଅଭିମାନ ଯେବେ ନ ତୁଟିଲା, ତେବେ ସେ କି ଗହଣା ?’’ ଚୁଡ଼ୀ ପ୍ରତି ତାହାର ଭାରି ଲୋଭ ହେଲା; ମାତ୍ର ସେ ଲଜ୍ଜାରେ ସ୍ୱାମୀକୁ ତାହା କହି ପାରିଲା ନାହିଁ । ଲାଳସା ତ ସହଜରେ ଦମିତ ହେବାର ନୁହେଁ ! ସୁଶୀଳା ଚୁଡ଼ୀ ବାହାର କରି ପ୍ରତ୍ୟହ ଘଡ଼ିଏ ପର୍ଯ୍ୟନ୍ତ ଲେଉଟାଇ ପାଲଟାଇ ଦେଖେ; ମାତ୍ର ଦିଦୃକ୍ଷା ତୃପ୍ତ ହୁଏ ନାହିଁ । ପ୍ରିୟ ବସ୍ତୁକୁ ଯେତେ ଦେଖିଲେ ସେତେ ଆକାଙ୍‌କ୍ଷା ବଢ଼େ-। ସୁଶୀଳା ଅପୂର୍ଣ୍ଣ ଆକାଙ୍‌କ୍ଷାର ଗୁରୁ ଭାର ହୃଦୟରେ ବହନ କରି ଦେଖିସାରିଲା ପରେ ଚୁଡ଼ୀକୁ ଯଥାସ୍ଥାନରେ ରଖିଦିଏ ଏବଂ ଗୋଟାଏ ଅତୃପ୍ତ ଲାଳସାର ଦୀର୍ଘଶ୍ୱାସ ତ୍ୟାଗ କରି କାର୍ଯ୍ୟାନ୍ତରରେ ରତ ହୁଏ ।

 

ଦୁର୍ଭିକ୍ଷଯୋଗୁଁ ଏକାଦିକ୍ରମେ ତିନିବର୍ଷକାଳ ବିବାହ ବି ଶୁଭକାର୍ଯ୍ୟ ହୋଇ ପାରି ନାହିଁ । ଏ ବର୍ଷ କୃଷିର ଅବସ୍ଥା ସନ୍ତୋଷଜନକ; ସୁତରାଂ ଅନେକଙ୍କ ଘରେ ବିବାହାଦି ମଙ୍ଗଳାନୁଷ୍ଠାନ ହେଉଅଛି । ବଡ଼ଲୋକମାନେ ଆଡ଼ମ୍ବରରେ କାର୍ଯ୍ୟ କରୁଅଛନ୍ତି; ମାତ୍ର ଗରିବମାନେ ଧୂଳିହାତ ପାଣିହାତ କରି କୌଣସିମତେ କାର୍ଯ୍ୟ ତୁଲାଇ ନେଉଅଛନ୍ତି । ତୋପ ଶବ୍ଦରେ ରାତିରେ ଘନ ଘନ ନିଦ ଭାଙ୍ଗି ଯାଉଅଛି । ଗଉଡ଼, ଭଣ୍ଡାରୀ, ବାଦ୍ୟକାର ପ୍ରଭୃତି କେତେକ ଲୋକଙ୍କ ଭାଗ୍ୟରେ ଉପାର୍ଜନର ଏକାଦଶ ବୃହସ୍ପତି ଯୋଗ ଘଟିଅଛି । ସୁଶୀଳା ସୁଯୋଗ ପାଇ ସ୍ୱାମୀଙ୍କୁ କହିଲା–‘‘ମୁଁ କଅଣ ହାତରେ ଏହି କାଚ ପିନ୍ଧି ବାପ ଘରକୁ ଯିବି, ଲୋକେ ବା କଅଣ କହିବେ ? ତମକୁ ପଚିଶ ଜଣ ଭଲ ଲୋକ ଚିହ୍ନନ୍ତି; ଧନୀ ବୋଲି ଜାଣନ୍ତି, ସେମାନେ ତମକୁ ନିନ୍ଦା କରିବେ ସିନା ! କହିବେ–‘କେଉଟ ବିକେ ମାଛ, ଖାଏ କଙ୍କଡ଼ା ।’ ବଣିଆର ସୁନାରୂପାର କାରବାର, ଭାର୍ଯ୍ୟା ହାତରେ ହଳେ ଚୁଡ଼ୀ ବି ଦେଇ ନାହିଁ । ଏହା ଶୁଣି ବାପଘର ପାଖରେ ଲାଜରେ ମୋର ମୁଣ୍ଡ ତଳକୁ ହେବ ।’’ ଅଗାଧୁ କହିଲା–‘‘କାହିଁକି ମୁଣ୍ଡ ତଳକୁ ହେବ, ତୁ ସେହି ପଥରବସା ଚୁଡ଼ୀ ପିନ୍ଧି ମୁଣ୍ଡ ଉପରକୁ କରି ଯା । ସେ ଚୁଡ଼ୀତ ବିକ୍ରୀ ହେବ, ତୁ ଫେରି ଆସିଲେ ସଫା କରି ରଖିଦେବି ।’’ ଏହା ଶୁଣି ସୁଶୀଳା ଯତ୍ପରୋନାସ୍ତି ଆନନ୍ଦ ଲାଭ କଲା । ଆକାଙ୍‌କ୍ଷା ସଫଳ ହେଲେ କିଏ ବା ଆନନ୍ଦିତ ନ ହୁଏ ? ସୁଶୀଳା ଚୁଡ଼ୀ ପିନ୍ଧି ସଜବାଜ ହୋଇ ବାପଘରକୁ ଗଲା ।

 

ଝିଅ ଶ୍ୱଶୁରଘରୁ ବାପଘରକୁ ଆସିଲେ ସଂକ୍ରାମକ ରୋଗ ପରି ବାପଘର ଗାଁର ପ୍ରତି ଘରେ ନ ବୁଲି କ୍ଷାନ୍ତ ହୁଏ ନାହିଁ । ଏତଦ୍ୱାରା ଗ୍ରାମ ସଙ୍ଖୋଳା ଏବଂ ବସ୍ତ୍ରାଳଙ୍କାରର ପାରିପାଟ୍ୟଦ୍ୱାରା ଶ୍ୱଶୁରାଳୟର ବିଭବ ପ୍ରଦର୍ଶନ ଉଭୟ କାର୍ଯ୍ୟ ହୁଏ । ବିଭବପ୍ରଦର୍ଶନଦ୍ୱାରା ଆତ୍ମପ୍ରଶସ୍ତି ଉପଭୋଗ କରିବା ସ୍ତ୍ରୀଜାତିର ସ୍ୱଭାବ । ଯାହାର କିଛି ନାହିଁ, ସେ ବନ୍ଧୁ ଘରକୁ, ପିତ୍ରାଳୟକୁ କିମ୍ବା ଯାତ୍ରା ଦେଖିବାକୁ ଗଲେ ସାହିପଡ଼ିଶାରୁ ଲୁଗା ବା ଗହଣା ମାଗିନେଇ ପିନ୍ଧି ଯାଏ-। ନିଜର ବିଭବକୁ ଟିକିଏ ବୃଦ୍ଧି କରି ଦେଖାଇବା ଅନେକଙ୍କର ଇଚ୍ଛା । ସେଥିରେ ସେମାନେ ଗୋଟାଏ ଆନନ୍ଦ, ଆମୋଦ ଓ ତୃପ୍ତିଲାଭ କରନ୍ତି । ଅନେକ ଦୂରବସ୍ଥ ଶିକ୍ଷିତ ଯୁବକ ବନ୍ଧୁମାନଙ୍କଠାରୁ ଛଡ଼ି, ଘଡ଼ି, ସୁନାମୁଦି ପ୍ରଭୃତି ଧାର ନେଇ ଶ୍ୱଶୁରାଳୟକୁ ଯିବାର ଦେଖାଯାଏ । କେତେ ନିପଟ ଖଲି ସୁଦ୍ଧା ବଡ଼ଲୋକ ସାଜନ୍ତି । ଧୋବା ଓ ମୋଚି ସେହି ବଡ଼ଲୋକମାନଙ୍କର ମହାଶ୍ରୟ । ସେମାନେ ଧୋତି, କୋଟ, କାମିଜ, ଜୋତା ପ୍ରଭୃତି ଭଡ଼ା ନେଇ ବଡ଼ଲେକୀ ରୂପେ ସ୍ୱର୍ଗର ଶିଡ଼ିରେ ଆରୋହଣ କରନ୍ତି । ସେଥିଦ୍ୱାରା ସେମାନେ ବଡ଼ଲୋକ ନ ହେଉନ୍ତୁ ପଛେ; ମାତ୍ର ବଡ଼ଲୋକୀର ସାଧ ମେଣ୍ଟାଇନିଅନ୍ତି । ଆଉ ଆତ୍ମ ପ୍ରଶଂସାର ତ ପରିମାଣ ନାହିଁ । ବିଦ୍ୟା, ବୁଦ୍ଧି, ଆଭିଜାତ୍ୟ, ଧନ, ମାନ, ପରୋପକାରିତା ତ ଜଗତରେ ସମସ୍ତଙ୍କର ଅଛି । କେହି କେହି ଯେଉଁ ଦୀନ ଏଗୁଡ଼ିକର କିମ୍ବା ଏଥିମଧ୍ୟରୁ ନ୍ୟୁନକଳ୍ପେ କୌଣସି ଗୋଟିକର ବ୍ୟାଖ୍ୟାନ ସୁବିଧା ଦୁର୍ଭାଗ୍ୟବଶତଃ ନ ପାଆନ୍ତି, ସେଦିନର ବ୍ୟଞ୍ଜନ ସେମାନଙ୍କୁ ଅଲଣା ଲାଗେ । ଏହିପରି ଆତ୍ମପ୍ରଂଶସାରୂପ ଆତ୍ମହତ୍ୟା ପ୍ରାୟ ପନ୍ଦର ଲୋକେ କରନ୍ତି ।

 

କୃପାସିନ୍ଧୁ ପଟନାୟକ ଗ୍ରାମର ବଡ଼ଲୋକ ଏବଂ ଜମିଦାର । ସେ କଣ୍ଟ୍ରାକ୍‌ଟରୀଦ୍ୱାରା ବହୁ ଅର୍ଥ ଉପାର୍ଜନ କରିଥିଲେ । ଦଶବର୍ଷ ହେଲା ଜମିଦାରୀ କିଣି ଜମିଦାର ହୋଇ ବସିଅଛନ୍ତି । ତାଙ୍କର ଠାକୁରବାଡ଼ୀ ଅଛି, ସୁବର୍ଣ୍ଣନିର୍ମିତ ବୃହତ୍ତ ଗୋପାଳମୂର୍ତ୍ତି ରତ୍ନସିଂହାସନରେ ଅଧିଷ୍ଠିତ । ଠାକୁର ମନ୍ଦିରର ସିଂହଦ୍ୱାରରେ ଚନ୍ଦନ କାଷ୍ଠର ଯାଉଁଳି କବାଟ ଲାଗିଅଛି । ଅତିଥି ଅଭ୍ୟାଗତ ଯେତେ ଆସନ୍ତି, ସମସ୍ତେ ଠାକୁରବାଡ଼ୀରେ ପ୍ରସାଦ ପାଆନ୍ତି । ଜମିଦାର ଘର-ସୁଆରି, ପାଲିଙ୍କୀ, ଘୋଡ଼ା ପ୍ରଭୃତି ଯାନବାହାନର ଅଭାବ ନାହିଁ । ଅଭାବ କେବଳ ଆଧୁନିକ କାମଗତି ବିଳାସ ଯାନ ମୋଟରକାର, ସାଇକେଲ ପ୍ରଭୃତିର । ପଟ୍ଟନାୟକେ ସେଭଳି ମାର୍ଜିତ ରୁଚିର ରସିକ ନୁହନ୍ତି । ମୋଫସଲ ଗ୍ରାମର ହିଡ଼ବାଡ଼ ଡେଇଁ ସେ ଯାନବାହାନ ବା କିପରି ଚାଲି ପାରିବ ? ଜମିଦାରଙ୍କର କୋଠା ନାହିଁ, ପକ୍‌କା କୋଠା ତାଙ୍କ ଘରକୁ ସହେ ନାହିଁ । ଘର ସବୁ ପାଞ୍ଚଶେଣିଆ; ଖୁଣ୍ଟ, ଚୌକାଠବନ୍ଧ ପ୍ରଭୃତି ବିବିଧ କାରୁକାର୍ଯ୍ୟମଣ୍ଡିତ ଏବଂ ସୁନ୍ଦର । ତାଙ୍କର ବାର ଅମାର ଧାନ ଅଛି, ନିଅଣ୍ଟ ହେଲେ ପ୍ରଜାମାନେ ସେହି ଧାନ କରଜ ନଅନ୍ତି । ପଟନାୟକେ ତଣ୍ଟି ଚିପି ପ୍ରଜାପାଳନ କରିନ୍ତି ନାହିଁ, ଦୁଃଖ ବା ବିପଦବେଳେ ପ୍ରଜା ଆସି ତାଙ୍କ ଦ୍ୱାରରେ ଠିଆ ହେଲେ ସେହି ଦୁଃଖ ବା ବିପଦକୁ ସେ ନିଜ ଦେହକୁ ନେଇ ସେଥିରେ ପ୍ରତିକାର କରନ୍ତି । ଧାନର ସୁଧ ଗ୍ରହଣ କରନ୍ତି ନାହିଁ, ପ୍ରଜାର ଅବସ୍ଥାକୁ ଚାହିଁ ସେହି ତୁଳନାରେ ବିନା ସୁଧରେ ଧାନ କରଜ ଦିଅନ୍ତି । ପ୍ରଜାମାନେ ତାଙ୍କୁ ପିତୃତୁଲ୍ୟ ଭକ୍ତି କରନ୍ତି । ସେ ସଞ୍ଚୟନିପୁଣ; କିନ୍ତୁ ଅତି ସଞ୍ଚୟୀ ନୁହନ୍ତି କିମ୍ବା ବ୍ୟୟ ସଙ୍କୋଚ କରି ସଞ୍ଚୟର ଚେଷ୍ଟା କରନ୍ତି ନାହିଁ । ପକ୍ଷାନ୍ତରରେ ଅଯଥା ବ୍ୟୟ ସୁଦ୍ଧା ତାଙ୍କର ପ୍ରକୃତିସିଦ୍ଧ ନୁହେଁ ।

 

ସୁଶୀଳା ଦିନେ ସେହି ଜମିଦାର ଘରକୁ ବୁଲିବାକୁ ଗଲା । ଜମିଦାର କନ୍ୟା ସୁକୁମାରୀ କେତେ ଜଣ ସମବୟସ୍କା ସଙ୍ଗିନୀ ସହ ତାସ ଖେଳରେ ନିଯୁକ୍ତ ଥିଲା । ସୁଶୀଳାକୁ ଦେଖି କହିଲା–‘‘କି ଲୋ ସୁଶୀ ଅପା, କେବେ ଆସିଲୁ ? ଭାଇ ବାହାଘର ଡାଲିଭାତ ଖାଇବୁ ପରା ? ଆ, ଆ, ବସ ।’’ ସୁଶୀଳା ଯାଇ ବସିଲା । ସମସ୍ତେ ଖେଳରୁ ନିବୃତ୍ତ ହୋଇ ତାହା ସହିତ କଥୋପକଥନରେ ନିଯୁକ୍ତ ହେଲେ । ନାନା କଥା ପରେ ସୁକୁମାରୀ ପଚାରିଲା–‘‘ସୁଶୀ ଅପା, ଆମ ଗାଁ ପରି ତୋ ଶଶୁର ଗାଁରେ ନଈ ଅଛି ନା ? ଆଉ ଜଣେ ପଚାରିଲା–‘‘ସେ ଗାଁରେ ଗୋଲାପ ଫୁଲ ମିଳେ ନା ?’’ ଏହିପରି କିଏ କହିଲା–‘‘ସେ ଗାଁର ବହୂ ଝିଏ ଖୁବ୍ ଗହଣା ନାଇଛନ୍ତି ନା ?’’ କେହ କହିଲା–‘‘ସେମାନେ ବିନ୍ତି ଖେଳ ଜାଣନ୍ତି ନା ?’’ କେହି ବା ସେ ଗାଁରେ ଡାହାଣୀ ଚିରକୁଣୀ ଅଛନ୍ତି କି ନାହାନ୍ତି ପଚାରିଲା । ସୁଶୀଳା ସୁଶୀଳା ପ୍ରଶ୍ନରେ ପୋତି ପଡ଼ି ସଂକ୍ଷେପରେ ଯଥାଶକ୍ତି ଉତ୍ତର ଦେଇ ହାଲିଆ ହୋଇପଡ଼ିଲା । ଏହି ସମୟରେ ଅନ୍ୟ କକ୍ଷରୁ ‘‘ସୁକୁ ଲୋ, ସୁକୁ ଲୋ’’ ବୋଲି ଡାକି ଡାକି ଜମିଦାରଗୃହିଣୀ ଆସି ସେଠାରେ ଉପସ୍ଥିତ ହେଲେ । ସେ ସୁକୁମାରୀକୁ ‘‘ସୁକୁ’’ ବୋଲି ଡାକନ୍ତି । ଏହା ସ୍ନେହର ଡାକ । ସ୍ନେହରେ ସେ କନ୍ୟା ନାମର ଶେଷ ଦୁଇ ଅକ୍ଷର ଭୋଜନ କରିଅଛନ୍ତି । ଏହିପରି ଭୋଜନରେ ସ୍ନେହଶୀଳା ଜନନୀଜାତି ଅଭ୍ୟସ୍ତା । ସେମାନେ ସନ୍ତାନର ନାମ କୋମଳ କରିବାକୁ ଯାଇ ବିକଳାଙ୍ଗ କରନ୍ତି । ଜମିଦାର-ଗୃହିଣୀ କହିଲେ–‘‘ଏ କାଗଜରେ କି ଖେଳ ଖେଳୁଛ ଲୋ ? ଏ କାଳକୁ କେତେ ହୁନ୍ଦର ବାହାରୁଛି, ଆମବେଳେ ଏ ସବୁ ଥିଲା ନାହିଁ । ଢ଼ପାଖେଳ, ନ ହେଲେ କଉଡ଼ିଖେଳ, ଆଉ କରଗଜରେ କଅଣ ଖେଳୁଛ ?’’ ସୁକୁମାରୀ କହିଲା–‘‘କଅଣ କହିଲୁ, ତମବେଳେ ଥିଲା ନାହିଁ ? ତମବେଳ କେବେ ଲୋ, କାଲିକା ଅଣ୍ଡା ଖଣ୍ଡକ, କହୁଛି ଆମ ବେଳ ।’’ ଏହା ଶୁଣି ସମସ୍ତେ ହସି ଉଠିଲେ । କନ୍ୟାମୁଖରୁ ଜନନୀସୁଲଭ ଅମୂଲ୍ୟ ବାତ୍ସଲ୍ୟ ବାଣୀ ଶୁଣି ଜମିଦାର ଗୃହିଣୀଙ୍କ ମାତୃ ହୃଦୟରେ ଅପୂର୍ବ ଆନନ୍ଦ ଉଛୁଳି ଉଠିଲା । ସେ ଶାସନ ଭୁଲିଯାଇ ସ୍ନେହଶୀତଳ ଦୃଷ୍ଟିରେ କନ୍ୟାର ମୁଖ ଅବଲୋକନପୂର୍ବକ ସଦୟ ସହର୍ଷ କଣ୍ଠରେ କହିଲେ–‘‘ଯାହା ଖେଳୁଛ ଖେଳ ପଛକେ, ତୋ ଭାଇଙ୍କୁ ପାନ ଦେଇଆସିଛୁ ନା ?’’ ସୁକୁମାରୀ କହିଲା–‘‘ଆମେ ଦୁହେଁ ବଡ଼ ନୂଆବହୂଙ୍କୁ କହି ଆସିଛୁ, ସେ ଚାକର ହାତରେ ଭାଇଙ୍କଠାକୁ ପାନ ଦେଇ ପଠାଇବେ ।’’

 

ଜମିଦାର ଗୃହିଣୀ–ତମେ ଦୁହେଁ କିଏ ?

 

ସୁକୁମାରୀ–ମୁଁ, ଆଉ ସାନ ନୂଆବହୂ ।

 

ଜମିଦାର ଗୃହିଣୀ–ସାନ ନୂଆବହୂ ବି ତୋର ଆସିଛି ! କାହିଁ ସେ ?

 

ଏହି ସମୟରେ ପାର୍ଶ୍ୱସ୍ଥ ଗୃହ ମଧ୍ୟରୁ ଗୋଟିଏ ସାଳଙ୍କାର ସୁନ୍ଦରୀ କିଶୋରୀ ବାହାରି ଆସି ହସି ହସି କହିଲା–‘‘ମା, ତମେ ଗାଳିଦେବ ବୋଲି ମୁଁ ଡରେ ଲୁଚିଥିଲି । ଆମେ ବଡ଼ ଅପାଙ୍କୁ କହି ଛୁଟି ନେଇ ଆସିଛୁ ।’’ ଜମିଦାର-ଗୃହିଣୀ କନ୍ୟାସମା ସାନବହୂର ମସ୍ତକରେ ମାତୃସ୍ନେହର ହସ୍ତ ବୁଲାଉ ବୁଲାଉ କହିଲେ–‘‘ବଡ଼ବହୂକୁ କହି ଆସିଛୁ, ସେ କଅଣ କହିଲା ?’’ ସାନବହୂ କହିଲା–‘‘କହିବେ ଆଉ କଣ, କେବେ କିଛି କହନ୍ତି ନା ଆଜି କହିବେ ! ଯେବେ ଯାହା କରିବୁ ବୋଲି କହିଲେ ସେ ମନା କରନ୍ତି ନାହିଁ; ହସି ହସି କହନ୍ତି–ହେଉ ଯାହା କରିବ କର । ସେ ଆମକୁ ଯିମିତି ଶରଧା କରନ୍ତି ଏ ଗାଁରେ କେତେ ମା ବି ଝିଅମାନଙ୍କୁ ସିମିତି ଶରଧା କରନ୍ତି ନାହିଁ । ସବୁ କାମ ସେ ନିଜେ କରନ୍ତି, ଆମକୁ ତ କିଛି କରାଇଦିଅନ୍ତି ନାହିଁ, ଆମେ ଆଉ କଅଣ କରିବୁ ?’’ ସାନ ଭାଉଜର କଥା ନ ସରୁଣୁ ସୁକୁମାରୀ କହିଲା–‘‘ବଉ ଆଜି କଥା ଶୁଣିବୁ ?’’ ମୁଁ କହିଲି–ବଡ଼ନୂଆବହୂ ଆମେ ବି’ ବାଜି ତାସ ଖେଳନ୍ତୁ । ସେ କହିଲା–‘‘ହେଉ, ଆର ବାହାରେ ଯାଇ ଖେଳ; ସାଆନ୍ତାଣୀଏ ଦେଖିଲେ ଚଳିହେବେ ।’’ ଏହା ଶୁଣି ଜମିଦାରଗୃହିଣୀ କହିଲେ–‘‘ତମେ ଆଛା ଅବଧାନ ପାଇଛ, ତମେ ଅବଧାନ ବୋଲି ମାନିବ କଅଣ, ଅବଧାନ ତମ ବୋଲ ମାନେ । ଆହା, ମା ମୋର ସାକ୍ଷାତ୍‌ ଲକ୍ଷ୍ମୀ, ବହୂ ନୁହେଁ ଯେ–ସୁନା ମୁଣ୍ଡେ । ଭାଗ୍ୟରେ ମୁଁ ତାହା ପରି ବହୂ ପାଇଛି । ଏତେ କାମ କରିବ, ତେବେ ବି ମୁହଁରେ ଟିକିଏ ହେଲେ ଉଁ କି ଚୂଁ କିଛି ନାହିଁ । ଗୁରୁଜନଙ୍କୁ କି ଭକ୍ତି-! କେହି ଦେବତାଙ୍କୁ ବି ସେପରି ଭକ୍ତି କରିବ ନାହିଁ । ତମେ ଖେଳ ଲୋ ମା, ମୁଁ ମନା କରୁ ନାହିଁ । ବଡ଼ଘରର ଝିଅ ବହୂ, ଖେଳିବ ନାହିଁ କାହିଁକି ? ତେବେ ସବୁବେଳେ ଖେଳିଲେ କାମଦାମ ଶିଖିବ କିପରି ?’’ ଏହି ସମୟରେ ସୁଶୀଳା ଉପରେ ଦୃଷ୍ଟି ପଡ଼ିବାରୁ ପଚାରିଲେ–‘‘ଏ ଝିଅଟି କିଏ ଲୋ ମା-?’’ ସୁକୁମାରୀ କହିଲା–‘‘ତାକୁ ତୁ ଚିହ୍ନି ପାରୁ ନାହୁଁ ବଉ ! ସେ ଆମ ବଣିଆଘର ଝିଅ ସୁଶୀଳା ପରା !’’ ସୁଶୀଳା ଉଠିଯାଇ ଜମିଦାର-ଗୃହିଣୀଙ୍କ ଗୋଡ଼ତଳେ ଜୁହାର ହେଲା । ଜମିଦାରଗୃହିଣୀ ତାହାକୁ ଉଠାଇ ଦେଉ ଦେଉ କହିଲେ–‘‘ଉଠ୍‌, ମା, ଉଠ୍‌ । ଅହ୍ୟସୁଲକ୍ଷଣୀ ହୋଇଥା, ପାକଲା ବାଳରେ ସିନ୍ଦୂର ନା । ଗହଣାଗହଣିଗୁଡ଼ିଏ ତ ଢ଼େର ନାଇଚି, ଶଶୁରଘର ଖୁବ୍‌ଥିଲା ଘର । ଝିଅଟିର କପାଳ ଭଲ, ଖୁବ୍‌ସୁଖରେ ପଡ଼ିଲା ।’’ ଏହା କହି ସୁଶୀଳାର ହାତ ଟାଣି ନେଇ କହିଲେ–‘‘ଏ ଚୁଡ଼ୀ କିଏ ଗଢ଼ିଛି ଲୋ ମା ?’’ ସୁକୁମାରୀ କହିଲା–‘‘ତାହାରି ଶଶୁର ପୁଅ ଗଢ଼ିଥିବ । ସେ ଜଣେ ଭଲ କାରିଗର ଯେ !’’ ଶଶୁର ପୁଅର ପ୍ରଶଂସା ଶୁଣି ସୁଶୀଳାର ଛାତି ଆନନ୍ଦରେ କୁଣ୍ଢେ ହୋଇଗଲା । ସେ ପ୍ରଶଂସାରେ ତାହାର ସୁଦ୍ଧା ଭାଗ ଅଛି, ସେ ଏଡ଼େ ବଡ଼ ଗୁଣିଜନର ଘରଣୀ, ଏହା କି ତାହା ପକ୍ଷରେ ସାମାନ୍ୟ ଗୌରବର କଥା ! ଯଦିଚ ତାହା ଶଶୁର ପୁଅର ସେପରି ଚୁଡ଼ୀ ଗଢ଼ିବାର ଯୋଗ୍ୟତା ନାହିଁ, ତଥାପି ସେ ଅନ୍ୟର ଗଢ଼ା ବୋଲି କହି ନିଜର ଗୌରବ ହରାଇବ କାହିଁକି ? ହସ୍ତଗତ ସମ୍ପତ୍ତି ଆଉ ଗୌରବ ହରାଇବାକୁ କିଏ ବା ଇଚ୍ଛା କରେ ? ସେ କିଛି ନ କହି ଅଳ୍ପ ଅଳ୍ପ ହସି ମୌନତାଦ୍ୱାରା ସମ୍ମତି ପ୍ରକାଶ କଲା । ଜମିଦାରଗୃହିଣୀ କହିଲେ–‘‘ଠିକ୍‌କଲକତି ଗଢ଼ଣ ପରି ହୋଇଛି !’’ କେହି କହିଲା–‘‘ମୟୂର ଦୁଇଟି ଆଚ୍ଛା ସୁନ୍ଦର ଦିଶୁଛି !’’ କେହି କହିଲା–‘‘ଗୋଲାପ ଫୁଲଗୁଡ଼ିକ ଯିମିତି ସତକୁ ସତ ଗୋଲାପ ଫୁଲ !’’ ଏହିପରି ଚୁଡ଼ୀର ପ୍ରଶଂସା ସମସ୍ତଙ୍କ ମୁଖରୁ ଅନର୍ଗଳ ବହିର୍ଗତ ହେବାକୁ ଲାଗିଲା । ଜମିଦାରଙ୍କ ସାନବୋହୂ ଶାଶୁଙ୍କ ପାଖରେ ଅଳି କରି କହିଲା–‘‘ମା, ଆମ ସୁକୁ ଲାଗି ଏହିପରି ଚୁଡ଼ୀ କିଣନ୍ତ କି, ସୁକୁ ହାତକୁ ଖୁବ୍‌ମାନନ୍ତା ।’’ ସୁଶୀଳା କହିଲା–‘‘ଏ ବି ସେହି ବିକ୍ରୀ ଚୁଡ଼ୀ ନୁହେଁ କି ? ଗଢ଼ା ହୋଇ ଘରେ ଥିଲା, ମୁଁ ନାଇକରି ଆସିଛି ସିନା ! ଆମର ତ ବଣିଆ ଘର, ବାର ପଦାର୍ଥ ତିଆରି ହୋଇଥାଏ, ମୁଁ ତାହା ନାଇଥାଏ, କେହି ଖୋଜିଲେ ବିକ୍ରି କରିଦେଉ ।’’ ଜମିଦାରଗୃହିଣୀ କହିଲେ–‘‘ଆଚ୍ଛା, ତେବେ ଏହି ହଳକ ଆମେ କିଣିବୁ । ମୁଁ ଆଜି ତା’ ବାପାଙ୍କୁ କହେ, ସେ କାଲି ପୁଷ୍ଟିପୁଅକୁ ଡକାଇଆଣି ଦରଦାମ୍‌ କରି କିଣିବେ ।’’

 

ଜମିଦାରଙ୍କ ହକରାମତେ ଅଗାଧୁ ପୁଷ୍ଟି ଯଥା–ସମୟରେ ଆସି ଉପସ୍ଥିତ ହେଲେ । ଚୁଡ଼ୀଜଡ଼ିତ ପଥରର ଦର କରାଗଲା । ସର୍ବସମେତ ଚୁଡ଼ୀର ମୂଲ୍ୟ ଦୁଇଶ ପଚିଶ ଟଙ୍କା ଧାର୍ଯ୍ୟ ହେଲା । ଜମିଦାର ଟଙ୍କା ଦେଇ ଚୁଡ଼ୀ କ୍ରୟ କଲେ ।

 

ଏଣେ ନିତେଇ ଦାସଙ୍କର ସ୍ୱପ୍ନର ବିରାମ ନାହିଁ । ଦିନ ଯେତେ ଅତୀତ ହେଉଅଛି, ସ୍ୱପ୍ନ ସେତେ ଭୀଷଣ ହେଉଅଛି । ଦାସେ ଭୀତ ଏବଂ ବିରକ୍ତ । ସ୍ୱପ୍ନ କବଳରୁ ତ୍ରାହି ଲଭିବା ସକାଶେ କଅଣ କରିବେ ଭାବି କିଛି ସ୍ଥିର କରି ପାରିଲେ ନାହିଁ । ନିଦ୍ରା ନ ହେଲେ ସ୍ୱପ୍ନ ହେବ ନାହିଁ; ସୁତରାଂ ନିଦ୍ରାଦେବୀଙ୍କୁ ମିନତିକାକୁତି କଲେ । ଦେବୀଙ୍କ ଦୟାଲାଭରୁ ବଞ୍ଚିତ ହୋଇ ଶେଷରେ କ୍ରୁଦ୍ଧ ହୋଇ ତାଙ୍କୁ ଅଭିଶାପ ପ୍ରଦାନ କଲେ । ନିଦ୍ରାର ତ ଆଉ କାହାରି ସ୍ତବ ବା ଶାପ ପ୍ରତି ଭ୍ରୁକ୍ଷେପ ଥାଏ ନାହିଁ–ସେ ତାହାର କର୍ତ୍ତବ୍ୟ ସାଧନ କରି ଯାଏ । ଦୁଃଖ ଯେତେବେଳେ ଆସେ, ଉପର୍ଯ୍ୟୁପରି ଆସି ବିଷ୍‌ଫୋଟକ ଉପରେ ନିଆଁ ଚେଙ୍କା ବସାଇଦିଏ । ଦାସଙ୍କର ମନସ୍ତାପ ସୀମା ନାହିଁ, ତହିଁ ଉପରେ ଯେଉଁ ରାତିରେ ବିଲ ଗାଁ ଅଧିକାରୀଙ୍କ ଘରେ ଚୋରି ହେଲା, ସେହି ରାତି ମଧ୍ୟ ଦାସଙ୍କ ଘରେ ସୁଦ୍ଧା ଚୋରି ହେଲା । ଏହା ଶୁଣି କେହି କେହି ପରିହାସ କରି କହିଲେ–ଦୁଇ ସମ୍ବନ୍ଧୀଙ୍କ ଅଦୃଷ୍ଟ ଏକ ସୂତ୍ରରେ ଗୁନ୍ଥା । ସନ୍ଧ୍ୟା ସମୟରେ ଜଣେ ଖାତକ ଋଣ ପରିଶୋଧ କରିବାକୁ ଆସିଲା । ବାକ୍‌ସରୁ ତାହାର ବନ୍ଧକ ମାଲ ବାହାର କରି ଦାସେ ତାକୁ ଦେଲେ; ମାତ୍ର ବାକ୍‌ସକୁ ସିନ୍ଦୁକ ଭିତରେ ରଖିବାକୁ ଭୁଲିଯାଇ ଉପରେ ରଖି ଦେଇଥିଲେ । ସେ ଗାମୁଛା ପାଲଟି ବହିର୍ଦେଶ ଗଲେ । ଉଷା ରୋଷାଇଶାଳରେ ଥିଲେ । ଏହି ଅବସରରେ ଘରେ ଚୋର ପଶି ବାକ୍‌ସ ଚୋରି କରି ନେଇଗଲା-। ସେ ବାକ୍‌ସରେ ଅନେକ ଲୋକଙ୍କର ବନ୍ଧକ ମାଲ ଥିଲା । ଦାସେ ରାତିରେ ଦେଖିଲେ ବାକ୍‌ସ ନାହିଁ । ସେ ମୁଣ୍ଡରେ ହାତ ଦେଇ ବସି ପଡ଼ିଲେ । ତାଙ୍କ ଆଖି ଆଗରେ ବିଜୁଳିପୋକ ଖେଳି ବୁଲିଲେ । ଉଷା କୋଡ଼ି କଚାଡ଼ି ହୋଇ କାନ୍ଦିଲେ । ଚିନ୍ତା ଉପରେ ଚିନ୍ତା ଆସି ଦାସଦମ୍ପତୀଙ୍କୁ ଘାରି ପକାଇଲା । ତାଙ୍କୁ ଅନ୍ନ ଜଳ ବିଷ ହେଲା । ପର ମାଲ ଚୋରି ଗଲା–କିଏ କେତେ ଟଙ୍କା ଦାବୀ କରିବ, ସେ କାହାକୁ କଅଣ କହି ଶାନ୍ତ କରିବେ, ଏହି ଚିନ୍ତା ତାଙ୍କୁ ଅନବରତ ଦଗ୍‌ଧ କରିବାକୁ ଲାଗିଲା । ରାତିରେ ସ୍ୱପ୍ନ ଏବଂ ଦିନରେ ଚିନ୍ତା ଦାସଙ୍କର ଭଗାରୀ ହୋଇ ରହିଲା-

Image

 

ଊନବିଂଶ ପରିଚ୍ଛେଦ

 

ଏବେ ଥରେ ରାମର ତତ୍ତ୍ୱ ନେବା ଆବଶ୍ୟକ । ସେ ଗୋଟାଏ ଅନାଥ ବାଳକ, ତାହାର କଣ ହେଲା, ସେ କିପରି ଅଛି, ତାହା ବୁଝିବା ସାଧାରଣ କର୍ତ୍ତବ୍ୟ । ସେଥିରେ ପୂଣ୍ୟାର୍ଜନ ହୁଏ । ଅନ୍ୟଥା ମନୁଷ୍ୟତ୍ୱ, ମହତ୍ତ୍ୱ ବା ବିଶେଷତ୍ୱ–ଯାହା ମନୁଷ୍ୟ ପ୍ରତି ଦେବଦତ୍ତ ଦାନ, ତାହାର ଅବମାନନା ହେବ । ସେ ସାଧାରଣ କୃପାପାତ୍ର, ସେ ସାଧାରଣର ପରିବାରଭୁକ୍ତ । ସେ କୃପା ଖୋଜୁ ବା ନ ଖୋଜୁ, କୃପା ତାକୁ ଖୋଜେ । ଏହିପରି କାର୍ଯ୍ୟରେ ମାନବର ମହତ୍ତର ବୃତ୍ତିମାନ ବିକଶିତ ହୋଇ ଉଠେ । ଦୟା ଏବଂ ପରୋପକାର, ଏ ଦୁଇଟି ମାନବକୁ ଦେବତ୍ୱ ଆଡ଼କୁ ଘେନିଯାଏ; କିନ୍ତୁ ହାୟ, ସମବେଦନା ଆଧୁନିକ ସମାଜରେ ବିରଳ । ଗ୍ରାମର ଜଣେ ହୀନାବସ୍ଥା ହେଲେ ତାହାର ପ୍ରତିବେଶୀମାନେ ଗୋଟାଏ ଉଲ୍ଲାସ ଉପଭୋଗ କରନ୍ତି । ପ୍ରତ୍ୟକ୍ଷରେ ଦୁଃଖ ଆଉ ପରୋକ୍ଷରେ ଆନନ୍ଦ, ଏହା ସମବେଦନା ନୁହେଁ–ସମବେଦନାର ମାରାତ୍ମକ କଳଙ୍କ । ଯେଉଁ ସମବେଦନାରେ ଆନ୍ତରିକତା ନାହିଁ, ତାହା ସମବେଦନା ହିଁ ନୁହେଁ । ପରର ବେଦନା ନିଜ ଦେହକୁ ଆଣିବାର ନାମ ସମବେଦନା । ପଛରେ ସୁଖାନୁଭବ ନ କରି ସୁଦ୍ଧା ଚୂ ଚୂ କରିବା ଏକପ୍ରକାର ସମବେଦନା ହୋଇ ପାରେ; ମାତ୍ର ସେ ସମବେଦନାର ଜୀବନ ନାହିଁ–ବିଫଳ ।

ରାମା ଏବେ ରାମ ହୋଇଯାଇଅଛି । ଏହିପରି ସମସ୍ତଙ୍କୁ ହେବାକୁ ହୁଏ । ବୟୋବୃଦ୍ଧିରେ-ପ୍ରତିଭା ଏବଂ ଯୋଗ୍ୟତାର ପରିସ୍ଫୁଟନରେ କେତେ ଗୋବରା ଗୋବର୍ଦ୍ଧନ ହୁଅନ୍ତି–ଗୋପୀଆ ଗୋପୀନାଥ ହୁଏ–ଅନନ୍ତା ଅନନ୍ତାରାମ ହୁଏ । ଏହିପରି ବାଲ୍ୟସୁଲଭ ବିକୃତ ନାମ ପ୍ରକୃତ ଆଡ଼କୁ ଫେରି ଆସେ । ଏହା ସୁସଭ୍ୟ ଅସଭ୍ୟ ବା ଶିକ୍ଷିତ ଅଶିକ୍ଷିତ ଉଭୟ ସମାଜର ଧାରା-। ପାଣୁଆ କଣ୍ଡରାକୁ ପାଣୁଆ ମଳିକ ନ କହି ପାଣୁ ମଳିକ କହନ୍ତି–ରଘୁଆ ରାଢ଼ୀ ବୁଢ଼ା ହେଲେ ରଘୁ ବେହେରା ହୁଏ–ରଘୁଆ ବେହେରା ହୁଏ ନାହିଁ । ସେ ଯାହାହେଉ, ରାମାର ଦ୍ୱିତୀୟ ସଂସ୍କରଣ ହୋଇ ଯାଇଅଛି, ଏଣିକି ତାକୁ ରାମ ବୋଲି କହିବାକୁ ହେବ ।

ରାମ ବାହାରି ଆସିବାର ଦୁଇଦିନ ପରେ ନିତେଇ ଦାସ ଲୋକଦେଖା ଭାବରେ ତାକୁ ନେବାକୁ ଆସିଥିଲେ । କହିଲେ–‘‘ମା ଯେ ମାଉସୀ ସେ, ବୁଢ଼ୀ ଲୋକ କଅଣ ପଦେ କହିଦେଲା, ସେଥିଲାଗି କି ରାଗ ବହି ଚାଲିଆସିବା ଭଲ ହେଲା ବାବା ? ତୋ ମା ତୋତେ କହିଥିଲେ ତୁ କି ଏହିପରି ରାଗରେ ଘରୁ ବାହାରିଯାଆନ୍ତୁ ? ଘର କରିଥିଲେ ସବୁ ହୁଏ, ମାଇପେ କହନ୍ତି–‘ହାଣ୍ଡି ଥିଲେ ସିହାଣ ବାଜେ ।’ ରାମ ତାଙ୍କୁ ଆଉ ଅଧିକ ଉପକ୍ରମଣିକାର ଅବସର ନ ଦେଇ କହିଲା–‘‘ମୁଁ ତ ରୁଷି ଆସି ନାହିଁ, ତମେ ବେଉଷଛ କାହିଁକି ମଉସା ? ରାଗ, ଅଭିମାନ କରିବାର ସ୍ଥାନ ମୋର ସଂସାରରେ ନାହିଁ, ବିଧାତା ମୋର ସେ ସୌଭାଗ୍ୟ ଛଡ଼ାଇ ନେଇଅଛନ୍ତି । ବେପାର ବଣିଜ ଥିଲାବେଳେ ମୁଁ ତମର କାମ କରୁଥିଲି, ଏବେ ତମର କିଛି କାମ ନାହିଁ, ତେବେ ବୃଥା ତମର ଗଳଗ୍ରହ ହେବି କାହିଁକି ? ମୋତେ ବଡ଼ ସଙ୍କୋଚ ବୋଧ ହେବାରୁ ମୁଁ ସ୍ୱଇଚ୍ଛାରେ ଚାଲି ଆସିଲି । ଏଣିକି ମୁଁ ମୋର କିଛି ସୁବିଧା ଦେଖିବି, ଚିରକାଳ ତ ତମ ଘରେ ରହିବି ନାହିଁ, ତମେ ଆଉ ବଳାଅ ନାହିଁ–ଯାଅ ।’’ ଦାସେ ସୁଦ୍ଧା ଏହିପରି କଥା ଖୋଜୁଥିଲେ, ରାମର ମନ ବିଡ଼ିନେଇ ଆଉ କିଛି ନ କହି ଚାଲିଗଲେ । ମନେ ମନେ ଖୁସି ହୋଇ କହିଲେ–ଭଗବାନ ରକ୍ଷା କଲେ, ଏବେ ଲୋକାପବାଦରୁ ନିସ୍ତାର ପାଇଲି । ଶତ୍ରୁଗୁଡ଼ାକ ତ ସବୁବେଳେ ଅହନ୍ତା ଲଗାଇଛନ୍ତି, ପୁଣି କହନ୍ତେ–ଟୋକାଟା ରାଗରେ ଚାଲିଗଲା, ନିତେଇ ଦାସ ଜାଣିବା ଶୁଣିବା ଲୋକ ହୋଇ ଥରେ ଖୋଜିଲା ବି ନାହିଁ । ଏବେ ସେ କଳଙ୍କ ଗଲା । ରାମ କହିଲା–‘‘ଚିରକାଳ ତ ତମ ଘରେ ରହିବି ନାହିଁ, ତାହା ସତ । ପର ବଳଦରେ କିଏ ବା କେତେ ଦିନ ହଳ କରିବ ? ଯାହାହେଉ, ଏଣିକି ସେ ତାହା କଥା ବୁଝିବ, ମୋର ବି ଘରେ ଭାତ ରହିବ, ଏହା ଉଭୟ ପକ୍ଷରେ ମଙ୍ଗଳ । କିନ୍ତୁ ସୁଦୁରୀ ମାର କି ସୂକ୍ଷ୍ମ ବୁଦ୍ଧି ! ଏହିହେତୁ ମୁଁ ତାକୁ ପ୍ରାଣର ସହିତ ଭଲପାଏ । ସେ ଯଦି ପୁରୁଷ-ହୃଦୟ ଘେନି ପୁରୁଷ ଜାତିରେ ଜନ୍ମ ଲଭିଥାଆନ୍ତା, ତେବେ ତାହା ପରି ଗୁଣବତୀ ବୁଦ୍ଧିମତୀ ସ୍ତ୍ରୀ ପୁରୁଷ ନେତ୍ରରେ କି ଅମୂଲ୍ୟ ସମ୍ପଦ, ତାହା ସେ ବୁଝି ପାରନ୍ତା ! ତେବେ ସେ ଯେ ବୁଝି ନ ପାରେ, ତାହା ନୁହେଁ–ଅନେକ ସମୟରେ ବୁଝେ, ଅନ୍ତତଃ ମୋଠାରୁ ଖୁବ୍‌ଅଧିକ ବୁଝେ । ମୋର ଘରକରଣା ତ ତାହାରି ବୁଦ୍ଧିରେ । ସେ ଯେବେ ‘‘ମୁଁ’’ ହୋଇଥାଆନ୍ତା, ଆଉ ମୁଁ ‘‘ସେ’’ ହୋଇଥାନ୍ତା, ତେବେ ମୁଁ ତାହା ପାଦୋଦକ ସେବା କରନ୍ତି । ସେ ଧନ୍ୟ, ତାହା ଯୋଗୁଁ ମୁଁ ମଧ୍ୟ ଧନ୍ୟ । ତାହାର ଗୌରବରେ ମୋର ଗୌରବ–ତାହାର ସୁଖ୍ୟାତିରେ ମୋର ସୁଖ୍ୟାତି । ଏହିପରି ଅର୍ଦ୍ଧାର୍ଦ୍ଧ ବିଭାଗ ବିଧାତା ଘଟସୂତ୍ରର ଏକ ଅପୂର୍ବ କୌଶଳ । ସେ ଅଧେ ମୁଁ ଅଧେ, ଦୁହେଁ ମିଶି ଏକ । ଶୁଭଙ୍କରା ଧାରାନୁସାରେ ସେ ମୁଁ ମିଶି ମୁଁ, ଆଉ ମୁଁ ସେ ମିଶି ସେ ।’’ ଦାସେ ଏହିପରି ଆହୁରି ଅନେକ କଥା ଭାବି ଭାବି ଗୃହରେ ଆସି ଉପସ୍ଥିତ ହେଲେ । ତାହା ସବୁ ଲେଖିବା ଅନାବଶ୍ୟକ ।

ବଂଶୀଧର ସେନାପତିଙ୍କ ଗୃହରେ ରାମ ସୁଖଶାନ୍ତିରେ କାଳଯାପନ କରୁଅଛି । କେତେଟା ଘଟଣା ଦ୍ୱାରା ତାହାପ୍ରତି ସେନାପତି ଦମ୍ପତୀଙ୍କର ବିଶ୍ୱାସ ବଦ୍ଧମୂଳ ହୋଇଅଛି । ଦିନେ ଜଣେ ଭିକ୍ଷୁକଶ୍ରେଣୀୟ ଲୋକ ଆସି ସେନାପତିଙ୍କୁ କହିଲା–‘‘ମୋର ପେଟବିନ୍ଧା ରୋଗ, ମୁଁ କଷ୍ଟ ସହି ନ ପାରି ବାବା ବୈଦ୍ୟନାଥଙ୍କ ପୀଠରେ ଯାଇ ଧାରଣା ପଡ଼ିଥିଲି । ବାବାଙ୍କର ଚରଣାମୃତ ଛଡ଼ା ଏକୋଇଶ ଦିନଯାଏଁ ମୁଁ ଅନ୍ନଜଳ ସ୍ପର୍ଶ କରି ନାହିଁ । ମୋର ମନ ପରଖିବା ପାଇଁ ବାବା ମୋତେ ଅନେକ ଭୟ ଦେଖାଇଲେ । ଦିନେ ସ୍ୱପ୍ନ ଦେଖିଲି–ଗୋଟାଏ ବାଘ ମୋତେ ଖାଇବା ପାଇଁ ପାଟି ଆଁ କରି ଗର୍ଜି ଗର୍ଜି ଧାଇଁ ଆସୁଅଛି । ଓଃ, କେଡ଼େ ପାଟି ତା’ର; ଯେପରି ଗୋଟାଏ ଘରର ଦ୍ୱାର । ଦାନ୍ତଟାମାନ ମୂଳା ପରି । ସେକଥା କହିବା ବେଳକୁ ଦେହ ଶୀତେଇ ଉଠୁଛି । ଆଉ ଥରେ ସ୍ୱପ୍ନ ଦେଖିଲି–ନାଗସାପଗୁଡ଼ାଏ ମୋର ଗୋଡ଼ଠାରୁ ମୁଣ୍ଡଯାଏଁ ଗୁଡ଼ାଇ ହୋଇ ଫଁ ଫଁ ଶବ୍ଦ କରି ମୋ ଦେହରେ ଚୋଟ ଉପରେ ଚୋଟ ମାରୁଅଛନ୍ତି । ଏହିପରି ଢେର ଭୟଙ୍କର ସ୍ୱପ୍ନ ଦେଖିଲି, ତେବେ ବି ଧାରଣା ଭାଙ୍ଗି ଉଠିଲି ନାହିଁ; ଖୁବ୍‌ ନିଷ୍ଠା କରି ପଡ଼ି ରହିଲି । ଏକୋଇଶ ଦିନ ରାତିରେ ବାବା ଗୋଟାଏ ବୁଢ଼ାରୂପରେ ସ୍ୱପ୍ନରେ ଦେଖାଦେଇ କହିଲେ–‘‘ମାତୃଶାପରେ ତୋର ଏ ରୋଗ ହୋଇଅଛି; ଏହା ତୋର ସ୍ୱୋପାର୍ଜିତ । ପ୍ରିୟପୁରନିବାସୀ ବଂଶୀଧର ସେନାପତିଙ୍କ ଭାର୍ଯ୍ୟା ଗତଜନ୍ମରେ ତୋର ମା ଥିଲା । ତୁ ତାକୁ ଦିନେ ନିଷ୍ଠୁର ପ୍ରହାରରେ ଜର୍ଜରିତ କରିଥିଲୁ । ସେଥିରେ ବୃଦ୍ଧାର ଶୀତଳ ମାତୃହୃଦୟ ଉତ୍ତପ୍ତ ହୋଇ ଉଠିଲା । ସେ ଅଭିଶାପ ଦେଲା–ତୋତେ ପେଟବିନ୍ଧା ହେଉ । ବୃଦ୍ଧା ଉତ୍ତେଜନାରେ କହିପକାଇ ପଛରେ ଅନୁତାପ କରିଥିଲା । ପର ଧର୍ମରେ ଆତ୍ମଧର୍ମ ଲୁଚିଯାଏ; ମାତ୍ର ମିଶିଯାଏ ନାହିଁ । ଉତ୍ତାପରେ ଜଳ ବାଷ୍ପ ହୋଇ ସ୍ୱଧର୍ମ ତରଳତା ତ୍ୟାଗ କରେ; ମାତ୍ର ଏକାବେଳେକେ ତ୍ୟାଗ କରେ ନାହିଁ–ପୁନଶ୍ଚ ସ୍ୱଧର୍ମ ପ୍ରାପ୍ତ ହୁଏ, ଜନନୀ ହୃଦୟ ଠିକ୍‌ସେହିପରି । କ୍ରୋଧ ଭିତରେ ତାହାର ମାତୃତ୍ୱ ବୁଡ଼ିଯାଏ; କିନ୍ତୁ ପରକ୍ଷଣରେ ଭାସି ଉଠେ । ତୋର ସେହି ପୂର୍ବଜନ୍ମର ମା ବଂଶୀଧର ସେନାପତିଙ୍କ ଭାର୍ଯ୍ୟାର ପ୍ରସାଦ ସେବା କଲେ ତୁ ରୋଗମୁକ୍ତ ହେବୁ ।’’ ଏହି ହୁକୁମ ଦେଇ ବାବା ଅନ୍ତର୍ଦ୍ଧାନ ହୋଇଗଲେ । ମୋର ନିଦ ଭାଙ୍ଗିଗଲା, ମୁଁ ଧାରଣାରୁ ଉଠି ଏହି ବାଟେ ଆସିଲି । ମୋର ଘର ତରଳପୁର । ଏଠାକୁ ପାଞ୍ଚ କୋଶ ବାଟ ହେବ । ମୁଁ ଜାତିରେ ଗୁଡ଼ିଆ; ମୋର ନାମ ରଙ୍କ ସାହୁ । ମୁଁ କାଲି ସ୍ନାନ କରି ଶୁଚି ହୋଇ ମା ସାଆନ୍ତାଣୀଙ୍କ ପ୍ରସାଦ ପାଇବି, ଏତିକି ଜଣା କରୁଛି ।’’ ସେନାପତି ଜଣେ ସ୍ୱଭାବତଃ ଧର୍ମଭୀରୁ । ଦେବତାଙ୍କ ଆଦେଶ ଶୁଣି କହିଲେ–‘‘ହେଉ ଦେବତାଙ୍କର ଯେବେ ଆଜ୍ଞା, ତେବେ କାଲି ସକାଳେ ଆସିବୁ ଯା ।’’ ଆଗନ୍ତୁକ କହିଲା–‘‘ନା, ଆଉ ଯିବି କୁଆଡ଼େ ? ଆଜି ତ ଆଉ କିଛି ଖାଇବ ନାହିଁ–କାଲି ମାଙ୍କ ପ୍ରସାଦ ପାଇଲା ପରେ ଖାଇବି । ଆଜି ରାତିଟା ପିଣ୍ଡାପିଣ୍ଡିରେ ଶୋଇପଡ଼ି କଟାଇଦେବି ।’’ ସେ ଏତିକି ମାତ୍ର କହି ପିଣ୍ଡା ଉପରେ ଯାଇ ବସିଲା । ସେନାପତି ଘରଭିତରକୁ ଯାଇ ସ୍ତ୍ରୀ ହରିପ୍ରିୟାଙ୍କୁ ଘଟଣା କହିଲେ–‘‘କଅଣ ମିଣିପଟାକୁ ଅଇଣ୍ଠା ଦେବି ! ମୋ ଅଇଣ୍ଠା ଭାତ ଉଷୁଦ ନା ମୂଳିକା ଯେ ଖାଇଲେ ରୋଗ ଭଲ ହୋଇଯିବ ?’’ ସେନାପତି କହିଲେ–‘‘ଦେବତାଙ୍କ ଆଜ୍ଞା, ଦୋଷ କଅଣ ? ତମେ ତ ଯାଚିକରି ଦେଉନାହଁ–ସେ ମାଗୁଛି । ତାହାର ରୋଗ ଭଲ ହୋଇପାରେ ତମଲାଗି ଜଣକର ଉପକାର ହେବ । ସେଥିରେ ତମର କ୍ଷତି କିଛି ନାହିଁ ବରଂ ଧର୍ମ ହେବ ।’’ ହରପ୍ରିୟା କହିଲେ–‘‘ଏଁ, ଆଚ୍ଛା କହୁଛ ! ନା, ମୁଁ ଜାଣୁ ଜାଣୁ ଅଇଣ୍ଠା କେବେ ଦେବି ନାହିଁ । ଭାତ ବାଢ଼ି ମୁଁ ସେଥିରୁ ତୁଣ୍ଡେ ଉଠାଇ ନେବି; ଆଉ ଯାହା ରହିବ, ତାହା ପଛକେ ସେ ଖାଉ ।’’ ସେନାପତି କହିଲେ–‘‘ହେଉ, ସେହି କଥା ହେବ ।’’

ରାତିରେ ସମସ୍ତେ ଖାଇ ସାରି ଶୋଇଲେ । ଆଗନ୍ତୁକ ଉପବାସ ବ୍ରତ ପାଳନ କରି ପିଣ୍ଡାରେ ଶୋଇଲା । ମାଷ୍ଟର ଏବଂ ରାମ ସ୍କୁଲଘରେ ଶୋଇଲେ । ଗ୍ରୀଷ୍ମକାଳ-ଗୋରୁମାନେ ଗୁହାଳରେ ବନ୍ଧା ନ ହୋଇ ସେନାପତିଙ୍କ ଦାଣ୍ଡରେ ବନ୍ଧା ହୁଅନ୍ତି । ଅର୍ଦ୍ଧରାତ୍ର ସମୟରେ ଆଗନ୍ତୁକ ଉଠିଆସି ପଘା ସହିତ ଗୋଟାଏ ବଳଦକୁ ଖୁଣ୍ଟରୁ ଫିଟାଇ ଧୀରେ ଧୀରେ ଚାଲିବାକୁ ଲାଗିଲା; ମାତ୍ର ଅଲଗା ଲୋକ ଦେଖି ବଳଦ ଯିବାକୁ ଆପତ୍ତି କଲା–ଖୁରା କଚାଡ଼ି ଛାଟିପିଟି ହେଲା–ଶବ୍ଦ କଲା । ସେହି ଶବ୍ଦରେ ରାମର ନିଦ ଭାଙ୍ଗିଗଲା । ସେ ଉଠିଆସି ଦେଖିଲା, ଗୋଟାଏ ଲୋକ ବଳଦଟାକୁ ଟାଣି ଘେନି ଯାଉଛି । ରାମ ଧାଇଁ ଯାଇ ଚୋରକୁ କୁଣ୍ଡାଇ ଧରି ଉଚ୍ଚରେ ଡାକ ଛାଡ଼ିଲା–‘‘ଧାଇଁ ଆସ ହୋ, ଚୋର !’’ ରାମର ଚିତ୍କାର ଶୁଣି ମାଷ୍ଟର ଉଠି ଆସିଲେ, ସେନାପତି ଉଠି ଆସିଲେ, ଗ୍ରାମର ଅନେକ ଲୋକ ସୁଦ୍ଧା ଧାଇଁ ଆସିଲେ । ମହା ହୁଳସ୍ଥୂଳ ପଡ଼ିଗଲା । କେତେ ଜଣ ଯାଇ ଚୋରକୁ ପଶ୍ଚିମା କରି ଖୁଣ୍ଟରେ ବାନ୍ଧି ପକାଇଲେ । କେହି କେହି ଚୋରକୁ ଉତ୍ତମ ମଧ୍ୟମ ଦକ୍ଷିଣା ଦେବାକୁ ଉଦ୍ୟତ ହେଲେ; ମାତ୍ର ସେନାପତି ନିଷେଧ କରିବାରୁ ନିରସ୍ତ ହେଲେ । ତହିଁ ପରଦିନ ଜଣେ ଭଦ୍ରବ୍ୟକ୍ତି ଚୋରକୁ ଚିହ୍ନିପାରି ତାହାର ପ୍ରକୃତ ପରିଚୟ ସେନାପତିଙ୍କୁ ପ୍ରଦାନ କରିବାରୁ ସେ ଚୋରକୁ ଛାଡ଼ିଦେଲେ । ଚୋର କାହାରିକୁ କିଛି ନ କହି ମୌନ ବ୍ରତ ଧରି ଚାଲିଗଲା-

ଚୋରର ପରିଚୟ ଜାଣିବା ସକାଶେ ଅନେକେ ଆଗ୍ରହ ପ୍ରକାଶ କରୁଥିବେ । ସେମାନଙ୍କର କୌତୁହଳ ଚରିତାର୍ଥ କରିବା ସୁଦ୍ଧା ଗ୍ରନ୍ଥକାରର କର୍ତ୍ତବ୍ୟ । ଚୋର ଜଣେ ଭଦ୍ରସନ୍ତାନ; ତାହାର ନାମଧାମ ପ୍ରକାଶ କରିବା ଶିଷ୍ଟାଚାରସମ୍ମତ ନୁହେଁ । ତାହାର ନିଜଦତ୍ତ ଛଦ୍ମନାମ–ରଙ୍କ ସାହୁ; ଏଣିକି ସେ ଏହି ନାମରେ ନାମିତ ହେବ । ରଙ୍କ ଶିକ୍ଷିତ, ଅବସ୍ଥାବନ୍ତ ଏବଂ ସଦ୍‌ବଂଶଜ । ଯୌବନ ପ୍ରାରମ୍ଭରେ ସେ ଇନ୍ଦ୍ରିୟଲାଳସାକୁ ବନ୍ଦୀ କରି ରଖିଥିଲା । ଶାସ୍ତ୍ରପୁରାଣ ପ୍ରଭୃତି ସଦ୍‌ଗ୍ରନ୍ଥ ପାଠରେ ସେ ସମୟ ଅତିବାହିତ କରୁଥିଲା । ଏହେତୁ ଅନେକେ ତାକୁ ଯୌବନ-ଯୋଗୀ ବୋଲି କହୁଥିଲେ; କିନ୍ତୁ ଯୌବନ ବଡ଼ ଅବିଶ୍ୱାସୀ; ସେ ଦଣ୍ଡକେ ବୁଡ଼ାଇମାରେ । ପିତୃ-ବିୟୋଗ ପରେ ରଙ୍କ ସମ୍ପତ୍ତିର ଅଧିକାରୀ ହେଲା । ପୂର୍ଣ୍ଣ ଯୌବନକାଳ, ବୁଭୁକ୍ଷୂ ବିଳାଶ ବାସନା ଚରିତ୍ର ଉପରକୁ ଝାମ୍ପ ମାରିବାକୁ ସମୁଦ୍ୟତ, ଆକାଙ୍‌କ୍ଷାର ଭୃତ୍ୟ ଧନୀ ସନ୍ତାନ ଆଉ କେତେ ଦିନ ସଂଯମ ରକ୍ଷା କରିବାକୁ ସମର୍ଥ ହେବ ? ସୁତରାଂ ସେ ବିଳାସ ପଦରେ ଆତ୍ମବିକ୍ରୟ କଲା ଏବଂ ସ୍ୱାମୀ କନ୍ୟାଭାର୍ଯ୍ୟାର ଆଦେଶ ପାଳନ କଲା ପରି ବିଳାସକାମନାର ଆଜ୍ଞାବହ ହୋଇ ରହିଲା । ପୂର୍ବ ତପସ୍ୟାବଳରୁ କେତେ ଜଣ ବନ୍ଧୁ ଆସି ମିଳିଲେ । ସେମାନେ ବିଳାସର ନାନା ପନ୍ଥା ଦେଖାଇଦେଲେ । ତହୁଁ ପଞ୍ଚକାମନାର ପୂଜା ଆରମ୍ଭ ହେଲା । କ୍ରମେ ଆଡ଼ମ୍ବର ବୃଦ୍ଧି ଲଭିଲା । ସାଧନାର କ୍ଷେତ୍ର ଯେତେ ବିସ୍ତୃତ ହେଲା, ସେତେ ସାଧକ ଆସି ପୂଜାରେ ଯୋଗ ଦେଲେ । କଠୋରସାଧନାରେ ସିଦ୍ଧି ମଧ୍ୟ ମିଳିଲା । ସେ ସିଦ୍ଧିର ଅର୍ଥ-ଦରିଦ୍ର ପଞ୍ଚାକ୍ଷରୀ ମହାମନ୍ତ୍ର ଜପ । ତେଣିକି ଜୁଆଖେଳର ଆଶ୍ରୟ ଗ୍ରହଣ କରିବାକୁ ହେଲା । ଭକ୍ତ-ନିସ୍ତାରିଣୀ ଜୁଆଦେବୀ ବରଦାୟିନୀ ହେଲେ । ସେ ବର ପ୍ରଭାବରେ ରଙ୍କର ପେଟଚିନ୍ତା ଛଡ଼ା ଅନ୍ୟ କିଛି ଚିନ୍ତା ରହିଲା ନାହିଁ । ଧନସମ୍ପତ୍ତି ଗଲା–ବିଲବାଡ଼ି ଗଲା–ଶେଷକୁ ଘର ଖଣ୍ଡି ସୁଦ୍ଧା ଗଲା । ରଙ୍କ ସକଳ ଜଞ୍ଜାଳରୁ ମୁକ୍ତ ହେଲା । କେବଳ ରହିଲା ପେଟ । ସେ ତ ଆଉ ବିକ୍ରି ହେବାର ପଦାର୍ଥ ନୁହେଁ–ଯାଚି ଗୁଞ୍ଜି ଦେଲେ ସୁଦ୍ଧା କେହି ନେବେ ନାହିଁ । ସମ୍ପତ୍ତିର ତିରୋଧାନ ସଙ୍ଗେ ସଙ୍ଗେ ବନ୍ଧୁମାନେ ବି ଅଦୃଶ୍ୟ ହେଲେ । ନଈରେ ପାଣି ଥିବାବେଳେ କେହି ପାଣି ପିଇବାକୁ, କେହି ବା ଗାଧୋଇ ଦେହ ଶୀତଳ କରିବାକୁ ଆସନ୍ତି; ମାତ୍ର ନଈ ଶୁଖିଗଲେ ସେହି ଜନସ୍ରୋତର ଧାର ସୁଦ୍ଧା ଶୁଖିଯାଏ; ଆଉ କେହି ପାଖ ଛୁଅନ୍ତି ନାହିଁ । ଏ ସଂସାରରେ ସମ୍ପତ୍ତି ସଙ୍ଗରେ ବନ୍ଧୁତ୍ୱର ସମ୍ପର୍କ ଏହିପରି । ରଙ୍କ ଏବେ ଦାଣ୍ଡର ଭିଖାରୀ । ପରିଶ୍ରମ ମାନବର ଜୀବନ, ତାକୁ ଯେ ମାନହାନିକର ମଣେ, ମାନର ଅର୍ଥ ସେ ଜାଣେ ନାହିଁ କିମ୍ବା ତାହାର ମାନ ଆଦୌ ନାହିଁ । ଏରୂପ ମାନ-କାଙ୍ଗାଳୀ ଭଦ୍ରସନ୍ତାନର ସଂଖ୍ୟା ସେତେ ଊଣା ହୁଏ, ମା ବସୁମତୀର ଭାର ସେତେ ଲଘୁ ହେବ । ଯେ ପାଞ୍ଚ ହଜାର, ଦଶ ହଜାର ଟଙ୍କାର ଚାକିରୀ କରେ, ସେ ଚାକିରିଆ, ଆଉ ଯେ କାଠ ଭାଙ୍ଗି ଚାରି ପଇସା ଉପାର୍ଜନ କରେ, ସେ ସ୍ୱାବଲମ୍ବୀ । ସ୍ୱାବଲମ୍ବୀର ଆସନ ସର୍ବୋଚ୍ଚରେ ନିର୍ଦ୍ଦିଷ୍ଟ । ସୁଖ ତାହାରି ଜୀବନରେ ଥାଏ । ‘ପରିଶ୍ରମରେ ମାନ ଯାଏ’, ଏହା ଅଜ୍ଞର ଭାଷା । ରଙ୍କ ଏଣିକି ମିଥ୍ୟା, ପ୍ରତାରଣା ଏବଂ ଚୌର୍ଯ୍ୟର ଆଶ୍ରୟ ନେଇଅଛି । ତାହା ହିଁ ତାହାର ନ୍ୟାୟବିଚାରରେ ମାନବୃଦ୍ଧିର ସୁଗମ୍ୟ ସ୍ୱର୍ଣ୍ଣ-ସୋପାନ । ସେ ଦୂରବର୍ତ୍ତୀ ଗ୍ରାମକୁ ଯାଇ ବିଭିନ୍ନ ବେଶ ଧରି କେଉଁଠାରେ କହେ–‘‘ମୁଁ ଦୋଷୀ, ଘରପୋଡ଼ିରେ ମୋର ତିନିଟା ବଳଦ ପୋଡ଼ି ମଲେ । ପାପରୁ ମୁକ୍ତ ହେବା ପାଇଁ ମୁଁ ଭିକ୍ଷା କରି ବୁଲୁଅଛି ।’’ କେଉଁଠାରେ କହେ–‘‘ମୁଁ ରୋଗୀ; ଦେବତାଙ୍କ ହୁକୁମରେ ଅମୁକର ପ୍ରସାଦ ପାଇବାକୁ ଆସିଅଛି ।’’ ଏହିପରି ନାନା କଥା କହି ବୁଲେ ଏବଂ ବେଲା ବାସନଠାରୁ ଗୋରୁ ବାଛୁରୀ ପର୍ଯ୍ୟନ୍ତ ଯେଉଁଠାରେ ଯାହା ପାଏ, ତାହା ଚୋରି କରି ଉଦରପୂଜା କରେ । ସେ ଦିନ ସେ ରାମ ଲାଗି ସେନାପତିଙ୍କ ବଳଦଟା ନେଇ ପାରିଲା ନାହିଁ ।

ଆଉ ଦିନେ ସେନାପତି ତାଙ୍କ ସୁନାମୁଦୀ ପୋଖରୀ ଆଡ଼ିରେ ଛାଡ଼ି ଆସିଥିଲେ । ହୀରାକଣିଜଡ଼ିତ ସେହି ମୁଦୀର ମୂଲ୍ୟ ପ୍ରାୟ ଶତାଧିକ ଟଙ୍କା ହେବ । ରାମ ଗାଧୋଇଯିବାବେଳେ ତାହା ଦେଖି ଘେନି ଆସିଲା; ମାତ୍ର ଆତ୍ମସାତ୍‌ ନ କରି ସେନାପତିଙ୍କୁ ଆଣି ଦେଲା । ଏହିପରି କେତେଟା ଘଟଣାରେ ରାମପ୍ରତି ସେନାପତି ଦମ୍ପତ୍ତିଙ୍କର ବିଶ୍ୱାସ ଏବଂ ଆତ୍ମୀୟତା ବଦ୍ଧମୂଳ ହୋଇଅଛି । ରାମ ଦିନରେ ଖଜଣା ଆଦାୟ କରେ, ରାତିରେ ସେନାପତିଙ୍କ ପୁଅଦୁହିଙ୍କୁ ପଢ଼ାଏ । ଚାଷକାର୍ଯ୍ୟ ପରିଚାଳନ ଏବଂ ପରିଦର୍ଶନର ଭାର ତାହା ପ୍ରତି ନ୍ୟସ୍ତ ଅଛି । ସେନାପତି କ୍ରମେ କ୍ରମେ ସମସ୍ତ ଭାର ରାମକୁ ଦେଇ ନିଶ୍ଚିନ୍ତ ହେଲେ । ରାମା ସୁଦ୍ଧା ଦକ୍ଷତାର ସହିତ ସମସ୍ତ ସମ୍ପାଦନ କରେ । ସେନାପତି ସମୟ ସମୟରେ କହନ୍ତି–‘‘ରାମ ହେତୁ ଏବେ ମୁଁ ନିଶ୍ଚିତ ହୋଇ ନିଃଶ୍ୱାସ ମାରିବାକୁ ଅବସର ପାଇଲି ।’’ ରାମ ଖଜଣା ଆଦାୟ କରି ଆଣିଦିଏ, ସେଥିରୁ ଗୋଟାଏ ପଇସା ଊଣା ହୁଏ ନାହିଁ । ହରିପ୍ରିୟା କହିଲେ–‘‘ରାମ, ତୁ ଯେଉଁଦିନ ଯାହା ଆଦାୟ କରୁ, ସବୁ ଆଣିଦେଉ, ଦୁଇଟା ପଇସା ଖର୍ଚ୍ଚ କରି ଚୁଡ଼ାପାଣୀ ମନ୍ଦାଏ ବି କରୁ ନାହୁଁ । ଦିନଟାସାରା ବୁଲି ବୁଲି ତୋତେ ଭୋକ ଶୋଷ ବି ଲାଗେ ନାହିଁ ?’’ ରାମ କହିଲା–‘‘କେତେ ଘଡ଼ି ହେଲା ତୋ ଘରୁ ଖାଇକରି ଗଲି ଯେ ଭୋକ କରିବ ?’’ ହରିପ୍ରିୟା କ୍ଷୁବ୍‌ଧ ସ୍ୱରରେ କହିଲେ–‘‘କଅଣ କହିଲୁ–ମୋ ଘର, ଆଉ ତୋ ଘର ନୁହେଁ ? ତୁ ଇମିତି ଗୋତ୍ରଛିଣ୍ଡା କଥା କାହିଁକି କହୁ ରେ ? ମୁଁ କଅଣ ତୋତେ କାହିଁରୁ ଅନ୍ତର କରିଛି ? ଫେର୍‌ ତାହା କହିବୁ ନାହିଁ ।’’ ରାମ ହସି ହସି କହିଲା–‘‘ନା, ଆଉ ତୋ ଘର ବୋଲି କହିବି ନାହିଁ ନାନି, ତୁଣ୍ଡ ଖସିଗଲା–ଏବେ ଆମ ଘର ବୋଲି କହିବି ।’’ ରାମ ଏହିପରି ସ୍ନେହସ୍ୱର୍ଗରେ ସ୍ନେହାମୃତ ପାନ କରି ପରମାନନ୍ଦରେ ଦିନଯାପନ କରୁଅଛି ।

ଦିନେ ସେନାପତି ଏବଂ ହରିପ୍ରିୟା କଥାବାର୍ତ୍ତା ହେଉଥିଲେ । କଥାର ତ ହାତ ଗୋଡ଼ ନାହିଁ ! ସେ ବକ୍ରଭଙ୍ଗୀରେ ଶାଖା, ପ୍ରଶାଖା, ଉପଶାଖା ବିସ୍ତାର କରି ଲତା ପରି ଚାଲେ । ପ୍ରଥମରେ ଦାମ୍ପତ୍ୟ ପରିହାସ ଚାଲିଥିଲା, ତହିଁରୁ ପାରବାରିକ କଥା ବାହାରି ଆସିଲା । ପାରିବାରିକ କଥା ହେଉ ହେଉ ମଝିରୁ ରାମ କଥା ବାହାରି ପଡ଼ିଲା । ହରିପ୍ରିୟା ସ୍ୱାମୀଙ୍କୁ ପଚାରିଲେ–‘‘ରାମ କଥା କଅଣ ବିଚାର କରୁଛ ? ତାହାର ବୟସ ଆସି ହୋଇଗଲା, ଏବେ ବିବାହର ଚେଷ୍ଟା ଦେଖ ।’’ ସେନାପତି କହିଲେ–‘‘ମୁଁ ବି ତାହା ଭାବୁଛି, ଆଖି ଫେରାଇ କନ୍ୟାପାତ୍ରୀ ଖୋଜୁଛି, ମିଳିଲେ ହାତଛନ୍ଦା କରିଦେବି; ମାତ୍ର ଆଗେ ଘର ନ କଲେ କିପରି ହେବ ? ମୁଁ ସ୍ଥିର କରିଛି–ଆମ ଘରର ପୂର୍ବପଟକୁ ଯେଉଁ ପଡ଼ିଆଖଣ୍ଡ ଅଛି, ତାହା ରାମକୁ କିଣିଦେଇ ସେହିଥିରେ ଘର ତୋଳିଦେଲେ ଭଲ ହେବ । ମୋ ପାଖରେ ତାହାର ଦରମା ଟଙ୍କା ଅନେକ ଜମି ରହିଲାଣି । ସେହି ଟଙ୍କାରେ ଭୂମି କିଣିଦେବି । ତାହାର ପୂର୍ବଘର ବିକ୍ରୀରୁ ଶତାଧିକ ଟଙ୍କା ମିଳିଛି, ସେଥିରେ ଘର ତିଆରି ହୋଇପାରିବ । ରାମକୁ ଘର ଦୁଇଖଣ୍ଡ କରିଦେଇ ହାତକ ଦୁଇ ହାତ କରିପକାଇଲେ ମୁଁ ତାହା ବିଷୟରେ ନିଶ୍ଚିନ୍ତ ହେବି । ଆମ ଇଲାକାରୁ ପାଞ୍ଚ ମାଣ ଜମି ତାକୁ ଦେବି । ସାଧାରଣ ଯେଉଁପରି ଖଜଣା ଦେଇ ଚାଷ କରନ୍ତି, ସେ ବି ସେହିପରି କରିବ । ମୋ ଆଶ୍ରୟରେ ସେ ଅଛି, ତାହାର ଭବିଷ୍ୟତ ମଙ୍ଗଳ ଚିନ୍ତା ମୋତେ କରିବାକୁ ହେବ–ମୁଁ ସେଥି ସକାଶେ ଧର୍ମତଃ ଦାୟୀ । ଆଉ ପିଲାଟି ଯେପରି ସଚ୍ଚରିତ୍ର, ଭଗବାନ୍‌ ତାହାର ନିଶ୍ଚୟ ସେହିପରି ମଙ୍ଗଳ କରିବେ । ସେନାପତିଙ୍କର କଥା ଯାହା, କାର୍ଯ୍ୟ ତାହା । ଛଅ ମାସ ମଧ୍ୟରେ ଭୂମିକିଣା, ଘରତୋଳା ଶେଷ ହୋଇଗଲା । ତହିଁ ପରେ ରାମ ପାଇଁ ପାତ୍ରୀର ଅନୁସନ୍ଧାନ ଲାଗିଲା ।

ଭାଦ୍ରମାସରେ ବୋଇତାଳୁର ମଧୁରତା ଉଡ଼ିଯାଏ । ସେ ମଧୁରତା କେତେବେଳେ ଆସେ, ପୁଣି କେତେବେଳେ ଚାଲିଯାଏ, ତାହା ଜାଣି ହୁଏ ନାହିଁ । ମାନବର ଭାଗ୍ୟ ଠିକ୍‌ସେହିପରି-। ତାହାର ଆସିବା ଯିବା ସମୟ ପୂର୍ବରୁ ଜାଣିବାର ଉପାୟ ନାହିଁ । ବିଧାତାର ଆଶୀର୍ବାଦ–ବୋଳା ଅଦୃଶ୍ୟ ମଙ୍ଗଳହସ୍ତ କେତେବେଳେ କାହା ଭାଗ୍ୟକୁ ସ୍ପର୍ଶ କରେ, ତାହା କୌଣସି ଗଣକ ଗଣନା କରି କହିପାରେ ନାହିଁ । ସୌଭାଗ୍ୟ ଯେତେବେଳେ ଆସେ, ଉପର୍ଯ୍ୟୁପରି ଆସେ–ଅବ୍ୟାହତ ଗତିରେ ଆସେ । ଯେଉଁଠାରେ ଭାଗ୍ୟ ଗଢ଼ାହୁଏ, ସେ ବଡ଼ ଅଗମ୍ୟ ପ୍ରଦେଶ । ତାହା ଦେଖିବା ଦେବଚକ୍ଷୁର ଅସାଧ୍ୟ । ଭଙ୍ଗା ଗଡ଼ା କାର୍ଯ୍ୟରେ କାଳ ଖୁବ୍‌ନିପୁଣ; ନର ଭାଗ୍ୟ ତାହା ହସ୍ତର କ୍ରୀଡ଼ାପୁତ୍ତଳୀ । ସେ ବାରମ୍ବାର ଭାଙ୍ଗି ବାରମ୍ବାର ଗଢ଼ିଦିଏ । ଏହି ଭଙ୍ଗାଗଢ଼ା ଭିନ୍ନ ତାହାର ଅନ୍ୟ କାର୍ଯ୍ୟ ନାହିଁ । ସୌଭାଗ୍ୟ-ଲକ୍ଷ୍ମୀ ରାମର ଅଜ୍ଞାତରେ ଆସି ଅମୃତ ହସ୍ତରେ ତାକୁ ଆଲିଙ୍ଗନ କଲେ-। ଦିନେ ସର୍କାର ପିଆଦା ଖଣ୍ଡିଏ ନୋଟିସ ଘେନି ଆସିଲା । ତାହା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରୁ ରାମଚନ୍ଦ୍ର ଦାସ ନାମରେ ପ୍ରେରିତ । ସେଥିରେ ଏହିପରି ଲେଖା ଥିଲା–‘‘ରାମଚନ୍ଦ୍ର ଦାସ ସା ପ୍ରିୟପୁର ପ୍ର. ସୁନାଝରା ଜିଃ ସଦର–ଏହିକି ହାଟଖଳାନିବାସୀ ଗୋପାଳକୃଷ୍ଣ ଅଧିକାରୀ ନିଃସନ୍ତାନ ଅବସ୍ଥାରେ ମୃତ ହେବାରୁ ଅନ୍ୟ ଉତ୍ତରାଧିକାରୀ ଅଭାବରୁ ତାଙ୍କର ଲାଖରାଜ ପ୍ରଭୃତି ସମ୍ପତ୍ତ ତାଙ୍କ ଭଣଜା ସଦେଇ ଦାସଙ୍କର ପ୍ରାପ୍ୟ । ସର୍କାରୀ ତଦନ୍ତରେ ଏହା ଧାର୍ଯ୍ୟ ହୋଇଅଛି; କିନ୍ତୁ ସଦେଇ ଦାସ ଏବଂ ତାଙ୍କ ପୁତ୍ର ରାଧିକା ଦାସ ଇହଲୋକରେ ନାହାନ୍ତି; ସୁତରାଂ ବର୍ତ୍ତମାନ ତୁମ୍ଭେ ସମ୍ପତ୍ତିର ଅଧିକାରୀ । ଅତଏବ ଏ ନୋଟିସଦ୍ୱାରା ତୁମ୍ଭଙ୍କୁ ଜଣାଇ ଦିଆଯାଉଅଛି କି, ତୁମ୍ଭେ ଏକସପ୍ତାହ ମଧ୍ୟରେ ସଦର କୋର୍ଟରେ ହାଜର ହୋଇ ଦଖଲନାମା ଗ୍ରହଣ କରିବ । ପ୍ରକାଶ ଥାଉ କି, ଉକ୍ତ ଗୋପାଳକୃଷ୍ଣ ଅଧିକାରୀ ନଗଦ ପାଞ୍ଚ ହଜାର ଟଙ୍କା ରଖି ଯାଇଅଛନ୍ତି । ତାହା ସୁଦ୍ଧା ତୁମ୍ଭେ ପାଇବ-।’’ ଦଣ୍ଡକ ମଧ୍ୟରେ ଏ ସମ୍ବାଦ ଗ୍ରାମରେ ରାଷ୍ଟ୍ର ହୋଇଗଲା । ସମସ୍ତେ ଆନନ୍ଦ ପ୍ରକାଶ କରି ରାମକୁ ଭାଗ୍ୟବାନ୍‌ବୋଲି କହିଲେ । ସେନାପତି ଦମ୍ପତିଙ୍କ ଆନନ୍ଦର ସୀମା ରହିଲା ନାହିଁ । ନିରାନନ୍ଦ କେବଳ ନିତେଇ ଦାସ ଏବଂ ତାଙ୍କର ସହଧର୍ମିଣୀ ।

ରାମ ଯଥାସମୟରେ ସଦରକୋର୍ଟରୁ ସମ୍ପତ୍ତିର ଦଖଲନାମା ଆଣିଲା । ସେନାପତି ସେ କାର୍ଯ୍ୟରେ ତାକୁ ଅର୍ଥ ଏବଂ ପରିଶ୍ରମଦ୍ୱାରା ଯଥେଷ୍ଟ ସାହାଯ୍ୟ କଲେ । ରାମର ନବଲବ୍‌ଧ ସମ୍ପତ୍ତିର ଆୟ ବାର୍ଷିକ ଚାରିଶ ପଚାଶ ଟଙ୍କା । ଏହାଛଡ଼ା ବାଟିଏ ହାତଚାଷ ଅଛି । ରାମ ସେ ସମ୍ପତ୍ତି ବିକ୍ରୟ କରି ପ୍ରିୟପୁରରେ ନୂତନ ସମ୍ପତ୍ତି କ୍ରୟପୂର୍ବକ ସୁଖରେ ଅବସ୍ଥାନ କଲା । ପରର ଗଳଗ୍ରହ ଅନାଥ ବାଳକ କ୍ଷଣକ ମଧ୍ୟରେ ବଡ଼ଲୋକ ହୋଇ ବସିଲା । ଭାଗ୍ୟଦେବୀ ଅନୁଗ୍ରହ କଲେ ଏହିପରି କରନ୍ତା । ଯଥାସମୟରେ ରାମର ବିବାହ ହୋଇଗଲା । ସେ ଆଉ ଗରୀବ ନୁହେଁ–ଧନୀ । ଧନୀ-କନ୍ୟାକୁ ବିବାହ କରି ଯଥୋପଯୁକ୍ତ ଯୌତୁକ ମଧ୍ୟ ପାଇଲା । ରାମ ସେନାପତିଙ୍କର ଗୁମାସ୍ତା କାର୍ଯ୍ୟ କରୁଥିଲା; ମାତ୍ର କିଛିଦିନ ପରେ ନିଜେ ଜଣେ ଗୁମାସ୍ତା ରଖିଲା ଏବଂ ଗ୍ରାମର ଜଣେ ଗଣ୍ୟ ମାନ୍ୟ ଲୋକ ହୋଇ ଉଠିଲା । ଚିର ଦରିଦ୍ର ହଠାତ୍‌ ଧନୀ ହୋଇ ଉଠିଲେ ଧରାକୁ ସରା ଜ୍ଞାନ କରେ; ମାତ୍ର ରାମ ସେ ଧରଣର ଲୋକ ନୁହେଁ । ଧନପ୍ରାପ୍ତିରେ ତାହାର କୌଣସି ପ୍ରକାର ଔଦ୍ଧତ୍ୟ ଦେଖାଗଲା ନାହିଁ । ବର୍ତ୍ତମାନ ସେ ସେନାପତିଙ୍କର ସମକକ୍ଷ । ଉଭୟ ପରିବାର ଅଖଣ୍ଡ ସ୍ନେହ-ସୌହାର୍ଦ୍ଦ୍ୟରେ ବାସ କଲେ ।

Image

 

ବିଂଶ ପରିଚ୍ଛେଦ

 

‘‘ଧାଇଁ ଆସ ହୋ ଘର ପୋଡ଼ିଗଲା” ରାତି ଅଧରେ ଏହି ଶବ୍ଦ ଶୁଭିଲା । ଶୁକ୍ଳପକ୍ଷ ରଜନୀ, ଦ୍ୱାଦଶୀର ଅପୂର୍ଣ୍ଣ ଚନ୍ଦ୍ର ଆକାଶରେ ହସୁଅଛି । ତାରାଗଣ ପରସ୍ପରର ମୁହଁ ଚୁହାଁ ଚୁହିଁ ହୋଇ ନୀରବ ହାସ୍ୟରେ ଉନ୍ମତ୍ତ । ବସୁନ୍ଧରା କୌମୁଦୀ-ବସନ ପରିଧାନ କରି ପୁଷ୍ପାଳଙ୍କାରରେ ସଜ୍ଜିତ ହୋଇ ହସୁଅଛି । ପାଦପ-ଜନନୀ କୋଟିପୁଷ୍ପ-କନ୍ୟା କୋଳରେ ଧରି ହସୁଅଛି । ଚରାଚର ହାସ୍ୟମଗ୍ନ । ହାସ୍ୟର ମେଳା ବସିଅଛି–ହାସ୍ୟର ମହୋତ୍ସବ ଲାଗିଅଛି । ସେ ହାସ୍ୟରୁ ଅମୃତ ଝରି ପଡ଼ୁଅଛି । ଜ୍ୟୋତ୍ସ୍ନାମୃତରେ ହାସ୍ୟାମୃତ ମିଶି ଅଭିନବ ଅମୃତ ଜାତ ହେଉଅଛି । ଜ୍ୟୋତ୍ସ୍ନାହାସିନୀ ଯାମିନୀ ଶୋଭାର ହାଟ ବସାଇଦେଇଅଛି । ସର୍ବତ ଶୋଭାର ମହାସୂତା ଲାଗିଅଛି । ସେହି ସୂତା ଫଳରେ ଅସୁନ୍ଦର ସୁନ୍ଦର ହୋଇଅଛି । ମହାକାଶଚାରା–ନେତ୍ରରେ ଊର୍ଦ୍ଧ୍ୱରୁ ସେହି ସୁଷମା ସୂତା ଦେଖି ମୁଗ୍‌ଧ ଏବଂ ସ୍ତବ୍‌ଧ ହୋଇ ରହିଅଛି । ପେଚକର ଶବ୍ଦ ଶୁଣାଯାଉ ନାହିଁ । ସେ କେଟରରୂପ ଶୋକ ଗୃହରେ ଚକ୍ଷୁ ବୁଜି ନୀରବ ଦୁଃଖର ଯନ୍ତ୍ରଣା ଭୋଗ କରୁଅଛି । ପ୍ରକୃତିର ଏହି ମନୋମୋହିନୀ ଶୋଭା ତାହା ପ୍ରାଣରେ ଅସହ୍ୟ । ମତ୍ସରୀ ନେତ୍ରରେ ପର ଗୁଣ ବିଷ ତୁଲ୍ୟ; ସୁତରାଂ ତାହା ତାକୁ ଭଲ ଲାଗିବ କାହିଁକି ? ଗ୍ରୀଷ୍ମକାଳର ରାତ୍ରି । ପବନ ଟିକିଏ ବେଗରେ ବହୁଅଛି । ଶୃଗାଳଯୂଥ ବିଲବଣରୁ ଅର୍ଦ୍ଧରାତ୍ରିଜ୍ଞାପକ ତୂର୍ଯ୍ୟଧ୍ୱନି କଲେ । ଏହି ସମୟରେ ଶବ୍ଦ ଶୁଭିଲା–‘‘ଧାଇଁ ଆସ ହୋ, ଘର ପୋଡ଼ିଗଲା ।’’ ଏହା ଶୁଣି ଆବାଳବୃଦ୍ଧ ଗ୍ରାମବାସୀ ଧାଇଁଲେ । ‘‘କାହା ଘର, କାହା ଘର” ବୋଲି ସମସ୍ତେ ସମସ୍ତଙ୍କୁ ପଚାରୁଅଛନ୍ତି; ମାତ୍ର ଉତ୍ତର କାହାରି ମୁହଁରେ ନାହିଁ । ଯେ ଘଟଣାସ୍ଥଳରେ ପହୁଞ୍ଚିଲା, ସେ କହିଲା–‘‘ଧାଇଁ ଆସ ହୋ, ଘର ପୋଡ଼ିଗଲା ।’’ କେହି ଧାଇଁ ଆସୁଁ ଆସୁଁ କହିଲା–‘‘ଧାଇଁ ଆସ ହୋ, ଘର ପୋଡ଼ି ଗଲା ।’’ କେହି ନିଦବାଉଳିରେ ହାଉଳି ଖାଇଯାଇ ଘର ଭିତରୁ କହିଲା–‘ଧାଇଁ ଆସ ହୋ, ଘ-ଘ-ଘ ।’ ବହୁମୁଖୋତ୍‌ଥିତ ଶବ୍ଦ ପୃଥୁଳିତ ହୋଇ ନିଶୀଥ ନିସ୍ତବ୍‌ଧତାକୁ ମୁଖରିତ କଲା । ସ୍ତ୍ରୀଲୋକମାନେ ନିଜ ନିଜ ପିତାକୁ ହଳଦୀ ପାଣି ଛାଟିଲେ । କେହି କହିଲା–‘‘ମୁଁ କି କରିବି ଲୋ ମାରାଣି, କାହା ଘର ଲୋ !’’ କେହି କିଛି ନ ଦେଖି ନ ଶୁଣି କହିଲା–‘‘ହାୟ, ହାୟ, ହାୟ, ସବୁ ଗଲା–ଜଳି ଖାକ୍‌ହୋଇଗଲା !’’ କେହି ବା ହାତ ଯୋଡ଼ି ଜୁହାର ହୋଇ କହିଲା–‘‘ହେ ଅଗ୍ନି ଦେବତା, ଶାନ୍ତ ହୁଅ, ପ୍ରଭୁ, ଶାନ୍ତ ହୁଅ ।’’ ବିଷୁନିଆ ମା କହିଲା–‘‘ମୁଁ ଆମ ବହୂ ସାଆନ୍ତାଣୀକି ବରାବର କହୁଛି ଶତୁରା ଝିଅ, ଖରାଦିନ–ବୟାର ହେଉଛି, ପତର ଜାଳ ଥିର ଜାଳିବୁତି । ସେ ଫେର୍‌ତାହା ମାନିବ ? ତୁ ଯେତେ ମାଠିବୁ ମାଠ୍‌ମୁଁ ସେହି ଦରପୋଡ଼ା କାଠ । ହାଣ୍ଡି ଉପରକୁ ହାତେ ନିଆଁ ନ ଉଠାଇ ସେ ପୁଣି ପରା ଚୂଲି ଜାଳିବ ! ଆଜିକାଲି ବହୂଝିଅଙ୍କୁ ତ କଥାରେ ଜିଣିପାରିବ ନାହିଁ, କହିବ ବା କଅଣ ? ଜୁହାର ଲୋ ମାରାଣି, ଦିଅଁଦେବତା ଛାଡ଼ି ତାଙ୍କୁ ଆଗେ ଜୁହାର ।’’ ଦାଶିଆ ବଉ କହିଲା–‘‘ଏକା ତୋହରି ବହୂ ନା ଲୋ ପିତେଇ ନାନୀ, ସଂସାରଯାକ ତ ଏକା, ବାଛିବୁ କାହାକୁ ? ଆମ ଠାକୁରାଣୀର କଥା ଶୁଣିଲେ ତୁ କାଠ ହୋଇଯିବୁ–କାନରେ ହାତ ଦେବୁ । ବୋହୂ ତ ବୋହୂ ରାଧୁଆ ମା ବହୂ ! ଶହ’ ପଚାଶରେ ସିମିତି ଗୋଟେ ବହୂ ମିଳିବ ନାହିଁ । କାମଦାମକୁ ତ ଉପମା ଦେବାକୁ ନାହିଁ, ଶାଶୁ ଶଶୁରଙ୍କର ‘ପାଦୁକା’ ନ ପାଇ ଟୋପେ ପାଣି ମୁହଁକୁ ନେବ ନା ? ବାପଘରୁ ବି ଆଠୁଆରୀ ଭାର ବୋଝ ଚାଲିଛି, ଆଉ ଆମର ଏ ଖୁଣ୍ଟୀ ନିର୍ମୁଳୀଙ୍କ ପରି ନା ?’’ ଏହିପରି ନାନା କଥାରେ ଘରପୋଡ଼ି କଥା ଲୁଚିଗଲା । ଏହି ସମୟରେ ଜଣେ ଫେରିଆସି କହିଲା–‘‘ନିତେଇ ଦାସ ଘର ପୋଡ଼ି ଯାଉଛି ।’’ ଏହା ଶୁଣି ସମସ୍ତେ ଗରା କଳସୀ ଘେନି ଧାଇଁଲେ ।

 

ଗ୍ରୀଷ୍ମକାଳ, ଚାଳ ଶୁଖି ଶୁଖି ରହିଅଛି–ସେଥିରେ ନିଆଁ ଲାଗିଲେ କି ଆଉ ରକ୍ଷା ଅଛି ? ପବନର ସାହାଯ୍ୟ ପାଇ ଅଗ୍ନି ଭୀଷଣ ଆକାର ଧାରଣ କଲା । କ୍ରୁଦ୍ଧ ଉତ୍‌ଫଣ ନାଗ ପ୍ରାୟ ଶିଖା-ଜିହ୍ୱା ଲହ ଲହ କରି ଗଭୀର ଗର୍ଜନ ସହ ଶୂନ୍ୟକୁ ଘନ ଘନ ଚାଟିବାକୁ ଲାଗିଲା । ଦଗ୍‌ଧ ବାଉଁଶ ଗଣ୍ଠିର ଠେ ଠା ଶବ୍ଦରେ ଆହୁତ ହୋଇ ନିକଟବର୍ତ୍ତୀ ଗ୍ରାମର ଅଧିବାସୀମାନେ ଆସି ରୁଣ୍ଡ ହେଲେ । କାହାରି ଆପଦ ବିପଦ ହେଲେ ପଲ୍ଲୀବାସୀ ସମସ୍ତେ ଆସି ତାହାକୁ ସାହାଯ୍ୟ କରନ୍ତି । ସେତେବେଳେ ଶତ୍ରୁ ସୁଦ୍ଧା ଶତ୍ରୁତା ଭୁଲି ବିପନ୍ନ ଶତ୍ରୁକୁ ଅନୁଗ୍ରହର ପାତ୍ର ମଣେ । ଏହି ଅନୁକମ୍ପା, ସହାନୁଭୂତି ଏବଂ ସମଦର୍ଶିତା କେବଳ ପଲ୍ଲୀ ପ୍ରାଣରେ ସୁଲଭ । ସାହରିକ ସଭ୍ୟ ଜୀବନକୁ ଏହା ସ୍ପର୍ଶ କରେ ନାହିଁ । ଯେଉଁଠାରେ ପ୍ରତିବେଶୀ ମଧ୍ୟରେ ପରିଚୟ ନାହିଁ, ସେଠାରେ ଏକପ୍ରାଣତା କାହୁଁ ଆସିବ ? ଅଗ୍ନିନିର୍ବାଣର ଯଥେଷ୍ଟ ଚେଷ୍ଟା ହେଲା; ମାତ୍ର ଆଶାନୁରୂପ ଫଳ ହେଲା ନାହିଁ ।

 

ସେ ସମୟରେ ପବନ ଏରୂପ ପ୍ରବଳ ହେଲା ଯେ, ଅଗ୍ନିର ଉତ୍ତାପରେ ଶତହସ୍ତ ଦୂରରେ ସୁଦ୍ଧା ତିଷ୍ଠିବା କଷ୍ଟକର ହେଲା । ତଥାଚ ଲୋକେ ହାଣ୍ଡି କଳସୀରେ ପାଣି ଆଣି ଦୂରରୁ ଥାଇ ନିକ୍ଷେପ କଲେ । ଚିର କ୍ଷୁଧାତୁର ସର୍ବଗ୍ରାସୀ ଅନଳର କି ତୃପ୍ତି ଅଛି ! ଯେତେ ଖାଇଲେ ସୁଦ୍ଧା ତାହାର କ୍ଷୁଧା ନିବୃତ୍ତ ହୁଏ ନାହିଁ । ଏହି ବିଶ୍ୱ-ବିଧ୍ୱଂସୀ ବୈଶ୍ୱାନର ମହାପ୍ରକୃତିର ଗୋଟାଏ ଶକ୍ତି । ତାଙ୍କର ଏହିପରି ଅନନ୍ତ ଶକ୍ତି ଅଛି । ଯାହାର ଗୋଟିଏ ଶକ୍ତି ମୂହୁର୍ତ୍ତକରେ କୋଟିଏ ବ୍ରହ୍ମାଣ୍ଡ ଗ୍ରାସ କରିପାରେ, ତାହାର ସମଗ୍ର ଶକ୍ତି କେଡ଼େ ପ୍ରବଳ, ଏହା ଚିନ୍ତା କଲେ ମସ୍ତିଷ୍କ ଝାଏଁ ଝାଏଁ ହୋଇଯାଏ । ହାୟ, ସେହି ମହାଶକ୍ତିମତୀଙ୍କ ସନ୍ତାନ ହୋଇ ମାନବ କି ହୀନଶକ୍ତି । ଦେଖୁ ଦେଖୁ ଶୋଇବା ଘରେ ନିଆଁ ଲାଗିଲା । ଦ୍ୱାରର ସମ୍ମୁଖସ୍ଥ ଚାଳ ହୁ-ହୁ ହୋଇ ଜଳିଉଠିଲା । ଉଷା ‘‘ଆତ୍ମାନଂ ସତତଂ ରକ୍ଷେତ୍‌’’ ନୀତି ଧରି ଆଗରୁ ବାହାରି ଆସୁଥିଲେ; ମାତ୍ର ଦାସେ ବାହାରି ପାରି ନାହାନ୍ତି । ମୁଣ୍ଡ ଉପରେ ଜ୍ୱଳନ୍ତ ଅନଳ, ଘର ଭିତର ଧୂଆଁରେ ଅନ୍ଧକାରମୟ, ଏରୂପ ଅବସ୍ଥାରେ ଘରେ ପଶି ତାଙ୍କୁ ଆଣିବ କିଏ ? ତେବେ ସୁଦ୍ଧା ଲୁଗାପଟା ଭିଡ଼ି କେହି କେହି ଦ୍ୱାର ପର୍ଯ୍ୟନ୍ତ ଅଗ୍ରସର ହେଲେ; ମାତ୍ର ଘର ଭିତରକୁ ପଶିବାକୁ କାହାରି ବହପ ଖଟିଲା ନାହିଁ । ଉଷା କାନ୍ଦି କାନ୍ଦି କୁକୁଡ଼ା ପରି ଭୂଇଁରେ ପଡ଼ି ଛଟପଟ ହେବାକୁ ଲାଗିଲେ–ଆତୁର ହୋଇ ଚିତ୍କାର କଲେ; ମାତ୍ର ଜ୍ୱଳନ୍ତ ଅନଳ ମଧ୍ୟରେ ପଶି ଜନକନନ୍ଦିନୀ ସୀତାଙ୍କ ସତୀ-କୀର୍ତ୍ତିର ଅଂଶଭାଗିନୀ ହେବାକୁ ସାହସିନୀ ହେଲେ ନାହିଁ । ପ୍ରାଣର ମମତା କାହାର ନାହିଁ, ପ୍ରାଣ ଆଗରେ ପତି, ପୁତ୍ର, ଆତ୍ମୀୟ କେହି କିଛି ନୁହେଁ । ଜନନୀ ସନ୍ତାନଗତପ୍ରାଣା; ମାତ୍ର ସନ୍ତାନର ମୃତ୍ୟୁରେ କେତେ ଜଣ ଜନନୀ ମରିଯାଆନ୍ତି ? ଉପସ୍ଥିତ ଜନମଣ୍ଡଳୀ ସମସ୍ତେ ହାହାକାର କରୁଅଛନ୍ତି; ମାତ୍ର ଦାସଙ୍କୁ ଆସନ୍ନ ମୃତ୍ୟୁ କବଳରୁ ଉଦ୍ଧାର କରିବାକୁ କେହି ସାହସୀ ହୋଇ ପାରୁନାହାନ୍ତି । ସମସ୍ତେ ଚିତ୍ରପିତୁଳା ପରି ନିଆଁକୁ ଚାହିଁ ରହିଅଛନ୍ତି । ଏହି ସମୟରେ ଜଣେ ଅସୀମ ସାହସିକ ଯୁବକ ଦୁଇ ପଟ ସଦ୍ୟସିକ୍ତ ଅଖାରେ ଶରୀର ଏବଂ ମସ୍ତକ ଆବୃତ୍ତ କରି ଦୃତ ଗତିରେ ଆସି ଉପସ୍ଥିତ ହେଲା । ସମସ୍ତେ ବିସ୍ମୟ-ବିମୂଢ଼ନେତ୍ରରେ ତାହାକୁ ଅନାଇ ରହିଲେ । ଯୁବକ ଏକ ଲମ୍ଫରେ ଘର ଭିତରେ ପଶି ମୂର୍ଚ୍ଛିତ ଦାସଙ୍କୁ କାଖରେ ଯାକି ଧରି ପୁଣି ଏକ ଲମ୍ଫରେ ଆସି ବାହାରେ ଠିଆହେଲା । ତାହା ଦେଖି ସମସ୍ତଙ୍କ ମନରୁ ଗୋଟାଏ ଦୁର୍ଦ୍ଦୈବର ଆଶଙ୍କା ଦୂର ହୋଇଗଲା । ଅନେକଙ୍କ ମୁଖରେ ଆନନ୍ଦର ରେଖାପାତ ହେଲା । ଚାରି ଆଡ଼ୁ ଯୁବକ ଉପରେ ଧନ୍ୟ ଧନ୍ୟ ଶବ୍ଦ ବୃଷ୍ଟି ହେବାକୁ ଲାଗିଲା । କେହି ଯୁବକର ଗୁଣର ପ୍ରଂଶସା କଲା–କେହି ସାହସର ପ୍ରଶଂସା କଲା–କେହି ବା ବଳର ପ୍ରଶଂସା କଲା । କେହି କହିଲା–ସାହସ ନ ଥିଲେ ଦେହରେ ଭୀମର ବଳ ଥାଇ କଅଣ ହେବ ? କେହି କହିଲା–ବଳ ଥିଲେ ସିନା ସାହସ ବାନ୍ଧିବ । କେହି କହିଲା–ହୃଦୟରେ ଦୟା ମାୟା ନ ଥିଲେ ବଳ ସାହସରେ ବା କଅଣ ହେବ ? ଏହିପରି ନାନା ବାଦ ପ୍ରତିବାଦ ହେବାକୁ ଲାଗିଲା । ପାଠକ, ଏହି ପରୋପକାରୀ ମହାପ୍ରାଣ ଯୁବକକୁ ଚିହ୍ନିପାରିଲେ କି ? ଏ ସେହି ଆପଣମାନଙ୍କର ପୂର୍ବପରିଚିତ ରାମଚନ୍ଦ୍ର ଦାସ । ସେ ନିଜ ପ୍ରାଣର ମାୟା ତ୍ୟାଗ କରି ଦାସଙ୍କର ପ୍ରାଣ ରକ୍ଷା କଲା । ନିଜର ଅର୍ଦ୍ଧାଙ୍ଗୀ ସହଧର୍ମିଣୀ ଯାହା କରି ନ ପାରିଲା ଜଣେ ପର ତାହା କଲା । ବିଚିତ୍ର ସଂସାରରେ ମାନବ ପ୍ରକୃତି ବିଚିତ୍ର !

 

ଉପସ୍ଥିତ ଜନମଣ୍ଡଳୀ ମଧ୍ୟରୁ କେହି ଦାସଙ୍କୁ ବାହୁ ଠେସ ଦେଇ ବସାଇଲା–କେହି ମୁହଁରେ ପାଣିଛିଟା ଦେଲା । କେତେ ଜଣ ଗାମୁଛାରେ ଚାରି ଆଡ଼ୁ ବିଞ୍ଚିଲେ । କିଛିକ୍ଷଣ ପରେ ଦାସଙ୍କର ଚେତନା ଫେରି ଆସିଲା । ସେ ନେତ୍ର ଫେଡ଼ି ଚାହିଁ ସଙ୍କେତରେ ଜଳପାନର ଇଚ୍ଛା ପ୍ରକାଶ କଲେ । କିଞ୍ଚିତ୍‌ ଜଳପାନ ପରେ ଗୋଟାଏ ବେଦନାଭରା ଦୀର୍ଘଶ୍ୱାସ ଛାଡ଼ି କହିଲେ–ମୋତେ ଏଠିକି କିଏ ଆଣିଲା ? ଜଣେ କହିଲା–ରାମଚନ୍ଦ୍ର । ଦାସେ ଏହି ଭୀଷଣ ଶୁଭସମ୍ବାଦରେ ଚମକି ଉଠି କହିଲେ–‘‘ଏଁ, ରାମ !’’ କଥା ସଙ୍ଗେ ସଙ୍ଗେ ଗୋଟାଏ ତୀବ୍ର ଉତ୍ତେଜନା ବାହାରି ଆସିଲା । ମସ୍ତିଷ୍କ ଦୁର୍ବଳ, ଏତେ ଉତ୍ତେଜନା ସେ ସହିବ କିପରି ? ଦାସେ ପୁନଶ୍ଚ ମୂର୍ଚ୍ଛିତ ହୋଇ ପଡ଼ିଲେ । ଏଥିମଧ୍ୟରେ ରାମର ଆଉ ଅଧ୍ୟାଏ ପ୍ରଶଂସା କୀର୍ତ୍ତିତ ହୋଇଗଲା । ତାହା ଶୁଣି ଉଷାଙ୍କର ମୁଖ ଲଜ୍ଜାରେ ପାଣ୍ଡୁରତା ଭଜିଲା; ମାତ୍ର ସେ ନିଜ ଭାବ ଢାଙ୍କିବା ପାଇଁ ପାଣ୍ଡୁରତା ମୁଖକୁ ଜୋରପୂର୍ବକ ପ୍ରଫୁଲ୍ଲତା ଟାଣି ଆଣି ଖେଦମିଶ୍ରିତ ଉଦାସ ସ୍ୱରରେ କହିଲେ–‘‘ହାୟ ! ପୂର୍ବ ଜନ୍ମରେ ସେ ମୋର ପୁଅ ଥିଲା ।’’ କିଏ ଜଣେ ଦୁଷ୍ଟ ଲୋକ ଏହା ଶୁଣି ପଛଆଡ଼ୁ ବିକୃତ ସ୍ୱର ଭଙ୍ଗୀରେ କହିଲା–‘‘ହଁ, ତୁ ତାର ସ୍ନେହବତୀ ମା ଥିଲୁ, ସେଥିଲାଗି ଏ ଜନ୍ମରେ ଘରୁ କାଢ଼ିଦେଲୁ !’’ ଉଷା ଏହା ଶୁଣିଲେ; ମାତ୍ର ନ ଶୁଣିଲା ପରି କିଛି କହିଲେ ନାହିଁ । କହିବାର ସେ ସମୟ ନୁହେଁ, ବୁଦ୍ଧିମତୀ ଉଷା ଏହା ବୁଝି ନୀରବ ରହିଲେ । ନଚେତ୍‌ଉଷାଙ୍କୁ ନୀରବ କରି ରଖିବା ଭଳି ପାତ୍ର ସେ କାଳରେ ଅନ୍ତତଃ ପ୍ରିୟପୁରର ଚତୁଃ ପାର୍ଶ୍ୱବର୍ତ୍ତୀ ଦଶଖଣ୍ଡି ଗ୍ରାମରେ କେହି ଜନ୍ମଗ୍ରହଣ କରି ନ ଥିଲେ-। ସେ ଯାହାହେଉ, ଦୁଷ୍ଟ ଲୋକଟାର ଏଭଳି କଥା କହିବା ଉଚିତ ହୋଇ ନାହିଁ । କଥା କହିବାର କି କାଳାକାଳ ବିଚାର ନାହିଁ ? ବିପଦବେଳେ ମର୍ମଜଳା କଥା କହିଲେ ବିପନ୍ନର ପ୍ରାଣକୁ ବଡ଼ ବାଧେ । ସେ ଦୁଷ୍ଟ ଦୁର୍ଭାଷୀ ଲୋକଟା ବଞ୍ଚିଥାଉ ବା ମରି ପୁନର୍ଜନ୍ମ ଗ୍ରହଣ କରିଥାଉ, ତାକୁ ସାମାଜିକ ଦଣ୍ଡରେ ଦଣ୍ଡିତ କରିବା ସମାଜପତିମାନଙ୍କ ସହସ୍ର କର୍ମସତ୍ତ୍ୱେ ସର୍ବାଗ୍ରେ ଆଶୁ କର୍ତ୍ତବ୍ୟ ।

 

ଦଣ୍ଡକ ପରେ ଦାସଙ୍କର ପୁଣି ମୂର୍ଚ୍ଛାଭଙ୍ଗ ହେଲା । ସେ ଉଠି ବସି କହିଲେ–‘‘ଓଃ, କି ଦୁସ୍ୱପ୍ନଟାଏ ଦେଖିଲି ! ରାମ, ରାମ, ହରେକୃଷ୍ଣ, ରାଧେକୃଷ୍ଣ । ସ୍ୱପ୍ନ ଦେଖିଲି–‘‘ଆମ ଘର ପୋଡ଼ିଗଲା, ସୁଦୁରାମା ପୋଡ଼ି ମଲେ, ମୁଁ ଖୁବ୍‌ କାନ୍ଦିବାକୁ ଚେଷ୍ଟା କଲି; ମାତ୍ର କାନ୍ଦି ପାରିଲି ନାହିଁ । ସେହି କାନ୍ଦଣାଟା ମୋ ତଣ୍ଟିରେ ଅଟକିଗଲା, ମୁଁ ଧଇଁସଇଁ ହେବାରୁ ନିଦ ଭାଙ୍ଗିଗଲା ।’’ ଆକସ୍ମିତ ବିପଦରେ ଦାସଙ୍କ ମସ୍ତିଷ୍କର ଯନ୍ତ୍ରମାନ ବିଶୃଙ୍ଖଳ ହୋଇ ଯାଇଅଛି; ତେଣୁ ସେ ସତ୍ୟକୁ ସ୍ୱପ୍ନ ବୋଲି ସ୍ଥିର କରିଅଛନ୍ତି । ଜନମଣ୍ଡଳୀ ମଧ୍ୟରୁ କେହି କହିଲା–‘‘ଦାସେ ପାଗଳ ହୋଇଯିବେ ।’’ କେହି କହିଲା–ଗୋଟାଏ ପଇସା ଯାହାର ମା ବାପ, ଏତେ ଦୂର କ୍ଷତିରେ ସେ ପାଗଳ ନ ହୋଇ ଆଉ କଅଣ ହେବ ? ଦାସେ ନାନା ପ୍ରକାର ପ୍ରଳାପ କରିବାକୁ ଲାଗିଲେ । ତହୁଁ ଚାରି ଜଣ ଲୋକ ତାଙ୍କୁ ଟେକି ନେଇ ଜଣେ ପ୍ରତିବେଶୀର ଦାଣ୍ଡ ମେଲାରେ ଶୁଆଇଦେଲେ । ଉଷା ସାଶ୍ରୁନୟନରେ ସ୍ୱାମୀଙ୍କ ଶୂଶ୍ରୂଷାରେ ନିଯୁକ୍ତ ହେଲେ । ଅନନ୍ତର ଘରପୋଡ଼ିର ମୂଳତତ୍ତ୍ୱ ଅନୁସନ୍ଧାନ ଲାଗିଲା । ଉଷା କହିଲେ–‘‘ଘରେ ଧୂଆଁ ବେଶି ହେବାରୁ ମୁଁ ନିଆଁ ଉହ୍ମେଇଟା ଆଣି ପିଣ୍ଡାରେ ରଖିଦେଇ ଗଲି-। ପିଣ୍ଡା ଚାଳରେ ଖଣ୍ଡେ ଲୁଗା ଟଙ୍ଗା ହୋଇଥିଲା । ସେହି ଲୁଗା ଫିଟି ଉହ୍ମେଇରେ ପଡ଼ି ନିଆଁ ଉପରକୁ ଉଠିଗଲା, କି କେହି ଡାକୁଣିଖିଆ ଦୁସ୍‌ମନ୍‌ ଲଗାଇଦେଲା, ତାହା ଯେ ଦିନରାତି କରୁଛି, ସେହି ଜାଣେ ।’’ ଦିନରାତି କରିବା ଲୋକ ଯାହା ଜାଣୁ; ମାତ୍ର ଉପସ୍ଥିତ ଜନମଣ୍ଡଳୀ ଜାଣିଲେ ଯେ, ପ୍ରଥମ କାରଣଟି ସତ୍ୟ; ନଚେତ୍‌ କେହି ଲଗାଇ ଦେଇଥିଲେ ବାହାର ପାଖରୁ ନିଆଁ ଲାଗିଥାଆନ୍ତା; କିନ୍ତୁ ପ୍ରଥମେ ଭିତରୁ ନିଆଁ ଲାଗିବାର ସମସ୍ତେ ଦେଖିଅଛନ୍ତି । ଘରପୋଡ଼ିରେ ଦାସଙ୍କର ପ୍ରାୟଶଃ ସର୍ବସ୍ୱ ନଷ୍ଟ ହେଲା । କଥାରେ କହନ୍ତି–‘‘ଚୋର ପଛକେ ସାତ ଥର ନେଉ, ଥରେ ଘରପୋଡ଼ି ନ ହେଉ ।’’ ଘରପୋଡ଼ିରେ ଭାଗ୍ୟ ଦଗ୍‌ଧ ହୋଇଯାଏ । ସେରୂପ ଦଣ୍ଡ ମହାଶତ୍ରୁପ୍ରତି ସୁଦ୍ଧା ବାଞ୍ଛନୀୟ ନୁହେଁ । ଘରପୋଡ଼ି ମୁହୂର୍ତ୍ତକ ମଧ୍ୟରେ ଅମିରକୁ ଫକୀର କରିଦିଏ । ଦୀନ ଦରିଦ୍ରର ତ କଥା ହିଁ ନାହିଁ; ଘରପୋଡ଼ିରେ ସେମାନଙ୍କର ଜନ୍ମ ସରିଯାଏ । ଘରର ଚାଳ ଜଳି ଛିଡ଼ି ପଡ଼ିଲା, ନିଆଁର ତେଜ ଊଣା ହୋଇ ଆସିଲା । କାନ୍ଥଗୁଡ଼ାକ ମସ୍ତକହୀନ ପିଶାଚ ମୂର୍ତ୍ତି ପରି ଭୟଙ୍କର ଦିଶିଲା । ଗ୍ରାମବାସୀମାନେ ପାଣି ଢ଼ାଳି ନିଆଁ ଲିଭାଇଦେଲେ । ଘରେ ଯାହା ଥିଲା, ସବୁ ପୋଡ଼ି ଛାରକାର ହୋଇଯାଇଅଛି । କଂସା ପିତ୍ତଳର ବାସନ ତରଳି ମୁଣ୍ଡା ହୋଇଯାଇଅଛି, ତେବେ ଅଧେ ତରଳି ବିକୃତ ଆକାର ଧାରଣ କରିଅଛି । ଟଙ୍କା ଏବଂ ସୁନାରୂପାର ଅଳଙ୍କାରମାନ ତରଳି ଏକତ୍ର ମିଶିଯାଇଅଛି । କେତେ ପୋଡ଼ି ଅଙ୍ଗାର ହୋଇଯାଇଅଛି । ତାହା ସବୁ ଦେଖିଲେ ଶତ୍ରୁର ହୃଦୟ ସୁଦ୍ଧା ସମବେଦନାରେ ତରଳ ହୋଇ ଅଶ୍ରୁ ରୂପରେ ବହିଯିବ ।

 

ବିପଦରେ ଧୈର୍ଯ୍ୟଧାରଣ କରି ହୁଏ ନାହିଁ; ମାତ୍ର ଅତି ବିପଦରେ ଦେହ କାଠ ହୋଇଯାଇ ଯେତେବେଳେ ଆଶା ନୈରାଶ୍ୟରେ ପରିଣତ ହୁଏ, ସେତେବେଳେ ଧୈର୍ଯ୍ୟ ଧରି ହୁଏ-। ଯେଉଁ ପ୍ରକୃତି ଅଧୈର୍ଯ୍ୟ ଆନୟନ କରେ, ସେହି ପ୍ରକୃତି ସଂଯମ ଏବଂ ସାନ୍ତ୍ୱନା ମଧ୍ୟ ଆଣିଦିଏ । ଉଷା ଏପର୍ଯ୍ୟନ୍ତ ଧୈର୍ଯ୍ୟ ଧରିଥିଲେ; ମାତ୍ର ସ୍ୱାମୀଙ୍କର ଅବସ୍ଥା ଦେଖି ଆଉ ଧୈର୍ଯ୍ୟ ସମ୍ଭାଳି ପାରିଲେ ନାହିଁ । ତାଙ୍କର ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା । ସେ ଭୋ ଭୋ କରି ରଡ଼ି ପକାଇଲେ । ରାମ ଯେତେବେଳେ ଦଗ୍‌ଧ ଗୃହରୁ ଦାସଙ୍କୁ ଘେନି ଆସିଲା, ସେତେବେଳେ ମେଞ୍ଚାଏ ନିଆଁ ଦାସଙ୍କ ପିଠିରେ ଖସି ପଡ଼ିଥିଲା । ମୂର୍ଚ୍ଛିତାବସ୍ଥାରେ ଦାସେ ତାହା ଜାଣି ପାରି ନାହାନ୍ତି । ପିଠିରେ ଗୋଟାଏ ତାଳ ଆକାରରେ ଚମ ସିଝିଯାଇ ଫୋଟକା ହୋଇଯାଇଅଛି । ମୂର୍ଚ୍ଛାଭଙ୍ଗ ପରେ ଦାସେ ସେହି ଯନ୍ତ୍ରଣାରେ ଅସ୍ଥିର ହେଲେ । ବାପଲୋ, ମା’ ଲୋ, ମରିଗଲି ଲୋ କହି ଉଚ୍ଚରେ ଚିତ୍କାର ଛାଡ଼ିଲେ । ଉଷା ସ୍ୱାମୀଙ୍କ ପିଠି ଦେଖି ତଳେ କୋଡ଼ିକଚାଡ଼ି ହୋଇ କାନ୍ଦିବାକୁ ଲାଗିଲେ । ସମୟ ସମୟରେ ତାଙ୍କର ମୂର୍ଚ୍ଛା ହେବାର ଉପକ୍ରମ ହେଲା । ଗ୍ରାମବାସୀମାନେ ତାଙ୍କୁ ସାନ୍ୱନା ଦେଲେ; ବୈଦ୍ୟ ଅଣାଇ ଦାସଙ୍କର ଚିକିତ୍ସା କଲେ । ବୈଦ୍ୟ ଫୋଟକାରେ ଶୀତଳ ପ୍ରଲେପ ଲଗାଇଦେଲା । ଯନ୍ତ୍ରଣା କଥଞ୍ଚିତ୍‌ ଊଣା ପଡ଼ିଲା; ମାତ୍ର ଫୋଟକା ଫାଟିଯାଇ ଘା ହୋଇଗଲା । ଗ୍ରାମବାସୀମାନେ ଉଷାଙ୍କୁ ଏବଂ ଦାସଙ୍କୁ ଉପଯୁକ୍ତ ଗୃହରେ ରଖି ଯଥାସାଧ୍ୟ ଯତ୍ନ କରିବାକୁ ଲାଗିଲେ ।

Image

 

ଏକବିଂଶ ପରିଚ୍ଛେଦ

 

ଅସ୍ଥାୟୀ ସଂସାରରେ ସୁଖ, ଦୁଃଖ, ବିପଦ, ସମ୍ପଦ–ସବୁ ଅସ୍ଥାୟୀ । ବିଧାତା ଯାହାକୁ ବିପଦ ଦିଏ, ବିପଦ ସହିବାର ଶକ୍ତି ମଧ୍ୟ ତାହାକୁ ଦିଏ । ମନୁଷ୍ୟ ଦେହରେ ସବୁ ସହିଯାଏ–ବିପଦ ବି ସହିଯାଏ । ବିପଦ ସ୍ଥାୟୀ ହୋଇଥିଲେ, ମାନବପ୍ରାଣ ତିଷ୍ଠି ପାରନ୍ତା ନାହିଁ । ବିପଦ ଆସିବାବେଳେ ହାତୀ ପରି ହୋଇ ଆସେ ଏବଂ ଯିବାବେଳେ ପିମ୍ପୁଡ଼ି ପରି ହୋଇଯାଏ । ଦାସେ ଏବଂ ଉଷା ଧୈର୍ଯ୍ୟ ଧାରଣ କଲେଣି । ସଚ୍ଛିଦ୍ର ଘଟରୁ ବିନ୍ଦୁ ବିନ୍ଦୁ ହୋଇ ଜଳ ବାହାରିଲା ପରି ଉଭୟଙ୍କ ହୃଦୟରୁ ଅଧୈର୍ଯ୍ୟ ଅନ୍ତର ହୋଇଗଲାଣି । ଦାସଙ୍କର କ୍ଷତ ମଧ୍ୟ ଶୁଷ୍‌କ ହୋଇଗଲାଣି । ନୂତନ ଘର ପ୍ରସ୍ତୁତ ହୋଇ ସାରିଅଛି । ଦାସଙ୍କର ଆଉ କିଛି ଚିନ୍ତା ନାହିଁ–କେବଳ ଆଶଙ୍କା ଏତିକି ଯେ, ଘରପୋଡ଼ିରେ ଯେଉଁମାନଙ୍କର ଅଳଙ୍କାର ନଷ୍ଟ ହୋଇଗଲା, ସେମାନେ ଦୁଇ ଗୁଣ ଦାବି କରିବେ–ଦୁଷ୍ଟ ଲୋକେ ମୋକଦ୍ଦମା କରିବେ । ତାଙ୍କର ଏ ଆଶଙ୍କା ଅଦୂର ଭବିଷ୍ୟତରେ ଫଳବତୀ ହୋଇଥିଲା । କେହି କେହି ମୋକଦ୍ଦମାର ଭୟ ଦେଖାଇ ଦୁଇ ଗୁଣ ଆଦାୟ କରିଥିଲେ-

 

ରାମର ଉପକାର ଦାସ ଦମ୍ପତିଙ୍କ ହୃଦୟରେ ମୁଦ୍ରିତ ହୋଇଯାଇଅଛି । ଯାହ ପ୍ରତି ଏତେ ଉତ୍ପୀଡ଼ନ, ସେ ବାରମ୍ବାର ପ୍ରାଣ ରକ୍ଷା କଲା, ଏହି ଲଜ୍ଜା ଏବଂ ଅନୁଶୋଚନାରେ ଉଭୟଙ୍କ ହୃଦୟ ଦଗ୍‌ଧ ହେଉଅଛି । ବିପଦ ଏବଂ ବୟୋଧର୍ମରେ ଦର୍ପୀର ଔଦ୍ଧତ୍ୟ ଚୂର୍ଣ୍ଣ ହୋଇଯାଏ ଏବଂ ମନରେ ସଂଯମ ଆସେ । ଦାସ ଦମ୍ପତ୍ତିଙ୍କର ତାହା ହିଁ ହୋଇଅଛି । ଏଣିକି ରାମ ପ୍ରତି ପୂର୍ବ ଘୃଣା ନାହିଁ । ବାତ୍ସଲ୍ୟ, କୃତଜ୍ଞତା ଘୃଣାର ଆସନରେ ଉପବିଷ୍ଟ । ଦିନେ ଉଷା ରାମାକୁ କୁଣ୍ଢାଇ ପକାଇ ଅଶ୍ରୁସଜଳ ନେତ୍ରରେ କହିଲେ–‘‘ମୋ ବାପ, ମୋ ଧନ, ମୋ ଉପରେ ଆଉ ରାଗ ବହିବୁ ନାହିଁ । ମୁଁ ତୋର ମା ପରି, ମା ଦୋଷ କି ପୁଅ ଧରେ ବାପ ? ମୋ ବୁଦ୍ଧିରେ ନିଆଁ ଲାଗିଲା, ମୁଁ ପୋଡ଼ାମୁହୀଁ’’ ସେଦିନ ପଦେ କହିଦେଲି, ସେଥିଲାଗି ମନ ଯାହା ହେଉଛି, ତାହା ମୁଁ ଜାଣେ । ‘‘ତୁ ମୋର ପ୍ରାଣଦାତା, ଆଜିଠାରୁ ତୁ ମୋର ପୁଅ, ମୋର ଦୋଷ କ୍ଷମା କର ବାପ !’’ ରାମ ହସି ହସି କହିଲା–‘‘ନା, ମାଉସୀ, ତୁ ଦୁଃଖ କର ନା, ମୁଁ ତୋର ଦୋଷ ଧରି ନାହିଁ କି ରାଗି ନାହିଁ । ମୋର ସ୍ୱଭାବ ସେପରି ନୁହେଁ, ମୁଁ ତୋର ଉପକାର ଶୁଝି ପାରିବ ନାହିଁ । ତୁ ବାୟାଣୀ ପରି କଅଣ ଗୁଡ଼ାଏ ବକିଯାଉଛୁ, ମୁଁ ତାହା କିଛି ବୁଝିପାରୁ ନାହିଁ । ମୁଁ ଭାରି ଉପକାରଟାଏ କରି ପକାଇଛି ଯେ, ତୁ ସେଥିଲାଗି ଏତେ ଲଘୁ ହେଉଛୁ !’’ ରାମ ଏହା କହି ହାସ୍ୟୋଜ୍ଜ୍ୱଳ ମୁଖରେ ପ୍ରସ୍ଥାନ କଲା ।

 

ପାପୀ ଆତ୍ମକୃତ ପାପ ପାସୋରିଯାଇ ପାରେ; ମାତ୍ର ପାପ ପାପୀକୁ ପାସୋରି ପାରେ ନାହିଁ । ପାପସ୍ମୃତି କେବେ ମିଳାଇଯାଏ ନାହିଁ, ସମୟରେ ଫୁଟି ଉଠି ମନକୁ ଆଚ୍ଛନ୍ନ କରେ ଏବଂ ନାନା ପ୍ରକାର ବିଭୀଷିକା ଦେଖାଏ । ମୃତ୍ୟୁ ପୂର୍ବରୁ କୃତପାପ ସକାଶେ ଅନେକଙ୍କୁ ଅନୁତାପ କରିବାର ଦେଖାଯାଏ । ଅନ୍ତିମ କାଳରେ ପାପପୁରୁଷ ଆସି ଦେଖାଦିଏ । ସେତେବେଳେ ପାପୀର ଅବସ୍ଥା ଦେଖି ଦୟା ଜାତ ହୁଏ । ଆତ୍ମକୃତ ଉଲଗ୍ନ ପାପର ଭୀଷଣ ମୂର୍ତ୍ତି ସମ୍ମୁଖରେ ଦେଖି, ଦୀପ ଫୁଙ୍କି-ଦେଲେ ଘର ଯେପରି ଅନ୍ଧକାର ହୋଇଯାଏ, ପାପୀର ହୃଦୟ ଠିକ୍‌ ସେହିପରି ହୋଇଯାଏ । ଦାସଙ୍କର ବୟସ ଯଥେଷ୍ଟ ହୋଇଅଛି, ଚିତ୍ରଗୁପ୍ତ ଅଫିସରୁ ଉଆରଣ୍ଟ ବାହାରିବାକୁ ଆଉ ଅଧିକ ବିଳମ୍ବ ନାହିଁ । ଏଣିକି ଆତ୍ମକୃତ କରଣୀମାନ ତାଙ୍କର ମନରେ ପଡ଼ୁଅଛି । ଦାସେ କିଛି ସେଗୁଡ଼ାଙ୍କର ଗୋଡ଼ ଧରି ସାଧ୍ୟସାଧନା କରୁନାହାନ୍ତି; ମାତ୍ର ସେହି ଦୁଷ୍ଟା ସ୍ମୃତିଗୁଡ଼ାକ ବଳେ ବଳେ ଆସି ତାଙ୍କୁ ବିବ୍ରତ କରୁଛନ୍ତି–ଘଉଡ଼ିଲେ ସୁଦ୍ଧା ଯାଉ ନାହାନ୍ତି । ଦାସେ କେବେ କାହାକୁ କିପରି ଠକାଇ ଅଛନ୍ତି–କାହାକୁ କିପରି ଫାଙ୍କି ଦେଇଅଛନ୍ତି–କିପରି ବା ବିଶ୍ୱାସରେ ବିଷ ମିଶାଇ ଅଛନ୍ତି, ସବୁ ଗୋଟି ଗୋଟି ହୋଇ ତାଙ୍କ ସ୍ମୃତି ପଥରେ ପଥିକ ହେଉଅଛନ୍ତି । ସମୟ ସମୟରେ ହରି ପଟ୍ଟନାୟକଙ୍କର ଅଭିଶମ୍ପାତ ମନରେ ପଡ଼ିଯାଇ ଦେହ ଥରି ଉଠୁଅଛି । ଦିନରେ ଉଗ୍ରା ସ୍ମୃତି ତମ୍ପୁଣୀର ତୀବ୍ର ଦଂଶନ, ରାତିରେ ଦୁଃସ୍ୱପ୍ନର ଦାରୁଣ କଶାଘାତ, ଦାସେ କାହାର ଜ୍ୱାଳା କେତେ ସହିବେ ? ସ୍ୱୀୟକୃତ କର୍ମ ସକାଶେ ସେ ନିଜେ ଦାୟୀ, ସେ ଦାୟିତ୍ୱ ଅନ୍ୟ କାହାରି ମସ୍ତକରେ ଲଦିଦେଇ ଖଲାସ ହୋଇଯିବାର ଉପାୟ ନାହିଁ । ସେଥିପାଇଁ ଦିନେ ତାଙ୍କୁ ଏକ ବିଷମ ସଙ୍କଟ ସ୍ଥାନରେ କୈଫିୟତ୍‌ ଦେବାକୁ ପଡ଼ିବ । ସେ କି କୈଫିୟତ୍‌ ଦେବେ, ତାଙ୍କ କୈଫିୟତ୍‌ କି ଏକବୁଝା ଚିତ୍ରଗୁପ୍ତର ମନକୁ ଆସିବ ? ସେ ତ ଗୋଟିଏ କଥା ଛାଡ଼ିବାର ପାତ୍ର ନୁହେଁ–ଖୋଳିତାଡ଼ି ନିଠେଇ ନିଠେଇ ପଚାରିବ । ସେ ତ ଆଉ ଦାସଙ୍କଠାରୁ ଟଙ୍କା କରଜ ନେଇ ନାହିଁ ଯେ, ଚକ୍ଷୁଲଜ୍ଜା, ମୁଖ ଲଜ୍ଜା କରିବ ! ସେ ଯେରୂପ ଖରତୁଣ୍ଡା, ତାହା ମୁହଁ ଉପରେ କିଏ କଥା କହିବାକୁ ବା ସାହାସୀ ହେବ ? ଅବଧାନର ରୁଦ୍ରମୂର୍ତ୍ତି ଦେଖି ଚାଟପିଲା ମୁହଁରୁ ସତ କଥା ବାହାରିପଡ଼ିଲା ପରି ତାହା ଆଗରେ ସତ କଥା ଆପେ ବାହାରିପଡ଼ିବ । ଯୁକ୍ତିତର୍କ ବା ଫନ୍ଦା ଫିକର ତ ତାହ ପାଖରେ ଚଳିବ ନାହିଁ, ପୁଣି ସତ ନ କହିଲେ ଦୁଇ ଗୁଣ ଦଣ୍ଡବିଧାନ କରିବ । କିଛି ନ କହି ମୌନ ହୋଇ ରହିଲେ ଥଟ୍ଟା ବିଦ୍ରୂପ କରିବ–ମର୍ମବିନ୍ଧା କଥା କହିବ । ସେ ଗୋଟାଏ ମହାରାଢ଼; ଦୟା କ୍ଷମା ତ ବିଧାତା ତାହା କୋଷ୍ଠିରେ ଲେଖି ନାହିଁ । କାନ୍ଦି କାନ୍ଦି ତାହା ଗୋଡ଼ତଳେ ମୁଣ୍ଡ ପିଟିଦେଲେ ବି ସେ ଆଉ ନେତ୍ରରେ ଚାହିଁବ ନାହିଁ । ମୂଷା ଛିଙ୍କିଲେ କି ବିରାଡ଼ି ‘‘ଚିରଜୀବୀ ହୋଇଥା’’ ବୋଲି ଆଶୀର୍ବାଦ କରିବ ! ତେବେ ଦାସଙ୍କର ପରକାଳ ଗତି କଅଣ ହେବ ? ସେ ଯେଉଁ ଆଡ଼କୁ ଚାହୁଁଅଛନ୍ତି, ସେଆଡ଼େ ଗଛରେ, ପତ୍ରରେ, ଆକାଶରେ, ବାୟୁରେ ତାଙ୍କର କୃତକର୍ମ ମୂର୍ତ୍ତିଧରି ତାଙ୍କୁ ନିଷ୍ଠୁର ବ୍ୟଙ୍ଗ ବିଦ୍ରୂପ କରୁଅଛି । କିଏ ଯେପରି ତାଙ୍କ ହୃଦୟ ଭିତରେ ଥାଇ ତାଙ୍କ ପ୍ରତି ପ୍ରଚ୍ଛନ୍ନ ଶ୍ଳେଷୋକ୍ତି ପ୍ରୟୋଗପୂର୍ବକ କର୍‌କର୍‌ ହୋଇ ହସି ଉଠୁଅଛି; ବେଳେ ବେଳେ ହାତତାଳି ଦେଇ ନାଚି ବୁଲୁଅଛି । କେବେ ବା ତିରସ୍କାର କରି କହୁଅଛି–‘‘ଛିଃ, ଛିଃ, ଛିଃ, ଛିଃ ! କେତେ ଦିନ ପାଇଁ କେତେ କଥା କଲୁ-।’’ ଦାସେ ସୁଦ୍ଧା ଭାବୁଅଛନ୍ତି–‘‘ହାୟ, ହାୟ ! ବାସ୍ତବରେ ମୁଁ କେତେଦିନ ପାଇଁ କେତେ କଥା କଲି ! ମନୁଷ୍ୟ ଜୀବନ ଜଳସ୍ଫୋଟକ ପରି–ଏହି ଅଛି, ଏହି ନାହିଁ । ଏହିକ୍ଷଣି ଆଖି ବୁଜିଲେ କେଣେ କେହି ନାହିଁ–ସବୁ ଅନ୍ଧକାର । ତେବେ ଏତେ ଲୋଭ କାହିଁକି–ପ୍ରତାରଣା କାହିଁକି–ସମ୍ପତ୍ତି ଉପାର୍ଜନ କାହିଁକି-? ସମ୍ପତ୍ତି ବା ମୋର କଅଣ ହେବ ? ମଲା ପରେ ପୁଣି ଆସି ଏ ଘରେ ଜନ୍ମ ହୋଇ ତ ସମ୍ପତ୍ତି ଭୋଗ କରି ପାରିବି ନାହିଁ କିମ୍ବା ଯିବାବେଳେ ସାଙ୍ଗରେ ନେଇଯାଇ ପାରିବି ନାହିଁ, ତେବେ ପରକୁ ପୀଡ଼ା ଦେଇ ସମ୍ପତ୍ତି ଅର୍ଜିଲି କାହା ଲାଗି ? ମୁଁ ମନୁଷ୍ୟ ହୋଇ ମନୁଷ୍ୟକୁ ପ୍ରବଞ୍ଚିତ କରିଅଛି–ମାନବ ପ୍ରାଣ ବହି ମାନବ ପ୍ରାଣରେ ଆଘାତ ଦେଇଅଛି–ମାନବ ଶୋଣିତ ଶୋଷଣ କରିଅଛି–ମାନବ ନେତ୍ରରୁ ତପ୍ତାଶ୍ରୁ ବହାଇ ଅଛି । ମୁଁ ଆତ୍ମଦ୍ରୋହୀ, ମୁଁ ଆତ୍ମଘାତୀ, ମୋର ପାପର ପ୍ରାୟଶ୍ଚିତ ନାହିଁ । ହାୟ, ପୂର୍ବରୁ ମୋର ଏ ବୁଦ୍ଧି ନ ହେଲା କାହିଁକି ? ମୁଁ ନିଜେ ମୋର ପରକାଳ ବିଷମୟ କରିଅଛି–ସ୍ୱଖାତ କୂପରେ ବୁଡ଼ି ମରିଅଛି । ନିଜକୁ ନିଜେ ପ୍ରତାରିତ କରିଅଛି, ବିପନ୍ନ କରିଅଛି–ଦୋଷ ଅନ୍ୟ କାହାର ନୁହେଁ, ମୋର । ହାୟ, ମାର ଇହକାଳ ନଷ୍ଟ, ପରକାଳ ଅଗ୍ନିମୟ, ଶାନ୍ତିଲାଭର ତୃତୀୟ ସ୍ଥାନ ନାହିଁ । ମୁଁ ଏବେ ଗ୍ରହ-ନକ୍ଷତ୍ରପୂର୍ଣ୍ଣ ତରଙ୍ଗ-ଭୀଷଣ ଅକୂଳ ଜଳଧି ଗର୍ଭରେ ଭାସମାନ । ଜୀବନ ମୋ ପକ୍ଷରେ ବିଡ଼ମ୍ବନା, ମୃତ୍ୟୁ ସୁଦ୍ଧା ମଙ୍ଗଳଜନକ ନୁହେଁ ।’’ ଦାସେ ଆହାର ନିଦ୍ରା ତ୍ୟାଗ କରି ସବୁବେଳେ ଏହିପରି ଅନୁଶୋଚନାରେ ଦଗ୍‌ଧ ହେଉଅଛନ୍ତି । ଅନୁତାପର ଦାହିକା ଶକ୍ତି ଅତି ଅସହ୍ୟ ଏବଂ ମାରାତ୍ମକ । ତାହା ତୁଳନାରେ ପାର୍ଥିବ ଅନଳ ଖୁବ୍‌ଶୀତଳ । ଅନଳରେ ଶରୀର ଦଗ୍‌ଧ ହୁଏ; ମାତ୍ର ଅନୁତାପରେ ଶରୀର ଥାଏ–କିନ୍ତୁ ମନ, ଆତ୍ମା, ହୃଦୟ ସବୁ ଭସ୍ମିଭୂତ ହୋଇଯାଏ । ଅନୁତାପଠାରୁ ମୃତ୍ୟୁ କୋଟି ଗୁଣରେ ଶ୍ରେୟଃ । ଅନୁତାପ ଜୀବନ୍ତ ମୃତ୍ୟୁ । ମୃତ୍ୟୁରେ ଶୋକ, ତାପ, ଯନ୍ତ୍ରଣା ସବୁ ଶେଷ ହୋଇଯାଏ ଏବଂ ଅନୁତାପ ବଞ୍ଚାଇ ରଖି କଲବଲ କରେ । ତାହାଠାରୁ ବଳି ଯନ୍ତ୍ରଣା ଆଉ ନାହିଁ । ଉଷା ସ୍ୱାମୀଙ୍କର ଏ ଭାବ ଦେଖି କହନ୍ତି–‘‘ଆମେ ଅନ୍ୟକୁ ଦଗା ଦେଇଥିଲେ, ବିଧାତା ଏବେ ଆମକୁ ଦଗା ଦେଲା । ସେଥିପାଇଁ ଦୁଃଖ କଲେ କଅଣ ହେବ ? ତାହା ତ ଆମର ରୋପିଲା ଗଛର ଫଳ, ଆମେ ଭୋଗ ନକରି ଆଉ ତାହା କିଏ ଭୋଗ କରିବ ? ଦୋଷ ତୁମର ନୁହେଁ–ମୋର । ମୁଁ ପାପିଷ୍ଠା ତମକୁ ଉସ୍କାଇ ଏ ପାପ କିଣିଅଛି । ମୁଁ ବି କଷ୍ଟ ପାଉଛି; ଆଉ ତମେ ମୋର ସ୍ୱାମୀ, ମୋର ଗୁରୁ, ମୋର ଦେବତା, ତୁମକୁ ବି କଷ୍ଟ ଦେଉଛି । ଜାଣି ଶୁଣି ମୁଁ ଦେବତାଙ୍କୁ ଦୁଃଖ ଦେଇଛି, ଏ ପାପରେ ମହାନରକରେ ବି ମୋର ଠାବ ନାହିଁ । ସ୍ୱାମୀ ବିପଥଗାମୀ ହେଲେ ତାଙ୍କୁ ସତ୍‌ ପଥକୁ ଟାଣିଆଣିବା ସ୍ତ୍ରୀର କର୍ତ୍ତବ୍ୟ; ମାତ୍ର ମୁଁ ତାହା ନକରି ତମକୁ ବିପଥକୁ ଠେଲି ଦେଇଅଛି । ମୁଁ ପତ୍ନୀର କାର୍ଯ୍ୟ କରିନାହିଁ–ଲୋଭରେ ପଡ଼ି ପେତୁଣୀର କାର୍ଯ୍ୟ କରିଅଛି । ତମକୁ ପାପରେ ବୁଡ଼ାଇଲି, ମୁଁ ବି ପାପରେ ବୁଡ଼ିଲି । ମୋତେ ଧିକ୍‌, ମୋର ନାରୀଜନ୍ମକୁ ଶତ ଧିକ୍‌। ନାରୀର ପବିତ୍ର କର୍ତ୍ତବ୍ୟରେ ଜଳାଞ୍ଜଳି ଦେଇ ମୁଁ ନାରୀ ନାମକୁ କଳଙ୍କିତ କରିଅଛି; ଲୋଭରେ ଅନ୍ଧ ହୋଇ ମୁଁ ନିଜର ସ୍ୱାଭାବିକ ଧର୍ମ ଭୁଲିଯାଇଅଛି ।’’ ଦାସେ ଏବଂ ଉଷା ପ୍ରତ୍ୟହ ଏହିପରି ଅନୁତାପରେ ଦଗ୍‌ଧ ହେଉଅଛନ୍ତି ।

 

ମାନବ ପ୍ରକୃତି କି ବିଚିତ୍ର ! କାହାର ପ୍ରକୃତି କେବେ, କି ଭାବରେ ପରିବର୍ତ୍ତିତ ହେବ, ତାହା ବୁଝିବା ଅସାଧ୍ୟ । ସ୍ୱଭାବର ବିରୁଦ୍ଧ ବୁଦ୍ଧି ଘଟେ । ଅନେକ ମଧୁମକ୍ଷୀ-କୃପଣ ବ୍ୟକ୍ତି ହଠାତ୍‌ ମୁକ୍ତହସ୍ତ ହୋଇ ବଡ଼ ବଡ଼ କାର୍ଯ୍ୟ କରିଯାଆନ୍ତି । କେତେ ନିଷ୍ଠାପର ଧାର୍ମିକ ପଞ୍ଚମକାରର ପୂଜକ ପାଲଟିଯାଆନ୍ତି । କେତେ ଚୋର ସାଧୁ ହୋଇ ଯାଆନ୍ତି । ପ୍ରକୃତିର ଏହି ପରିବର୍ତ୍ତନ ଅନେକଙ୍କ ଭାଗ୍ୟରେ ଘଟିବାର ଦେଖାଯାଏ । ଦିନେ ଉଷା କଥାପ୍ରସଙ୍ଗରେ ସ୍ୱାମୀଙ୍କୁ କହିଲେ–‘‘ଆମର ତ କାଳ ଆସି ଶେଷ ହେବାକୁ ବସିଲା, କଥାରେ କହନ୍ତି–କଳିକାଳ ଷାଠିଏ । ତମର ଆସି ପାଖ ପାଖ ହୋଇଗଲା, ମୋର ବି ଆସି ପାଖ ପାଖ ହୋଇଗଲା । ବିଧାତା ତ ଆମ ଭାଗ୍ୟରେ ପୁତ୍ରସୁଖ ଲେଖିନାହିଁ । ତେବେ ଏ ସମ୍ପତ୍ତି ଅର୍ଜନ କାହା ଲାଗି ? ଆମେ ଭୋଗ କରିନପାରିଲେ ସୁଦ୍ଧା ଆମ ପୁଅ ଭୋଗ କରିବ ବୋଲି ମନରେ ଗୋଟାଏ ଆନନ୍ଦ ଜାତ ହୁଅନ୍ତା । ସେ ସୁଖ ତ କପାଳରେ ନାହିଁ, ଖୋଜିଲେ କାହୁଁ ମିଳିବ ? ମୋ ବିଚାରରେ ସମ୍ପତ୍ତିର କିଛି ଗୋଟାଏ କିନାରା କରି ଦେଇ କୌଣସି ତୀର୍ଥସ୍ଥାନରେ ଯାଇ ରହିବା ଭଲ । ତୀର୍ଥସ୍ଥାନରେ ମଲେ କାରଣ ଅଛି ବୋଲି କହନ୍ତି; ‘‘ତମର ମନ ବି ଭଲ ହେବ । ତୀର୍ଥବାସରେ ଭୂତ-ପ୍ରେତ ଛାଡ଼ିଯାଏ–କୁସ୍ୱପ୍ନ ବା କି ଛାର ! ତମ କୁସ୍ୱପ୍ନ ବି ଛାଡ଼ିଯିବ ।’’ ଦାସେ ଗୋଟାଏ ତୃପ୍ତିର ନିଃଶ୍ୱାସ ଛାଡ଼ି ଆଗ୍ରହପୂର୍ବକ କହିଲେ–‘‘ମୋର ବି ସେହି ଇଚ୍ଛା ସୁଦୁରୀମା ! ତମେ କାଳେ ମନରେ କଅଣ କରିବ ବୋଲି ତମକୁ ତାହା କହି ନ ଥିଲି । ତୀର୍ଥରେ ମନ ପବିତ୍ର ହୁଏ–ପାପ କ୍ଷୟ ବି ହୁଏ । ତେବେ ସମ୍ପତ୍ତିର ବ୍ୟବସ୍ଥା କଅଣ କରିବି ?’’ ଉଷା କହିଲେ–‘‘ଯାହାଙ୍କର ମାଲ ପୋଡ଼ିଗଲା, ତମେ ଆଗେ ତାଙ୍କର ଟଙ୍କା ଶୁଝିଦିଅ, ତାହା ପରେ ସମ୍ପତ୍ତିର ବ୍ୟବସ୍ଥା କରିବ । ପୋଡ଼ା ସୁନାରୂପାଗୁଡ଼ାକ ବିକିଦିଅ, ଯେଉଁ ଦଶ ହଜାର ଟଙ୍କା ମାଟି ଭିତରେ ପୋତା ହୋଇଅଛି, ତାକୁ ବାହାର କରି ଯାହା ନିଅଣ୍ଟ ହେବ, ତାହା ସେଥିରୁ ନେଇ ଭରଣା କର ।’’ ଦାସେ ପତ୍ନୀଙ୍କ ପରାମର୍ଶାନୁସାରେ କାର୍ଯ୍ୟ କଲେ । ଦଗ୍‌ଧା ବିଶିଷ୍ଟ ସୁନାରୂପା ଯାହା ଥିଲା, ତାହା ବିକ୍ରୟ କରି ଦେଖାଗଲା, ସମସ୍ତ ପରିଶୋଧ କରିବାକୁ ଆହୁରି ଦୁଇ ହଜାର ଟଙ୍କା ଆବଶ୍ୟକ । ତାହା ଗଚ୍ଛିତ ପୁଞ୍ଜିରୁ ଦିଆଗଲା । ଯାହାର ଯାହା ହେଲା, ସେ ତାହା ପାଇଲା । ଯେ ମୋକଦ୍ଦମାର ଭୟ ଦେଖାଇଲା, ସେ କିଛି ଅଧିକ ପାଇଲା । ଦାସେ ଅପରକୁ ମୋକଦ୍ଦମା କରିବାକୁ ପରାମର୍ଶ ଦେବାରେ ଧୁରନ୍ଧର; ମୋକଦ୍ଦମା କରିବାକୁ କିମ୍ବା ମୋକଦ୍ଦମା ଭିତରେ ରହିବାକୁ ବଡ଼ ଭୟ କରନ୍ତି । ତାଙ୍କ ପାଖରେ ଆଉ ଆଠ ହଜାର ଟଙ୍କା ଅଛି । ଉଷା କହିଲେ–‘‘ଟାମାର ଟଙ୍କା ନ ଶୁଝିଲେ ଆମର ପାପକ୍ଷୟ ହେବ ନାହିଁ । ସେହିଲାଗି ତାହା ବାପ ତମକୁ ସ୍ୱପ୍ନ ଦେଖାଉଛି । ତାହାର ତିନି ହଜାର ଟଙ୍କା, ଆଉ ହଜାରେ ବେଶି କରି ତାକୁ ଚାରି ହଜାର ଦିଅ । ନ ହେଲେ ସେ ଆର ଜନ୍ମରେ ଛାତି ଉପରେ ଗଛ ହୋଇ ଆଦାୟ କରିବ । ଦୁଇ ହଜାର ଟଙ୍କା, ଘର ଆଉ ଜମିବାଡ଼ି ଯାହା ଅଛି, ତାହା ଝିଅକୁ ଦେଇଯାଅ । ଆଉ ଯେଉଁ ଦୁଇ ହଜାର ରହିଲା, ତାହା ଘେନି ଆମେ ପୁରୀ ଯାଇ କୌଣସି ମଠରେ ଆଶ୍ରୟ ନେବା ।’’ ଉଷାଙ୍କର ଏ ପ୍ରସ୍ତାବ ନିତେଇ ଦାସଙ୍କର ମନୋନୀତ ହେଲା ।

 

ଦାସଙ୍କର ଉଇଲା ଶୁଣି ଗ୍ରାମବାସୀଏ ତାଟଙ୍କା ହେଲେ । କେହି କହିଲା, ଏ ଗୋଟାଏ କୌତୁକ ନା କଅଣ ? କେହି କହିଲା–ଏହା ପ୍ରତାରଣା ପରି ବୋଧ ହେଉଛି । ଯେଉଁମାନେ ଦାସଙ୍କର ଉପସ୍ଥିତ ମନର ଅବସ୍ଥା ପରିଜ୍ଞାତ, ସେମାନେ କହିଲେ–ଏହା ପ୍ରକୃତ । ଏହିପରି କିଏ ବିଶ୍ୱାସ କଲା, ଆଉ କିଏ ବା ନ କଲା । ଏଣେ ଦାସଙ୍କର ତୀର୍ଥଯାତ୍ରାର ଦିନ ଧାର୍ଯ୍ୟ ହେଲା । ଦିନେ ଦାସେ ରାମକୁ ଡାକିଆଣି କହିଲେ–‘‘ବାବା, ସଙ୍ଗାତେ ବୃନ୍ଦାବନ ଯିବାବେଳେ ମୋ ପାଖରେ ତିନି ହଜାର ଟଙ୍କା ରଖିଯାଇଥିଲେ । ମୁଁ ସେହି ଟଙ୍କାରେ ମହାଜନୀ କରି ବଡ଼ ମହାଜନ ହୋଇଥିଲି । ପାପ ବୁଦ୍ଧି ହେତୁ ମୁଁ ତୋତେ କହି ନାହିଁ । ମୋ ପାପର ଦଣ୍ଡ ମୁଁ ଢେର ବେଶି ଭୋଗକଲିଣି । ଚୋରି, ଘରପୋଡ଼ି, ପୀଡ଼ା, ଅର୍ଥନାଶ, ମନସ୍ତାପ ସେହି ପାପର ଫଳ । ମୁଁ ତୋତେ ଆଉ ହଜାରେ ଅଧିକ ଦେଇ ଚାରି ହଜାର ଦେଉଛି, ତୁ ଏହା ନେଇ ମୋତେ ଋଣମୁକ୍ତ କର । ଏ ତୋ ବାପର ଟଙ୍କା, ତୁ ଏହାକୁ ନେଲେ ମୁଁ ଯାଇ ନିଶ୍ଚିନ୍ତ ହୋଇ ତୀର୍ଥସ୍ଥାନରେ ବସି ଦେବତା–ସେବାରେ ପ୍ରାଣ ଉତ୍ସର୍ଗ କରିବି ।’’ ରାମ ଏହା ବିଶ୍ୱାସସୂତ୍ରରେ ପୂର୍ବରୁ ଶୁଣିଥିଲା । ବର୍ତ୍ତମାନ ଦାସଙ୍କ ମୁଖରୁ ଶୁଣି ବିସ୍ମିତ ନ ହୋଇ ଶାନ୍ତ ଗଭୀର ସ୍ୱରରେ କହିଲା–‘‘ବାପ ଟଙ୍କା କି ପାପ ଟଙ୍କା, ତାହା ମୁଁ ଜାଣେ ନାହିଁ; ବାପ ବି ମୋତେ କହିଯାଇ ନାହାନ୍ତି । ତୁମ୍ଭେ ସୁଦ୍ଧା କେବେ କହିନାହଁ । ମୁଁ ସେ ନିଅଂଶୀ ମାଲ କାହିଁକି ନେବି ?’’ ଶେଷ କଥାଟା କହି ପକାଇ ରମ ବଡ଼ ଅପ୍ରତିଭ ହେଲା ଏବଂ ତାହା ଢାଙ୍କିବା ପାଇଁ ହଠାତ୍‌ ଅନ୍ୟ କଥାର ଅବତାରଣା କରି କହିଲା–‘‘ବାପ ଯଦି ମୋତେ ସେଥିରୁ ବଞ୍ଚିତକରି ଯାଇଛନ୍ତି, ତେବେ ମୋର ତାହା ନେବା ଉଚିତ ନୁହେଁ ।’’ ଦାସେ କହିଲେ–‘‘ଟଙ୍କା କଥା ତୋତେ କହିବାକୁ ସଙ୍ଗାତେ ମନା କରିଯାଇଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ମୋର କହିବା ଉଚିତ ଥିଲା; ମାତ୍ର ଦୁଷ୍ଟ ପାପବୁଦ୍ଧି କହିବାକୁ ଦେଲା ନାହିଁ ।’’ ଉଷା ଦାସଙ୍କୁ ଆଉ କହିବାକୁ ଅବସର ନ ଦେଇ ରାମର ଓଠ ଧରିପକାଇ ବିନୟ-କୋମଳ ବାଣୀରେ କହିଲେ–‘‘ବାପ, ମୁଁ ଗୋଟିଏ କଥା କହିବି, ତୁ ଆମର ପୋଷ୍ୟପୁତ୍ର ହ; ଘର, ଦ୍ୱାର, ସମ୍ପତ୍ତି ଯାହା ଅଛି, ସବୁ ତୋତେ ଦେଇଯିବି । ତାହାହେଲେ ପରକାଳରେ ଆମର ପାଣି ଆଞ୍ଜୁଳାକର ଭରଷା ରହିବ ।’’ ରାମ ଏହା ଶୁଣି ମନେ ମନେ ବିରକ୍ତ ହେଲା; ମାତ୍ର ଏହା ମୁଖରେ ବା କଥାରେ ବିରକ୍ତି ଭାବ ପ୍ରକାଶ ନ କରି ଧୀର କଣ୍ଠରେ ସରଳ ଭାବରେ କହିଲା–‘‘ତାହାହେଲେ ମୋର ପିତୃକୁଳର ପାଣୀ ଆଞ୍ଜୁଳାକର ଭରସା ଏକାବେଳେକେ ବୁଡ଼ିବ ? ତାହା କିପରି ହେବ ? ଟଙ୍କା ନେଇ ମୁଁ ଯାହା କରିବି, ତୁମ୍ଭେ ଯଦି ସେଥିରେ ଆପତ୍ତି ନ କରିବ, ତେବେ ମୁଁ ନେବାକୁ ପ୍ରସ୍ତୁତ ଅଛି । ମୁଁ ଯାହା କରିବି, ସେଥିରେ ତୁମ୍ଭର ପାଣୀ ଆଞ୍ଜୁଳାକର ଭରସା ରହିବ ।’’ ଉଷା ଏହା ଶୁଣି ଆନନ୍ଦିତ ହୋଇ କହିଲେ–‘‘ତୋର ମାଲ, ତୁ ଯାହା କଲୁ, ଆମର ସେଥିରେ କହିବାର ଅଧିକାର କଅଣ ଅଛି ?’’ ଅନନ୍ତର ଘରୁ ଟଙ୍କା ଆଣି ରାମକୁ ଦେଲେ, ରାମ ତାହା ଘେନି ପ୍ରସ୍ଥାନ କଲା ।

 

ରାମ ଟଙ୍କା ନେଲା; ମାତ୍ର ଆତ୍ମସାତ କରିବାକୁ ଇଚ୍ଛା କଲା ନାହିଁ । ସେ ମନେ ମନେ ଭାବିଲା, ‘‘ପିତାଙ୍କର ମୋତେ ଦେବାର ଇଚ୍ଛା ଥିଲେ ସେ ମୋତେ ଲୁଚାନ୍ତେ କାହିଁକି ? ଯାହା ପିତୃଦତ୍ତ ନୁହେଁ, ତାହା ଆତ୍ମସାତ୍‌ କରିବା ଅନୁଚିତ । ଏହି ଟଙ୍କାରେ ଦାସଙ୍କର ଦୁର୍ଗତି । ବୋଧହୁଏ ଟଙ୍କାର କିଛି ମୂଳ ଦୋଷ ଅଛି । ଅସଦୁପାୟରେ ଉର୍ପାଜିତ ଅର୍ଥ ବରଦାୟକ ହୁଏ ନାହିଁ । ପରମେଶ୍ୱର ତ ମୋର ଅଭାବ ରଖିନାହାନ୍ତି । ସୁତରାଂ ଅତି ଲୋଭ ଭଲ ନୁହେଁ । ତେବେ ଏହି ଟଙ୍କାକୁ କୌଣସି ସତ୍‌କାର୍ଯ୍ୟରେ ଲଗାଇଲେ ସଦ୍‌ବ୍ୟବହାର ହେତୁ ଅର୍ଥ ଧନ୍ୟ ହୁଅନ୍ତା । ଗ୍ରାମର ଉନ୍ନତିକର କାର୍ଯ୍ୟରେ ଏହି ଅର୍ଥ ଉତ୍ସର୍ଗ କରିବି । ସକଳ ଉନ୍ନତିର ମୂଳ ଶିକ୍ଷା । ଗ୍ରାମରେ ଗୋଟିଏ ପାଠାଗାର ସ୍ଥାପିତ ହୋଇଅଛି; ମାତ୍ର ଶିକ୍ଷିତ ସଂଖ୍ୟା ମୁଷ୍ଟିମେୟ । ପାଠକ ନ ଥିଲେ ପାଠାଗାର ଥାଇ କଅଣ ହେବ ? ବର୍ତ୍ତମାନ ପାଠକ ପ୍ରସ୍ତୁତ କରିବା ଆବଶ୍ୟକ । ଗ୍ରାମରେ ଶିକ୍ଷା ବିସ୍ତାର ଅପରପ୍ରାଇମେରୀ ପରିଧି ମଧ୍ୟରେ ଆବଦ୍ଧ । ଏହି ସ୍କୁଲଟିକୁ ମାଇନର ସ୍କୁଲ କଲେ ଆପାତତଃ ଶିକ୍ଷାର ଅଭିବୃଦ୍ଧି ହେବ । ଚାରି ହଜାର ଟଙ୍କାର ସୁଧରେ ଗୋଟିଏ ମାଇନର ସ୍କୁଲ ସୁନ୍ଦର ଚଳିପାରିବ ।’’ ରାମ ଏ ବିଷୟରେ ଗ୍ରାମବାସୀଙ୍କର ପରାମର୍ଶ ଲୋଡ଼ିଲା । ସମସ୍ତେ ସାଧୁ ସାଧୁ କହି ତାହାର ଅଦ୍ଭୁତ ସ୍ୱାର୍ଥତ୍ୟାଗ ଏବଂ ଦେଶ-ପ୍ରୀତିକୁ ଶତ ମୁଖରେ ପ୍ରଶଂସା କଲେ । ଯଥାସମୟରେ ସ୍କୁଲ ସ୍ଥାପିତ ହେଲା । ଦାସଙ୍କ ସ୍କୃତି ସ୍ୱରୂପ ତାହାର ନାମ ନିତ୍ୟାନନ୍ଦ ମାଇନର ସ୍କୁଲ ରଖାଗଲା ।

 

ଦାସେ ଝିଅ ନାମରେ ଘର ଏବଂ ଭୂମିବାଡ଼ୀ ରେଜେଷ୍ଟରୀ କରିଦେଇ ଓ ନଗଦ ଦୁଇ ହଜାର ଟଙ୍କା ଦେଇ ଅବଶିଷ୍ଟ ଦୁଇ ହଜାର ସମ୍ବଳ ଘେନି ପୁରୀ ଯାତ୍ରା କଲେ । ଶେଷଜୀବନରେ ସେ ଗୋଟାଏ ସାଧୁ ଆଦର୍ଶ ଦେଖାଇଲେ । ଯାହାର ମନ୍ଦ ଗୁଣ ଥାଏ, ତାହାଠାରେ ଭଲ ଗୁଣ ସୁଦ୍ଧା କିଛି ଥାଏ । ଜଗତରେ ଏକାଧାରେ ଭଲ ବା ଏକାଧାରେ ମନ୍ଦ କିଛି ନାହିଁ । ଭଲରେ ମନ୍ଦ ଥାଏ, ମନ୍ଦରେ ସୁଦ୍ଧା ଭଲ ଥାଏ । ମନ୍ଦ ମନ୍ଦଭାବରେ ଥାଏ, ଯେତେବେଳେ ଧର୍ମଭୟ ଆସେ, ସେତେବେଳେ ମନ୍ଦରୁ ଭଲ ବାହାରିପଡ଼େ ।

Image

 

ଦ୍ୱାବିଂଶ ପରିଚ୍ଛେଦ

 

ହରି ପଟ୍ଟନାୟକ ପୋଖରୀ ମୋକଦ୍ଦମାରେ ସର୍ବୋଚ୍ଚ ବିଚାରାଳୟର ଜୟ-ପତ୍ର ମସ୍ତକରେ ବାନ୍ଧି ଯେତେବେଳେ ଆସି ଗୃହରେ ଉପସ୍ଥିତ ହେଲେ, ସେତେବେଳେ ସେ ଜୟଦୃପ୍ତ । ବିଜୟ-ଗୌରବ ତାଙ୍କ ମନକୁ ଏପରି ଆଚ୍ଛନ୍ନ କରିଅଛି ଯେ, ସେ ନିଜର ଅବସ୍ଥା ବିସ୍ମୃତ ହୋଇଅଛନ୍ତି । ସେ ଯେ ସର୍ବସ୍ୱାନ୍ତ ହୋଇଅଛନ୍ତି, ଏ କଥା ତାଙ୍କ ମନରେ ପ୍ରବେଶ କରୁ ନାହିଁ । ମୋକଦ୍ଦମାରେ ତାଙ୍କର ସର୍ବସ୍ୱ ଉଡ଼ିଯାଇଅଛି, କୁମ୍ଭୀର ନେଇ ମଝି ନଈରେ କଲାଣି, ତଥାପି ତାଙ୍କର ବିଶ୍ୱାସ–ସେ ସନ୍ତରଣ କରୁଅଛନ୍ତି । ଯେଉଁ ତିନିଶ ଖୋସାରତ୍‌ପାଇଥିଲେ, ଭୋଜିରେ ଏବଂ ବାଦିପାଲାରେ ସେଥିରୁ ଶଏ ଟଙ୍କା ଖର୍ଚ୍ଚ ହୋଇ ସାରିଅଛି । ଅବଶିଷ୍ଟ ଦୁଇଶ ରୂପାଚୁଡ଼ି ମୁକୁଳାଇବା ଉଦ୍ଦେଶ୍ୟରେ ଥିଲା, ତାହା ତ ହେଲା ନାହିଁ; ସୁତରାଂ ସେ ଟଙ୍କା ବି ଚୁଟୁର ବୁଟୁର ସରିଲାଣି । ଏଣିକି ପଟ୍ଟନାୟକେ ଶୂନ୍ୟାହାରୀ । ଅସାମୟିକ ଏକାଦଶୀ ଦାରିଦ୍ର୍ୟ-ବ୍ରତର ନିୟମ । ତାଙ୍କ ଅଦୃଷ୍ଟରେ ତାହା ବି ସଫଳ ହେଲାଣି । ଦିନେ ଦାଣ୍ଡ ମେଲାରେ ବସି କଅଣ ଆକାଶପାତାଳ ଭାବନାରେ ତନ୍ମୟ ଥିବାବେଳେ ଅନ୍ନପୂର୍ଣ୍ଣା ଘରୁ ବାହାରି ଆସି କହିଲେ–‘‘ଆଜି କଅଣ ହେବ ?’’ ହରି ବାବୁଙ୍କ ପିଠିରେ ଯେପରି କିଏ ଜୋରରେ ଚାବୁକେ ପିଟିଦେଲା । ସେ ଚମକି ଉଠି ସ୍ତ୍ରୀଙ୍କ ମୁହଁକୁ ଅନାଇଦେଇ କହିଲେ, ‘‘ଏଁ, କଅଣ ?’’ ଉଷା କହିଲେ–‘‘ବେଳ ଆସି ପହରେ କି ପାଞ୍ଚଘଡ଼ି ହେଲାଣି, ଏବେଯାଏଁ ଚୁଲୀକି ଲେଣ୍ଡୁଆ ଯାଇ ନାହିଁ, ଆଉ କଅଣ ? ଘରେ ଚାଉଳ କି ପନିପରିବା କିଛି ନାହିଁ ।’’ ହରିବାବୁ ଏହା ଶୁଣି ଖୁବ୍‌ସ୍ଫୂର୍ତ୍ତି ଦେଖାଇ କହିଲେ–‘‘ହେଉ, ତେବେ ମୋ ଚାଦରଖଣ୍ଡ ଆଣ ।’’ ଅନ୍ନପୂର୍ଣ୍ଣା ଚାଦର ଆଣି ସ୍ୱାମୀଙ୍କ ହସ୍ତରେ ଦେଇ କାର୍ଯ୍ୟାନ୍ତରରେ ଚାଲିଗଲେ । ହରିବାବୁ ଚାଦର ଖଣ୍ଡି ଦେହରେ ପକାଇ କେଉଁଠାକୁ ଯିବେ, କିଛି ଭାବି ନାହାନ୍ତି, କେବଳ କି ଗୋଟାଏ ଉତ୍ତେଜନାରେ ଚାଦର ମାଗିଥିଲେ । ଏତେବେଳେ କେଉଁଠାକୁ ଯାଇ କାହା ପାଖରେ ହାତ ପାତିବେ, ଏହା ଭାବିବାକୁ ଲାଗିଲେ; ମାତ୍ର ଯେଉଁ ଦିଗକୁ ଚାହିଁଲେ, ସେ ଦିଗରୁଦ୍ଧ । ବିକ୍ରୟ କରିବା ବା ବନ୍ଧକ ଦେବା ଭଳି କୌଣସି ପଦାର୍ଥ ତାଙ୍କର ନାହିଁ, କାହାଠାରୁ ହାତ ଉଧାର ମିଳିବାର ସୁଦ୍ଧା ଆଶା ନାହିଁ–ଦୋକାନୀମାନଙ୍କର ବାକୀ ଅଛି, ସେ ଆଉ ବାକୀ ଦେବେ ନାହିଁ; ସୁତରାଂ ଆପାତତଃ କର୍ତ୍ତବ୍ୟ କଅଣ, ଏହା ହିଁ ଭାବୁ ଅଛନ୍ତି, ଏହି ସମୟରେ ଦେଖିଲେ ତାଙ୍କ ଦାଣ୍ଡ ଆଗ ବାଟରେ ସଦେଇ ପାଢ଼ୀ ଯାଉଅଛନ୍ତି । ସଦେଇ ପ୍ରୌଢ଼ ବ୍ରାହ୍ମଣ, ବିଷୟବାନ୍‌ ଏବଂ ପଟ୍ଟନାୟକଙ୍କ ମୋକଦ୍ଦମାର ଅନ୍ୟତମ ପ୍ରବର୍ତ୍ତକ । ହରି ବାବୁ ତାଙ୍କୁ ଦୂରରୁ ପ୍ରଣାମ କରି କହିଲେ–‘‘କି କକା, କୁଆଡ଼େ ଯାଇଥିଲ ?’’ ପାଢ଼ୀ ଅଞ୍ଜଳିବିସ୍ତାରପୂର୍ବକ ‘‘ମାର୍କଣ୍ଡେୟ ପରମାୟୁ ଲାଭ କର-କୁବେର ସମ୍ପତ୍ତି ଲାଭ କର’’ ପ୍ରଭୃତି କେବେ ଅଘଟନୀୟ ଆଶୀର୍ବାଦ କରିଗଲେ । ତହିଁପରେ ଆସି ହରି ବାବୁଙ୍କ ପାଖରେ ବସିପଡ଼ ଏଣ୍ଡୁଅ ପରି ମୁଣ୍ଡିତ ମସ୍ତକ ହଲାଇ ହଲାଇ କହିଲେ–‘‘ବାପର ପୁଅ ଏକା ବାବାଜି ତମେ ! ଖୁବ୍‌ଜାଣିଛ, ମୋକଦ୍ଦମାଟାକୁ ଟାଣି ଘୋଷାରି ଆଣିଲ । ବାଃ, ବାଃ, ନ ହେଲେ କି କରଣବତା !’’ ହରି ବାବୁ ଆତ୍ମପ୍ରଶଂସା ଶୁଣି ମୁରୁକି ମୁରୁକି ହସିଲେ ଏବଂ ଗମ୍ଭୀର ହୋଇ କହିଲେ–‘‘କିନ୍ତୁ ମୋକଦ୍ଦମାରେ ମୋର ସମ୍ପତ୍ତି ସରିଗଲା କକା !’’ ହରି ବାବୁ ପାଢ଼ୀଙ୍କୁ କକା ବୋଲି ଡାକନ୍ତି; ନିଜର ଅନେକ ଭୂମି ତାଙ୍କୁ ବିକ୍ରୟ କରିଅଛନ୍ତି । ପାଢ଼ୀ କହିଲେ–‘‘ଓଃ, ଯାଉ ବାପା-! ସମ୍ପତ୍ତି ବଡ଼ ନା ମାନ ବଡ଼ ? ମାନ ତ ରହିଲା ! କହନ୍ତି ପରା–‘ଯାଉ ଜାନ୍‌, ଥାଉ ମାନ୍‌।’ ଜୀବନ ପଛେ ଯାଉ, ମାନ ଥାଉ; ସମ୍ପତ୍ତି ବା କି ଛାର ! କିଏ ସବୁଦିନେ ସମ୍ପତ୍ତି ଘେନି ବସିଛି ? ଆଚ୍ଛା ବାବାଜି, ମୋକଦ୍ଦମାରେ ସବୁ କେତେ ଟଙ୍କା ଖର୍ଚ୍ଚ ହେଲା ?’’ ହରି ବାବୁ କହିଲେ–‘‘ସବୁ ଲେଖି ରଖିଛି । ସେ ଦିନ ମୋଟ କଲି ଯେ, ହେଲା ଚଉଦଶ ପଞ୍ଚାନବେ ଟଙ୍କା ତେର ଅଣା ତିନି ପଇସା ଅଧଲେ ।’’ ପାଢ଼ୀ ବିସ୍ମୟମିଶା ହାସ୍ୟରେ କହିଲେ–‘‘ହେଉ, ସେ ରେଜାରେଜି ସହିତ ପନ୍ଦରଶ ହେଲା, କିନ୍ତୁ ବାବାଜି, ତମେ ବଡ଼ ବାହାଦୁର, ଏ ମୋକଦ୍ଦମା ପଚିଶ ଶଅରେ ବି ମୁଣ୍ଡ ଲାଗନ୍ତା ନାହିଁ ! ତମେ ବୋଲି ଅଳ୍ପ ଖର୍ଚ୍ଚରେ ହାଇକୋଟରୁ ମୋକଦ୍ଦମା ଜିଣି ଆଣିଲ । ଆଉ କେହି ହୋଇଥିଲେ ତାହାର ସାଧ୍ୟ କଅଣ ? ଯାହା ହେଉ, ତମେ ଗୋଟାଏ କୀର୍ତ୍ତି ରଖିଲ–‘‘ନାମ ବି ରଖିଲ ।’’ ହରି ବାବୁ କହିଲେ–‘‘ମୁଁ ଏହିକ୍ଷଣି ତମ କତିକି ବାହାରିଥିଲି କକା, ଗୋଟାଏ ଟଙ୍କା ଦରକାର ଅଛି । ଉଧାର ଦେଇଥାଅ, ତିନି ଚାରି ଦିନ ଭିତରେ ଶୁଝିଦେବି ।’’ ପାଢ଼ୀ ଟିକିଏ କୃତ୍ରିମ ଦୁଃଖ ପ୍ରକାଶ କରି ମୃଦୁସ୍ୱରରେ କହିଲେ–‘‘ଟଙ୍କା ?’’ ସକାଳୁ କହିଥିଲେ ଦେଇଥାଆନ୍ତି ବାପା ! ଟଙ୍କା ଥିଲାଯେ, ଗୋପିଆ ପୁଅର ଆଜି କାନଫୋଡ଼ା, ସେ ସକାଳୁ ଆସି ବସିଲା; କହିଳା ପାଞ୍ଚଟା ଟଙ୍କା ନ ଦେଲେ କର୍ମ ବନ୍ଦ । ଜାଣ ତ ବାପ ତମେ–ମୁଁ କାହାରି ବିକଳ ସହିପାରେ ନାହିଁ । କଅର କରିବି, ତାକୁ ପାଞ୍ଚ ଟଙ୍କା ଦେଲି । ଆଉ ଗୋଟାଏ ଫଟା ପହୁଲା ବି ପାଖରେ ନାହିଁ । ହାୟ, ହାୟ, କେତେ କଥା ହେଲା, ତମେ ଅକାରଣ ମୁହଁ ହରାଇଲ ! ଦୁଇ ତିନି ପରେ ହେଲେ ନିଶ୍ଚେ ଦିଅନ୍ତି ।’’ ପାଢ଼ୀ ଏହା କହି ଆଉ ଅପେକ୍ଷା ନକରି ଉଠିଗଲେ । ହରିବାବୁ ଆଉ କିଛି କହିଲେ ନାହିଁ; ମନେ ମନେ ଭାବିଲେ–‘‘ମୋହୋରି ବିଷୟ ନେଇ ଏ ଲୋକଟା ବିଷୟୀ; ବେଳେ ବେଳେ ଟଙ୍କାଟାଏ ଉଧାର ମାଗିଲେ ପାଞ୍ଚ ଟଙ୍କା ଦେଇ ପକାଉଥିଲା, ଆଜି ଗୋଟାଏ ଟଙ୍କା ଲାଗି ଏତେ ଅବିଶ୍ୱାସ–ଏତେ ବାକ୍‌ଚାତୁରୀ–ପୁଣି ଏତେ କପଟଦୁଃଖ ପ୍ରକାଶ ! କାଳେ ମୁଁ ଆଉ କିଛି କହିବି, ଏହି ଭୟରେ ତରତର ହୋଇ ଉଠି ଚାଲିଗଲା । ଧନ୍ୟ ମନୁଷ୍ୟ ପ୍ରକୃତି ! ବିଷୟ ଥିବାବେଳେ ସମସ୍ତେ ବନ୍ଧୁ । ଏଭଳି ଲୋକେ ଖାଲି ମୁଖମାଧୁରୀ ପ୍ରକାଶରେ ପଟୁ; ମାତ୍ର ଦୟା ବା ସହାନୁଭୂତି ପଦାର୍ଥଟା ହୃଦୟରେ ନାହିଁ । ମୋର ବଡ଼ ଭୁଲ ହେଲା, ମୁଁ ନ ଭାବି ନ ଚିନ୍ତି ଏଭଳି ପାଷଣ୍ଡଟା ପାଖରେ ତୁଣ୍ଡ ହରେଇଲି; ବରଂ ନୀରବରେ ଉପବାସ ରହିବା ଭଲ; ମାତ୍ର ଏମାନଙ୍କୁ ଧାର ଉଧାର ମାଗିବା ମୂର୍ଖତା ବ୍ୟତୀତ ଆଉ କିଛି ନୁହେଁ ।’’ ହରି ବାବୁ ଏହିପରି ଅନୁତାପ କରୁଅଛନ୍ତି, ଏହି ସମୟରେ ଡାକ ପିଅନ ଆସି କହିଲା–‘‘ବାବୁ, ତମର ଦଶ ଟଙ୍କାର ଗୋଟାଏ ମନିଅର୍ଡ଼ର ଅଛି ।’’ ଏହା କହି ଫାରମ ବାହାର କରି ଦେଲା । ହରି ବାବୁ ଦସ୍ତଖତ କରି ଟଙ୍କା ନେଇ ଘର ଭିତରକୁ ଗଲେ । ତାଙ୍କର ପୁଅ ଶ୍ରୀକାନ୍ତ କଟକରୁ ଏହି ଟଙ୍କା ପଠାଇଥିଲା ।

ଶ୍ରୀକାନ୍ତ ସଙ୍ଗରେ ପାଠକମାନେ ପୂର୍ବରୁ ପରିଚିତ ହୋଇଅଛନ୍ତି । ଏଣ୍ଟ୍ରାନ୍‌ସ ପରୀକ୍ଷାଠାରୁ ତାହା ଭାଗ୍ୟରେ କ୍ରମାନ୍ୱୟରେ ବୃତ୍ତି ଲାଗିରହିଅଛି । ପିଲାଟି ମେଧାବୀ; ଶକ୍ତିର ସୁବ୍ୟବହାରଦ୍ୱାରା ମେଧାଶକ୍ତି ଉଜ୍ଜ୍ୱଳତର ହୋଇଅଛି । ତାହାର ବେଶଭୂଷାର ଆଡ଼ମ୍ବର ନାହିଁ; ଘଡ଼ୀ, ଚେନ୍‌, ଚଷମା ପ୍ରଭୃତି ଶିକ୍ଷାର ଭୂଷଣ ତାକୁ ସ୍ପର୍ଶ କରେ ନାହିଁ । ତାହାର ସୁରକ୍ଷା-ନିପୁଣ ହସ୍ତ ତାହାର ପୁସ୍ତକ ପ୍ରଭୃତି ବ୍ୟବହାରୀୟ ପଦାର୍ଥକୁ ପୁରୁଣା କରାଇଦିଏ ନାହିଁ । ତାହାର ପୁସ୍ତକମାନ ସେ ବର୍ଷେକାଳ ବ୍ୟବହାର କରି ପୁଣି ସେହି ନୂତନ ମୂଲ୍ୟରେ ବିକ୍ରୟ କରେ । ସମୟର ଅପବ୍ୟୟ ତାହାଠାରେ ନାହିଁ, ପରିଶ୍ରମର ସୁଖ ଏବଂ ମୂଲ୍ୟ ସେ ଭଲ ଜାଣେ । ନିଜର ଦୈନିକ ପାଠ ଶେଷ କରି ଅବଶିଷ୍ଟ ସମୟରେ ଅନ୍ୟ ପିଲାଙ୍କୁ ପଢ଼ାଏ । ସେଥିରେ ତାହାର କିଛି ଉପାର୍ଜନ ହୁଏ । ବୃତ୍ତି ଟଙ୍କାରେ କଲେଜ ଖର୍ଚ୍ଚ, ଖାଇବା ଖର୍ଚ୍ଚ ପ୍ରଭୃତି ଚଳିଯାଏ, ଛାତ୍ର ପଢ଼ାଇବାରୁ ଯାହା ପାଏ, ତାହା ଘରକୁ ପଠାଏ । ଛାତ୍ରାବସ୍ଥାରୁ ସେ ପିତାମାତାଙ୍କ ପୋଷଣଭାର ଗ୍ରହଣ କରିଅଛି । ପିତାଙ୍କର ସାହଖର୍ଚ୍ଚପଣ ତାକୁ ଜଣା, ଅଧିବାସ ପୂର୍ବରୁ ବିସର୍ଜନ ପିତାଙ୍କର ଧାରା । ତେଣୁ ଏକକାଳୀନ ନ ପଠାଇ କେବେ ପାଞ୍ଚ ଟଙ୍କା, କେବେ ଦଶ ଟଙ୍କା, କେବେ ପନ୍ଦର ଟଙ୍କା–ଏହିପରି ଥରକୁଥର ପଠାଏ । ହରି ବାବୁଙ୍କର ସେତିକି ମାତ୍ର ସମ୍ବଳ ହେଲେହେଁ ଆଡ଼ମ୍ବର ଛାଡ଼ିଯାଇ ନାହିଁ । ଅନ୍ନପୂର୍ଣ୍ଣା ବେଳେ ବେଳେ ପ୍ରତିବାଦ କଲେ କହନ୍ତି–‘‘ମୋର ତ ଖର୍ଚ୍ଚୀହାତ, ପିଲାକାଳର ଅଭ୍ୟାସ ସହଜରେ ଛାଡ଼ିବ କିପରି ?’’

ସବୁଦିନ କାହାର ସମାନ ଅବସ୍ଥା ଥାଏ ନାହିଁ । ଉତ୍‌ଥାନ ପରେ ପତନ ଏବଂ ପତନ ପରେ ଉତ୍‌ଥାନ ସୃଷ୍ଟିର ଚିରନ୍ତନ ନିୟମ । ହରି ବାବୁଙ୍କର ଦୀନାବସ୍ଥା ଆଉ ନାହିଁ । ଗ୍ରୀଷ୍ମକାଳରେ ଯେଉଁ ଗଛ ପୋଡ଼ି ଥୁଣ୍ଟା ହୋଇଯାଏ, ବର୍ଷାକାଳରେ ସେ କଞ୍ଚେଇଉଠେ । କ୍ରମେ ଶାଖାପତ୍ରର ବହୁଳତାରେ ପୁଣି ପୂର୍ବପରି ହୋଇଉଠେ । ହରିବାବୁଙ୍କ ଥୁଣ୍ଟା ଭାଗ୍ୟ-ତରୁ କଅଁଳି ଉଠି ପୂର୍ବାବସ୍ଥା ପ୍ରାପ୍ତ ହେବାକୁ ବସିଲାଣି । ତାଙ୍କ ପୁତ୍ର ଶ୍ରୀକାନ୍ତ ତାଙ୍କର ପୂର୍ବାବସ୍ଥା ଫେରାଇ ଆଣିଅଛି । ଶ୍ରୀକାନ୍ତ ଆଇନ ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦୁଇ ବର୍ଷ ହେଲା କଟକରେ ଓକିଲାତି କରୁଅଛି । ସତ୍ୟବାଦି, ଧର୍ମଭୀରୁ ଏବଂ ସଚରିତ୍ର ହେତୁ ଏହି ଅଳ୍ପ ସମୟ ମଧ୍ୟରେ ସେ ବ୍ୟବହାର ବିଦ୍ୟାରେ ଯଥେଷ୍ଟ ପ୍ରତିଷ୍ଠା ମଧ୍ୟ ଲାଭ କରିଅଛି । ଓକିଲାତି ଗୋଟିଏ ପବିତ୍ର ସାଧୁ ବ୍ୟବସାୟ । ଯହିଁରେ ଦୁର୍ବଳର ବିଷୟ ରକ୍ଷା-ପ୍ରକାରାନ୍ତରରେ ଭାଗ୍ୟରକ୍ଷା କରିହୁଏ, ତାହାଠାରୁ ବଳି ମହତ ବ୍ୟବସାୟ ଆଉ କଅଣ ଅଛି ? ମିଥ୍ୟା, ପ୍ରବଞ୍ଚନା, କୁଟିଳତା, ଜଟିଳତାର ସଂମିଶ୍ରଣରେ ଉକ୍ତ ବ୍ୟବସାୟ କଳୁଷିତ ହୁଏ । ଯେଉଁମାନେ ପବିତ୍ର ବ୍ୟବସାୟରେ ଆବର୍ଜନା ମିଶାନ୍ତି, ସେମାନେ ଗଙ୍ଗାରେ କୁମ୍ଭୀର । ଶ୍ରୀକାନ୍ତ ମିଥ୍ୟା କିମ୍ବା ଅଚଳ ମୋକଦ୍ଦମା ଧରେ ନାହିଁ, ଅଥବା ମଉକିଲର ତଣ୍ଟି ଚିପି ଫିସ୍ ଆଦାୟ କରେ ନାହିଁ । ମୋକଦ୍ଦମା ଗ୍ରହଣ କରେ, ପାରୁପର୍ଯ୍ୟନ୍ତ ସେଥିରେ ପରିଶ୍ରମ କରେ । ବିଶ୍ୱାସିଭାବରେ କାର୍ଯ୍ୟ କରିବାରୁ ଅଧିକ ମୋକଦ୍ଦମା ତାହା ପାଖକୁ ଆସେ ଏବଂ ଅର୍ଥାଗମ ସୁଦ୍ଧା ଯଥେଷ୍ଟ ହୁଏ । ତାହାର ଯେତିକି ସମ୍ପତି ନଷ୍ଟ ହୋଇଥିଲା, ଦୁଇ ବର୍ଷ ମଧ୍ୟରେ ସେ ସେତିକି ସମ୍ପତ୍ତି କରି ସାରିଲାଣି ।

ଶ୍ରୀକାନ୍ତ ଅବଧି ଅବିବାହିତ । ଉପାର୍ଜନକ୍ଷମା ନ ହେବାଯାଏଁ ବିବାହ କରିବ ନାହିଁ ବୋଲି ସେ ପ୍ରତିଜ୍ଞାବଦ୍ଧ ହୋଇଥିଲା । ବର୍ତ୍ତମାନ ଆଉ ତାହାର ବିବାହରେ ଅସମ୍ମତି ନାହିଁ । ଅନେକ ସ୍ଥାନରୁ ପ୍ରସଙ୍ଗ ଆସିଲାଣି; ମାତ୍ର କେଉଁଠାରେ ଜାତକର ମେଳ ଘଟୁ ନାହିଁ, କେଉଁଠାରେ ବା କନ୍ୟା ଅପସନ୍ଦ ହେଉଛି । ବିବାହ ତ ବିଧିନିର୍ବନ୍ଧ, ଯେଉଁଠାରେ ହେବାର ଥିବ ହେବ; ଯେ ଯାହା ହାଣ୍ଡିରେ ଚାଉଳ ଦେଇଥିବ, ସେ ତାହା ଘରକରଣା କରିବ । ଶ୍ରୀକାନ୍ତ ସକାଶେ ଅନେକ ବଡ଼ ବଡ଼ ଘରୁ ପ୍ରସଙ୍ଗ ଆସିଲାଣି । ଧନ, ମାନ, କୁଳ, ଶୀଳ, ଶିକ୍ଷା, ସୌନ୍ଦର୍ଯ୍ୟ ଯାହାକୁ ଏକାଧାରେ ଆଶ୍ରୟ କରିଅଛନ୍ତି, ତାହାକୁ କନ୍ୟାଦାନ କରିବାକୁ କହାର ଇଚ୍ଛା ନୁହେଁ ? ସେପରି ପାତ୍ର ମିଳିବା ତ ସୌଭାଗ୍ୟର କଥା । ଶେଷରେ କୃପାସିନ୍ଧୁ ପଟ୍ଟନାୟକଙ୍କ ଘରେ ସମ୍ବନ୍ଧ ସ୍ଥିର ହେଲା । କୃପାସିନ୍ଧୁ ପଟ୍ଟନାୟକଙ୍କୁ ପାଠକ ପୂର୍ବରୁ ଚିହ୍ନି ଅଛନ୍ତି । ସେ ଜଣେ ଜମିଦାର । ତାଙ୍କର କନ୍ୟା ସୁକୁମାରୀ ରୂପଗୁଣରେ ଅତୁଳନୀୟା । ଗ୍ରାମର ସ୍ତ୍ରୀଲୋକମାନେ କହନ୍ତି–ବିଧାତା ତାହାକୁ ଗୋଟିଏ ଚାଉଳରେ ଗଢ଼ିଅଛି । ବଡ଼ଘରର ଝିଅ ବୋଲି ଗର୍ବ ଅହଙ୍କାର ନାହିଁ । ଲଜ୍ଜାରେ ତ ଲାଜକୁଳୀ ଲତା, ରନ୍ଧାବଢ଼ା କାମପାଇଟି କି ପଟାନ୍ତର ନାହିଁ । ତାହାର ରୂପେ ସୁନ୍ଦର, କାର୍ଯ୍ୟ ସୁନ୍ଦର ଏବଂ ସ୍ୱାଭାବ ସୁନ୍ଦର । ସୁକୁମାରୀ ଶ୍ରୀକାନ୍ତର ଉପଯୁକ୍ତ ସଙ୍ଗିନୀ ।

ଜମିଦାର ଘରେ ପୁଅର ବିବାହ ହେବ–ଏହି ଆନନ୍ଦରେ ଏବଂ ବିପୁଳ ପ୍ରାପ୍ତ୍ୟାଶାରେ ହରି ବାବୁଙ୍କର ଛାତି ଫୁଲିଉଠିଲା । ବରପଣ ଏବଂ ଯୌତୁକର ପ୍ରକାଣ୍ଡ ଦାବୀ କରିବା ସକାଶେ ତାଙ୍କର ହତୈଷୀ ଭାଇବନ୍ଧୁମାନେ ସୁପରାମର୍ଶ ଦେଲେ । କେହି କହିଲା–‘‘ପୁଅ ଯେପରି ଯୋଗ୍ୟ, କେତେ ଜମାଦାରୀ ତାହା ଗୋଡ଼ତଳେ ।’’ କେହି ବା କହିଲା–‘‘ଲକ୍ଷେ ଟଙ୍କାଦେଲେ ବି ଏପରି ଯୋଗ୍ୟ ପାତ୍ର ମିଳିବ ନାହିଁ !’’ ଏହି ସବୁ କଥା ହରି ବାବୁଙ୍କ ଆଶା–ବହ୍ନିର ଆହୁତି ହେଲା । ସେ ଗୋଟାଏ ପ୍ରକାଣ୍ଡ ତାଲିକା ପ୍ରସ୍ତୁତ କଲେ । ସେଥିରେ ଜମାଦାରୀ, ଘୋଡ଼ା, ସୁଆରୀ, ପାଲିଙ୍କି, ଖଟ, ସିନ୍ଧୁକ, ଚୌକି, ଆଲମାରୀ ପ୍ରଭୃତି ବଡ଼ଲୋକୀର ପର୍ଯ୍ୟାପ୍ତ ଉପକରଣ ଥିଲା । ତାଲିକାରେ କେବଳ ହାତୀର ନାମ ଥିଲା ନାହିଁ । ମଟରକାର ତ ସେ ସମୟରେ ଏ ଦେଶକୁ ବେଶୀ ଆସି ନଥିଲା; ନଚେତ୍ ସେଥିରୁ ଅନ୍ତତଃ ଗୋଟାଏ ତାଲିକାରେ ସ୍ଥାନ ପାଇ ଥାଆନ୍ତା । ଏହ ଛଡ଼ା କନ୍ୟାକର୍ତ୍ତାଙ୍କୁ ନଗଦ ପାଞ୍ଚ ହଜାର ଟଙ୍କା ଦେବାକୁ ହେବ । ସେ ହତଭାଗ୍ୟ କାହିଁକି ଝିଅ ଜନ୍ମ କଲା ? ସୁତରାଂ ଏସବୁ ତଣ୍ଡ ଦେବାକୁ ନିଶ୍ଚୟ ବାଧ୍ୟ–ଶତ ବାର ବାଧ୍ୟ । ଶ୍ରୀକାନ୍ତ ଏ ତାଲିକା ଦେଖି ନିତାନ୍ତ ଘୃଣା ସହକାରେ କହିଲା–‘‘ବାବା, ତେବେ ମୋତେ ଓଜନ କରି ବିକିବେ; ଘୋଡ଼ା ବଳଦ ପରି ଦାନ୍ତ ଶିଙ୍ଘ ଦେଖାଇ ହୁଣ୍ଡା ମୂଲ୍ୟରେ ବିକିବେ ନାହିଁ । ତାହା ହେଲେ ଦାମ ଊଣା ହେବ । କାହାରି ଘର ଲୁଟ କରି ଆଣି ବଡ଼ଲୋକ ହେବାକୁ ମୋର ଇଚ୍ଛା ନାହିଁ । କୌଣସି ପ୍ରକାର ପଣ ରହିଲେ ମୁଁ ବିବାହ କରିବି ନାହିଁ ।’’ ପୁଅର ଏ ପ୍ରତିଜ୍ଞା କର୍ଣ୍ଣରୁ କର୍ଣ୍ଣାନ୍ତର ହୋଇ ଶେଷରେ ହରି ବାବୁଙ୍କର କର୍ଣ୍ଣଗୋଚର ହେଲା । ସହସ୍ର ବଜ୍ର ତାଙ୍କ ମୁଣ୍ଡରେ ଖସିପଡ଼ିଲା; କିନ୍ତୁ ଅନ୍ନପୂର୍ଣ୍ଣା ବୁଦ୍ଧିମତୀ ଏବଂ ହୃଦୟ ବତୀ । ସେ ପୁତ୍ରର ମନ ବୁଝିପାରି ସ୍ୱାମୀଙ୍କୁ କହିଲେ–‘‘ତମର କଅଣ ନାହିଁ ଯେ, ତମେ ପର ଧନକୁ ଲୋଭ କରୁଛ ? ଆମେ ଦୁଃଖ ପାଇଥିଲେ ସତ, ଏବେ ତ ଆମର ଯେଉଁ ଘରକୁ ସେହି ଘର ହେଲା । ଏହା କିଏ କଲା–ଶ୍ରୀକାନ୍ତ ନା ଆଉ କେହି ? ସେହି ତ ଆମର କୁବେର ସମ୍ପତ୍ତି, ତମେ ପର ସମ୍ପତି କାହିଁକି ଖୋଜୁଛ ? ପୁଅର ମନ ଭାଙ୍ଗିବା ଭଲ ନୁହେଁ, ତମେ ଏତେ ଲୋଭ କର ନାହିଁ ।’’ ଅନନ୍ତର ତାଲିକା ଫର୍ଦ୍ଦଖଣ୍ଡି ସ୍ୱାମୀଙ୍କ ହାତରେ ଦେଇ କହିଲେ–‘‘ତମେ ଯାହା ଖୋଜୁଛ, ସବୁ ଏଥିରେ ଅଛି, ନେଇ ସନ୍ତୁଷ୍ଟ ହୁଅ ।’’ ସ୍ତ୍ରୀଙ୍କ ପ୍ରତ୍ୟୁତ୍ପନ୍ନମତିର ପ୍ରାଖର୍ଯ୍ୟ ଦେଖି ହରିବାବୁ ନ ହସି ରହିପାରିଲେ ନାହିଁ । ଏହା ପରେ କନ୍ୟାପକ୍ଷକୁ ସେ ଆଉ କୌଣସି ସର୍ତ୍ତରେ ଆବଦ୍ଧ କରି ନାହାନ୍ତି ।

ବିବାହର ଦିନ ଯେତେ ନିକଟବର୍ତ୍ତୀ ହୋଇ ଆସିଲା, ଉଭୟ ପରିବାର ମଧ୍ୟରେ ଆନନ୍ଦ ଏବଂ ଚାଞ୍ଚଲ୍ୟ ସେତେ ବର୍ଦ୍ଧିତ ହେବାକୁ ଲାଗିଲା । ଦେଖୁଁ ଦେଖୁଁ ବିବାହର ଶୁଭଦିନ ଆସି ଉପସ୍ଥିତ ହେଲା । ସମାରୋହରେ ଉତ୍ସବ ଲାଗିଲା । ଉଭୟପକ୍ଷ ବଡ଼ଲୋକ, ସମାରୋହ ହେବାର ତ କଥା-। ଶୁଭବିବାହକ୍ରିୟା ଯଥାରୀତି ସମ୍ପନ୍ନ ହେଲା । ବର ସଭାରେ ବର କନ୍ୟା ଉଭୟ ପକ୍ଷର ଟିକିଏ ସଂଘର୍ଷଣ ଲାଗିଥିଲା–ତାହା ସାହିତ୍ୟସାଧନା ସମ୍ବନ୍ଧରେ । କେତେ ଗୀତ, ଶ୍ଳୋକର ବ୍ୟାଖ୍ୟା ଏବଂ ଅର୍ଥ ହୋଇଗଲା; ମାତ୍ର କେହି କାହାକୁ ଜିଣି ପାରିଲେ ନାହିଁ–ଦୁଇପକ୍ଷ ସମାନ ହୋଇଗଲେ-। ପୂର୍ବେ ବିବାହସଭାରେ ଜାତୀୟ ସାହିତ୍ୟର ଚର୍ଚ୍ଚା ହେଉଥିଲା । ମାତୃ-ସାହିତ୍ୟ ପ୍ରତି ଲୋକଙ୍କର କିରୂପ ଆଗ୍ରହ, ସମ୍ମାନ ଥିଲା, ତାହା ଏଥିରୁ ସହଜରେ ଅନୁମେୟ । ହାୟ, ସେହି ସୁରାତି ଏଣିକି ବିରଳ ପରିଲକ୍ଷିତ ହେଉଅଛି, ଏହା ଦାରୁଣ କ୍ଷୋଭର ବିଷୟ । ବରଯାତ୍ରୀମାନଙ୍କୁ ବିହିତ ସତ୍କାର କରାଗଲା । ସେବା ସେମାନଙ୍କର ସମ୍ମାନକୁ ବଳି ପଡ଼ିଲା । କୃପାସିନ୍ଧୁ ପଟ୍ଟନାୟକଙ୍କୁ ସମସ୍ତେ ଧନ୍ୟ ଧନ୍ୟ କହିଲେ । ଏକମାତ୍ର ଆଦରୀଣୀ କନ୍ୟାର ବିବାହରେ ଜମାଦାର ହୃଦୟ ଖୋଲି ଦେଇଥିଲେ ।

 

ବଡ଼ ବଡ଼ ଘରମାନଙ୍କରେ ଯେପରି ଦାନ ଯୌତୁକ ଦିଆଯାଏ, ପଟ୍ଟନାୟକେ କନ୍ୟାଜାମାତାଙ୍କୁ ସେହିପରି ଦେଇଥିଲେ । ବିବାହା ଶେଷରେ ବରକନ୍ୟାକୁ ଘେନି ଫେରିଆସିଲା । ଅନ୍ନପୂର୍ଣ୍ଣା ବଧୂବରଣ ବନ୍ଦାପନା ଶେଷରେ ନବବଧୂର ହସ୍ତଧରି ଘରକୁ ଆଣିବା ସମୟରେ ସୁକୁମାରୀ ହସ୍ତରେ ରୁପାଚୁଡ଼ୀ ଦେଖି ଅଧୀର ଆନନ୍ଦରେ କହିଉଠିଲେ–‘‘ଏତେ ଦିନେ ମୋ ଚୁଡ଼ୀ ଘରକୁ ଆସିଲା ! ଖାଲି ଆସି ନାହିଁ ମା ଲକ୍ଷ୍ମୀଙ୍କି ସାଙ୍ଗରେ ଘେନି ଆସିଛି ।’’ ଏହା କହି ବଧୂକୁ କୋଳ କରି ଘର ଭିତରକୁ ନେଇଗଲେ । ତାଙ୍କ ଅଧରରୁ ତୃପ୍ତିର ହାସ ଏବଂ ନୟନରୁ ଆନନ୍ଦାଶ୍ରୁ ଝରି ପଡ଼ିଲା–ହୃଦୟ ପ୍ରେମରେ ପୁରି ଉଠିଲା । ପାଠକ, ଏ ରୁପାଚୁଡ଼ୀକୁ ଚିହ୍ନି ପାରିଲେ କି ? ଯେଉଁ ଚୁଡ଼ୀ ହରିବାବୁ ଦାସଙ୍କ ପାଖରେ ବନ୍ଧା ରଖିଥିଲେ–ଦାସେ ତାହା ଝିଅକୁ ଦେଲେ–ଝିଅ ଘରୁ ଭିଷଣା ଚୋର ଚୋରି କରି ନେଇ ଅଗାଧୁପୁଷ୍ଟି ବଣିଆକୁ ବିକିଲା–ଅଗାଧୁଠାରୁ କୃପାସିନ୍ଧୁ ପଟ୍ଟନାୟକ କିଣିଥିଲେ । ଏ ସେହି ରୁପାଚୁଡ଼ୀ ! ଯାହାର ପଦାର୍ଥ, ଶେଷରେ ତାହା ପାଖକୁ ଆସିଲା-। ସତ୍ ପଦାର୍ଥ କେଉଁଆଡ଼େ ଯାଏ ନାହିଁ । ଧର୍ମତଃ, ନ୍ୟାୟତଃ ଯାହା ଯାହାର କଷ୍ଟାର୍ଜିତ, ତାହା ହସ୍ତାନ୍ତର ହୋଇ ରହିପାରେ ନାହିଁ–ଚୋରି ଗଲେ କିମ୍ବା ହଜିଗଲେ ସମୟରେ ତାହା ଆପେ ଆପେ ଆସେ । ଧର୍ମ, ନ୍ୟାୟ ଏବଂ ସତ୍ୟର ମହିମା ଚିରକାଳ ଅକ୍ଷତ । ସଦୁପାର୍ଜିତ ଧନ ଯିବାବେଳେ ଏକୁଟିଆ ଯାଏ; ମାତ୍ର ଆସିବା ବେଳେ କଳନ୍ତର ସହ ଆସିବାର ଅନେକତ୍ର ଦେଖାଯାଏ । ତାହାର ଯିବା ଆସିବା ବିଚିତ୍ର । ସେ ଆସିବା ପାଇଁ ଯାଏ । ସମୁଦ୍ର ଜଳ ବାଷ୍ପ ହୋଇ ଉପରକୁ ଯାଏ; କିନ୍ତୁ ଯଥାସମୟରେ ବିଶୁଦ୍ଧତା ଘେନି ଫେରିଆସେ ।

Image